ସଙ୍କଟରେ ପ୍ରବନ୍ଧ ସାହିତ୍ୟ

ଏବେ ପରା ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା; ଓଲଟି ବହି ଛପା ହେବା ପୂର୍ବରୁ ଲେଖକ ‘ଫୟାଲିଟି’ ଗଣୁଛନ୍ତି ପ୍ରକାଶକଙ୍କୁ।

ବୈଷ୍ଣବ ଚରଣ ମହାନ୍ତି

ପ୍ରୟାସରୁ ପ୍ରବନ୍ଧର ଜନ୍ମ। ଏଇ କଥାଟାକୁ ‘ପ୍ରୟାସର ଅନ୍ୟ ନାମ ପ୍ରବନ୍ଧ’ ବୋଲି ମଧ୍ୟ ଆମେ ଆଉ ବାଗେ କହି ପାରିବା। ଆମେ ଯାହାକୁ ବର୍ତ୍ତମାନ ଓଡ଼ିଆରେ ‘ପ୍ରବନ୍ଧ’ କହୁଛୁ, ଇଙ୍ଗ୍ରାଜିରେ ତାକୁ ଆମେ କହୁଛୁ ‘ଏସେ’। ଏଇ ‘ଏସେ’ ଶବ୍ଦଟା ମୂଳ ଫରାସୀ ଶବ୍ଦ ‘ଏସାଇ’ରୁ ଆସିଛି। ‘ଏସାଇ’ ଶବ୍ଦର ଇଙ୍ଗ୍ରାଜି ଅର୍ଥ ‘ଆନ୍‍ ଆଟେମ୍ପ୍‍ଟ୍‍’ ଏବଂ ଓଡ଼ିଆରେ ଆମେ ତାକୁ ‘ପ୍ରୟାସ’ ବୋଲି କହିପାରିବା। ୧୫୮୦ ମସିହାର କଥା; ପୁସ୍ତକଟିଏ ପ୍ରକାଶ ପାଇଥିଲା ଫରାସୀ ଭାଷାରେ। ପୁସ୍ତକର ନାଆଁ ଥିଲା ‘ଏସାଇ’, ଆଉ ତାକୁ ଲେଖିଥିଲେ ମାଇକେଲ୍ ସେଉର୍ ଡି ମଣ୍ଟିଆଗ୍ନ ନାମକ ଜଣେ ଫରାସୀ ଭଦ୍ରଲୋକ। ନିଜ ପଲ୍ଲୀ ଅବସ୍ଥାନ ଅବକାଶରେ ଆପଣାର ଚିନ୍ତା ଆଉ ଭାବନାଗୁଡ଼ାକୁ ସେ ଲିପିବଦ୍ଧ କରିଥିଲେ; ତା’ ସାଙ୍ଗକୁ ନିଜର କିଛି ମତ ଓ ମନ୍ତବ୍ୟ ସେଥିରେ ଯୋଡ଼ିବାକୁ ପ୍ରୟାସ ‘ଏସାଇ’ କରିଥିଲେ। ତାଙ୍କର ସେଇ ‘ପ୍ରୟାସ’ସବୁର ସଂକଳିତ ରୂପ ଥିଲା ସେଇ ପୁସ୍ତକ ଏବଂ ସେଇଥିପାଇଁ ସେ ପୁସ୍ତକର ନାଆଁ ରଖିଥିଲେ ‘ଏସାଇଜ୍‌’।
ଅଛି କି ପ୍ରୟାସ?
ଏଣୁ ଏମନ୍ତ ପ୍ରକାରେ ଆଜିକୁ ୪୪୨ ବର୍ଷ ତଳେ ପ୍ରୟାସ ‘ଏସାଇ’ରୁ ପ୍ରବନ୍ଧ (‘ଏସେ’) ଜନ୍ମ ଲଭିଥିଲା। ବର୍ତ୍ତମାନ ସେମିତି ପ୍ରକାରର ପ୍ରୟାସ ଅଛି କି ଆମ ସାହିତ୍ୟଶାର୍ଦ୍ଦୁଳମାନଙ୍କର? ଚିନ୍ତା କରିବାକୁ ଆବେଗ, ଆଗ୍ରହ ଅଛି କି? ଆନ୍ତରିକତା ଅଛି କି ପ୍ରବନ୍ଧ ପ୍ରତି? ପ୍ରବନ୍ଧ ଉପରେ, ଏମିତି କି ଆପଣାର ଅଭିରୁଚି ଆଉ ଅନୁଭବ ଉପରେ ମତ ଓ ମନ୍ତବ୍ୟ ଦେବାକୁ ସାହସ ଓ ସାମର୍ଥ୍ୟ ଅଛି କି? ଖାସ୍‍ ଏଇଥିପାଇଁ, ଏଇସବୁ କାରଣରୁ ସାମ୍ପ୍ରତିକ ସାହିତ୍ୟ ସାହିର ପ୍ରବନ୍ଧ ପାଟଣାଗୁଡ଼ାକ ବେଛପରି, ବେଦସ୍ତରି, ବେନାସ୍ତି। ସାହିତ୍ୟ ସାହିର ପ୍ରବନ୍ଧ ପାଟକମାନଙ୍କ ଖଞ୍ଜାଘରଗୁଡ଼ାକ ଆଜି ପରିତ୍ୟକ୍ତ। ପ୍ରବନ୍ଧଘରର ଛପର ଉଡ଼ିଗଲାଣି, ରୁଅ ଦଲମଗୁଡ଼ାକ ଖସିପଡ଼ିଲାଣି, କାନ୍ଥଗୁଡ଼ାକ ଭୁଶୁଡ଼ି ପଡ଼ିଲାଣି। ପ୍ରବନ୍ଧ ଡିହରେ ଏବେ ବାଇଗଣ ରୁଆ ହେଲାଣି, ବିଲୁଆ ଡେଇଁଲେଣି।
ଆଜିକାଲି ଆମ ଓଡ଼ିଶାରେ ସାହିତ୍ୟିକ ଓ ସାହିତ୍ୟ ପତ୍ରିକାମାନଙ୍କ ସଂଖ୍ୟାବୃଦ୍ଧି ଆମ ପାଇଁ ଅବଶ୍ୟ ଏକ ବଡ଼ ସାରସ୍ୱତ ସୁଖ, ସୌଭାଗ୍ୟ, ସାନ୍ତ୍ୱନା ଆଉ ସୂଚନାର କଥା। ଆମ ପତ୍ରିକାମାନେ ମାସିକିଆ ମନ୍ଦୋଦରୀ ହୋଇ ଆସିବାକୁ କଥାଦେଇ ଯଦିଓ ବର୍ଷିକିଆ ବୃକୋଦରୀ ହୋଇ କେବଳ ପୂଜା ବଜାରକୁ ବୁଲିଆସୁଛନ୍ତି, ତଥାପି ଅଧିକାଂଶ ଓଡ଼ିଆ ପତ୍ରିକାର ଶ୍ରୀ, ସମ୍ଭାର, ସ୍ୱାସ୍ଥ୍ୟ ଆଉ ସାମ୍ଭ୍ରାନ୍ତ୍ୟ ଦେଖିଲେ ମନରେ ଗର୍ବ ଆସେ। ବର୍ତ୍ତମାନ ଆମ ଓଡ଼ିଆ ପତ୍ରିକାର ପୃଷ୍ଠାରେ ପୃଷ୍ଠାରେ ଆଧୁନିକ କବିତାମାନଙ୍କ ଛଟକ, ଗପମାନଙ୍କ ଗମକ, ନାଟକମାନଙ୍କର ନବଜ ପାଠକମାନଙ୍କୁ ପୁଲକିତ କରୁଛି। ଆଜିକାଲି ପତ୍ରିକାର ପାଟ ଅଗଣାମାନଙ୍କରେ କିନ୍ତୁ ପ୍ରବନ୍ଧ ହେଉଛି ସଂଖ୍ୟାଲଘୁ ସମ୍ପ୍ରଦାୟର। ପ୍ରବନ୍ଧ ଆଜି ପ୍ରକୃତରେ ଅବହେଳିତ, ଅନାହାରପୀଡ଼ିତ, ଅକାଳ ଜରାଗ୍ରସ୍ତ ବୃଦ୍ଧ। ଏ ପ୍ରସଙ୍ଗରେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ- “କବିମାନେ ତ ଘରେ ପଶୁପଶୁ ନିଃସଙ୍ଗ ଅନୁଭବ କଲେଣି, ଛାନିଆ ହେଲେଣି। ଆମ ଗଳ୍ପ ଲେଖକ ଓ ଉପନ୍ୟାସକାରମାନେ ବି ସତେ ଅବା ପିଲାଙ୍କ ପରି ସେହି ପୁରୁଣା କୁଲେଇଗୁଡ଼ାକୁ ଧରି ଖେଳିବାରେ ଲାଗିଛନ୍ତି। ମିଛିମିଛିକା ପିଲା ହେବାଟାକୁ ହିଁ ଅନେକ ପରୀକ୍ଷା ଓ ନିରୀକ୍ଷା ବୋଲି କହୁଛନ୍ତି।

ନାଟକମାନେ ବି କୋଉଠି କୋଉ ଚମ୍ପାଫୁଲଟାଏ ଶୁଙ୍ଘି ଆସିଥିବା ପରି, କବିବରଙ୍କ କାବ୍ୟଗୁଡ଼ାକ ପରି ଆଉ ଜଙ୍ଗଲମାନଙ୍କରେ ପାରିଧି କରି ପଳାଇଲେଣି। ଶବ୍ଦସଂଳାପ, ରଙ୍ଗମଞ୍ଚ ଓ ଆଉ ବାହାରିଆ କେତେଟା ଠାଣି ବଦଳାଇଦେଲେ ନାଟକଟା ଅଲବତ ବଦଳି ଯିବ ବୋଲି କେଡ଼େ ଦମ୍ଭରେ କହୁଛନ୍ତି। ଏହି ସବୁକିଛିକୁ ସେମାନଙ୍କ ପ୍ରସ୍ଥଗୁଡ଼ିକ ସହିତ ପରିଚିତ କରାଇଦେବା ପାଇଁ ଆମ ସମୀକ୍ଷାରେ ଯଥେଷ୍ଟ ବଳ ରହିଥିବା ଦରକାର। ଆମ କବିମାନେ ଓ ଗଳ୍ପକାରମାନେ କେଡ଼େ ଆତ୍ମସନ୍ତୋଷର ସହିତ କହି ପକାଉଛନ୍ତି ଯେ, ସେମାନେ ବହୁତ ଉନ୍ନତି କଲେଣି, ବଜାରରେ ପ୍ରତିଯୋଗୀମାନଙ୍କ ତୁଳନାରେ ସମକକ୍ଷ ଓ ବେଳେବେଳେ ଅଧିକ ଦକ୍ଷ ହୋଇ ଦେଖାଗଲେଣି ଏବଂ ସେମାନଙ୍କର ଭାରି ଦୁଃଖ ଯେ ପ୍ରବନ୍ଧ ନାମକ ସେମାନଙ୍କ ଧଡ଼ିଆ ସାନଭାଇଟି ସେମାନଙ୍କ ସହିତ ପାଦକୁ ପାଦ ମିଳାଇ ମୋଟେ ଆସିପାରୁନାହିଁ। ଯୋଉଠି ସମୀକ୍ଷା ଓ ପ୍ରବନ୍ଧ ନଥାଏ ଅଥଚ କବିତା, ଗଳ୍ପ ଉପନ୍ୟାସମାନେ ସାଆନ୍ତମାନଙ୍କ ପରି ଦାଣ୍ଡଯାକଟାକୁ ଭର୍ତ୍ତିକରି ରଖିଥାନ୍ତି, ସେଠି ନିଶ୍ଚୟ କୋଉଠି କ’ଣ ଅସୁସ୍ଥତା ଅବଶ୍ୟ ରହିଛି ବୋଲି ଖୁବ୍‍ ସନ୍ଦେହ କରାଯାଇପାରିବ। ସେତେବେଳେ ପ୍ରବନ୍ଧ ଓ ସମୀକ୍ଷା ନେଉଳଭାଇଟି ପରି ଚାଲିଥାଉ ବୋଲି ବିଧାତା ଆଦେଶ ଦିଅନ୍ତି ଏବଂ ତାହାରି ଦ୍ୱାରା ହିଁ ପରିତ୍ରାଣ ମିଳେ, ବ୍ୟାଧି ଦୂର ହୁଏ।”(“ପ୍ରବନ୍ଧର ପିତାମାତା”- ଝଙ୍କାର, ଶାରଦୀୟ ସଂଖ୍ୟା,୧୯୯୭)।
ବଢ଼ୁଛି ବ୍ୟାଧି
ବ୍ୟାଧି ଦୂର ହେବ କ’ଣ, ବ୍ୟାଧି ବଢ଼ୁୁଛି ଦିନକୁ ଦିନ; ୧୫ ନଭେମ୍ବର,୨୦୨୨,ଫେସ୍‍ବୁକ୍‌ରେ ସାହିତ୍ୟିକ ନାରୁମହାନ୍ତି ଲେଖିଛନ୍ତି ପରା- “ଗୁଡ଼ାଏ ଆବୁରୁଜାବୁରୁ ଲେଖି କେହି ସାହିତ୍ୟିକ ହୁଏନାହିଁ। ସେମାନଙ୍କୁ କୁହାଯାଏ ‘ଚଷୁକୁଟା ସାହିତ୍ୟିକ’ – କୁଟନ୍ତି, କୁଟି ଚାଲୁଥାନ୍ତି। ଆରମ୍ଭରୁ ଯାହା, ଶେଷରେ ସେଇଆ-ଚଷୁ।
କ’ଣ ହବ ମାଳମାଳ ବହି ଛପେଇ ଗଦେଇ ରଖିଲେ? ଚଷୁ ତ !”
ଓଡ଼ିଆ ସାହିତ୍ୟର ଏଇ ବର୍ଷୀୟାନ୍‍ ସ୍ପଷ୍ଟବାଦୀ ସାହିତ୍ୟିକ ଯାହା କହିଲେ- ‘ମାଳମାଳ ବହି ଛପେଇବା କଥା’, ତାହା ଠିକ୍‍; ସତରେ ମାଳମାଳ ବହି ଛପାଯାଉଛି ଆଜିକାଲି। କିନ୍ତୁ ‘ଗଦେଇ ରଖିବା କଥାଟା’ ଯାହା କହିଲେ ତାହା ଠିକ୍‍ ନୁହେଁ। ବୟସାଧିକ୍ୟ ଯୋଗୁଁ ସେ ହୁଏତ ସାମ୍ପ୍ରତିକ ପ୍ରଦୂଷିତ ପୁସ୍ତକ ପ୍ରକାଶନ ପରମ୍ପରାର ପାଲ ଭିତରେ ପଶିନାହାନ୍ତି। ତାଙ୍କ ବେଳେ ପ୍ରକାଶକଙ୍କ ପାଖରୁ ଲେଖକ ରୟାଲିଟି ପାଉଥିଲେ, ଏବେ ପରା ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା; ଓଲଟି ବହି ଛପା ହେବା ପୂର୍ବରୁ ଲେଖକ ‘ଫୟାଲିଟି’ ଗଣୁଛନ୍ତି ପ୍ରକାଶକଙ୍କୁ। ଚଷୁ କୁଟିବା ପାଇଁ ଢିଙ୍କିଟାମାନ ପକେଇ ବହୁ ଢିଙ୍କିଶାଳିଆ ପ୍ରକାଶକ ପୁସ୍ତକ ପଣିବା ପାଇଁ କୁଲା, ମୁଣ୍ଡିଛାଞ୍ଚୁଣି ଧରି ଭରାଣ୍ଡି ମେଲେଇ ବସିଛନ୍ତି। ତାଙ୍କର ଘୁମ କାହିଁ ଯେ ଚାଉଳ ରଖିବା ପାଇଁ? ଭାତଠାରୁ ତ ଲୋକେ ଆଜିକାଲି ବେଶି ରୁଟି, ପିଜା, ବର୍‍ଗର, ଚାଉମିନ୍‍ ଖାଇଲେଣି। ଅଛାଡ଼ି ପାଛୁଡ଼ି କୁଲାରେ କୁଲାଏ ଚଷୁ ହେଲେ କୁଆଡ଼େ କ’ଣ! ସେଥିପାଇଁ ଆଜିକାଲି କେତେ ସଂଖ୍ୟାରେ ଛପା ହେଉଛି ଯେ ବହି ଗଦା ହେବ? ସାହିତ୍ୟିକର ପରିଚିତି ପାଇଁ ପ୍ରୟୋଜନ ପ୍ରକାଶିତ ପୁସ୍ତକ ଏବଂ ଯୋଉ ପୁଳାଏ ପଇସା ଲୋଡ଼ା ପ୍ରକାଶନ ପାଇଁ ତା’ର ଅଭାବ ନାହିଁ ପରିଚିତିପ୍ରୟାସୀ ବାବୁ ଓ ବାବୁଆଣୀମାନଙ୍କ ପାଖରେ। ସେମାନେ ଲେଖୁଛନ୍ତି କବିତା, ଆଧୁନିକ ଅବୋଧ୍ୟ ଗଦ୍ୟକବିତା। ଏହା ସେମାନଙ୍କ ପାଇଁ ସହଜ ସାଧନ ପାଲଟିଛି। ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ‘ଶେଷ କବିତା’ର ‘ଧୋବା ହିସାବ’ କବିତା ଭଳି ତାଳିର ତୋଫାନ ସମନ୍ୱିତ ଆବୃତ୍ତି ଓ ସମାଲୋଚନା ଭିତରେ ଏପରି ‘ଧୋବା ହିସାବ’ଜାତୀୟ କବିତା ପାଣିଚିଆ ପ୍ରଶଂସାରେ ପଚପଚ ହେଇଉଠୁଛି।
“କହିକମଳୀ ମାଲିଆଣୀ କବିତା କିନ୍ତୁ ଆଜିକାଲି ଆଚ୍ଛା ଆଚ୍ଛା ଅସୂର୍ଯ୍ୟଂପଶ୍ୟ ଅମଲା ଅଧିକାରୀଙ୍କୁ କୁଆଡ଼େ କାନିରେ ବାନ୍ଧି ବୁଲୁଛି। ଆପଣା ପ୍ରେମପାଲରେ ପଟେଇ ରଖିଛି ବହୁ ପ୍ରଶାସନିକ ପ୍ରାଧିକାରୀଙ୍କୁ, ବହୁ ପାଟଅମଲାଙ୍କୁ, ସରକାରୀ ଶାର୍ଦ୍ଦୁଳଙ୍କୁ, ନଥିପତିଙ୍କୁ, ଧଳାହାତୀଙ୍କୁ। ଏହୁଁଏହୁଁ ଦପ୍ତରଚର ଭେଣ୍ଡାଙ୍କୁ ମନ୍ତୁରା ଫୁଲ ଶୁଙ୍ଘେଇ ମେଣ୍ଢାକରି ବାନ୍ଧି ରଖିଛି ଆପଣା ବାରିପିଣ୍ଡା ଖୁଣ୍ଟରେ। ଆଜିକାଲି ସାହିତ୍ୟ ସୀମାନ୍ତରେ ଯେତେ ସବୁ ମାଇଲି ଖୁଣ୍ଟ, କିଲୋମିଟର ଖୁଣ୍ଟ ପୋତାହେଉଛି, ଏଇ ମେଣ୍ଢାମାନେ କୁଆଡ଼େ ରାତିରେ ଭେଣ୍ଡା ହେଇ ଅଧିକାଂଶ ଖୁଣ୍ଟ ପୋତୁଛନ୍ତି। ପୁରସ୍କାରର ପାଟକନା ଓ ପେଡ଼ିସଜଗୁଡ଼ାକୁ ଏମାନେ କୁଆଡ଼େ କୋଉ ଖଞ୍ଜରେ ଉଠେଇ ଆଣି କବିତାର କଣଘର ସିନ୍ଦୁକରେ ସାଇତି ଦଉଛନ୍ତି। କବିତାର କଣ ଆଉ କନ୍ଦିଘରମାନଙ୍କରେ କବିମାନେ ବଡ଼ ସରାଗରେ କବିତାକୁ କୁଣ୍ଢୋଉଛନ୍ତି। କୋଳରେ ବସେଇ ଥେଇକି ନାଟ କରୁଛନ୍ତି। କେତେ ରଙ୍ଗରେ କୁତୁକୁତୁ କରୁଛନ୍ତି। ପଦକୁ ପଦ ଲହରେଇ ଦୋହରେଇ କଅଁଳେଇ କୁହାଟୁଛନ୍ତି। ଅତି ଅଭିଲାରେ କବିତାକୁ ଆଉଁଶୁଛନ୍ତି। ଘଷାମୋଡ଼ା କରୁଛନ୍ତି। କବିତା କନ୍ଦିରୁ ଯାଇ ସାହିିତ୍ୟ ସନ୍ଧିରେ ପଶୁଛନ୍ତି। ସାହିତ୍ୟ ସନ୍ଧିମାନ କରୁଛନ୍ତି। କିନ୍ତୁ ପ୍ରବନ୍ଧ ପଡ଼ିରହୁଛି ଅପୁଚ୍ଛା ଆଲୋଡ଼ା ହେଇ, ଅଲେଖା ଅପଢ଼ା ହେଇ। କବିତା ପାଇଁ କୋଠା ଓ କୋଠରିମାନ ନିର୍ମାଣିସାରି ଏମାନେ କୁଆଡ଼େ ଏବେ କୋଣାର୍କଟାଏ ନିର୍ମାଣୁଛନ୍ତି। ଆହା! ଏମାନେ ବିଚାରା ପ୍ରବନ୍ଧ ପାଇଁ କୋଉଦିନ ଇନ୍ଦିରା ଆବାସଟାଏ କରେଇ ଦିଅନ୍ତେନି? କେଜାଣି, କୋଉଦିନ ମା’ ସରସ୍ୱତୀ ୟା’ଙ୍କ କଣ୍ଠରେ ବିଜେ ହଉଛନ୍ତି ଦେଖାଯାଉ।
କବିତା କେହି ଲେଖି ଶିଖାଏ ନାହିଁ। କୌଣସି ବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ‘କବିତା ଲିଖନ’ ବୋଲି ଏକ ବିଷୟ ନାହିଁ। ତେବେ ଓଳିଆ ଫିଟେଇଲା ବେଳକୁ କବିତା ବିହନରେ ଏତେ ଗଜା କୋଉଠୁ ଆସୁଛି? କେତେକ ଅନୁଭବୀ କହନ୍ତି, କୌଣସି ସୁନ୍ଦରୀକି ଦେଖି ଛାତିରେ ଯନ୍ତ୍ରଣା ହେଲେ କୁଆଡ଼େ କବିତା ବିନା ଜଳ, ବାୟୁ ଓ ଉତ୍ତାପରେ ସୁଦ୍ଧା ଓଳିଆ ଫୁଟେଇ ଗଜୁରି ଉଠେ। ଆଉ କେତେକ କହନ୍ତି, କବିତା କୁଆଡ଼େ ହୃଦୟରୁ ସ୍ଫୁରେ, ବେଳେବେଳେ ତଳମୁହାଁ ହେଇ ଭିଡ଼େଇଦେଲେ କବିତା କୁଆଡ଼େ ନାହିମୁଣ୍ଡାରୁ ବି ଉଠେ।” (‘ପାଠକପ୍ରିୟ ପ୍ରବନ୍ଧ’- ‘ବିଧବା ବେଶ ବିରୋଧରେ’ ପୁସ୍ତକ)

ପୁସ୍ତକ ପ୍ରକାଶନର ପାଟଅଗଣା
ପୁସ୍ତକ ପ୍ରକାଶନର ପାଟଅଗଣାରେ ପଇସା ଦେଇ ପୁସ୍ତକ ପ୍ରକାଶ କରିବାର ପ୍ରଦୂଷିତ ପରମ୍ପରା ପ୍ରଥମେ ପୂରେଇଛନ୍ତି କିଛି ପାଟଅମଲା, କିଛି ଅତିବଡ଼ୀ ସରକାରୀ ଦାସ, କିଛି ଅମଲା କୁଳଚନ୍ଦ୍ରମା, ଦପ୍ତରଚର ମହାବଳ। ଏମାନେ ହାତରୁ ପଇସା ଦିଅନ୍ତିନି; କେହି ଅନୁଗୃହୀତଙ୍କ ମାଧ୍ୟମରେ ଏମାନେ ପ୍ରକାଶକାୟ ସ୍ୱାହା କରନ୍ତି। ମହାବଳୋ ଯେନ ଗତଃ ସଃ ପନ୍ଥା ନ୍ୟାୟରେ ମାଧ ମାହାନ୍ତିଙ୍କ କନିଆ ସାଙ୍ଗେ ଚନ୍ଦୁରୀ ନାନୀ ବାଈ, ସେ ସୁନା ଗଡ଼ୁ ଧରି ଗଲେ, ଏ ମାଟି ଗଡ଼ୁ ଧରି ଯାଇ। ‘ଦେବ, ଦିଆଇବ’ର ଦିଇଟା କଥାରୁ ମାଧମାହାନ୍ତିଙ୍କ କନିଆମାନେ ଦିଆଉଥିବା ବେଳେ ଚନ୍ଦୁରୀନାନୀମାନେ ଦିଅନ୍ତି, ଦେଇକି ବହି ଛପେଇ ନିଜକୁ ସାହିତ୍ୟିକା ବୋଲାନ୍ତି।
ଅତିବଡ଼ୀ ସରକାରୀ ଦାସମାନେ ଭଲଭାବେ ଜାଣନ୍ତି ତାଙ୍କ ବେକରୁ ସରକାରୀ ପଦପଦବୀର ଘଣ୍ଟିଘାଗୁଡ଼ି କାଢ଼ି ଥୋଇଦେଇ ଉପାଧି ଆଧିପତ୍ୟର ଅଗଣାରୁ ଅବସର ନେଲେ, ଏମାନଙ୍କୁ କେହି ଆଉ ବାସି ମୁହଁରେ ବି ପଚାରିବେ ନାହିଁ। ନଖ ଦାନ୍ତ ଝଡ଼ିଯାଇଥିବା ସର୍କସର ବୁଢ଼ାବାଘକୁ ଖୁଆଡ଼ ଭିତରୁ ଖାମିଦ ବାହାର କରିଦେଲେ କଇଁଥା ବାଇଗଣ ଭଳି ଦିଶୁଥିବା ଚମଛଡ଼ା ଧେଡି଼ଙ୍ଗୀ କୁତ୍ତୀ ବି ତାକୁ ଭାଉଭାଉ ହେଇ ଗୋଡ଼େଇ ଗୋଡ଼େଇ ତଡି଼ବ। ସେଥିପାଇଁ ‘ବେଳ ଥାଉଁ ବନ୍ଧ ବାନ୍ଧରେ କୁମର’ ନ୍ୟାୟରେ ଏଇ ନଥିଚାଷୀମାନେ ସାହିତ୍ୟଚାଷୀ ବନିଯାଉଛନ୍ତି। ପ୍ରକୃଷ୍ଟ ଭାବେ ବନ୍ଧ ବାନ୍ଧି ପ୍ରବନ୍ଧ ଚାଷ କରିବାର ପୌରୁଷ ଏମାନଙ୍କର ନାହିଁ। ସେଇଥିପାଇଁ ବୃତ୍ତିରୁ ବିଦା ହେବା ପୂର୍ବରୁ କୃତିକୁ କୁଣ୍ଢେଇବାକୁ ଯାଇ ଏମାନେ କବିତା ସହ କେଳି କରିବାକୁ ସହଜ ମଣୁଛନ୍ତି।
‘ରାଣୀ ପାଡ଼ିଛନ୍ତି’ କହିଲେ ସବୁ ଗନ୍ଧ ପାଡ଼ଗୁଡ଼ାକ ମହମହ ବାସ୍ନାରେ ମହକି ଉଠିବା ଭଳି ‘ସାର୍‍ ଲେଖିଛନ୍ତି’ କହି ବହୁ ପଦୋନ୍ନତି ପ୍ରୟାସୀ, ବଦଳିବିକଳ ସମାଲୋଚକ ପଙ୍କରୁ କୋଚିଆ ପକଡ଼ିବା ପରି ସେ କବିତା ଭିତରୁ ଏମିତି ସବୁ ସିମିଲି, ମେଟାଫର୍‍ ଭଳି ମୂଳାଗୁଡ଼ାକୁ ପକଡ଼ିକି ଚୋବାନ୍ତି ଯେ ସାଧାରଣ ପାଠକପଲ କାଲମିତି ଅନେଇଥାନ୍ତି। ସାହିତ୍ୟର ଦାଣ୍ଡ ମଝିଟାରେ ସାଧାରଣ ପାଠକ ଜଳକା ହେଇ ଚାହିଁଥାନ୍ତି ଆଉ ଏଇ ମହାବଳ ମହାପାତ୍ରମାନେ ସବୁ ମାରିନେଇ ଯାଉଥାଆନ୍ତି। ସିଜରିଆନ୍‍ ହେଇ ମହାବଳଙ୍କ ଗର୍ଭରୁ ଜନ୍ମ ନେଉଥିବା ଅଣ୍ଡିରିଚଣ୍ଡୀ କବିତାର ପଞ୍ଚୁଆତି ବା ଉଠିଆରି ନ ଯାଉଣୁ ତୋଷାମୋଦିର ତେଲହଳଦୀ ମାଲିସ କରି ବଦଳିବିକଳ ସମାଲୋଚକମାନେ ତା’ ଜାତକ ନାଆଁ ରଖନ୍ତି- ‘ଗଦ୍ୟ କବିତା’। ହୟୋ ବାବୁ! କବିତା ତ କବିତା, ଗଦ୍ୟ ତ ଗଦ୍ୟ, ପୁଣି ‘ଗଦ୍ୟ କବିତା’ ହେଲା କେମିତି? ତମେ ଆଜି ଯଦି ‘ଗଦ୍ୟ କବିତା’ କହିଲଣି, କାଲିକି ତମେ ‘ଅଣ୍ଡିରା ଗାଈ’ ନ କହିବ କାହିିଁକି ? କୁହ ପଛେ, କିନ୍ତୁ “କବିତା ହୁଏନି ବନ୍ଧୁ ପଦ ସଙ୍ଗେ ଯୋଡ଼ିଦେଲେ ପଦ; କବିତା ହୁଏନି ବନ୍ଧୁ ସୁର୍‍ ଧରି ବୋଲିଦେଲେ ଛନ୍ଦ।”
ମାଳମାଳ କବିତା
‘କବିତା ହୁଏନି’ କାହିଁକି, କବିତା ହେଉଛି ନା, ନହେଲେ ମାଳମାଳ କବିତା ବହି ବାହାରନ୍ତା କେମିତି, ନିଇତି କବିତା ପାଠୋତ୍ସବମାନ ହୁଅନ୍ତା କେମିତି, କବିଙ୍କ ଗହଳିରେ ସଭାସ୍ଥଳ ଗହଗହ ଲାଗନ୍ତା କେମିତି? ସାସ୍କୃତିକ ଜାଗରଣର ସ୍ଲୋଗାନ ଦେଉଥିବା କବିତା ସାହିତ୍ୟ ସାହିକି ଗୋଟାସୁଦ୍ଧା ଅବଶ୍ୟ ଅଧିକାର କରିନି। ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଆକଳନରେ “ଶତକଡ଼ା ସତୁରି ଜଣ ସାହିତ୍ୟିକ କବିତା ଲେଖିବା କ’ଣ ସାଂସ୍କୃତିକ ଜାଗରଣର ଲକ୍ଷଣ?”(‘ରୋମନ୍ଥନ’- କ୍ୟାରିଅରିଷ୍ଟ ସାହିତ୍ୟ ଚାଷ ପ୍ରସଙ୍ଗ)। ତେବେ ବାଦ୍‍ବାକି ଶତକଡ଼ା ତିରିଶିରୁ ଗପ, ନାଟକ, ଉପନ୍ୟାସର ଭାଗ କେତେ ଓ ପ୍ରବନ୍ଧର ଭାଗ କେତେ? କେତେକ ଯଶବାନା ଉଡ଼ାଉଥିବା ସାହିତ୍ୟିକ ସଙ୍କର ଜାତୀୟ ଅଧିକ ଅମଳକ୍ଷମ କବିତା ଏବଂ ନାଟକର ବିଦେଶୀ ବିହନ ଆଣି କୃତ୍ରିମ ପ୍ରଜନନ କରି ପରୀକ୍ଷାମୂଳକ ଭାବେ ଯୋଉ ଅବୋଧ୍ୟ ଗଦ୍ୟକବିତା ଏବଂ ଉଦ୍ଭଟ ନାଟକ ଉପୁଜେଇଲେ, ସେ ‘ପରୀକ୍ଷାମୂଳକ’ରୁ ପାଠକେ ‘ପରୀକ୍ଷା’କୁ ତ ପ୍ରେମେଇଲେନି, ‘ମୂଳକ’ଟିଏମାନ ଯାହା ପାଇଲେ। ପରବର୍ତ୍ତୀ କାଳରେ ଅଜୟ ସ୍ୱାଇଁ, ରମାକାନ୍ତ ମିଶ୍ର, ସରୋଜ ବଳ, ଜାକିର୍‍ ଖାଁ ଭଳି କେତେଟା ଟୋକା କବିତାର ଅଣ୍ଡିରାତ୍ୱ ବଜାୟ ରଖି ତାକୁ ବୋଧ୍ୟ ବୋଧନ କରି ପାଠକଙ୍କ ପାଖକୁ ଫେରାଇ ଆଣିଛନ୍ତି। ଉଦ୍ଭଟତାର ଉତ୍ପାତରୁ ମଞ୍ଚରେ ମରିଯାଉଥିବା ନାଟକକୁ ରତି ମିଶ୍ର, ବିଜୟ ମିଶ୍ର, ଆନନ୍ଦ ପହି, ନାରାୟଣ ସାହୁ, ବୀରେନ୍ଦ୍ର ବେବର୍ତ୍ତା ପଟ୍ଟନାୟକ, ଚନ୍ଦ୍ରଶେଖର ନନ୍ଦ, ଗୋପାଳ ପଟ୍ଟନାୟକ ଓ ଦିଲ୍ଲୀଶ୍ୱର ମହାରଣା ଆଦି ରକ୍ଷାକରି ପୁନର୍ଜୀବନ ଦେଇଛନ୍ତି। ଗଳ୍ପରେ ଗଳିପଡ଼ି କୋଉଠି କେମିତି କ’ଣ ହେଇଛି ସିନା, ଗଳ୍ପ ଉପରେ ପରୀକ୍ଷାର ପ୍ରତ୍ୟକ୍ଷ ପାହାର ପଡ଼ିନି। ସେଇଥି ପାଇଁ ଅବଶିଷ୍ଟ ତିରିଶି ଭାଗ ଭିତରୁ ଗପର ଗୁରୁତ୍ୱ ଓ ଗରିଷ୍ଠତା ଅଧିକ; ଆଦର ଅଧିକାର ବି ଅଧିକ। ତେଣୁ ଅବଶିଷ୍ଟ ତିରିଶି ଭାଗରୁ ଗଳ୍ପର ସିଂହ ଭାଗ ଥୁଆ। ସେ ଟୁପୁସୀମୁହୀଁ ବଳପଶୀ ଅଣ୍ଡିରିଚଣ୍ଡୀ କବିତା ସିନା ଜବରଦଖଲ କରି ବେଶି ଜାଗା ମାଡ଼ି ବସିଛି, ହେଲେ ନ୍ୟାୟତଃ ଗଳ୍ପର ବେଶି ଭାଗ ପଡ଼ିବା କଥା। ଖୁଦମଳୁଖ ହେଇ ଯାହା ବି ରହିବ ସେଥିରୁ ପ୍ରବନ୍ଧ ପାଇଁ ଶତକଡ଼ା ଏକ ଭାଗ ପଡ଼ିବ କି ନାହିଁ ସନ୍ଦେହ।
ପ୍ରବନ୍ଧ ଭାଗ୍ୟରେ ଯୋଉ ଏକ ଭାଗ ବି ପଡ଼ିବ, ସେଥିରେ ପୁଣି ମୌଳିକ ପ୍ରବନ୍ଧର ଭଗାରିଭାଇ ଓଡ଼ିଆ ସାହିତ୍ୟରେ ଏକ କରୁଥିବା ପ୍ରବନ୍ଧଗୁଡ଼ାଙ୍କର ତିନିପା ଭାଗ। କିଏ କେଜାଣି କୋଉଦିନ ଏ ପ୍ରବନ୍ଧସବୁକୁ ଏକ କରିବାରୁ ଆରମ୍ଭ କରିଥିଲା ଯେ ଏବେ ବି ସେଇ ଏକରୁ ଆରମ୍ଭ କରୁଛନ୍ତି ଅନେକେ- ମାନସିଂହ ସାହିତ୍ୟରେ ଆମ୍ବଗଛ – ଏକ ବିହଙ୍ଗ ଦୃଷ୍ଟି; ଓଡ଼ିଆ ସାହିତ୍ୟରେ କରକଙ୍କଣ – ଏକ ପରିମାପ; ଓଡ଼ିଆ ଲୋକସାହିତ୍ୟରେ ଏଣ୍ଡୁରିପିଠା – ଏକ ଆସ୍ୱାଦନ; ରାଧାନାଥଙ୍କ ଚିଲିକାରେ ଚୁଙ୍ଗୁଡ଼ିଆ ଦଳ – ଏକ ପରିଷ୍କରଣ; ଫକୀରମୋହନ ସାହିତ୍ୟରେ ଅବଧାନ – ଏକ ଅବଲୋକନ ଇତ୍ୟାଦି। ଏଇ ବୃତ୍ତିବାଧ୍ୟ ପ୍ରବନ୍ଧସବୁ କେବଳ ପିଏଚ୍‍.ଡ଼ି. ପ୍ରଦାୟକ, ଦରମାପ୍ରବର୍ଦ୍ଧକ, ପଦୋନ୍ନତିପ୍ରବୋଧକ, କିନ୍ତୁ ଏ ସବୁ ପ୍ରବନ୍ଧକୁ ପାଠକ ମଙ୍ଗନ୍ତି ନାହିଁ।
ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ‘ପ୍ରବନ୍ଧ ଲିଖନ’ କିନ୍ତୁ ପାଠ୍ୟଖସଡ଼ାରେ ପଟ୍ଟା ପାଇ ପାଉତି କାଟୁଥିବା ଏକ ସ୍ଥିତିବାନ୍ ପାଠ୍ୟ। ଏଥିପାଇଁ ନମ୍ବର ଦିଆଯାଏ, ଏଥିପାଇଁ ନମ୍ବର ବି କଟାଯାଏ। ପ୍ରବନ୍ଧର ସ୍ଥାପତ୍ୟ ଶିଖଉଥିବା ଆମର ମାଷ୍ଟ୍ରମହାଶୟମାନେ ପ୍ରବନ୍ଧର ଦାଣ୍ଡଦୁଆର କେମିତି ହବ, ମଝିଖଞ୍ଜା କେମିତି ହବ ଓ ବାଡ଼ିଦୁଆର କେମିତି ହବ- ଏଇ ତିନିଟା କଥାକୁ ଛାତ୍ରଜୀବନଟା ସାରା ଘୋରିବାଟି ପିଲାଙ୍କୁ ପିଆଇଥାନ୍ତି। ଏବେ ମଧ୍ୟ କିଛି ସାହିତ୍ୟଶାର୍ଦ୍ଦୁଳ, କିଛି ଗଦ୍ୟଗନ୍ତାଇତ ବୁଢ଼ା ବୟସରେ ପ୍ରବନ୍ଧ ଲେଖିବାକୁ ଯାଇ ଏଡ଼େଏଡ଼େ ଅକ୍ଷରରେ ଆରମ୍ଭ କରନ୍ତି ‘ଉପକ୍ରମ’ରୁ ଏବଂ ଶେଷ କରନ୍ତି ‘ଉପସଂହାର’ରେ। ‘ଉପକ୍ରମ’ ଆଉ ‘ଉପସଂହାର’- ଏଇ ଶବ୍ଦ ଦି’ଟା ନ ଲେଖିଲେ ନିଶ୍ଚିତ ନମ୍ବର କଟିଯିବ ବୋଲି ହୁଏତ ଏବେ ବି ଏମାନଙ୍କର ଭୟ। ଜଟାଧାରୀ ମାଷ୍ଟ୍ରେ ରଚନା ଓ ପତ୍ରଲିଖନ ଶିଖାଇବା ବେଳେ ଯାହା ଶିଖେଇ ଯାଇଛନ୍ତି, ସେଥିରୁ ମାତ୍ରାଏ ବି ଏପଟ ସେପଟ କରନ୍ତି ନାହିଁ ଏଇ ବରାଙ୍ଗୀମାନେ। ଏଣୁ ପ୍ରବନ୍ଧରେ ପରିବର୍ତ୍ତନ ଆସିବ କୁଆଡୁ?
ସେଇ ଷଡ଼ିଙ୍ଗୀ
ପ୍ରବନ୍ଧରେ ଏବେବି “ସେଇ ଇସୁକୁଲୁ, ସେଇ ବୋଡିଙ୍ଗି। ସେଇ ଡାଲିପାଣି, ସେଇ ଷଡ଼ିଙ୍ଗୀ।” ପ୍ରବନ୍ଧରେ ଡାଲିଟା ଆଉ ବହଳିଆ ହବନି ଯୋଉ ଯାଏ ଷଡ଼ିଙ୍ଗୀ ଭାଇନା ‘ଉପକ୍ରମ’ରୁ ଡାଲି ସିଝାଇବା ଆରମ୍ଭ କରୁଥିବେ। ଏତେକରି ସୁଦ୍ଧା ପାଠରେ ଡୋରି ବନ୍ଧା ହବା ପରେ ଅଧିକାଂଶ ପ୍ରବନ୍ଧ ପଢ଼ନ୍ତି ନାହିଁ, ଲେଖନ୍ତି ନାହିଁ କି ଚାଖନ୍ତି ନାହିଁ; କାରଣ – ପ୍ରବନ୍ଧଟା ଏବେ ବି ତାଙ୍କ ପାଇଁ ପାଣିଆ; କାରଣ – ଗପ କବିତା ଭଳି ପ୍ରବନ୍ଧ ସୁଆଦିଆ ନୁହେଁ; କାରଣ – କବିତା ଭଳି ପ୍ରବନ୍ଧ କାନ୍ଦିପାରିବନି, ହସି ପାରିବନି, ପ୍ରେମ କରିପାରିବନି ବା ଅଣ୍ଟାହଲା ଚାଲି ଚାଲିପାରିବନି। ପ୍ରବନ୍ଧର ରାଗ, ବିରାଗ, ସରାଗ ରହିବ ନାହିଁ। ଆବେଗ, ଅନୁରାଗ ରହିବ ନାହିଁ। ପ୍ରବନ୍ଧର ଏବେ ବି ପଣ୍ଡିତଙ୍କ ହାତର ପାଞ୍ଚଣକୁ ପ୍ରାଣେ ଭୟ। ପ୍ରବନ୍ଧ ଏବେ ବି ପରମ୍ପରାପୀଡ଼ିତ, ପରାଧୀନ।
ପ୍ରବନ୍ଧ ଦାନ୍ତଚିପି ଅଳପ କଥା କହିବ। ସାଧୁଭାଷା ନ କହିଲେ ପ୍ରବନ୍ଧ ଅସାଧୁ ହେଇଯିବ, ଅଜାତିଆ ହେଇଯିବ। ପ୍ରବନ୍ଧକୁ ସାବାଡ଼ କରିବା ସକାଶେ ପଣ୍ଡିତମାନେ ବହୁ କାଇଦା କଟକଣାମାନ କରିଛନ୍ତି, ପ୍ରବନ୍ଧ ପଳେଇଯିବ ବୋଲି ବହୁ ବନ୍ଧ ଓ ବାଡ଼ମାନ ପକେଇଛନ୍ତି, ବହୁ ଖମା ଓ ଖାଇମାନ ଖୋଳିଛନ୍ତି। ତା’ ପାଇଁ ବହୁ ଅଜାତି, ବିଜାତି, ଉପଜାତିର ଭିଆଣ କରିଛନ୍ତି। କଥା କହୁ କହୁ ଯଦି ପ୍ରବନ୍ଧ ଟିକିଏ ଦାନ୍ତ ନିକୁଟିଦେଲା, ଟିକିଏ ହସିଦେଲା, ପଣ୍ଡିତମାନେ ତାକୁ ଜାତିରୁ ବାଛନ୍ଦ କରି ତଡ଼ିଦେବେ – “ଯା.. ଯା… ଏଇଟା କରଣ ମାହାନ୍ତି ନୁହଁ, ଏଇଟା ଚଷା ମାହାନ୍ତି; ଏଇଟା ଶାସେନୀ ବ୍ରାହ୍ମଣ ନୁହଁ, ଏଇଟା ହଳୁ ବ୍ରାହ୍ମଣଟାଏ। ଇଏ ଜାତି ମାରାକଲା। ଏଇଟାକୁ ରମ୍ୟରଚନା ରାଇଜକୁ ଦେଶାନ୍ତରୀ କରିଦିଅ।” କଥା କହୁ କହୁ ପ୍ରବନ୍ଧ ଯଦି କୋଉଠି କାହାକୁ ଚୁମୁଟିଦେଲା, ତେବେ ପଣ୍ଡିତେ କହିବେ- “ଏଇଟା ସୁଦୁ ଖବିସା ଖେଚଡ଼ଟାଏ ହୋ! ଏଇଟାକୁ ବ୍ୟଙ୍ଗବସ୍ତିକୁ ପଠେଇ ଦିଅ।” ଯଦି ପ୍ରବନ୍ଧ ବେଶି ଗପିଲା, ପଣ୍ଡିତେ କହିବେ – “ଏଇଟା ଗପୁଡ଼ିଟାଏ ତ! ୟାକୁ ନେଇ ଗଳ୍ପଗଳିରେ ଛାଡ଼ିଆସ, ସେଇଠି ବସି ଗପୁଥାଉ।” ପ୍ରବନ୍ଧ ଯଦି ଅଧିକ ଆଳାପ କଲା, ବିଳାପ କଲା, ସଂଳାପ କଲା, ପଣ୍ଡିତେ କହିବେ- “ଇରେ ଏଇଟା ତୁଚ୍ଛା ନାଟୁଆଟାଏ ହେ! ଏଇଟାକୁ ନାଟ୍ୟନଗରୀକୁ ଜଲ୍‌ଦି ଚାଲାଣ କର।” ପ୍ରବନ୍ଧ ଯଦି ଟିକିଏ ଗହୀରକୁ ଗଲା, ପଣ୍ଡିତେ ପାଟିକରିବେ- “ଏଇଟା ଗବେଷଣିଆଟାଏ ହୋ! ଏଇଟାକୁ ଗବେଷଣା ଗୁହାଳରେ ଗଡ଼େଇଦିଅ, ସେଇଠି ବସି ଗୋ ଏଷଣା କରୁଥାଉ।” ପ୍ରବନ୍ଧ ଲେଖୁ ଲେଖୁ, ଲେଖା ଯଦି ହାଲୁକା ହେଇଗଲା, ଲେଖାର ଏଇ ଭଗାରିମାନେ କହିବେ- “ଏଇଟା ଲହକା ଲକଲକିଆଟାଏ। ଏଇଟାକୁ ଲଘୁରଚନାର ଲଙ୍କମୁହିଁରେ ନେଇ ବସେଇ ଦିଅ।”
ପ୍ରବନ୍ଧକୁ ଯାହା ଦେଇଥିଲ ସବୁ ତ ନେଲଣି ଆଉ କିସ ଅଛି ଛଡ଼ାଇବ ହେ? ପ୍ରବନ୍ଧର ହାତ ନେଲ, ଗୋଡ଼ ନେଲ, ଆଖି, କାନ, ନାକ ନେଲ, ପାଟି ନେଲ; ଆଉ ତେବେ ରହିଲା କ’ଣ ? କୋଉଟାକୁ ଏବେ ପ୍ରବନ୍ଧ କହିବା ? ପୁଳାଏ ଶୁଖିଲା ଶବ୍ଦକୁ ଗଣ୍ଠିଲିକରି ଗରିଣ୍ଡା ଭଳି ଗଡୁଥିବା ଏଇ ଗଦ୍ୟମାଦଳକୁ?

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

One thought on “ସଙ୍କଟରେ ପ୍ରବନ୍ଧ ସାହିତ୍ୟ

  1. ବର୍ତ୍ତମାନ ଲେଖକ ମାନେ କେବଳ ବରାଦିଆ କବିତା ଲେଖିବାରେ ବ୍ୟସ୍ତ ରହିଲେ।
    ଯେବେ ସେଇ ବରାଦିଆ କବିତା ଲେଖାରୁ ବିଚ୍ୟୁତ ହୋଇ ଆଲୋଚନାରେ ମଗ୍ନ ହେବେ, ତେବେ ଯାଇ ପ୍ରବନ୍ଧ ରଚନା ହେବ।

Leave a Reply

Your email address will not be published. Required fields are marked *