ବର୍ଷୀୟାନ୍ କଥାକାର ଅଚ୍ୟୁତାନନ୍ଦ ପତିଙ୍କୁ ଭେଟିବାର ଏକ ସ୍ମରଣୀୟ ଅନୁଭୂତିକୁ ନିଜ କଲମରେ ରୂପ ଦେଇଛନ୍ତି ଆମ ସମୟର ଜଣେ ପୋଖତ ଅନୁବାଦକ ସୁକୋମଳ ଦାଶ।

ଶତାୟୁ ପୁରୁଷଟିଏ ଲାଜେଇବା କେବେ ଦେଖିଛନ୍ତି? ତାଙ୍କୁ ‘ସରମରେ ସଢ଼ିବା’ ମୁଁ ଦେଖିଛି। ୦୭/୧୨/୨୦୨୫ର କଥା।
ଅଚ୍ୟୁତାନନ୍ଦ ପତି ଆଉ କିଛି ମାସ ପରେ ତାଙ୍କ ଜୀବନର ଶହେତମ ବର୍ଷରେ ପଦାର୍ପଣ କରିବେ। ଏହି ସମ୍ମାନନୀୟ ଶତାୟୁଙ୍କୁ ଗାଳ୍ପିକ କହିବି, କଥାକାର କହିବି, ଗଳ୍ପବିନ୍ଧାଣୀ କହିବି, ସାହିତ୍ୟିକ କହିବି… କି ସଂଜ୍ଞା ଦେଇ କି ବିଶେଷଣରେ ବିଭୂଷିତ କରିବି, ମୋର ଭାଷା ଅଣ୍ଟୁନି।
ବରଗଡ଼ରୁ ବାହାରି ଦୀର୍ଘ ସାତ ଘଣ୍ଟାର ରେଳଯାତ୍ରା ଉପରାନ୍ତେ ସେଦିନ ସାଢ଼େ ବାରଟା ବେଳକୁ ମୁଁ ତାଙ୍କ ଘରେ ପହଞ୍ଚିଲି। ଗୃହସହାୟକ କବାଟ ଖୋଲି ଭିତରକୁ ଆସିବାକୁ କହିଲେ, ବସିବାକୁ କହି ଡକା ପାରିଲେ, “ବାବା!… ଆସିଲେଣି…।”
“ବସିବେ କହ। ଆସୁଛି।” ଭିତରୁ ମୋ କାନରେ ବାଜିଲା।
ମୁଁ କିନ୍ତୁ ବସିନି। ଛିଡ଼ା ରହିଲି। କାରଣ ତାଙ୍କ ଚଉକିଟା କୋଉଟା ମୁଁ ଜାଣିନଥିଲି। ସନ୍ଦେହ କରି ପଚାରିଲାରୁ ଗୃହସହାୟକ ଦେଖାଇଦେଲେ,
“ସେଇଟା”।
ଏଇ ‘ଇଜି ଚେଆର୍’ ଯାହା ଉପରେ ଆଉଜିକି “ହସ” ଗପର ଚରିତ୍ର ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ, ‘ଅଳ୍ପ ଅଳ୍ପ ପଞ୍ଚେଇ ହେଉଥିବେ’, ତାଙ୍କ ‘ମନଟା ଛିଟିକିଣିଛଡ଼ା ନଟୁପରି ଚକ୍କର’ ମାରୁଥିବ, ‘ମନର ଗତି ସହ ଗତ ପକେଇ, ତାଙ୍କ ଅଜାଣତରେ ଦେହଟା ଆଗପଛ’ ହେଉଥିବ… ମୁଁ ମନେମନେ ଭାବିନେଲି।
ୱାକର୍ ସାହାରାରେ ଅଚ୍ୟୁତାନନ୍ଦ ପତି ସାର୍ କୋଠରୀ ଭିତରୁ ବାହାରିଲେ। ‘ଗୋଡ଼ ଘଷରାଇ ଘଷରାଇ’ ମୋ ଆଗକୁ “ହସ” ଗପର ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଚାଲିଆସୁଥିଲେ। ବୟସଭାରରେ କାନ୍ଧ ଉପରୁ ମସ୍ତକ ଯାକେ ଆଗଭାରୀ, ନଇଁ ପଡ଼ିଛନ୍ତି। ବୟସ ଭାରରେ, ନା ମଥାରେ ଅଦ୍ୟାବଧି ଖେଳୁଥିବା ଅଲିଖିତ କାହାଣୀମାନଙ୍କ ପ୍ଲଟ୍ ଭାରରେ? “ନମନ୍ତି ଫଳିନୋ ବୃକ୍ଷାଃ”। ସଳଖି ଠିଆ ହେବାକୁ ଅଶକତ, ମୋ ସମ୍ମୁଖରେ “ହସ”, “ନରକ”, “ଲୁହା ଆଉ ଲୁହ”, “ସେ ରିକ୍ସା ଟାଣେ”, ଆଦି କାଳଜୟୀ ଗପର ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଉଭା।

ଅଚ୍ୟୁତାନନ୍ଦ ପତିଙ୍କ ବାହାନାରେ ମୁଁ ଭେଟିବାକୁ ଯାଇଥିଲି ତାଙ୍କର ହାତଗଢ଼ା ଚରିତ୍ର ଆର୍ଯ୍ୟାବର୍ତ୍ତକୁ। ବ୍ୟବସ୍ଥିତ ହୋଇ ବସିବାକୁ ଆମକୁ ଅଳ୍ପ କିଛି ସମୟ ଲାଗିଗଲା। ଦେହପା’ କଥା ଅଳ୍ପ କହିଲେ, କିନ୍ତୁ ବିଶଦ ନୁହଁ, ଅଭିଯୋଗ ତ ବିଲକୁଲ ବି ନୁହଁ, ଅଳ୍ପ କିଛି ଅଭିମାନ? ଅନେକ ଅଂଗପ୍ରତ୍ୟଙ୍ଗର ନାଁ ନେଇ କହିଲେ “ସବୁ ଠିକ୍ ଅଛି, ଚଷମା ଏଯାବତ୍ ବ୍ୟବହାର କରିନି, ବିନା ଚଷମାରେ ପଢ଼ି ବି ପାରୁଚି।”
ତାଙ୍କ ଷୋହଳ ଖଣ୍ଡ ଗପର ଇଂରାଜୀ ଅନୁବାଦ ସାରି ମୁଁ ତାଙ୍କୁ ଭେଟିବାକୁ ଯାଇଥାଏ। ଚାରିମାସ ପୂର୍ବରୁ ଯେତେବେଳେ ପତ୍ନୀ ସଂଗୀତାଙ୍କୁ କହିଲି, “ସାରଙ୍କୁ ଥରେ ଭେଟିନେବା ଉଚିତ”, ସେ କହିଲେ “ଅଠାନବେ, ଅନେଶ୍ୱତ ବର୍ଷ ବୟସ ବୋଲି ଶୁଣିଲା ପରେ ଆଉ କ’ଣଟାକୁ ତମେ ଟାକିଛ ମୁଁ ବୁଝିପାରୁନି!” କହିଥିଲି, “ତାହା ହିଁ ତ କାରଣ। ଏତେ ବୟସ୍କ ମଣିଷଟାଙ୍କୁ ବୃଥା ଆଶା ଦେବା ଅନୁଚିତ। ଯାହା ଭାଷା ଅଛି ତାଙ୍କ ଗପରେ, ଅନୁବାଦ କରିପାରିବି କି ନାହିଁ, ମୁଁ ନିଜେ ସନ୍ଦିହାନ। ଯାଇ କଣ ବୋଲି କହିବି? ଆଉ କରି ନପାରିଲେ? ପାପ ଲାଗିବନି? ଯଦି କରିପାରିବି, ତେବେ ଯାଇ ଭେଟିବି।”
କଥାବାର୍ତ୍ତା ଆରମ୍ଭ ହେଲାରୁ ସାର୍ ପଚାରିଲେ, “କୋଉ କୋଉ ଗଳ୍ପ ଅନୁବାଦ କଲ?” ମୁଁ ଗୋଟିଗୋଟି କରି ନାଁ କହିଗଲି। ଗୋଟିଏ ଗପ ସେ ଭୁଲି ଯାଇଥିଲେ। ଅଳ୍ପ ମନେ ପକେଇଦେଲାରୁ “ଆରେ ହଁ ହଁ…” କହି ସମ୍ପୂର୍ଣ୍ଣ ଗପଟା ଗାଇଗଲେ। ସେ ଗୋଟାକ ଥିଲା “ଲୁହା ଆଉ ଲୁହ”।
ପଚାରିଲି, “ମୋ ସିଲେକ୍ସନ୍ କେମିତି ଲାଗିଲା?”
କହିଲେ, “ଖୁବ୍ ଭଲ, ଖୁବ୍ ଭଲ। ନିହାର ବାବୁ (ସାହିତ୍ୟ ଚର୍ଚ୍ଚାର ସଂପାଦକ ନିହାର ରଂଜନ ଶତପଥୀ) କହୁଥିଲେ, ତମର ଇଂରାଜୀ ଅନୁବାଦ ଭଲ ହଉଛି।”
ମୁଁ କହିଲି, “ମୋ ମତରେ କିନ୍ତୁ ମୁଁ ଆପଣଙ୍କ ଅପେକ୍ଷାକୃତ ସହଜ ଗପମାନ ଅନୁବାଦ କରିଛି।”
ହସି ହସି କହିଲେ, “ହେଉ, କିନ୍ତୁ ଭଲ ବାଛିଛ।”
ମୁଁ କହିଲି, “ଲୋକେ କହନ୍ତି ଯେ ଅଚ୍ୟୁତାନନ୍ଦ ପତି ମାନେ ଅଶୁଭପୁତ୍ରର କାହାଣୀ।”
ସାର୍ ହଁ କଲେ, “ସେ ଗୋଟିକ ଗପ ତ ଅନେକ ଭାଷାରେ ଅନୁବାଦ ହେଲାଣି।” ଆନିମେଲିଆ ଇଣ୍ଡିକା ବହି ଖଣ୍ଡେ କାଢ଼ି ଦେଖାଇଲେ ବି। ରୁଡୟାର୍ଡ଼ କିପଲିଙ୍ଗ, ଆର କେ ନାରାୟଣ, ଶିବଶଙ୍କରନ ପିଲ୍ଲାଇ ଆଦିଙ୍କ ସହିତ ସ୍ଥାନିତ ହୋଇଛନ୍ତି ଅଚ୍ୟୁତାନନ୍ଦ ପତି ମଧ୍ୟ।
କହିଲି, “ନାରାୟଣ ମୋ ଫେଭରାଇଟ୍ ଲେଖକ। ଇଂରାଜୀ ଲେଖିଲା ବେଳେ ତାଙ୍କ ସରଳ ଭାଷାର ଅନୁକରଣ କରିବାକୁ ଚେଷ୍ଟାକରେ। ମୋ ପୁଅ ଚତୁର୍ଥ ଶ୍ରେଣୀ ବେଳକୁ ନାରାୟଣଙ୍କ “ସ୍ୱାମୀ ଆଣ୍ଡ ଫ୍ରେଣ୍ଡସ୍” ପଢ଼ୁଥିଲା। କିନ୍ତୁ ଆପଣଙ୍କ ଓଡ଼ିଆ ଏତେ ସରଳ ନୁହଁ। ତାକୁ ଭାଙ୍ଗିଭୁଙ୍ଗି ସରଳ କରିବାର ଚେଷ୍ଟାକଲେ ତାର ଆତ୍ମା ହିଁ ନଷ୍ଟ ହୋଇଯିବାର ଡର ରହିଲା। ଏଣୁ ଯାହା କରିଛି, ଯାହା ପାରିଛି, ଯାହା ପାରିନି, ସବୁ ଆପଣଙ୍କ ପଦାଙ୍କ ଅନୁସରଣ କରି କରି, ବାସ୍।”
“ଭାବାନୁବାଦଟେ ହୁଏ, ଆଉ ଆକ୍ଷରିକ ଅନୁବାଦଟେ ମଧ୍ୟ ହୁଏ। କେମିତି କଲ?” ସାର୍ ପଚାରିଲେ।
“ଉଭୟ, ନା ଶବ୍ଦ ଛାଡ଼ିଛି ନା ମର୍ମ ଛାଡ଼ିଛି, ଆପଣଙ୍କ ଭାଷାରେ ଦୁହିଙ୍କ ‘ଗତ’ ପକାଇ ଯାହା କରିଛି, କରିବାର ଚେଷ୍ଟା କରିଛି। ସଭିଏଁ କହନ୍ତି, ‘ଅଶୁଭପୁତ୍ରର କାହାଣୀ’ ଆପଣଙ୍କ ସର୍ବଶ୍ରେଷ୍ଠ ଗଳ୍ପ। ତାପରେ ଆପଣ ଆଉ କିଛି ଲେଖିନଥିଲେ ବି ଓଡ଼ିଆ ସାହିତ୍ୟ ଜଗତରେ ଆପଣଙ୍କ ସ୍ଥିତିର କୌଣସି ଅନ୍ତର ଘଟନ୍ତାନି। କିନ୍ତୁ ମୋ ବ୍ୟକ୍ତିଗତ ଅନୁଭବ ହେଲା, ‘ହସ’ ସମ୍ଭବତଃ ଆପଣଙ୍କ ଶ୍ରେଷ୍ଠତମ ଗଳ୍ପ।”
“କୋଉଟା କୋଉଟା?” ସାର୍ ହୁଏତ ଚମକି ପଡ଼ିଲେ।
“…’ହସ’, ଆପଣଙ୍କ ଗପ ‘ହସ’।”
ବିଶ୍ୱାସ କରନ୍ତୁ ଶତାୟୁ ଗାଳ୍ପିକ ‘ସରମରେ ସଢ଼ିଗଲେ’। ସେଇ “ହସ” ଗପର ଚରିତ୍ର ଆଭାମୟୀ ଯେମିତି ‘ହାତ ବାଆଁରେଇ ବାଆଁରେଇ ନା ନା’ କରି ଆର୍ଯ୍ୟାବର୍ତ୍ତଙ୍କୁ ବ୍ଲାଉଜ ପିନ୍ଧାଇବାକୁ ବାରଣ କରିଥିଲେ, ସେଇ ଆଭାମୟୀଙ୍କ ଭଳି ‘ଓଠ ଚାପି ହସ ଅଟକାଉ ଅଟକାଉ’ ସାରଙ୍କ ଓଠରୁ, ଆଭାମୟୀଙ୍କ ଓଠରୁ ପିଚିକି ପଡ଼ିଥିବା ଭଳି ‘ହସ ପିଚିକି ପଡ଼ିଥିଲା’। ମଣିଷ ସ୍ୱଭାବ। ପରିଣତ ବୟସରେ, ଯୌବନାବସ୍ଥାର ପ୍ରେମ ପ୍ରସଙ୍ଗ କେହି ଉଖାରିଦେଲେ ମଣିଷ ଯେମିତି ଆଖି ଲୁଚେଇ, ସତ କଥାଟିକୁ ଉଚ୍ଚସ୍ୱରରେ ହସି ଉଡ଼େଇ ଦେବାର ଅପଚେଷ୍ଟା କରେ, ଠିକ୍ ସେମିତି ଚୋରାପୀରତି ଧରାପଡ଼ିଯାଇଥିବା ଅଭିସାରକଟିଏର ସବୁତକ ଲକ୍ଷଣ ମୁଁ ତାଙ୍କଠି ଦେଖିନେଲି। “ହସ” ଗପଟା ପଢ଼ିଲା ବେଳକୁ ଘଟଣାଟା ମତେ ଯେତେ ଛୁଇଁଥିଲା, ଯେତେ ସତ ସତ ପ୍ରତେ ହୋଇଥିଲା, ଏବେ ମୋର ଧାରଣା ଆହୁରି ବଦ୍ଧମୂଳ ହେଉଥିଲା। ଏହା ହିଁ ହୁଏତ ଗପଟିଏର ସାର୍ଥକତା, ପାଠକର ହେତୁକ କି ଅହେତୁକ ଧାରଣାକୁ ଯଦି ବଳବତ୍ତର, ଦୃଢ଼ତର କରିଦେଇପାରେ ତେବେ ତାହା ଏକ ସଫଳ ଅନବଦ୍ୟ ସୃଷ୍ଟିରେ ପରିଣତ ହୁଏ। ଅବଶ୍ୟ, ମୋ ବ୍ୟକ୍ତିଗତ ବିଚାର।
‘ହସ’ ଗପରେ ଆଭାମୟୀଙ୍କ “ହଇହେ ଶୁଣୁଛ, ଏଠିକି ଆସ ତ!” ମୁଁ କେବଳ ପଢ଼ିଛି। ସେ ପ୍ରେମିଳ ସଂବୋଧନ ମୋ କାନରେ ବାଜିନି। କିନ୍ତୁ, ସାର୍ ଯେତେବେଳେ ଧର୍ମପତ୍ନୀଙ୍କୁ ଡକାପାରିଲେ, “ଏତେ ଦୂରରୁ, ବରଗଡ଼ରୁ ପିଲାଟା ଆସି ପହଞ୍ଚିଲେଣି, ଆସୁଛ!”ର ଉତ୍ତରରେ “ହଁ ଆସୁଛି (କି) ଯାଉଛି (?)” ସରୁ, ସୂକ୍ଷ୍ମ ଅଥଚ ସ୍ପଷ୍ଟ ଉତ୍ତରଟି ଯାହା ଘର ଭିତରୁ, କାହିଁ କୋଉ ଦୂର ଦୂରାନ୍ତରୁ, ସାତ ସମୁଦ୍ର ତେର ନଈ ଲଂଘି ଭାସି ଆସୁଥିବା ମୋର ମନେ ହେଲା, ତହିଁରେ ଉଭୟଙ୍କ ପ୍ରେମିଳ ସଂପର୍କର ଗଭୀରତାର ନିର୍ଯ୍ୟାସ, ଆର୍ଯ୍ୟାବର୍ତ୍ତଙ୍କ ପ୍ରତି ଆଭାମୟୀଙ୍କ ‘ଅନୁରାଗ, ଅନୁଭବ ଓ ଆନୁଗତ୍ୟର ମହୁ’ର ସ୍ୱାଦ ମୁଁ ବାରି ପାରିଲି। ଆଭାମୟୀ ଜାଣନ୍ତି, “ଲୁହା ଆଉ ଲୁହ”ର ଆର୍ଯ୍ୟାବର୍ତ୍ତ ‘କେବେ ତା’ ଉପରେ ରାଗତମର ତୋଡ଼ମୋଡ଼ ଦେଖାଇ ନାହାନ୍ତି’, ‘ତାକୁ କେବେ ଅଣହେଳା କରିନାହାନ୍ତି’, ତାଙ୍କୁ ‘କେତେନା କେତେ ଭଲ ପାଆନ୍ତି’।
ସାର୍ କୌଣସି ଗୋଟିଏ ପ୍ରସଙ୍ଗରେ କହୁଥିଲେ, “ଆଜିକାଲିକା ପିଲାମାନେ ସାତଦିନଯାକେ ବିବାହବନ୍ଧନ ବାନ୍ଧି ପାରୁନାହାନ୍ତି, ହେଲେ ଆମର ଦାମ୍ପତ୍ତ୍ୟ ଜୀବନକୁ ଅଶୀବର୍ଷ ହେଲାଣି।”
ମୁଁ ମୁଚୁକେଇ ହସୁଥାଏ। କହିଲି, “ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଓ ଆଭାମୟୀଙ୍କ ଯୁଗଳମୂର୍ତ୍ତିଙ୍କୁ ସ୍ୱଦେହରେ ଭେଟି ମୋ ଜୀବନ ଧନ୍ୟ ହୋଇଛି।” ସାର୍ ପୁଣି ହସିଲେ, ସେଇ ସରଳ, ନିଷ୍କପଟ, ଲଜ୍ଜାସିକ୍ତ, ମୁହଁଲୁଚା, ଉଚ୍ଚସ୍ୱରର ହୋହୋ ହସ। ସତେକି ମୋ କଥା ତାଙ୍କୁ ପୁଲକିତ କରୁଥିଲେ ବି ସାର୍ ମୋ ଦୃଷ୍ଟିରୁ ତାଙ୍କ ଆଖି ଲୁଚାଉଥିଲେ।
ସହସା ପୁଣି ସ୍ୱାଭାବିକ ଗାମ୍ଭୀର୍ଯ୍ୟ ନେଇ କହିଲେ, “ଲଭ୍ ଷ୍ଟାର୍ଟସ୍ …,” ମୁଁ ଉବୁଡ଼ାପଡ଼ି କହିଲି, “ଆଫଟର୍ ସିକ୍ସଟୀ… ସେଭେନ୍ଟୀ… ଏଇଟୀ…ନାଇନ୍ଟୀ?” ଆଙ୍ଗୁଠି ହଲେଇ କହିଲେ, “ଆଫଟର୍ ସେକ୍ସ୍… ଷ୍ଟପ୍ସ୍।”
“ହସ” ଗପରେ ବର୍ଣ୍ଣିତ ଘରର ଗୋଟେ ବିରୋଧାଭାସୀ ରୂପ ମୁଁ ଏ ଘରେ ଦେଖିଲି ଯାହା ମତେ ଅତ୍ୟନ୍ତ ଆହ୍ଲାଦିତ କଲା। ଗଳ୍ପରେ ଆଭାମୟୀ ଶଯ୍ୟାଶାୟୀ। ଏଠି କିନ୍ତୁ ପ୍ରକୃତ ଜୀବନରେ, (ମୋ ଆଖିରେ) ଆଭାମୟୀ ବୟସଭାରରେ ଅଳ୍ପ ଧୀମେଇ ଯାଇଥିଲେ ବି “ଏଜ୍ ଇଜ୍ ଓନଲି ଏ ନଂବର୍” ଅର୍ଥାତ, ବୟସ ସଂଖ୍ୟାଟିଏ ମାତ୍ର ପ୍ରବାଦର ଯଥାର୍ଥ୍ୟ ପ୍ରତିପାଦନ କରୁଥିଲେ। ମୃଦୁ ପଦପାତରେ ଆସି ଆମ ସମ୍ମୁଖରେ ସେ ଉଭା ହେଲେ, ମୁଁ ଚମକି ପଡ଼ିଲି। ତାଙ୍କୁ ଦେଖିଲେ ଲାଗୁ ନଥିଲା ଯେ ସେ ବ୍ୟାଧିର କବଳରେ ପଡ଼ି ହୋଇ ବହୁଦିନ ହେଲା ଶଯ୍ୟାଶାୟୀ ରହିଆସିଛନ୍ତି।

ଗୃହସହାୟିକା ସାହାଯ୍ୟରେ ତାଙ୍କ ସ୍ନାନ ସାରି ମୁକୁଳା କେଶରେ ଆଭାମୟୀ ମୋ ସମ୍ମୁଖରେ ଉଭା ହେଲାବେଳକୁ କୌଣସି ମମତାମୟୀ ଦେବୀଙ୍କ ଆଭାଠୁ ତାଙ୍କ ଆଭା ତିଳେ ହେଲେ କମ୍ ଲାଗୁନଥିଲା। ମତେ ମୋ ନାଁ ପଚାରିଲେ, ମୁଁ କହିଲି। ମୋ ନାଁ ଶୁଣି ଅଳ୍ପ ମୁଚୁକେଇ ହସିଲେ। ସେ ସ୍ମିତହସରେ ଅତୀତର ଆର୍ଯ୍ୟାବର୍ତ୍ତଙ୍କ ପାଇଁ ‘ସରତି’ ଆସୁଥିବା ‘ଉଦ୍ଦାମ ମାଦକତାର ମଦ’ ନଥିଲା କି ବୟଃଭାରରେ ଭାରାକ୍ରାନ୍ତ ଅବିକାର ଆର୍ଯ୍ୟାବର୍ତ୍ତଙ୍କ ପାଇଁ ‘ଥଣ୍ଡା ଥଣ୍ଡା ପଣାର ଝରଣା’ ‘ସରତୁ’ ନଥିଲା, କେବଳ ମମତାଭରା ନିରୁତା ସ୍ନେହ-ନିର୍ଝରର ‘ସର୍ତ୍ତନ’ ମୋର ଆଖିରେ ପଡ଼ିଲା।
ଜାଣୁଥିଲି ମୁଁ ଧୃଷ୍ଟତା କରୁଛି, ତଥାପି କୌଣସି ଅଜଣା ଆକର୍ଷଣବଶତଃ (କାଳେ ମୋତେ ବିହ୍ବଳ କରିଥିବା ସେହି ଗଳ୍ପର ଚରିତ୍ରର ନାମ ଅନୁସାରେ ଆଭାମୟୀ ବୋଲି କହିଦେବେ) ମୁଁ ତାଙ୍କୁ ତାଙ୍କ ନାଁ ପଚାରି ବସିଲି। କହିଲେ, “କନକପ୍ରଭା”। ନାଁଟା ତାଙ୍କ ପାଇଁ ଯଥୋଚିତ, ଯୁକ୍ତିଯୁକ୍ତ, ସାର୍ଥକ। ହଁ, ବୟସ ଅନୁପାତରେ ତାଙ୍କ କେଶର ମାତ୍ରା ସଠିକ୍ ଥିଲା, ହୁଏତ ସ୍ୱାଭାବିକଠୁ କିଞ୍ଚିତ୍ ଅଧିକ ବୋଲି କହିଲେ ବି ଅତ୍ୟୁକ୍ତି ହେବନି। “ହସ” ବର୍ଣ୍ଣିତ ଆଭାମୟୀ, ‘କେଶବତୀ କନ୍ୟାର ମାନ୍ୟତା ନେଇ କେଶ ବିଭବରେ ବିଭାମୟୀ ଆଭାମୟୀର ଯତକିଞ୍ଚିତ କେଶର ବିକଳ ଭଗ୍ନାଂଶ’ ନଦେଖି, ଏବେ ପୁଲକିତ ଓ ଉଶ୍ୱାସ ହେବାର ପାଳି ଥିଲା ମୋର।
ମୁଁ ଆରମ୍ଭରୁ ନିଷ୍ପତ୍ତି ନେଇଥିଲି, କିଛି ହେଲେ କହିବିନି, କେବଳ ଶୁଣିବି। ମନ ମିଶିଲା ମଣିଷ ସହ ମୁଁ ସବୁଦିନ ପ୍ରଗଳ୍ଭ, ପାଟି ବନ୍ଦ ପଡ଼େନି। ଆଉ ମନ ନମିଶିଲେ, ପାଟି ଖୋଲେନି କି ଜିଭ ଲେଉଟେନି। ମୋଠୁ ଚାଳିଶ ବର୍ଷ ବଡ଼ ଜଣେ ଗାଳ୍ପିକଙ୍କ ସହ ମୁଁ କଣ ବା କଥା ହେବି? ଏଣୁ, ମୁଁ ପ୍ରାକ୍ ପ୍ରସ୍ତୁତି କରିନେଇଥିଲି, ପାଟି ଖୋଲିବିନି। କେବଳ ମଝିରେ ମଝିରେ ଅଳ୍ପ କିଛି ଖିଅ ଧରେଇଦେଲେ ବର୍ଷିୟାନ ମଣିଷମାନେ ଅନର୍ଗଳ କହିପାରନ୍ତି, ଶ୍ରୋତାର କେବଳ ଆଗ୍ରହ ଥିବା କଥା, ଧୈର୍ଯ୍ୟ ଥିବା କଥା। ତଥାପି, ଅଜାଣତରେ କଣ ପଦେ ମୁଁ କହିଲି ଯାହା ଏବେ ମୋର ବିଲକୁଲ ମନେ ପଡ଼ୁନି କିନ୍ତୁ କଥାଟା ସାରଙ୍କ ମନକୁ ଭେଦିଗଲା। ମତେ ଆଉଥରେ କହିବାକୁ କହିଲେ। ଶୁଣି, ମନେ ରଖିବା ଭଳି ପ୍ରତିଟି ଶବ୍ଦ ଉପରେ ଚାପ ଦେଇ ଦେଇ ରିପିଟ୍ କଲେ। ମୋର ମନେ ହେଲା, ଯାହେଉ ମୋର ପଦେ କଥା ତ ତାଙ୍କୁ ଘାରିଛି ହୁଏତ ପରବର୍ତ୍ତୀ କୌଣସି କାହାଣୀରେ ଆସିପାରେ।
ସାର୍ କହୁଥାନ୍ତି, ମତେ ଆର୍ଯ୍ୟାବର୍ତ୍ତଙ୍କ ସ୍ୱର ଶୁଭୁଥାଏ, ମଝିରେ ମଝିରେ ଆଖିକୋଣରୁ ଆଭାମୟୀ (କନକପ୍ରଭା)ଙ୍କ ସହିତ ମୋର ଆଖି ମିଶିଗଲେ, ସେ ‘ଅଳ୍ପ ହସି’ ଉତ୍ତର ଦେଉଥାନ୍ତି। ଆଭାମୟୀ, ‘ହସର ମିଶିରିରେ ତିଆରି ମିଠା ମଣିଷଟି’ ଏବେ ବି ମିଠା ମିଠା ହସ ଚହଟାଉଥିଲେ। ଆର୍ଯ୍ୟାବର୍ତ୍ତଙ୍କ ଆଭାମୟୀ ସ୍ୱଳ୍ପଭାଷୀ, କନକପ୍ରଭା ବି ଚୁପଚାପ୍, ସମ୍ଭବତଃ ମୂର୍ତ୍ତିମନ୍ତ ‘ବହଳ ଅନୁଭବ’, ଯାହାଙ୍କୁ କିଛି ‘କହିବା ଦରକାର ପଡ଼େନା’। ସମ୍ମୁଖସ୍ଥ ମଣିଷ, ସ୍ୱତଃ ନିଜର କ୍ଷମତା ମୁତାବକ ବୁଝିନେଉଥାଏ।
ଗପରେ ଆର୍ଯ୍ୟାବର୍ତ୍ତ କ୍ଷଣକୋପୀ। ସାର୍ ଯେତେବେଳେ କିଛି ବହି ଆଣିବାକୁ ଗୃହ ସହାୟିକାକୁ କହିଲେ, ସେ ବଲବଲ କରି ଏପଟ ସେପଟ ଅନାଇଲେ। ଆର୍ଯ୍ୟାବର୍ତ୍ତଙ୍କ କ୍ଷଣକୋପୀ ଦୁର୍ବାସା ରୂପ ସେଇ ଅବସରରେ ତାର ପ୍ରକୋପ ଦେଖାଇଲା। କିନ୍ତୁ, ସାର୍ ସମ୍ଭବତଃ ମୋ ଭଳି ଜଣେ ଅଜ୍ଞାତ ଆଗନ୍ତୁକ ସମ୍ମୁଖରେ ସେଇ ଅଗ୍ନିଶର୍ମା ଆର୍ଯ୍ୟାବର୍ତ୍ତଙ୍କୁ ଦେଖାଇବାକୁ ଚାହିଁଲେନି। ଆବେଗର ଆର୍ଯ୍ୟାବର୍ତ୍ତଙ୍କୁ ଆକଟ କରିନେଲେ, ସହସା ସେ ପୁଣି ସ୍ୱାଭାବିକ ହୋଇଯାଇଥିଲେ। କିଛି ବହି ଖୋଜି ମତେ ଦେଲେ ତାଙ୍କର ଦୁଇଟି ବହି, “ଶ୍ରେଷ୍ଠ କଥା ଦଶକ” ଓ “ଶତାୟୁ ସାଧକ ଅଚ୍ୟୁତାନନ୍ଦ ପତିଙ୍କ କଥାସନ୍ଦର୍ଭ”, (ମୁଁ ତାଙ୍କ ଦସ୍ତଖତ କରେଇନେଲି, ତାରିଖ ନିଜେ ଭରିଦେଲି), ତାଙ୍କ ପୁତ୍ର ଉତ୍ତମ ପତି ବିରଚିତ “ଭର୍ସେସ୍ ଅଫ୍ ରିଜନ” ଓ “ମାଇଣ୍ଡ ଫେନୋମେନନ୍”। ମୁଁ ମଧ୍ୟ ମୋ ଅନୂଦିତ ଇଂରାଜୀ ବହି “ଫୋର୍ ଇୟର୍ସ ଇନ୍ ଜେଲ୍” ଓ ସଂଗୀତାଙ୍କ “ପ୍ରୀତି ପାର୍ବଣ” ତାଙ୍କୁ ଦେଲି, କିନ୍ତୁ ଦସ୍ତଖତ କରିବାର ସାହସ ହେଲାନି। କେବଳ ଫୋନ୍ ନଂବର ଲେଖିଦେଲି।
ତାପରେ ମୋ ବ୍ୟାଗରୁ ଶଙ୍କିତ ଚିତ୍ତରେ ସମ୍ବଲପୁରୀ ମଠା ଚାଦର ଖଣ୍ଡେ କାଢ଼ିଲି। ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ସତେକି ଶିଶୁଟିଏ ପାଲଟିଗଲେ। ଦେଖୁଦେଖୁ ଚିହ୍ନିନେଲେ। “ସମ୍ବଲପୁରୀ! ଭଲ ହେଇଛି, କଣ ମୋ ପାଇଁ?”
“ହଁ ସାର୍, ‘ଲଘୁଚାପ’ ଗପରୁ ସମ୍ବଲପୁରୀ କପଡ଼ା ପାଇଁ ଆପଣଙ୍କ ଆଦର ଓ ଆଗ୍ରହ ଅନୁଭବ କରିଥିଲି ତ! ସେ ଗଳ୍ପର ଚରିତ୍ର କଲ୍ଲୋଳଙ୍କୁ ତାଙ୍କ ଧର୍ମପତ୍ନୀ କରବୀ ସମ୍ବଲପୁରୀ ଶାଢ଼ି ଖଣ୍ଡେ ଆଣିବାକୁ କହିଥିଲେ।”
“ଭଲ କଲ” କହି ସେ ମଠାଚାଦର ଖଣ୍ଡିକ ଖୋଲି ଧରିଲେ। ମୋର ଶଙ୍କା ଦୂରୀଭୂତ ହେଲା।
ବଲାଙ୍ଗିର ରାଜେନ୍ଦ୍ର କଲେଜରେ ସାର୍ ତାଙ୍କ ପାଠପଢ଼ା ବୟସର କଥା କହିଲେ, ରାଜେନ୍ଦ୍ର କଲେଜର ପ୍ରଥମ ବ୍ୟାଚର ଛାତ୍ର ସେ, (ମୁଁ କହିଲି ୧୯୪୪? ସାର୍ ହଁ କଲେ, କହିଲି ମୁଁ ବି ସେ କଲେଜରେ ପାଞ୍ଚ ବର୍ଷ ପଢ଼ିଛି) ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ବ୍ୟାରେକରେ (ଆମେ ପଢ଼ିଲାବେଳେ ଘୋଡ଼ାଶାଳ ବୋଲି ଶୁଣିଥିଲୁ) ବସି ପାଠପଢ଼ିଥିବା ପ୍ରଥମ ବ୍ୟାଚର କଥା କହିଲେ, କୋଶଳ କଳାମଣ୍ଡଳର ପ୍ରାରମ୍ଭିକ କାଳରେ ଷ୍ଟେଜ୍ ଉପରେ ତାଙ୍କ ନାଚ କଥା କହିଲେ, ବଲାଙ୍ଗୀରର ପୂର୍ବତନ ବିଧାୟକ ଅଇଁଠୁ ସାହୁ, ତାଙ୍କ ସହପାଠୀଙ୍କ କଥା କହିଲେ, ଆଉ ସଂବଲପୁରର ଜଣେ ବାବୁ ସାଜ୍ଞିଆଧାରୀଙ୍କ (ବନମାଳୀ ବାବୁ? ମୁଁ ପଚାରିଲି, ସେ ହଁ କଲେ) କଥା କହିଲେ। ଆଉ ବି ତାଙ୍କ ଅନେକ ସହପାଠୀଙ୍କ କଥା କହିଲେ, ଯାହାଙ୍କୁ ମୁଁ ଜାଣିନଥିଲି। ନୂଆପଡ଼ା, କଣ୍ଟାବାଞ୍ଜି ସହ ତାଙ୍କ ସଂପର୍କ କଥା କହିଲେ। ଶହେ ବର୍ଷରେ ବି ମଣିଷଟାର ମଥା ଏତେ ସୁସ୍ଥ ସବଳ ଓ ସ୍ପଷ୍ଟ ଦେଖି ମୁଁ ଚମତ୍କୃତ ହେଉଥିଲି। କହିଲେ, “ଗୁଡ଼ାଏ ନାଁ ଭୁଲିଗଲିଣି।” ମୁଁ କହିଲି, “ଯେତେ ମନେରଖିଛନ୍ତି କଣ କମ୍ କି?”
ତାଙ୍କ ବନ୍ଧୁ ବର୍ଗଙ୍କ କଥା କହିଲା ବେଳକୁ ସେ କହିଲେ, “କେହି ଆଉ ନାହାନ୍ତି, ସଭିଏଁ ଚାଲିଗଲେଣି।
ଅଚ୍ୟୁତାନନ୍ଦ ପତି ଓ ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ, ଦୁଇଟି ଭୂମିକାର ଦ୍ୱନ୍ଦ୍ୱରେ ସେ ମତେ କାନ୍ଥଘଣ୍ଟାର ପେଣ୍ଡୁଲମ୍ ଭଳିଆ ଅବିରତ ଦୋଦୁଲ୍ୟମାନ ମନେ ହେଉଥିଲେ। କେତେ ସହଜରେ ନିଜକୁ ସଙ୍ଖୁଳି ସେ ପୂର୍ବସ୍ଥିତିକୁ ଫେରିପଡ଼ୁଥିଲେ, ନଦେଖିଲେ ବୁଝିବା କଠିନ। କି… କେତେ କଷ୍ଟରେ ଯେ, ମୁଁ ହୃଦୟଙ୍ଗମ କରିପାରିଲିନି କି??
କଥାଛଳରେ ମୋ ମାଁ କହିଥିବା କଥା ପଦେ ମୁଁ ସାରଙ୍କୁ କହିଲି, “ମାଁ କହିଥିଲେ, ଯାଇ ଭେଟିଆ, କିଛିକିଛି ତ ଲେଖାଲେଖି କରୁଛୁ, ଶତାୟୁ ଅର୍ଥାତ୍ ଜୀବନ୍ତ ଈଶ୍ୱର, ଯା ମୁଣ୍ଡିଆ ମାରି ଆ, ଏମାନଙ୍କ ଆଶୀର୍ବାଦ ଫଳେ।”
ସାରଙ୍କୁ କଥାଟା ଯେମିତି କହିଲି, ସେ କହିଲେ “ନାଇଁ ବାବା, ସେମିତି କିଛି ନାଇଁ କିନ୍ତୁ, ସହସ୍ରେ ପୂର୍ଣ୍ଣମୀ ଦର୍ଶନ କରିଥିବା ମଣିଷକୁ ଏଇ ସ୍ତରରେ ଗ୍ରହଣ କରିବା ଆମ ଶାସ୍ତ୍ରାନୁମୋଦିତ, ପରମ୍ପରା ଅଛି, ଯାହାକି ପ୍ରାୟ ବୟାଅଶୀ ବର୍ଷ ବୟସରେ ଜଣକ ପକ୍ଷେ ସମ୍ଭବପର। ଆଉ ମୋ କଥା ତ ଛାଡ଼, ଆଉ ସାତମାସ ପରେ ଶହେ।” ୟାକୁ କଣ “ଜୀବେମ ଶରଦଃ ଶତମ୍” କହନ୍ତି?
ମୁଁ କିନ୍ତୁ ତାଙ୍କ କଥାର ସ୍ରୋତ ନଭାଙ୍ଗିବାକୁ, ପାଟି ବନ୍ଦରଖିବାକୁ ନିଷ୍ପତ୍ତି ନେଇଥିଲି। ଏ ହିସାବ ମୁଁ ବୁଝିପାରୁନଥିଲେ ବି ଆସି କାଲ୍କ୍ୟୁଲଟର୍ ବାଡ଼େଇ ଦେଖିଲି, ସେ ଠିକ୍ ହିଁ କହୁଥିଲେ।
ଏ ସଂକ୍ରାନ୍ତେ, ଏବେ ଲେଖିଲା ବେଳକୁ ଗୁଲଜାରଙ୍କ ଗପ “ବିମଲଦା” ମୋର ମନେ ପଡ଼ିଲା ଯେଉଁଠି, ନିରୋଗ ତଥା ଶତାୟୁ ହେବାର ଅଭିଳାଷ ନେଇ ଜଣେ କୁମ୍ଭମେଳା ଅବସରରେ ସଂଗମ ସ୍ନାନ ଉଦ୍ଦେଶ୍ୟରେ ବାହାରିଛି ଓ ବିମଲଦା’ (ବିମଳ ରାୟ) ସେଇ ପ୍ରସଙ୍ଗରେ ସମରେଶ ବସୁ “କାଳକୂଟ”ଙ୍କ ଉପନ୍ୟାସ ଆଧାରରେ “ଅମୃତ କଳସର ସନ୍ଧାନ” ଶୀର୍ଷକ ସିନେମା ନିର୍ମାଣ କରିବାକୁ ବାହାରିଛନ୍ତି। ଆସିଷ୍ଟାଣ୍ଟ୍ ଡିରେକ୍ଟର ଗୁଲଜାର ତାଙ୍କୁ ପ୍ରଶ୍ନ କରୁଛନ୍ତି, “ଆପଣ ବିଶ୍ୱାସ କରନ୍ତି କି, କୁମ୍ଭମେଳା ଅବସରରେ ସଂଗମ ସ୍ନାନ କଲେ ଜଣେ ଅମୃତ ଲାଭ କରିପାରେ, ଶତାୟୁ ହୋଇପାରେ….. ଆପଣ କଣ ଶତାୟୁ ହେବାର ଆଶାପୋଷଣ କରନ୍ତି?” ବିମଲଦା କେବଳ ‘ହୁଁ’ଟିଏ କରି ନିରବ। ତାଙ୍କ ଗୋଟିଏ ‘ହୁଁ’ର ଶହେ ଅର୍ଥ ବୋଲି ଗୁଲଜାର ଲେଖୁଛନ୍ତି। ସଠିକ୍ ସମୟରେ ବିମଲଦା’ ଉତ୍ତର ରଖୁଛନ୍ତି, “ବିଶ୍ୱାସର କଥା, ଶାସ୍ତ୍ରୋକ୍ତି ରହିଛି, ମୁଁ ଅମୃତ ସନ୍ଧାନରେ ବାହାରିଛି, କିନ୍ତୁ ଶତାୟୁ ହେବାକୁ ଆକ୍ଷରିକ ଅର୍ଥରେ ନେବା କାହିଁକି, ଏମିତି କର୍ମ କର ଯେ ତମେ ସଭ୍ୟତା ସଂସ୍କୃତିର ଅଂଶ ବିଶେଷ ପାଲଟିଯିବ ଓ ଅମରତ୍ୱ ଲାଭ କରିବ।”
ଅଦ୍ୟତନ ସକ୍ରିୟ ସିଦ୍ଧହସ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତି କେବଳ ବୟସ ଗଣନାରେ ଶତାୟୁ ନୁହନ୍ତି, ତାଙ୍କ ଲେଖା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସଭ୍ୟତାରେ ଅମରତ୍ୱ ଲାଭ କରିସାରିଛନ୍ତି।
ଜୀବନ୍ତ ଈଶ୍ୱରଙ୍କ ଗହଣରେ ଜୀବନର ଦେଢ଼ ଘଣ୍ଟା ମାତ୍ର ସଫଳତା ସହ କାଟି ଫେରିଲା ବେଳେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରୁଥିଲି। ଅକିଞ୍ଚନ ମୁଁ ବା ସାରଙ୍କ ପାଇଁ ପରମେଶ୍ୱରଙ୍କୁ କଣ ପ୍ରାର୍ଥନା କରନ୍ତି? ତଥାପି କେବଳ ଏତିକି କହିଛି, ‘ତାଙ୍କରି’ ଇଚ୍ଛା ଓ ମନସ୍କାମନା ପୂରଣ ହେଉ।
Wonderful writing Sukomal. You made my morning. I am just woke up and saw your writing. Could not resist reading it in one go. My trbute to this grand old man of times and eminent writer Pati Sir. You are fortunate enough to get his blessings. I feel so proud to learn that your translated work of my book ‘Four Years in Jail’ is in his precious hands. Congratulations to you for this wonderful work. Translation of his stories will truly be a befitting centenary gift. All the best. May your pen be mightier and more creative. You have all our good wishes. Carry on. And be sure that you are not alone in your journey. We are always with you.
Rohit Dash
Bargarh -7978029399
rohitdash28@gmail.com
ରୋହିତ ଦାଶ ସାର୍ ଆନ୍ତରିକ ଧନ୍ୟବାଦ।🙏🙏