ଏମିତି ହେଉ ଭାରତ

ଏମିତି ନିଶ୍ଚେ ହୋଇବ ଆମ ଭାରତ, ନାଗରିକଗଣ ଶାଂତ କରିଲେ ଚିତ୍ତ।

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଏମିତି ହେଉ ଭାରତ
ହାତ ପାଉଥାଉ ମନଲାଖି କାମ
ପେଟ ପାଉ ରୁଟି, ଭାତ

ଏପରି ହେଉ ଭାରତ
ଜୀବିକା ନଉକା ବାହିନେବା ପାଇଁ
ନାଗରିକ ପାଉ କାତ

ଏଭଳି ହେଉ ଭାରତ
ବିଷମିଶା ଚିଜ ବଜାରେ ଚଳାଇ
କେହି ନ ବଢ଼ାଉ ବିତ୍ତ

ଏମିତି ହେଉ ଭାରତ
ଆସିବା ଓ ଯିବା ବାଟରେ କେହି
କେବେ ବି ନ ଖୋଳୁ ଗାତ

ଏମିତି ହେଉ ଭାରତ
ନେତା, ଅଭିନେତା ପଛୁଆଳ ସାଜି
ଯୁବକ ନ ଧରୁ ନେତ

ଏପରି ହେଉ ଭାରତ
ସଭିଏଁ ସଳଖ ଭାଷକ ହୁଅଂତୁ
କେହି ନୋହୁ କାହା ଦୂତ

ଏଭଳି ହେଉ ଭାରତ
ଗର୍ଭବାସୀ ଶିଶୁ କେଉଁଠି ନ ହେଉ
ପ୍ରସବ ପୂର୍ବରୁ ମୃତ

ଏମିତି ହେଉ ଭାରତ
ପ୍ରତିଟି କାମରେ ଯୋଡ଼ି ହୋଇଥାଉ
ମୂଳ ଲକ୍ଷ୍ୟ ଲୋକହିତ

ଏମଂତ ହେଉ ଭାରତ
ଅନ୍ନ, ଜ୍ଞାନ, ଆଶା, ସ୍ବାସ୍ଥ୍ୟ ଦାତାଗଣ
ହେଉଥାଂତୁ ସମ୍ମାନିତ

ଇମିତି ହେଉ ଭାରତ
ପ୍ରତି ପରିବାର ମୁଂଡ ଗୁଂଜିବାକୁ
ପାଇଥାଉ ଏକ ଛାତ

ଏପରି ହେଉ ଭାରତ
ପାକଳ ବୟସେ ମର୍ଯାଦା ପାଆଂତୁ
ସବୁ ମାତ ଆଉ ତାତ

ଏଭଳି ହେଉ ଭାରତ
ଈଶ୍ବର ବ୍ୟତୀତ ଅନ୍ୟ କାହା ଆଗେ
ନ କରୁ ତା ମଥା ନତ

ଏମିତି ହେଉ ଭାରତ
ବିଶ୍ବଗୁରୁ ଆଉ ମାର୍ଗଦର୍ଶୀ ରୂପେ
ଜ୍ଞାନ ବାଂଟୁ ଅବିରତ

ଏପରି ହେଉ ଭାରତ
କଥା କଟାକଟି ଖେଳ ଛାଡ଼ି ଲୋକେ
ହୁଅଂତୁ କର୍ତବ୍ୟରତ

ଏଭଳି ହେଉ ଭାରତ
ଖରା, ବର୍ଷା, ଶୀତ ସହିତ ମିଶଂତୁ
ଶରତ୍‌, ବସଂତ, ହେମଂତ

ଏସନ ହେଉ ଭାରତ
କୌଣସି ସଭାରେ ଯଶ ଅଭିଳାଷୀ
ନ ହୁଅଂତୁ ଆତଯାତ

ଏମିତି ହେଉ ଭାରତ
ମତାଂଧମାନଂକୁ ପରାହତ କରୁ
ନ ହେଉ କେବେ ପରାସ୍ତ

ଏପରି ହେଉ ଭାରତ
ବିଧିବିନାଶକ ଦୁର୍ଜନଂକୁ ମିଳୁ
ଦଂଡ ଓ ଶାସ୍ତି ତୁରଂତ

ଏଭଳି ହେଉ ଭାରତ
ଶିଶୁ ପାଠଶାଳା ଜ୍ଞାନାଗାର ବନୁ
ବ୍ୟବସ୍ଥା ହେଉ ଦୋରସ୍ତ

ଏମଂତ ହେଉ ଭାରତ
ସବୁ ବିବାଦର ସମାଧାନ ହେଉ
ନିୟମିତ ଅବିରତ

ଏସନ ହେଉ ଭାରତ
କର୍ମ ସଂପାଦନ ପଦ୍ଧତିରେ କିଛି
ନ ରହୁ ବହିରାଗତ

ଇମିତି ହେଉ ଭାରତ
ସମୂହ ପୀଠରେ ହେଉ ବିଶ୍ଳେଷିତ
ବିବିଧ ଧାରଣା ମତ

ଏମିତି ହେବନି ଭାରତ
ନାଗରିକଗଣ ନିଜର ଚେଷ୍ଟାରେ
ଶାଂତ ନ କଲେ ଚିତ୍ତ

Leave a Reply

Your email address will not be published. Required fields are marked *