ସୁସାହିତ୍ୟିକ କଇଳାଶ ପଟ୍ଟନାୟକଙ୍କ ସହିତ ସାରସ୍ୱତ ଆଳାପ

ଅନେକ ଲେଖକ ସମାଜକୁ ବଦଳାଇବା ପାଇଁ କଲମ ଧରନ୍ତି, ଅନେକ ଲେଖକ ସମାଜକୁ ଯଥାବତ୍ ରୂପ ଦେବାପାଇଁ ମଧ୍ୟ କଲମ ଧରିଥାଆନ୍ତି।

ସୁବିଦିତ ସାରସ୍ୱତ ସ୍ରଷ୍ଟା କଇଳାଶ ପଟ୍ଟନାୟକ ଏକାଧାରରେ ଜଣେ ସମାଲୋଚକ, ଲୋକବିଦ୍ୟାବିତ୍‌, ଗାଳ୍ପିକ, ଔପନ୍ୟାସିକ । ୬୯ବର୍ଷ ବୟସ୍କ ଏହି ସୁସାହିତ୍ୟିକ ବିଶ୍ୱଭାରତୀର ପ୍ରଫେସର ତଥା ଓଡ଼ିଆ ବିଭାଗର ବିଭାଗାଧ୍ୟକ୍ଷ ଭାବରେ ବହୁ ବର୍ଷ ଧରି ଦାୟିତ୍ୱ ନିର୍ବାହ କରିବା ସହ, ସେଠାରେ ଥିବା ‘ଭାଷା ଭବନ’ର ଅଧ୍ୟକ୍ଷ ତଥା ବିଲୁପ୍ତପ୍ରାୟ ଭାଷା କେନ୍ଦ୍ରର ଚେୟାରମ୍ୟାନ୍ ପଦ ମଧ୍ୟ ମଣ୍ଡନ କରିଛନ୍ତି। ଏ ଯାବତ୍ ତାଙ୍କର ୩୪ଟି ପୁସ୍ତକ ପ୍ରକାଶିତ। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଆପଣ ତ ଏକାଧାରରେ ଜଣେ ଔପନ୍ୟାସିକ, ଗାଳ୍ପିକ, ସମାଲୋଚକ ତଥା ଅନୁବାଦକ ମଧ୍ୟ। କିନ୍ତୁ ସାହିତ୍ୟର ଗୋଟିଏ ଦିଗ ଆପଣଙ୍କ ଦ୍ୱାରା ଅଛୁଆଁ ହୋଇ ରହିଯାଇଛି; ସେହି ବିଭାଗଟି କ’ଣ ଆପଣ ନିଜର ଧର୍ମପତ୍ନୀ କବୟିତ୍ରୀ ଗିରିବାଳା ମହାନ୍ତିଙ୍କୁ ହସ୍ତାନ୍ତର କରିଦେଇଛନ୍ତି? ଆମେ କବିତାର କଥା କହୁଛୁ।
କଇଳାଶ ପଟ୍ଟନାୟକ: ଆଚ୍ଛା, ତା’ହେଲେ ଦୁଇଟି ବିଭାଗ ମୋ’ ପାଇଁ ନିଷିଦ୍ଧ ହୋଇଯାଇଛି; ଗୋଟିଏ ହେଲା କବିତା, ଅନ୍ୟଟି ନାଟକ।
ସାହିତ୍ୟ ଚର୍ଚ୍ଚା: ତେବେ ଆରମ୍ଭରୁ କେବେ ବି କ’ଣ ଆପଣ କବିତା ଲେଖିନାହାନ୍ତି?
କଇଳାଶ ପଟ୍ଟନାୟକ: କାଁ ଭାଁ କେବେ କେମିତି ଲେଖିଛି। କବିତାରୁ ତ ସମସ୍ତେ ଆରମ୍ଭ କରନ୍ତି। ମୁଁ ବି ସ୍କୁଲ୍ ପଢ଼ିବା ବେଳେ ହୁଏତ ଆରମ୍ଭ କରିଥିଲି; ପରବର୍ତ୍ତୀ ସମୟରେ ହୁଏତ ବଦଳିଗଲା ଧାରା। ତାହା ସ୍ତ୍ରୀଙ୍କୁ ଦେଇଦେଲି ବୋଲି ନୁହଁ; ସେ ତ ବହୁତ ପରେ ମୋ ଜୀବନରେ ଆସିଲେ। ସେ ତ ମୋ’ ଜୀବନକୁ ଆସିବାବେଳକୁ ଜଣେ ପ୍ରତିଷ୍ଠିତା କବୟିତ୍ରୀ ହୋଇସାରିଲେଣି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପ୍ରଥମ ପରିଚୟ ଜଣେ ସମାଲୋଚକ ଭାବରେ ବୋଲି ଆମେ ଭାବୁ। ସେ ଦୃଷ୍ଟିରୁ ଗିରିବାଳା ମହାନ୍ତିଙ୍କ ସମସ୍ତ କବିତାର ପ୍ରଥମ ସମାଲୋଚକ ମଧ୍ୟ କ’ଣ ଆପଣ?
କଇଳାଶ ପଟ୍ଟନାୟକ: ନା, ପ୍ରଥମ ଶ୍ରୋତା/ ପାଠକ ହୋଇପାରେ, କିନ୍ତୁ ପ୍ରଥମ ସମାଲୋଚକ ନୁହେଁ। ଏଇଟା ସ୍ୱାଭାବିକ ଯେ ଜଣେ ଲେଖିସାରି ଅନ୍ୟ ଜଣକୁ ଶୁଣାଇବାକୁ ଚାହେ। ତେଣୁ ଆଶୁ ଶ୍ରୋତାଜଣକ ହେଲି ମୁଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଆଉ ଗୋଟିଏ ଅଗ୍ରଣୀ ପରିଚୟ ଜଣେ ଲୋକବିଦ୍ୟାବିତ୍ ବା ଫୋକ୍‌ଲୋରିଷ୍ଟ ଭାବରେ। କିନ୍ତୁ ଆପଣଙ୍କୁ କେବଳ ଜଣେ ଲୋକବିଦ୍ୟାବିତ୍ ନୁହଁ, ଲୋକକଥାର ପୁନଃନିର୍ମାତା ବୋଲି ମଧ୍ୟ କୁହାଯାଏ। ଆପଣଙ୍କର କେଉଁ ନିର୍ଦ୍ଦିଷ୍ଟ କୃତିରୁ ଏହି ପରିଚୟଟି ସୃଷ୍ଟି ହୋଇଛି ବୋଲି ଭାବନ୍ତି?
କଇଳାଶ ପଟ୍ଟନାୟକ: ପ୍ରକୃତରେ ପୁରୁଣା କାହାଣୀ ପ୍ରତି ମୋର ଦୁର୍ବଳତା ବହୁତ ଦିନର, ଏପରିକି ପିଲା ବେଳୁଁ ମଧ୍ୟ। ଏମ୍‌.ଏ ପଢ଼ିବା ବେଳେ ଯେତେବେଳେ ଲୋକସାହିତ୍ୟର ବିଶେଷ ଅଧ୍ୟୟନ ମୁଁ କଲି, ସେତେବେଳଠାରୁ ଏହି ମନୋବୃତ୍ତି ମୋ’ର ବଢ଼ିଗଲା। ମୁଁ ପଞ୍ଚତନ୍ତ୍ର, ବୃହତ୍ କଥା,ଦଶକୁମାର ଚରିତ – ଏହି ଜାତୀୟ ଦେଶ ବିଦେଶର ପୁରୁଣା ରଚନା ଓ ପୁରୁଣା କାହାଣୀ ସବୁ ପଢ଼ିବା ଆରମ୍ଭ କଲି। ସେଇଥିରୁ ଧୀରେ ଧୀରେ ମୋ’ର ମନେ ହେଲା ଯେ ଏମାନଙ୍କ ଭିତରେ ଏମିତି କିଛି ସମ୍ଭାବନା ରହିଛି, ଯେଉଁଟା କି ସମକାଳରେ ମଧ୍ୟ ପ୍ରଯୁଜ୍ୟ। ସେଇ ସମ୍ଭାବନାଗୁଡ଼ିକୁ ଖୋଜି କାହାଣୀରେ ରୂପଦେବାକୁ ଆରମ୍ଭ କଲି।

ସାହିତ୍ୟ ଚର୍ଚ୍ଚା: ଏହି ଧାରାର ପ୍ରଥମ ରଚନା ଆପଣଙ୍କର କେଉଁଟି ଥିଲା?
କଇଳାଶ ପଟ୍ଟନାୟକ: ମୋ’ର ପ୍ରଥମ ଗଳ୍ପ ୧୯୭୬ ଜୁନ୍ ମାସରେ ଯେତେବେଳେ ‘ଆସନ୍ତାକାଲି’ ପତ୍ରିକାରେ ପ୍ରକାଶ ପାଇଲା, ସେଇଟା ବି ଥିଲା ସେଇ ପ୍ରାଚୀନ କାହାଣୀର ଫର୍ମାଟ୍‌ରେ ଗୋଟିଏ ଗପ। ପରବର୍ତ୍ତୀ ସମୟରେ ବି ପଞ୍ଚତନ୍ତ୍ରର ବାରଟି ଗଳ୍ପ ‘ବିନୋଦ ଦ୍ୱାଦଶ’, ‘ଶୁଣ୍ ଅବୋଲକରା’ ଆଦି ସଙ୍କଳନ ମୋ’ର ପ୍ରକାଶ ପାଇଲା।
ସାହିତ୍ୟ ଚର୍ଚ୍ଚା: ଲୋକସାହିତ୍ୟକୁ ନେଇ ଆପଣଙ୍କର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଚର୍ଚ୍ଚା ୧୯୮୯ ମସିହାରେ ପ୍ରକାଶ ପାଇଥିଲା, ‘ଲୋକସାହିତ୍ୟର ଚର୍ଚ୍ଚା’ ନାମରେ। ଏହା ବୋଧହୁଏ ଥିଲା ଏ ସମ୍ପର୍କୀୟ ଆପଣଙ୍କର ପ୍ରଥମ ଆଲୋଚନା ପୁସ୍ତକ।
କଇଳାଶ ପଟ୍ଟନାୟକ: ହଁ, ଏହା ଥିଲା ଲୋକ ସାହିତ୍ୟ ତତ୍ତ୍ୱ ସମ୍ପର୍କୀତ ଆଲୋଚନାଗୁଡ଼ିକର ଏକ ସମାହାର। ବର୍ତ୍ତମାନ ଏହାର ତୃତୀୟ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶିତ ହୋଇସାରିଲାଣି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସମାଲୋଚନା ସାହିତ୍ୟକୁ ଆପଣ ନିଜସ୍ୱ ଢ଼ଙ୍ଗରେ ସବଳ କରିଛନ୍ତି। ଏହା ଆରମ୍ଭ ହୋଇଥିଲା, ୧୯୮୮ରେ ପ୍ରକାଶିତ ଆପଣଙ୍କର ‘ଓଡ଼ିଆ ଉପନ୍ୟାସର ସମାଜତତ୍ତ୍ୱ’ରୁ। ଏଥିରେ ଉପନ୍ୟାସରେ ସମାଜତତ୍ତ୍ୱର କଥା ଆପଣ ଯାହା ଆଲୋଚନା କରିଛନ୍ତି, ଏହି ଦିଗଟି ବିନା କ’ଣ ଉପନ୍ୟାସର ସର୍ଜନ ଅସମ୍ଭବ?
କଇଳାଶ ପଟ୍ଟନାୟକ: ଦେଖନ୍ତୁ, ମଣିଷ ହେଉଛି ଗୋଟିଏ ସାମାଜିକ ପ୍ରାଣୀ, ଏବଂ ଲେଖକ ହେଉଛି ଜଣେ ମଣିଷ। ତେଣୁ ସମାଜର ପ୍ରଭାବ ତା’ଉପରେ ସବୁବେଳେ ପଡ଼ିବ। ଅନେକ ଲେଖକ ସମାଜକୁ ବଦଳାଇବା ପାଇଁ କଲମ ଧରନ୍ତି, ଅନେକ ଲେଖକ ସମାଜକୁ ଯଥାବତ୍ ରୂପ ଦେବାପାଇଁ ମଧ୍ୟ କଲମ ଧରିଥାଆନ୍ତି। ଆଉ ଗୋଟିଏ ଧରଣର ମଧ୍ୟ ଉପନ୍ୟାସ ଥାଏ ଯେଉଁଥିରେ ସମାଜର ଅନ୍ତର୍ବାସ୍ତବତା ଦର୍ଶାଇ ଦିଆଯାଇଥାଏ। ଏହାର ସଂଖ୍ୟା କମ୍ ହେଲେ ବି, ଏହାର ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଅଛି।
ସାହିତ୍ୟ ଚର୍ଚ୍ଚା: ତେବେ ଏହି ସନ୍ଦର୍ଭରେ ଗୋଟିଏ ପ୍ରସଙ୍ଗ ଆମ ମନକୁ ଆସୁଛି; ଓଡ଼ିଆ ସମାଲୋଚନା ସାହିତ୍ୟକୁ ଜନମାନସର ନିକଟବର୍ତ୍ତୀ କରିବାପାଇଁ ତାହାର ଭାଷାକୁ ଆଉ ଟିକିଏ ସରଳ, ଆଉ ଟିକିଏ ମନଛୁଆଁ କରିବାର ଆବଶ୍ୟକତା ଅଛି କି?
କଇଳାଶ ପଟ୍ଟନାୟକ: ମୋର ମନେହେଉଛି ଯେ, ଅଛି। ସମାଲୋଚନା ସାହିତ୍ୟର ଧର୍ମ ଆଉ କ’ଣ କି! ମୂଳ କୃତିକୁ ଆଉ ଟିକିଏ ସରଳ କରି ସେ ବୁଝାଇଦିଏ।
ସାହିତ୍ୟ ଚର୍ଚ୍ଚା: ଆମର ଧାରଣା ହୁଏ ଯେ ଆମ ଭାଷାରେ ସମାଲୋଚନା ସାହିତ୍ୟ ଧୀରେ ଧୀରେ କମିକମି ଯାଉଛି; ଏହା ଆଉ ବେଶି ଲେଖା ହେଉନାହିଁ, ବା ପଢ଼ା ମଧ୍ୟ ହେଉନାହିଁ। ତେଣୁ ଏହାକୁ ଟିକିଏ ପାଠକ-ଅନୁକୂଳ କଲେ ଏହି ସମସ୍ୟାରୁ ମୁକ୍ତି ମିଳନ୍ତା; ନା କ’ଣ?
କଇଳାଶ ପଟ୍ଟନାୟକ: ଆଜ୍ଞା, ଯିଏ ପଢ଼ୁନାହିଁ ସିଏ ପଢ଼ିବ ନାହିଁ; ସରଳ କରନ୍ତୁ, ସୁଗମ କରନ୍ତୁ, ବା ଯାହା ବି କରନ୍ତୁ।
ସାହିତ୍ୟ ଚର୍ଚ୍ଚା: ୧୯୯୮ ମସିହାରେ ‘ଫକୀରମୋହନଙ୍କ ଦୁଷ୍ପ୍ରାପ୍ୟ ରଚନାବଳୀ’ ଆପଣ ସଂକଳିତ କରିଛନ୍ତି। ଯେହେତୁ ଏହା ଆପଣ କରିଛନ୍ତି, ସେହେତୁ ଏଇ ପ୍ରଶ୍ନଟି ଆମ ମନକୁ ଆସୁଛି; ଫକୀରମୋହନଙ୍କ ଦ୍ୱାରା ରଚିତ ‘ମହାଭାରତ’ର ପୂର୍ଣ୍ଣାଙ୍ଗ ରୂପ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହିଁ। ଏ ବିଷୟରେ ଆପଣଙ୍କର ମତ କ’ଣ?
କଇଳାଶ ପଟ୍ଟନାୟକ: ପ୍ରକାଶିତ ହୋଇପାରିନାହିଁ କାରଣ ତାହା ପ୍ରକୃତରେ ଦୁଷ୍ପ୍ରାପ୍ୟ ହୋଇଯାଇଛି। ତେବେ ଅନେକେ କହନ୍ତି ଯେ ତାହା କାହାରି କାହାରି ପାଖରେ ଅଛି। ଏହା ଲୋକଲୋଚନକୁ ନ ଆସିପାରିବା ଦୁର୍ଭାଗ୍ୟର କଥା।
ସାହିତ୍ୟ ଚର୍ଚ୍ଚା: ଆମେ ଆମ ପତ୍ରିକାରେ ଲେଖିଥିଲୁ ଯେ ଏହାର ମୂଳ ପାଣ୍ଡୁଲିପି କଟକରେ ତାଙ୍କର ଅଣନାତୁଣୀଙ୍କ ଘରେ ମହଜୁଦ ଅଛି। ଏପରିକି ଫକୀରମୋହନଙ୍କ ‘ଆତ୍ମଚରିତ’ର ପ୍ରକୃତ ପାଣ୍ଡୁଲିପିଟି ମଧ୍ୟ ତାଙ୍କ ପାଖରେ ଅଛି। କିନ୍ତୁ ବିଭିନ୍ନ ମାଲିମକଦ୍ଦମା କାରଣରୁ ତାହା ପ୍ରକାଶିତ ହୋଇପାରୁନାହିଁ। ଏହା ଚିନ୍ତାର ବିଷୟ ନୁହେଁ କି?
କଇଳାଶ ପଟ୍ଟନାୟକ: ନିଶ୍ଚିତ ଭାବରେ ଚିନ୍ତାର ବିଷୟ। ସେଇଟା କାହାରି ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହିବା ଉଚିତ ନୁହେଁ। ବରଂ ଫକୀରମୋହନ ଯେଉଁ ଉତ୍ତୁଙ୍ଗତାରେ ପହଞ୍ଚିଛନ୍ତି, ତାଙ୍କର ସବୁକିଛି ଆମର ଜାତୀୟ ସମ୍ପତ୍ତି ଭାବରେ ପରିଗଣିତ ହେବା କଥା।
ସାହିତ୍ୟ ଚର୍ଚ୍ଚା: ଆପଣ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ବଙ୍ଗଳା ଅନୁବାଦ କରିଛନ୍ତି। ଏହି କାଳଜୟୀ କୃତିଟି ଆମର ପ୍ରତିବେଶୀ ରାଜ୍ୟର ପାଠକମାନଙ୍କ ଦ୍ୱାରା କିଭଳି ଭାବରେ ଆଦୃତ ହୋଇଛି?
କଇଳାଶ ପଟ୍ଟନାୟକ: ଏହାକୁ ସେଠାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ‘ତୁଳନାତ୍ମକ ସାହିତ୍ୟ’ ବିଭାଗରେ ଗୁରୁତ୍ୱର ସହ ଅଧ୍ୟୟନ କରାଯାଉଛି। ଏହା ଚର୍ଚ୍ଚିତ ମଧ୍ୟ ହୋଇଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏହା ତୁଳନାତ୍ମକ ସାହିତ୍ୟର ଏକ ଦୃଷ୍ଟାନ୍ତ ଭାବରେ ସୀମିତ ହୋଇ ରହିଯିବା ଉଚିତ ନୁହେଁ ବୋଲି ଆମେ ଭାବୁ। ଲକ୍ଷ୍ମୀପୁରାଣର ପ୍ରଭାବ ଓଡ଼ିଶାର ଗଣଜୀବନରେ ବ୍ୟାପକ ଭାବରେ ଆସ୍ଥାନ ଜମାଇ ପାରିଛି, ଆପଣଙ୍କର ଏହି ଅନୁବାଦର ପ୍ରସାର ଫଳରେ ସେହି ଧାରା ବଙ୍ଗଳାର ସାଧାରଣ ସମାଜ ଭିତରେ ମଧ୍ୟ ପ୍ରସାରିତ ହୋଇପାରିଛି କି?
କଇଳାଶ ପଟ୍ଟନାୟକ: ନା, ହୋଇପାରିନାହିଁ। କାରଣ ବଙ୍ଗଳାରେ ଯାହା ଜନପ୍ରିୟ, ତା’ହେଲା ‘ଲକ୍ଷ୍ମୀର୍ ପାଞ୍ଚାଲି’। ସେଇଟି ମାର୍ଗଶୀର ମାସରେ ଲକ୍ଷ୍ମୀ ଉପାସନା କ୍ରମରେ ଘରେଘରେ ପଠିତ ହୁଏ। ଅବଶ୍ୟ ଆମ ଲକ୍ଷ୍ମୀ ପୁରାଣର ଆଖ୍ୟାୟିକାଟି ମଧ୍ୟ ସେଠାରେ ସୁବିଦିତ।
ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ସଫଳ କଥାକାର ମଧ୍ୟ। କିନ୍ତୁ ସେହି ଗୋଟିଏ ଉପନ୍ୟାସ ‘ସ୍ଥାବର ଜଙ୍ଗମ’ରେ ହିଁ ଅଟକିଗଲେ କାହିଁକି?
କଇଳାଶ ପଟ୍ଟନାୟକ: ନାଇଁ, ଅଟକିଛି କି ନାହିଁ ମୁଁ ଜାଣିନି; ମୁଁ ଭାବୁଛି ଯେ ସେଇଟା ଗୋଟିଏ ‘କମା’ ବି ହୋଇପାରେ। ସେଇ ଉପନ୍ୟାସ ଟି ପ୍ରକାଶିତ ହେବାବେଳେ ବି ସେଇଟା ଗୋଟିଏ ‘ଅପ୍ରତ୍ୟାଶିତ ଉଦ୍ଭାସନ’ ବୋଲି ମୁଁ କହିଛି।
ସାହିତ୍ୟ ଚର୍ଚ୍ଚା: ଏହି ଉପନ୍ୟାସଟି ତ ମାନବେତର ଚରିତ୍ରମାନଙ୍କୁ ନେଇ ଆପଣ ଲେଖିଛନ୍ତି ସମ୍ପୂର୍ଣ୍ଣ ଭାବରେ। ଏ ଦୃଷ୍ଟିରୁ ଏହା ଏକ ରୋଚକ ସୃଷ୍ଟି। ଏହାର ସିକ୍ୱେଲ୍ ଭାବରେ ଆଉ ଏକ ଉପନ୍ୟାସ ଲେଖା ଯାଇପାରେ, ନା କ’ଣ?
କଇଳାଶ ପଟ୍ଟନାୟକ: ‘ମାନବେତର’ ନୁହେଁ, ମୁଁ ତାକୁ ‘ଅଣମାନବୀୟ’ ବୋଲି କହେ। ତେବେ ସେ ଉପନ୍ୟାସର ‘ସିକ୍ୱେଲ’…ସେହି ଦିଗରେ ମୁଁ କେବେ ଭାବିନି। ସେଇଟା ହୋଇପାରେ, ଅସମ୍ଭବ ନୁହଁ।
ସାହିତ୍ୟ ଚର୍ଚ୍ଚା: ଏମିତି ଉପନ୍ୟାସ ବ୍ୟତିରେକେ, ଆପଣଙ୍କ ଗଳ୍ପସାହିତ୍ୟର ସଂଖ୍ୟା ମଧ୍ୟ ଖୁବ୍ ସୀମିତ। ଏହାର କାରଣ କ’ଣ ଏଇଆ ଯେ ଆପଣ ନିଜକୁ ମୁଖ୍ୟତଃ ବ୍ୟସ୍ତ ରଖିଛନ୍ତି ସମାଲୋଚନା-ସାହିତ୍ୟ ଓ ଲୋକ-ସାହିତ୍ୟର ଅଧ୍ୟୟନ ଓ ଗବେଷଣାରେ?
କଇଳାଶ ପଟ୍ଟନାୟକ: ନାହିଁ, ଗୋଟିଏ ସମୟରେ ତ ସେଇଟା ସମାନ୍ତରାଳ ଭାବରେ ଚାଲିଥିଲା। କଥା ହେଲା, ଭିତରୁ ଯେଉଁ ସମୟରେ ଯେଉଁପ୍ରକାର ଅନୁପ୍ରେରଣା ଆସୁଥାଏ, ତା’କୁ ନେଇ ମୁଁ ଲେଖେ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ପୃଥିବୀର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଛନ୍ତି। ସେସବୁ ସ୍ଥାନରେ ସାହିତ୍ୟ ପ୍ରତି ଜନରୁଚିକୁ ଆପଣ ଯଦି ଲକ୍ଷ୍ୟ କରିଥିବେ, ଆପଣ କଣ ଭାବନ୍ତି ଯେ ତାହା ତୁଳନାରେ ଓଡ଼ିଶାରେ ସାହିତ୍ୟ ସହିତ ସଂସର୍ଗର ପ୍ରକୃତି ଟିକିଏ ଭିନ୍ନ?
କଇଳାଶ ପଟ୍ଟନାୟକ: ଦେଖନ୍ତୁ, ପଢ଼ିବାର ଅଭ୍ୟାସଟା ହେଉଛି ମୂଳ କଥା। ମୋର ମନେହୋଇଛି, ଯେଉଁଠି ଖବରକାଗଜ ଗୋଟିଏ କିଣି ପଢ଼ିବାପାଇଁ ମୁଁ କୁଣ୍ଠିତ, ସେଠି ସାହିତ୍ୟ ପତ୍ରିକା କି ସାହିତ୍ୟ ବହି ଖଣ୍ଡେ କିଣିବା କଥା ମୁଁ ଭାବିପାରିବିନି। ଅଥଚ ମୁଁ ନିଜେ ଦେଖିଛି ଯେ ଚୀନ ଦେଶର ବୁଲେଟ୍ ଟ୍ରେନ୍‌ରେ ମଧ୍ୟ ଲାଇବ୍ରେରୀ ଥାଏ। ସାନ ଛୁଆ ଓ ତାର ବାପାଙ୍କୁ ଏକ ସଙ୍ଗରେ ବସି ପଢ଼ିବାର ଦେଖିଛି। ଏହି ମାନସିକତା ଯଦି ଆମେ ତିଆରି କରି ନ ପାରୁ, ତାହେଲେ ବୋଧହୁଏ ଏ ସାହିତ୍ୟ ସଂସର୍ଗ କଥାଟା ଆମପାଇଁ ମିଛ ହୋଇଯିବ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ବିଶ୍ୱଭାରତୀର ଓଡ଼ିଆ ବିଭାଗ ସହିତ ତିନି ଦଶକରୁ ଅଧିକ ସମୟ ଧରି ଜଡ଼ିତ, ଏହି କାଳ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଧ୍ୟୟନ ଓ ଗବେଷଣାରେ ଏହି ବିଶ୍ୱବିଦ୍ୟାଳୟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଆମେ ଭାବୁ। ଏ ବିଷୟରେ ଆପଣଙ୍କର ମତ କ’ଣ?
କଇଳାଶ ପଟ୍ଟନାୟକ: ଏବେ ଅଛି ମଧ୍ୟ। କାରଣ ଆମ ବିଶ୍ୱଭାରତୀର ଓଡ଼ିଆ ବିଭାଗ ଗୋଟିଏ ‘ମଡର୍ଣ୍ଣ ସ୍କୁଲ୍‌’ ଭାବରେ ପରିଚିତ। ଆମେ ଆଧୁନିକ ଚିନ୍ତାଧାରାକୁ ଗୁରୁତ୍ୱ ଦେଉ; ଏବଂ ସେଇ ଧରଣର ଗବେଷଣା ପାଇଁ ମଧ୍ୟ ପିଲାଙ୍କୁ ଉତ୍ସାହିତ କରୁ।
ସାହିତ୍ୟ ଚର୍ଚ୍ଚା: ଗବେଷଣାର କଥା ପଡ଼ିଛି ଯେତେବେଳେ, ବର୍ତ୍ତମାନ ଓଡ଼ିଶାର ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଗବେଷଣାର ମାନ ଦିନକୁ ଦିନ କମିଯାଉଛି ବୋଲି ଯାହା କୁହାଯାଏ, ସେଥିରେ ଆପଣ ସହମତ କି?
କଇଳାଶ ପଟ୍ଟନାୟକ: ମୁଁ ୨୦୦ ପ୍ରତିଶତ ସହମତ; ଏବଂ ଏଥିପାଇଁ ପିଲାମାନେ, ଅର୍ଥାତ୍ ଗବେଷକମାନେ ଅଦୌ ଦାୟୀ ନୁହନ୍ତି; ବରଂ ଯେଉଁ ଶିକ୍ଷକମାନେ ତତ୍ତ୍ୱାବଧାରକ ହୋଇଛନ୍ତି, ସେମାନେ ଯଦି ଠିକ୍ ଭାବରେ ନିଜ ଦାୟିତ୍ୱ ପାଳନ କରନ୍ତେ, ତେବେ ଏହାର ମାନ କ୍ରମୋନ୍ନତି ଦିଗରେ ଯାଆନ୍ତା। ତେବେ କିଛିକିଛି ଭଲ ଗବେଷଣା ମଧ୍ୟ କରାଯାଉଛି।
ସାହିତ୍ୟ ଚର୍ଚ୍ଚା: ବିଶ୍ୱଭାରତୀରେ ଥିବାବେଳେ ଆପଣ ଗୋଟିଏ ସୁସମ୍ପାଦିତ ଗବେଷଣାମୂଳକ ପତ୍ରିକା ପ୍ରକାଶ କରୁଥିଲେ, ‘ବିଶ୍ୱଭାରତୀ ଦୀପିକା’ ନାମରେ। ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଗଲା କାହିଁକି?
କଇଳାଶ ପଟ୍ଟନାୟକ: ୧୯୮୧ ମସିହାରୁ ଏହି ପତ୍ରିକାଟି ବାହାରୁଥିଲା। ଯେଉଁମାନେ ବିଭାଗୀୟ ମୁଖ୍ୟ ରହନ୍ତି, ସେମାନେ ତା’ର ସମ୍ପାଦକ ହୃଅନ୍ତି। ଓଡ଼ିଶା ସରକାରଙ୍କର ଗୋଟିଏ ଛୋଟିଆ ଗ୍ରାଣ୍ଟ ଆସୁଥିଲା ସେମିନାର ଆଦି ପାଇଁ। ପରବର୍ତ୍ତୀ ସମୟରେ ସେହି ଗ୍ରାଣ୍ଟ ବନ୍ଦ ହୋଇଗଲା। ତା’ପରେ ଅବଶ୍ୟ ବ୍ୟକ୍ତିଗତ ଉଦ୍ୟମରେ ଏହାର କିଛି ସଂଖ୍ୟା ବାହାରିଛି, କିନ୍ତୁ ତା’ପରେ ଧୀରେ ଧୀରେ ସେଇଟା ଆଉ ହୋଇପାରିଲା ନାହିଁ।
ସାହିତ୍ୟ ଚର୍ଚ୍ଚା: ଶେଷକୁ ପଚାରିବାକୁ ଚାହିବୁ, ବର୍ତ୍ତମାନ ଆପଣ କିଛି ନୂଆ ପୁସ୍ତକ ଲେଖିବାରେ ନିଜକୁ ବ୍ୟସ୍ତ ରଖିଛନ୍ତି କି?
କଇଳାଶ ପଟ୍ଟନାୟକ: ଓଡ଼ିଆ ଡିଟେକ୍‌ଟିଭ୍ ଉପନ୍ୟାସ ସମ୍ପର୍କରେ ଆମର କୌଣସି ଆଲୋଚନା ପୁସ୍ତକ ନାହିଁ। ଏହି ଧରଣର ଉପନ୍ୟାସରେ ଗୋଟିଏ ଅଲଗା ଶିଳ୍ପକୌଶଳ ଅଛି ବୋଲି ମୁଁ ବିଶ୍ୱାସ କରେ। ଏହି ବିଷୟକୁ ନେଇ ମୋର କିଛି ଆଲୋଚନା ପ୍ରକାଶିତ। ସେସବୁକୁ ନେଇ ଗୋଟିଏ ବହି କରିବାର ପରିକଳ୍ପନା କରୁଛି।
ସାହିତ୍ୟ ଚର୍ଚ୍ଚା: ହେଉ ତେବେ, ଅପେକ୍ଷା କରିଛୁ ଯେ କେବେ ପାଠକମାନେ ଆପଣଙ୍କର ସେହି ବହିଟି ପଢ଼ିବାକୁ ପାଇବେ। ଆଜିର ଏହି ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

4 thoughts on “ସୁସାହିତ୍ୟିକ କଇଳାଶ ପଟ୍ଟନାୟକଙ୍କ ସହିତ ସାରସ୍ୱତ ଆଳାପ

  1. ସମ୍ପାଦକଙ୍କୁ ମୋ ତରଫରୁ ଆନ୍ତରିକ ଧନ୍ୟବାଦ ଏବଂ ନମସ୍କାର ଜଣାଉଛି ।

  2. କଇଳାଶ ବାବୁ ଓ ନିହାର ବାବୁଙ୍କ ଆଳାପ ଓଡ଼ିଆ ସାହିତ୍ୟକୁ ଏକ ଦିଗ୍‌ଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମୋର ବିଶ୍ୱାସ।ପ୍ରକୃତରେ ଡିଟେକ୍ଟିଭ ସାହିତ୍ୟ ଆମ ଓଡ଼ିଆ ସାହିତ୍ୟର ଏକ ଅବହେଳିତ ବିଭାଗ, ଅଥଚ ଏହାର ପାଠକ ଯେ ବହୁତ୍ ବେଶୀ ଏଥିରେ ସନ୍ଦେହ ନାହିଁ। କିନ୍ତୁ ସରକାରୀ ସ୍ତରରେ ଏହା ପାଇଁ କିଛି ପ୍ରୋତ୍ସାହନ ନାହିଁ। କଇଳାଶ ବାବୁ ସେ ଦିଗ ପ୍ରତି ଦୃଷ୍ଟି ଦେଲେ ଖୁବ ଭଲ ହେବ।

  3. ସବୁ ପ୍ରଶ୍ନ ଆଉ ଉତ୍ତର ମନକୁ ଛୁଇଁଲା l

Leave a Reply

Your email address will not be published. Required fields are marked *