ସମାଲୋଚନା ହେଉଛି ସାହିତ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ତଥାପି ଓଡ଼ିଆ ସାହିତ୍ୟରେ ଏହା ଯଥାଯଥ ଗୁରୁତ୍ବ ବା ମର୍ଯ୍ଯାଦା ହାସଲ କରିଥିବା ଭଳି ମନେହୁଏନାହିଁ। ସାହିତ୍ୟିକ ପତ୍ରପତ୍ରିକାମାନଙ୍କର ପୃଷ୍ଠା ଲେଉଟାଇଲେ ମନେହୁଏ ସତେ ଯେପରି ଏହା ସାହିତ୍ୟର ଗୌଣ ବା ଅର୍ବାଚୀନ ବିଭାଗଟିଏ। କଥା ହେଲା ଏହାକୁ ସାହିତ୍ୟର ଏକ ସ୍ବୟଂସଂପୂର୍ଣ୍ଣ ବିଭାଗ ରୂପେ ମାନିବାକୁ ଅନେକେ ଅରାଜି। ଆମ ପତ୍ରିକାର ଗତ ଅଗଷ୍ଟ ସଂଖ୍ୟାରେ ପ୍ରକାଶିତ ଏକ ସାକ୍ଷାତକାରରେ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ସମାଲୋଚନା ସାହିତ୍ୟକୁ ଏକ ସୃଜନାତ୍ମକ ସାହିତ୍ୟର ମାନ୍ୟତା ଦିଆନଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ଇଂରାଜୀରେ ‘କ୍ରିଟିସିଜମ୍’ ଏବଂ ଓଡ଼ିଆରେ ‘ସମାଲୋଚନା’ ବୋଲି କହିଲେ ପ୍ରାୟତଃ ଏକ ନକାରାତ୍ମକ ତାତ୍ପର୍ଯ୍ୟ ସୂଚାଇଥାଏ। ଏପରିକି ଓଡ଼ିଆ ଅଭିଧାନକାରମାନେ ଏହାର ଅର୍ଥ ଏକ ‘ତ୍ରୁଟି ନିର୍ଦ୍ଦେଶକ ମନ୍ତବ୍ୟ’ ବୋଲି ଉଲ୍ଲେଖ କରନ୍ତି। କିନ୍ତୁ ପ୍ରକୃତ ପକ୍ଷରେ ସମାଲୋଚନାରେ ଏକ କୃତିର କେବଳ ତ୍ରୁଟି ପ୍ରତି ହିଁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥାଏ କି? ଏହା ଏକ ଭ୍ରମାତ୍ମକ ଧାରଣା। ଏକ ସମାଲୋଚନାତ୍ମକ ପ୍ରବନ୍ଧରେ ବରଂ ଆଲୋଚ୍ୟ ପୁସ୍ତକ ବା ଲେଖାର ଦୋଷ ଏବଂ ଗୁଣ ଉଭୟ ଦିଗ ଆଲୋଚିତ ହୋଇଥାଏ। ଆମ ଓଡ଼ିଆ ସାହିତ୍ୟରେ ଉଚ୍ଚକୋଟୀର ସମାଲୋଚନା ସାହିତ୍ଯ ପ୍ରାୟତଃ ବିରଳ। ମାତ୍ର ଇଂରାଜୀ ଭାଷାରେ ଏହାର ସ୍ଥିତି ଏତାଦୃଶ ନୁହେଁ। ବରଂ ସେଠାରେ ଅନେକ ସାହିତ୍ୟିକ ବିଶିଷ୍ଟ ସମାଲୋଚକର ପରିଚୟରେ ହିଁ ଗରୀୟାନ।
କେହି କେହି ସମାଲୋଚନା ସାହିତ୍ୟ ଏବଂ ପୁସ୍ତକ ସମୀକ୍ଷା ମଧ୍ୟରେ ପ୍ରଭେଦ ସହଜରେ ବାରିପାରନ୍ତି ନାହିଁ। ସମାଲୋଚନା କେବଳ ପୁସ୍ତକ ବା ଲେଖାଟିଏର ସମୀକ୍ଷା ହିଁ କରେନାହିଁ, ବରଂ ଏହାର ଗଭୀରତର ଦିଗକୁ ସ୍ପର୍ଶ କରି ସୃଷ୍ଟିଟି ସଂପର୍କରେ ଏକ ଉଚ୍ଚତର ସିଦ୍ଧାନ୍ତରେ ଉପନୀତ ହୋଇଥାଏ।
ପାଶ୍ଚାତ୍ୟ ସାହିତ୍ୟରେ ଏକ ସମୟରେ ‘ନିଉ କ୍ରିଟିସିଜମ୍’ ନାମରେ ସମାଲୋଚନାର ଏକ ନୀତିବାଦୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଜନ୍ କ୍ରୋଓ୍ବେ ରାନସମ୍ ଏବଂ ଟି.ଏସ୍ .ଇଲିଅଟ୍ ଙ୍କ ଭଳି ଲେଖକମାନେ ଏହାର ଅଗ୍ରଦୂତ ଥିଲେ। ମନେହୁଏ ଏହି ଆନ୍ଦୋଳନର ଆଦର୍ଶରୁ ଓଡ଼ିଆ ସମାଲୋଚନା ସାହିତ୍ୟକୁ ଯଥେଷ୍ଟ କିଛି ଶିକ୍ଷା କରିବାର ଅଛି।
ଆମେ ଏ କଥା କାହିଁକି କହିଲୁ ତାହା ଆମ ଭାଷାର ଅଧିକାଂଶ ସମାଲୋଚନାତ୍ମକ ପ୍ରବନ୍ଧ ପ୍ରତି ବିହଙ୍ଗମ ଦୃଷ୍ଟିଚାରଣ କଲେ ସହଜରେ ଅନୁଭବ କରିହୁଏ। ଆମ ସମାଲୋଚନାରେ ସାହିତ୍ୟ ଅପେକ୍ଷା ସାହିତ୍ୟିକର ଚର୍ଚ୍ଚା ଅଧିକ। କୌଣସି ରଚନା ବା ପୁସ୍ତକ ବିଷୟରେ ଆଲୋଚନା କରିବାବେଳେ ସମାଲୋଚକଙ୍କ ବ୍ୟକ୍ତିଗତ ରୁଚି ବା ଆସକ୍ତିର ଆଧାରରେ ତାହାର ବିଚାର ହୁଏ। ଫଳରେ ସାହିତ୍ୟର ଯଥାଯଥ ଓ ବସ୍ତୁନିଷ୍ଠ ମୂଲ୍ୟାୟନ ସମ୍ଭବ ହୁଏନାହିଁ।
ଇଂରାଜୀ ସାହିତ୍ୟରେ ମଧ୍ୟ ଏକଦା ଏହିଭଳି ସମସ୍ୟା ଦେଖାଦେଇଥିଲା। ଏହାର ପ୍ରତିକ୍ରିୟା ସ୍ବରୂପ ‘ନିଉ କ୍ରିଟିସିଜମ୍’ ଆନ୍ଦୋଳନର ସୂତ୍ରପାତ ହେଲା। ଏହି ନିଉ କ୍ରିଟିକ୍ ଙ୍କ ପାଇଁ କେବଳ ରଚନାଟିଏ ହିଁ ସମାଲୋଚନାତ୍ମକ ବିଶ୍ଳେଷଣର ବିଷୟ। ଏହା ବ୍ୟତିରେକେ ଅନ୍ୟ କୌଣସି ଦିଗ ପ୍ରତି ଦୃଷ୍ଟି ଦେଇ ସମାଲୋଚକ ପଥଭ୍ରଷ୍ଟ ହୁଏନାହିଁ। ଲେଖକର ଜୀବନୀ, ସମାଲୋଚକ ସହ ତାହାର ବ୍ଯକ୍ତିଗତ ସଂପର୍କ ବା ପାଠକୀୟ ଭାବପ୍ରବଣତା ଆଦିରୁ ଦୂରରେ ରହି ଏହି ନିଉ କ୍ରିଟିକ୍ ଗଣ କୌଣସି ସାହିତ୍ୟିକ ସୃଷ୍ଟିର ଏକ ବସ୍ତୁନିଷ୍ଠ ପର୍ଯ୍ୟାଲୋଚନା କରୁଥିଲେ। ଟି.ଏସ୍. ଇଲିଅଟ୍ ନିଜର ‘ଟ୍ରାଡିସନ୍ ଏଣ୍ଡ ଇଣ୍ଡିଭିଜୁଆଲ ଟାଲେଣ୍ଟ୍’ ନାମକ ପ୍ରବନ୍ଧରେ ଏ ବିଷୟରେ ବିଶଦ ଭାବରେ ଅବତାରଣା କରିଛନ୍ତି।
ସମୟ ଆସିଛି, ଏହି ନୀତି ଅବଲମ୍ବନ କରି ଆମକୁ ସମାଲୋଚନାକୁ ସାହିତ୍ୟର ଏକ ବଳିଷ୍ଠ ବିଭାଗ ଭାବରେ ସୁପ୍ରତିଷ୍ଠିତ କରିବାକୁ ପଡିବ। କେବଳ ସଂଖ୍ୟାତ୍ମକ ଦୃଷ୍ଟିରୁ ନୁହେଁ ବରଂ ଗୁଣାତ୍ମକ ଦୃଷ୍ଟିରୁ ମଧ୍ୟ ଓଡ଼ିଆ ସମାଲୋଚନା ସାହିତ୍ୟରେ ଉନ୍ନତିର ଅବକାଶ ଅଛି। ଏଥିପାଇଁ ପ୍ରାଥମିକ ଆବଶ୍ୟକତା ହେଲା ଆମର ସମାଲୋଚକମାନେ ଖୋଲା ହୃଦୟରେ ନିରପେକ୍ଷ ଓ ଉଚ୍ଚମାନସଂପନ୍ନ ସମାଲୋଚନା ସାହିତ୍ୟ ସୃଷ୍ଟି କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା।
ନିହାର ଶତପଥୀ