ଟ୍ରମ୍ପ୍ ସାହେବ ଗର୍ଜନ କଲେ ସାହିତ୍ୟ ଚର୍ଚ୍ଚା ମାଗାଜିନ୍ର ସବୁ କପି କିଣି ନିଆଁ ଜାଳିଦିଅ। ତା ଉପରେ କଡ଼ା ଟାରିଫ୍ କଷିଦିଅ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଭାରତୀୟ ଉତ୍ପାଦ ଉପରେ ୫୦% ଶୁଳ୍କ ଲଦିଦେଲେ, କେହି ଭାବିନଥିଲେ ଯେ ଓଡ଼ିଆ ସାହିତ୍ୟ ଉପରେ ତା’ର କୌଣସି ପ୍ରଭାବ ପଡ଼ିବ। ଆମଦାନୀ ରପ୍ତାନିର ଜଟିଳ ଗଣିତ ସହିତ ସାହିତ୍ୟର କି ସମ୍ପର୍କ? କିନ୍ତୁ ଦୁଃଖର କଥା ଯେ ସେପରି ହେଲାନାହିଁ। ଏବେ ଓଡ଼ିଶାର ସବୁ ସାହିତ୍ୟ ପ୍ଲାବିତ ଗଳିକନ୍ଦିରେ କେଉଁଠି ହାହାକାର ପଡ଼ିଲାଣି ତ କେଉଁଠି ଟ୍ରମ୍ପ-ସୁଲଭ ଅଟ୍ଟହାସ୍ୟ ଶୁଭିଲାଣି। ଓଡ଼ିଆ ସାହିତ୍ୟ ଉପରେ ଏହି ଆମେରିକୀୟ ଦୌରତ୍ମ୍ୟର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ବିଷୟରେ ବର୍ତ୍ତମାନ ଏକ ଆଲୋଚନା ନିହାତି ଦରକାର।
ଓଡ଼ିଆ ସାହିତ୍ୟ ଏକ ରଣନୀତିକ ଆମଦାନୀ ବୋଲି ଆମେରିକାରେ ବର୍ଗୀକୃତ ହୋଇଛି। ଫେଡେରାଲ୍ ରିଜର୍ଭ୍ ବୋର୍ଡର ମତ ହେଉଛି ଯେ ଭାରତ ଭୂଖଣ୍ଡରୁ ଓଡ଼ିଆ ଭାଷାରେ ନିର୍ଗତ ସାହିତ୍ୟ ଓ ତାର ରପ୍ତାନି ସ୍ରୋତ ଏକପ୍ରକାର ଶୀତଳ ଯୁଦ୍ଧର କୌଶଳ ମାତ୍ର। ଏଫ୍.ବି.ଆଇର ଚତୁର ଗୋଇନ୍ଦାମାନେ ସପ୍ରମାଣ ସୂଚାଇ ଦେଉଛନ୍ତି ଯେ ଏବେ ଆମେରିକାରେ ମଧ୍ୟ ଓଡ଼ିଆ ସାହିତ୍ୟ ସୃଷ୍ଟି, ପ୍ରକାଶନ ଓ ପ୍ରଦର୍ଶନ ହେଉଥିବାରୁ ଆମେରିକାନ୍ମାନେ ଏହି ସ୍ଵାଦ ଚାଖି ସାରିଲେଣି। ତେଣୁ ସେମାନେ ଏବେ ସେହି ସ୍ୱାଦର ବିଭିନ୍ନ ବ୍ୟଞ୍ଜନ ପାଇଁ ବ୍ୟାକୁଳ ଏବଂ ଭାରତ ଉପରେ ନିର୍ଭରଶୀଳ। ଟ୍ରମ୍ପଙ୍କ ବିଚାରରେ ଏବେ ସାରା ପୃଥିବୀର ଜନତା ଆବଶ୍ୟକତାଠୁ ଅଧିକ ପରିମାଣରେ କବିତା ପଢ଼ିବାକୁ ପାଉଛନ୍ତି, ଯା’ର ବ୍ୟାବସାୟିକ ବିନିମୟ ଡଲାର ମାଧ୍ୟମରେ ହେଉଥିବାରୁ ୟୁକ୍ରେନରୁ ରୁଷିଆ ହଟିବାର ଚେଷ୍ଟା ମଧ୍ୟ କରୁନାହିଁ। ଏପରି ସ୍ଥିତି ଆମେରିକା ପାଇଁ ଆଦୌ ଗ୍ରହଣୀୟ ନୁହେଁ।
କବିମାନଙ୍କର ଭାଳେଣି
ଓଡ଼ିଆ କବିତାର ଦୁର୍ଦ୍ଦଶା ଦୃଷ୍ଟିରୁ ପାଶ୍ଚାତ୍ୟ ବିପଣୀରେ ଓଡ଼ିଶାର ଶୁଳ୍କ ପ୍ରପୀଡ଼ିତ କବିତାର ମୂଲ୍ୟବୃଦ୍ଧି ଅବଶ୍ୟମ୍ଭାବୀ ଜାଣି ଦେଶୀ ବଜାରରେ ମଧ୍ୟ କବିମାନେ ଖୁବ୍ ଚିନ୍ତାଗ୍ରସ୍ତ। ଦେଶୀ-ବିଦେଶୀ ଅର୍ଥନୀତିର ଭାରସାମ୍ୟ ରକ୍ଷା କରିବା ପାଇଁ ଓଡ଼ିଆ କବିତା ଉପରେ ପ୍ରଖର ଜି.ଏସ.ଟି ଓ ତଦୁପରି ସରଚାର୍ଜ୍ ଲଦା ହୋଇସାରିଛି। ଆଗରୁ ଚା’ ଖଟିରେ ପାଞ୍ଚ ଟଙ୍କିଆ କପେ ଚା’ ବଦଳରେ ସନେଟ୍ ଶୁଣିବା ପାଇଁ କବିଙ୍କୁ ଶ୍ରୋତାଟିଏ ମିଳିଯାଉଥିଲା। ଏବେ ଶ୍ରୋତାମାନେ ଜି.ଏସ.ଟି ମିଶ୍ରିତ ଉଚ୍ଚା ଦର ହାଙ୍କିଲେଣି। ସାଧାରଣ ତିନି ଧାଡ଼ିଆ ‘ହାଇକୁ’ଟିଏ ଶୁଣିବା ପାଇଁ ମଧ୍ୟ ପଚାଶ ଟଙ୍କିଆ ଫିଲ୍ଟର୍ କଫି ଦାବୀ କଲେଣି। ବିଚରା କବିମାନେ ଏବେ କରିବେ କଣ? ତେବେ ଆଶ୍ଵାସନାର ବିଷୟ ଯେ ଏହି ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ସାହିତ୍ୟ ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବଗୁଡିକରେ ବକ୍ତାମାନେ ଆଶା ପ୍ରକଟ କରିଛନ୍ତି।

କ୍ଷୁଦ୍ରଗଳ୍ପ ହୋଇଯାଉଛି କ୍ଷୁଦ୍ରତର
ଫିକ୍ସନ ଲେଖକମାନଙ୍କ ପାଖରେ ଖବର ପହଞ୍ଚିଲାଣି ଯେ ତାଙ୍କ କଳ୍ପନା ପ୍ରସୂତ ଗଦ୍ୟର ପ୍ରତ୍ୟେକ ଶବ୍ଦକୁ ଗଣି ତା’ ଉପରେ ଆମେରିକା ଟାରିଫ୍ ହିସାବ କରିବ। ତେଣୁ ଏବେ ଓଡ଼ିଆ ଗଳ୍ପଗୁଡ଼ିକର କାୟା ସଙ୍କୁଚିତ ହେବାରେ ଲାଗିଛି। ଏଥିପାଇଁ ଡୋନାଲ୍ଡ ଟ୍ରମ୍ପ୍ ହିଁ ଦାୟୀ। ଶବ୍ଦ ସଂଖ୍ୟା ହ୍ରାସ କରି ଉତ୍କୃଷ୍ଟ ଗଦ୍ୟ ପ୍ରସବ କରିବା ଏବର ସଦ୍ୟତମ ବହୁଚର୍ଚ୍ଚିତ କୌଶଳ। ଯେଉଁମାନେ ଆଗରୁ ନିଜର ଗଳ୍ପ ଆଗରେ ଲାଗୁଥିବା ‘କ୍ଷୁଦ୍ର’ ଶବ୍ଦକୁ ନାପସନ୍ଦ କରୁଥିଲେ ସେମାନେ କ୍ରମଶଃ ମିନିଗଳ୍ପ, ଅଣୁଗଳ୍ପ ପ୍ରଭୃତି ପାହାଚଗୁଡ଼ିକରେ ଅବତରଣ କରି ଏବେ ପରମାଣୁ ଗଳ୍ପ ସ୍ତରରେ ପହଞ୍ଚି ଗଲେଣି। ତାହା ଆହୁରି ସଙ୍କୁଚିତ ହୋଇ ପ୍ରୋଟନ୍ ଗଳ୍ପ ଓ ନ୍ୟୁଟ୍ରନ୍ ଗଳ୍ପ ନାମରେ ଜନ୍ମିବାର ସମ୍ଭାବନା ଦିଶିଲାଣି। ଏଠାରେ ଗୋଟିଏ ନମୁନା ପରିବେଷଣ କରିବା ସମୀଚୀନ ହେବ:
ଯୁବକ ସହିତ ଯୁବତୀର ସାକ୍ଷାତ ହେଲା।
ଚାରି ଚକ୍ଷୁର ମିଳନ ହେଲା।
(ଟାରିଫ୍ ଆସିଗଲା, ଗଳ୍ପ ସରିଗଲା।)
ଔପନ୍ୟାସିକମାନେ ପ୍ରମାଦ ଗଣିଲେଣି
ଟାରିଫ୍ ଲଗୁହେବା ପୂର୍ବରୁ ନିଜ ଉପନ୍ୟାସର ବିକ୍ରୟ ସଂଖ୍ୟା ସାତରୁ ଉପରକୁ ନେବା ପାଇଁ ଗଭୀର ଅଧ୍ୟବସାୟ, ନିଷ୍ଠା ଓ ନିରବଚ୍ଛିନ୍ନ ପ୍ରଚାର ଆବଶ୍ୟକ ହେଉଥିଲା। ଏବେ ଉତ୍ତର-ଟାରିଫ୍ କାଳଖଣ୍ଡରେ ସେହି ସଂଖ୍ୟା କେଉଁ ଦିଗରେ ଅଗ୍ରସର ହେବ ତାହା ଅନିଶ୍ଚିତ। ଜଣେ ଅଧିକ ଅମଳକ୍ଷମ ଔପନ୍ୟାସିକ ବିଳାପ କରି କହିଲେ, ‘ଆମେ ପ୍ରତିଯୋଗିତା କରିବୁ କିପରି? ମୋ’ର ସାଢ଼େ ତିନିଶହ ପୃଷ୍ଠାର ବେଦନା-ବିଧୁର ପ୍ରେମ କାହାଣୀ ଉପରେ ଏବେ ଇମ୍ପୋର୍ଟେଡ୍ ସ୍କଚ୍ ହ୍ବିସ୍କି ପରି ଶୁଳ୍କ ଲାଗୁ ହୋଇଗଲାଣି।’ ଏ ବିଷୟରେ ଆମେରିକାର ଭାରତସ୍ଥିତ ଦୂତାବାସ ସ୍ପଷ୍ଟୀକରଣ ଦେଇ ଘୋଷଣା କରିଛନ୍ତି, ‘ଆମେ ଓଡ଼ିଆ ଉପନ୍ୟାସର ବିରୋଧୀ ନୋହୁଁ। ଆମକୁ ଖବର ମିଳିଛି ଯେ ଅଧୁନା ଆମେରିକାନ୍ ଯୁବକମାନେ କିଣ୍ଡଲ୍ରେ ଫକୀରମୋହନ ସେନାପତିଙ୍କୁ ପଢୁଛନ୍ତି। ତେଣୁ ଆମକୁ ବାଧ୍ୟହୋଇ କେତେକ ସତର୍କତା ଅବଲମ୍ବନ କରିବାକୁ ପଡୁଛି। ନହେଲେ ୟୁକ୍ରେନରେ ଯୁଦ୍ଧ କିପରି ସମାପ୍ତ ହେବ?’
ନାଟ୍ୟକାରମାନଙ୍କ ମୁଣ୍ଡରେ ଅକାଳ ଚଡ଼କ
ନାଟ୍ୟକାରମାନେ ଏବେ ହତାଶ ଓ ବିଷାଦଗ୍ରସ୍ତ। ଟ୍ରମ୍ପ୍ଙ୍କ ଟାରିଫ୍ ନୀତି ଅନୁଯାୟୀ ନାଟକର ସଂଳାପ ମଧ୍ୟରେ ରହୁଥିବା ପ୍ରତ୍ୟେକ ବିରତିକୁ ଷ୍ଟପ୍ ୱାଚ୍ ରେ ମପାଯାଇ ତା’ ଉପରେ ସେକେଣ୍ଡ ପିଛା ନର୍ଦ୍ଧାରିତ ଦରରେ ଶୁଳ୍କ ହିସାବ କରାଯିବ। ତେଣୁ ବିଚରା ନାୟିକା ନିଜର ବିରହ ବେଦନା ବ୍ୟକ୍ତ କରିବା ପାଇଁ ଯଦି ମଞ୍ଚ ଉପରେ ଟିକେ ଲମ୍ବା ସମୟ ନୀରବ ରହିଯାଏ ତେବେ ଦର୍ଶକମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ। ଅତଏବ ଦର୍ଶକମାନେ କ୍ରେଡିଟ୍ କାର୍ଡ ଓ ୟୁ.ପି.ଆଇ ଭଳି ସାଧନକୁ ପକେଟରେ ଧରି ଆସି ଥିଏଟର୍ରେ ପ୍ରବେଶ କରିବେ। ଚାରି ସଂଖ୍ୟା ବିଶିଷ୍ଟ ପିନ୍ ଭୁଲିଯାଇଥିଲେ ଭିତରକୁ ପ୍ରବେଶ ନିଷେଧ।
ସମ୍ପାଦକମାନଙ୍କ କଥା କ’ଣ କହିବା
ଟ୍ରମ୍ପ୍ ସାହେବଙ୍କ ପାଖରେ ଖବର ପହଞ୍ଚିଲାଣି ଯେ ସବୁ ଓଡ଼ିଆ ପତ୍ରିକା ଶୀତ, ବସନ୍ତ, ଗୋଧୂଳି, ଚକ୍ରବାଳ, ରାଗିଣୀ, କମଳା, କଖାରୁ ଆଦି କୋମଳ ନାମରେ ନାମିତ ହୋଇଥିଲେ ସୁଦ୍ଧା ଗୋଟିଏ ଅର୍ବାଚିନ ପତ୍ରିକା ଅତି ଉଦ୍ଧତ ଭାବରେ ନିଜକୁ ‘ସାହିତ୍ୟ ଚର୍ଚ୍ଚା’ ବୋଲାଉଛି। ଚର୍ଚ୍ଚା ଶବ୍ଦର ଅର୍ଥ ହେଉଛି ଗସିପ୍! ଗସିପ୍ରୁ ସୃଷ୍ଟି ହୁଏ ସ୍କାଣ୍ଡାଲ୍। ଏହି ଗସିପ୍ ଓ ସ୍କାଣ୍ଡାଲ ପଦାର୍ଥ ଦୁଇଟି ଆମେରିକାନମାନଙ୍କର ଖୁବ୍ ପ୍ରିୟ। ବିଶେଷକରି ତାହା ଯଦି ଡୋନାଲ୍ଡ ଟ୍ରମ୍ପ ସମ୍ପର୍କିତ ହୋଇଥାଏ। ଏବେ ଏହି ଉଚ୍ଛୃଂଖଳ ପତ୍ରିକାରେ ଏମିତି ତେଢ଼ା ଏଡିଟୋରିଆଲ୍ ଓ କାର୍ଟୁନ୍ ବାହାରିଲାଣି ଯେ ତାହା ପୁରସ୍କାର ବିଚାରକମାନଙ୍କୁ ଚାବୁକ ମାଡ଼ ପରି ଲାଗିବ। ସାହିତ୍ୟ ନାଆଁରେ ଛପା ହୋଇଥିଲେ ମଧ୍ୟ ତାହା ଏକ ଛଳନା ମାତ୍ର। ତାହା ସାହିତ୍ୟ ଭିତରେ ଆବଦ୍ଧ ହୋଇ ରହିବ ନାଇଁ। ତେଣୁ ଟ୍ରମ୍ପ୍ ମହାଶୟଙ୍କୁ ଯେଉଁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଥୟ, ତାର ବିଚାରକମାନେ ମଧ୍ୟ ଏହି ଏଡିଟୋରିଆଲ୍ ପଢ଼ି ମତ ବଦଳାଇ ଦେବେ। ଟ୍ରମ୍ପ୍ଙ୍କ ନ୍ୟାୟ ସମ୍ମତ ନୋବେଲ ପ୍ରାଇଜ ଏବେ ସଂକଟରେ।
ଏକଥା ଶୁଣି ଟ୍ରମ୍ପ୍ଙ୍କ ଲାଲ ମୁହଁ କ୍ରୋଧରେ ଅଧିକ ଲାଲ ହୋଇଗଲା। ସେ ଗର୍ଜନ କଲେ ସେ ମାଗାଜିନ୍ର ସବୁ କପି କିଣି ନିଆଁ ଜାଳିଦିଅ। କେତେ ଦାମ୍ ସେ ମାଗାଜିନର? ଉତ୍ତର ମିଳିଲା, ଦାମ୍ ହେଉଛି ଜିରୋ ପଏଣ୍ଟ ସିକ୍ସ୍ ଏଇଟ୍ ଡଲାର୍। ପୁଣି ଗର୍ଜନ, ହ୍ବାଟ୍। ଏକ ଡଲାରରୁ ମଧ୍ୟ କମ୍? ଏକ ଶସ୍ତା ପତ୍ରିକାର ଏତେ ବେଶୀ ଉପଦ୍ରବ? ତା ଉପରେ ଏତେ କଡ଼ା ଟାରିଫ କଷିଦିଅ ଯେ ଯେମିତି କୋଡ଼ିଏ ଡଲାରରୁ କମରେ ମିଳିବ ନାହିଁ। ଆଉ ମନେରଖ ସେଇ ଅଫେନସିଭ ଏଡ଼ିଟରିଆଲ୍କୁ ନରୱେଜିଆନ ନୋବେଲ କମିଟିଠାରୁ ଦୂରେଇ ରଖିବ।
ଅନୁପମ କଳ୍ପନାଶୀଳତାର ଅପୂର୍ବ ନିଦର୍ଶନ ହେବା ଭଳି ଏକ ମନୋରଂଜକ ଲେଖା। ସତ୍ୟ ମିଶ୍ରଂକ ବ୍ୟକ୍ତିତ୍ବର ଏକ ନୂଆ ରୂପ ଦେଖିବାକୁ ମିଳିଲା।
ମୁଁ ଏ ସବୁ ଲେଖିବା ପରେ ବି ୟୁକ୍ରେନ୍ ଯୁଦ୍ଧ ଅଟକିବନାହଁ।
ପ୍ରାୟ ପଚାଶ ବର୍ଷ ତଳେ, ସତ୍ଯ ମିଶ୍ର ଙ୍କ “ଯୀଶୁଖ୍ରୀଷ୍ଟ” ଗପ ପଢ଼ିଲା ପରେ, ଅନେକ ପାଠକ ବୌଦ୍ଧିକତାର ଖ୍ରୀଷ୍ଟିୟାନିଟି ଆଦରି ନେଇଥିଲେ ବୋଲି ଜାଣିଥିଲି, ଏବେ ତ ଦେଖୁଛି, ତାଙ୍କ ଗପ ନିଜେ ଇ ତା’ “ସତ୍ଯ-ଧର୍ମ” ବଦଳେଇ ଦେଇଛି !
ଋଷୀୟ ଗପ ଓ ଉପନ୍ୟାସର ତେଲରେ ଯେହେତୁ ଓଡ଼ିଆ ସାହିତ୍ୟ ବେଶୀ ତୈଳାକ୍ତ, ଏ’ ଅଧିକ ଟାରିଫ୍ ମାଡ଼ କୁଆଡ଼େ ସେଇଥିପାଇଁ ।
ସତ୍ଯ ମିଶ୍ରଙ୍କୁ “ଟାରିଫ୍” ନକରି ରହିପାରୁନାହିଁ ।
1. Chamatkar
2. Mun ta ashcharjya hoigali
3. Mora kahinki gote dharana thila je Satya Mishra Sir jane gambhira o tike ragi swabahba ra byakti hoithibe.
4. Sir je emiti gamat au phechkami katha bhabu thibe , eha mo pain bismya.
5. Mun nije swabhataha tike semiti
6. Mun emiti gamat au phechkami katha bhabi bhabhi nije mane mane khub enjoy kare.
This is one of its kind quite contemporary and perfectly positioned with so much of interesting messages imbedded in the form of a satire. Salute . We need more of this type from Satya babu in future. Long live odia language and literature.
ଆମ ସରକାର ଟ୍ରଂପଂକ ଦ୍ୱାରା ଲଗାଯାଇଥିବା ପଚାଶ ପ୍ରତିଶତ ଟାରିଫ ଉପରେ ମୌନବ୍ରତର ଷ୍ଟ୍ରାଟେର୍ଜି ଯୋଗୁଁ ଉଭୟ ଓଡ଼ିଆ ସାହିତ୍ୟ ଏବଂ ଆମ ଓଡ଼ିଆଂକ ଚିଂଗୁଡ଼ି ବେପାର କ୍ଷତିରେ।
ଅନେକ ଦିନ ପରେ ସତ୍ୟ ବାବୁଂକ ମନକୁ ଆମେରିକାର ଟାରିଫ୍ ନିଶ୍ଚୟ ଆନ୍ଦୋଳିତ କରିଛି। ଆଉ ତାଫଳରେ ମୋପରି ତାଂକର ପାଠକଂକୁ ସୁଂଦର ରମ୍ୟ ରଚନାଟି ପଢିବାକୁ ମିଳିଥିବାରୁ ଅଭିନଂଦନ ଜଣାଉଛି।
ମୋ ଭାଗ୍ୟ ଭଲ ଯେ ସତ୍ୟ ସାର୍ଙ୍କ ବ୍ୟକ୍ତିତ୍ଵର ଭିନ୍ନ ଭିନ୍ନ ଦିଗ ନିକଟରୁ ଉପଲବ୍ଧି କରିବାର ସୁଯୋଗ ମିଳିଛି ମୋତେ। ତାଙ୍କର ହାସ୍ୟରସର ସ୍ଵାଦ ନିଆରା, ବୁଦ୍ଧିମତ୍ତାରେ ଭରା। ଏହି ରମ୍ୟରଚନା ଟି ତାଙ୍କ ବୌଦ୍ଧିକ ହାସ୍ୟରସ ପରିବେଷଣର ଛୋଟ ନମୂନାଟିଏ ମାତ୍ର।
ସମସ୍ତଙ୍କୁ ଧନ୍ୟବାଦ। ମୁଁ ବ୍ୟଙ୍ଗକାର ନୁହେଁ। ହଠାତ୍ ଲେଖି ହୋଇଗଲା।
ବହୁତ ସୁନ୍ଦର ଲେଖିଛନ୍ତି। ବାସ୍ତବିକ୍ ଟାରିଫ ଯୋଗ୍ୟ
ସତ୍ୟ ମିଶ୍ରଙ୍କୁ ମୁଁ ବୋଧହୁଏ ୧୯୭୫ କିମ୍ବା ୭୬ରୁ ଜାଣେ..ସେ ଯାହା ଲେଖନ୍ତି ମାପିଚୁପି ଲେଖନ୍ତି ଓ ବୌଦ୍ଧିକ ଗପ ଲେଖନ୍ତି..ତେଣୁ ତାଙ୍କ ଗପଗୁଡିକ ନିଆରା ଲାଗେ..