
ଲେଖକମାନଙ୍କର ଏହି ସେବାନିବୃତ୍ତି ବା ‘ରିଟାୟାର୍ମେଣ୍ଟ୍’ର ପ୍ରସଙ୍ଗଟି ଆମର ମନରେ ଉଦ୍ରେକ ହେଲା, ଯେତେବେଳେ ଜଣେ ବୟୋଜ୍ୟେଷ୍ଠ ଲେଖକଙ୍କୁ ଆମେ ଗୋଟିଏ ଗଳ୍ପ ଲେଖି ପଠାଇବା ପାଇଁ ଅନୁରୋଧ କରନ୍ତେ ସେ କ୍ଷୋଭ ପ୍ରକାଶକରି କହିଲେ, “ଜଣେ କ୍ରିକେଟର୍ ନିଜର ଉତ୍ତରଜୀବନରେ ଯେତେବେଳେ କ୍ରିକେଟ୍ ଖେଳରୁ ରିଟାୟାର୍ମେଣ୍ଟ୍ ନେବାର କଥା ଘୋଷଣା କରେ, ସେତେବେଳେ ଆମେ ତାହାକୁ ସ୍ୱାଭାବିକ ଭାବରେ ନେଉ। କିନ୍ତୁ ଆପଣମାନେ କାହିଁକି ଭାବନ୍ତି ନାହିଁ ଯେ କ୍ରିକେଟରଙ୍କ ଭଳି ଆମ ଲେଖକମାନଙ୍କର ମଧ୍ୟ ଦିନେ ଲେଖାଲେଖିରୁ ଅବସର ନେବାର ଅଧିକାର ଅଛି?” ତାଙ୍କର ଏହି ପ୍ରଶ୍ନ ବିଚାରଣୀୟ ମନେହେଲା।
ଆମେ ଜାଣୁ ଯେ ସଚ୍ଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଭଳି ଅନେକ କ୍ରିକେଟ୍ ତାରକା ଗୋଟିଏ ସମୟରେ କ୍ରିକେଟ୍ ଜଗତରୁ ସ୍ୱେଚ୍ଛାକୃତ ଭାବରେ ଅବସର ନେବାର ଘୋଷଣା କରି ସେହି ଖେଳରୁ ଓହରି ଆସିଥିଲେ। ଠିକ୍ ସେହିଭଳି ସାହିତ୍ୟ କ୍ଷେତ୍ରରେ ମଧ୍ୟ କେତେଜଣ ଅନ୍ତର୍ଜାତୀୟ ସ୍ତରର ଲେଖକ ବାର୍ଦ୍ଧକ୍ୟର ଶେଷ ସୋପାନରେ ଉପନୀତ ହେବାପରେ ସାହିତ୍ୟରୁ ଅବସର ନେଇଛନ୍ତି। ଏମାନଙ୍କ ମଧ୍ୟରେ ଆମ ସମୟର ଦୁଇଜଣ ବରିଷ୍ଠ ଇଂରାଜୀ ଔପନ୍ୟାସିକ, ମାଇକେଲ୍ ଫ୍ରେନ୍ ଓ ଜୁଲିଆନ୍ ବାର୍ନସ୍ଙ୍କ ନାମ ନିଆଯାଇପାରେ।
ଆମ ଓଡ଼ିଶାରେ ମଧ୍ୟ ଏହା ଯେ ନ ଘଟିଛି ତା’ ନୁହେଁ, ଯଦିଓ ଔପଚାରିକ ଭାବରେ ସେପରି ଘୋଷଣା କେହି କେବେ କରିନାହାନ୍ତି। ଆମ ଜାଣିବାରେ ବର୍ଷୀୟାନ୍ ଲେଖକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏକଦା ଜଣେ ସଫଳ ଗାଳ୍ପିକ ଭାବରେ ସୁନାମ ଅର୍ଜନ କରିଥିଲେ ହେଁ, ୨୦୦୪ ମସିହାରେ ଗଳ୍ପରଚନାରୁ ଅବସର ନେଇଥିଲେ; ଯଦିଓ ସାହିତ୍ୟର ଅନ୍ୟ ବିଭାଗରେ ତାଙ୍କର କଲମ ଏବେ ସକ୍ରିୟ ଅଛି। ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଅଗ୍ରଦୂତ ଗୁରୁପ୍ରସାଦ ମହାନ୍ତି ୧୯୭୦ ମସିହାରେ ତାଙ୍କର ଚର୍ଚ୍ଚିତ କବିତା ସଂକଳନ ‘ସମୁଦ୍ରସ୍ନାନ’ ପ୍ରକାଶ ପାଇବା ପରେ ଆଉ କିଛି ନ ଲେଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅବଶ୍ୟ ଏହାର ଦୀର୍ଘ ୧୮ ବର୍ଷ ପରେ ନିଜ ପ୍ରଶଂସକମାନଙ୍କ ଚାପରେ ତାଙ୍କୁ ଥରେ କଲମ ଧରିବାକୁ ପଡ଼ିଥିଲା। ଏଣୁ ଅବସର ନେବା ପରେ ଯେମିତି ପ୍ରସିଦ୍ଧ କ୍ରିକେଟ୍ ଖେଳାଳୀମାନେ ପରିସ୍ଥିତିରେ ପଡ଼ି କେବେ କେମିତି ମଇଦାନକୁ ଓହ୍ଲାଇପଡ଼ନ୍ତି, ସେମିତି ମଧ୍ୟ ଘଟିଛି କେତେଜଣ ଓଡ଼ିଆ ସାହିତ୍ୟିକଙ୍କ କ୍ଷେତ୍ରରେ।
ଏହାର ସଦ୍ୟତମ ଉଦାହରଣ ହେଲା, କିଛିଦିନ ତଳେ ଶତାୟୁ ହେବାର ସୌଭାଗ୍ୟ ଅର୍ଜନ କରିଥିବା କଥାକାର ଅଚ୍ୟୁତାନନ୍ଦ ପତି “ଶେଷଶିଳ୍ପ’ ନାମରେ ଗୋଟିଏ ଗଳ୍ପ ଲେଖି ଘୋଷଣା କରିଥିଲେ ଯେ ତାଙ୍କ ଭିତରେ ଥିବା ଗାଳ୍ପିକଜଣକ ନିଜର କଲମ ଫୋପାଡ଼ି ଦେଇଛି, ଅର୍ଥାତ୍ ସେ ଆଉ କେବେ କିଛି ଲେଖିବେ ନାହିଁ। କିନ୍ତୁ ତା’ଙ୍କ ଭିତରର ସର୍ଜନପ୍ରବଣତା ବୋଲ ମାନିଲାନାହିଁ ଏବଂ ସେ ଏବେ ବି ଲେଖିବା ଜାରିରଖିଛନ୍ତି।
ବର୍ତ୍ତମାନ ଦେଖାଯାଉଛି ଯେ ଓଡ଼ିଆ ସାହିତ୍ୟକୁ ନିଜର ସୃଷ୍ଟିସମ୍ଭାରରେ ସମୃଦ୍ଧ କରିଆସିଥିବା ବହୁ ଲେଖକ ବାର୍ଦ୍ଧକ୍ୟର ଉତ୍ତର ସୋପାନରେ ଉପନୀତ। ବୟସଜନିତ ଦୁର୍ବଳତା ଓ ଅସୁସ୍ଥତା ହେତୁ ସେମାନେ ହୁଏତ ପୂର୍ବଭଳି ରଚନାପ୍ରବଣ ହେବାର ସ୍ଥିତିରେ ଆଉ ନାହାନ୍ତି। ବିଡ଼ମ୍ବନା ହେଲା, ସେମାନେ ସିନା ଆଉ ନୂଆ କିଛି ଲେଖୁନାହାନ୍ତି, କିନ୍ତୁ ପୂର୍ବର ବହି ଓ ପତ୍ରିକାମାନଙ୍କରେ ପ୍ରକାଶିତ ସେମାନଙ୍କର ପୁରୁଣା ଲେଖାସବୁ ନୂଆ ରଚନା ଭାବରେ ଦର୍ଶାଯାଇ କେତେକ ପତ୍ରପତ୍ରିକାରେ ପ୍ରକାଶ ପାଇବାରେ ଲାଗିଛି। ଏଭଳି ବିସଙ୍ଗତିକୁ ପ୍ରଶ୍ରୟ ଦେବା ଅପେକ୍ଷା ସଂପୃକ୍ତ ବୟୋଜ୍ୟେଷ୍ଠ ଲେଖକଗଣ ବରଂ ସାହିତ୍ୟ ଜଗତରୁ ଅବସର ନେଇଯିବା କଥା ସ୍ୱୟଂ ଘୋଷଣା କରିଦେବା ଶ୍ରେୟସ୍କର ହେବ ବୋଲି ଆମର ମତ।
ନିହାର ଶତପଥୀ
