
ବର୍ତ୍ତମାନ ତ ପାର୍ବଣ ଋତୁ; ଏହି ବେଳରେ ଆମ ସାରସ୍ୱତ ଜଗତରେ ପୂଜାସଂଖ୍ୟାମାନେ ବିରାଜିତ ହେବେ ବିବିଧ ରୂପରେ, କିଏ ପୃଥୁଳକାୟ ତ କିଏ କ୍ଷୀଣକାୟ, କିଏ ମହରଗ ତ କିଏ ସୁଲଭ, କିଏ ପୁଣି ବହୁରଙ୍ଗୀ ତ କିଏ କଳା ଓ ଧଳା; ବିଭିନ୍ନ ଛଇ, ବିଭିନ୍ନ ଛଟକ। ୧୯୫୧ ମସିହାରେ ଯେତେବେଳେ ‘ଆସନ୍ତାକାଲି’ ପତ୍ରିକା ବଙ୍ଗଳା ଭାଷାରୁ ଏହି ଧାରାଟି ଆହରଣକରି ଓଡ଼ିଆ ଭାଷାରେ ପୂଜାସଂଖ୍ୟାର ଏକ ନୂଆ ପରମ୍ପରା ଆରମ୍ଭ କଲା, ସେତେବେଳେ ଜଣା ନ ଥିଲା ଯେ କାଳକ୍ରମେ ଏହା ଓଡ଼ିଶାର ପତ୍ରିକା ବଜାରରେ କେବଳ ପୂଜାସଂଖ୍ୟା, ଶାରଦୀୟ ସଂଖ୍ୟା ବା ପାର୍ବଣ ସଂଖ୍ୟା ଭାବରେ ହିଁ ନୁହେଁ, ବରଂ ମହାପୂଜା ବା ବମ୍ପର ସଂଖ୍ୟାର ଆଖ୍ୟା ନେଇ ଦିନେ ନିଜର ପରିଚୟ ଜାହିର କରିବ।
ତେବେ ସେ ଯାହା ହେଉ, ଆମ ପତ୍ରିକାର ଚଳିତ ସଂଖ୍ୟାଟିକୁ ଆମେ ଏକ ପୂଜାସଂଖ୍ୟା ଭାବରେ ପ୍ରକାଶ ନ କରି, ସଂପୃକ୍ତ ମାସଟିର ନାମାନୁସାରେ ଅକ୍ଟୋବର ସଂଖ୍ୟା ଭାବରେ ହିଁ ଉପସ୍ଥାପନ କରିଛୁ, ଯଦିଓ ପାର୍ବଣ ଋତୁର ମିଜାଜକୁ ଦୃଷ୍ଟିରେ ରଖି ଦେବୀ ଉପାସନା ସମ୍ପର୍କୀୟ ରଚନା ମଧ୍ୟ ଏଥିରେ ସ୍ଥାନିତ ହୋଇଛି।
କିଛିଦିନ ତଳେ ‘ଆସନ୍ତାକାଲି’ ପତ୍ରିକାର ଶେଷତମ ସମ୍ପାଦକ, ବର୍ଷୀୟାନ ସ୍ରଷ୍ଟା ଶ୍ରୀଯୁକ୍ତ କାଳୀଚରଣ ଦାସଙ୍କ ସହିତ ଆମକୁ ଯେତେବେଳେ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଲା, ଆମେ ତାଙ୍କୁ ସ୍ୱତଃ ଗୋଟିଏ ପ୍ରଶ୍ନ ପଚାରିବସିଲୁ: “ଆପଣଙ୍କ ପତ୍ରିକା ତ ପ୍ରାୟ ୭୫ ବର୍ଷ ତଳେ ଓଡ଼ିଶାରେ ପୂଜାପତ୍ରିକାର ମୂଳଦୁଆ ପକାଇଥିଲା; ତେବେ କୁହନ୍ତୁ, ଏହି ପରମ୍ପରା ଏବେ ଯେଉଁ ସ୍ଥିତିରେ ଆସି ପହଞ୍ଚିଛି, ତାହାର କିଛି ଯଥାର୍ଥତା ଥିବାର ଆପଣ ମନେକରନ୍ତି କି?” ଏଥିକୁ ତାଙ୍କର ସ୍ପଷ୍ଟ ଉତ୍ତର ଥିଲା, “ନା, ଏହାର କିଛି ଯଥାର୍ଥତା ନାହିଁ। ଏତେଗୁଡ଼ିଏ ପତ୍ରିକା ଏକାଥରେ କିଏ ପଢ଼ୁଛି? ଦୁର୍ଗାପୂଜା ଅବସରରେ ପୂଜାସଂଖ୍ୟା ପ୍ରକାଶ କରିବାର ପ୍ରାସଙ୍ଗିକତା ସେତେବେଳେ ଯେମିତି ଥିଲା, ଏବେ ଆଉ ତାହା ନାହିଁ।” ତାଙ୍କର ଏହି ମତ ଆମକୁ ଏ ବିଷୟରେ ଆହୁରି ଅଧିକ ଭାବିବାକୁ ପ୍ରେରିତ କଲା, ଯାହାର ପରିଣାମରେ ଆମର ସହକର୍ମୀମାନେ ଆରମ୍ଭ କଲେ ଏକ ପାଠକ-ସର୍ଭେ। ଆମେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ପାଠକଙ୍କ ସହିତ ଫୋନ୍ଯୋଗେ ସମ୍ପର୍କ ସ୍ଥାପନ କରି ଓଡ଼ିଆ ପତ୍ରପତ୍ରିକାର ପୂଜାସଂଖ୍ୟା ବିଷୟରେ କିଛି ପ୍ରଶ୍ନର ଉତ୍ତର ଦେବା ପାଇଁ ସେମାନଙ୍କୁ ଅନୁରୋଧ କଲୁ।
ଏହି ସର୍ଭେରେ ଭାଗନେଇଥିବା ପାଠକମାନଙ୍କଠାରୁ ପାଇଥିବା ମତଗୁଡ଼ିକୁ ଗଣନା କରିବା ପରେ କେତେକ ରୋଚକ ତଥ୍ୟ ଆମ ସାମନାକୁ ଆସିଲା; ଯେପରିକି, ୮୫% ପାଠକ କହିଥିଲେ ଯେ ସେମାନେ ଗତ ବର୍ଷ ଏକାଧିକ ପୂଜା ସଂଖ୍ୟା କିଣିଥିଲେ ମଧ୍ୟ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପଢ଼ି ଶେଷ କରିପାରି ନଥିଲେ। ୮୧% ପାଠକ ସୂଚାଇଥିଲେ ଯେ ମୋଟା କଳେବରଯୁକ୍ତ ପୂଜାପତ୍ରିକା ସେମାନେ ପସନ୍ଦ କରନ୍ତି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଆମେ ସେମାନଙ୍କୁ ପଚାରିଥିବା ଶେଷ ପ୍ରଶ୍ନଟି, ‘ପୂଜାସଂଖ୍ୟା ଦ୍ୱାରା ଓଡ଼ିଆ ସାହିତ୍ୟର କିଛି ଉପକାର ସାଧିତ ହେଉଛି କି?’ ଯାହାର ନାସ୍ତିସୂଚକ ଉତ୍ତର ଆସିଥିଲା ୭୭% ପାଠକଙ୍କଠାରୁ। ଏଥିରୁ ଆମର ଧାରଣା ହେଲା ଯେ, ଓଡ଼ିଆ ପତ୍ରିକାଜଗତର ଆତ୍ମସମୀକ୍ଷା କରିବାର ବେଳ ବୋଧହୁଏ ଆସିଯାଇଛି।
ଆମେ ଜାଣୁ, କିଭଳି ଗତ କରୋନାକାଳ ପତ୍ରପତ୍ରିକାମାନଙ୍କ ପୂଜାସଂଖ୍ୟା ପରମ୍ପରାର ମେରୁଦଣ୍ଡ ଭାଙ୍ଗିଦେଇଥିଲା। ସେହି ଦୁଃସମୟରେ ଅନେକ ପତ୍ରିକା ନିଜର ପୂଜାସଂଖ୍ୟା ପ୍ରକାଶ କରିପାରି ନଥିଲେ। ଏବେ ସେହି ଭୟାବହ ମହାମାରୀର ଯବନିକା ପଡ଼ିଥିଲେ ହେଁ ପତ୍ରିକାମାନେ ନିଜ ପୂର୍ବର ସ୍ୱାସ୍ଥ୍ୟ ପୂର୍ଣ୍ଣ ରୂପରେ ଫେରିପାଇ ନାହାନ୍ତି। ଏହା ନିଶ୍ଚିତ ଭାବରେ ଉଦ୍ବେଗର ବିଷୟ।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଓଡ଼ିଶାରେ ଏହି ପରମ୍ପରା ଆସନ୍ତାକାଲି ଆରମ୍ଭ କରିଥିଲା ବୋଲି ଏବେ ଜାଣି ଖୁସି ହେଲି। ମୁଁ ଅଷ୍ଟମ ଶ୍ରେଣୀରୁ ଏହି ପତ୍ରିକାର ପାଠକ। ବାବା ଏହି ପତ୍ରିକା ଆଣୁଥିଲେ। ଅନେକ ମୋ ପାଖରେ ସ୍ନାତକୋତ୍ତର ସମୟ ଯାଏଁ ଥିଲା। ଘର ପରିବର୍ତ୍ତନ ସମୟରେ ସେ ସବୁ ଉଇର ଖାଦ୍ୟ ବନିଗଲା, ନବଭାରତ ପତ୍ରିକା ଓ ରସଚକ୍ର ପତ୍ରିକା ସହ।
ମୋର ଧାରଣା ଥିଲା ବିଷୁବ ମିଳନ ପରି ପାର୍ବଣ ସଂଖ୍ୟା ଝଙ୍କାର ପତ୍ରିକା ଆରମ୍ଭ କରିଥିଲା ବୋଲି।
ପୂଜା ପତ୍ରିକା ସମ୍ପର୍କରେ ସମ୍ପାଦକଙ୍କ ମତାମତ ବା ଲେଖା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ମୁଁ ପ୍ରତିବର୍ଷ ପୂଜା ସମୟରେ ଘରର ଅନ୍ୟାନ୍ୟ ସାମଗ୍ରୀ କ୍ରୟ କଲାଭଳି ପୂଜା ପତ୍ରିକା ପ୍ରାୟ ୧୨ଶହରୁ ୧୫ଶହ ଟଙ୍କାର କିଣିଥାଏ। ଏଥିପାଇଁ କିଣିଥାଏ ଯେ, ପତ୍ରିକା ବଞ୍ଚିରହୁ ଏବଂ ବିକ୍ରେତା କିଛି ରୋଜଗାର କରୁ, ଏହା ସହିତ କିଛି ନୂତନ ଲେଖା ପଢ଼ିବାର ଇଚ୍ଛା ମଧ୍ୟ ଥାଏ। ମୁଁ ମଧ୍ୟ କୌଣସି ବର୍ଷ ସମ୍ପୂର୍ଣ୍ଣ ପୂଜା ସଂଖ୍ୟା ପତ୍ରିକା ପଢ଼ିବା ସମ୍ଭବ ହୋଇ ନଥାଏ। ମୋ ମତ ଅନୁସାରେ କିଛି ପତ୍ରିକା ଏହି ସମୟରେ ସରକାରୀ ଓ ବେସରକାରୀ ବିଜ୍ଞାପନ ପାଇବା ଉଦ୍ଦେଶ୍ୟରେ ଏବଂ ଏହା ମାଧ୍ୟମରେ ଆର୍ଥିକ ସହାୟତା ନେଇ ପରବର୍ତ୍ତୀ ସଂଖ୍ୟା ବାହାର କରିବା ପାଇଁ ଉଦ୍ୟମରେ ଥାଆନ୍ତି। ଅନ୍ୟ କିଛି ପତ୍ରିକା କିଛି ନୂତନ ଲେଖକ ଓ ନୂତନ ସ୍ୱାଦର ଲେଖା ପ୍ରକାଶିତ କରିବା ପାଇଁ ମଧ୍ୟ ଉଦ୍ୟମ କରିଥାଆନ୍ତି। ସେ ଯାହାହେଉ ପୂଜାସଂଖ୍ୟା ପ୍ରକାଶନ ନିଶ୍ଚିତଭାବେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏକ ସକାରାତ୍ମକ ଉଦ୍ୟମ ବୋଲି ମୋର ମତ। କିଏ କ’ଣ କରୁଛି ତାହା ଭିନ୍ନ କଥା, କିନ୍ତୁ ପତ୍ରିକା ପ୍ରକାଶିତ ହେଉ, ବିକ୍ରୟ ହେଉ ଏବଂ ପାଠକ ଏହାକୁ ପଢ଼ି ମତାମତ ଦେବାର ବ୍ୟବସ୍ଥା କରାଯାଉ, ଏହା ହେଉଛି ବଡ଼କଥା। କାରଣ ବହୁଳ ପଠିତ ଲେଖକଙ୍କ ସବୁ ଲେଖା ଯେ ବହୁଳ ପଠିତ ହେବ ଏବଂ ଅଳ୍ପ ପଠିତ ଲେଖକଙ୍କ ସବୁ ଲେଖା ଯେ ଅଳ୍ପ ପଠିତ ହେବ ତାହା ନୁହେଁ।