ଏହି ଅଧୋଗତି ନିମନ୍ତେ ଦାୟୀ ସାହିତ୍ୟିକଗଣଙ୍କୁ ହାଜର୍ଚୋର ହେବାକୁ ପଡ଼ିବ।

ଓଡ଼ିଆ ଭାଷାରେ ଢଗଟିଏ ଅଛି; “ହଡ଼ା ବେଦନା କୁଆ ନ ଜାଣେ; ଠକ ଠକ କରି ଠେଙ୍ଗୁରେ ହାଣେ।”
ଓଡ଼ିଆ ସାହିତ୍ୟର ଦୁଃଖଦ ଅବସ୍ଥା ଓ ଏହାକୁ ସୁଧାରିବାର ଉପାୟ ବିବେଚନା କରିବାକୁ ଗଲାବେଳେ, ଏହି କଥାଟି ମରମକୁ ଛୁଏଁ। ଗୁଣ୍ଡିଆ ପାଣି ହୋଇଯାଏ।
ଓଡ଼ିଆ ସାହିତ୍ୟ ବର୍ତ୍ତମାନ ଏକ ଗଭୀର ସଙ୍କଟ ଅବସ୍ଥାରେ ଅଛି। ପ୍ରାଚୀନ ସମୟରୁ ଆମେ ଆଦର୍ଶ ଓ ଅନବଦ୍ୟ ସୃଷ୍ଟିସମଗ୍ର ପଢିଛୁ, ଯେତେବେଳେ କି ପାଠୁଆ ଅଧିକ ନଥିଲେ। ସମସ୍ତେ ରସିକ ଥିଲେ ସାହିତ୍ୟରସ ପାନ କରିବା ନିମନ୍ତେ। ବର୍ତ୍ତମାନ ପାଠୁଆଏ ବଢ଼ିଛନ୍ତି, କିନ୍ତୁ ଆଦର୍ଶ ସାହିତ୍ୟ କାହିଁ?
“ସୁନାମୁଦିଆ ହାତରୁ ଟାକରାଏ ଖାଇଲେ ଗଙ୍ଗାସ୍ନାନ ଫଳ ପାଇ।” ଏହି ନ୍ୟାୟରେ ବଡ଼ବଡ଼ିଆ ସାହିତ୍ୟିକ କିସ ଗୋଟିଏ ଲେଖିଦେଲେ; ଆମର ଅନେକ ତଳତଳିଆ ଉଃ– ଆଃ- ବାଃ ସ୍ୱରରେ ମଞ୍ଚ ଫଟେଇ ଦେଉଛନ୍ତି।
ଓଡ଼ିଆ ସାହିତ୍ୟ ଜଗତର ପରିସ୍ଥିତି ବିଶ୍ଲେଷଣକରି ଏଇ ପ୍ରାଣ ଦେଖୁଛି ଯେ, ଆମ ଓଡ଼ିଆ ସାହିତ୍ୟ ସଂସାରରେ ୩୩% ପ୍ରକାଶକ, ୩୩% ଲେଖକ ଓ ୩୩% ପାଠକ ଅଛନ୍ତି, କିନ୍ତୁ କ୍ରେତା ସେଠାରେ ମାତ୍ର ୧%। କେତେଜଣ ପ୍ରକାଶକ ନିଜେ ଲେଖକ ହୋଇ ନିଜର ପାଠକୀୟ ଗୋଷ୍ଠୀ ଉପରେ ନିର୍ଭରକରି ନିଜର ସ୍ଥିତିକୁ ଦୃଢ଼କରି ରଖିବାକୁ ଚେଷ୍ଟା କରୁଛନ୍ତି। ପ୍ରାୟତଃ ଲେଖକମାନେ ଅଧିକ ଲେଖାଲେଖି କରୁଛନ୍ତି, କିନ୍ତୁ ଅଳ୍ପ ପଢ଼ୁଛନ୍ତି, ଫଳରେ ସେମାନଙ୍କ ରଚନାରେ ଗୁଣ ଓ ଗାମ୍ଭୀର୍ଯ୍ୟର ଅଭାବ।
ଏହି ସଙ୍କଟରୁ ଆମ ସାହିତ୍ୟ ସଂସାରକୁ ଉଦ୍ଧାର କରିବାକୁ ହେବ। ଏହି ଅଧୋଗତି ନିମନ୍ତେ ଦାୟୀ ସାହିତ୍ୟିକଗଣଙ୍କୁ ହାଜର୍ଚୋର ହେବାକୁ ପଡ଼ିବ। ଏଥିପାଇଁ ସାହିତ୍ୟପ୍ରେମୀ ସଭିଙ୍କୁ ମିଳିମିଶି କିଛି ଏହିପରି ପଦକ୍ଷେପ ନେବାକୁ ହେବ। ଯେପରିକି,
ସାହିତ୍ୟ ସାଙ୍ଗଠନିକ ଚେତନା: ପ୍ରତ୍ୟେକ ଗ୍ରାମ-ସହର-ନଗରରେ ସାହିତ୍ୟ ଗୋଷ୍ଠୀ ସୃଷ୍ଟିହେବା ଦରକାର, ଯେଉଁଠାରେ ନିୟମିତ ଉତ୍ତମ ସାହିତ୍ୟ ପଠନ ଓ ଚର୍ଚ୍ଚାହେବ।
ଶିଶୁମାନଙ୍କୁ ସାହିତ୍ୟପ୍ରେମ ନିମନ୍ତେ ଅଭିପ୍ରେରଣା: ପିଲାଟି ଦିନରୁ ଗୁଣବତ୍ତାପୂର୍ଣ୍ଣ ଓଡ଼ିଆ ସାହିତ୍ୟ ପଢ଼ିବା ପାଇଁ ପ୍ରେରଣା ଦେବାକୁ ହେବ।
ଗୁଣବତ୍ତା ନିୟନ୍ତ୍ରଣ: ପ୍ରକାଶନ ପୂର୍ବରୁ ତାଲିମପ୍ରାପ୍ତ ସମ୍ପାଦକଙ୍କ ଦ୍ୱାରା ପାଣ୍ଡୁଲିପିର ସମୀକ୍ଷା ଅନିବାର୍ଯ୍ୟ ହେବା ଆବଶ୍ୟକ।
ସ୍ୱାଭିମାନ ଓ ସମ୍ମାନ: ଲେଖକ ତଥା ପ୍ରକାଶକ ଗୁଣବତ୍ତା ଓ ଆଦର୍ଶ ସାହିତ୍ୟକୁ ପ୍ରାଧାନ୍ୟ ଦେଲେ ପାଠକଙ୍କ ଗହଣରେ ପୁସ୍ତକ କିଣିବାର ମାନସିକତା ବଢ଼ିବ ଓ ସେମାନେ ମଧ୍ୟ ସମ୍ମାନିତ ହେବେ।
ସୁଧୀବୃନ୍ଦ, ଓଡ଼ିଆ ସାହିତ୍ୟର ଅବସ୍ରଂସନର ଏଇ ଘଡ଼ିରେ, ଲେଖକଙ୍କୁ ଅନୁରୋଧ ରହିବ; ଉତ୍ତମ ମାନର ଲେଖା ଲେଖନ୍ତୁ; ପ୍ରକାଶକଙ୍କ ଉପରେ ଆଶା ରହିବ ଯେ ପାଣ୍ଡୁଲିପିକୁ ଉତ୍ତମ ସମ୍ପାଦନା କରି ପ୍ରକାଶନ କରିବାର ବ୍ୟବସ୍ଥା କରିବା ହେବେ; ପାଠକଙ୍କ ଉପରେ ଏହି ବିଶ୍ୱାସ ରହିବ ଯେ, ଉତ୍ତମ ସାହିତ୍ୟର ଆଦର କରି ଲେଖକ ଓ ପ୍ରକାଶକଙ୍କ ଆଦର ଓ ସମ୍ମାନ କରିବେ।
ସମସ୍ତ ସାହିତ୍ୟପ୍ରେମୀ ସର୍ବସାଧାରଣଙ୍କୁ ଅନୁରୋଧ, ଏଇ ଅବବୋଧ ରଖି ଗୋଟିଏ ଗୋଟିଏ ପୁସ୍ତକ କିଣି ଓଡ଼ିଆ ସାହିତ୍ୟକୁ ହାଉଲେ ହାଉଲେ, ପାହୁଲେ ପାହୁଲେ ଆଗେଇ ନେବାରେ ସହାୟକ ହେବେ।
-ପ୍ରଭୂ
*ଅବସ୍ରଂସନ – ଅଧଃପତନ, ତଳକୁ ଖସିପଡ଼ିବା

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ପ୍ରଶାନ୍ତ ଭୂୟା ମହୋଦୟଙ୍କୁ ପ୍ରଶଂସା କରିବାକୁ ମୋ ପାଖରେ ଭାଷା ନଅଣ୍ଟ। ସେ ମଞ୍ଜି କଥାଗୁଡିଏ ସାହିତ୍ଯ ଚର୍ଚ୍ଚାର ଶେଷ ପୃଷ୍ଠାରେ ଲେଖୁଛନ୍ତି।
କିନ୍ତୁ ମରିଯାଇଥିବା ବା ସମାଧି ନେଇଥିବା ଶବ୍ଦ ଦୁଇଚାରିଟି ସେ ଆଣି ଥୋଉଛନ୍ତି। ଚେଷ୍ଟାକରି ସେ ଶବ୍ଦ ସବୁକୁ ବଞ୍ଚାଇ ହେବ କି ? କ’ଣ ଏ “ଅବସଂସ୍ରନ” ? କ’ଣ ଏ “ଗୁଣ୍ଡିଆ ପାଣି ହେବା”? ଏ ଶବ୍ଦ ସ୍ବାଦହୀନ, ଶବ୍ଦ ତ ନୁହେଁ ଶବ୍ଦର ଶବ।
ଏ ଭଳି ଶବ୍ଦ ବ୍ଯବହାରରେ ଲେଖାର ଓଜନ କମିଯାଉଛି ବୋଲି ମୋର ମତ।
“ସୁନାଖଡୁଆ ହାତରୁ ପାହାର ଖାଇ କନକସ୍ନାହାନ ମଣିବା”
ପୁରାତନ ଓ ହଜିଯାଉଥିବା ଶବ୍ଦମାନଙ୍କୁ ପୁନଃ ବ୍ୟବହାରକୁ ଆଣି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭୂୟାଁ ଏକ ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଅସସ୍ରଂସନ ଶବ୍ଦଟି ମୁଁ ଆଜି ନୂଆ ଶିଖିଲି, ଏବଂ ଏହା ପ୍ରୟୋଗ କରିବାକୁ ମଧ୍ୟ ଚେଷ୍ଟା କରିବି।
ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭୂୟାଁ ଠିକ୍ କହିଛନ୍ତି। ଗୁଣ୍ଡିଆ ପାଣି ହେବା, ମୁଁ ପିଲା ଦିନରୁ ବହୁତ ଶୁଣିଛି।ଆଜିକାଲି ଏହି ପଦ ଜନ ମାନସରେ ହଳିଯା ଇଛି।ଆଜିର ଲେଖକ ମାନେ ପଢ଼ୁଛନ୍ତି କମ୍ ଲେଖୁଛନ୍ତି ଢେର୍ ଅଧିକ।ତେଣୁ ପାଠକ ଙ୍କ ଆତ୍ମା ସ୍ପର୍ଶ କରିପାରୁନାହାନ୍ତି।
ଶେଷ ପୃଷ୍ଠାରେ ପ୍ରକାଶିତ ହେଉଥିବା ପ୍ରାୟ ସବୁ ଲେଖାର ଶୀର୍ଷକ ରେ ବ୍ୟବହୃତ ଶବ୍ଦ ପ୍ରଚଳିତ ଓଡ଼ିଆ ରେ ନଥାଏ । ତେଣୁ ମୁଁ ବୁଝିପାରେ ନାହିଁ। ତେବେ ଲେଖାତଳେ ଲେଖକ ଅର୍ଥ ବୁଝାଇ ଲେଖନ୍ତି।