ଆମେ ପରା ସରକାରୀ ମାଷ୍ଟର। ଦେଶର ଭବିଷ୍ୟତ ଆମେ ଗଢୁଛୁ।

(ଗାଁ ଦାଣ୍ଡ। ଚାଲିଛନ୍ତି ନନ୍ଦ ମାଷ୍ଟ୍ରେ ଓ ଧନି ମାଷ୍ଟ୍ରେ।)
ନନ୍ଦ ମାଷ୍ଟ୍ରେ – କଣ ବ୍ଲକ ଅଫିସରୁ ଫେରୁଛ?
କଣ ସବୁ ହେଲା? ମୁଁ ଯାଇପାରିଲିନି ଟିକିଏ ଅସୁବିଧା ହେବାରୁ।
ଧନି ମାଷ୍ଟ୍ରେ– ମିଟିଂ ପରେ ଆମ ପ୍ରେସିଡ଼େଣ୍ଟ ବୀର ମାଷ୍ଟ୍ରେ ମାଳତୀପାଟପୁର ନି.ପ୍ରା ବିଦ୍ୟାଳୟ, ବିଡିଓ’ଙ୍କୁ ଦାବି ପତ୍ର ଦେଲେ। ଆମେ ସବୁ ତାଙ୍କ ସାଥିରେ ଥିଲୁ।
ନନ୍ଦ ମାଷ୍ଟ୍ରେ – ଏଜେଣ୍ଡା କଣ ଥିଲା?

ଧନି ମାଷ୍ଟ୍ରେ – ଆହେ ଦେଖୁଛ ତ, ପିଲାଙ୍କୁ ପାଠ ପଢେଇବୁ କଣ? ଘର ଘର ବୁଲି ଭୋଟର ଲିଷ୍ଟ କଲୁ, ଘର ନମ୍ବରିଂ କଲୁ, ଟିକାକରଣ, ପୋଲିଓ ଡ୍ରପ୍ ବଣ୍ଟନ, ପରିବାର ନିୟୋଜନ କାର୍ଯ୍ୟକ୍ରମ ସହ ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ଓଜନ, ଅଣ୍ଡା ଗଣତି – ଏସବୁରେ ଦିନ ଗଲା।
ନନ୍ଦ ମାଷ୍ଟ୍ରେ – ଆରେ ଏବେ ପରା ମୋର ଡ୍ୟୁଟି ଲାଗିଛି ସହରରେ ବୁଲା କୁକୁର ଗଣତି କରିବାକୁ!
ଧନି ମାଷ୍ଟ୍ରେ – କଣ କହିଲ? ମୁଁ ଶୁଣିଥିଲି ଯେ, କିଏ କହୁଥିଲା। ମିଛ ଭାବିଥିଲି।
ନନ୍ଦ ମାଷ୍ଟ୍ରେ – ମୋର ଡ୍ୟୁଟି ଲାଗିଛି ଜଗତସିଂପୁର କଲେକ୍ଟରେଟ୍ ଅଞ୍ଚଳରେ। ଯେତେ ବୁଲା କୁକୁର ଅଛନ୍ତି ତାଙ୍କର ଗଣନା କରିବାକୁ ହେବ।
ଧନି ମାଷ୍ଟ୍ରେ – ବୁଝିଲି ଯେ, ଇଏ କଣ ଅଣ୍ଡା ହୋଇଛି ନା ଚାଉଳ? ଗୋଟିଏ ଯାଗାରେ ଥୁଆ ହୋଇଥିବ? ଏମାନେ ହେଲେ ବୁଲା କୁକୁର। ଆଜି ଏଠି ତ କାଲି ଆଉ କେଉଁଠି। ତା’ସହ ଏମାନେ କୌଣସି ବୈବାହିକ ଆଇନ୍ ଦ୍ବାରା ଅନୁବନ୍ଧିତ ନୁହନ୍ତି। ଆଜି କାହା ସାଙ୍ଗେ, ତ କାଲି ଆଉ କାହା ସାଙ୍ଗେ।
ନନ୍ଦ ମାଷ୍ଟ୍ରେ– ସେଇ କଥା ମୋ ମୁହଁରୁ ଛଡ଼େଇ ନେଲ। ଗଣନା କରିବାକୁ ଯାଇ କୁକୁର ଗୋଠ ଭିତରେ ପଶିଗଲି। ଆଉ ଯାଏ କୁଆଡ଼େ? ଘେରି ତ ଗଲେ। ଦେଖୁନା କେମିତି କାମୁଡ଼ିଛନ୍ତି! (ହାତ ଗୋଡ ଦେଖାଇ)
(କୁମୁଦିନୀ ମାଡାମ୍ଙ୍କ ପ୍ରବେଶ)
ଦୁହେଁ – ଆରେ ମାଡାମ୍ କୁମୁଦିନୀ ! ଏଇଲେ କେଉଁ ସ୍କୁଲରେ? କୁଆଡେ ଯାଇଥିଲେ?
କୁମୁଦିନୀ – କହନ୍ତୁ ନାହିଁ ସାର୍! ସ୍କୁଲର ସବୁ ପାଠ ମୁଁ ଭୁଲିଯାଇଛି। ଏବେ ମାଈ କୁକୁର ଗଣତି କରିବାକୁ ହେଉଛି।
ଧନି ମାଷ୍ଟ୍ରେ – ମାଈ? କୁତି?
କୁମୁଦିନୀ– ହଁ ! ଖାଲି କଣ ସେତିକି? ତାଙ୍କ ଭିତରେ କିଏ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଚିକିତ୍ସା ସୁବିଧା ପାଇଛି ତାହା ରିପୋର୍ଟ କରିବାକୁ ହେବ।
ନନ୍ଦ ମାଷ୍ଟ୍ରେ – ତୁମେ କେମିତି ଜାଣିବ? କିଏ କେଉଁ କଣ୍ଟ୍ରାସେପ୍ଟିଭ୍ ଡିଭାଇସ୍ ବ୍ୟବହାର କରୁଛି?
କୁମୁଦିନୀ – ସେଇ ତ ସମସ୍ୟା ସାର୍। ପ୍ରଥମେ ଟିକିଏ ଡ଼ର ଲାଗୁଥିଲା। ଏବେ ମାଈ କୁକୁର ଦେଖିଲା ମାତ୍ରେ ଆଇୟୁସିଡ଼ି, ସିୟୁଟି, ଓରାଲ଼ କଣ୍ଟ୍ରାସେପ୍ଟିଭ୍ ପିଲ୍, କଣ୍ଡୋମ୍ ସବୁ ମୋର ମୁଖସ୍ଥ। ଡିଜିଟାଲ ରେକର୍ଡ୍ ରେଡ଼ି।
ଧନି ମାଷ୍ଟ୍ରେ– ବୁଝିଗଲି । କୁମୁଦିନୀ ମାଡାମ୍ ବୁଝିଗଲି। ତୁମକୁ ସଲାମ୍ । ମୋର ଯାହା ଡ଼ର ଥିଲା । ଏଥରକ କୁକୁର କଣ ବାଘ, କୁମ୍ଭୀର ଗଣନା ବି ମୁଁ କରିଦେଇ ପାରିବି। ଆମେ ପରା ସରକାରୀ ମାଷ୍ଟର। ଦେଶର ଭବିଷ୍ୟତ ଆମେ ଗଢୁଛୁ।
କୁମୁଦିନୀ – ବୁଝିଲେ ତ ?
ମ୍ୟୁଜିକ୍:
ଆମେ ସରକାରୀ ମାଷ୍ଟର
ଅଙ୍କ କଷିପାରୁ ଗଣିପାରୁ ଘର
କରିପାରୁ ଜନଗଣନା ।
ପାଠ ପଢ଼ା କଥା କହନା ।
ଅଣ୍ଡା ଗଣି ଗଣି ଗଣିତ କଷିଲୁ
ବୁଲା କୁକୁରଙ୍କ ହିସାବ ରଖିଲୁ
ବ୍ଲକ୍ ଅଫିସରେ ହାଜିର ଲଗାଉ
ପାଠପଢ଼ା ଖାଲି ବାହାନା ।
ନା ନା ନା ।
ମଞ୍ଚ ଅନ୍ଧାର ।
ବ୍ୟଙ୍ଗ ଭିତରେ ଖୁବ୍ ଏକ ଉପାଦେୟ ବିଷୟର ଅବତାରଣା କରିଛନ୍ତି ଅଭୟ ବାବୁ।ଖୁବ୍ ସୁନ୍ଦର ହୋଇଛି।ଭବିଷ୍ୟତ ଆଜି ଦାଣ୍ଡରେ ହାଟରେ ଗଡୁଛି।ପରିବର୍ତ୍ତନ ନିହାତି ଆବଶ୍ୟକ।
Beautiful presentation.Quality of education can be improved by well trained teacher by the responsibility towards the development of nation not by fixing unnecessary job resposibility
ସମୟୋପଯୋଗୀ ଲେଖାଟିଏ ଭାଇ। ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକ ମାନଙ୍କର ଡ୍ୟୁଟି ଏମିତି କିଛି ଗତିବିଧିରେ ଲଗାଇ ଦିଆ ଯାଉଛି ଯେ ସେମାନେ ତାଙ୍କ ଅସଲ ଡ୍ୟୁଟି ପ୍ରତି ଧ୍ୟାନ ଦେଇ ପାରୁ ନାହାଁନ୍ତି। ଫଳ ସ୍ୱରୂପ ସରକାରୀ ସ୍କୁଲ ମାନଙ୍କରେ ପାଠପଢ଼ାର ମାନ ଦୃତ ଗତିରେ ତଳକୁ ଯିବାରେ ଲାଗିଛି ବୋଲି ଜଣା ପଡ଼ୁଛି। ଲେଖାରୁ କର୍ତ୍ତୃପକ୍ଷ କିଛି ବୁଝିଲେ ହେଲା। ସାର୍ଥକ ରଚନା ଟିଏ।