ବଡ଼ବଡ଼ିଆମାନେ ଯଦି ଏହା ଭାବୁଛନ୍ତି ଯେ ସେମାନଙ୍କ ଅନୁପସ୍ଥିତିରେ ସାହିତ୍ୟ ଧ୍ୱଂସ ପାଇଯିବ ତେବେ ଏହା ସେମାନଙ୍କର ଅହଙ୍କାରର ପରିଚାୟକ।

ଢଗଟିଏ: “ସାଆନ୍ତପଣକୁ ଯୋଗ୍ୟ ନୁହନ୍ତି; ଓଳଗି ନ ହେଲେ କେତେ ରୁଷନ୍ତି।”
ସାହିତ୍ୟପଣରେ ଯେତେ ପାହୁଣ୍ଡ ଆଗକୁ ପକାଉଛି; ସେତେ ଯନ୍ତ୍ରଣା ଓ ଅନୁଭବର ତିକ୍ତତା ସ୍ପଷ୍ଟ ହେଉଛି। ଭାବନା ଗଭୀର ହେଉଛି; ହେଲେ ଆତ୍ମସମୀକ୍ଷାର ଆହ୍ୱାନ କରୁଛି ଉପରୋକ୍ତ ଏହି ଢଗ ସହ। ପଦ ପଦ ଯୋଡ଼ି ଦଶପଦକୁ ସାହିତ୍ୟ ରୂପ ଦେବାରେ ଯେ କେତେ ସଂଘର୍ଷ, ସର୍ଜନା ଓ ପ୍ରେରଣା ପ୍ରଭୃତି ରହିଛି; ଏହା ସେଇ ସାଆନ୍ତପଣରେ ଥିବା ବରିଷ୍ଠ ସାହିତ୍ୟିକଙ୍କୁ ପୁନଶ୍ଚ ସ୍ମରଣ କରାଇବାକୁ, ବୁଝାଇ କହୁଛି।
ସାହିତ୍ୟ ମଞ୍ଚ ସମସ୍ତଙ୍କର। ହେଉ ପାଠକ, ଲେଖକ ଅବା ଯେ କୌଣସି ସାହିତ୍ୟପ୍ରେମୀ। ମାଟିଝାଟି ଘରେ ଜନ୍ମିଥିବା ଭୀମଭୋଇଙ୍କ କରୁଣାମୟ ବୋଧ ହେଉ ଅବା ରଜାଘରେ ବଢ଼ିଥିବା ଉପେନ୍ଦ୍ର ଭଞ୍ଜଙ୍କର ଶବ୍ଦଶୈଳୀର ଉତ୍କର୍ଷ; ସେହି ସାହିତ୍ୟପ୍ରାଣ ଦ୍ବୟ ଏବେ ମଞ୍ଚରେ ନୁହଁ ବରଂଚ ସମସ୍ତ ଓଡ଼ିଆଙ୍କ ମନ, ପ୍ରାଣ, ହୃଦରେ ବସିଛନ୍ତି। ସେତେବେଳେ ସର୍ଜନା ହିଁ ଥିଲା ଲକ୍ଷ୍ୟ; ଆତ୍ମଯଶ ନୁହଁ।
ଏହାର ବିପରୀତ, ଆଜିକାଲିର ଅନେକ ବରିଷ୍ଠ ସାହିତ୍ୟିକ ଯେଉଁମାନେ ଯଥେଷ୍ଟ ପୁରସ୍କାର, ଉପାଧି, ସମ୍ମାନ ଓ ମଞ୍ଚର ଚଉକି ପାଇସାରିଛନ୍ତି, ସେମାନଙ୍କ ଆସକ୍ତି ଚାଷଜମିରେ ଦଣ୍ଡାବାଳୁଙ୍ଗା ପ୍ରାୟେକ ବଢ଼ିବାରେ ହିଁ ଲାଗିଛି। ଏହି ଲୋଭ ଓ ମୋହର ସତେ ଯେପରି ଅନ୍ତ ନାହିଁ। ମଞ୍ଚରେ ପୁନଃପୁନଃ ଉପସ୍ଥିତି ସାଧନାର ପ୍ରମାଣ ନୁହଁ। ସାମାଜିକ ସଞ୍ଚାର ମାଧ୍ୟମରେ ନିଜ ପ୍ରଚାର ସର୍ଜନାର ମାନଦଣ୍ଡ ନୁହଁ। ଆତ୍ମକୈନ୍ଦ୍ରିକ ପ୍ରତିଚ୍ଛବି ସାହିତ୍ୟର ମାପକ ନୁହଁ।
ଯଦି ବରିଷ୍ଠମାନେ ଏହିପରି ଲାଳୁଆ ବୁଦ୍ଧିରେ ମଞ୍ଚକୁ ଜାବୁଡ଼ି ଧରିବେ ତେବେ ନୂଆ ପିଢ଼ି କରିବ କ’ଣ? ଯଦି ଅଧିକାଂଶ ଅନୁଷ୍ଠାନ ନିଜର ଚିତ୍ରୋତ୍ତୋଳନ ଓ ବିଜ୍ଞାପନ ପାଇଁ କେବଳ ଏଇ ବଡ଼ବଡ଼ିଆଙ୍କୁ ମଞ୍ଚ ଉପରକୁ ଡାକି ପୁରସ୍କାରମାଳା ପିନ୍ଧାଇ ଚାଲିବେ ତେବେ ନୂତନ କଣ୍ଠସ୍ୱର କେମିତି ଶୁଭିବ! ସେଇ ସାହିତ୍ୟିକଗଣ ଦିବ୍ୟତ୍ୱବୋଧ ପାଇଥିବେ ଯେଉଁମାନେ ସେହି ଶୀର୍ଷ ସ୍ଥାନରେ ଅନ୍ୟମାନଙ୍କୁ ଦେଖିବାରେ ଗର୍ବ ଅନୁଭବ କରିପାରିବେ।
ସାହିତ୍ୟ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଆଧାର ନୁହଁ ବରଂଚ ଏହା ଏକ ସମୂହ ଚେତନା। ବଡ଼ବଡ଼ିଆମାନେ ଯଦି ଏହା ଭାବୁଛନ୍ତି ଯେ ଏମାନଙ୍କ ଅନୁପସ୍ଥିତିରେ ସାହିତ୍ୟ ଧ୍ୱଂସ ପାଇଯିବ ତେବେ ଏହା ଏମାନଙ୍କର ଅହଙ୍କାରର ପରିଚାୟକ।
ପଦେ ଏଇ ନୂତନ ପିଢ଼ିର ଲେଖକଙ୍କୁ ମଧ୍ୟ କହି ବୁଝେଇବି। ନୂଆଲେଖକମାନଙ୍କ ମଧ୍ୟରେ ମଧ୍ୟ ଏକ ସୀମିତଧାରା ଦେଖାଯାଉଛି; କେବଳ ଆତ୍ମକୈନ୍ଦ୍ରିକ କବିତା। ‘ମୁଁ’, ‘ମୋର’, ‘ମୋ ପ୍ରେମ’; ଏହିପରି ବେଶ ଛାଡ଼ି ସମାଜ, ସମୟ ଓ ସଂଘର୍ଷର ସ୍ୱରକୁ ଛୁଇଁବାର ଆବଶ୍ୟକତା ଅଛି। ସାହିତ୍ୟ କେବଳ ଭାବୁକତା ନୁହେଁ; ଏହାଚିନ୍ତନ, ଦାୟିତ୍ୱ ଓ ସୃଜନଶୀଳ ବିପ୍ଲବ।
ତେଣୁ ସଂଭୂୟସମୁତ୍ଥିତ, ଏହି ମନ୍ତ୍ରରେ ଉଦ୍ବୁଦ୍ଧ ହେବା: ଯେଉଁଠି ମଞ୍ଚ ହେବ ସମସ୍ତଙ୍କର; ସମ୍ମାନ ହେବ ସାମୂହିକ। ଆସନ୍ତୁ ମଞ୍ଚକୁ ଅଧିକାର ନୁହଁ; ଦାୟିତ୍ୱବୋଧରେ ଅନୁଶୀଳନ କରିବା। ସମ୍ମାନକୁ ସ୍ୱାମୀତ୍ୱ ଭାବେ ନୁହଁ; ସାମୂହିକ ଅଧିକାର ଭାବେ ମାନିବା। ନୂତନ ପିଢ଼ିକୁ ପ୍ରତିଦ୍ୱନ୍ଦୀ ଭାବେ ନୁହଁ; ପରମ୍ପରାର ଅଗ୍ରଗାମୀ ପ୍ରଜ୍ଞାଦୀପ ଭାବେ ସ୍ୱୀକାର କରିବା।
ଚାଲନ୍ତୁ ନା ଦୀପଟିଏ ହେବା; ଦେବତା ନୁହଁ।
-ପ୍ରଭୂ
* ସଂଭୂୟସମୁତ୍ଥିତ – ସମ୍ମିଳିତ ଉତ୍ଥାନ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )