ଅବଧାନେ ଯେବେଠୁଁ କୋଲକାତାରୁ କମ୍ପ୍ୟୁଟର ତାଲିମ ନେଇ ଆସିଲେଣି ତାଙ୍କର ସାମାଜିକ ସ୍ଥିତି ବା ଷ୍ଟାଟସ୍ ବଢ଼ିଗଲାଣି।

ଆମ ପିଲାଦିନୁ ଶୁଣିଆସିଛୁ ରାଜଯୋଟକ କଥା। ସିଏ ପୁଣି ନିଧି ଅବଧାନ ଯଦି କହିଦେଲେ ମାନେ ବେଦରେ ଗୋଟେ ଗାର ପଡିଗଲା। ସିଏ କୁଆଡେ ଠିକ୍ କହନ୍ତି! ଆଜି ନୁହେଁ, ସେ ଥିଲେ ଖାନଦାନୀ ଜ୍ୟୋତିଷ। ସେଥିପାଇଁ ଆମ ଗାଁ’ରେ ସମସ୍ତଙ୍କ ବିଶ୍ୱାସ ତା’ଙ୍କ ଉପରେ। ରାତି ପାହିଲେ ତା’ଙ୍କ ଦାଣ୍ଡରେ ଭିଡ଼ ଜମେ। କାହାର ଗାଈ ହଜିଲା, କାହାର ମୁଦିଟା ମିଳୁନି, ଆଉ କେତେ ଜଣ ମା’ ଆସି ପଚାରିଚାଲନ୍ତି, “ଆଜ୍ଞା ଏଇଟା ଜମା ପାଠରେ ମନ ଦେଉନି।” କିଏ କହିବ, “ଏଇଟା କିଛି ଖାଉନି।” ସବୁ ସମସ୍ୟାର ସମାଧାନ ଯେମିତି ଅବଧାନଙ୍କ ପାଖରେ। ଏତେ ପ୍ରଶ୍ନବାଣରେ ଆହତ ହେଲାପରେ ଅବଧାନେ ନିଜକୁ ସଜାଡ଼ି ନେଲେଣି। ପୂରା ସାଞ୍ଜୁ ପିନ୍ଧି ରେଡି ହେଇଗଲେଣି। ସବୁ ପ୍ରଶ୍ନ ପାଇଁ ଅବଧାନେ ତିଆର। ପୁଅ ଖାଉନି? ହଁ, ତା’ର ଚନ୍ଦ୍ରଟା ଟିକିଏ ରାହୁ ଆଡ଼କୁ ମାଡିଯାଇଛି, ମାନେ ରାହୁର ଚାରେଣା ଦୣଷ୍ଟି ଏଇଆଡେ। ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଜାଣିଥିବ? ଚନ୍ଦ୍ରକୁ ଗିଳିଦିଏ ନା। ରାହୁ ତ ସଵୁ ଖାଇ ଦେଉଛନ୍ତି ନା। ପୁଅ ପେଟ ଖାଲି। ସେଥିପାଇଁ ରାହୁକୁ ଶାନ୍ତି ରଖିବାକୁ ହେବ। ସେ ରାହୁ ନାଁ ଶୁଣି ବାପ-ମା’ଙ୍କର ପିଳେହି ପାଣି। ଦିହେଁ ଯେଉଁ ବିକଳ ହେଇ ଅବଧାନଙ୍କ ମୁହଁକୁ ଚାହାଁନ୍ତି, ଦେଖିବା କଥା। ଅବଧାନେ ସେଇଠି ପୂରା ଭବିଷ୍ୟତ ରୂପରେଖ ତିଆରି କରିନେଇ ଟିକିଏ ଗମ୍ଭୀର ହୋଇଯାଇ, ଗମ୍ଭୀର ମୁଦ୍ରାରେ ପିତା ମାତାଙ୍କ ଆଡେ ଦୣଷ୍ଟି ନିକ୍ଷେପ କରନ୍ତେ, ସମସ୍ତ ଆର୍ଥିକ ଆବଶ୍ୟକତା ସ୍ଥିରୀକୣତ ହୋଇଯାଏ।
ଏହି ସନ୍ଦର୍ଭରେ କୁହାଯାଇପାରେ, ଏଭଳି ସ୍ଥିତି ର ସାମ୍ନା କରିବାକୁ ଅବଧାନେ ନିକଟସ୍ଥ ପିଜା-ବର୍ଗର୍ ବହିରାଗମ କେନ୍ଦ୍ର ବା ଆଉଟ଼ଲେଟ୍କୁ ରେଫର କରିଦିଅନ୍ତି, ଯାହା ସହ ବାର୍ଷିକ ଅନୁବନ୍ଧ ବା ଆନୁଆଲ୍ ସର୍ଭିସ୍ କଣ୍ଟ୍ରାକ୍ଟ୍ ନୀତିରେ ବାନ୍ଧି ହୋଇଥାଆନ୍ତି। ଏପରି ଖାଦ୍ୟ ସମସ଼୍ୟାର ସମାଧାନ ସହ ରାହୁ ମହାଗ୍ରହ ଶାନ୍ତିର ବ୍ୟବସ୍ଥା କରିଦିଅନ୍ତି ଅବଧାନେ।

ଅବଧାନେ ଯେବେଠୁଁ କୋଲକାତାରୁ କମ୍ପ୍ୟୁଟର ତାଲିମ ନେଇ ଆସିଲେଣି ତାଙ୍କର ସାମାଜିକ ସ୍ଥିତି ବା ଷ୍ଟାଟସ୍ ବଢ଼ିଗଲାଣି। ଅବଧାନଙ୍କ ଦାଣ୍ଡ ପିଣ୍ଡା ନଡ଼ିଆ ଚାଞ୍ଚ, ତାଳପତ୍ର ଚଟେଇ ବଦଳରେ ନୂଆ କାଚ ଘେରା ଅଫିସ, ଚୌକିଟେବୁଲ, ଓଏଟିଂ ରୁମ୍ ,ଏସି କମ୍ପ୍ୟୁଟର ସହ ନାମଫଳକ, ‘ଡକ୍ଟର୍ ସମ୍ପୂର୍ଣ ନିଧି ଗ୍ରହାଚାର୍ଯ଼୍ୟ, ପି ଏଚ୍ ଡି, ବିବାହ ବିଶେଷଜ୍ଞ’ ଅଫିସ୍ର ଶୋଭାମଣ୍ଡନ କରୁଛି। ଜନସାଧାରଣଙ୍କ ଗୋଚରାର୍ଥେ ସୁଚନା ଦିଆଯାଇଛି, “ଯେତେ ଅସାଧ୍ୟ ବିବାହକୁ ଦୁଷ୍ଟ ଗ୍ରହମାନଙ୍କ କବଳରୁ ମୁକ୍ତ କରାଇ ସରଳୀକରଣ ପ୍ରକ୍ରିୟା ଦ୍ୱାରା ବିବାହ କାର୍ଯ୍ୟ ସମ୍ପାଦନର ସମସ୍ତ ଦାୟିତ୍ୱ ଆମର। ଜାତକ ମେଳକ ଠାରୁ ଆରମ୍ଭ କରି ଗ୍ରହଦୋଷ, ନାଡିଦୋଷ, ବର୍ଣଦୋଷ, ଯୋନୀ ଦୋଷ, ଗଣ୍ଡ ଦୋଷ ଆଦି ନିରାକରଣ ସହ, ସମସ୍ତ ଗ୍ରହଶାନ୍ତି ସହିତେ ସୁଖୀ ବୈବାହିକ ଜୀବନର ଗ୍ୟାରେଣ୍ଟି ଦେବା, ମାନେ ଯେଡେ ବଡ଼ ଅଖାଡୁଆ ବାହାଘରକୁ ଭିଡ଼ି ଓଟାରି ରାଜଯୋଟକ ଷ୍ଟିକର୍ ଲଗାଇଦେବା ଆମର ସାମାଜିକ କର୍ତ୍ତବ୍ୟ ମନେକରୁ। ପରୀକ୍ଷା ପ୍ରାର୍ଥନୀୟ।“
ଏହି ରାଜଯୋଟକ ବ୍ୟବସ୍ଥାକୁ ବିବାହ ପରିସରରୁ ଆଣି ରାଜନୀତିରେ ସଫଳ ପରୀକ୍ଷଣ କରି ଅନେକ ସୁଫଳ ପାଇଥିବା କହନ୍ତି ପଣ୍ଡିତ ସମ୍ପୂର୍ଣ ନିଧି ଗ୍ରହାଚାର୍ଯ୍ୟ, ଯିଏ ଏକଦା ନିଧି ଅବଧାନ ନାମରେ ପରିତିତ ଥିଲେ। ନାଁ ହେଇଯିବାରୁ ସେ ନିଧି ଅବଧାନେ, ଆଜି ଡକ୍ଟର ଗ୍ରହାଚାର୍ଯ୍ୟ ବା ପଣ୍ଡିତଜୀ ନାମରେ ପରିଚିତ ହୋଇଛନ୍ତି। ତାଙ୍କର ଷ୍ଟାଣ୍ଡାର୍ଡ ବଢ଼ିଯିବାରୁ ରାଜନୀତି ପାରାବାରକୁ ଲମ୍ଫପ୍ରଦାନ କରି ଯେଉଁ ତଥ୍ୟ ସମସ୍ତ ସଂଗ୍ରହ କରି ଲୋକ ଲୋଚନକୁ ଆଣିଛନ୍ତି, ତାହା ହେଲା ରାଜନୀତିରେ ରାଜଯୋଟକର ସଫଳ ପରୀକ୍ଷଣ, ଯାହା ବର୍ତ୍ତମାନର ମିଳିତ ଗଣ୍ଠିବନ୍ଧା ସରକାର ଗଠନରେ କେତେ ଫଳପ୍ରଦ, ଦେଖିବା କଥା। ଧାଡ଼ିଏ ଖଣ୍ଡେ ହାତ ଉପରକୁ ଉଠି ଏମିତି ଗଣ୍ଠି ପଡିଯାଏ ଯେ ତାଳିମରା ଲୋକ ବି ନିଅଣ୍ଟ ପଡିଯାଆନ୍ତି। ସେଇଠୁ ଭାଗବଣ୍ଟା ଆରମ୍ଭ ହୋଇ ଗୋଟାଏ ମୁଖ୍ୟ, ତିନିଟା ଉପମୁଖ଼୍ୟ ଗୋଟେ ବାଚସ୍ପତି ଦୁଇଟା ଉପ ବାଚସ୍ପତି ହିସାବରେ ଭାଗ ଛିଣ୍ଡେ। କେତେଦିନ ଖୁବ୍ ଭିଡ଼ିହୋଇ ଚାଲେ। ତା’ପରେ ଛାଡ଼ବାଡ଼, ଯେମିତି ଆଜିର ବିବାହ ବଜାରରେ ଦେଖାଯାଏ। ବନ୍ଧନ ଛିଣ୍ଡିଯାଇ, “ଏକ୍ ଦିଲ୍କି ଟୁକୁଡା ହଜାର ହୁଆ, କୋଇ ୟହାଁ ଗୀରା କୋଇ ୱହାଁ।” ତା’ପରେ ଖୋଜାଚାଲେ ନୂତନ ଭାଗିଦାରୀ। ରାଜଯୋଟକର ସଂଜ୍ଞା ବଦଳିବାକୁ ଲାଗେ। ଉଭୟ ପକ୍ଷ ଦୋଷଦିଅନ୍ତି ଅବଧାନଙ୍କୁ। ଅବଧାନଙ୍କ ଗଣନାର ଦୋଷ ଖୋଳାଚାଲେ। ସାରୁ ଖୋଳୁ ଖୋଳୁ ମହାଦେବ ମିଳିବା କଣ ସବୁବେଳେ ସମ୍ଭବ? କହନ୍ତି ସ୍ୱାମୀ ଅଭୟାନନ୍ଦ।
ଅତି ସୁନ୍ଦର ଲେଖା। ସ୍ଵାମୀ ଅଭୟାନନ୍ଦଙ୍କ ପ୍ରବେଶ ଚାରିଆଡେ।
ବ୍ୟଙ୍ଗ ଲେଖାରେ ଓସ୍ତାଦ। ତୀର୍ଯ୍ୟକ ବାଣ ମାରିବାରେ ପୋଖତ।
ଲେଖିଚାଲନ୍ତୁ ସ୍ଵାମୀ ଅଭୟାନନ୍ଦ। ଅଭିନନ୍ଦନ ଜଣାଉଛି।
ଖୁବ ସୁନ୍ଦର ବର୍ଣ୍ଣନା,ଖୁନ୍ତିବାକୁ ଟିକିଏ ଜାଗା ନାହିଁ।ଅଭୟାନନ୍ଦ ବାବୁଙ୍କର ବ୍ୟଙ୍ଗ ତୀକ୍ଷ୍ମ ,ବ୍ୟଙ୍ଗ ଶର ମାରିବାରେ ସେ ଦକ୍ଷ।ଆଉ ଅଧିକା ବା କ’ଣ କହିବି ତାଙ୍କ ବିଷୟରେ।ଅଭିନନ୍ଦନ ଜଣାଉଛି।