
ସୁପରିଚିତ କୃଷି ବିଶେଷଜ୍ଞ ନଟବର ଷଡଙ୍ଗୀଙ୍କ କଲମରୁ ରୂପ ନେଇଥିବା ‘ମାଛ କଥା’ କେବଳ ମାଛ ସମ୍ପର୍କୀୟ ଏକ ତଥ୍ୟପ୍ରଦ ପୁସ୍ତକ ହିଁ ନୁହେଁ, ଏହା ମଧ୍ୟ ପାଠକଙ୍କ ମନକୁ ସ୍ପର୍ଶ କରିପାରୁଥିବା ଏକ ନିଆରା ସାହିତ୍ୟର ନିଦର୍ଶନ। ବହିଟି ପଢ଼ିବା ବେଳେ ଆଖି ଆଗରେ ନାଚିଯାଏ ସୁଲେଖକ ବୈଷ୍ଣବ ଚରଣ ମହାନ୍ତିଙ୍କ ‘ପାନ ଓ ପ୍ରିୟତମା’ ପୁସ୍ତକ, ଯେଉଁଥିରେ ମଧ୍ୟ ଅନୁରୂପ ଭାବରେ ପାନ ଭଳି ଏକ ସାମାନ୍ୟ ବସ୍ତୁକୁ ସାହିତ୍ୟର ଜାମା ପିନ୍ଧାଇ ଗୌରବଶାଳୀ କରାଯାଇଛି। ସେହିପରି ମଧ୍ୟ ସ୍ମରଣକୁ ଆସେ ଏହି ପର୍ଯ୍ୟାୟର ଆଉ ଗୋଟିଏ ବହି, ବୈକୁଣ୍ଠନାଥ ମିଶ୍ରଙ୍କର ‘ମୁଢ଼ି’। ଅନୁରୂପ ଭାବରେ ଆଲୋଚ୍ୟ ପୁସ୍ତକଟିରେ ଆମ ଭୋଜନର ଏକ ଲୋଭନୀୟ ଅଂଶ ସାଜିବାର ନିୟତି ନେଇ ଜନ୍ମ ନେଇଥିବା ନିରୀହ ପ୍ରାଣୀ, ମାଛର ଗୋଟିଏ ନିଆରା ପରିଚୟ ଗଢ଼ିତୋଳିଛନ୍ତି ଲେଖକ। ସୂଚିପତ୍ରରେ ଥିବା କେତେକ ଅଧ୍ୟାୟର ଶିରୋନାମାରୁ ଏହାର ସ୍ପଷ୍ଟ ଆଭାସ ମିଳେ; ଯଥା, ‘ବିକାଶ ଯଜ୍ଞରେ ମାଛ ଆହୁତି’, ‘ଧର୍ମ, ସଂସ୍କୃତି ଓ ପରମ୍ପରାରେ ମାଛ’, ‘ମାଛଧରା, ଭାଗ ବଣ୍ଟା ଓ ଶାଶୂ ବୋହୂ କଳି’, ‘ଆମ ପିଲାଦିନ: ବର୍ଷକ ବାରମାସ ମାଛ ଭାତ,’ ‘ମାଛର ଉତ୍ପତ୍ତି ଓ ବିବିଧତା’ ଓ ଏମିତି ଆହୁରି ଅନେକ। ଗୋଟିଏ କଥାରେ କହିଲେ ଏହା ମାଛକୁ ଆଧାର କରି ବିଜ୍ଞାନ, କୃଷି, ସଂସ୍ମରଣ, ସଂସ୍କୃତି ଓ ସାହିତ୍ୟର ଏକ ମିଶାମିଶି ପ୍ରସ୍ତୁତି।
ଲେଖକଙ୍କ ବର୍ଣ୍ଣନା ଶୈଳୀରେ ଆତ୍ମୀୟତା ଭରପୁର। ଆସନ୍ତୁ ଦେଖିବା, ଇଲିସି ମାସର କଥା କହିବା ବେଳେ ସେ କେମିତି ନିଜ ପିଲାଦିନର ସ୍ମୃତିକୁ ଉଖାରିଛନ୍ତି, “ଇଲିସି ମାଛରେ ବହୁତ କଂଟା। ଡରିବାର ନାହିଁ। ଖାଇବା ଘର ପୁଅ ଝିଅ ତ ରଙ୍କ। ମାଛ ଖରଡ଼ା ବେଳୁ ବାସ ଚହଟିଗଲାଣି। ମା’ତ ପୁଅର ପେଟ ଚିହ୍ନିବା ଲୋକ। ଇଲିସି କରେଇରେ ଖରଡ଼ା ବେଳେ ବୋଉ ମୋତେ ୨/୩ ଖଣ୍ଡ ଦେଇଦିଏ। ନିଆଁ ବାହାରୁଥାଏ। ମୁଁ ଟାଉଟାଉ କରି ଖାଇଦେବାକୁ ଚାହେଁ। ପାଟି ପୋଡ଼ି ଯାଉଥାଏ। ଦେଖିଲା ଲୋକ ଭାବିବ ସତେ ଯେପରି ବର୍ଷେ ଛଅ ମାସ ହେଲା କିଛି ଖାଇନି। ଇଲିସି ମାଛକୁ ମାନିବାକୁ ହେବ। ମିଛରେ କ’ଣ ବଂଗାଳି ଇଲିସି ମାୟାରେ ପଡ଼ି ବାଉଳା ଚାଉଳା ହୁଅନ୍ତି!” (ପୃ- ୮୧)
କେବଳ ମାଛ ନୁହେଁ, ଏହାର ଏକ ବିକଳ୍ପ ଭାବରେ ଗେଣ୍ଡା ଓ କଙ୍କଡ଼ାଙ୍କ କଥା ମଧ୍ୟ କହିଛନ୍ତି ଲେଖକ। ସେ ସୂଚାଇଛନ୍ତି ଯେ ଗେଣ୍ଡା ମାଂସରେ ପୁଷ୍ଟିସାର ଓ ସ୍ନେହସାର ଖୁନ୍ଦି ହୋଇ ରହିଛି। ଏ ସବୁକୁ ଖାଇ କେଉଟମାନେ ଖୁବ୍ ସବଳ ଓ ନିରୋଗୀ ଥିଲେ। ଲେଖକ ନିଜର ଅଙ୍ଗେ ନିଭେଇଥିବା ଅନୁଭୂତିରୁ କହିଛନ୍ତି ଯେ ଗେଣ୍ଡାର ମାଂସ ଖାଇ ସେ ସମୟରେ ଲୋକମାନେ ଦୁଃସାଧ୍ୟ ରୋଗ ଟି.ବି.ଜନିତ ଶରୀର ଦୁର୍ବଳତାରୁ ମଧ୍ୟ ଉପଶମ ଲାଭ କରୁଥିଲେ।
ଏହି ପୁସ୍ତକ ସୂଚାଇଦିଏ ଯେ ମାଛ ପ୍ରତି ଆବାଲ୍ୟ ରୁଚି ଏବଂ ପରେ ପରିଣତ ବୟସରେ ଜଣେ ବୈଜ୍ଞାନିକ ହେବାପରେ ମାଛଚାଷର ଏକ ଗହନ ଅଧ୍ୟୟନର ପରିଣାମରେ ହିଁ ଲେଖକ ଏହା ରଚନା କରିବାପାଇଁ ସକ୍ଷମ ହୋଇଛନ୍ତି। କିନ୍ତୁ ଏହାକୁ ଏକ ନିରସ ତଥ୍ୟାଶ୍ରୟୀ ପୁସ୍ତକଟିଏ ମାତ୍ର ଭାବରେ ପ୍ରସ୍ତୁତ କରିବାରୁ ସେ ବିରତ ହୋଇଛନ୍ତି। ବରଂ ସେଥିରେ ଖୋଜି ପାଇଛନ୍ତି ହୃଦୟସ୍ପର୍ଶୀ ସାହିତ୍ୟର ସମ୍ଭାବନା। ଲକ୍ଷ୍ୟ କରିବାର କଥା ଯେ ବହିଟିକୁ ସେ ସମର୍ପଣ କରିଛନ୍ତି, “ତଥାକଥିତ ବିକାଶର ରଥଚକା ତଳେ ପେଶି ହୋଇ ଜୀବିକା ହରାଇଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ।”
ନିହାର ଶତପଥୀ
ସୁନ୍ଦର ଆଲେଖ୍ୟ
ସୁନ୍ଦର ପ୍ରୟାସ , ଶ୍ରୀଯୁକ୍ତ ଷଡ଼ଙ୍ଗୀ, ତାଙ୍କ କଲମରୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ମାଛ ଆମ ଓଡ଼ିଆ ଘରର ଏକ ସ୍ବାଦିଷ୍ଟ ବ୍ୟଞ୍ଜନ , ବିବାହ ହଉ ଅବା ବ୍ରତ ଅବା ବନ୍ଧୁ ଚର୍ଚ୍ଚା, ସବୁଥିରେ ମାଛ ର ସ୍ଥାନ ନିଆରା । ଭୋଜିକୁ ଡାକରା ଆସିଲେ ଆମେ ପଚାରୁ କଣ ମାଛ ବେସର ହେବ ଟି ? ଯଦି ଉତ୍ତର ମିଳିଯାଏ ହିଁ ଆମିଷ ହଉଚି ତେବେ ମନରେ ଲୋଭ ଜାଗ୍ରତ ହୋଇଯାଏ । ପାରମ୍ପରିକ ଭାବେ ଆମ ଘରେ ମାଛ ହଳଦୀ ପାଣି କିମ୍ବା ସୋରିଷ ଦେଇ ବେସର ଅତି ପ୍ରିୟ ହୋଇଥାଏ । ଗ୍ରାମ ପୋଖରୀରେ ଜାଲ ପଡ଼ିବା ନେଇ ପୂର୍ବରୁ ଘଣ୍ଟ ବଜାଇ ଅବଗତ କରାଯାଉଥିଲା, ଆମେ ସମସ୍ତେ ଗ୍ରାମ ପୋଖରୀ ହୁଡାରେ ଏକାଠି ହେଇ ମାଛ ନିଲାମ ରେ ଅଂଶ ଗ୍ରହଣ କରି ଥାଉ । ତଳି ମାଛ (ବାଳିଆ , ଶେଉଳ, ରତା, ମାଗୁର) କୁ ବହୁତ୍ ଆନନ୍ଦରେ ନେଇ ଆସୁ । ସମୟ ଅତିକ୍ରାନ୍ତ,ଏବେ ବଜାର ରୁ କଟା ମାଛ ଆଣି ପୂର୍ବ ପରମ୍ପରା କୁ ଭୁଲି ଯାଇଛୁ । ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆପଣଙ୍କ ଦ୍ଵାରା ମୁଦ୍ରିତ ଏହି ପୁସ୍ତକ ବହୁତ୍ ମାତ୍ରାରେ ପରମ୍ପରା କୁ ମନେପକାଇ ଦଉଚି । ଧନ୍ୟବାଦ୍