ଚଳଚ୍ଚିତ୍ର ‘କାନ୍ଦମାଷ୍ଟ୍ରେ’ ଆମକୁ ଦେଖାଇଦେଉଛି ଆମରି ସଂସ୍କୃତିର ସୁନାସିନ୍ଦୁକର ଗୋଟିଏ ରତ୍ନର ସର୍ବକାଳୀନ ଔଜ୍ଜ୍ୱଲ୍ୟକୁ

ନିକଟରେ ମୁକ୍ତିଲାଭ କରିଥିବା ଇଂରାଜୀ ଚଳଚ୍ଚିତ୍ର ‘ହାମ୍ନେଟ୍’ ଓ ଓଡ଼ିଆ ଚଳଚ୍ଚିତ୍ର ‘କାନ୍ଦ ମାଷ୍ଟ୍ରେ’ ମଧ୍ୟରେ ସାମ୍ୟ ବା ସଂପର୍କ ରହିଛି ବୋଲି ଯଦି କୁହାଯାଏ, ତେବେ ଅନେକ ହୁଏତ ବିସ୍ମୟ ପ୍ରକାଶ କରିବେ। କାରଣ ସଂପୂର୍ଣ୍ଣ ଭିନ୍ନ ବୌଦ୍ଧିକ ତଥା ସାଂସ୍କୃତିକ ପ୍ରେକ୍ଷାପଟରେ ନିର୍ମିତ ଏଇ ଦୁଇଟି ଚଳଚ୍ଚିତ୍ରର କାହାଣୀ ଭିନ୍ନ ଏବଂ ଉପସ୍ଥାପନା ଓ ପରିବେଷଣର ଶୈଳୀ ବି ଅନୁରୂପ ଭାବରେ ଭିନ୍ନ। ମାତ୍ର ସାମାନ୍ୟ ଗଭୀର ଦୃଷ୍ଟି ନେଇ ଆମେ ଯଦି ଏ ଦୁଇଟିର ଉଭୟ କେନ୍ଦ୍ରୀୟ ଓ ଅନ୍ତଃସ୍ରୋତୀୟ ଭାବବସ୍ତୁର ଅନୁଧ୍ୟାନ କରିବା, ଖୁବ୍ ସହଜରେ ଜାଣିପାରିବା ଯେ ଏଥିରେ ଅପୂର୍ବ କଳାତ୍ମକ ପାଟବତା ଜରିଆରେ ଗୋଟିଏ ଅତି ସାଧାରଣ ମାନବିକ ଆବେଗର କାବ୍ୟିକ ତଥା ସର୍ଜନଶୀଳ ଚିତ୍ରଣ କରାଯାଇଛି ଏବଂ ସେହି ଆବେଗର ମୁକ୍ତ ପରିପ୍ରକାଶ ସ୍ପୃହଣୀୟ କି ନୁହେଁ ତାର ଅନୁଶୀଳନ ମଧ୍ୟ କରାଯାଇଛି। ତତ୍ସହିତ ଦେଖାଇ ଦିଆଯାଇଛି ଯେ ସେହି ଆବେଗର ଖୋଲାମେଲା ପରିପ୍ରକାଶ ସ୍ପୃହଣୀୟ ହେଲେ ମଧ୍ୟ ସେ ପରିପ୍ରକାଶର ଭାଷା, ଢଙ୍ଗ, ଶୈଳୀ ଓ ସ୍ୱର ପାତ୍ର-ପାତ୍ରୀ ବିଶେଷରେ ଭିନ୍ନ ଭିନ୍ନ ହେବା ଅବଧାରିତ। ଅର୍ଥାତ୍, ପ୍ରତ୍ୟେକ ମାନବିକ ଭାବ-ଆବେଗର ଅଭିବ୍ୟକ୍ତି ଓ ପରିପ୍ରକାଶ ଅନେକ ସମୟରେ ବହୁବର୍ଣ୍ଣା ହେବା ଆଦୌ ଅସ୍ୱାଭାବିକ ନୁହେଁ।

ସେକ୍ସ୍ପିୟର୍ଙ୍କ ବିଷାଦ
ଇଂରାଜୀ ଚଳଚ୍ଚିତ୍ର ‘ହାମନେଟ୍’ଙ୍କ ଭାବବସ୍ତୁଟି ଆସିଛି ମହାନ୍ ନାଟ୍ୟକାର ସେକ୍ସପିୟରଙ୍କ ପାରିବାରିକ ଜୀବନରେ ଘଟିଥିବା ଏକ ଅତି ଦୁଃଖଦ ଘଟଣାରୁ। ଆନ୍ନା ହାଥାୱେ ଓ ସେକସ୍ପିୟରଙ୍କ ପୁତ୍ର ‘ହାମନେଟ୍’ର ମୃତ୍ୟୁ ହୋଇଛି ମାତ୍ର ଏଗାର ବର୍ଷ ବୟସରେ। ବାଳୁତ ପୁତ୍ରର ଅକାଳ ମୃତ୍ୟୁଜନିତ ଶୋକରେ ଆନ୍ନାଙ୍କ ମାତୃହୃଦୟ ବିଦୀର୍ଣ୍ଣ ହୋଇଯାଇଛି ସ୍ୱାଭାବିକ ଭାବେ। ଅନବରତ ତାଙ୍କ ଆଖରୁ ବହିଚାଲିଛି ଧାର ଧାର ଲୁହ। ସେ କାନ୍ଦୁଛନ୍ତି ସର୍ବସମ୍ମୁଖରେ – ସାମାନ୍ୟ ପ୍ରଚେଷ୍ଟା ସେ କେବେ କରିନାହାନ୍ତି ତାଙ୍କର ଉଚ୍ଛୁଳା ଶୋକୋଚ୍ଛ୍ୱାସକୁ ଚାପି ରଖିବାକୁ କି ଢାଙ୍କି ଦେବାକୁ। ସଭିଙ୍କ ଅଲକ୍ଷ୍ୟରେ ଗୃହାଙ୍ଗନର ନିଭୃତ କୋଣରେ ସେ କାନ୍ଦୁନାହାନ୍ତି। ପୁତ୍ରଶୋକରେ କେଉଁ ଅଧୀରା ମାଆ ଅନ୍ୟ କେଉଁ କାରଣରୁ ଅବା ଲୁଚାଇବାକୁ ଚାହିଁବ ତା’ର ଆଖିର ଲୁହ?
କିନ୍ତୁ ସେକ୍ସପିୟର? ପତ୍ନୀଙ୍କ ପରି ସେ କାନ୍ଦିନାହାନ୍ତି ପ୍ରକାଶ୍ୟରେ। ତେଣୁ ଆନ୍ନା ଭାବିଛନ୍ତି ସ୍ୱାମୀ ତାଙ୍କର ଶୋକାଭିଭୂତ ନ ହୋଇପାରିବାର କାରଣ ହେଉଛି ସେ ଅତି ସ୍ୱାର୍ଥପର ଭାବରେ ଯଶଃପ୍ରାର୍ଥୀ ଓ ଆତ୍ମଶ୍ଲାଘାଜନିତ ଅହଂବୋଧରେ ପୀଡ଼ିତ, ଯେଉଁଥିପାଇଁ ଖୋଲାଖୋଲି ଭାବରେ ନିଜର ସ୍ୱାଭାବିକ ଭାବାବେଗକୁ ପ୍ରକାଶ କରିବା ପାଇଁ ସେ କୁଣ୍ଠିତ। କିନ୍ତୁ ଚଳଚ୍ଚିତ୍ରରେ ଦେଖାଇ ଦିଆଯାଇଛି ଯେ ସେକ୍ସପିୟର ବି ଅନବରତ କାନ୍ଦିଛନ୍ତି – କାନ୍ଦିଛନ୍ତି ନିଃଶବ୍ଦରେ। ତାଙ୍କର ଶୋକର ଭାଷା ହେଉଛି ଗହନ ନିରବତାର ଅଶ୍ରୁତ ସ୍ୱର। ସେହି ଅଶ୍ରୁତ ସ୍ୱରର ପରିପ୍ରକାଶ ସେ କରିଛନ୍ତି ‘ହାମଲେଟ୍’ ପରି ଘନବିଷାଦପୂର୍ଣ୍ଣ, ଘନକାରୁଣ୍ୟରସସିକ୍ତ ନାଟକରେ। ପୁତ୍ର ‘ହାମନେଟ୍’କୁ ସେ ଅମରତ୍ୱ ଦେଇଛନ୍ତି ‘ହାମ୍ଲେଟ୍’ ନାଟକର ମହାନାୟକ ‘ହାମ୍ଲେଟ୍’ର ଚରିତ୍ରରେ। ପତ୍ନୀ ଆନ୍ନାଙ୍କ ପରି କୈଣସି କୃତ୍ରିମ ସାମ୍ଭ୍ରାନ୍ତ୍ୟକୁ ଖାତିର ନକରି ପ୍ରକାଶ୍ୟରେ କାନ୍ଦିବି କି କାନ୍ଦିବି ନାହିଁ -ଏହି ଅନ୍ତଦ୍ୱର୍ନ୍ଦ୍ୱରେ ଘାରି ହୋଇଚାଲିଥିଲେ ସେକ୍ସପିୟର। ଏହାର ପ୍ରମାଣ ଆମେ ପାଇଛେ ନାୟକ ହାମଲେଟ୍ର ସେଇ ଅବିସ୍ମରଣୀୟ ଆତ୍ମସଂଳାପ ‘ଟୁ ବି ଅର୍ ନଟ୍ ଟୁ ବି’ରେ, ଯା’ର ମର୍ମାନୁବାଦ ଏମିତି କେତୋଟି ବାକ୍ୟରେ କରାଯାଇପାରେ : ‘ହଁ କି ନା’, ‘ଏ ପଥ କି ସେ ପଥ’ କିମ୍ବା ‘କ’ଣ ମୋ’ର ଏ ଅସ୍ତିତ୍ୱ, କିବା ମୂଲ୍ୟ ମୋର ଏ ଜର୍ଜରିତ ଅସ୍ତିତ୍ୱର’। ସେକ୍ସପିୟରଙ୍କ ଅନ୍ତଦ୍ୱର୍ନ୍ଦ୍ୱ ଏହିପରି କାଳଜୟୀ କଳାତ୍ମକ ଅଭିବ୍ୟକ୍ତି ପାଇଥିଲା ହାମ୍ଲେଟ୍ର ସଂଳାପରେ ଓ ‘ହାମ୍ଲେଟ୍’ ନାଟକର ପ୍ରତିଟି ଛତ୍ରରେ। ହାମ୍ନେଟ୍’ ଚଳଚ୍ଚିତ୍ର ଆମକୁ ଯେଉଁ ଗୂଢ ଗଭୀର ଅର୍ଥମୟ ବାର୍ତ୍ତାଟି ଦେଇଥାଏ, ତାହା ହେଉଛି – ‘ଶୋକାନଳରେ ଭସ୍ମୀଭୂତ ହୃଦୟର ପାଉଁଶ ଭିତରୁ ସୃଷ୍ଟି ହୋଇପାରେ ମହତ୍ତର କଳାତ୍ମକ ଅଭିବ୍ୟକ୍ତି; ହୃଦୟର ଚାପା କାନ୍ଦଣାରୁ ସୃଷ୍ଟି ହୋଇପାରେ କଳାର କୋଣାର୍କ, ଝରି ଆସିପାରେ ଶ୍ରେଷ୍ଠ ନାନ୍ଦନିକ ରସବୋଧର ଝରଣା’। ଜୀବନର ପ୍ରତିଟି ଦୁଃଖାନ୍ତକ ମୁହୂର୍ତ୍ତରେ, ଜୀବନର ପ୍ରତିଟି ଶୋକାପ୍ଲୁତ ସରଣୀରେ ଅଦୃଶ୍ୟ ଭାବରେ ରହିଛି ଏହି ଦ୍ୟୁତିମୟ ସତ୍ୟ, ଯା’ର ରୂପାୟନ ହୋଇଥାଏ କବିତାରେ, ସଂଗୀତରେ, ଚିତ୍ରକଳାରେ। ଅଭିବ୍ୟକ୍ତ ହୋଇନଥିବା ଦୁଃସହ ଦୁଃଖ ଓ ସ୍ୱର ବା ଶବ୍ଦ ପାଇନଥିବା କାନ୍ଦରୁ ଅନେକ ସମୟରେ ଉତ୍ସରିତ ହୋଇଥାଏ ମହନୀୟ କାବ୍ୟିକ, ସାହିତ୍ୟିକ ଭାବସ୍ରୋତସ୍ୱତୀ। ହାମନେଟ୍ ଇଂରାଜୀ ଚଳଚିତ୍ରର ଏହା ହିଁ ହେଉଛି ଅନ୍ତଃସ୍ୱର।

କାନ୍ଦମାଷ୍ଟ୍ରେର ଅନ୍ତଃସ୍ୱର
ଏହା ହେଉଛି ଆମ ଓଡ଼ିଆ ଚଳଚ୍ଚିତ୍ର ‘କାନ୍ଦ ମାଷ୍ଟ୍ରେ’ର ଅନ୍ତଃସ୍ୱର ମଧ୍ୟ। ଏହି ଦୃଷ୍ଟିରୁ ଏ ଦୁଇଟି ଯାକ ଚଳଚ୍ଚିତ୍ର ସଂପର୍କିତ, ଯଦିଓ ଉଭୟର କଳାତ୍ମକ ପରିବେଷଣୀୟ ଶୈଳୀ ମଧ୍ୟରେ ରହିଛି ଯଥେଷ୍ଟ ପାର୍ଥକ୍ୟ।
ଏକ ଚଳଚ୍ଚିତ୍ରର ରୂପ ନେବା ପୂର୍ବରୁ ‘କାନ୍ଦ ମାଷ୍ଟ୍ରେ’ ଏକ ନାଟକ ଭାବରେ ପ୍ରକାଶିତ ହୋଇଥିଲା ୨୦୧୬ ମସିହାରେ। ଏହି ଉଭୟ ନାଟକ ଓ ଚଳଚ୍ଚିତ୍ରର ଭାବବସ୍ତୁ, କଥାବସ୍ତୁ ଓ ସଂଳାପ ଆଦି ମଧ୍ୟରେ ସାମଞ୍ଜସ୍ୟ ରହିଛି ବହୁଭାବରେ। ‘କାନ୍ଦ ମାଷ୍ଟ୍ରେ’ର କାହାଣୀର ପରିସର ଖୁବ୍ ସୀମିତ। ଏହାର ଭାବବସ୍ତୁ ଆପାତଦୃଷ୍ଟିରେ ଖୁବ୍ ସରଳ, ତରଳ ବୋଧ ହେବା ନିଶ୍ଚିତ। ହଜିଯାଉଥିବା ଗୋଟିଏ ଅତି ଗ୍ରାମ୍ୟ, ପାରମ୍ପରିକ ସାମାଜିକ ପ୍ରଥା ଉପରେ ଏ ଚଳଚ୍ଚିତ୍ରଟି ପର୍ଯ୍ୟବସିତ। ସେଇଟି ହେଉଛି- ବିବାହ କରି ବରଘରକୁ ଯିବାକୁ ଥିବା ବା ଯାଉଥିବା ଝିଅମାନଙ୍କୁ କାନ୍ଦଣାଗୀତି ଶିଖାଇବାର ପ୍ରଥା, ଯାହା ଏଇ ମାତ୍ର ପଚାଶ କି ଷାଠିଏ ବର୍ଷ ତଳେ ପ୍ରଚଳିତ ଥିଲା ଓଡ଼ିଶାର ପୁରପଲ୍ଲୀମାନଙ୍କରେ। ଆଧୁନିକତା-ମନସ୍କ ବର୍ତ୍ତମାନର ତଥାକଥିତ ସୁସଭ୍ୟ ମଣିଷମାନଙ୍କୁ ଏପରି ଏକ ପ୍ରଥା ଯେତେ ହାସ୍ୟୋଦ୍ଦୀପକ କିମ୍ବା ଅମାର୍ଜିତ ଓ ଲଘୁ ଆବେଗାତ୍ମକ ମନେ ହେଲେ ବି ଏଥିରେ ପରିସ୍ପୁଟ ହେଉଥିବା ଅନାବିଳ, ଅକୃତ୍ରିମ ଭାବ-ସୌନ୍ଦର୍ଯ୍ୟ ଅତୁଲ୍ୟ। ‘କାନ୍ଦ ମାଷ୍ଟ୍ରେ’ ସେଇ ଅତୁଲ୍ୟ ଭାବ-ସୌନ୍ଦର୍ଯ୍ୟର ଚିତ୍ରାୟନ କରିଛି ଅକୃତ୍ରିମ ଭାବରେ, ଖୁବ୍ ସାଦାସିଧା ଅଥଚ ହୃଦୟଛୁଆଁ ଚିତ୍ରନାଟ୍ୟ ମାଧ୍ୟମରେ। କାନ୍ଦ ମାଷ୍ଟ୍ରଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜଣକ ଗାଁକୁ ଗାଁ ଖଣ୍ଡିଏ ସାଇକେଲରେ ବୁଲିବୁଲି ଝିଅମାନଙ୍କୁ ଶିଖାଇ ଚାଲିଛନ୍ତି କେମିତି କେଉଁ ସୁରରେ, କେଉଁ ଗୀତି ଲହରରେ କାନ୍ଦିବାକୁ ହେବ ଶାଶୂଘରକୁ ଯାଉଥିବାବେଳେ। ଆପଣାର ଏଇ ବୃତ୍ତି ପ୍ରତି ସଂପୂର୍ଣ୍ଣ ସମର୍ପିତ ସେହି ମାଷ୍ଟ୍ରଙ୍କ ଚାଲିଚଳନ, କଥା କହିବାର ଭଙ୍ଗୀ, ତାଙ୍କର ଲଜ୍ଜାଶୀଳ ନମ୍ରତା -ସବୁଥିରେ ଦିଶିଯାଇଥାଏ ନାରୀସୁଲଭ ବ୍ୟକ୍ତିତ୍ୱର ମଧୁରତା। ମାତ୍ର ଆମର ଏ ସମାଜ, ଯେଉଁଠି ସଂଯତ ଶାଳୀନତା, ଭାବବିହ୍ୱଳତା, ଦରଦଭାବନା ଓ କୋମଳତା ପୁରୁଷପଣିଆ ନୁହେଁ ବୋଲି ସର୍ବସ୍ୱୀକୃତ, ସେଇଠି ଝିଅମାନଙ୍କୁ କାନ୍ଦଣାଗୀତି ଶିଖାଉଥିବା ‘ମାଷ୍ଟ୍ରେ’ କିପରି ବା ଜଣେ ପୁରୁଷପୁଙ୍ଗବ ବୋଲି ବିବେଚିତ ହେବେ?
ମାଷ୍ଟ୍ରେ କିନ୍ତୁ ପୂରାପୂରି ନିରୁଦ୍ବିଗ୍ନ। କାନ୍ଦଣାଗୀତିମାନଙ୍କରୁ ନିଗିଡ଼ି ପଡୁଥିବା ଅମିୟ ମାଧୁରୀରେ ସଦା ବିମୋହିତ ସେ। ଗୀତ ଓ ସଂଗୀତ ସହ ତାଙ୍କର ଅନ୍ତରଙ୍ଗ ସଖ୍ୟତା ଯୋଗୁଁ ସେ ବି ପାଲଟି ଯାଇଛନ୍ତି ‘ସୁରଟିଏ’, ‘ଧୁନଟିଏ’। କାୟ, ମନ ଓ ବାକ୍ୟ ସବୁଥିରେ ତାଙ୍କର ପଲ୍ଲୀଗୀତ, ପଲ୍ଲୀଜୀବନ ସଂଗୀତର ମହୁଆ ଝଙ୍କାର। ମାତ୍ର ଚଳଚିତ୍ରର ଶେଷ ଦୃଶ୍ୟଟି ନିଆରା ଓ ସବୁଠାରୁ ଅଧିକ ମର୍ମସ୍ପର୍ଶୀ, ଆବେଦନଧର୍ମୀ ଓ ଅର୍ଥମୟ। ଦର୍ଶକମାନେ ଦେଖୁଛନ୍ତି ମାଷ୍ଟ୍ରେ ଏକା ଏକା କାନ୍ଦୁଛନ୍ତି – କେତେବେଳେ ନଈକୂଳରେ, ତୋଟାମାଳରେ ଓ କେତେବେଳେ ପ୍ରକୃତିର କେଉଁ ବିଜନ ଅଙ୍ଗନରେ। ସତେ ଯେପରି ସେ ଏଥର କାନ୍ଦଣା ଶିଖାଉଛନ୍ତି ଚାରିପାଖର ବୃକ୍ଷଲତାକୁ, ନୀଳ ଆକାଶକୁ, ବିହଙ୍ଗମମାନଙ୍କୁ। ଯେଉଁ ବିଧବା ଜଣଙ୍କର କପାଳରେ ସିନ୍ଦୂର ଦେଇ ସେ ଜୀବନସାଥୀ କରିଥିଲେ, ଯିଏ ଦିନେ ତାଙ୍କରି କାନ୍ଦଣାଗୀତର ଲାଳିତ୍ୟକୁ ମନଭରି ଉପଭୋଗ କରି ନିଜ ମନଟିକୁ ତାଙ୍କୁ ଦେଇ ଦେଇଥିଲେ, ସେଇ ବାରଣ କରିଛନ୍ତି ସ୍ୱାମୀଙ୍କୁ କାନ୍ଦଣାଗୀତ ଶିଖାଇବାକୁ। ଭାଙ୍ଗି ଯାଇଛି ମାଷ୍ଟ୍ରେଙ୍କ ମନ। ଘନକୁହୁଡ଼ିର ଫିକା ଅନ୍ଧାର ଛାଇଯାଇଛି ତାଙ୍କ ଅନ୍ତରରେ। କାନ୍ଦଣାଗୀତି ନ ଶିଖାଇ ବା ସେ ବଞ୍ଚିପାରିବେ କେମିତି।

ଆତ୍ମାର ସ୍ୱର
କାନ୍ଦ ତ ହେଉଛି ତାଙ୍କ ଆତ୍ମାର ସ୍ୱର; କାନ୍ଦ ତ ହେଉଛି ତାଙ୍କର ସମଗ୍ର ଅସ୍ତିତ୍ୱ! ଚଳଚ୍ଚିତ୍ରର ଏହି ଚର୍ଚ୍ଚିତ ଶେଷ ଦୃଶ୍ୟଟି ଚହଲାଇ ଦେବ ପ୍ରତିଟି ଦର୍ଶକକୁ, କାରଣ ସେ ଦେଖିବ ‘ମାଷ୍ଟ୍ରେ’ ସିନା ଝିଅମାନଙ୍କୁ କାନ୍ଦଣାଗୀତି ଶିଖାଇ ନାହାନ୍ତି ଆଉ, କିନ୍ତୁ ଏବେ ଏକା ଏକା କାନ୍ଦି କାନ୍ଦି କାନ୍ଦଣାର ନୈସର୍ଗିକ ଆବେଦନକୁ ବିଞ୍ôଚ ଦେଉଛନ୍ତି ପ୍ରକୃତିମାତାର ଶ୍ୟାମଅଙ୍କରେ, ତାରି ପଣତ କାନିରେ ଗଣ୍ଠି ପକାଇ ରଖି ଦେଉଛନ୍ତି ‘କାନ୍ଦ’ର ମାଣିକ୍ୟଟିକୁ। ସତେ ଯେପରି ସେ ଜାଣନ୍ତି ଏ ମଣିଷ ନିଶ୍ଚୟ ଫେରିପାଇବ ସେ ମାଣିକ୍ୟ, ଯେତେବେଳେ ସେ ବର୍ତ୍ତମାନ ସମୟର ଶୂନାଗର୍ଭା ଚାକଚକ୍ୟରୁ ମୁହଁ ଫେରାଇ ପୁଣି ଫେରି ଆସିବ ପ୍ରକୃତି ପାଖକୁ, ପ୍ରକୃତିମାତାର ପଣତ କାନିରେ ଆପଣାର ମୁହଁରେ ପରସ୍ତ ପରେ ପରସ୍ତ ଜମି ଯାଇଥିବା ବିଷରଙ୍ଗସବୁକୁ ପୋଛିଦେବାକୁ। ଏମିତି ଭାବରେ ଚଳଚ୍ଚିତ୍ର ‘କାନ୍ଦମାଷ୍ଟ୍ରେ’ ଆମକୁ ଦେଖାଇଦେଉଛି ଆମରି ସଂସ୍କୃତିର ସୁନାସିନ୍ଦୁକର ଗୋଟିଏ ରତ୍ନର ସର୍ବକାଳୀନ ଔଜ୍ଜ୍ୱଲ୍ୟକୁ; ଆମକୁ ଫେରାଇ ନେଉଛି ଆମ ଲୋକଜୀବନ, ଲୋକସଂସ୍କୃତିର ମଧୁଝରା ଅଙ୍ଗନକୁ ; ବାଢ଼ି ଦେଉଛି ଆମ ପାଖରେ ଆମ ପରମ୍ପରାର ପୁଷ୍ପସ୍ତବକମାନ ଏବଂ ଆମକୁ କହୁଛି, କାନ୍ଦିବା ଜମା ଏକ ପାପ ନୁହେଁ, ନୁହେଁ ଆଦୌ ଏକ ଦୁର୍ବଳତା। ମୁକ୍ତ ଭାବରେ ଯେ କାନ୍ଦିବା ପାଇଁ ସାହସ ଜୁଟାଇପାରେ, ସେ ଆଉ ଯାହାହେଉ କି ନହେଉ, ନିଶ୍ଚୟ ଏକ ସଚ୍ଚା, ନିଚ୍ଛକ, ଖାଦହୀନ ମଣିଷ ଜଣେ।
ଚର୍ଚ୍ଚିତ ଏ ଦୁଇଟି ଯାକ ଚଳଚ୍ଚିତ୍ରରେ ପରିବେଷିତ ହୋଇଛି ଏହି ଗୂଢ ଅର୍ଥଦ୍ୟୋତକ ସତ୍ୟଟି। ହାମନେଟ୍ ଚଳଚିତ୍ରରେ ଦୁଃଖ, ଶୋକ ଓ କାନ୍ଦ ସଂଯତ- ଏକ ଧୀରଗାମିନୀ ନଦୀ ପରି, ଯା’ର ପ୍ରବାହ ରହିଛି ଅନ୍ତର୍ଦେଶର ଅନ୍ଧାରରେ ଓ ଯାହା ଉତ୍ପ୍ରେରକ ହୋଇଛି ଏକ ମହାନ୍ ସୃଜନାତ୍ମକ ସାହିତ୍ୟିକ କୃତିର। ‘କାନ୍ଦ ମାଷ୍ଟ୍ରେ’ରେ କାନ୍ଦଣା ଜମା ନିରବ ନିଥର ବ୍ୟାପାର ନୁହେଁ। ଏଥିରେ କାନ୍ଦ ଫୁଟି ଉଠିଛି କଦମ୍ବ ଫୁଲପରି, ଫାଟିପଡ଼ିଛି ମୌସୁମୀର ଧାରା ପରି ଓ ଝରିପଡ଼ିଛି ଶେଫାଳି ଫୁଲ ପରି- ପ୍ରକାଶ୍ୟରେ ଓ ବିନା ଆଡମ୍ବରରେ, ବିନା ଅତିରଂଜିତ ନାଟକୀୟ ଆଟୋପରେ। ‘ହାମ୍ନେଟ୍’ ଆମକୁ ବୁଝାଇ ଦେଇଥାଏ ଦୁଃଖ, ଶୋକ, ଲୁହଝରଣର ମହିମା। ‘କାନ୍ଦମାଷ୍ଟ୍ରେ’ ଆମକୁ ଅନୁଭବ କରାଇ ଦେଇଥାଏ କାନ୍ଦଣାର, ଲୁହଝରଣର ମିଠା-କାନ୍ଦଣା ସହ ଆମର ଆଜନ୍ମ ଆତ୍ମୀୟତା। ‘କାନ୍ଦ ମାଷ୍ଟ୍ରେ’ ଆମକୁ ସ୍ମରଣ କରାଇ ଦେଇଥାଏ ଯେ କାନ୍ଦଣାରେ ବି ମହକି ଉଠିଥାଏ ଆମର ମଞ୍ଜ ମନୁଷ୍ୟତା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୬ ସଂଖ୍ୟାରେ ପ୍ରକାଶିତ। )