ଜଣେ ଆଦର୍ଶ ସାହିତ୍ୟିକର କୃତି ପାଠ ବେଳେ ପାଠକକୁ ଏହି ଗୁଣବତ୍ତା ଅନୁଭୂତ ହୁଏ।

ସମୟଧାରରେ ଆଉ ପାଦେ ଆଗକୁ ଯିବାବେଳେ ଏଇ ଆଖି ଅଦେଖା ଦେଖୁଛି, ଅଶୁଣା ଶୁଣୁଛି, ହେଲେ ଅକୁହା କହିବାକୁ ପରାଙ୍ମୁଖ। ତେବେ ଯାହା ସତ୍ୟ ଓ ଆଖ୍ୟେୟ; ତାହା କହିବାକୁ ଆମର ସଂକୋଚ ନାହିଁ।
ସାମ୍ପ୍ରତିକ ସ୍ଥିତିରେ ଶଂସିତ ପ୍ରସଙ୍ଗ କେତେ ପ୍ରାସଙ୍ଗିକ ତାହାର ନିର୍ଣ୍ଣୟକର୍ତ୍ତା କେବଳ ସୁଧୀ ପାଠକକୁଳ। ପଦୁଟିଏ ପଢ଼ିଥିଲି କୃଷ୍ଣସିଂହ ମହାଭାରତରୁ,
ବ୍ରହ୍ମଘାତୀ ମଦ୍ୟପୀ ନ୍ୟାସ ଅପହାରୀ,
ମାତୃ ଅଗ୍ନି ଯେ ପିତୃତ୍ୟାଗୀ ପାପକାରୀ।
ମନ୍ତ୍ରସାଧନା କାଳରେ କରନ୍ୟାସ ତଥା ଅଙ୍ଗନ୍ୟାସ କରି ତତ୍ପରେ ଧ୍ୟେୟ ଦେବତାଙ୍କ ଧ୍ୟାନ କରି ଶେଷରେ ମନ୍ତ୍ର ଜପ କରାଯାଏ ବୋଲି କଥିତ ଅଛି। ଏହା ଦ୍ୱାରା ମନ୍ତ୍ର ଚୈତନ୍ୟ ପ୍ରାପ୍ତ ହୁଏ; ଏହା ହିଁ ବିଧେୟ। ସେହିମତେ ଏଇ ମନବୋଧ ଅଛି ଯେ ସାହିତ୍ୟ ସାଧନା ନିମିତ୍ତ ଭାଷାବୋଧ, ବନାନଶୁଦ୍ଧି, ବ୍ୟାକରଣଜ୍ଞାନ, ସାହିତ୍ୟପାଠ, ରସଭାବ ପ୍ରସଙ୍ଗ ମର୍ମରେ ପ୍ରଜ୍ଞାଦୀପ୍ତ ହେବା ଆବଶ୍ୟକ। ଜଣେ ଆଦର୍ଶ ସାହିତ୍ୟିକର କୃତି ପାଠ ବେଳେ ପାଠକକୁ ଏହି ଗୁଣବତ୍ତା ଅନୁଭୂତ ହୁଏ। ସେ ଏହି ରଚନାରେ ଲେଖକକୁ ସାହିତ୍ୟତତ୍ତ୍ୱ ନ୍ୟାସିକ ବୋଲି ଭାବେ। ତେଣୁ ତ ସେ ବିଶ୍ୱାସରେ ଲେଖକକୁ ବେଳେବେଳେ ଅବତାରୀ ଦ୍ୱିତୀୟ ବ୍ରହ୍ମା ବୋଲି ଅଭିହିତ କରିଥାଏ।
ଅପିତୁ, ନ୍ୟାସାପହ୍ନୁତି ହୁଏ। ପାଠକ ନିରାଶ ହୁଏ ତଥା ଏହି ଅବତାରୀର ମାନସମୂର୍ତ୍ତି ଭାଙ୍ଗି ଚୁରୁମାର୍ ହୋଇଯାଏ। ସାହିତ୍ୟ ସଂସାରରେ ଅନୁପ୍ରବେଶ ହୁଏ ଭାଷାବୋଧ ନଥିବା ବ୍ୟକ୍ତିବିଶେଷଙ୍କର, ଯେଉଁମାନେ ସାହିତ୍ୟକୁ ସାଧନା ନୁହେଁ ବରଂଚ ଏହାକୁ ସମ୍ମାନର ସହଜ ସିଡ଼ି ଭାବି ଆସିଥାନ୍ତି। ବନାନଶୁଦ୍ଧି ତ ଦୂରର କଥା; ବନାନର ବନାନ ମଧ୍ୟ ନିର୍ଭୁଲ ଭାବେ ଲେଖିପାରନ୍ତି ନାହିଁ। ବ୍ୟାକରଣ ସେମାନଙ୍କ ପାଇଁ ଏକ ଅବୁଝା ପ୍ରହେଳିକା ହୋଇ ରହିଥାଏ। ଅକ୍ଷର ପଣେ ଶିଖି ସେମାନେ ସିଧା ଲେଖକ ଆସନରେ ଉପବିଷ୍ଟ ହୁଅନ୍ତି। ଏଣୁ ସାହିତ୍ୟପାଠ ପାଇଁ ସେମାନେ ଅନାଗ୍ରହୀ ହୋଇ ରୁହନ୍ତି। ପୁସ୍ତକକ୍ରୟ, ଥାକସଜ୍ଜା ବୋଧରେ ପୁସ୍ତକକୁ ଏକ ସାଜସଜ୍ଜାର ବସ୍ତୁ ବୋଲି ସଂସାରକୁ ଦେଖାଇଥାଆନ୍ତି ଏହି ଛଦ୍ମବେଶୀ ଲେଖକକୁଳ। ସାହିତ୍ୟ ପାଠ, ଦର୍ଶନ, ଶ୍ରବଣ ଓ ଚିନ୍ତାରେ ଯେଉଁ ସ୍ଥାୟୀଭାବ ଜନ୍ମେ ସେହି ସ୍ଥାୟୀ ଭାବୋତ୍ପାଦିକା ଶକ୍ତି ହିଁ ରସ। ପ୍ରତ୍ୟେକ ରସର ସ୍ଥାୟୀଭାବ, ଆଲମ୍ବନ, ଉଦ୍ଦୀପନ, ବିଭାବ, ଅନୁଭାବ ଓ ବ୍ୟଭିଚାର ଭାବ ଅଛି। ଯେପରିକି, ଶୃଙ୍ଗାର ବା ଆଦିରସ, ହାସ୍ୟରସ, କରୁଣ ରସ, ରୌଦ୍ର ରସ, ବୀର ରସ, ଭୟାନକ ରସ, ବିଭତ୍ସ ରସ, ଅଦ୍ଭୁତ ରସ ଓ ଶାନ୍ତ ରସ। ପଣ୍ଡିତଗଣ ବତ୍ସଳ ରସକୁ ଦଶମ ରସ ବୋଲି ମଧ୍ୟ କୁହନ୍ତି। ସାହିତ୍ୟର ନବରସ ଭାବରେ ନିରସ ଏଇ ଅକୃତବୁଦ୍ଧିଗଣ। ଏଣୁ ଏମାନଙ୍କ ରଚନାକୁ ସାହିତ୍ୟ ପଦବାଚ୍ୟ କହିବା କେତେ ଦୂର ସମୀଚୀନ ତାହା ପାଠକକୁଳ ହିଁ ବିଚାର କରନ୍ତୁ।
ଏଣୁ ଏଇ ମନ କହେ; ଏଭଳି ଲେଖକଗଣ ହିଁ ସାହିତ୍ୟର ନ୍ୟାସାପହ୍ନୁତି କରିଥାନ୍ତି ଆଉ କୁଢ଼େଇ ଦିଅନ୍ତି ଏଭଳି ରଚନାସମଗ୍ର ଯାହା ବ୍ୟକ୍ତି, ସମାଜ ତଥା ଆଗାମୀ ପିଢ଼ି ନିମନ୍ତେ ଅଜାଗଳସ୍ତନ ପ୍ରାୟେକ ଅପ୍ରୟୋଜନୀୟ ହୋଇଥାଏ।
ସାହିତ୍ୟ ଶାଶ୍ୱତ, ପବିତ୍ର ଓ ନିତ୍ୟ – କେବଳ ଦୁଇଚାରି ପଦ ଲେଖା ଅକ୍ଷର ନୁହେଁ। ଓଡ଼ିଆ ସାହିତ୍ୟର ଯାତ୍ରା ଶବ୍ଦରୁ ସୃଷ୍ଟି, ସୃଷ୍ଟିରୁ ସଚେତନତା। ଏଣୁ ତ ଖୋଜା ଚାଲିଛି ମୌଳିକତା।
-ପ୍ରଭୂ
* ନ୍ୟାସାପହ୍ନୁତି– ନ୍ୟସ୍ତ ବସ୍ତୁର ଅପବ୍ୟବହାର

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୬ ସଂଖ୍ୟାରେ ପ୍ରକାଶିତ। )