ଘୋଷଣା

ଓଡ଼ିଆ ଭାଷାର ମୌଳିକ ବ୍ୟାକରଣ ସମ୍ବଳିତ ପାଣ୍ଡୁଲିପି ଆମନ୍ତ୍ରଣ

ଉପରୋକ୍ତ ଘୋଷଣାନାମାଟି ଆମେ ୫ ନଭେମ୍ବର ୨୦୨୫ ଦିନ ଜାରି କରିଥିଲୁ। ବହୁ ପ୍ରତୀକ୍ଷିତ ଓ ବହୁ ଚର୍ଚ୍ଚିତ ଏକ ନିରୁତା ତଥା ମୌଳିକ ଓଡ଼ିଆ ବ୍ୟାକରଣର ପ୍ରଣୟନକୁ ପ୍ରୋତ୍ସାହିତ କରିବା ଥିଲା ଆମର ଉଦ୍ଦେଶ୍ୟ। ଏଥିପାଇଁ ପ୍ରସ୍ତାବିତ ପାଣ୍ଡୁଲିପିର ସଂକ୍ଷିପ୍ତସାର ବା ସିନୋପ୍‌ସିସ୍ ଦାଖଲର ଶେଷ ତାରିଖ ଥିଲା ୨୦ ନଭେମ୍ବର, ୨୦୨୫। କିନ୍ତୁ ସେହି ତାରିଖ ସୁଦ୍ଧା କୌଣସି ପ୍ରସ୍ତାବ ନ ପାଇବାରୁ କତିପୟ ଭାଷାବିତ୍ ଓ ବୈୟାକରଣଙ୍କ ଅନୁରୋଧ କ୍ରମେ ଆମେ ଏହି ଶେଷ ତାରିଖକୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲୁ। କିନ୍ତୁ ଏହି ତାରିଖ ସୁଦ୍ଧା ମଧ୍ୟ କେହି ଲେଖକ ଏକ ମୌଳିକ ଓଡ଼ିଆ ବ୍ୟାକରଣ ରଚନା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ପଠାଇବାକୁ ସମର୍ଥ ହୋଇନାହାନ୍ତି।
ଏଥିରୁ ଯାହା ଜଣାପଡ଼େ, ସଂସ୍କୃତ ଭାଷାର ସୂତ୍ର ଉପରେ ଆଧାରିତ ପାରମ୍ପରିକ ବ୍ୟାକରଣଗୁଡ଼ିକରୁ ଭିନ୍ନ, ଓଡ଼ିଆ ଭାଷାର ଏକ ମୌଳିକ ବ୍ୟାକରଣର ରଚନା ଆଜି ପର୍ଯ୍ୟନ୍ତ କରାଯାଇପାରିନାହିଁ ବୋଲି ଆମେ ବିଭିନ୍ନ ସଭାସମିତି ଓ ପତ୍ରପତ୍ରିକାରେ କେବଳ ଆଲୋଚନା ହିଁ କରୁଛୁ ସିନା, ଏହାକୁ ଏକ ସାକାର ରୂପ ଦେବାପାଇଁ କେହି ଆଗଭର ହେଉନାହାନ୍ତି।
ଏଭଳି ବ୍ୟାକରଣର ପ୍ରଣୟନକୁ ଉତ୍ସାହିତ କରିବା ପାଇଁ ଆମର ପୂର୍ବ ଘୋଷିତ ଯୋଜନା ଏତଦ୍ଦ୍ବାରା ପରିସମାପ୍ତ ହୋଇଥିଲେ ହେଁ, ଭବିଷ୍ୟତରେ ଏଭଳି ମୌଳିକ ଓଡ଼ିଆ ବ୍ୟାକରଣ ପ୍ରଣୟନର ଯେ କୌଣସି ନିଷ୍ଠାପର ଉଦ୍ୟମ ହେଲେ, ସେଥିପ୍ରତି ଆମର ସମର୍ଥନ ଜାରି ରହିବ।
ବିନୀତ,
ସମ୍ପାଦକ
ସାହିତ୍ୟ ଚର୍ଚ୍ଚା