ମନୋଜ ଦାସଙ୍କ ‘ଆରଣ୍ୟକ’ ଓ ‘ଏ ଟ୍ରିପ୍‌’: ଏକ ତୁଳନା

ଚରିତ୍ରମାନେ ନିଜ କୃତକର୍ମର ଦର୍ପଣରେ ନିଜ ନିଜକୁ ଦେଖନ୍ତି, ଯେଉଁଠାରେ “କ’ଣ ହୋଇଯାଇଛି”’ ତାହାହିଁ ମୁଖ୍ୟ, “କ’ଣ ହୋଇପାରିଥାନ୍ତା” ଅପେକ୍ଷା।

ଶରତ ଚନ୍ଦ୍ର ଶତପଥୀ

ମନୋଜ ଦାସଙ୍କର ଏକ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ୧୯୬୦ ମସିହାରେ ‘ଆରଣ୍ୟକ’ ନାମରେ। ଏଥିରେ ଅନ୍ତର୍ଭୁକ୍ତ ଥିଲା ଏହି ଶୀର୍ଷକ ବହନ କରିଥିବା ତାଙ୍କର ଗଳ୍ପଟିଏ ମଧ୍ୟ, ଯାହା ପ୍ରଥମେ ତତ୍‌କାଳୀନ ମାସିକ ଓଡ଼ିଆ ପତ୍ରିକା ‘ଦିଗନ୍ତ’ରେ ୧୯୫୯ ମସିହାରେ ପ୍ରକାଶ ପାଇଥିଲା। ଏବେ ଖୁବ୍ କମ୍ ସଂଖ୍ୟକ ପାଠକ ହୁଏତ ଜାଣିଥିବେ ଏ ବିଷୟରେ। ମନୋଜ ବାବୁ କିନ୍ତୁ କୌତୁହଳପ୍ରଦ ଭାବେ ଅରୱେଲିଆନ୍ ସ୍ମୃତି-ଛିଦ୍ର (ମେମୋରି ହୋଲ୍‌)ର ପନ୍ଥା ଅନୁସରଣ କରି ସେହି ଗଳ୍ପଟିକୁ ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିବା ତାଙ୍କର ଏକ ପୃଥୁଳକାୟ ଗ୍ରନ୍ଥ ‘ମନୋଜ ଦାସଙ୍କ କଥା ଓ କାହାଣୀ’ରୁ ବାଦଦେଇଛନ୍ତି। ଏହା ପରିବର୍ତ୍ତେ ‘ଆରଣ୍ୟକ’ ନାମରେ ଯେଉଁ ଗଳ୍ପଟି ଏଥିରେ ପ୍ରକାଶ ପାଇଛି ତାହା ୧୯୭୪ ମସିହାରେ ଖୁସୱନ୍ତ ସିଂଙ୍କ ଦ୍ୱାରା ସମ୍ପାଦିତ ‘ଷ୍ଟୋରୀଜ୍ ଫ୍ରମ୍ ଇଣ୍ଡିଆ’ରେ ସ୍ଥାନ ପାଇଥିବା ‘ଏ ଟ୍ରିପ୍ ଇଣ୍ଟୁ ଦି ଜଙ୍ଗଲ୍‌’ର ଓଡ଼ିଆ ଅନୁବାଦ ମାତ୍ର। ଏଣୁ ଏହି ଉଭୟ ଗଳ୍ପ ମଧ୍ୟରେ ଆମେ ଦେଖିଥାଉ କିଛି ପ୍ରଭେଦ; ଯେମିତି,

୧. ‘ଏ ଟ୍ରିପ୍‌’ ହେଉଛି ଏକ ବୃହତ୍ତର ଗଳ୍ପ, ଯାହାକୁ ମଝିରେ ମଝିରେ ବିରତି ଦେଇ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି।
୨. ଏହାର ପ୍ରାରମ୍ଭ ମଧ୍ୟ ଭିନ୍ନ ପ୍ରକାରେ ହୋଇଛି। ଶେଷରୁ ଆରମ୍ଭ ହୋଇଛି କେତେକ ଘଟଣାକ୍ରମ ଏବଂ ନାଟକୀୟ ଭାବରେ ସେହି ଶେଷରୁ ହିଁ ନିଜ ବର୍ଣ୍ଣନାର ଖିଅ ଆଗକୁ ବଢ଼ାଇଛନ୍ତି ଲେଖକ।
୩. ସେହେତୁ ତା’ଙ୍କୁ ସ୍ଥଳବିଶେଷରେ ପୂର୍ବ ଘଟଣାକ୍ରମର କିଛି ସଂକ୍ଷିପ୍ତ ସୂଚନା ଦେବାକୁ ହୋଇଛି।
୪. ‘ଏ ଟ୍ରିପ୍‌’ରେ ରାଜା ସାହେବ ନାମକ ଜଣେ ଅତିରିକ୍ତ ଚରିତ୍ରକୁ ସ୍ଥାନ ଦେଇଛନ୍ତି ଲେଖକ।
୫. ଏଥିରେ ଭୂତ ଇତ୍ୟାଦି ପ୍ରସଙ୍ଗ ଆଣି ପରିବେଶକୁ ଟିକିଏ ଅଲୌକିକ ରଙ୍ଗ ଦିଆଯାଇଛି।
୬. ଉଭୟ ଗଳ୍ପର ଉପସଂହାରରେ ମଧ୍ୟ ଭିନ୍ନତା ଅଛି।
୭. ‘ଏ ଟ୍ରିପ୍‌’ରେ କାହାଣୀଟିର ସ୍ୱରୂପ ଦୀର୍ଘ କଥୋପକଥନ ଉପରେ ନିର୍ଭର କରିଛି। ‘କ’ଣ ଘଟିଥିଲା?’ ଅପେକ୍ଷା ‘କ’ଣ ଘଟିପାରିଥାନ୍ତା?’ ଉପରେ ପ୍ରାଧାନ୍ୟ ଦିଆଯାଇଛି।
୮. ଏ ଦୁଇଟିର ଶବ୍ଦ ବିନ୍ୟାସରେ ମଧ୍ୟ ପାର୍ଥକ୍ୟ ଅଛି, ଯଦିଓ ଉଭୟର ଭାବ, ପରିବେଷଣ ଶୈଳୀ ଓ ଚିତ୍ର ସଂରଚନାରେ ଅଛି ସାମଞ୍ଜସ୍ୟ।
ମନୋଜ ଦାସ କିନ୍ତୁ ‘ଏ ଟ୍ରିପ୍‌’ରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଥରେ କହିଥିଲେ ଯେ,
୧. ‘ଏ ଟ୍ରିପ୍‌’ ପୂର୍ବ ପ୍ରକାଶିତ ‘ଆରଣ୍ୟକ’ ଗଳ୍ପଟି ଦ୍ୱାରା ଅନୁପ୍ରାଣିତ ମାତ୍ର ହୋଇଛି।
୨. ‘ଏ ଟ୍ରିପ୍‌’କୁ ଏକ ନୂତନ ଗଳ୍ପ ବୋଲି କୁହାଯାଇପାରେ।
୩. ଦ୍ୱିତୀୟ ଗଳ୍ପଟି ଲେଖିବା ବେଳେ ସେ ଏକ ନୂତନ ଭାବତରଙ୍ଗ ଦ୍ୱାରା ଆବିଷ୍ଟ ହୋଇଥିଲେ।
୪. ପୂର୍ବର ‘ଆରଣ୍ୟକ’ ଗଳ୍ପଟି ତା’ଙ୍କୁ ଏକ ଅତ୍ୟନ୍ତ ଖୋଲା ଓ ସିଧା ପରିପ୍ରକାଶ ଭଳି ଲାଗିଥିଲା।
୫. ସେ ଭାବିଲେ ଯେ ଏହି ଗଳ୍ପଟିର କେତୋଟି ପରିସ୍ଥିତି ବା ପ୍ରକରଣକୁ ଏମିତି ଖୋଲାଖୋଲି ଭାବରେ ନ ଲେଖି, ତାହାକୁ ଟିକିଏ କୁହେଳିକାମୟ କରିବାର ଆବଶ୍ୟକତା ଥିଲା।
ମୋଟାମୋଟି ଭାବରେ ମନୋଜ ଦାସ ପାଠକମାନଙ୍କର ଏହି ମତଟିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ ଯେ ପୂର୍ବର ‘ଆରଣ୍ୟକ’ ଗଳ୍ପଟି ‘ଏ ଟ୍ରିପ୍‌’ ଅପେକ୍ଷା କାହୁଁ ଅଧିକ ପ୍ରଭାବଶାଳୀ ଥିଲା। ଅବଶ୍ୟ ଆମେ ତାଙ୍କର ଆଭିମୁଖ୍ୟ ଓ ସଂବେଦନଶୀଳତାରେ ଘଟିଥିବା ପରିବର୍ତ୍ତନ ବିଷୟରେ କିଛି କହିପାରିବା ନାହିଁ। କାରଣ ଲେଖକୀୟ ଆବେଗ ବା ଚିନ୍ତନ ସର୍ବଦା ସ୍ଥିର ହୋଇ ରହିନଥାଏ। କିନ୍ତୁ ପାଠକୀୟ ମତାମତ ସହିତ ତାଙ୍କର ମତପାର୍ଥକ୍ୟ ଗଭୀର ଅଧ୍ୟୟନର ଅପେକ୍ଷା ରଖେ।
ଅନୁପ୍ରେରକର ଭୂମିକା
‘ଆରଣ୍ୟକ’ ଗଳ୍ପଟି ଯେ ‘ଏ ଟ୍ରିପ୍‌’ ପାଇଁ କେବଳ ଗୋଟିଏ ଅନୁପ୍ରେରକର ଭୂମିକା ନେଇଥିଲା, ତାଙ୍କର ଏହି ସ୍ପଷ୍ଟୀକରଣଟି ଯଥାର୍ଥ ମନେହୁଏ ନାହିଁ। ପରବର୍ତ୍ତୀ ଗଳ୍ପଟି ଯେ ପ୍ରଥମେ ଇଂରାଜୀରେ ଲେଖାଯାଇ, ପରେ ଓଡ଼ିଆକୁ ଅନୂଦିତ ହୋଇଥିଲା ଏହାର ବିଶେଷ ପ୍ରାସଙ୍ଗିକତା ନାହିଁ। ଜଣେ ଅନୁଧ୍ୟାନଶୀଳ ପାଠକ ପାଇଁ ‘ଏ ଟ୍ରିପ୍‌’ ହେଉଛି ‘ଆରଣ୍ୟକ’କୁ ପୁନର୍ଲିଖନ କରିବାର ଏକ ପ୍ରୟାସ। ‘ଆରଣ୍ୟକ’କୁ ‘ଏ ଟ୍ରିପ୍‌’ର ଛାଞ୍ଚରେ ଢାଳିବା ବେଳେ ଆୟାସସାଧ୍ୟ ପୁନର୍ଗଠନ ଓ ପୂର୍ବାଗ୍ରହପୂର୍ଣ୍ଣ ନବଚିନ୍ତନର ଏକ ସ୍ପଷ୍ଟ ଭୂମିକା ଆମକୁ ଦିଶିଯାଏ। ତେଣୁ ଲେଖକଙ୍କର ସ୍ପଷ୍ଟୀକରଣ ଯେ ସେ ଦ୍ୱିତୀୟ ଗଳ୍ପଟି ଲେଖିବା ବେଳେ କେବଳ ଏକ ନୂତନ ଭାବତରଙ୍ଗ ଦ୍ୱାରା ଆବିଷ୍ଟ ହୋଇଥିଲେ – କଥାଟି ଆମକୁ ସନ୍ତୁଷ୍ଟ କରିପାରେ ନାହିଁ; ବରଂ ଯେମିତି ମନେହୁଏ, ତାଙ୍କର ଚେତନାକୁ ସେ ସର୍ଜନଶୀଳତାର ଆବଶ୍ୟକତା ସାମନାରେ ସମର୍ପଣ କରିଦେଇଛନ୍ତି। କିନ୍ତୁ ଏହାକୁ ବାଟ କଢ଼ାଇଛି ‘ଆରଣ୍ୟକ’ ଏବଂ ‘ଏ ଟ୍ରିପ୍‌’ରେ ଗୋଟିଏ ଉନ୍ନତତର କଥାଶିଳ୍ପକୁ ରୂପ ଦେବାପାଇଁ ଲେଖକ ଯତ୍ନଶୀଳ ହୋଇଛନ୍ତି।

‘ଆରଣ୍ୟକ’ରେ ଆମେ ଏକ ସରଳରୈଖିକ ବର୍ଣ୍ଣନା ଶୈଳୀ ପାଉ; ଯେଉଁଥିରେ ଚରିତ୍ରଗୁଡ଼ିକର ଉପସ୍ଥାପନ ଓ ଭାବବସ୍ତୁର ଉନ୍ମୋଚନ ଧନୁରୁ ତୀର ଛାଡ଼ିବା ଭଳି ଏବଂ ତୀବ୍ର ଗତିରେ ହୋଇଥାଏ। ଏହାର ସଫଳତା ନିର୍ଭର କରେ ଏହାର ସଳଖ ଓ ଖୋଲାପଣ ଉପରେ। ଏହା ପ୍ରଭାବଶାଳୀ ହୋଇଥାଏ ଏହାର ଗଢ଼ଣଗତ ଢାଞ୍ଚା ଓ ଭାଷାଗତ ତୀକ୍ଷ୍ମତା ହେତୁ। ‘ଆରଣ୍ୟକ’ର ଥିମ୍‌ରେ ଏହା ଭିନ୍ନ କୌଣସି ବିଳାସ ପାଇଁ ସ୍ଥାନନାହିଁ। ଜଣେ ରାଜା ସାହେବଙ୍କ ଉପସ୍ଥିତି ଏଥିରେ ଅନାବଶ୍ୟକ ଓ ଅପ୍ରାସଙ୍ଗିକ। କୌଣସି ପ୍ରକାର ଆଳଙ୍କାରିକତା ପାଇଁ ଏଥିରେ ସ୍ଥାନ ନାହିଁ। ରରିତ୍ରଗୁଡ଼ିକ ମନୁଷ୍ୟପ୍ରତିମ ମଧ୍ୟ ନୁହନ୍ତି, ଯାହା ସେମାନଙ୍କର ନାମକରଣରୁ ହିଁ ଜଣାପଡ଼େ। ‘ମିଟି’ ମନେହୁଏ ଯେମିତି ମିଟ୍ (ମାଂସ)ରେ ଗଢ଼ା; ‘ଚାକୋଡ଼ି’ର ମଧ୍ୟ ସେମିତି କେବଳ ନାମଟି ହିଁ ମଣିଷ ପ୍ରତିମ। ସମୁଦାୟ ଗଳ୍ପଟିରେ ମନେହୁଏ, କେବଳ ଶ୍ୟାମଳ ହିଁ ମଣିଷ, ରୂପ-ରଙ୍ଗ ଓ ନୀତି-ନୈତିକତା, ଉଭୟରେ। ତା’ର ମନୋରମ ନାମଟି ମଧ୍ୟ ବେଶ୍ ମେଟାଫରିକାଲ୍‌। ଏ ଦୃଷ୍ଟିରୁ ସେ ଜଙ୍ଗଲି ଚରିତ୍ରମାନଙ୍କ ଦ୍ୱାରା ଉତ୍ପୀଡ଼ିତ ଏକମାତ୍ର ବ୍ୟକ୍ତି। ତା’କୁ ଘେରି ରହିଥିବା ଅନ୍ୟମାନେ ନା ବୌଦ୍ଧିକ, ନା ଦାର୍ଶନିକ, ନା ତତ୍ତ୍ୱସଙ୍ଗତ। ସେମାନେ କୌଣସି ଚିନ୍ତାଶୀଳତାର ପ୍ରତିନିଧିତ୍ୱ କରନ୍ତି ନାହିଁ। ସେମାନେ ଜଙ୍ଗଲ ଭିତରକୁ କୌଣସି ଆଧ୍ୟାତ୍ମିକତାର ସନ୍ଧାନରେ ଯାଇନଥାନ୍ତି। ତେଣୁ ବସ୍ତୁସ୍ଥିତିଟିକୁ କୁହେଳିକାମୟ କରିବାର ଆବଶ୍ୟକତା ବା କ’ଣ? ‘ଏ ଟ୍ରିପ୍‌’ରେ ଏହା କ’ଣ ବା ଉଦ୍ଦେଶ୍ୟ ସାଧନ କରିବ? ସେମାନେ ଆଉ କ’ଣ କରିପାରିଥାଆନ୍ତେ, ସେହି ସମ୍ଭାବନା ଦିଗକୁ ଯିବାର ଆବଶ୍ୟକତା ବା କ’ଣ ଥିଲା? ସେମାନଙ୍କୁ ଜଗାଇବାର ଆବଶ୍ୟକତା ବି କ’ଣ ଥିଲା? ବିଡମ୍ବନା ହେଲା।, ‘ଏ ଟ୍ରିପ୍‌’ରେ ରାଜାସାହେବ ଲେଖକଙ୍କ ଚେତନା-ଜାଗରଣର ତତ୍ତ୍ୱକୁ ଖାରଜ କରିବା ପାଇଁ ଶେଷକୁ କହିଛନ୍ତି, “ସେ ବାଂଲୋରେ ଅନେକ ଭୂତପ୍ରେତ ଅଛନ୍ତି ବୋଲି ଶୁଣାଯାଏ। ସେମାନେ ଅନେକ କିସମର ବିଭ୍ରାଟ କରନ୍ତି। ହୁଏତ ସେଇମାନେ ଆମ କଳ୍ପନାକୁ ନେଇ ଖେଳ ଖେଳି ଆମକୁ ଗଧ ବନାଇ ଛାଡ଼ିଲେ।’ ସାରା ବିଭ୍ରାଟର ଏକ ଚମତ୍କାର ଉପସ୍ଥାପନା ଘଟିଛି ଏଠାରେ। ସେମାନେ ଯେମିତି ଭିତରକୁ ଆସିଛନ୍ତି ସେମିତି ବାହାରକୁ ଚାଲିଯାଇଛନ୍ତି। କିନ୍ତୁ ପୂର୍ବର ‘ଆରଣ୍ୟକ’ ଗଳ୍ପରେ ସେମାନେ କବାଟ ଖୋଲି ଭିତରକୁ ଆସିଛନ୍ତି ଏବଂ ବାରହାକୁ ସେହିଠାରେ ସେମିତି ହିଁ ପାଇଛନ୍ତି, ଯେମିତି ସେମାନେ ତାକୁ ଛାଡ଼ିଯାଇଥିଲେ। ସେମାନେ ପୂର୍ବ ରାତିରେ ଶ୍ୟାମଳକୁ ମାରି ଖାଇ ଦେଇଥିବାର ସମ୍ଭାବନାଟି ସତ୍ୟ ହୋଇଥିବା ଜାଣି ପାଠକ ଏକ ଦୁଃସହ ଧକ୍କା ପାଏ। ଚରିତ୍ରମାନେ ନିଜ କୃତକର୍ମର ଦର୍ପଣରେ ନିଜ ନିଜକୁ ଦେଖନ୍ତି, ଯେଉଁଠାରେ “କ’ଣ ହୋଇଯାଇଛି’ ତାହାହିଁ ମୁଖ୍ୟ, “କ’ଣ ହୋଇପାରିଥାନ୍ତା’ ଅପେକ୍ଷା। ସେମାନଙ୍କ ସଂବିତ୍‌ରେ ସୃଷ୍ଟି ହୋଇଛି ଅନୈତିକତାର କ୍ଷତ, ଯାହାର ଉପଶମ ହୁଏତ ତାହାଠାରୁ ଅଧିକ ଯନ୍ତ୍ରଣାପ୍ରଦ। ସେମାନଙ୍କର ବ୍ୟାଧି ଅଜସ୍ର ଉପଦେଶ କି ପ୍ରବଚନରେ ମଧ୍ୟ ଉଣା ହୋଇପାରିବ ନାହିଁ। ‘ଆରଣ୍ୟକ’ର ଉପସଂହାରରେ ଅଛି ଏହି ସ୍ପଷ୍ଟ ବାର୍ତ୍ତା।
ଗୋଟିଏ ଦୃଷ୍ଟିରୁ ଦେଖିଲେ ‘ଏ ଟ୍ରିପ୍‌’ର କଳେବର ‘ଆରଣ୍ୟକ’ର ତୀକ୍ଷ୍‌ଣତା ଓ ସୂକ୍ଷ୍ମତାରୁ ବଞ୍ଚିତ ହୋଇଛି। ପରିଣାମରେ ଗଳ୍ପଟିର ପରିମାର୍ଜନ କରିବାକୁ ଯାଇ ତାହାର ବିକୃତିକରଣ କରିବା ହିଁ ସାର ହୋଇଛି। ତେଣୁ ମନୋଜ ଦାସ ପାଠକମାନଙ୍କର ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ‘ଏ ଟ୍ରିପ୍‌’ର ଏକ ଓଡ଼ିଆ ଅନୁବାଦ ପ୍ରସ୍ତୁତ କରିବା ଅପେକ୍ଷା ବରଂ ମୂଳ ‘ଆରଣ୍ୟକ’ଟି ପୁନଃପ୍ରକାଶ କରିବାର ଆବଶ୍ୟକତା ଥିଲା।
‘ଆରଣ୍ୟକ’ ହେଉଛି ଓଡ଼ିଆ କଥାସାହିତ୍ୟର ମହାନ ସମ୍ପଦ। ସ୍ୱୟଂ ମନୋଜ ଦାସ ଏହାକୁ ସ୍ୱୀକାର ନ କରିବାଟା ଏକ ବିଡ଼ମ୍ବନା ଭଳି ମନେହୁଏ।
ମନୋଜ ଦାସଙ୍କଠାରୁ ଏହି ଲେଖକ ପାଇଥିବା ଗୋଟିଏ ଚିଠି
ପଣ୍ଡିଚେରୀ
ଫେବ୍ରୁଆରି ୧୩, ୧୯୭୯
ପ୍ରିୟ ଶ୍ରୀ ଶତପଥୀ,
ଆପଣଙ୍କର ୭ ଫେବ୍ରୁଆରୀ,୧୯୭୯ର ଚିଠି ପାଇଁ ଧନ୍ୟବାଦ ଜଣାଉଛି। ଆପଣଙ୍କର ସର୍ଜନାତ୍ମକ ଅନୁସନ୍ଧିତ୍ସା କଥା ଜାଣିପାରି ମୁଁ ଆନନ୍ଦିତ।
‘ଆରଣ୍ୟକ’ ଗଳ୍ପଟି ତାହାର ମୂଳ ରୂପରେ ୧୯୫୯ ମସିହାରେ ଲେଖା ହୋଇଥିଲା। ୧୯୭୧ରେ ମୁଁ ଏହାର ଇଂରାଜୀ ଅନୁବାଦ କଲି। ଯଦିଓ ମୂଳଗପଟିର ଥିମ୍ ଏହାର ପ୍ରେରଣାଉତ୍ସ ଥିଲା, ମୁଁ ମୂଳ ଗଳ୍ପଟିକୁ ଯଥାବତ୍ ଇଂରାଜୀରେ ଅନୁବାଦ କରିନଥିଲି, ବରଂ ନୂତନ ଗଳ୍ପଟିଏ ଲେଖିଥିଲି। କଥା ହେଲା ‘ଆରଣ୍ୟକ’ ଏବେ ଓଡ଼ିଆରେ ଯେଉଁ ରୂପରେ ଉପଲବ୍ଧ, ତାହାକୁ ୧୯୭୧ରେ ଲିଖିତ ଇଂରାଜୀ ଗଳ୍ପ, ‘ଏ ଟ୍ରିପ୍ ଇଣ୍ଟୁ ଦି ଜଙ୍ଗଲ୍‌’ର ଓଡ଼ିଆ ଅନୁବାଦ ବୋଲି କୁହାଯାଇ ପାରିବ।
ଏମିତି ନୁହଁ ଯେ ୧୯୭୧ରେ ଏହି ଗଳ୍ପ ଲେଖିବା ବେଳେ ମୁଁ ମୂଳ ଗଳ୍ପଟିକୁ ବିସ୍ମରଣ କରିଛି। କିନ୍ତୁ ଗୋଟିଏ ନୂଆ ଭାବତରଙ୍ଗ ମୋତେ ଗୋଟିଏ ଭିନ୍ନ ଦିଗକୁ ବାଟ କଢ଼ାଇନେଇଛି। ମୋର ମନେହେଲା ଯେ ମୂଳ ଗଳ୍ପର ଉପସଂହାର ଅଧିକ ସିଧାସଳଖ ଥିଲା। ଅବଶ୍ୟ ସେମାନେ ନିଶ୍ଚିତ ଭାବେ ବାର୍‌ହା ପରିବର୍ତ୍ତେ ନରମାଂସ ଭକ୍ଷଣ କରିଥିଲେ। କିନ୍ତୁ ୧୯୭୧ରେ ମୋ’ର ମନେହେଲା ଯେ ଏହାକୁ ଅସ୍ପଷ୍ଟ ରଖିବା ଉଚିତ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସେମାନେ କ’ଣ କରିବାର ସମ୍ଭାବନା ଥିଲା ଏବଂ ଏକ ଆଦିମ ପାଶବିକତାର ବଶବର୍ତ୍ତୀ ହେବା ଫଳରେ ସେମାନଙ୍କ ମନରେ ଘୋଟିଯାଇଥିଲା ଆତଙ୍କ। ସେମାନେ ସେହି କାଣ୍ଡଟି କରିଥିଲେ କି ନାହିଁ ତାହା ଏକ ଭିନ୍ନ ପ୍ରଶ୍ନ। ଏଣୁ କେବଳ ଗୋଟିଏ ଇଙ୍ଗିତ ଦିଆଯାଇଛି ଯେ ବୋଧହୁଏ ସେମାନେ ତାହା କରିନଥିଲେ।
ବୋଧହୁଏ ଉଭୟ ଗଳ୍ପ ମଧ୍ୟରେ ଥିବା ଫରକ ଗୋଟିଏ ଦୃଷ୍ଟିରୁ ମୋର ମନୋଦୃଷ୍ଟି ଓ ସମ୍ବେଦନାରେ ପରିବର୍ତ୍ତନର ସୂଚକ। ତେବେ ଅନେକ ପାଠକ ଏବେ ବି ଭାବନ୍ତି ଯେ ମୂଳ ଗଳ୍ପଟି ଅଧିକ ପ୍ରଭାବଶାଳୀ ଥିଲା। କିନ୍ତୁ ମୋର ନିଜ ମତଟି ଭିନ୍ନ।
ମୂଳ ଗଳ୍ପଟି ୧୯୫୯ରେ ‘ଦିଗନ୍ତ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ‘ଆରଣ୍ୟକ’ ଶୀର୍ଷକ ବହିଟି ବଜାରରୁ ସରିଗଲାଣି। ମୁଁ ଜାଣିବାକୁ ପାଇଥିଲି ଯେ ଏହା ଏମ୍‌.ଏ. ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। କେତେକ ଲାଇବ୍ରେରୀରେ ଏହାର କପି ଥିବ। ଆପଣ ଏହା ପାଇବାକୁ ଚେଷ୍ଟା କରନ୍ତୁ। ଯଦି ନ ପାଆନ୍ତି, ତେବେ ମୁଁ କିଛି ଦିନ ମଧ୍ୟରେ ଏହା ଖୋଜି ପଠାଇବାକୁ ଚେଷ୍ଟା କରିବି।
ଶୁଭକାମନା ସହ,
ମନୋଜ
(ମୂଳ ଇଂରାଜୀ ଚିଠିର ଓଡ଼ିଆ ଅନୁବାଦ।)

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *