
ଆଜିକୁ ୨୫ ବର୍ଷ ତଳେ, ଅର୍ଥାତ୍ ୨୦୦୧ ମସିହାରେ, ‘ପାନ ଓ ପ୍ରିୟତମା’ ଯେତେବେଳେ ପ୍ରଥମଥର ପାଇଁ ପ୍ରକାଶ ପାଇଲା, ସେତେବେଳେ ଏହା ପାଠକ ମହଲରେ ଚହଳ ପକାଇ ଦେଇଥିଲା। ଏହାପରେ ଏକ ଉତ୍କୃଷ୍ଟ ପ୍ରବନ୍ଧସାହିତ୍ୟ ଭାବରେ ଏହା ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହେବାର ଗୌରବ ଅର୍ଜନକଲା। ଇତି ମଧ୍ୟରେ ଏହାର ଅନେକ ପୁନର୍ମୁଦ୍ରଣ ହୋଇସାରିଥିଲେ ହେଁ, ବୈଷ୍ଣବ ବାବୁ ଏହାକୁ ନବକଳେବର ଦେଇ ଏକ ପରିବର୍ଦ୍ଧିତ ସଂସ୍କରଣ ଭାବରେ ପୁନଃପ୍ରକାଶ କରିଛନ୍ତି ଚଳିତ ବର୍ଷ। ଏହି ସଂସ୍କରଣରେ ବେଶ କିଛି ମୂଲ୍ୟ ସଂଯୋଜନ (ଭାଲ୍ୟୁ ଆଡିସନ୍) ଏହାର ଗୁରୁତ୍ୱ ଆହୁରି ବଢ଼ାଇଦେଇଛି। ପ୍ରଥମ ସଂସ୍କରଣଟିର ପୃଷ୍ଠା ସଂଖ୍ୟା ୩୯୪ ଥିବା ବେଳେ ଏବେ ଏହାର ପୃଷ୍ଠା ସଂଖ୍ୟା ୫୧୨। ତଥ୍ୟ ଓ ଭାବବିନ୍ୟାସ ଉଭୟର ଅତିରିକ୍ତ ସଂଯୋଜନ ଏହି ସଂସ୍କରଣଟିକୁ ଅଧିକ ପାଠକୋପଯୋଗୀ କରିଛି। ଗୋଟିଏ ବାକ୍ୟରେ କହିଲେ, ଏହି ‘ପାନ ଓ ପ୍ରିୟତମା’ ହେଉଛି ପାନ ସମ୍ପର୍କୀୟ ଏକ ୩୬୦ ଡ଼ିଗ୍ରୀର ବୃତ୍ତାନ୍ତ। ପାନ ସହିତ ସଂପୃକ୍ତ ସମସ୍ତ ଦିଗ, ବିଶେଷତଃ ବିଜ୍ଞାନ ଓ କୃଷିଠାରୁ ନେଇ କଳା, ସାହିତ୍ୟ ଓ ସଂସ୍କୃତି ପର୍ଯ୍ୟନ୍ତ ସମସ୍ତ ସମ୍ଭାବ୍ୟ ପ୍ରସଙ୍ଗ ଏଥିରେ ସ୍ଥାନିତ କରିବାରେ ଲେଖକ କାର୍ପଣ୍ୟ କରିନାହାନ୍ତି। ଏହାର ସୂଚୀପତ୍ରରେ ଥିବା ଶିରୋନାମାଗୁଡ଼ିକର ତାଲିକାରୁ ଏହା ବିଷୟରେ ସ୍ପଷ୍ଟ ସୂଚନା ମିଳେ, ଯେମିତି, ‘ବିଲେ ଗାଏ ଚଷା, ଅନ୍ତଃପୁରେ ଯୋଷା’, ‘ପାନ ପ୍ରିୟ ଜଗନ୍ନାଥ’, ‘ବିନା ଚାଷରେ ପାନ’, ‘ବିନାଶ୍ରୟଂ ନ ବର୍ତ୍ତନ୍ତେ’, ‘ଗୁଆ ଖାଇବ କଷା’, ‘ପାନ ଆନ୍ଦୋଳନ’ ଓ ‘ପାନ ପ୍ରଶ୍ନାବଳୀ’ ଇତ୍ୟାଦି।
‘ଲେଖିବାର କାରଣ ଏହିକି’ ଶୀର୍ଷକ ପୁସ୍ତକଟିର ମୁଖବନ୍ଧରେ ଲେଖକ ପାନର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି ଅତି ପ୍ରଭାବଶାଳୀ ଭାବରେ। ସେ ଲେଖିଛନ୍ତି, “ପାନ ଆଉ କାହା ପାଇଁ କେବଳ ପାନ ହୋଇପାରେ, କିନ୍ତୁ ଆମ ଓଡ଼ିଆଙ୍କ ପାଇଁ ପାନ ହେଉଛି ‘ପ୍ରାଣ’। ପାନ କେବଳ ଆମ ଓଡ଼ିଆଙ୍କ ବଟାରେ ପଶିନି କି ବଟୁଆରେ ପଶିନି, ପାନ ପଶିଛି ଆମ ପରମ୍ପରାରେ, ଆମ ପୂଜା ପାର୍ବଣରେ, ଆମ ପ୍ରୀତି ପ୍ରଣୟରେ।”
ଏହି ଦ୍ୱିତୀୟ ସଂସ୍କରଣରେ ଯୋଡ଼ାଯାଇଥିବା ନୂତନ ଅଧ୍ୟାୟ ଗୁଡ଼ିକ ମଧ୍ୟରେ ଅଛି, ‘ଆୟୁର୍ବେଦରେ ପାନ’, ‘ନିମିତ୍ତମାତ୍ରଂ ଭବ କୁଳପତି’, ଓ ‘ତାମ୍ବୁଳ ଶବ୍ଦକୋଷ’। ଶେଷୋକ୍ତ ଏହି ୬୭ ପୃଷ୍ଠା ବ୍ୟାପୀ ଶବ୍ଦକୋଷଟିରେ ଲେଖକ ପାନ ସହିତ ଜଡ଼ିତ ବିଭିନ୍ନ ଶବ୍ଦରାଜିକୁ ବର୍ଣ୍ଣାନୁକ୍ରମେ ତାଲିକାଭୁକ୍ତ କରି ସେଗୁଡ଼ିକର ଅର୍ଥ ବା ମର୍ମକୁ ସରଳ ଭାବରେ ସୂଚାଇଦେଇଛନ୍ତି। ଏପରିକି ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ପାନ ସମ୍ପର୍କୀୟ କେତେକ ଶବ୍ଦ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ବହିଟିର ମୁଖ୍ୟ ବିଭାବ ହେଲା ଏହାର ସାହିତ୍ୟିକ ଉତ୍କର୍ଷ। ବିଭିନ୍ନ ଲୋକୋକ୍ତି, ଉଦ୍ଧୃତି ଓ ବର୍ଣ୍ଣନା ଜରିଆରେ ଏଥିରେ ଆମ ଭାଷାର ଗଦ୍ୟଶୈଳୀକୁ ଏକ ନୂଆ ପରିଚୟ ଦେବାପାଇଁ ଉଦ୍ୟମ କରିଛନ୍ତି ଲେଖକ।
ଆଲୋଚ୍ୟ ପୁସ୍ତକଟିର ଅନ୍ୟ ଏକ ଆକର୍ଷଣୀୟ ଦିଗ ହେଲା, ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବଙ୍କ ମହାରଥାଙ୍କ ଦ୍ୱାରା ଏହାର ଅଳଙ୍କରଣ। ଏହାର ଅଧିକାଂଶ ପୃଷ୍ଠାରେ ଶ୍ରୀଯୁକ୍ତ ମହାରଥାଙ୍କ ଦ୍ୱାରା ସୃଷ୍ଟ ଉଚ୍ଚକୋଟୀର ରେଖାଚିତ୍ର ସ୍ଥାନ ପାଇଛି। ଅନେକ ପୃଷ୍ଠା ମଧ୍ୟ ପାନ ସମ୍ପର୍କିତ ବିଭିନ୍ନ ଦ୍ରବ୍ୟର ବହୁ ଫଟୋଗ୍ରାଫ୍ ଦ୍ୱାରା ସୁଶୋଭିତ। ମୁଦ୍ରଣ ପରିପାଟୀ ଓ ପ୍ରଚ୍ଛଦପଟ ସୁଦୃଶ୍ୟ ନିଶ୍ଚୟ; ତେବେ ଯାହା ମନେହୁଏ, ପ୍ରକାଶକ ଓ ଲେଖକଙ୍କ ଅଥକ ପ୍ରୟାସ ସତ୍ତ୍ୱେ ଏଥିରେ ଅଳ୍ପ କିଛି ମୁଦ୍ରାଗତ ତ୍ରୁଟି ମଧ୍ୟ ଅନୁପ୍ରବେଶ କରିଯାଇଛି; ପରବର୍ତ୍ତୀ ସଂସ୍କରଣଗୁଡ଼ିକରେ ଏଥିପ୍ରତି ଆଉ ଟିକିଏ ସତର୍କତା ଲୋଡ଼ା।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଜଣେ ଚମତ୍କାର ଲେଖକର ଜୀବନକାଳରେ ହିଁ ତା’ର ସାଧାରଣ ପାଠକ ଟିଏ ଜୀଇଁଥିବା କୁଆଡ଼େ ସେଇ ପାଠକ ପାଇଁ, ଆଉ ଏକ ଚମତ୍କାର କଥା ।
ବୈଷ୍ଣବ ଚରଣ ମହାନ୍ତିଙ୍କ ସହ ମୋର ବ୍ଯକ୍ତିଗତ ପରିଚିତି ନାହିଁ । ହେଲେ, ତାଙ୍କ ସମୟରେ ମୁଁ ନିଜେ ବଂଚିଥିବାର ଏଇ ସୌଭାଗ୍ଯକୁ ନିଶ୍ଚିତ ଭାବରେ ମୋ ନିଜର “ଏକ ଅଦ୍ଭୁତ ସଂଯୋଗ ତିଆରି ଆତ୍ମ- ପରିଚୟ” ଠାରୁ କିଛି କମ୍ ମନେ କରୁନି ।
ଭାବୁଛି, ତାଙ୍କ ସହ ଫୋନ୍ ରେ ପ୍ରଥମେ ପରିଚିତ ହେବି ।
ତାଙ୍କ ଘରକୁ ଯିବାର ନାନାଦି ଆଳ କରିବି ।
ତାଙ୍କଠାରୁ ତାଙ୍କର ଏଇ ବହି ଟି ପଢ଼ିବା ପାଇଁ ମାଗି ଆଣିବି ।
ପଢ଼ିବି, କିନ୍ତୁ, ଆଉ ଫେରେଇବି ନାହିଁ ।
କହିବି, ମୁଁ ଧୀରେ ଧୀରେ ପଢ଼େ ।
କହିବି, ଅନେକ କଥା ଅଛି, ଯାହା ସରେନି ।
କହିବି, ସାରିନି, ଏ ଯାଏଁ ବି, ସାରିନି ।
କିଛିଦିନ ପରେ, ଦିନେ, ତାଙ୍କ ଫୋନ୍ ଆଉ
ଉଠେଇବି ନାହିଁ ।
୨ ।
ଜଣେ ଲେଖକ ତା’ ବହିର କେବଳ ଗୋଟେ ସମୀକ୍ଷା ପଢ଼ିଥିବା ପାଠକକୁ କେମିତି ପ୍ରଲୋଭିତ କରି ତା’ଭିତରେ ଲୋଭନୀୟ ଦୁଷ୍ଟ ଇଛା ସବୁ ତିଆରି କରିଦେଇପାରେ, ସେଇ କଥା ଭାବି ଭାବି ଏତକ ଲେଖିଦେଲି ।
୩ ।
ଉଭୟଙ୍କୁ — ଲେଖକଙ୍କୁ ଓ ସମୀକ୍ଷକଙ୍କୁ – କ୍ଷମା ମାଗୁଛି ।।