ପ୍ରେମରେ ପୁରୁଷର ଦାତାପଣ ଓ ଆମ ସାହିତ୍ୟ

ନାରୀର ମନ ପତିପୁତ୍ର ସର୍ବସ୍ୱ ଗୋଟେ କ୍ଷୁଦ୍ର ମଣ୍ଡଳରେ ସୀମିତ ହୋଇଥାଏ। ସ୍ୱାମୀର ମନ ଖୋଲା ଆକାଶ ଅବା ମୁକ୍ତ ନଭୋମଣ୍ଡଳ ଭଳି।

ଆଦିକନ୍ଦ ସାହୁ

ଯେଉଁ ପ୍ରେମଚେତନାଟି ଯୁଗଯୁଗ ଧରି ଗଢ଼ିଉଠିଛି, ସତ କହିଲେ ଗୋଟେ ପୁରୁଷପ୍ରଧାନ ପ୍ରାଣ ହିଁ ତାକୁ ଗଢ଼ିଛି। ପୂର୍ବରେ ଯାହା ପଶ୍ଚିମରେ ବି ସେଇଆ। ଆଉ ପୁରୁଷ ଗଢ଼ା ସେଇ ଚେତନାର ଈଶ୍ୱରୀ ହେଉଛି ନାରୀ।
କଳା କବିତାରେ ଆମେ ଯେଉଁ ପ୍ରେମର ସ୍ୱାକ୍ଷର ଦେଖୁ, ତାକୁ ପୁରୁଷପ୍ରାଣ ତିଆରିଛି ବୋଲି ତାହା ସେ ପାଇଁ ନାରୀକୈନ୍ଦ୍ରିକ ହୋଇଛି। ନାରୀକୁ ବାଦ୍‌ଦେଇ ବୋଧେ ଅସଲ ପ୍ରେମ ଭାବନା ପୃଥିବୀରେ ନାହିଁ। ଯଦିଓ ପ୍ଲେଟୋ ପ୍ରମୁଖ ଗ୍ରୀକ୍ ଦାର୍ଶନିକମାନେ ପ୍ରେମାନୁଭୂତି ତଥା ସୌନ୍ଦର୍ଯ୍ୟାବଧାରଣାରେ ସମଲିଙ୍ଗୀକୁ ଅନ୍ତର୍ଭୁକ୍ତ କରିଛନ୍ତି। ସେ ଯାହାହେଉ, ପୁରୁଷପ୍ରାଣର ଗୋଟେ ଦାତାପଣ ଅଛି। ସେ ଦୃଷ୍ଟିରୁ ନାରୀ ପ୍ରାୟ ସବୁବେଳେ ଗ୍ରହୀତା।
ଗ୍ରହୀତା ଓ ଦାତା
ଗ୍ରହୀତାଠାରୁ ଦାତାର ଉଦାହରଣ ବେଶି। ଏମିତି ପ୍ରେମ ବିଷୟକ ଚର୍ଚ୍ଚାରେ ନାରୀ ମୁକ୍ତ ଚିନ୍ତନ ଆଡ଼କୁ ଜମା ଆସିନି। ଅନ୍ୟପକ୍ଷରେ ପୁରୁଷ କର୍ତ୍ତୃକ ସମାଜରେ ନାରୀର ଊର୍ଦ୍ଧ୍ୱତନ ଭାବାବେଗକୁ ଏଯାବତ୍ ଉପଯୁକ୍ତ ସମର୍ଥନ ମିଳିନାହିଁ।
ସେଇ ପୁରୁଷପ୍ରଧାନ ସମାଜରେ ଲାଳିତପାଳିତ ହୋଇଥିବା କବି ଓ ଲେଖକମାନେ କହନ୍ତି, ମନୁଷ୍ୟ ପକ୍ଷରେ ପ୍ରେମିକ ହେବାଠାରୁ ଆଉ ବଡ଼ ଆଶୀର୍ବାଦ କିଛି ନାହିଁ।
ନାରୀର କ’ଣ ପ୍ରେମାନୁଭୂତି ନାହିଁ। କେବଳ ପୁରୁଷର ଅଛି? ନାରୀ କିନ୍ତୁ ନିଜେ ତା’ର ପ୍ରେମାନୁଭୂତିକୁ ପ୍ରାୟ ପ୍ରକଟନ କରିନାହିଁ; ଯେପରି ପୁରୁଷ କରିଛି। ନାରୀର ସୁନିଷ୍ଠ ପ୍ରେମ ଅଧିକରୁ ଅଧିକ ଅନୁଚ୍ଚାରିତ ହୋଇରହିଛି।
ପ୍ରେମ ସହିତ ଯୋଡ଼ାହୋଇ ରହିଛି ସବୁବେଳେ ଆମର ସୌନ୍ଦର୍ଯ୍ୟ ଚେତନା। ପ୍ରେମର ଆବେଗକୁ ସୌନ୍ଦର୍ଯ୍ୟଚେତନା ଅନୁଭବ ବଢ଼ାଏ ଓ ପ୍ରେମକୁ ଅଧିକ ସୃଜନଶୀଳ ଓ ଦୀପ୍ତ କରାଏ।
ପୃଥିବୀର ସେଇ ସୁନ୍ଦରତାକୁ ଦେଖିବା ପାଇଁ ଓ ପ୍ରେମକୁ ଅନୁଭବ କରିବା ପାଇଁ ଈଶ୍ୱର ମନୁଷ୍ୟକୁ ଜୀବନଦାନ କରିଛନ୍ତି। ମଣିଷ ଭିତରେ ସୌନ୍ଦର୍ଯ୍ୟବୋଧ ଏକ ନୈସର୍ଗିକ ସାତ୍ତ୍ୱିକ ଚେତନା। ତାହା ପ୍ରାଣରେ ପ୍ରେମ ବଢ଼ାଏ ଓ ପ୍ରେମ ଜୀବନର ସବୁ ଅନୁଭୂତିକୁ ନିବିଡ଼କରେ।
ହୃଦୟରେ ପ୍ରେମ ନଥିଲେ ବର୍ଷଣମୁଖର ନିଶିଥ ଆଉ ଜହ୍ନରାତି ସବୁ କ’ଣ ସେମିତି ଲାଗନ୍ତା?
ଆମର ପ୍ରେମପରି ଆମର ସୌନ୍ଦର୍ଯ୍ୟବୋଧ, ଯାହାର ଅସ୍ତିତ୍ୱ ମାନବିକତା ବାହାରେ ନାହିଁ; ଆତ୍ମାର ଅଭିବୃଦ୍ଧିରେ ପୁଣି ସହାୟତା କରେ।
ଏସ୍‌ଥେଟିକ୍ ତୁଙ୍ଗିମା
ନାରୀ ଚେତନାକୁ ଯେ ଗୋଟେ ଏସ୍‌ଥେଟିକ୍ ତୁଙ୍ଗିମା ଦେଇପାରନ୍ତିନି, ସେମାନେ ସବୁ ନିଜ ଭିତରୁ କବିତ୍ୱ ହରାନ୍ତି। ମହାକବି ଅଶ୍ୱଘୋଷ, ପ୍ରଭା ପରି ଜଣେ କୁମାରୀ ନର୍ତ୍ତକୀ ପ୍ରେମରେ ଅତୁଳନୀୟ କବିତ୍ୱର ଅଧିକାରୀ ହୋଇପାରିଥିଲେ। ତାଙ୍କର ସେ ପ୍ରେମାନୁବଦ୍ଧ କବିତ୍ୱ ଉର୍ବଶୀ ବିରହ ଆଉ ବୁଦ୍ଧ ଚରିତମ୍ ପରି ମହାନାଟକରେ ଅଭିଲିପିତ ହୋଇଛି।
ସତରେ ଏକାନ୍ତ ଅତୁଳନୀୟ ପ୍ରଭାର ପ୍ରେମିକାପ୍ରାଣ। ମହାକବି ଅଶ୍ୱଘୋଷଙ୍କ ପ୍ରେମକୁ ସେ ଖାଲି ଗ୍ରହଣ କରିନି, ପ୍ରେମ ପାଇଁ ଜୀବନଦାନ କରିଦେଇଛି।
ଏମିତି ଅଜସ୍ର ପ୍ରେମ ସଂଘଟିତ ହୋଇଛି ପୃଥିବୀରେ। ନାରୀପ୍ରେମ ସଂପର୍କରେ ପୁରୁଷପ୍ରାଣର ଉତ୍ସୁକତା ଗୋଟେ ଅଭିଜାତ ବିରହ ପର୍ବ ସୃଷ୍ଟିର କାରଣ ହୋଇଛି।
ପୁରୁଷଟିଏ ଯଦିଓ ନାରୀ ପ୍ରେମ ପାଇଁ ଗୋଟେ ବୀଟ ପୁରୁଷ ଭଳି ଅଧୀର ହୁଏ, ତଥାପି ନାରୀଟିଏ ଏତେ ସହଜରେ ଗୋଟେ ଉଦାସପଣର ପ୍ରେମୀ ପୁରୁଷ ଆତ୍ମାକୁ ବେଢ଼ିଦେଇ ପାରେନାହିଁ।
ଅସଲ ପ୍ରେମ ଅସଲ ପ୍ରେମିକକୁ କବିଟିଏ କରିଦିଏ। ସମର୍ଥ ପ୍ରେମୀପୁରୁଷକୁ ନାରୀପ୍ରେମ ବୌଦ୍ଧିକ ଜୀବନ ପରିଚର୍ଯ୍ୟା ପାଇଁ ଖୋରାକ ଯୋଗାଏ।
ଏହା ହେଉଛି ପ୍ରକୃତରେ ପ୍ରେମର ଲାଭ। ପ୍ରେମ କରିବା ଭିନ୍ନ ପ୍ରେମ ବୋଲି କିଛିନାହିଁ। ତାହା ଅଧିକରୁ ଅଧିକ ଏକ ଆତ୍ମନିଷ୍ଠ ବିଷୟ।
ପ୍ରେମିକ ପ୍ରେମିକା କେବଳ ପ୍ରେମ ପାଆନ୍ତି ଓ ପ୍ରେମ ଦେଇପାରନ୍ତି। ପତି-ପତ୍ନୀ କେହି ପ୍ରେମ ପାଆନ୍ତିନି କି ଦେଇପାରନ୍ତିନି। ଅଯଥାରେ ଖାଲି ଚାପ ପ୍ରୟୋଗ କରନ୍ତି ଯା।
ଗୋଟେ ଶୁଖିଲା ପଡ଼ିଥିବା ନଦୀଶଯ୍ୟା ଯାହା, କମ୍ ବେଶିରେ ଆମ ଦାମ୍ପତ୍ୟ ସବୁ ପ୍ରାୟ ସେଇଆ। ବଡ଼ ଅନାକର୍ଷିତ ଓ ପ୍ରବାହହୀନ।
ଉଭୟ ପତି-ପତ୍ନୀ ପ୍ରେମର ସର୍ବନାଶ କରନ୍ତି ଓ ତା’ର ମୃତ୍ୟୁ ଘଟାନ୍ତି। ପ୍ରେମ ଯେଉଁ ଅମାପ ସ୍ୱାଧୀନତାର ଅପେକ୍ଷା ରଖେ, ପତି-ପତ୍ନୀ ସେଇ ସ୍ୱାଧୀନତାକୁ ସବୁବେଳେ ବିପନ୍ନ କରିବାରେ ଲାଗିଥାନ୍ତି।

ସ୍ୱାମୀ ଓ ସ୍ତ୍ରୀ
ସତ କହିଲେ, ସ୍ୱାମୀ ଲାଗିଥାଏ ସ୍ତ୍ରୀଟିକୁ ସବୁମତେ ଦାସୀ କରିଦେବା ପାଇଁ, ଆଉ ସ୍ତ୍ରୀ ବି ନିରବଚ୍ଛିନ୍ନ ଭାବେ ଉଦ୍ୟମକରେ ଆହା ବିଚରା ସ୍ୱାମୀଟିକୁ ପଟେ ମେଣ୍ଢା ବା ଗଧ କରିଦେବା ପାଇଁ। ପୁରୁଷକୁ ବଶକରି, ତା’କୁ ତା’ର ଅଧୀନକରି କାନିରେ ଗଣ୍ଠି ନ ପକେଇବା ପର୍ଯ୍ୟନ୍ତ ସେ କେବେ ନିଶ୍ଚେଷ୍ଟ ହୋଇ ବସେନାହିଁ।
ସେମାନେ ସ୍ୱାମୀ-ସ୍ତ୍ରୀ ହୁଅନ୍ତୁ ବା ପ୍ରେମିକ-ପ୍ରେମିକା ହୁଅନ୍ତୁ, ଯଦି କେହି କାହାର ସ୍ୱାଧୀନତା ଅପହରଣ କରିବା ପାଇଁ ବାହାରନ୍ତି, ତା’ହେଲେ ସେ ପ୍ରକୃତରେ ପ୍ରେମଠାରୁ ଦୂରେଇ ଯାଆନ୍ତି।
ଅମାପ ସ୍ୱାଧୀନତା ଭୋଗ କରୁଥିବା ପ୍ରେମିକାର ପ୍ରେମ ସିନା ସ୍ୱାଦ୍ୟ, ସ୍ୱାଧୀନତା ନଥିବା ଗୋଟେ ଦାସୀର ପ୍ରେମ ସ୍ୱାଦ୍ୟ କି? ସେମିତି ସ୍ୱାଧୀନତା ନଥିବା ଜଣେ ପ୍ରେମୀ ଦାସପରି ଜିଏଁ; ତାର ଆଉ ନାଗରପଣ ରହେନି।
ପ୍ରେମ ଗୋଟେ ସ୍ୱାଧୀନତା ପୋଷିତ ବିଷୟ।
ସେ ପାଇଁ ତାହା ଚିତ୍ତ ପ୍ରବୋଧକ କବିତ୍ୱର ପ୍ରସ୍ରବଣ।
ପ୍ରେମ ସହିତ କଳା କବିତାର ସମ୍ବନ୍ଧ, ପ୍ରଜ୍ଞାର ସମ୍ବନ୍ଧ, ସାଧୁତାର ସମ୍ବନ୍ଧକୁ ଅସ୍ୱୀକାର କରିହେବନି।
ମଣିଷ ଜୀବନବୃତ୍ତରେ ପ୍ରେମ ସବୁଠାରୁ ଶକ୍ତିଶାଳୀ ଜୀବନପ୍ରବୃତ୍ତି; ଅଥଚ ପ୍ରେମ ପ୍ରତି ଆମର ପ୍ରଚଣ୍ଡ ଅନୁନାସିକତା।
ଆମ ସଭିଁଙ୍କ ଭିତରେ ପ୍ରେମର ଅଙ୍କୁର ପୋତା ହୋଇଥିଲେ ବି ଆଉ ସ୍ଥାନ କାଳ ଦେଖି ତାହା ଅଙ୍କୁରିତ ହେଉଥିଲେ ବି ସେ ବିଷୟରେ ସତରେ ଆମର ଭାରି ଛଳନା। ଆମେ ତା’କୁ ଲୁଚାଇ ରଖୁ।
ଜଣେ ଅସଲ ପ୍ରେମିକ ତା’ ପ୍ରେମିକାକୁ ଜଣେ କଳାକାର ଭାବେ ଉପଭୋଗ କରେ। ଯେଉଁମାନେ ପଶୁତୁଲ୍ୟ ସେମାନେ ଦେହ ମିଳନରେ କେବଳ ସୀମିତହୋଇ ଥାଆନ୍ତି।
ଗୋଟେ ଗଭୀର ପ୍ରେମର ମାର୍ମିକତା ଜୀବନକୁ କବିତା କରିଦିଏ। ରେଜିନା ୱଲସନ୍ ପରି ଗୋଟେ ବାଳିକାର ପ୍ରେମ କିରକେଗାର୍ଡଙ୍କ ପରି ଜଣେ ବିଷାଦଗ୍ରସ୍ତ ମଣିଷର ଜୀବନକୁ ଗୋଟେ ମଧୁର କବିତା କରିଦେଇଥିଲା।
ବେଦନା ବିଧୁର ଆତ୍ମା
ପୃଥିବୀର ଅନେକ ଗଭୀର ପ୍ରେମ ଏକପାଖିଆ ହୋଇଛି। ସେମିତି ପ୍ରେମ ସତରେ ଗୋଟେ ବେଦନା ବିଧୁର ଆତ୍ମା ତିଆରିକରେ।
ପ୍ରେମର ଗଜଲ ସେ ହିଁ ଗାଇପାରେ।
ଝୁରି ମରିବାର ପ୍ରେମୀଜୀବନ ହିଁ ସତରେ ଭାରି କାବ୍ୟିକ ଓ ସର୍ଜନଶୀଳ। ସେମିତି ବ୍ୟଥାତୁର ପ୍ରେମୀକୁ ଭାରି ଜୀବନ ଦେଇଥାଏ ଏହି କାବ୍ୟିକତା। କିରକେଗାର୍ଡଙ୍କ ଭଳି ଜଣେ ମସ୍ତ ପ୍ରେମୀ ମଣିଷ କେବଳ ବୀର ପରି ନିର୍ଭୀକ ଭାବରେ କହିପାରନ୍ତି: ‘ଲଭିଙ୍ଗ୍ ଇଜ୍ ଦି ଓନ୍‌ଲି ଥିଙ୍ଗ୍‌, ଆଇ ଆମ୍ ଏକ୍ସପର୍ଟ ଇନ୍‌’। ଗୋପୀନାଥ ମହାନ୍ତିଙ୍କ ‘ମାଟିମଟାଳ’ର ରବି ଚରିତ୍ରରେ ଆମେ ପାଉ ପୁରୁଷର ଉତ୍ସର୍ଗୀକୃତ ଜୀବନ ଓ ବଳିଦାନର ପ୍ରମାଣ। ପାଠପଢ଼ା ସରିବା ପରେ ନିଜ ଜମିଦାରୀ ଜୀବନକୁ ତୁଚ୍ଛକରି ସେ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛି। ସେହେତୁ ସେ ବିବାହଠାରୁ ମଧ୍ୟ ଦୂରେଇ ରହିଛି। ଏହା ପୁରୁଷର ପ୍ରଶସ୍ତ ମାନସିକତା ସୂଚାଇଦିଏ।
ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧ ଦିଗନ୍ତ’ରେ ନିଧି ଦାସ ଚରିତ୍ରଟିରେ ଆମେ ଦେଖୁ ଯେ ସ୍ୱାଧୀନତା ଆନ୍ଦୋଳନ ଓ ସମାଜ ପାଇଁ ତା’ର ଅବଦାନର ତୁଳନା ନାହିଁ।
ସେହିପରି ‘ତୁଣ୍ଡ ବାଇଦ’, ‘ଶାସ୍ତି’, ଓ ‘ଅଦେଖା ହାତ’ ଆଦି ଉପନ୍ୟାସଗୁଡ଼ିକରେ କାହ୍ନୁଚରଣ ଅଧିକରୁ ଅଧିକ ପ୍ରେମରେ ପୁରୁଷର ଦାତାପଣଟିକୁ ପ୍ରଦର୍ଶିତ କରିଛନ୍ତି। ବାରି ହେଲାଭଳି ପ୍ରେମିକର ପ୍ରେମିକପଣର ଚିତ୍ର ଆଙ୍କିଛନ୍ତି ସେ।
ବିଷାଦ ହେଉଛି ଅନୁଭବର ମଞ୍ଜ।
ବିପ୍ରଲମ୍ଭର ମଞ୍ଜ ହେଉଛି ସେହିପରି ବିଷାଦ।

ପ୍ରେମର ଅନୁଭବ
ବିଷାଦଗ୍ରସ୍ତ ନ ହେଲେ ପ୍ରେମର ଅନୁଭବ ସତରେ ଏତେ ପ୍ରଗାଢ଼ ହୁଏନି।
ପ୍ରେମର ଅନୁଭବ, ସତ କହିଲେ, ଯେମିତି ପ୍ରଗାଢ଼ ସେମିତି ଅନ୍ତରୀଣ। ପ୍ରଗାଢ଼ ପ୍ରେମର ଅବସର ପରକୀୟାରେ ଅବଶ୍ୟ ବେଶି। କାରଣ, ସେଠି ବାଧା ନାହିଁ କି ବନ୍ଧନ ନାହିଁ।
ସେଠି ଅଳପ ମିଳନ, ବେଶି ଆତୁରତା।
ସେ ଗୋପନ ପ୍ରେମର ପ୍ରତିଟି ରୋମାଞ୍ଚକୁ ସାତତାଳ ପଙ୍କ ତଳେ ସେମାନେ ସାଇତି ରଖନ୍ତି। ଅଜସ୍ର ବେପଥୁ ଅଜସ୍ର ମଧୁରିମା ପ୍ରେମରେ।
ପ୍ରେମର ଆୟୁଷ ସେମିତି ବଡ଼ ଅନିଶ୍ଚିତ।
ପ୍ରେମର ସ୍ଥାୟିତ୍ୱ ହେଉଛି ପ୍ରେମର ଗୌରବ।
ହେଲେ ପ୍ରେମ ଗଢ଼ା ହେବା ଯେତେ ସତ୍ୟ, ତା’ଠାରୁ ଅଧିକ ସତ୍ୟ ହେଉଛି ପ୍ରେମ ଭାଙ୍ଗିଯିବା। ସେମିତି ଦେଖିଲେ, ମାତ୍ର ଗୋଟେ ମୁହୂର୍ତ୍ତ ବି ପ୍ରେମର ଆୟୁଷ ହୋଇପାରେ। ସେ ମୁହୂର୍ତ୍ତଟିଏ ହେଲେ ବି ସେ ଏକ ବିରଳ ଲଗ୍ନ; ଯାହାକୁ ଜମା ପାଶୋରି ହେବନି।
ପ୍ରେମକୁ ବିପନ୍ନ କରିବା ପାଇଁ ଏତେ ଶତ୍ରୁତା ଅଛି ଏ ପୃଥିବୀରେ, ସତରେ ଗଣିହେବନି। ଅସଲରେ ସବୁକଥା ପାଇଁ ଏ ପୃଥିବୀରେ ଜାଗାଅଛି; ହେଲେ ପ୍ରେମ ପାଇଁ ଆଦୌ ଜାଗାନାହିଁ।
ଯୁଗଯୁଗର ସାହିତ୍ୟ ପ୍ରେମର କଷ୍ଟକୁ ହିଁ ଲିପିବଦ୍ଧ କରିଛି। ସେ ହାମଲେଟ୍ ହେଉ କି ବିଲ୍ୱମଙ୍ଗଳ ହେଉ, ଏମିତି ଲକ୍ଷ ଲକ୍ଷ ନରନାରୀ ପ୍ରେମର କଷ୍ଟ ନିଭାଇଛନ୍ତି।
ମଣିଷର ହୃଦୟ ହିଁ ପ୍ରେମର ସିଂହାସନ। ନିଭୃତ ନିଃଶ୍ୱାସର ବନ୍ଦାପନାରେ ପ୍ରେମ ଅଭିଷିକ୍ତ ହୁଏ, ପୁଣି ସେଇ ପ୍ରେମକୁ ସିଂହାସନଚ୍ୟୁତ କରିବାର ଘଟଣା ଏ ଜଗତରେ ଆଦୌ କମ୍ ନୁହେଁ।
ପ୍ରେମ ଭାଙ୍ଗିଗଲେ ପୁରୁଷପ୍ରାଣ ହିଁ ବେଶି ଉଜୁଡ଼ିଯାଏ। ସାଧାରଣତଃ ସବୁଠି ସବୁକାଳରେ ପ୍ରେମର ବଞ୍ଚନା ପୁରୁଷକୁ ହିଁ ବେଶି ବ୍ୟଥିତକରେ।
କାରଣ ପୁରୁଷ ହିଁ ପ୍ରେମ ନିବେଦନ କରେ।
ସମ୍ଭବତଃ ପୁରୁଷ ଅପେକ୍ଷା ନାରୀ ପ୍ରେମକୁ ଏକ ବନ୍ଧନ କରିପକାଏ। ଯେଉଁଥିପାଇଁ ପ୍ରେମ ଅନାକର୍ଷିତ ହୋଇଯାଏ।
ନାରୀ ପ୍ରେମକୁ ହାର୍ଦ୍ଦିକତାର ଗୋଟେ ବଡ଼ ତୁଙ୍ଗିମା ଦେଇପାରେନାହିଁ। ପ୍ରେମର ଟ୍ରାଜେଡ଼ି ଓ ତା’ର ଅବିମିଶ୍ର ଦୁଃଖ ଓ ବିଷାଦକୁ ନାରୀ ସହଜରେ ତା’ର ଉପଲବ୍‌ଧିକୁ ନେଇପାରେନି।
ସାର୍ତଙ୍କ ପରି ଜଣେ ବିଶ୍ୱବିଖ୍ୟାତ ମନିଷୀ ଥରେ କହିଥିଲେ, ପ୍ରେମ ଅଭ୍ୟନ୍ତରରେ ଥିବା ବିଷାଦ ଓ ତଦ୍‌ଜନିତ ସୃଜନଶୀଳତା ସେତିକି ମୂଲ୍ୟ ଦେଇପାରିନଥିବା କାରଣରୁ ନାରୀ, ପଶୁ ଆଉ ଈଶ୍ୱର ଏକାପରି ପ୍ରେମ କରନ୍ତି।
ପ୍ରେମରେ ଯୌବନ
ପ୍ରଜନନ ତଥା ଗର୍ଭାଧାନକାରିଣୀ ହୋଇଥିବା କାରଣରୁ ନାରୀ ପ୍ରେମରେ ଯୌବନ ଖୋଜେ; ହେଲେ ପୁରୁଷ ପାଇଁ ଯୌବନରୁ ବାର୍ଦ୍ଧକ୍ୟ ଯାଏଁ ସବୁ ସମୟ ପ୍ରେମର ଋତୁ। ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’ରେ କାଉଲ୍ ଏକ ଅତୁଳନୀୟ ଚରିତ୍ର। ପ୍ରେମିକାକୁ ଖୁସି କରିବା ପାଇଁ କାଉଲ୍ ତା’ ଜୀବନର ସମସ୍ତ ସୁଖକୁ ଜଳାଞ୍ଜଳି ଦେଇଛି। କାଉଲ୍‌ର ତମାମ ଜୀବନ ସମର୍ପିତ ହୋଇଛି ପ୍ରେମିକାର ସୁଖ ପାଇଁ। ଶେଷରେ ନିଜର ହୋଟେଲ୍‌କୁ ବିକ୍ରିକରି ସେ ପ୍ରେମିକାର ଚିକିତ୍ସା ଖର୍ଚ୍ଚ ତୁଲାଇଛି। ଆମ ଉପନ୍ୟାସ ସାହିତ୍ୟରେ ଏହି ଭାବର ତୁଳନା ନାହିଁ।
ପୁରୁଷ ଅପେକ୍ଷା ନାରୀ ପ୍ରେମରୁ ବେଶି ସୁଖ ଖୋଜେ। ପୁରୁଷ ଯେମିତି ବିଷାଦଭରା ପ୍ରେମଗୀତ ସହଜରେ ଗାଇପାରେ, ସମ୍ଭବତଃ ନାରୀ ତାହା ପାରେନାହିଁ।
ପ୍ରେମରେ ଦେହ ସହିତ ମନ ଓ ହୃଦୟ ମିଶିବା ଜରୁରି। ଆଗ ଆତ୍ମାର ସହବାସ, ତା’ପରେ ଦେହମିଳନ। ଏମିତି ପ୍ରେମ ହୁଏତ ପୃଥିବୀକୁ ସବୁମତେ ସୁନ୍ଦର କରିନେବ। ଜୀବନର ବିସ୍ମୟ ଓ ଚମତ୍କାରୀକୁ ସାମ୍ନା କରିବା ପାଇଁ ସେମିତି ମାନସିକତା ହୁଏତ ଆମକୁ ପ୍ରବୋଧିତ କରିବ।
ଯୌନ ପ୍ରବୃତ୍ତିକୁ ସୌନ୍ଦର୍ଯ୍ୟ ପ୍ରୀତି ନିୟନ୍ତ୍ରଣ କରିବା ଉଚିତ। ଜୀବନତୃଷା ନହେଲେ ଅପରିଶୀଳିତ ଜାନ୍ତବତାରେ ଭରିଯିବ।
ବିଷାଦ ଓ ବିପ୍ରଲମ୍ଭର ପ୍ରଗାଢ଼ତାକୁ ଉପଲବ୍‌ଧି ସ୍ତରକୁ ନେଇ ଉଚ୍ଚତର ସୃଜନ ଆବେଗର ଅଧିକାରିଣୀ ହୁଏତ ନାରୀ ହୋଇନପାରେ। ହେଲେ ଦାମ୍ପତ୍ୟ ନିଷ୍ଠା ପ୍ରଦର୍ଶନରେ ନାରୀ ଅପେକ୍ଷା ପୁରୁଷ ଅଧିକ କୃତିମତା ଆଚରଣକରେ।
ନାରୀର ବହୁ ପୁରୁଷ ଇଚ୍ଛା (ପଲିଗେମୀ) ସମାଜ ଗଢ଼ା ବ୍ୟବସ୍ଥା ଦ୍ୱାରା ଯେତେ ଅଧିକ ବନ୍ଧାପଡ଼ିଛି, ପୁରୁଷର ବହୁ ନାରୀ ଇଚ୍ଛାର ନିବିଡ଼ତା ସେହି ଭାବରେ ବନ୍ଧକ ପଡ଼ିନାହିଁ।
ସୌନ୍ଦର୍ଯ୍ୟ ଓ ପ୍ରେମ
ଆମ ସାହିତ୍ୟ ସଂସ୍କୃତି ଆରମ୍ଭରୁ ଆଜିଯାଏଁ ଯେତେ ଅଧିକ ସଂଖ୍ୟକ ପୁରୁଷ ସୌନ୍ଦର୍ଯ୍ୟ ଶାସ୍ତ୍ରୀ ବୋଲାଇଛନ୍ତି, ନାରୀର ଉପସ୍ଥାନ ସେଠି ବହୁତ କମ୍। ତା’ବାଦ୍ କେହି ଜଣେ ବିବାହିତ ବା ବିବାହିତା ଦାମ୍ପତ୍ୟ ସଂପର୍କରୁ ଅଭିଜ୍ଞତା ଅର୍ଜନକରି ସୌନ୍ଦର୍ଯ୍ୟ ଶାସ୍ତ୍ରୀ ବୋଲାଇନି।
ଥରେ କିରକେଗାର୍ଡ ଅତି ଦୃଢ଼ତାର ସହିତ କହିଥିଲେ: ‘କହତ ଦେଖି ପରକୀୟା ପ୍ରେମକୁ ବାଦ୍‌ଦେଇ କିଏ ଜଣେ ସୌନ୍ଦର୍ଯ୍ୟ ଶାସ୍ତ୍ରୀ ବୋଲାଇଛି।’ ପୁରୁଷମାନଙ୍କ ପକ୍ଷରେ ଦାମ୍ପତ୍ୟ ପ୍ରେମ ଅପେକ୍ଷା ନିଷିଦ୍ଧ ପ୍ରେମର ଆକର୍ଷଣ ବେଶି। ଆଉ ପତ୍ନୀମାନେ ସାଧାରଣତଃ ସ୍ୱାମୀମାନଙ୍କର ସ୍ୱାଭାବିକ ଶତ୍ରୁ; ବିଶେଷତଃ କଳାକାର ସ୍ୱାମୀମାନଙ୍କର।
ନାରୀର ମନ ପତିପୁତ୍ର ସର୍ବସ୍ୱ ଗୋଟେ କ୍ଷୁଦ୍ର ମଣ୍ଡଳରେ ସୀମିତ ହୋଇଥାଏ। ସ୍ୱାମୀର ମନ ଖୋଲା ଆକାଶ ଅବା ମୁକ୍ତ ନଭୋମଣ୍ଡଳ ଭଳି। ପୃଥିବୀରେ ଯେଉଁ ପର୍ବତ ପ୍ରମାଣେ ସାହିତ୍ୟ ରଚିତ ହୋଇଛି ତା’ର ମୂଳ ବିଷୟପିଣ୍ଡ ହେଉଛି ପ୍ରେମ। ଟଲଷ୍ଟୟ ‘ଆନ୍ନା କାରେନିନା’ରେ ସେହି ଗଭୀର ପ୍ରେମର ଚିତ୍ରଣ କରିନାହାନ୍ତି ତ ଆଉ କ’ଣ? ବିଶ୍ୱକବି ରବିନ୍ଦ୍ରନାଥ ମଧ୍ୟ ସମସ୍ତ କବିତାରେ ତାଙ୍କର ଉଦାର ପୁରୁଷପଣ ଦେଇ ନାରୀକୁ ମହିମାମନ୍ତ କରିଛନ୍ତି। ଗୋଟିଏ ପୁରୁଷର ପ୍ରେମପଣ ନାରୀ ପାଇଁ କେତେ ସ୍ପନ୍ଦିତ ହୁଏ ତା’ର ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ହେଉଛି ‘ବିଲ୍ୱମଙ୍ଗଳ’ ଉପାଖ୍ୟାନ। ବିଶ୍ୱସାହିତ୍ୟରେ ଏଭଳି ଚରିତ୍ର ନାହିଁ, ଯିଏ ନାରୀପ୍ରେମ ପାଇଁ ତାର ସର୍ବୋତ୍ତମ ନିଷ୍ଠାର ପ୍ରଦର୍ଶନ କରିପାରିଛି।
ପ୍ରେମରେ ପୁରୁଷ ତା’ର ଦାତାପଣ ଯୋଗୁଁ ଗୋଟେ ମସ୍ତ ତାଜାପଣ ଅନୁଭବ କରେ। ପିକାସୋ ସେମିତି କହିଥିଲେ, ପ୍ରେମଠାରୁ ଆଉକିଛି ତାଜାପଣ ଜୀବନରେ ଭରିଦିଏ ନାହିଁ।
ତୁଳନାତ୍ମକ ଭାବେ ଦେଖିଲେ, ନାରୀଠାରୁ ପୁରୁଷ ବିଧିବିଧାନ ଭିତରେ ଆବଦ୍ଧ ନ ରହି, ଅଧିକରୁ ଅଧିକ ବେପରୱା ଜୀବନ ବଞ୍ଚେ। ତା’ଦ୍ୱାରା ସେ ପ୍ରେମର ସ୍ୱାଦ ପାଏ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *