ପ୍ରବନ୍ଧ ସାହିତ୍ୟରେ ଇଂରାଜୀପ୍ରେମ

କୌଣସି ଭାଷା ପ୍ରତି ପ୍ରେମ ରହିବା କିଛି ଗର୍ହିତ କଥା ନୁହେଁ, କିନ୍ତୁ ଏହା ଏକପାଖିଆ ହେଲେ ସନ୍ତୁଳନ ବିଗିଡ଼ିଯାଏ। ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ବିଶେଷତଃ ସମାଲୋଚନା ସାହିତ୍ୟରେ ସ୍ଥାନ ପାଉଥିବା ଉଦ୍ଧୃତିଗୁଡ଼ିକୁ ଲକ୍ଷ୍ୟ କଲେ ଆମକୁ ସେଥିରେ ଇଂରାଜୀ ଭାଷାର ବହୁଳ ପ୍ରୟୋଗ ଜଳଜଳ କରି ଦିଶିଯାଏ। ପ୍ରବନ୍ଧର ପ୍ରସଙ୍ଗକୁ ଆଧାର କରି କୌଣସି ପାଶ୍ଚାତ୍ୟ ଲେଖକ ବା ଗବେଷକଙ୍କ ବକ୍ତବ୍ୟ ଉଦ୍ଧାର କରିବାବେଳେ ତାହାକୁ ମୂଳ ଇଂରାଜୀ ଭାଷାରେ ଲେଖିବାର ପ୍ରବଣତା ଓଡ଼ିଆ ପ୍ରବନ୍ଧଗୁଡ଼ିକରେ ଯେମିତି ଦେଖିବାକୁ ମିଳେ, ପ୍ରତିବେଶୀ ଭାଷାର ପ୍ରବନ୍ଧ ସାହିତ୍ୟରେ ସେମିତି ହୁଏନାହିଁ। ଅପର ପକ୍ଷରେ ପାଶ୍ଚାତ୍ୟ ପ୍ରାବନ୍ଧିକମାନେ ଯେତେବେଳେ ଓଡ଼ିଆ ଭାଷା ବା ସାହିତ୍ୟ ବିଷୟରେ ଇଂରାଜୀରେ ପ୍ରବନ୍ଧଟିଏ ଲେଖନ୍ତି, ସେତେବେଳେ କୌଣସି ଓଡ଼ିଆ ଲେଖକଙ୍କ ପୁସ୍ତକରୁ କିଛି ଧାଡ଼ି ଉଦ୍ଧରଣ କରିବାକୁ ଥିଲେ ସେମାନେ ତାହା ଓଡ଼ିଆ ଅକ୍ଷର ଅବା ଭାଷାରେ ଯଥାବତ୍ ସ୍ଥାନିତ କରିବାର କେବେ ଦେଖାଯାଏ କି?

ଗୋଟିଏ ଉଦାହରଣ ଜରିଆରେ କଥାଟିକୁ ବୁଝାଯାଉ। ଚଳିତ ଶତାବ୍ଦୀର ଆଦ୍ୟ ଭାଗରେ ବିଶିଷ୍ଟ ଇଂରେଜ ଗବେଷକ ଜନ୍ ବୋଲ୍‌ଟନ୍ ଓଡ଼ିଆ ସାହିତ୍ୟ ବିଷୟରେ ଗବେଷଣା କରି ‘ଏସେଜ୍ ଅନ୍ ଓରିଆ ଲିଟରେଚର୍‌’ ନାମକ ଏକ ପ୍ରାମାଣିକ ଗ୍ରନ୍ଥ ରଚନା କରିଯାଇଛନ୍ତି। ସେଥିରେ ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ‘ଷଡ଼ରସ’ ନାମକ ଏକ ନାଟକ ସମ୍ପର୍କରେ ଆଲୋଚନା କରିବା କ୍ରମରେ ସେଥିମଧ୍ୟରୁ ଗୋଟିଏ ଓଡ଼ିଆ ସଂଳାପ ଉଦ୍ଧାର କରିବାବେଳେ ତାହାକୁ ଓଡ଼ିଆରେ ନ ଲେଖି ବରଂ ତାହାର ଲିପ୍ୟନ୍ତରଣ ବା ଟ୍ରାନ୍ସଲିଟରେସନ୍ କରି ସଂଳାପଟିକୁ ଇଂରାଜୀ ଅକ୍ଷରରେ ହିଁ ଉପସ୍ଥାପନ କରିଛନ୍ତି। ଆମର ପ୍ରାବନ୍ଧିକମାନେ ସେହିଭଳି ଓଡ଼ିଆ ଭାଷାରେ ରଚନାଟିଏ ଲେଖିବାବେଳେ ସେଥିରେ ଦିଆଯିବାକୁ ଥିବା ଇଂରାଜୀ ଉଦ୍ଧରଣଗୁଡ଼ିକୁ ଓଡ଼ିଆରେ ଲେଖିପାରିବେ ନାହିଁକି? ଆବଶ୍ୟକ ସ୍ଥଳେ ବଙ୍ଗଳା କି ହିନ୍ଦୀ ଭାଷାରୁ ଉଦ୍ଧୃତିଟିଏ ତ ପୁଣି ଆମେ ନିଜ ପ୍ରବନ୍ଧରେ ଓଡ଼ିଆ ଲିପିରେ ଲେଖିପାରୁଛେ! କିନ୍ତୁ ଇଂରାଜୀ ଭାଷା କ୍ଷେତ୍ରରେ ଏହି ଧାରା ଅନୁସରଣ ନ କରିବା ଆମର ଭାଷା-ସ୍ୱାଭିମାନକୁ ଆହତ କରୁ୍‌ନାହିଁ କି? ଆଜି ଆମେ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଦେଇଛୁ ଯାହା ଫଳରେ ଇଂରାଜୀ ଭାଷାର ଜ୍ଞାନ ନ ଥିଲେ ଓଡ଼ିଆ ପାଠକଟିଏ ନିଜ ଭାଷାର ପ୍ରବନ୍ଧଟିଏ ସମ୍ପୂର୍ଣ୍ଣ ରୂପେ ପଢ଼ି ବୁଝିପାରିବା କଷ୍ଟକର।

ଉନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଦିପର୍ବରେ ଏହି ରକମର ଅଯୌକ୍ତିକ ଧାରା ପ୍ରାୟ ନ ଥିଲା କହିଲେ ଚଳେ। କିନ୍ତୁ ବର୍ତ୍ତମାନ ଯୁଗରେ ଇଂରାଜୀ ଭାଷାର ଆଶ୍ରୟ ନ ନେଲେ ଓଡ଼ିଆରେ ତାତ୍ତ୍ୱିକ ବା ଗବେଷଣାମୂଳକ ପ୍ରବନ୍ଧଟିଏର ରଚନା ସଂପୂର୍ଣ୍ଣ ହୁଏନାହିଁ ।

ଅବଶ୍ୟ ଏ କଥା ଅନସ୍ୱୀକାର୍ଯ୍ୟ ଯେ ସାମ୍ପ୍ରତିକ ସମୟରେ ଜ୍ଞାନର ବିସ୍ଫୋରଣ ଓ ପ୍ରସାର ଇଂରାଜୀ ଭାଷା ଜରିଆରେ ହିଁ ଏତେ ମାତ୍ରାରେ ଘଟିଛି ଯେ ଅନ୍ୟ କୌଣସି ଭାଷାରେ ପ୍ରବନ୍ଧଟିଏ ଲେଖିବାବେଳେ ସେଥିରେ ଇଂରାଜୀ ଭାଷାର କିଛି ନା କିଛି ଉଦ୍ଧୃତି ସ୍ଥାନ ପାଇବାର ସମ୍ଭାବନା ଅତି ସ୍ୱାଭାବିକ। କିନ୍ତୁ ଆମେ ଯଦି ନିଜର ପ୍ରବନ୍ଧରେ ଉଦ୍ଧାର କରୁଥିବା ସେହି ଇଂରାଜୀ ବାକ୍ୟ ବା ବାକ୍ୟାଂଶଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି, କିମ୍ବା ତାହା ନ ହୋଇପାରିଲେ ଅନ୍ତତଃ ସେଗୁଡ଼ିକର ଓଡ଼ିଆ ଲିପିରେ ଟ୍ରାନ୍‌ସ୍‌ଲିଟରେସନ୍ କରି ଉପସ୍ଥାପନ କରିବା ତେବେ ପାଠକମାନେ ଏଥିଜନିତ ଅସୁବିଧାରୁ ରକ୍ଷାପାଇଯିବେ। ଆମର ପତ୍ରିକାରେ ପ୍ରକାଶ ପାଉଥିବା ପ୍ରବନ୍ଧଗୁଡିକରେ ଏଭଳି ଏକ ପ୍ରୟାସ ପାଠକମାନଙ୍କର ଦୃଷ୍ଟିଗୋଚର ହେଉଥିବ ବୋଲି ଆଶା।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *