ଶବ୍ଦାର୍ଥ ପ୍ରକରଣରେ ବିବିଧତା

ଅନେକ ଶବ୍ଦର ପ୍ରୟୋଗ ସର୍ବଦା ସ୍ଥିର ନୁହେଁ

ଗୋପାଳକୃଷ୍ଣ ଆଚାର୍ଯ୍ୟ

ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ
ପରଂ ଭାବମଜାନନ୍ତୋ ମମାବ୍ୟୟମନୁତ୍ତମମ୍।।

ଶ୍ରୀମଦ୍ ଭଗବଦ୍ ଗୀତାର ସପ୍ତମ ଅଧ୍ୟାୟ ଓ ଚତୁର୍ବିଂଶତି ଶ୍ଳୋକାନୁସାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି: ବୁଦ୍ଧିହୀନ ମନୁଷ୍ୟମାନେ ମୋର ଅନୁତ୍ତମ ଅବିନାଶୀ ପରମଭାବକୁ ନଜାଣି ମୋତେ, ଅର୍ଥାତ୍ ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କୁ ସାଧାରଣ ମନୁଷ୍ୟପରି ଜନ୍ମ ହୋଇ ବ୍ୟକ୍ତିଭାବ ପ୍ରାପ୍ତ ହୋଇଛି ବୋଲି ମନେ କରନ୍ତି।
ପୁନଶ୍ଚ ଶ୍ରୀବିଷ୍ଣୁ ସହସ୍ରନାମରୁ ଶ୍ଳୋକଟିଏ ଦେଖନ୍ତୁ:
ଈଶ୍ୱରୋ ବିକ୍ରମୀଧନ୍ୱୀ ମେଧାବୀବିକ୍ରମ କ୍ରମଃ।
ଅନୁତ୍ତମୋ ଦୁରାଧର୍ଷଃ କୃତଜ୍ଞଃ କୃତିରାତ୍ମବାନ୍ ୯।।

ଏହାର ଅର୍ଥ ହେଉଛି ବିଷ୍ଣୁଙ୍କର ଅନେକ ନାମ ମଧ୍ୟରେ ଗୋଟିଏ ନାମ ହେଉଛି ଅନୁତ୍ତମ। ଆଉ ଗୋଟିଏ ନାମ ହେଉଛି ଦୁରାଧର୍ଷ।
ଏ ଦୁଇଟି ଦୃଷ୍ଟାନ୍ତ ଦେବାର ମୂଳ ଉଦ୍ଦେଶ୍ୟ ହେଉଛି ଶବ୍ଦର ବିବିଧ ଅର୍ଥାନ୍ତର ପ୍ରୟୋଗ।
ଅନୁତ୍ତମ ଶବ୍ଦର ଅଭିଧା ଦେଖିଲେ ପ୍ରଥମତଃ ସନ୍ଧିକ୍ରମରେ ନ+ଉତ୍ତମ ବୋଲି ଧରିନେବାକୁ ପଡ଼େ। ଏହାର ଅର୍ଥ ଉତ୍ତମ ନୁହେଁ ଯେ ସେ ନିଶ୍ଚୟ ଅଧମ। କିନ୍ତୁ ଉପର୍ଯ୍ୟୁକ୍ତ ଦୁଇଟି ଉଦାହରଣରେ ଏହି ଅର୍ଥର ପ୍ରୟୋଗ ହୋଇଛି କି? ଭଗବାନ କଦାପି ଅଧମ ହେବେ ନାହିଁ। ସେ ଉତ୍ତମ ନ ହୋଇଥିଲେ ଆମେ ତାଙ୍କୁ କିପରି ପୁରୁଷୋତ୍ତମ ବୋଲି ସମ୍ବୋଧନ କରି ଥାଆନ୍ତେ। ଏଣୁ ଏହାର ଗୂଢ଼ାର୍ଥକୁ ପ୍ରବେଶ କରିବା ଏଥର। ସନ୍ଧିବିଚ୍ଛେଦ ନକରି ଆପଣ ସମାସ ଦିଗରେ ଆଗେଇ ଚାଲନ୍ତୁ।
ଏଠାରେ ଅନୁତ୍ତମ ଶବ୍ଦର ଅର୍ଥ ସାମସିକ ବ୍ୟୁତ୍ପତ୍ତି ହେତୁ ଏହିପରି ପ୍ରତ୍ୟୟମାନ ହେବ।
ଯେମିତି: ନାହିଁ ଉତ୍ତମ ଯାହାଠାରୁ ବା ନାହାନ୍ତି ଉତ୍ତମ ଯାହାଙ୍କଠାରୁ (ବହୁବ୍ରୀହି ସମାସ)।
ଏଣୁ ଆମକୁ ଶବ୍ଦମାନେ ଐନ୍ଦ୍ରଜାଲିକ ଆବର୍ତ୍ତନରେ ସବୁବେଳେ ପକାଇ ଆସୁଛନ୍ତି।

ଶବ୍ଦ ହିଁ ବ୍ରହ୍ମ
ଶବ୍ଦକୁ ଏଇଥିପାଇଁ ସନାତନୀମାନେ ବ୍ରହ୍ମ ବୋଲି କହିଥାନ୍ତି। ଅନେକ ଶବ୍ଦର ପ୍ରୟୋଗ ସର୍ବଦା ସ୍ଥିର ନୁହେଁ। ଆମେ ଯାହା ଧରି ଆସିଛେ ଯେ ଯେଉଁ ସିଦ୍ଧାନ୍ତ ଅପରିବର୍ତ୍ତନୀୟ ସେ ସିଦ୍ଧାନ୍ତ ସତ୍ୟ। କିନ୍ତୁ ଏଠାରେ ଏହା ବ୍ୟତିକ୍ରମ ନିଶ୍ଚୟ। ଯେମିତି ଅଗ୍ନି। ଅଗ୍ନି ଜାଳିପୋଡ଼ି ଭସ୍ମ କରିଦିଏ। ଶ୍ରୀମଦ୍ଭାଗବତ ମହାପୁରାଣର ଓଡ଼ିଆ ବହିଟିକୁ ନଜର ପକାନ୍ତୁ। ଏକାଦଶ ସ୍କନ୍ଦ: ଯଦୁରାଜା ଅବଧୂତ ସମ୍ବାଦରେ ଅତିବଡ଼ୀ ବଡ଼ ସୁନ୍ଦର ଭାବରେ ଲେଖିଛନ୍ତି:
ଅଗ୍ନି ଯେସନେ ସର୍ବଖାଇ
ବିଚାରେ ଗୁଣଦୋଷ ନାହିଁ।।

ଅବଧୂତ ଅଗ୍ନିଙ୍କର ସର୍ବଭକ୍ଷଗୁଣକୁ ଗ୍ରହଣ କରି ଆହାରରେ ଭଲ ମନ୍ଦ ନବାଛି ସବୁ ଖାଇଥାନ୍ତି।
କିନ୍ତୁ ଘରେ ନିଆଁ ଲାଗିଗଲା ବା ଗୃହଟି ଅଗ୍ନି ଦଗ୍ଧ ହୋଇଗଲା କହିଲେ ଆମେ ଅଗ୍ନିଙ୍କର ଆରାଧନା ନକରି ଅଗ୍ନିଙ୍କୁ ଯଥାଶୀଘ୍ର ବିସର୍ଜନ କରିବା ପାଇଁ ଉପଚାରରେ ଲାଗିପଡୁ। ଏଇଥିପାଇଁ ଆମ ଗର୍ଭ ବା ଉଦରରେ ଅଗ୍ନ୍ୟାଶୟ ନାମକ ସ୍ଥାନଟିଏ ଅଛି। ଏ ଅଗ୍ନି ସକଳ ସୁଷମ ଖାଦ୍ୟକୁ ଜୀର୍ଣ୍ଣ କରିଦିଏ। ଏହାର ନାମ ଆମ ବଡ଼ପୁରୁଷେ ଦେଇଛନ୍ତି ‘ଜଠରାଗ୍ନି’। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାମ ସମ୍ଭବତଃ ଯଜ୍ଞାଗ୍ନିରୁ ସମ୍ଭବ ହୋଇଥିବାରୁ ‘ଯଜ୍ଞନାଥ’ରୁ ଜଗନ୍ନାଥ ହୋଇଛି। କେଡ଼େ ଚମତ୍କାର ଭାବରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ‘ଶ୍ରୀ ନୀଳାଦ୍ରୀଶ ଚଉତିଶା’ରେ ଲେଖିଛନ୍ତି –
ଯଜ୍ଞଙ୍ଗରୁ ସମ୍ଭୂତ ଯଜ୍ଞଧର ଯାଜ୍ଞିଥ
ଯଜ୍ଞ ସ୍ୱରୂପ ଯଜ୍ଞାନନ
ଯଜ୍ଞକୀଳବାହୁକ ଯଜ୍ଞବେଦୀନାୟକ
ଅଜ୍ଞ କି ଭେଦିବ ଗହନ?
ହେ ନୀଳାଦ୍ରୀଶ!
ରାଜ୍ଞ କୂଳରେ ହୋଇ ଜାତ
ପ୍ରାଜ୍ଞ ଚକ୍ରରେ ଆତଯାତ
ସୁଜ୍ଞ ମୁଖୁ ବିଦିତ ବିଜ୍ଞାନରେ ବିଜ୍ଞାତ;
ଯଜ୍ଞାନ୍ନ ବ୍ରହ୍ମାଣ୍ଡ ବିଦିତ ହେ?

ଏବେ ଶ୍ରୀବିଷ୍ଣୁ ସହସ୍ରନାମର ଆଉ ଗୋଟିଏ ଶବ୍ଦ ଦୁରାଧର୍ଷ ଆଡ଼କୁ ମୁହାଁଇବା। ଦୁରାଧର୍ଷ ଶବ୍ଦର ପ୍ରଥମ ଅର୍ଥଟି ହେଲା ‘ଅତି ଭୟଙ୍କର ବା ପ୍ରଚଣ୍ଡ’। ଏଠାରେ କିନ୍ତୁ ବିଷ୍ଣୁ ଭଗବାନ ମଙ୍ଗଳମୟ। କାରଣ ସେ ବିଶାଳଠାରୁ ବିଶାଳ। ତାଙ୍କୁ କେହି ଶତ୍ରୁ ଦମନ କରିପାରିବ ନାହିଁ। ଏଣୁ ତାଙ୍କର ନାମ ମଧ୍ୟ ଜିତାମିତ୍ର ବା ଜିତ ଅମିତ୍ର(ଶତ୍ରୁ)। ଅବଶ୍ୟ ଆପଣ ନୃସିଂହ ଭଗବାନଙ୍କୁ ମଧ୍ୟ ବିଚାରକୁ ନେଇ ପାରନ୍ତି।
ଉଗ୍ରବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖଂ
ନୃସିଂହ ଭୀଷଣଂ ଭଦ୍ରଂ ମୃତ୍ୟୁର୍ମୃତ୍ୟୁ ନମାମ୍ୟହମ୍।।

ଏଠାରେ ମହାପ୍ରଭୁ ଶ୍ରୀନୃସିଂହଙ୍କର ଭୀଷଣତ୍ୱ ସହିତ ଭଦ୍ରତା ଓ ଅଭୟଦାତାର ସ୍ୱରୂପ ମଧ୍ୟ ଆମେ ସହଜରେ ଦେଖିପାରିବା।
ପ୍ରାଚୀନ ପଦାବଳୀ
ଆମ ଓଡ଼ିଆ ସାହିତ୍ୟର ପ୍ରାଚୀନ ପଦାବଳୀରେ ଏମିତି ଅନେକ ଉଦାହରଣ ରହିଛି।
ସୂକ୍ତିର ଗନ୍ତାଘର ଓଡ଼ିଆ ଭାଗବତରେ କେତେ ସାବଲୀଳ ଭାବରେ ଅତିବଡ଼ୀ ଗୁନ୍ଥି ଦେଇଛନ୍ତି ପଦମାନ। ଯେମିତି:
ମର୍ତ୍ତ୍ୟମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ।।

ଅବଧୂତ ମହାଯୋଗୀ ପିଙ୍ଗଳାବେଶ୍ୟା ପ୍ରସଙ୍ଗରେ ଦେହଜୀବୀର ପ୍ରଜେ୍ଞାଦୟକୁ ସୁଗମ ରୀତିରେ ପରିପ୍ରକାଶ କରିଛନ୍ତି:
ନିଷ୍ଫଳ ମୋହର ଜୀବନ
ଅଜ୍ଞାନେ ଗଲା ଏତେଦିନ।
ଏ ଦେହେ ବସେ ନାରାୟଣ
ସେ ହରି ଛାଡ଼ି ମୂଢ଼ପଣ।
ଯେ ଦେହେ ଅଛି ନାନା ରୋଗ
ତା’ ସଙ୍ଗେ କଲି ରତିରଙ୍ଗ।
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ।

ଅର୍ଥ – ପିଙ୍ଗଳା ବେଶ୍ୟାର ମନରେ ଯେତେବେଳେ ପ୍ରଭୁଙ୍କ କରୁଣାରୁ ବୈରାଗ୍ୟ ଭାବ ଜାତ ହେଲା ସେ ମନରେ ଭାବିଲା ଯେ ଏ ମର୍ତ୍ତ୍ୟଲୋକରେ ଦେବତାମାନେ ଶରୀର ଧାରଣ କଲେ ମଧ୍ୟ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼େ। ତେଣୁ ଏହି ଶରୀର ମରଣଶୀଳ। ଏହି ମରଣଶୀଳ ଶରୀରରେ ଆତ୍ମା ରୂପରେ ସର୍ବବ୍ୟାପୀ ନାରାୟଣ ବାସ କରନ୍ତି। କିନ୍ତୁ ଅଜ୍ଞାନତାବଶତଃ ସେ ଏହି ଶରୀର ମଧ୍ୟରେ ଆତ୍ମା ରୂପରେ ବିଦ୍ୟମାନ ଇଶ୍ୱରଙ୍କୁ ଉପଲବ୍ଧି କରିବାକୁ ଚେଷ୍ଟା ନ କରି ନାନା ପ୍ରକାର ରୋଗରେ ପରିପୂର୍ଣ୍ଣ ଏହି ଶରୀରକୁ ସଜେଇ ଭୋଗବିଳାସର ଏକ ସାମଗ୍ରୀ ଭାବି ଏହାକୁ ରତିକ୍ରୀଡ଼ାରେ ନିୟୋଜିତ କରିଥିବାରୁ ସେ ପର୍ଯ୍ୟନ୍ତ ତାର ଜୀବନ ଧାରଣ କରିବା ନିରର୍ଥକ ହୋଇଗଲା।
ଏମିତି ଆଉ କେତୋଟି ଅମୂଲ୍ୟପଦକୁ ଏ ମହାନ ଗ୍ରନ୍ଥରୁ ଆସନ୍ତୁ ଦେଖିବା।
ଦେହର ସଙ୍ଗେ ମୃତ୍ୟୁ ଜାତ।
ନାହିଁ ଏହାର ଆଦିଅନ୍ତ।।
କିଶୋର ସ୍ଥବିର ତରୁଣ।
ଅବଶ୍ୟ ଲଭିବେ ମରଣ।।
ବାଳୁତ ଯୁବା ବୃଦ୍ଧ ଦେହୀ।
କେବେହେଁ ମୃତ୍ୟୁ ନ ତରଇ।।
ଏ ଜୀବ ମରଣ ନିକଟେ।
ବେଗେ ଚିନ୍ତଇ ଅନ୍ୟ ଘଟେ।।
ଦେହ ବହିଲେ ନିଶ୍ଚେ ମରି।
ମରଣ ଛାରେ କିମ୍ପା ଡରି।।

ଶ୍ରୀମଦ୍ ଭଗବଦ୍ ଗୀତାର ସାଂଖ୍ୟଯୋଗ ଅଧ୍ୟାୟରେ ଏହିଭଳି ଭାବାତ୍ମକ ଶ୍ଳୋକଟିକୁ ମଧ୍ୟ ଆପଣମାନେ ପଢ଼ିଥିବେ:
ଜାତସ୍ୟ ହି ଧୃବୋର୍ମୃତ୍ୟୁ ଧୃବମ୍ ଜନ୍ମ ମୃତସ୍ୟ ଚ
ତସ୍ମାଦପରିହାର୍ଯ୍ୟାର୍ଥେ ନତ୍ୱଂ ଶୋଚିତୁମର୍ହସି।ା୨୭।।
କବିବର ରାଧାନାଥ ତ ବୋରାବୋରି ସ୍ପଷ୍ଟ ଅଭେଦ୍ୟ ଅଚ୍ଛେଦ୍ୟ ଚିରନ୍ତନ ଉଦାହରଣଟିଏ ଆମମାନଙ୍କ ଆଗରେ ପାର୍ବତୀ କାବ୍ୟରେ ଲେଖି ଯାଇଛନ୍ତି:
କେହି ରହି ନାହିଁ ରହିବେ ନାହିଁ ଏ ଭବରଙ୍ଗଭୂମି ତଳେ
ସର୍ବେ ନିଜନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ।ା
ଏକଥା ସ୍ପଷ୍ଟ ଯେ ଜନ୍ମ ସହିତ ମୃତ୍ୟୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଜନ୍ମ ମିଥ୍ୟା-କେବଳ ପରିଭ୍ରମଣ -ମୃତ୍ୟୁ ସତ୍ୟ। ଏଣୁ ଏ ପୃଥିବୀର ନାମ ହୋଇଛି ମର୍ତ୍ତ୍ୟ ବା ମଞ୍ଚ ବା ମରଲୋକ। ଆମ ପୁରାଣଶାସ୍ତ୍ର ବି ଦେଖାଇଦେଇଛି ଭଗବାନ ଶ୍ରୀକୃଷ୍ଣଙ୍କର ଧରାଗମନ ଓ ଅଶ୍ୱତ୍ଥବୃକ୍ଷ ତଳ ହେଉ ବା ଶିଆଳି ଲତାରେ ହେଉ ମର୍ମନ୍ତୁଦ ମୃତ୍ୟୁର କରାଳଦୃଶ୍ୟକୁ। ଅତଏବ ଏଠିକି ଯିଏ ଆସିବ ସେ ଜୀବ। ଜୀବ ମାନେ ନିଶ୍ଚୟ ଯିବ। ସେ ବ୍ରହ୍ମ ହେଲେ ବି ତାଙ୍କ ଘରେ ସେ ବ୍ରହ୍ମ। ଏଠିକି ଆସିଲେ ଜୀବ। ଢମଣା ଗାତରେ ନାଗସାପ ରହିଲେ ବି ତାକୁ ଢମଣାମନ୍ୟ ବିଚାରିବା ନ୍ୟାୟ।
ଦେବତା ହୋଇଲେ ମରଇ
କିନ୍ତୁ ଆମ ପାଲାକାର ଓ ପ୍ରବାଚକମାନେ ‘ଦେବତା ହୋଇଲେ ମରଇ’ ପ୍ରସଙ୍ଗକୁ ଆଉ ଗୋଟିଏ ବାଗରେ ବୁଝାଇଛନ୍ତି। ଯେମିତି: ଯାହାର ବାସସ୍ଥଳୀ ଯେଉଁଠି ସେ ସେଇଠି ରହିବ। ମର୍ତ୍ତ୍ୟରେ ପ୍ରାଣୀ ଷଡ଼ରିପୁର ପ୍ରଭାବରେ ପଡ଼ି ଭୁଲିଯାଏ ଯେ ସେ ଈଶ୍ୱରଙ୍କ ସନ୍ତାନ। ସେ ସାତ୍ତ୍ୱିକମାର୍ଗୀ ହେବା କଥା। ଯେତେବେଳେ ତା’ ମନ ଘର ଧରେ, ସେତେବେଳେ ସେ ଭାରି ପଶ୍ଚାତ୍ତାପରେ ପଡ଼େ। କାହିଁକି ଏପରି ମୋର ମୂଲ୍ୟବାନ ଦେହ ଓ ସମୟକୁ ନଷ୍ଟ କଲି ବୋଲି ଅନୁତାପରେ ଜଳେ। ଏହି ଅନୁତାପ ନିଆଁରେ ଜଳିବା ଫଳରେ ତାର ଦିବ୍ୟତ୍ୱ ଝଳି ଉଠେ। ଏଣୁ ତା ଦେହକୁ ଦିବ୍ୟତ୍ୱ ପ୍ରବେଶ କରିବାକୁ ଲାଗେ। ପରିଶେଷରେ ସେ ଯେତେବେଳେ ରୂପାନ୍ତରିତ ହୋଇଯାଏ, ସେତେବେଳେ ତାକୁ ଦେବତାମାନେ ତାଙ୍କ ପାଖକୁ ନେଇଯାଆନ୍ତି। ଏଣୁ ଦେବତା ହେବା ପର୍ଯ୍ୟନ୍ତ ପ୍ରାଣୀ ଦେହ ବହିଥାଏ। ହେବାମାତ୍ରେ ତା ମୂଳସ୍ଥାନକୁ ପଳାଏ।
ସତ ହେଉ ବା ମିଛ, କେତେ ବଢ଼ିଆ ସୁଭାଷିତଟିଏ ସତରେ!
ସେହିପରି ଆଉଗୋଟିଏ ପ୍ରକ୍ଷିପ୍ତପଦ ଭାଗବତରେ ଅଛି ବୋଲି ଆମ ପ୍ରବଚକମାନେ କହିଥାଆନ୍ତି:
ଅକର୍ମେ ବାସୁଦେବ ପ୍ରୀତି
କର୍ମ କରିଲେ ନାଶ ଯାନ୍ତି।

(ଏହା ମୂଳଭାଗବତରୁ ମିଳୁନାହିଁ, କିନ୍ତୁ ବହୁଳ ପ୍ରଚଳିତ)
କର୍ମ ଶବ୍ଦର ଅର୍ଥ ହେଉଛି ଯାହା କର୍ତ୍ତବ୍ୟ। ତା’ହେଲେ ଆମେ କ’ଣ କର୍ମ କଲେ ବିନାଶ ହୋଇଯିବା? ଅ-କର୍ମ ବା ଅକରଣୀୟକର୍ମ କଲେ ବାସୁଦେବଙ୍କୁ ପାଇବା?
ଏ ଅର୍ଥକୁ ଆମେ ଆଉ ଗୋଟିଏ ବାଗରେ ବୁଝିବା। ତାତ୍ତ୍ୱିକ ଦୃଷ୍ଟିରୁ ଦେଖିଲେ: କର୍ମ ଅର୍ଥାତ୍ ସାଂସାରିକ କର୍ମର ମାୟାରେ ଆସକ୍ତ ହେଲେ ଆମେ ବିନାଶଶୀଳ ହୋଇଯିବା। ଅ-କର୍ମ ଅର୍ଥାତ୍ ପରଂବ୍ରହ୍ମସୂଚକ ଏକାକ୍ଷର, ସବୁର ରକ୍ଷକ ‘ଅ’, ଯେ କି ବିଷ୍ଣୁ ଓ ମହାଦେବଙ୍କୁ ବୁଝାଏ, ସେହି ସାତ୍ତ୍ୱିକଧାରାରେ କାର୍ଯ୍ୟ କଲେ ବାସୁଦେବଙ୍କୁ ପାଇପାରିବା।


ଗୀତିସାହିତ୍ୟ
ପଞ୍ଚସଖାଯୁଗ ପରେ ଆମ ଗୀତିସାହିତ୍ୟରେ କବିସମ୍ରାଟ ମଧ୍ୟ ଏ ଦିଗରେ କମ ପରିଶ୍ରମ କରିନାହାନ୍ତି। ଆପଣମାନେ ‘ବୈଦେହୀଶବିଳାସ’ର ବହୁଚର୍ଚ୍ଚିତ ଶ୍ରୀରାମଚନ୍ଦ୍ର ଓ ଧୀବର ପ୍ରସଙ୍ଗ ନିଶ୍ଚୟ ପଢ଼ିଥିବେ।
‘ବଢ଼ାଇ ଦେଲେ ପୟର ଭାବଗ୍ରାହୀ ରଘୁବୀର
ପୟରେ କ୍ଷାଳିତ କରି ବସନେ ପୋଛି
ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦ
ନପାଇ ଚରଣାମୃତପାନକୁ ଇଚ୍ଛି
ବିଜ୍ଞାନୀକୈବର୍ତ୍ତ ଧୋଇଲା
ବିଶ୍ୱେ ପତିତପାବନ ନାମ ରହିଲା।ା

ମହାପ୍ରଭୁ ଅବଧେଶ୍ୱର, କାକୁସ୍ଥ କରୁଣାକର ଶ୍ରୀରାମଚନ୍ଦ୍ରଙ୍କ ପାଦ ବାଜି ଅହଲ୍ୟା ପଥରରୁ ଅବଳା ହୋଇଥିଲା ବୋଲି ସନ୍ଦେହ କରି ତାଙ୍କ ସହ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଦେବୀଙ୍କୁ ନାବରେ ପାରି କରିବାକୁ ମହାପ୍ରଭୁଙ୍କ ପାଦ ଭଲ କରି ଧୋଇ ଗାମୁଛାରେ ପରିଷ୍କାର ପୋଛି ଦେଇଛି ଧୀବର। ଏହାକୁ ଦେଖି ଲକ୍ଷ୍ମଣ ଭାବୁଛନ୍ତି ଯେ ଏ ବିଜ୍ଞାନୀ ବା ବିଗତ ଜ୍ଞାନ (ମୂର୍ଖ) କୈବର୍ତ୍ତର କି ଭାଗ୍ୟ! ଯେଉଁ ଚରଣାମୃତ ପାନ କରିବାର ସୌଭାଗ୍ୟ ନପାଇ ଖୋଦ ବ୍ରହ୍ମଦେବ, ମହାଦେବ ମଧ୍ୟ ବିଷାଦଗ୍ରସ୍ତ ଅବସ୍ଥାରେ ଅଛନ୍ତି, ତାହାକୁ ମୂର୍ଖଟିଏ ପାଇଗଲା। ବାସ୍ତବରେ ପ୍ରଭୁ ଶ୍ରୀରାମଚନ୍ଦ୍ର ପତିତପାବନ!
ଶ୍ରୀରାମଚନ୍ଦ୍ର କିନ୍ତୁ ଭାବୁଛନ୍ତି ତାଙ୍କ ଭକ୍ତଙ୍କ ପାଖରେ କେବଳ ବିଶେଷ ଜ୍ଞାନ ନୁହେଁ, ବିଶ୍ଳେଷଣାତ୍ମକଜ୍ଞାନ ରହିଥିବାରୁ ସେ ଏ ସୌଭାଗ୍ୟ ପାଇପାରିଲା। ଏଣୁ ପତିତ ଅବସ୍ଥାରୁ ସେ ଉତ୍ଥିତ ହେଲା।
ସେହି ସମୟର ଆଉଜଣେ ବିଶିଷ୍ଟ କବି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର। ତାଙ୍କର ‘ବିଦଗ୍ଧ ଚିନ୍ତାମଣି’ କାବ୍ୟ ସତରେ ବିସ୍ମୟକର!
ଉପମା ଭଞ୍ଜବୀରସ୍ୟ ତସୈବଚାର୍ଥଗୌରବଂ
କଲ୍ଲୋଳେ ପଦଲାଳିତ୍ୟଂ ସନ୍ତି ଚିନ୍ତାମଣୌ ତ୍ରୟଃ!

କବିସମ୍ରାଟଙ୍କ ଲେଖାରେ ଉପମା ଓ ଅର୍ଥଗୌରବ ରହିଛି। ଦୀନକୃଷ୍ଣଙ୍କ ରସକଲ୍ଲୋଳରେ ପଦଲାଳିତ୍ୟ ରହିଛି। କିନ୍ତୁ ‘ବିଦଗ୍ଧ ଚିନ୍ତାମଣି’ରେ ଏ ତିନୋଟି ବିଭବ ଲକ୍ଷ୍ୟ କରାଯାଏ। ବିଶେଷ କରି ବାତ୍ସଲ୍ୟରସ ପରିବେଷଣରେ ଅଭିମନ୍ୟୁ ଅତୁଳନୀୟ!
ଆଜି ତାଙ୍କ ଲେଖାରୁ ସମସ୍ତଙ୍କର ମୁହଁରେ ଥିବା ପଦଟିଏ ଉଦ୍ଧାର କରୁଛି:
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
ବାତ୍ସଲ୍ୟମମତା ଘେନି ଭାଳୁଛନ୍ତି ମାତ।
ମୋ କଳାମାଣିକରେ…

ଶ୍ରୀ କୃଷ୍ଣଚନ୍ଦ୍ରଙ୍କର ଗୋଧନ ଚାରଣ ସମୟ ଅତିକ୍ରମ କରିଯାଇଛି। ସଂଧ୍ୟା ହେଲାଣି। ରଜାଘର ଛୁଆ। କେଉଁ ଅଭାବ ଅଛି ଯେ! ତଥାପି କଟାଳ କରି ଗୋପାଳ ବାଳକମାନଙ୍କ ସହ ସେ ବନକୁ ସକାଳୁ ସକାଳୁ ଯାଇଛନ୍ତି ଯେ ଏଯାଏ ଫେରି ନାହାନ୍ତି। ଏଣୁ ମାତା ଯଶୋଦା ବିଳାପ କରୁଛନ୍ତି! ହେ ମୋ’ କଳାମାଣିକ! କାହିଁକି ବିଳମ୍ବ କରୁଛୁ ଧନ। ମୋ’ ଆଖିର ତାରା ତୁ, ନିଧନ ସଙ୍ଖାଳି ତୁ।
ପଦର ଭିନ୍ନାର୍ଥ
ଏହି କଥାକୁ ସୂଚାଇବା ପାଇଁ କବି ଅଭିମନ୍ୟୁ ଧୀର ବା ବିଦଗ୍ଧ (ପଣ୍ଡିତ) ଗୁଣଗ୍ରାହୀ ବୈଷ୍ଣବମାନଙ୍କୁ ଘେନା କରିବା ପାଇଁ ଆଦ୍ୟରୁ କହି ରଖିଛନ୍ତି।
ଏହି ପଦର ଭିନ୍ନାର୍ଥ ମଧ୍ୟ ନିମ୍ନ ପ୍ରକାର ହୋଇପାରେ:
ଧୀରେ ଘେନ- ଧୀରମନ ସ୍ଥିରଚିତ୍ତରେ ଘେନା କର! କାନନରେ- କେଉଁଥିରେ ନା କାନ/ନରେ। ନରମାନେ କାନରେ ଘେନ। ଶୁଣ!
ଏ ଶୁଣିବା ପ୍ରକ୍ରିୟାରେ ଶ୍ରବଣେନ୍ଦ୍ରିୟ ପବିତ୍ର ହୋଇଯାଏ। ଏକଥା ଅତୀବ କର୍ଣ୍ଣ ରସାୟନକାରୀ!
ଏମିତି ଅନେକ ପ୍ରସଙ୍ଗକୁ ଶବ୍ଦାର୍ଥ ଓ ଭାବାର୍ଥ ମାଧ୍ୟମରେ ବିବିଧତା ଦିଆଯାଇପାରେ। ମୂଳ ଲେଖା ଯାହା ହେଉନା କାହିଁକି, ବାଚକ ଓ ବିଶ୍ଳେଷକଙ୍କ ମାନସଚକ୍ଷୁରେ ଆମ ଶବ୍ଦଭଣ୍ଡାରର ବୈଚିତ୍ର‌୍ୟ ଉପରେ ଯେତେ ଅଧିକ ଆଲୋକପାତ କରାଯାଇପାରେ, ସେତେ ମଙ୍ଗଳମୟ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

3 thoughts on “ଶବ୍ଦାର୍ଥ ପ୍ରକରଣରେ ବିବିଧତା

  1. ବିଭିନ୍ନ କାବ୍ୟ ଅନୁସରଣରେ ପଦର ଅର୍ଥରେ ବିବିଧତା ବିଷୟରେ ଜାଣିବାକୁ ମିଳିଲା। ପ୍ରାବନ୍ଧିକଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *