ବଢ଼ିଆ: ବାଜେ

ଆଉ ଅଧିକ କଣ ଦରକାର?

ପ୍ରଫୁଲ୍ଲ କୁମାର ତ୍ରିପାଠୀ

କିଏ ମୁଁ? ଯାହା ଏପର୍ଯ୍ୟଂତ ହୋଇଛି, ନା ଯାହା ଏପର୍ଯ୍ୟଂତ କରିଛି? ପିଲାଟିଏରୁ ବୁଢ଼ାଟିଏ ହେଲି, ପୁଅଟିଏ ଥିଲି, ବାପଟିଏ ହେଲି, ଛାତ୍ରଟିଏ ଥିଲି ଅଧ୍ୟାପକଟିଏ ହେଲି, ଅଭାବୀ ଗରିବଟିଏ ଥିଲି ମଧ୍ୟବିତ୍ତ ଅର୍ଥ-ନିଶ୍ଚିଂତ ଗୃହସ୍ଥଟିଏ ହେଲି, ବାରଂବାର ଭୟାବହ ରୋଗାବଳିର ମୁକାବିଲା କରି ସ୍ବାସ୍ଥ୍ୟକାମୀ ପରିଚ୍ଛନ୍ନ ମଣିଷଟିଏ ହେଲି, ‘ଠ’ଟିଏ ସୁଦ୍ଧା ଲେଖି ଆଙ୍କି ଜାଣି ନଥିଲି, ମୋ ଭାଷାର ଶବ୍ଦଗୁଡିକ କାଟି କୁଟି ଓଲଟେଇ ପାଲଟେଇ କମ୍ପ୍ୟୁଟର ଭଳି କେବଳ ‘୦୧’, ‘ହଁ ନା’, ‘ଅଛି ନାହଁ’, ‘ଆଲୋକ ଅନ୍ଧକାର’ ବୁଝୁଥିବା ଯଂତ୍ରକୁ ମୋ ଭାଷା ଶିଖାଇଲି।
ପରୀକ୍ଷାର ଉତ୍ତରଖାତା ଗୁଡିକରେ ଯାହା ଯେମିତି ଲେଖିଲି, ତାହା ପଢ଼ି ପରୀକ୍ଷକ ମାନେ ଯେଉଁ ମୂଲ୍ୟାଂକ ଦେଲେ ତାହା ସ୍ଥିର, ଅପରିବର୍ତ୍ତନୀୟ ହୋଇ ରହିଗଲା। କିନ୍ତୁ ନିଜ ଇଚ୍ଛାର ବୋଲକରା ହୋଇ ଯେଉଁ ପାଂଡ଼ୁଲିପି ସବୁ ଲେଖିଲି, ଚିତ୍ର ସବୁ ଆଂକିଲି, ସେସବୁ ବିଷୟରେ ସଂପାଦକ – ପ୍ରକାଶକ – ପାଠକ – ଦର୍ଶକଂକ ମତ ସର୍ବଦା ଅସ୍ଥିର ଓ ପରିବର୍ତ୍ତନଶୀଳ ହୋଇରହିଛି। ମୋର କୃତିର ଆକଳନକାରୀମାନେ ଦୁଇ ଦଳରେ ନିଜକୁ ସଜାଇ ନେଇଛଂତି। ଦଳେ କହଂତି: ବଢ଼ିଆ ବଢ଼ିଆ। ଆଉ ଦଳଟି କହଂତି: ବାଜେ ବାଜେ। ମୋତେ ଲାଗେ ଚକ୍ରଦୋଳିରେ ବସି ଏଇ ମୁଁ କାହିଁ କେତେ ଉପରେ ତ ଠିକ୍ ପରେ ପରେ କାହିଁ କେତେ ତଳେ।

ଦିବଂଗତ ଚିତ୍ରଶିଳ୍ପୀ ଛଂଦା ଚରଣ ଆଚାର୍ଯ୍ୟଙ୍କ ଦ୍ବାରା ଅଙ୍କିତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ଏକ ରେଖାଚିତ୍ର

ଅଧିକ ଧନ, ଖ୍ୟାତି କିମ୍ବା ଲୋକପ୍ରିୟତା ପଛରେ ଧାଇଁବା ତୁଳନାରେ ନିଜ ଭାଷାର ଲୋକଙ୍କ ଉପଯୋଗୀ ହେବା ଭଳି କିଛି କରି ଛାଡ଼ିଯିବା ପାଇଁ ମୁଁ ସର୍ବଦା ଯତ୍ନ କରିଆସିଛି। ବହୁ ସଂଖ୍ୟକ ସମସ୍ୟା ଆଲୋଚନାକାରୀମାନଂକ ମେଳରେ ନରହି ଅଳ୍ପ ଭାବରେ ‘ଏକୁଟିଆ’ ହୋଇଯାଉଛି। ପ୍ରଚଂଡ ଖରାବେଳେ ନିଜ ମୁଂଡକୁ ନିଜ ଗାମୁଛାରେ ଘୋଡ଼ାଇଛି, କିଂତୁ ଅନ୍ୟ କାହାର ଛତ୍ରଛାୟାକୁ ଯାଇନାହିଁ। ଛେପ ଢ଼ୋକି ଭୋକକୁ ଅଟକାଇଛି, କିନ୍ତୁ କାହା ଠାରୁ କିଛି ଲୁଟି ନାହିଁ, କି କାହାକୁ କିଛି ମାଗିନାହିଁ।
ଯେତିକି ଜୀବନ ମିଳିଛି ସେତିକି ମୋ ପାଇଁ ଯଥେଷ୍ଟ ବୋଲି ମନେ କରୁଥିବା ଯୋଗୁ ସମୟର ହିସାବରକ୍ଷକ ସାଜି ନାହିଁ। ମୋର ସଜଡ଼ା ଅସଜଡା ସବୁପ୍ରକାର କଥା ଶୁଣିବା ପାଇଁ ମୋର ପତ୍ନୀ, ପୁଅ ଓ ବୋହୂ ସର୍ବଦା ପ୍ରସ୍ତୁତ ଥିବା ଯୋଗୁଁ ମୁଁ ଆଉ ମୋ କଥା କି କବିତା ଶୁଣାଇବା ପାଇଁ ଶ୍ରୋତାକୀର୍ଣ୍ଣ ସଭାସ୍ଥଳକୁ ଯାଉନାହିଁ। ଆଳସ୍ୟ ବର୍ଜନ କରି କେତୋଟି ଅଭ୍ୟାସର ବଶବର୍ତୀ ହୋଇ ପାରିଥିଲେ ମୁଁ ଯେତିକି କରିଛି ତହିଁରୁ ନିଶ୍ଚୟ କିଛି ଅଧିକ କରିପାରିଥାଂତି। କିଂତୁ ଯାହା ଯେତିକି ହେଲା, ତହିଁରେ ମୁଁ ଅସଂତୁଷ୍ଟ ନୁହେଁ।
ନିଜ ଭିତରକୁ ନିଜେ ଦୃଷ୍ଟି ପକାଇଲେ ଯାହା ଦିଶୁଛି, ତାହା ମୋ ସମୟର ସଂସାରଠାରୁ ଭିନ୍ନ ନୁହେଁ। ଯାହା ଖାଉଛି, ହଜମ ହୋଇଯାଉଛି, ରାତିରେ ବଢ଼ିଆ ନିଦ ହେଉଛି। ସକାଳୁ ଉଠିଲେ ଜୀବନ ଟିକିଏ ବଢ଼ିଗଲା ପରି ଲାଗୁଛି।
ଆଉ ଅଧିକ କଣ ଦରକାର?

Leave a Reply

Your email address will not be published. Required fields are marked *