ଯେବେଠାରୁ ମ୍ୟାକ୍ସି ଆସିଗଲା ପୋଷାକ ନିୟମ ଭିତରକୁ, ଓଡ଼ିଆ ଅସ୍ମିତାର ଶକ୍ତି ବୃଦ୍ଧି ହୋଇଗଲା ଜାଣନ୍ତୁ।

ଆପଣ ତ ଜାଣିଥିବେ, ସ୍ବାମୀ ଅଭୟାନନ୍ଦକୁ? ନ ଜାଣିଥିଲେ କିଛି ଦୁଃଖ ନାହିଁ। ସିଏ ସେମିତି ଗୋଟାଏ କିଛି ସେ ଅମୁକ ବାପୁ, କି ରାମ ରହିମ, ପତଞ୍ଜଳି, କି ଶ୍ରୀ ଶ୍ରୀ ମଡ଼େଲ ସ୍ବାମୀ ନୁହେଁ ଯେ ତାର କିଛି ବେପାର ମାନ୍ଦା ହୋଇଯିବ! ସିଏ ଗୋଟାଏ ମୁତଫର୍କା, ସ୍ୱୟଂଭୂ ଡୁପ୍ଲିକେଟ୍ ସ୍ବାମୀ। ତାର ଗୋଟିଏ ରିସର୍ଚ୍ଚ ଫାଉଣ୍ଡେସନ ଅଛି ବୋଲି କହିହୁଏ। ଅବଶ୍ୟ ଏହାର କିଛି ରେଜିଷ୍ଟ୍ରେସନ ନମ୍ବର ନାହିଁ। କିଛି ସରକାରୀ ମାନ୍ୟତା ନାହିଁ, କି ସହାୟତା ନାହିଁ। ଘରୁ ଖାଇ ଘୋଡ଼ା ଆଗରେ ଡ଼େଇଁଲା ଭଳି କାମ। ନାଁ କୁ ରିସର୍ଚ୍ଚ। ଯାହା ହେଉ ନିଜକୁ ବ୍ୟସ୍ତ ରଖିବାର ଗୋଟାଏ ପତିଆରା ଦେଖାଇବା କଥା। ସେଇ ଅଭୟାନନ୍ଦ ସ୍ବାମୀ ଏବେ ଗୋଟାଏ ଜବରଦସ୍ତିଆ ରିସର୍ଚ୍ଚ ମଝିକୁ ଡ଼େଇଁ ପଡ଼ିଛି। ସେଇଟା ହେଲା ପୋଷାକ ନୀତି ବା ଡ୍ରେସ୍ କୋଡ୍; ତାହା ଓଡ଼ିଆ ଅସ୍ମିତାକୁ କିପରି ପ୍ରଭାବିତ କରିପାରେ?
ଇଏ ଡ୍ରେସ୍ କୋଡ୍ ପୁଣି କଣ? ଯେମିତି ପୁଲିସ ହେଲେ ମାଟିଆ ପୋଷାକ, ଯୁଦ୍ଧ ବିଭାଗରେ ଅଲିଭ୍ ଶାଗୁଆ, କଲରା ପତ୍ରିଆ, ମେଘୁଆ ବା ଆକାଶିଆ, ଧଳା ଆଦି ରଙ୍ଗର ପୋଷାକ ମାନ୍ୟତା ପାଇଥାଏ। ଏପରି କି ବ୍ୟାଣ୍ଡ ପାର୍ଟି ପୋଷାକ ଦେଖିଲେ ଭାବିବେ ବ୍ରିଟିସ୍ ମୁଖ୍ୟ ସେନାଧୀଶ କି ଆସି ଓଡିଶାରେ ବ୍ୟାଣ୍ଡ୍ ବଜାଉଛନ୍ତି! ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିର ଗାର୍ଡ୍, ଦରୱାନ୍ ଓ ତାଙ୍କ ଭିତରେ ଯିଏ ସିନିୟର, ତା ପୋଷାକ ଦେଖିଲେ ଭାବିବେ ଜେନେରାଲ ମଣ୍ଟଗୋମରି ସତେ ଅବା ପୂନର୍ଜନ୍ମ ନେଇ ଉତ୍କଳ ଭୂମିରେ ସିକ୍ୟୁରିଟି ସେବା ଦେଉଛନ୍ତି! ଡ୍ରାଇଭର, କଣ୍ଡକ୍ଟର, ପାଇଲଟ, ଡାକ୍ତର, ନର୍ସ, ଏୟାର ହୋଷ୍ଟେସ୍ ସମସ୍ତଙ୍କର ଗୋଟାଏ ଡ୍ରେସ୍ କୋଡ୍ ଅଛି। ଯୁଦ୍ଧ ବିଭାଗରେ କି ପୁଲିସ ବିଭାଗରେ ଅଫିସର ମେସ୍ ଭିତରେ ପଶିବା ମାନେ ସାର୍ଟ ଆଉ ଟାଇ, କୋଟ୍ ପିନ୍ଧିବା ନିୟମ। କେତେଗୁଡ଼ାଏ କ୍ଲବ ଅଛି ତାଙ୍କର ବି ବହୁତ କଡ଼ା ନିୟମ। କଲିକତା କ୍ଲବରେ ମହମ୍ମଦ ଫିଦା ହୁସେନ୍ ଭଳି ନାମୀ ଚିତ୍ରକରଙ୍କୁ ପୁରାଇ ଦେଇ ନଥିଲେ; କାହିଁକି ନା ସେ ଭଦ୍ରଲୋକ ଜୋତା ପିନ୍ଧିବା ପସନ୍ଦ କରିନଥାନ୍ତି। କେତେ ଦାମିକା ପୋଷାକ, ଚଷମା ପିନ୍ଧନ୍ତି ମାତ୍ର ସବୁବେଳେ ଖାଲି ପାଦ। କୋଟିପତି ଲୋକ, ମୋଟର ଗାଡ଼ି ଯେ ଆଖି ଖୋସିହୋଇଯିବ। ମାତ୍ର ପାଦ ଖାଲି। ଗୋଟାଏ ପ୍ରକାର ! ବ୍ରିଟିସ୍ ଲୋକମାନେ ପୋଷାକ ନୀତି ବା ଡ୍ରେସ୍ କୋଡ୍ର ପୂର୍ଣ୍ଣ ସମର୍ଥକ ଥିବା ଆମେ ଶୁଣିଛୁ। ଅଫିସ ପୋଷାକ, ଛୁଟି ଦିନର କାଜୁଆଲ ପୋଷାକ, ଚର୍ଚ୍ଚ ଯିବାଠାରୁ ବାହା ହେବା, ବରଯାତ୍ରୀ ହୋଇ ଯିବା ପର୍ଯ୍ୟନ୍ତ ସବୁ ପୋଷାକର ଗୋଟାଏ ଗୋଟାଏ ନିୟମ ଥାଏ। ବାହାଘରରେ କନ୍ୟାର ଧଳା ଆପାଦ ମସ୍ତକ ଗାଉନ୍ ବା ପୋଷାକ ସହ ବରର କଳାସୁଟ୍ ବୋ, ଟାଇ ସବୁ ଚର୍ଚ୍ଚର ମାନ୍ୟତା ପାଇଥାଏ। ମୃତକଙ୍କ ମହାଯାତ୍ରାରେ କଳା ପୋଷାକ ଆବଶ୍ୟକ ହୋଇଥାଏ। ଆମ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନର କହିବା କଥା, ଏ ଡ୍ରେସ୍ କୋଡ୍ ଯେ ଆମକୁ ଫିରଙ୍ଗିଙ୍କ ଦାନ, ଏକଥା କହିବା ବାହୁଲ୍ୟ ମାତ୍ର।

ବହୁ ଅନୁଧ୍ୟାନ, ଅନ୍ବେଷଣ, ଅଧ୍ୟୟନ ପରେ ଆମେ ଯେତିକି ତଥ୍ୟ ସଂଗ୍ରହ କରିଛୁ ତାହା ବିଚାରକୁ ନିଆଗଲେ ଜାଣିପାରିବା, ଆମର ବୈଦିକ ପରମ୍ପରାରେ ସାମାଜିକ ଚଳଣିରେ ଏହି ପୋଷାକ ନୀତି ବହୁ ପୂରାତନ। ସେହି ସମ୍ବିଧାନ କିଏ ଲେଖିଥିଲେ କେହି ଜାଣନ୍ତି ନାହିଁ। ଚାଲିଆସିଛି, ଏତିକି ଜାଣିଛୁ। ଯଦି କହିଦେଉ, ସେ ଅମୁକ ମିଶ୍ର, କି ସମୁକ ରାଜଗୁରୁ ଏ ସମ୍ବିଧାନ ପ୍ରଣୟନ କରିଥିଲେ, ଦେଖିବେ, ରାତାରାତି କେତେ ଐତିହାସିକ ଗବେଷକ ଅଜାଡ଼ିହୋଇ ପଡ଼ିବେ। କଥା ଯାଇ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚି ପାରେ। ସେଥିପାଇଁ ଅଭୟାନନ୍ଦ ସ୍ବାମୀ ଚୁପ୍ ରହିବାକୁ ମନସ୍ତ କରିଛି।
କଥା ହେଲା ,ସେ ଡ୍ରେସ୍ କୋଡ୍ କଣ? ଆମ ଗାଁ’ରେ ଦେଖି ଆସିଛୁ, ଜେଜେ ମାଆମାନଙ୍କ ଜୀବନଚର୍ଯ୍ୟାରେ ସ୍ୱଚ୍ଛତାର ବାର୍ତ୍ତା ଆରମ୍ଭ ହୁଏ ଝାଡୁ ପୋଛା, ଗୋବରପାଣି ଲିପାରୁ। ସେଥିପାଇଁ ଡ୍ରେସ୍ କୋଡ୍ ହେଲା ଛୋଟ ଆଠହାତି ଧୋତି। ତାହାକୁ ସଫା ରଖିବା ଦାୟିତ୍ୱ ସେଇମାନଙ୍କର । ସେଇ ଧୋତି ଖଣ୍ଡିକ ଗାଧୁଆ ଘାଟ ପୋଖରୀ ତୁଠ ପର୍ଯ୍ୟନ୍ତ ଯାଇଥାଏ।ଛୋଟିଆ ଆଠ ହାତି ଧୋତିମାନଙ୍କର ଭିନ୍ନ ଭିନ୍ନ ରୂପ ମଧ୍ୟରୁ ରାତିପିନ୍ଧା ବା ନାଇଟ୍ ଡ୍ରେସ୍ ସକାଳ ସନ୍ଧ୍ୟାର ସ୍ୱଳ୍ପାହାରର ପଖାଳ କରା ଧୋତି, ପୋଖରୀ ଗଲା ଧୋତି, ବା ଶୌଚାଳୟର ସାଥୀ ବେଶ୍ ପରିଚିତ। ପୁରୁଷମାନଙ୍କ ଶୌଚାଳୟ ସାଥୀ ଗାମୁଛା ନାମରେ ଲୋକମୁଖରେ ସମ୍ମାନିତ।
ଗାମୁଛା ନାମରେ ବିଖ୍ୟାତ ଉପପୋଷାକ ବା ଆସେସରି ହେଲା ଗାମୁଛା। ଗାଧୁଆଠାରୁ ଶୌଚାଳୟ, ଦେବାଳୟଠାରୁ ଭୋଜନାଳୟ ପର୍ଯ୍ୟନ୍ତ ସବୁ ସ୍ତରରେ ଏହାର ପ୍ରବେଶ ମାନ୍ୟତାପ୍ରାପ୍ତ। ଭୋଜନକାଳୀନ ପୋଷାକ ରୂପେ ଛୋଟ ଧୋତି, ବା ପାଞ୍ଚ ହାତିଗାମୁଛାର ଏକ ଅଲଗା ସ୍ବୀକୃତି ଦେଖିବାକୁ ମିଳିଥାଏ। ମନେକରନ୍ତୁ, ଆପଣ ବନ୍ଧୁ କୁଣିଆ ଘର ଯାଇଛନ୍ତି; ସେଠି କଣ ଏମିତି ଚଳିବ? ସମୁଧି ଘର, ଶ୍ୱଶୁର ଘର, ସେଠିକି ଧୋବଫର ଫର ଧୋତି ନହେଲେ କିଏ ଖାତିର କରିବ? ସ୍ତ୍ରୀ ଲୋକଙ୍କ ପାଇଁ ପେଡ଼ିଲୁଗା, ପାଟ ମଠା ନହେଲେ ମହତ ରହିବ ନା? ଏ ଭଲଲୋକିଆ ପୋଷାକକୁ ଏବେ ପ୍ୟାଣ୍ଟ ଫୁଲପ୍ୟାଣ୍ଟ ଜାମା ଦଖଲ କରି ନେଇଛି। ମାନେ, ଭଦ୍ରଲୋକିଆ ପୋଷାକ ହେଲା ପ୍ୟାଣ୍ଟ୍ ଜାମା, କୋଟ୍ ସୁଟ୍ ହେଲେ ଅଧିକ ହୋଇପାରେ !
ଆମ ଠାକୁର ମଧ୍ୟ ଏହି ପୋଷାକ ନୀତି ମାନିଥାଆନ୍ତି। ତାଙ୍କର ବର୍ଷକେ ବତିଶ ବେଶର ନୀତି ନିୟମ ସଂକଳନ ସହ ପ୍ରତି ଦିନର ପୋଷାକ ନୀତି ଲିପିବଦ୍ଧ ହିସାବରେ ଚଳି ଆସିଛି। ବଡସିଂହାର ଠାରୁ ରାତ୍ରିବେଶ, ଶ୍ରାଦ୍ଧବେଶ ଆଦି ସମସ୍ତ ବେଶ ପୋଷାକ ର ନୀତି ନିର୍ଦ୍ଧାରିତ ନିୟମ ଅନୁସାରେ ଚାଲେ।
ସମସ୍ତ ପ୍ରକାର ଧୋତି ଗାମୁଛାକୁ ହଟାଇ ଡ୍ରେସ୍ କୋଡ୍ ଭିତରକୁ ପଶିଆସିଛି କୁର୍ତ୍ତାପାଇଜାମା ପୁରୁଷ ବର୍ଗ ପାଇଁ, ଓ ମ୍ୟାକ୍ସି ନାମକ ଲମ୍ବା ପୋଷାକ ମହିଳାଙ୍କ ପାଇଁ। ଆମ ରିସର୍ଚ୍ଚ ଯେତେ ଗଭୀରକୁ ଯାଇଛି ଖୋଳିପକାଇଛି କାଳଗର୍ଭରୁ ଅନେକ ସ୍ମୃତି। ଯେଉଁଦିନ ଆମ ଘରେ, ରୋଷେଇ ଘରେ ପଶିବାକୁ ଡ୍ରେସ୍ କୋଡ୍ ଥିଲା ମଠା ଲୁଗା ବା ପାଟଶାଢ଼ି, ତାହାକୁ କଛାମାରି ପିନ୍ଧିବାକୁ ହେଉଥିଲା। ଚୁଲି ଓ ପାକହାଣ୍ଡିରେ ସିନ୍ଦୂର ଲଗାଇ ପାକକାର୍ଯ୍ୟ କରିବାକୁ ହେଉଥିଲା।

ଯେବେଠାରୁ ମ୍ୟାକ୍ସି ଆସିଗଲା ପୋଷାକ ନିୟମ ଭିତରକୁ, ଓଡ଼ିଆ ଅସ୍ମିତାର ଶକ୍ତି ବୃଦ୍ଧି ହୋଇଗଲା ଜାଣନ୍ତୁ। ଓଡ଼ିଆ ଘରେ ପୋଷାକ ଶୃଙ୍ଖଳାର ବ୍ୟତିକ୍ରମ ଦେଖିବାକୁ ମିଳିଲା। ସର୍ବ କାର୍ଯ୍ୟରେ ମ୍ୟାକ୍ସିର ପରାକ୍ରମ ଦେଖିବାକୁ ହେଲା। ପିତୃ ଶ୍ରାଦ୍ଧ ଠାରୁ ପୂଜା ପାର୍ବଣ ପର୍ଯ୍ୟନ୍ତ ସମସ୍ତ ସାମାଜିକ, ଆଧ୍ୟ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟ କର୍ମରେ ମ୍ୟାକ୍ସି ନିଜର ରାତିପିନ୍ଧା ପରିଚୟ ହରାଇ ସାର୍ବଜନିକ ପୋଷାକର ପରିଚୟ ନେଲା।
ଏହି ମ୍ୟାକ୍ସି ଅନ୍ଧାର ଘରୁ ବାହାରି ଆସି ନିଜର ଉପସ୍ଥିତି ଜାହିର କରିବା ଫଳରେ ବଜାର ହାଟରେ କୋର୍ଟ୍ କଚେରୀ ସବୁଠାରେ ନିଜର ଶକ୍ତି ପ୍ରଦର୍ଶନ କରି ଜୟ ଯାତ୍ରା ଘୋଷଣା କରି ଚାଲିଛି ଓଡ଼ିଆ ଅସ୍ମିତା ସହ ପାଦ ମିଳାଇ । ଆନ୍ତର୍ଜାତିକ ମ୍ୟାକ୍ସି ଦିବସ ପାଳନ କରି ଓଡ଼ିଆମାନେ ଯେ “ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି”କୁ ସ୍ମରଣ ନ କରିବେ ,ସେମିତି କିଛି ମାନେ ନାହିଁ, କହନ୍ତି ସ୍ବାମୀ ଅଭୟାନନ୍ଦ। ପୁରୁଷ ସମାଜର ଅସ୍ମିତା ସ୍ତରରେ ଓର ଉଣ୍ଡି ପ୍ରବେଶ କରିଛି ଦେଢଫୁଟିଆ ଝିନ ବସ୍ତ୍ର ନିର୍ମିତ ନିକର, ହାଫପ୍ୟାଣ୍ଟ ବା ବର୍ମୁଡା ପ୍ୟାଣ୍ଟ, ଯାହାର ଏଲ୍ଓସି ଅର୍ଥାତ୍ ଲାଇନ୍ ଅଫ୍ କଣ୍ଟ୍ରୋଲ ହେଲା ଆଣ୍ଠୁ ଠାରୁ ଚାରିଇଞ୍ଚ ଉପରକୁ ଓ ଓପରିଭାଗରେ ଗଞ୍ଜି ଜାତୀୟ ପୋଷାକ ଖଣ୍ଡେ। ଏପରି ପୋଷାକ ନୀତି ଓଡ଼ିଆ ଅସ୍ମିତାକୁ ଭିଡ଼ି ଓଟାରି କେତେ ଆଗକୁ ନେଇପାରେ ଦେଖିବାକୁ ବାକି ରହିଲା।
ସ୍ଵାମୀ ଅଭୟାନନ୍ଦଙ୍କ ମୁଣ୍ଡକୁ କେତେ କଥା ଆସୁଛି ! ଭଲ ପ୍ରସଙ୍ଗଟିଏ ଉଠାଇଛନ୍ତି।ସତରେ ଶ୍ରାଦ୍ଧ ବେଳେ ବି ସ୍ତ୍ରୀ ଲୋକ ମେକ୍ସି ପିନ୍ଧୁଛନ୍ତି।ଭଲ ଲାଗିଲା ଲେଖାଟି।
ବହୁତ ବଢିଆ ଲାଗିଲା। ଠିକ କଥା ଠିକ ବେଳେ ଲେଖିଛ
ଇଏ ଆଲଖାଲାର ଆଧୁନିକ ସଂସ୍କରଣ। ରୁଗ୍ଣା ବୟସ୍କମାନଙ୍କ ପାଇଁ ବେଶ୍ ସୁବିଧାଜନକ।
ମୋର କିନ୍ତୁ ଏ ବାବା ଅଭୟାନନ୍ଦଙ୍କ ଫେସ୍ କୋଡ୍ ସମ୍ବନ୍ଧରେ ଅଭିଯୋଗ। ବାବାମାନଙ୍କ ଫେସ୍ କୋଡ୍ କହେ –
“ସର୍ବେ ଭବନ୍ତୁ ଦାଢିନଃ, ସର୍ବେସନ୍ତୁ ନିଶମୟା,
ସର୍ବେ ଦାଢ୍ଯାଣି ପଶ୍ୟନ୍ତୁ, ନ କଶ୍ଚିତ୍ ଦାଢିହୀନ ଭବେତ୍।”
ଏ ଦାଢିହୀନ ଅଭୟାନନ୍ଦ ବାବା ସମାଜରେ ଏ ଯାଏ କେବେ ବି ରେଜେଷ୍ଟ୍ରିଭୁକ୍ତ ହେଇନାହାନ୍ତି। ଏଣୁ ଯଥାଶୀଘ୍ର ଦାଢିବନ୍ତ ହେଇ ରେଜେଷ୍ଟ୍ରିଭୁକ୍ତ ହେଇଯାଆନ୍ତୁ ନହେଲେ ଭଣ୍ଡ ବାବା ବୋଲି ଲୋକେ କହିବେ।