‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ହସି ହସି କହିଲେ, “… କିନ୍ତୁ ସବୁ ଘଟଣା ସତ ଲେଖିବେ।”

ସମସ୍ତଙ୍କ ଜୀବନରେ ବୋଧହୁଏ ଏଇ ‘ପ୍ରେମ’ ନାମକ ଶବ୍ଦର ଅଳ୍ପ ବହୁତ ଅନୁଭୂତି ଥିବ ବୋଲି ମୋର ଧାରଣା। ପ୍ରକୃତପକ୍ଷେ ଏହା ଏକାନ୍ତ ବ୍ୟକ୍ତିଗତ ଓ ସ୍ପର୍ଶକାତର ବିଷୟ। ଖୁବ୍ କମ୍ ଲୋକ ଏହି ଅନୁଭୂତିକୁ ପ୍ରକାଶ କରିଥା’ନ୍ତି, ଯାହା ସାରା ଜୀବନ ଭୁଲିହୁଏ ନାହିଁ। ମୁଁ ପଢ଼ୁଥିବା କଲେଜର ସାଂସ୍କୃତିକ ଉତ୍ସବର ପାଳନ ଅବସରରେ ଜଣେ ଲବ୍ଧପ୍ରତିଷ୍ଠ ଓ ସୁବିଖ୍ୟାତ ଲେଖକଙ୍କୁ ପ୍ରଧାନ ଅତିଥି ଭାବରେ ନିମନ୍ତ୍ରଣ କରିବାର ସୁଯୋଗ ପାଇଥିଲି। ତାଙ୍କର ସମ୍ଭାଷଣରେ ସେ କହିଥିଲେ, ଏହି ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ ‘ପ୍ରେମ’ ଗୋଟିଏ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରର ଗୀତର ପଂକ୍ତି ଅନୁସାରେ, ମନକୁ ମନ ହୋଇଯାଇଥାଏ। ଚେଷ୍ଟା ଦ୍ୱାରା ଏହା ହୁଏନାହିଁ ବା ସମ୍ଭବ ନୁହେଁ। ଆହୁରି ମଧ୍ୟ ସେ କହିଥିଲେ, ଯଦି ନିଜର ସେପରି କିଛି ଅନୁଭୂତି ଅଛି, ତା’ହେଲେ ସତ୍ୟନିଷ୍ଠ ହୋଇ ଘଟଣାଟି ଲେଖ, ପାଠକମାନଙ୍କ ଦ୍ୱାରା ନିଶ୍ଚିତ ଆଦୃତ ହେବ। ତା’ଛଡ଼ା ଭବିଷ୍ୟତରେ ଜଣେ ଲେଖକ ହେବାପାଇଁ ଉତ୍ସାହ ମଧ୍ୟ ପାଇବ।
ମୋର ବ୍ୟକ୍ତିଗତ ଜୀବନରେ ଅନୁଭବ ଥିବା ଏହିପରି ଏକ ଘଟଣାକୁ ଲେଖିବି କି ନାହିଁ ଚିନ୍ତାକରି ଦ୍ୱନ୍ଦ୍ୱରେ ଥିଲି। ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀଙ୍କ ସହିତ ଏ ବିଷୟରେ କିଛି ବାର୍ତ୍ତାଳାପ କରି ତାଙ୍କର ମତ ଲୋଡ଼ିଥିଲି। ଆଉ ଏକଥା ମଧ୍ୟ କହିଥିଲି ଯେ, ମୁଁ ବର୍ତ୍ତମାନ ଜଣେ ବରିଷ୍ଠ ନାଗରିକ ହୋଇସାରିଛି। ସେ ହସି ହସି କହିଥିଲେ, ଏହା ଆପଣଙ୍କର ଏକ ସାହସିକ ପଦକ୍ଷେପ; କିନ୍ତୁ ସବୁ ଘଟଣା ସତ ଲେଖିବେ, ପାଠକମାନଙ୍କୁ ଭଲ ଲାଗିବ। ତେଣୁ ସତ୍ୟ ପ୍ରତି ପ୍ରତିବଦ୍ଧ ରହି ମୋର ଏହି କ୍ଷୁଦ୍ର ଉଦ୍ୟମ।

ଅବିବାହିତ ଥିଲି
ପୁଲିସ ବିଭାଗରେ ଚାକିରି ମୋର ପୁରୀ ଜିଲ୍ଲାରେ ଆରମ୍ଭ ହୋଇଥିଲା। ଚାକିରି କାଳର ଅଳ୍ପ କେତେମାସ ପରେ ମୋର ହଠାତ ପିତୃ ବିୟୋଗ ଭଳି ଏକ ଦୁଃଖଦ ଘଟଣା ଘଟିଥିଲା। ଏଭଳି ଏକ ମାନସିକ ଧକ୍କାକୁ ମୁଁ କିଭଳି ସହ୍ୟ କରିବି, ସେଥିପାଇଁ ନିଜକୁ ନିରନ୍ତର କାର୍ଯ୍ୟବ୍ୟସ୍ତ ରଖୁଥିଲି। ମୁଁ ଅବିବାହିତ ଥିଲି। ସମୟ ବା ପାରିବାରିକ ପ୍ରତିବନ୍ଧ ନଥିଲା। ମୁଁ ଆନ୍ତରିକତା ସହିତ ସମସ୍ତ କର୍ତ୍ତବ୍ୟ ପାଳନ କରୁଥିଲି। ବଡ଼ଠାକୁରଙ୍କ ଦର୍ଶନ ପାଇଁ ପୁରୀ ସହରକୁ ଓଡ଼ିଶା ତଥା ଭାରତର ସବୁ ପ୍ରାନ୍ତରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ତଥା ପ୍ରସିଦ୍ଧିଲାଭ କରିଥିବା ବ୍ୟକ୍ତିବିଶେଷଙ୍କର ନିରନ୍ତର ଆଗମନ ହେଉଥିଲା। ମୋର ପୋଷାକ (ୟୁନିଫର୍ମ)ର ପରିଚ୍ଛନ୍ନତା ଓ ଆନୁଷଙ୍ଗିକ ପରିପାଟୀ ଯେପରି ସଠିକ ରୁହେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମତେ କୁହାଯାଇଥିଲା। ପୁରୀ ସହରରେ ପୋଲିସର କର୍ତ୍ତବ୍ୟ ନିହାତି ଆହ୍ୱାନପୂର୍ଣ୍ଣ ଥିଲା। ସକାଳ ଆଠଟାରୁ ଦିନ ତିନିଟା ଏବଂ ସଂଧ୍ୟାରୁ ରାତି ଦୁଇଟା ପର୍ଯ୍ୟନ୍ତ କାର୍ଯ୍ୟବ୍ୟସ୍ତ ରହିବା ପରେ କ୍ୱାର୍ଟରକୁ ଫେରି ବିଶ୍ରାମ ନେବାକୁ ସମୟ ମିଳୁଥିଲା। ସେତେବେଳକୁ କ୍ଲାନ୍ତିର ମାତ୍ରା ଏତେ ଅଧିକ ଥାଏ ଯେ, ଅଧିକାଂଶ ଦିନ ରାତ୍ରି ଭୋଜନ ପାଇଁ ମୋର ଧୈର୍ଯ୍ୟ ନଥାଏ। ତେବେ ଏହାଦ୍ୱାରା ମୋର ଗୋଟିଏ ଲାଭ ହେଉଥିଲା। ମୋ’ ଦେହରେ ଅଧିକା କିଛି ଚର୍ବି ଜମିବା ସମ୍ଭବ ହେଉନଥିଲା। ମୋର ଟ୍ରେନିଂ ପରର ଶାରୀରିକ ଦକ୍ଷତା ପୁରୀରେ ଚାକିରି କରିବା ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥିଲା।
କିଛିଦିନ ପରେ ମୋତେ ପୁରୀ ସହରରେ ଯାନବାହନ ନିୟନ୍ତ୍ରଣ (ଟ୍ରାଫିକ)ର ଗୁରୁଦାୟିତ୍ୱ ମିଳିଥିଲା। ମୋର ଏହି ପୋଷ୍ଟିଂ ସମ୍ବନ୍ଧରେ ଏକ କ୍ଷୁଦ୍ର ସମ୍ବାଦ ଖବରକାଗଜରେ ବାହାରିଥିଲା। ମୁଁ ଖଲ୍ଲିକୋଟ କଲେଜରେ ପଢ଼ୁଥିବା ସମୟରେ ଆନ୍ଧ୍ରପ୍ରଦେଶର ବାସିନ୍ଦା ଜଣେ ଅନ୍ତରଙ୍ଗ ବନ୍ଧୁ ତଥା ସହପାଠୀ ଖବରକାଗଜରୁ ମୋର ପୋଷ୍ଟିଂ ଖବର ଜାଣି ଫୋନରେ ମୋତେ ଶୁଭେଚ୍ଛା ଜଣାଇଥିଲେ। ଆଉ କହିଥିଲେ, ତାଙ୍କର ସାନଭାଇ ଓ ପିତାମାତା ପୁରୀ ରେଲୱେ କଲୋନୀରେ ରହୁଛନ୍ତି। ତାଙ୍କ ସାନଭାଇ ଯାହାର ନାଁ ‘ଚିଟି’ ସେ ମୋତେ ଭେଟିବାକୁ ଆସିବ। ଏଇ ଟେଲିଫୋନ ପାଇବାର ଦୁଇ ତିନିଦିନ ପରେ ମୁଁ ଥାନାରେ କାର୍ଯ୍ୟରତ ଥିଲାବେଳେ ପତଳା ହୋଇ ବେଶ୍ ଲମ୍ବା ପିଲାଟିଏ ଆସି ମୋତେ ନମସ୍କାର କରିଥିଲା। କହିଥିଲା, ‘ଭାଇ, ମୋ’ ନାଁ ଚିଟି। ମୋର ବଡ଼ଭାଇ ଆପଣଙ୍କ କଲେଜ ବେଳର ଘନିଷ୍ଠ ବନ୍ଧୁ।’ ମୁଁ ବେଶ୍ ଖୁସି ହୋଇଥିଲି। ଚିଟି କହିଥିଲା, ‘ଆପଣ ସବୁଦିନ ଆମ କଲୋନୀକୁ ଲାଗିଥିବା ମୁଖ୍ୟ ରାସ୍ତାରେ ପୁଲିସ ମଟର ସାଇକେଲରେ ଯାଆନ୍ତି, ମୁଁ ଦେଖିଛି।’ ଚିଟି ସାଙ୍ଗେ ପରିଚୟ ହେବାପରେ ଅଧିକାଂଶ ଦିନ ସେ ରେଲୱେ କଲୋନୀର ମୁଖ୍ୟ ଫାଟକ ପାଖେ ଠିଆହୋଇ ମତେ ଅଭିବାଦନ କରି ଘରକୁ ଡାକିଥାଏ। ଏହିପରି କେତେଥର ଯିବାଆସିବା କରିବା ପରେ ଚିଟିର ବାପା ଓ ମା’ଙ୍କ ସାଙ୍ଗରେ ମୁଁ ବେଶ୍ ଘନିଷ୍ଠ ହୋଇଯାଇଥିଲି।
ପ୍ରଥମ ଦେଖା
ପୁରୀ ଟାଉନ ଥାନାରେ ମଝିରେ ମଝିରେ ଶ୍ରୀମନ୍ଦିରରୁ ମହାପ୍ରସାଦ ଆଣି ଆମେ ଥାନା ଷ୍ଟାଫ୍ ସେବନ କରିଥାଉ। ମୁଁ ଭାବୁଥିଲି ଚିଟି ଘରକୁ ମହାପ୍ରସାଦ ନେଇଗଲେ ଭଲହୁଅନ୍ତା। ସେଦିନ ମୁଁ ଥାନାକୁ ଗଲାବେଳେ ଚିଟିଙ୍କ ଘର ସାମନାରେ ମଟରସାଇକେଲ ଅଟକାଇ ଦେଇଥିଲି। ମୋର ଉଦ୍ଦେଶ୍ୟଥିଲା, ଚିଟିର ମା’ଙ୍କୁ ମହାପ୍ରସାଦ ଆଣିବାକଥା ଜଣାଇବି। କିନ୍ତୁ ସେଦିନ କେହି ଘର ବାହାରକୁ ନ ଆସିବାରୁ ବାଧ୍ୟହୋଇ ମଟରସାଇକେଲର ହର୍ଣ୍ଣ ବଜାଇଥିଲି। ଘରର କବାଟ ଖୋଲି ଝିଅଟିଏ ବାହାରକୁ ଆସିଥିଲା। ବଡ଼ ବଡ଼ ଆଖି, ମୁଣ୍ଡରେ ଲମ୍ବାବେଣୀ, ଆକର୍ଷଣୀୟ ଅଙ୍ଗୀଭଙ୍ଗୀ; ସେ ସମୟ (ଅଶୀ ଦଶକ)ର ଜଣେ ଜନପ୍ରିୟ ସିନେମା ଅଭିନେତ୍ରୀଙ୍କ ସହିତ ତାର ବିଶେଷ ସାମଞ୍ଜସ୍ୟ ଥିବାପରି ମୋର ମନେ ହୋଇଥିଲା। ମୁଁ ଦେଖୁଥିଲି, ତା’ ମୁହଁରେ ଆଶଙ୍କାର ଚିହ୍ନ। ମୁଁ କିଛି କହିବା ଆଗରୁ ମତେ ଚାହିଁ ସ୍ପଷ୍ଟ ଇଂରାଜୀରେ ପଚାରିଥିଲା, ‘ଅଫିସର କାହାକୁ ଖୋଜୁଛନ୍ତି?’ ମୁଁ ମଟରସାଇକେଲରୁ ଓହ୍ଲାଇ ସାମାନ୍ୟ ହସି କହିଥିଲି, ‘ମୁଁ ଚିଟିର ବଡ଼ଭାଇ ଅମରର ସାଙ୍ଗ; ଏମିତି ବୁଲି ଆସିଥିଲି, ଆପଣ?’

ଗୋଟିଏ ମୁହୂର୍ତ୍ତରେ ତା’ ମୁହଁରୁ ଆଶଙ୍କା ଓ ଉଦ୍ବେଗ ଅନ୍ତର୍ଦ୍ଧାନ ହୋଇ ହସ ଫୁଟି ଉଠିଥିଲା। କହିଥିଲା, ‘ମୁଁ ଚିଟିର ମାଉସୀ ଝିଅ ଭଉଣୀ। ଆପଣ ତା’ହେଲେ ଅମରଭାଇଙ୍କ ସାଙ୍ଗ। ଚିଟି ଓ ମାଉସୀ ଏପାଖ ମନ୍ଦିରକୁ ଯାଇଛନ୍ତି, ଆସୁଥିବେ, ଆପଣ ବସନ୍ତୁ। ଅଳ୍ପ ସମୟ ପରେ ଚିଟି ଓ ମାଉସୀ ପହଞ୍ôଚଥିଲେ। ମାଉସୀ ମୋତେ ପରିଚୟ କରାଇ କହିଥିଲେ, ଏ ହେଉଛି ‘ଶ୍ରୀଲକ୍ଷ୍ମୀ’ (ଏଠାରେ ତାଙ୍କର ନାମଟି ବଦଳାଇ ଲେଖୁଛି)ା ମୋର ବଡ଼ଭଉଣୀର ଝିଅ। ଏମାନେ ସବୁ ବିଜୟନଗରରେ ରହନ୍ତି। ଶ୍ରୀଲକ୍ଷ୍ମୀ କଲେଜ ପାଠସାରି ଗୋଟିଏ ଇଂରାଜୀ ମିଡିୟମ ସ୍କୁଲରେ ଶିକ୍ଷକତା କରୁଛି। ଛୁଟିରେ ପୁରୀ ବୁଲି ଆସିଛି।’ ଏ କାହିଁକି ଇଂରାଜୀରେ କଥାବାର୍ତ୍ତା କରୁଛି? ମୁଁ ପଚାରିଥିଲି। ମାଉସୀ କହିଥିଲେ, ‘ହଁ ପରା, ଆମେସବୁ ଓଡ଼ିଶାର ମୂଳନିବାସୀ। ଲକ୍ଷ୍ମୀ ମଧ୍ୟ ଏକଥା ଜାଣିଛି। କିନ୍ତୁ ବିଜୟନଗରରେ ଓଡ଼ିଆ ସ୍କୁଲ କିମ୍ବା ଓଡ଼ିଆ ଶିଖିବାର କିଛି ସୁବିଧା ନାହିଁ। ତେଣୁ ଶ୍ରୀଲକ୍ଷ୍ମୀ ଓଡ଼ିଆ ଓ ତେଲୁଗୁ ଛଡ଼ା ଆଉ କୌଣସି ଭାଷା ଜାଣେନାହିଁ। କେବଳ ହିନ୍ଦୀ ଓ ଓଡ଼ିଆ ଅଳ୍ପ ଶୁଣି ବୁଝିପାରେ।’ ମୁଁ ମାଉସୀଙ୍କୁ ମହାପ୍ରସାଦ ଆଣିବା କଥା କହିବାରୁ ସେ ବେଶ୍ ଖୁସି ହୋଇଥିଲେ।
ସେଦିନ ପ୍ରାୟ ଦିନ ତିନିଟା ବେଳକୁ ମୁଁ ମହାପ୍ରସାଦ ନେଇ ଚିଟି ଘରକୁ ଯାଇଥିଲି। ଲକ୍ଷ୍ମୀକୁ ଭୋଗ ଖୁବ୍ ଭଲ ଲାଗିଥିଲା। ମୁଁ ଫେରିବାବେଳେ ମୋ’ ପଛେ ପଛେ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆସି ଧୀର ସ୍ୱରରେ କହିଥିଲା ‘ଭୋଗ ବହୁତ ଭଲ ହୋଇଛି। ମୋର ମା’କୁ ମଧ୍ୟ ଭଲଲାଗେ। ସେ ଅଳ୍ପଦିନ ମଧ୍ୟରେ ଏଠିକି ଆସୁଛି, ଏଭଳି ପ୍ରସାଦ ଆଉଥରେ ଆଣିହେବ?’ ମୁଁ ଅଳ୍ପହସି କହିଥିଲି, ‘ତମେ ଯେତେବେଳେ କହୁଛ ମାନେ ସୁନିଶ୍ଚିତ ଆଣିବି, ଯେତେଥର କହିବ! ହାପି?’ ମୁଁ ଲକ୍ଷ୍ୟ କରିଥିଲି, ହସ ସହିତ ଲକ୍ଷ୍ମୀର ଆଖିଦୁଇଟିରେ ଏକ ବିଶେଷ ଆତ୍ମୀୟତାର ଝଲକ। ଅଶେଷ ଧନ୍ୟବାଦ କହି ସେ ଚାଲି ଯାଇଥିଲା। ସେଥର ଲକ୍ଷ୍ମୀ ସାଙ୍ଗରେ କଥାବାର୍ତ୍ତା ପରେ ଅନୁଭବ କରିଥିଲି ଏକ ବିଚିତ୍ର ଶିହରଣ। ଭାବିଲି, ଏହାକୁ ବୋଧହୁଏ ପ୍ରେମ କହନ୍ତି। ଲକ୍ଷ୍ମୀକୁ ଅନେକ କିଛି କଥା କହିବାକୁ ମୋର ଇଚ୍ଛା ହେଉଥିଲା। କିନ୍ତୁ ସେ କେବଳ ଇଂରାଜୀରେ କଥାବାର୍ତ୍ତା କରୁଥିଲା। ମୁଁ ବାଧ୍ୟହୋଇ ଇଂରାଜୀରେ ତା’ ସାଙ୍ଗେ କଥାବାର୍ତ୍ତା କରୁଥିଲି।
ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ହେତୁ ମୁଁ ଚିଟିଙ୍କ ଘରକୁ କେତେଦିନ ହେଲା ଯାଇପାରି ନଥିଲି। ଦିନେ ସକାଳୁ ହଠାତ୍ ଆସି ମୋ’ କ୍ୱାର୍ଟରରେ ପହଞ୍ôଚଯାଇଥିଲା। କହିଥିଲା, ‘ଭାଇ, ଆପଣଙ୍କୁ ଚାରିଦିନ ହେଲା ଖୋଜୁଛି, ଭେଟ ପାଉନାହିଁ। ଅସନ୍ତାକାଲି ଆମଘରେ ଲଞ୍ଚ।’ ପରଦିନ ମଧ୍ୟାହ୍ନରେ ମୁଁ ଚିଟିଘରେ ପହଞ୍ôଚଥିଲି। ମାଉସୀଙ୍କ ସାଙ୍ଗରେ ବିଭିନ୍ନ କଥାବାର୍ତ୍ତା ବେଳେ ତାଙ୍କର ବଡ଼ଭଉଣୀ ଓ ଲକ୍ଷ୍ମୀର କଥା ମଧ୍ୟ ପଡ଼ିଥିଲା। ସେ କହିଥିଲେ, ଲକ୍ଷ୍ମୀର ବାପା ଆଉ କେତେଦିନ ପରେ ଅବସର ଗ୍ରହଣ କରିବେ। ତା’ ଆଗରୁ ଲକ୍ଷ୍ମୀର ବାହାଘର ପାଇଁ ଚିନ୍ତିତ ଅଛନ୍ତି। ଜଣେ ଡାକ୍ତରଙ୍କ ସାଙ୍ଗେ ପ୍ରସ୍ତାବ ପଡ଼ିଛି କିନ୍ତୁ କିଛି ସେପଟୁ ଜଣାଇ ନାହାନ୍ତି। ମଧ୍ୟାହ୍ନରେ ଭୂରିଭୋଜନ। ଲକ୍ଷ୍ମୀ ମୋତେ କିଛି ଅଧିକ ଖାଇବାକୁ ବାଧ୍ୟ କରିଥିଲା। ସେଦିନ ଲକ୍ଷ୍ମୀକୁ ଶୁଖିଲା ମହାପ୍ରସାଦ ଖାଇବାକୁ ଭଲଲାଗେ ବୋଲି ଜାଣିବାକୁ ପାଇଥିଲି। କେତେଦିନ ପରେ ଶୁଖିଲା ଭୋଗ ନେଇ ଚିଟିଘରେ ପହଞ୍ôଚଥିଲି। ଲକ୍ଷ୍ମୀ ମୋତେ ଦେଖି ହସି ହସି ସ୍ୱାଗତ କରିଥିଲା।
‘ଗତ ଚାରିଦିନ ହେବ ଆସୁନଥିଲ କାହିଁକି?’ ତାର ଏ ପ୍ରଶ୍ନ ଏଡ଼ାଇ ମୁଁ କହିଥିଲି, ‘ତମେ ଜାଣିଛ ତୁମ ପରିବାର ଓଡ଼ିଶାର ମୂଳବାସିନ୍ଦା। ତୁମ ସଙ୍ଗେ ସବୁବେଳେ ଇଂରାଜୀରେ କଥା ହେବାକୁ ମୋତେ ଭଲ ଲାଗୁନାହିଁ। ତମେ ଓଡ଼ିଆ କହିବାକୁ ଚେଷ୍ଟା କରୁନ? ଓଡ଼ିଆ ଶିଖିବାକୁ ତମକୁ ଅଳ୍ପଦିନ ଲାଗିବ।’
ଓଡ଼ିଆ ଶିଖିଯିବି
‘ତମେ ଶିଖାଇଲେ ମୁଁ ଅଳ୍ପଦିନରେ ଓଡ଼ିଆ ଶିଖିଯିବି।’ ସେ ହସି ହସି କହିଥିଲା। ମୁଁ କହିଥିଲି, ‘ତୁମର ଏଇ ନାଁଟା ‘ଶ୍ରୀଲକ୍ଷ୍ମୀ’ ବହୁତ ପୁରୁଣାକାଳିଆ ଲାଗୁଛି। ଟିକେ ଆଧୁନିକ ହୋଇଥିଲେ ଭଲ ହୋଇଥାନ୍ତା।’
ସେ ଉତ୍ତରଦେଲା, ମୋ’ ନାଁଟା ମୁଁ ନିଜେ ଦେଇନାହିଁ। ତେବେ ତମେ ମତେ ଯେଉଁ ନାଁ ଦେବ ରାଜି କିନ୍ତୁ ତାହା କେବଳ ତୁମ ପାଇଁ। ମୁଁ ତାକୁ ପୁଣିଥରେ କହିଥିଲି, ‘ଓଡ଼ିଆ ଶିଖ, କାରଣ ଅନ୍ତରର କଥାକୁ ମାତୃଭାଷାରେ ସହଜରେ ପରିପ୍ରକାଶ କରିହୁଏ।’ ଲକ୍ଷ୍ୟ କରିଥିଲି, ଲକ୍ଷ୍ମୀ ମୁହଁରେ ଦୁଷ୍ଟାମିର ହସ। ପରିସ୍ଥିତିକୁ ସାମାନ୍ୟ କରିବାକୁ କହିଥିଲି, ତମେ ଓଡ଼ିଆ ନ ଶିଖିଲେ ବାଧ୍ୟହୋଇ ମୁଁ ତେଲୁଗୁ ଶିଖିବା ଆରମ୍ଭ କରିବି। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲା, ‘ତମେ ତେଲୁଗୁ ଶିଖିବ?’ା ମୁଁ ଉତ୍ତର ଦେଇଥିଲି, ‘ଆଉ କ’ଣ କରିବି?’। ମୋର ଏକଥା ଶୁଣି ଲକ୍ଷ୍ମୀ ବହୁତ ହସିଥିଲା। କହିଥିଲା, ‘ବହୁତ ଦିନ ପରେ ଏତେ ହସିଲି’।
କେତେଦିନ ପରେ ଚିଟି ମୋତେ ଫୋନ୍ କରିଥିଲା। କହିଥିଲା, ‘ବିଜୟନଗରରୁ ଲକ୍ଷ୍ମୀର ମା’ ଆସିଛନ୍ତି। ମୋତେ ଦେଖାକରିବାକୁ ଚାହୁଛନ୍ତି। ତା’ପରଦିନ ମୁଁ ଚିଟିଙ୍କ ଘରକୁ ଯାଇଥିଲି। ଲକ୍ଷ୍ମୀଙ୍କ ମା’ଙ୍କ ସାଙ୍ଗରେ ଦେଖାହୋଇଥିଲା। ସେଦିନ କାହିଁକି କେଜାଣି ଲକ୍ଷ୍ମୀ ଗମ୍ଭୀର ଜଣାପଡୁଥିଲା। ମୁଁ କଫି ଓ ବିସ୍କୁଟ ଖାଇଲାବେଳେ ଲକ୍ଷ୍ମୀର ମା’ ମୋତେ କହିଥିଲେ, ‘ଲକ୍ଷ୍ମୀର ବାହାଘର ଜଣେ ଡାକ୍ତରଙ୍କ ସହିତ ଆସନ୍ତା ମାସରେ ହେବାକୁ ସ୍ଥିରୀକୃତ ହୋଇଛି। ତମେ ଛୁଟିନେଇ ଚିଟି ସାଙ୍ଗରେ ଯେମିତି ହେଲେ ଦିନେ ପାଇଁକି ଆସିବ। ଆମେସବୁ କାଲି ବିଜୟନଗର ଚାଲିଯାଉଛୁ’। ମୁଁ ଖାଉଥିବା ବିସ୍କୁଟ କଫିରେ ସଂପୂର୍ଣ୍ଣ ଭିଜିଯାଇଥିଲେ ବି ମୋ’ ତଣ୍ଟିରେ ଅଟକି ଯାଇଥିଲା। ମୁଁ କାଶିବାରୁ ଲକ୍ଷ୍ମୀ ମୋ’ ପାଖକୁ ଆସି ମୋ’ ପିଠିରେ ହାତମାରି କହିଥିଲା, ଧୀରେ ପ୍ଲିଜ୍। ମୁଁ ବାହାରକୁ ଆସି ମଟରସାଇକେଲ ଉପରେ ବସିଥିଲି। ଲକ୍ଷ୍ମୀ ମୋ’ ପଛେ ପଛେ ରାସ୍ତା ଉପରକୁ ଆସି ହ୍ୟାଣ୍ଡେଲରେ ଥିବା ମୋ’ ହାତ ଉପରେ ତାର ହାତ ରଖି କହିଥିଲା, ‘ମୁଁ ବିଶେଷ ଦୁଃଖିତ ଅଫିସର।’
‘ଅଫିସର?’ ମୁଁ ହତବାକ ହୋଇ ପଚାରିଥିଲି। ସେ ଉତ୍ତର ଦେଇଥିଲା, ‘ହଁ, ମୁଁ ଗର୍ବିତ ଯେ, ମୋର ପ୍ରେମିକ ଜଣେ ସ୍ମାର୍ଟ ଓ ୟୁନିଫର୍ମଡ୍ ଅଫିସର। ତମେ ମୋର ପ୍ରଥମ ପ୍ରେମ ଓ ସାରା ଜୀବନ ମୋର ସ୍ମୃତିରେ ରହିବ। କ’ଣ ବିଶ୍ୱାସ ହେଉନି?’ ଲକ୍ଷ୍ମୀର ଦୁଇ ଆଖିରେ ଲୁହ ଚକ୍ଚକ୍ କରୁଥିଲା। ଆଉ କିଛି କହିବାକୁ ଚେଷ୍ଟା କରୁଥିଲା। ତା’ର ଓଠ ସାମାନ୍ୟ କମ୍ପିତ ହୋଇ ସ୍ଥିର ହୋଇଯାଇଥିଲା। ମୁଁ କଳା ଚଷମାରେ ମୋର ଆଖିକୁ ଢାଙ୍କି ଦେଇଥିଲି।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ।)
ଖୁବ୍ ମର୍ମସ୍ପର୍ଶୀ ଲେଖା। ମୁଁ ନିଶ୍ଚିତ ଭାବରେ କହିବି, ପାଠକଙ୍କ ଆଦର ଲାଭ କରିବ।
ବହୁତ ସୁନ୍ଦର ଅଲଗା ପ୍ରକାରର ଗପ। ଭଲ ଲାଗିଲା
ଏହା ଗପ ନୁହେଁ, ଲେଖକଙ୍କର ଏକ ବାସ୍ତବ ଅନୁଭୂତି।
ଭଲ ଲପାଇବାର ଅର୍ଥ ଏହା ନୁହେଁ ଯେ ତୁମେ ସଦା ସର୍ବଦା ତୁମ ପ୍ରେମିକାଙ୍କୁ ପାଇବ । ପ୍ରେମର ସତ୍ୟ ଅର୍ଥ ହେଉଛି ତ୍ୟାଗ । ତୁମ କାହାଣୀ ଏହାକୁ ପୂରାପୁରି ଦେଖାଉଛି ।
ଆପଣଙ୍କ ପ୍ରେମ ସମ୍ପୂର୍ଣ୍ଣ ସଫଳ ସେଥିପାଇଁ ତ ସେ ଆଜି ମଧ୍ୟ ଆପଣଙ୍କ ପାଖରେ ଚିର ସ୍ମରଣୀୟ 🙏
It’s a beautifully written love story, and the manner in which you’ve presented it in this article is truly commendable.
Oh wow! Such a lovely love story!
Real and inspiring stories for today’s AI Generation
Very romantic story
“Such a beautiful love story! It’s amazing how deeply two souls can be connected — beyond words, distance, or time. This story truly touches the heart . Love actual meaning is sacrifice.love never dies.