ଏ.ଆଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେବାରେ ଏକ ଶକ୍ତିଶାଳୀ ସହଯୋଗୀ ହୋଇପାରିବ।

କୃତ୍ରିମ ବୁଦ୍ଧିମତ୍ତା କିମ୍ବା ଏ.ଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆମ ଦୈନନ୍ଦିନ ଜୀବନର ଏକ ବଡ଼ ଅଂଶ ହୋଇଯାଇଛି। ବର୍ତ୍ତମାନର ସମୟ ହେଉଛି ମଣିଷ ମସ୍ତିଷ୍କ ଏବଂ ମେସିନ ମସ୍ତିଷ୍କ ମଧ୍ୟରେ ଏକ ପାରସ୍ପରିକ ସମନ୍ୱୟ କ୍ରିୟାର ସମୟ। କମ୍ପ୍ୟୁଟର ଜଗତରେ ଏହି ‘କୃତ୍ରିମ ବୁଦ୍ଧିମତ୍ତା’ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଅପଣ ହୁଏତ ଏହି ଶବ୍ଦଟି ଶୁଣିଥିବେ, କିନ୍ତୁ ଅନେକ ଲୋକ ଏବେବି ଭାବୁଛନ୍ତି, ଏଆଇ ପ୍ରକୃତରେ କ’ଣ ଏବଂ ଏହା ଆମକୁ କିପରି ପ୍ରଭାବିତ କରେ। ସରଳ ଭାଷାରେ, କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ହେଉଛି ଯେତେବେଳେ ଆମେ ମେସିନ କିମ୍ବା କମ୍ପ୍ୟୁଟରକୁ ମଣିଷ ପରି ବ୍ୟବହାର କରିବା ପାଇଁ ଚିନ୍ତା କରିବା, ଶିଖିବା ଏବଂ ସମସ୍ୟା ସମାଧାନ କରିବା ପାଇଁ ତିଆରି କରୁ। ଏହା ହେଉଛି କମ୍ପ୍ୟୁଟରକୁ ମସ୍ତିଷ୍କ ଦେବାପରି, ଯାହାଦ୍ୱାରା କି ସେମାନେ ନିଷ୍ପତ୍ତି ନେଇପାରିବେ ଏବଂ ନିଜସ୍ୱ କାର୍ଯ୍ୟ ମଧ୍ୟ କରିପାରିବେ।
କୃତ୍ରିମ ବୁଦ୍ଧିମତ୍ତା
‘କୃତ୍ରିମ ବୁଦ୍ଧିମତ୍ତା’ ଶବ୍ଦଟି ପ୍ରଥମେ ୧୯୫୬ ମସିହାରେ ବ୍ୟବହୃତ ହୋଇଥିଲା। ବିଗତ ବର୍ଷଗୁଡ଼ିକରେ ତଥ୍ୟର ରକ୍ଷଣାବେକ୍ଷଣ ଏବଂ ପ୍ରକ୍ରିୟାକରଣରେ ଅସୀମ ବୃଦ୍ଧି ‘ସୂଚନା ପ୍ରଯୁକ୍ତିବିଦ୍ୟା’ର ମହାନ ସମ୍ଭାବନା ଆଣିଅଛି। କମ୍ପ୍ୟୁଟରରେ ଭାଷା ବ୍ୟବହାର ସହିତ ଅନେକ ଭାଷା-ସମ୍ବନ୍ଧୀୟ ସୁବିଧା ଦ୍ରୁତଗତିରେ ଉପଲବ୍ôଧ ହୋଇଛି। ଏହାସହିତ ‘ଭାଷା ପ୍ରଯୁକ୍ତିବିଦ୍ୟା’ର ଏକ ନୂତନ ପଦ୍ଧତି ବିକଶିତ ହୋଇଛି। ଏଆଇର ଜନକ ଭାବରେ ଜନ ମ୍ୟାକାର୍ଥିଙ୍କ ନାମ ସର୍ବାଗ୍ରେ ସ୍ମରଣ କରାଯାଇପାରେ। କୃତ୍ରିମ ବୁଦ୍ଧିମତ୍ତା ସଂପର୍କରେ ଡାର୍ଟ ମାଉଥ୍ ଗ୍ରୀଷ୍ମକାଳୀନ ଗବେଷଣା ପ୍ରକଳ୍ପ ଦ୍ୱାରା ୧୯୫୬ରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାକୁ ‘ଏଆଇର ସାମ୍ବିଧାନିକ ସମ୍ମିଳନୀ’ ଭାବରେ ଉଲ୍ଲେଖ କରାଯାଇଛି। ଏହାର ମୁଖ୍ୟ ବିଷୟବସ୍ତୁ ଥିଲା: ସ୍ନାୟୁ ନେଟୱାର୍କ, ଗଣନା ତତ୍ତ୍ୱ, ସର୍ଜନଶୀଳତା ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଚିହ୍ନଟକରଣ। ପରେ ଏହାର ବ୍ୟବହାର ଓ ଲୋକପ୍ରିୟତା ବୃଦ୍ଧି ପାଇଛି। ଏବେ ଅନୁବାଦ ବ୍ୟତୀତ ସ୍ୱାସ୍ଥ୍ୟସେବା, ବାଣିଜ୍ୟ, ମନୋରଞ୍ଜନ, ପରିବହନ, ଶିକ୍ଷା, କୃଷି, ବିତ୍ତୀୟ ବ୍ୟବସ୍ଥା, ବ୍ୟାଙ୍କିଂସେବା, ରେଳ ଚଳାଚଳ, ସୁରକ୍ଷା ଓ ନିର୍ମାଣ କ୍ଷେତ୍ରରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ର ଉପଯୋଗ ଆବଶ୍ୟକ ହେଉଛି।

ଆମେ ଦୈନନ୍ଦିନ ଜୀବନରେ ଏଆଇ ବ୍ୟବହାର କରୁ ସଂପୂର୍ଣ୍ଣ ଭାବରେ, କିନ୍ତୁ ଏହାକୁ ଅନୁଭବ ନକରି। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଛୋଟ ରାସ୍ତା ଖୋଜିବା ପାଇଁ ଗୁଗଲ୍ ମ୍ୟାପ୍ସ ବ୍ୟବହାର କରୁ, ଏହି ଏଆଇ ଟ୍ରାଫିକ ଗଣନା କରେ ଏବଂ ସର୍ବୋତ୍ତମ ଉପାୟ ସୁପାରିସ୍ କରେ। ନେଟଫ୍ଲିକ୍ସ କିମ୍ବା ୟୁଟ୍ୟୁବ୍ ବ୍ୟବହାର କଲାବେଳେ ଏପରି ଏକ ଚଳଚ୍ଚିତ୍ର କିମ୍ବା ଭିଡିଓ ସୁପାରିସ୍ କରିଥାଏ। ଯେତେବେଳେ ସିରି, ଆଲେକ୍ସା କିମ୍ବା ଗୁଗଲ୍ ଆସିଷ୍ଟାଣ୍ଟ ସହିତ କଥା ହେଉ, ସେତେବେଳେ ଏଆଇ ଚାଳିତ ସ୍ୱରକୁ ଚିହ୍ନି, ଆମେ ଯାହାକହୁ ତାହା ଏଆଇ ବୁଝେ ଏବଂ ପ୍ରତିକ୍ରିୟା ମଧ୍ୟ ଦିଏ। ଆମର ସ୍ମାର୍ଟଫୋନ୍ର କ୍ୟାମେରା ମଧ୍ୟ ଏଆଇ ବ୍ୟବହାର କରେ, ମୁଖ ଚିହ୍ନଟ କରେ। ତେବେ ଏହି ଏଆଇ ଶିଖେ କିପରି? ଠିକ୍ ଯେପରି ଏକ ପିଲା ପର୍ଯ୍ୟବେକ୍ଷଣ ଏବଂ ଅଭ୍ୟାସ କରି ଶିଖେ, ଏଆଇ ସିଷ୍ଟମଗୁଡ଼ିକ ଡାଟା ଦେଖି ଶିଖନ୍ତି। ଯେତେ ଅଧିକ ଉଦାହରଣର ଉନ୍ନତୀକରଣ ହେବ, ସେତେ ଭଲ ହେବ।
ପରିବର୍ତ୍ତନର ବାହକ
ଏଆଇ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣୁଛି। ସ୍ୱାସ୍ଥ୍ୟସେବାରେ ଏଆଇ ଡାକ୍ତରମାନଙ୍କ ସ୍କାନ୍ ଏବଂ ପରୀକ୍ଷା ଫଳାଫଳ ଦେଖି ରୋଗଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିପାରେ। କୃଷି କ୍ଷେତ୍ରରେ ଏହା ଫସଲ ନିରୀକ୍ଷଣ ଏବଂ ପାଣିପାଗର ପୂର୍ବାନୁମାନ କରିବାରେ ସାହାଯ୍ୟକରେ। ବ୍ୟାଙ୍କଗୁଡ଼ିକରେ ଏଆଇ ଅସ୍ୱାଭାବିକ କାର୍ଯ୍ୟକଳାପ ଚିହ୍ନଟ କରିବା ଏବଂ ଠକେଇକୁ ବନ୍ଦ କରିବା ପାଇଁ ବ୍ୟବହାର କରାଯାଏ। ତଥାପି ଯେକୌଣସି ଶକ୍ତିଶାଳୀ ଉପକରଣ ପରି, ଏଆଇକୁ ସତର୍କତାର ସହିତ ବ୍ୟବହାର କରାଯିବା ଉଚିତ। ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆମେ ଏହାକୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରୁ, ସେମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ନୁହେଁ। ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନିରପେକ୍ଷ, ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହୃତ ହେଉଛି। ଏଥିନିମିତ୍ତ ଆମକୁ ବୈଜ୍ଞାନିକ କିମ୍ବା ଇଞ୍ଜିନିୟର ହେବାର ଆବଶ୍ୟକତା ନାହିଁ। କେବଳ ଏତିକି ଜାଣିବା ଆବଶ୍ୟକ, ଏଆଇ ଆମ ଜୀବନକୁ ସହଜ, ସ୍ମାର୍ଟ ଏବଂ ଅଧିକ ଦକ୍ଷ କରିବା ପାଇଁ ଏଠାରେ ଅଛି। ଏହାର ଲକ୍ଷ୍ୟ ରୋବୋଟ ଦ୍ୱାରା ବିଶ୍ୱକୁ ଦଖଲ କରିବା ନୁହେଁ, ବରଂ ପ୍ରକୃତ ସମସ୍ୟାର ସମାଧାନ ନିମିତ୍ତ ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ବ୍ୟବହାର ପାଇଁ ଏହା ଉଦ୍ଦିଷ୍ଟ।
ଏକବିଂଶ ଶତାବ୍ଦୀରେ ମେସିନଗୁଡ଼ିକ ମଣିଷପରି ଚିନ୍ତା କରିବାର ଧାରଣା ଧରି ରହିଆସିଛି। ଆଜି ଏଆଇ ମୁହଁ ଚିହ୍ନିପାରିବ, ଭାଷା ବୁଝିପାରିବ, ଏପରିକି କାହାଣୀ ଲେଖିପାରିବ କିମ୍ବା ସଙ୍ଗୀତ ସୃଷ୍ଟି କରିପାରିବ। ଏହା ବହୁତ ଆଗକୁ ବଢ଼ିଛି ଏବଂ ଏହା କେବଳ ସ୍ମାର୍ଟ ହେଉଛି। କୃତ୍ରିମ ବୁଦ୍ଧିମତ୍ତା ଯାନ୍ତ୍ରିକ ଓ ବିଷୟବସ୍ତୁ ଅନୁସାରେ କାର୍ଯ୍ୟ କରିବାକୁ ମନୁଷ୍ୟର ସହାୟତା ଦରକାର। ଏହା ସ୍ୱତଃ କୌଣସି ଜ୍ଞାନକୌଶଳ ହାସଲ କରିପାରେନାହିଁ। ଯେଉଁ ତଥ୍ୟ କମ୍ପ୍ୟୁଟରକୁ ପୂର୍ବରୁ ପ୍ରଦାନ କରାଯାଇଥାଏ, ସେହି ତଥ୍ୟ ଆଧାରରେ ବହୁତ କମ୍ ସମୟରେ କାର୍ଯ୍ୟ କରିଥାଏ। ପୂର୍ବ ତଥ୍ୟ ଆଧାରରେ ଏହା ସାହିତ୍ୟ, ସଂଗୀତ, କଳା ଓ ସ୍ଥାପତ୍ୟକୁ ପୁନର୍ଜୀବିତ କରିପାରେ। ମାତ୍ର କୌଣସି ନିଷ୍ପତ୍ତି ନେବାରେ ସଂପୂର୍ଣ୍ଣ ଅକ୍ଷମ ଅଟେ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କାହାର ଭାବନା ଓ ସମ୍ବେଦନକୁ ବୁଝି କାର୍ଯ୍ୟ କରିବା ପାଇଁ ଆଦୌ ସଚେତନ ନୁହେଁ। ସାମାଜିକ ସ୍ଥିତିକୁ ଅନୁଧ୍ୟାନ କରି କିପରି ଏଆଇ କାର୍ଯ୍ୟ କରିପାରିବ, ସେ ବିଷୟରେ ଗବେଷଣା ଚାଲୁ ରହିଛି।
କମ୍ପ୍ୟୁଟରର ଭାଷା
ଏବେ କମ୍ପ୍ୟୁଟରରେ ଭାଷା ବ୍ୟବହାର ସହିତ ଅନେକ ଭାଷା-ସମ୍ବନ୍ଧୀୟ ସୁବିଧା ଦ୍ରୁତଗତିରେ ଉପଲବ୍ଧ ହୋଇଛି। ‘ୟୁନିକୋଡ୍’ ପ୍ରଚଳନ ସହିତ ବିଶ୍ୱର ସମସ୍ତ ଭାଷା ଓ ଲିପିରେ କମ୍ପ୍ୟୁଟର ପ୍ରବେଶ କରିବାର ପଥ ପ୍ରଶସ୍ତ ହୋଇଛି। ବୈଜ୍ଞାନିକମାନେ କମ୍ପ୍ୟୁଟରଗୁଡ଼ିକୁ ସଂଖ୍ୟାତ୍ମକ ଏବଂ ତାର୍କିକ ଆଚରଣରେ ଭାଷାଗତ ଦକ୍ଷ କରିବା ପାଇଁ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି। ଏବେ କୌତୂହଳ ହେଉଛି ଯେ, ଏହି ମେସିନଗୁଡ଼ିକ ମଣିଷପରି ଚିନ୍ତା କରିପାରୁଛନ୍ତି କି ନାହିଁ ଏବଂ ନିଜର ନିଷ୍ପତ୍ତି ନେଇପାରୁଛନ୍ତି କି ନାହିଁ? ତେବେ ସକରାତ୍ମକ ଫଳାଫଳ ଆସିବା ଆରମ୍ଭ ହୋଇଛି। କମ୍ପ୍ୟୁଟର କ୍ଷେତ୍ରରେ ସମ୍ଭାବନା ପ୍ରକାଶ ପାଇଛି ଯେ, ମେସିନଗୁଡ଼ିକ ମଧ୍ୟ ମଣିଷ ପରି ଶିଖିପାରିବେ ଏବଂ ସେମାନଙ୍କଠାରୁ ସକାରାତ୍ମକ ବ୍ୟବହାର ମଧ୍ୟ ଆଶା କରାଯାଇପାରେ। କମ୍ପ୍ୟୁଟରଗୁଡ଼ିକ ଏବେ ମଣିଷ ଆଚରଣ ଶିଖିବା ଏବଂ ଅନୁସରଣ କରିବା ସକ୍ଷମ ହୋଇପାରିଛି। ବର୍ତ୍ତମାନ କମ୍ପ୍ୟୁଟର ଆମ ଭାଷା ବୁଝିପାରୁଛି ଏବଂ ଏହାର ନିର୍ଦ୍ଦେଶ ଅନୁଯାୟୀ ଇଚ୍ଛିତ କାର୍ଯ୍ୟ କରାଇବା ସମ୍ଭବ ହୋଇପାରିଛି। ‘ରୋବୋଟ୍’ ହେଉଛି ମଣିଷର କୃତ୍ରିମ ରୂପାନ୍ତର। ଏହି ‘ରୋବୋଟ୍’କୁ ମଣିଷର ମସ୍ତିଷ୍କ ଉତ୍ପନ୍ନ କରିବାର ସଂକଳ୍ପ ପୂରଣ କରିବା ପାଇଁ କମ୍ପ୍ୟୁଟର ମଣିଷର ଭାଷା ବୁଝିପାରିବା ଏବଂ ଯୋଗାଯୋଗ କରିପାରିବା ହିଁ ଆବଶ୍ୟକ। ଏହି ପ୍ରକ୍ରିୟାରେ ‘କୃତ୍ରିମ ବୁଦ୍ଧିମତ୍ତା’ (ଏଆଇ) ଉଦ୍ଭାବନ କରାଯାଇଛି। ଏହି ଦିଗରେ ‘ପ୍ରାକୃତିକ ଭାଷା ପ୍ରକ୍ରିୟାକାରୀ’ ସୃଷ୍ଟି ଏକ ବଡ଼ ସଫଳତା ବୋଲି ପ୍ରମାଣିତ ହୋଇଛି। ସୃଜନଶୀଳତା ବିକାଶ ଦ୍ୱାରା ମାନବ ବୁଦ୍ଧିମତ୍ତା ଜ୍ଞାନର ସ୍ତରକୁ ପହଞ୍ôଚପାରିବ। ତଥାପି ପ୍ରଶ୍ନ ହେଉଛି, କୃତ୍ରିମ ବୁଦ୍ଧିମତ୍ତା ତର୍କରୁ ଆଗକୁ ଯାଇ ସର୍ଜନଶୀଳ ହେବ ତ? ଧୀରେ ଧୀରେ ଆମେ କୃତ୍ରିମ ବୁଦ୍ଧିମତାର କବଳରେ ଫସିଯାଉଛୁ। କୃତ୍ରିମ ବୁଦ୍ଧିମତ୍ତା ଏକ ଖୋଲା ପ୍ଲାଟଫର୍ମ ଭାବରେ ବ୍ୟାପକ ଉପଲବ୍ଧ ହେବାକୁ ଯାଉଛି। କୃତ୍ରିମ ବୁଦ୍ଧିମତ୍ତାକୁ ସେହି ସ୍ତରରେ ଆଣିବା ପାଇଁ ସର୍ବାଧିକ ପ୍ରୟାସ କରାଯିବା ଆବଶ୍ୟକ। ବର୍ତ୍ତମାନ ସୂଚନା ପ୍ରକ୍ରିୟାକରଣର ଯୁଗ। ସୂଚନାର ଭଣ୍ଡାର ଏବେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ସୂଚନା/ତଥ୍ୟ ପ୍ରକ୍ରିୟାକରଣ ଉପକରଣଗୁଡ଼ିକ ଶକ୍ତିର ନୂତନ ବାହକ। ଏକବିଂଶ ଶତାବ୍ଦୀ ହେଉଛି ଡିଜିଟାଲ ଯୁଗ। ଏଥିରେ ପ୍ରଥମ ପର୍ଯ୍ୟାୟ ହେଉଛି ସୂଚନା ବିପ୍ଲବର ଏବଂ ଦ୍ୱିତୀୟ ପର୍ଯ୍ୟାୟ ହେଉଛି, ନ୍ୟୁରାଲ ସିଷ୍ଟମ ଆଧାରରେ ବିକଶିତ କୃତ୍ରିମ ବୁଦ୍ଧିମତ୍ତା। ଏହି କୃତ୍ରିମ ବୁଦ୍ଧିମତା ଏବେ ଶକ୍ତିର ଏକ ନୂତନ ମାଧ୍ୟମ ଭାବରେ ଉଭା ହୋଇଛି। କୃତ୍ରିମ ବୁଦ୍ଧିମତ୍ତାର ବ୍ୟାପକ ବ୍ୟବହାର କରାଯାଉଛି। ବୁଦ୍ଧିରୁ ଜ୍ଞାନ ପର୍ଯ୍ୟନ୍ତ ଯାତ୍ରା। କୃତ୍ରିମ ବୁଦ୍ଧିମତ୍ତା ଏବେ ଏହାର ସୀମା ଅତିକ୍ରମ କରୁଛି ଏବଂ କୃତ୍ରିମ ବୁଦ୍ଧିମତ୍ତାର ସମ୍ଭାବନାକୁ ସାକାର କରୁଛି।
କୃତ୍ରିମ ବୁଦ୍ଧିମତ୍ତାର ମହତ୍ତ୍ୱ
ବୁଦ୍ଧି ଓ ଜ୍ଞାନ ଉଭୟ ମାନବ ମନର ଗୁରୁତ୍ୱପୂର୍ଣ୍ଣ କ୍ଷମତା। ବୁଦ୍ଧି ଚିନ୍ତା କରିବା, ଯୁକ୍ତି କରିବା, ନିଷ୍ପତ୍ତି ନେବା ଏବଂ ବୁଝିବାର କ୍ଷମତା ସହିତ ଜଡ଼ିତ। ଏହା ମାନବ ମନର କର୍ତ୍ତୃତ୍ୱପୂର୍ଣ୍ଣ, ଯୁକ୍ତିଯୁକ୍ତ ଏବଂ ତାର୍କିକ ଚିନ୍ତାଧାରାର ଶକ୍ତିକୁ ଦର୍ଶାଏ। ବୁଦ୍ଧିମତ୍ତା ସାହାଯ୍ୟରେ ଜଣେ ବ୍ୟକ୍ତି ସବୁକିଛି କରିପାରିବ। ‘କୃତ୍ରିମ ବୁଦ୍ଧିମତ୍ତା’ ପ୍ରାପ୍ତ ତଥ୍ୟକୁ ଭଲ ଭାବରେ ବିଶ୍ଲେଷଣ କରି ଏବଂ ନିଷ୍ପତ୍ତିଯୋଗ୍ୟ ନିଷ୍କର୍ଷ ଦେଇ, କମ୍ପ୍ୟୁଟରକୁ ମଣିଷ ପରି କାମ କରିବା, ସେମାନଙ୍କ ଭାଷା ବୁଝିବା, ଯୋଗାଯୋଗ ସ୍ଥିତିରେ ରଖିଛି। ଏହା ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଯୁକ୍ତିର ଶକ୍ତି ଦେଇଛି। ଯଦିଓ ଯନ୍ତ୍ରର ନିଜସ୍ୱ ଭାବନା ନଥାଇପାରେ, ବୁଦ୍ଧିମତ୍ତା ଏବଂ ଯୁକ୍ତି ସହିତ ଯନ୍ତ୍ରଟି ମଣିଷର ଭାବନାକୁ ବୁଝିବାର କ୍ଷମତା ହାସଲ କରୁଛି। ବୁଦ୍ଧି ଏକ ଯୁକ୍ତି ପ୍ରଣାଳୀ। ବୁଦ୍ଧି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବରେ ଯୁକ୍ତିଯୁକ୍ତ, ଜ୍ଞାନ ଅଭିଜ୍ଞତା, ଜ୍ଞାନ ଏବଂ ବୁଝାମଣାର ଗଭୀରତାକୁ ସୂଚିତକରେ। ତେବେ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ, ବୁଦ୍ଧି ହେଉଛି ଯୁକ୍ତିଯୁକ୍ତ ଏବଂ ନିର୍ଣ୍ଣାୟକ, ଯେତେବେଳେ ମେଧା ଅଧିକ ବୁଝାମଣା, ଅଭିଜ୍ଞତା ଏବଂ ଜ୍ଞାନକୁ ବୁଝାଏ। କମ୍ପ୍ୟୁଟିଂ ଆଚରଣରେ, ଚେତନ ଓ ଅବଚେତନ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଇଣ୍ଟରନେଟ୍ରେ କମ୍ପ୍ୟୁଟରର ନେଟୱାର୍କରେ ବହୁଭାଷୀ ସୂଚନା ଏବଂ ନିଷ୍କର୍ଷ ବ୍ୟାପକ ଭାବରେ ସଂରକ୍ଷିତ ହୋଇଥାଏ। ପ୍ରାକୃତିକ ଭାଷା ଆଲଗୋରିଦମରୁ ଏହି ସୂଚନା ଆଧାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକରେ। ଏହି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଆପ୍ଗୁଡ଼ିକ ମୁଖ୍ୟତଃ ଚାଟ୍ ଜିପିଟି, ଆମାଜନ୍ ଆଲେକ୍ସା, ସିରି, ଗୁଗଲ୍ କ୍ଲାଉଡ, ଗ୍ରାମର୍ଲି, ଜେମିନି ମାଇକ୍ରୋସଫ୍ଟ, ବିଙ୍ଗ୍, କାନାଭା, କୋରା ସାଉଣ୍ଡ ହାଉଣ୍ଡ୍, ମେଟା ଏଆଇ, ଇମେଜ୍ ଏଡିଟିଂ, ଗୁଗଲ୍ ଟ୍ରାନ୍ସଲେସନ ପ୍ରଭୃତି।

କୃତ୍ରିମ ବୁଦ୍ଧିମତ୍ତା ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟର ସଂରକ୍ଷଣ ସମୃଦ୍ଧି ତଥା ଆଧୁନିକୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ। କୃତ୍ରିମ ବୁଦ୍ଧିମତ୍ତା ବିଜ୍ଞାନର ଏକ ସମାନ୍ତରାଳ ଉଦ୍ଭାବନ। ଏହି ପଦ୍ଧତିରେ କମ୍ପ୍ୟୁଟର ପ୍ରତ୍ୟେକ ବିଷୟବସ୍ତୁକୁ ଅଧ୍ୟୟନ ଓ ବିଶ୍ଲେଷଣ କରେ। ନିମ୍ନମତେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିବ। ଯଥା:
୧. ଡିଜିଟାଇଜେସନ ଏବଂ ସଂରକ୍ଷଣ: ତିନି ସହସ୍ରାବ୍ଦୀରୁ ଅଧିକ ପୁରୁଣା ସାହିତ୍ୟିକ ଆଧାରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଏହା ବିଶ୍ୱର ଅଧିକାଂଶ ସର୍ବାଧିକ କଥିତ ଭାଷା ଅପେକ୍ଷା ପୁରୁଣା। ଅନ୍ୟ ଅନେକ ଭାରତୀୟ ଭାଷା ତୁଳନାରେ ଓଡ଼ିଆରେ ଉପଲବ୍ଧ ଅନ୍ଲାଇନ୍ ବିଷୟବସ୍ତୁ ବହୁତ ସୀମିତ। ଏହାର ସମସ୍ୟା ହେଉଛି ଫଣ୍ଟ୍ର ସମସ୍ୟା। ୟୁନିକୋଡ୍ ଫଣ୍ଟ୍ ବ୍ୟବହାର ଏବଂ ମୂଲ୍ୟବାନ ବିଷୟବସ୍ତୁକୁ ଡିଜିଟାଇଜେସନ କରିବା ଭଳି ପ୍ରଯୁକ୍ତିବିଦ୍ୟା ଉନ୍ନତିର ଅଭାବ। ଡିଜିଟାଲ ଡେସ୍କଟପ୍ ପ୍ରକାଶନ (ଡିଟିପି) ପ୍ରକାଶିତ ସମ୍ବଳଗୁଡ଼ିକ ଅଧିକାଂଶ ଏପର୍ଯ୍ୟନ୍ତ ସନ୍ଧାନଯୋଗ୍ୟ ଭାବରେ ଉପଲବ୍ଧ ନୁହେଁ। ଫଣ୍ଟଗୁଡ଼ିକ ପ୍ରାୟତଃ କୌଣସି ପାଠକକୁ କୌଣସି ବିଷୟବସ୍ତୁ ସନ୍ଧାନ, ପ୍ରବେଶ, ପୁନଃବ୍ୟବହାର ଏବଂ ଉଦ୍ଧୃତି କରିବାକୁ ଅନୁମତି ଦିଏନାହିଁ। ବର୍ତ୍ତମାନ ‘ୟୁନିକୋଡ୍’ମାନକ ବିଶ୍ୱବ୍ୟାପୀ ଗ୍ରହଣ / ବ୍ୟବହାର କରାଯାଇଛି। ଆଗାମୀ ପ୍ରକାଶନଗୁଡ଼ିକ ୟୁନିକୋଡ୍ ବ୍ୟବହାର ଦ୍ୱାରା ଡିଜିଟାଇଜେସନ କରି ଅନ୍ଲାଇନରେ ପ୍ରକାଶ କରିବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରି। ଫଳରେ ଶାସ୍ତ୍ରୀୟ ସାହିତ୍ୟ, ଅନ୍ୟାନ୍ୟ ଶାସ୍ତ୍ର, ଅଭିଧାନ, ଶବ୍ଦକୋଷ, ପତ୍ରିକା, ଗବେଷଣା ପତ୍ର ଏବଂ ପାଣ୍ଡୁଲିପି, ଉପଯୋଗୀ ଓଡ଼ିଆ ପୁସ୍ତକଗୁଡ଼ିକ ଅନ୍ଲାଇନରେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଉପଲବ୍ଧ ହୋଇପାରିବ। ଏହା କେବଳ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ ଦ୍ୱାରା ସହଜ ହେବ।
୨. ଓଡ଼ିଆ ପାଇଁ ଓସିଆର (ଅପ୍ଟିକାଲ୍ କ୍ୟାରେକ୍ଟର ରେକଗ୍ନିସନ୍) ସଫ୍ଟୱେର୍ ଏବଂ ମୂଲ୍ୟବାନ ବିଷୟବସ୍ତୁ ଡିଜିଟାଇଜେସନ୍ ପାଇଁ ଅତ୍ୟାଧୁନିକ ସ୍କାନର ଭଳି ପ୍ରଯୁକ୍ତିବିଦ୍ୟା ଉନ୍ନତିର ଅଭାବ ପରିଲକ୍ଷିତ ହୁଏ। ଆଉ ଏକ ସମସ୍ୟା ହେଉଛି, ତଥ୍ୟ ଗୋପନୀୟତା।
୩. ସଂରକ୍ଷଣ ପାଇଁ ବହୁତ ମେମୋରି ସ୍ଥାନ ଆବଶ୍ୟକ। କେବଳ ଚିତ୍ର ଆକାରରେ ପୁସ୍ତକଗୁଡ଼ିକୁ ସ୍କାନିଂ ଏବଂ ଅପଲୋଡ୍ କରିବା ବହୁତ ସାହାଯ୍ୟ କରିବ ନାହିଁ। ଏପରିକି ଡକ୍ୟୁମେଣ୍ଟଗୁଡ଼ିକୁ ଡାଉନ୍ଲୋଡ କରିବା ପାଇଁ ବହୁତ ସମୟ ଲାଗେ, ଯାହାକି ବ୍ୟବହାରକାରୀଙ୍କ ପାଇଁ ଏହା ନିରୁତ୍ସାହଜନକ କାରଣ ହୋଇପାରେ। ତେଣୁ ଓଡ଼ିଆ ଭାଷାର ବିକାଶ ତଥା ଆଧୁନିକ ଜୀବନର ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ଯୋଗ୍ୟତା ବୃଦ୍ଧି କରିବା ନିମିତ୍ତ ‘କୃତ୍ରିମ ବୁଦ୍ଧିମତ୍ତା’ (ଏଆଇ) ଏକମାତ୍ର ଉପାୟ।
୪. ତମ୍ବାପଟା, ତାଳପତ୍ର ପାଣ୍ଡୁଲିପି, ଶିଳାଲେଖ ପ୍ରଭୃତିର ଡକ୍ୟୁମେଣ୍ଟେସନ୍ (ସଂରକ୍ଷଣ) ହେଉଛି ଆମ ସମୃଦ୍ଧ ପୂର୍ବପୁରୁଷଙ୍କ ପ୍ରମାଣ। ପୁରୁଣା ସମୟରୁ ଓଡ଼ିଆ ଭାଷାରେ ବହୁ ସଂଖ୍ୟତ ମୁଦ୍ରିତ ପୁସ୍ତକ ଏବଂ ସାମଗ୍ରୀର ଉପଲବ୍ଧତା କ୍ରମଶଃ ହ୍ରାସ ପାଉଛି ଓ କ୍ଷତିଗ୍ରସ୍ତ ହେଉଛି। ଏହା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରୁନାହିଁ। ତେଣୁ ଏହି ସମ୍ବଳଗୁଡ଼ିକର ସଂରକ୍ଷଣ ହେଉଛି ଏହି ସମସ୍ୟାର ସମାଧାନ। ‘କୃତ୍ରିମ ବୁଦ୍ଧିମତ୍ତା’ର ଏଥିରେ ଉପଯୋଗ ହୋଇପାରିବ। ତେଣୁ ଏଆଇ ଆଧାରିତ ଓସିଆର ଉପକରଣଗୁଡ଼ିକର ଆବଶ୍ୟକତା ରହିଛି।
୫. ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (ଏନ୍ଏଲ୍ପି) ଓଡ଼ିଆ ଭାଷା ନିମିତ୍ତ ପ୍ରୟୋଗ କରାଯାଇଛି। ଯନ୍ତ୍ରାନୁବାଦ ପାଇଁ ନିୟମ ଆଧାରିତ ପଦ୍ଧତି (ରୁଣ୍ ବେସ୍ଡ୍ ମେସିନ୍ ଟ୍ରାନ୍ସଲେସନ), ନମୂନା ଆଧାରିତ ଯନ୍ତ୍ରାନୁବାଦ (ଏକ୍ଜାମ୍ପଲ୍ ବେସଡ୍ ମେସିନ୍ ଟ୍ରାନ୍ସଲେସନ୍), ପରିସଂଖ୍ୟାନ ଯାନ୍ତ୍ରିକ ଅନୁବାଦ (ଷ୍ଟାଟିଷ୍ଟିକାଲ୍ ମେସିନ୍ ଟ୍ରାନ୍ସଲେସନ୍) ପ୍ରଭୃତି ଅନୁସୃତ ହେଉଛି। କିନ୍ତୁ ମାନବକୃତ ଅନୁବାଦରେ ମନୁଷ୍ୟ ଯେପରି ବିଚାରବୁଦ୍ଧି ଅନୁସାରେ ମୂଳପାଠକୁ ତର୍ଜମାକରି ଲକ୍ଷ୍ୟପାଠରେ ପରିବର୍ତ୍ତନ କରିପାରେ, ଯନ୍ତ୍ରାନୁବାଦରେ ତାହା ସମ୍ଭବ ହୋଇପାରେନାହିଁ। କାରଣ ଶବ୍ଦତତ୍ତ୍ୱ (ଲେକ୍ସିକାଲ୍) ଓ ଅର୍ଥତତ୍ତ୍ୱ (ସେମାଟିକାଲ୍) ସ୍ତରରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବାରେ ଯନ୍ତ୍ରାନୁବାଦରେ ସେପରି ସଫଳତା ମିଳିନଥାଏ। କାରଣ ଯନ୍ତ୍ରାନୁବାଦରେ ଅନୁବାଦର ଗୁଣବତ୍ତା ସ୍ଥିର ଓ ସାମ୍ୟ ରହେ। ଏଥିନିମିତ୍ତ ତାଲିମପ୍ରାପ୍ତ ଏଆଇ (କୃତ୍ରିମ ବୁଦ୍ଧିମତ୍ତା ମଡେଲଗୁଡ଼ିକ ବ୍ୟବହାର କରାଯାଇପାରିବ। ଓଡ଼ିଆକୁ ବୁଝିବା ଏବଂ କହିବା ପାଇଁ ଭଏସ୍ ଆସିଷ୍ଟାଣ୍ଟ (ସ୍ୱର ସହାୟକ)ଗୁଡ଼ିକୁ ସକ୍ଷମ କରିବାକୁ ହେବ। ଏବେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ପଦ୍ଧତି ଉଦ୍ଭାବନ ପରେ ଭାଷା ବିଜ୍ଞାନୀମାନେ ଏହି ପଦ୍ଧତିରେ ପ୍ରାକୃତିକ ଭାଷାର ଯାନ୍ତ୍ରିକ ଅନୁବାଦ ଆରମ୍ଭକରି ସଫଳ ହୋଇଛନ୍ତି। ଓଡ଼ିଆ ଭାଷା ଓ ସାହିତ୍ୟରେ ଏଆଇ(କୃତ୍ରିମ ବୁଦ୍ଧିମତା) କିପରି କାର୍ଯ୍ୟକାରୀ ହୋଇପାରିବ ସେ ସଂପର୍କରେ ସଂକ୍ଷେପରେ କିଛି କୁହାଯାଇପାରେ। ଯଥା:
୬. ଓଡ଼ିଆ ପାଇଁ ‘କୃତ୍ରିମ ବୁଦ୍ଧିମତ୍ତା’ ଚାଳିତ ଲେଖା ସହାୟକ:
(କ) ଓଡ଼ିଆରେ ବ୍ୟାକରଣ ଏବଂ ବନାନ ସଂଶୋଧନ ପରାମର୍ଶ।
(ଖ) ଲେଖକମାନଙ୍କୁ ସେମାନଙ୍କର ଓଡ଼ିଆ ଲେଖା ଉନ୍ନତି କରିବାରେ ସାହାଯ୍ୟ।
(ଗ) ବିଭିନ୍ନ ଚିନ୍ତାଧାରା ପରାମର୍ଶ ଦେଇ ସର୍ଜନଶୀଳ ଲେଖା ପ୍ରକ୍ରିୟାରେ ସହାୟତା।
୭. ଓଡ଼ିଆରେ ଟେକ୍ସଟ-ଟୁ-ସ୍ପିଚ୍ (ଟିଟିଏସ୍) ଏବଂ ସ୍ପିଚ୍-ଟୁ-ଟେକ୍ସଟ(ଏସ୍ଟିଟି) କମ୍ପ୍ୟୁଟର ଦକ୍ଷତାନୁସାରେ ବକ୍ତବ୍ୟକୁ ଲିଖିତ ଭାଷାରେ ଏବଂ ଲିଖିତ ବିଷୟକୁ ବକ୍ତବ୍ୟ ସ୍ତରକୁ ଆଣିବାକୁ ହେଲେ ଅନେକ ନିୟମର ଅନୁପାଳନ କରାଯାଇଥାଏ। ଯେପରିକି ବ୍ୟାକରଣ ନିୟମ ଅନୁସାରେ ବାକ୍ୟ, ଶବ୍ଦ ଓ ଧ୍ୱନି ସମୂହକୁ ବିରାଜିତ କରି ଶବ୍ଦର ପ୍ରଯୁଜ୍ୟ ଅର୍ଥ ବ୍ୟାକରଣିକ ସଂଯୋଗ, ପାଠ ବିଭାଜନ, ଶବ୍ଦ ବିଭାଜନ ପ୍ରଭୃତି ବହୁତ କାର୍ଯ୍ୟ ସ୍ୱୟଂକ୍ରିୟ ଭାବରେ ସଂପାଦିତ ହୋଇଥାଏ। ଏହି ପ୍ରକ୍ରିୟାକୁ (ପ୍ରି ଆଡଜର୍ଣ୍ଣିଂ ଗ୍ରାମାର୍) ବା ‘ଟ୍ୟାଗ୍’ କୁହାଯାଏ। ତାହା ହେଉଛି ବାକ୍ୟର ବିଶେଷ୍ୟପଦ, କ୍ରିୟାପଦ, ବିଶେଷଣ, ଲିଙ୍ଗ, ବଚନ, କାରକ, ବିଭକ୍ତି, ଅବ୍ୟୟ ଓ ସର୍ବନାମ ପଦଗୁଡ଼ିକୁ କମ୍ପ୍ୟୁଟର ମାଧ୍ୟମରେ ବିଭାଜନ କରି ବକ୍ତବ୍ୟକୁ ପାଠରେ ପରିଣତ କରିବା ସମୟରେ ଏପରି ଆବଶ୍ୟକତା ଜରୁରି। ଏହି ପ୍ରକ୍ରିୟା ଏଆଇ ଦ୍ୱାରା ସମ୍ଭବ ହୁଏ। ତେଣୁ ଅଡିଓ ପୁସ୍ତକ ପାଇଁ ଓଡ଼ିଆ ପାଠ୍ୟକୁ ବକ୍ତବ୍ୟରେ ରୂପାନ୍ତର କରିବା, ଦୃଷ୍ଟିହୀନ ପାଠକମାନଙ୍କୁ ସାହିତ୍ୟ ଭାଷାରେ ପ୍ରବେଶ କରିବାରେ ସାହାଯ୍ୟ କରିବ।
୮. ସାହିତ୍ୟିକ ବିଶ୍ଲେଷଣ: ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଓଡ଼ିଆ ଭାଷା ସାହିତ୍ୟର ବିଷୟବସ୍ତୁ, ଐତିହାସିକ ଧାରା ଏବଂ ଶୈଳୀଗତ ଧାରା ଚିହ୍ନଟ କରିବା ପାଇଁ ସାହାଯ୍ୟ କରିବ। ଏହାସହିତ ଶିକ୍ଷାଗତ ଗବେଷଣା ସହ ତୁଳନାତ୍ମକ ସାହିତ୍ୟିକ ଅଧ୍ୟୟନରେ ମଧ୍ୟ ଭୂମିକା ନିର୍ବାହ କରିବ। କାରଣ ଏକ ଦଶନ୍ଧି ଧରି ଓଡ଼ିଆ ଉପନ୍ୟାସରେ ଗ୍ରାମୀଣ ବିଷୟବସ୍ତୁର ବିବର୍ତ୍ତନକୁ ବିଶ୍ଳେଷଣ କରୁଥିବା ଏକ ଏଆଇ ଉପକରଣ କାର୍ଯ୍ୟ କରୁଛି। କିନ୍ତୁ ମାନବ ସର୍ଜନଶୀଳତା ଏବଂ ବିଶେଷକତା ଭୂମିକା ସଂପର୍କରେ ବିତର୍କ ସୃଷ୍ଟି ହୋଇଥାଏ।
୯. ସାଂସ୍କୃତିକ ପୁନରୁଦ୍ଧାର ଏବଂ ଲୋକଗୀତ ସଂରକ୍ଷଣ: ବିଲୁପ୍ତ ପ୍ରାପ୍ତ ପ୍ରାୟ ୧୯୭ଟି ଭାଷାକୁ ୟୁନେସ୍କୋ ଦ୍ୱାରା ବିପଦପୂର୍ଣ୍ଣ ଭାଷା ବୋଲି ଘୋଷଣା କରାଯାଇଛି। ଭାଷାର କ୍ଷତି ସେତେବେଳେ ଘଟେ, ଯେତେବେଳେ ଭାଷାର ଆଉ କୌଣସି ସ୍ଥାନୀୟ ଭାଷାଭାଷୀ ନଥାଏ ଏବଂ ଏକ ‘ମୃତଭାଷା’ ହୋଇଯାଏ। ତେଣୁ ବିଲୁପ୍ତ ହେବାର ଆଶଙ୍କା ଥିବା ଉପଭାଷାରେ କୁହାଯାଇଥିବା ଲୋକଗଳ୍ପଗୁଡ଼ିକୁ ଲିପିବଦ୍ଧ ଏବଂ ଅନୁବାଦ କରି ଏଆଇ ଓଡ଼ିଶାର ମୌଖିକ ପରମ୍ପରା ଏବଂ ଆଦିବାସୀ ସାହିତ୍ୟକୁ ସଂରକ୍ଷଣ କରିବାରେ ଏକ ଭୂମିକା ଗ୍ରହଣ କରିପାରିବ। ଲେଖକ, ପାଠକ ଏବଂ ବିଦ୍ୱାନମାନଙ୍କୁ ସମର୍ଥନ କରିବା ସହିତ ମାନବ ଭାବନାର ଗଭୀରତାକୁ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବ।
ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ର ସମ୍ଭାବନା ବିପୁଳ ତଥା ଉଜ୍ଜ୍ୱଳ। କିନ୍ତୁ ଏଥିନିମିତ୍ତ ଆମ ନିକଟରେ ଅନେକ ସମସ୍ୟା ମଧ୍ୟ ଦେଖାଦେଇଛି। ସେଗୁଡ଼ିକର ସମାଧାନ ମଧ୍ୟ କରିବାକୁ ପଡ଼ିବ। ଯେପରିକି ଏଆଇ ମଡେଲଗୁଡ଼ିକୁ ତାଲିମ ଦେବା ପାଇଁ ବୈଷୟିକ ପ୍ରତିବନ୍ଧକ, ପ୍ରଯୁକ୍ତିବିଜ୍ଞାନୀ, ଭାଷାବିତ୍, ଓଡ଼ିଆ ସାହିତ୍ୟିକ, ବିଦ୍ୱାନ ଏବଂ ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରେ ସହଯୋଗର ଅଭାବ, ସାଂସ୍କୃତିକ କ୍ଷେତ୍ରରେ ଜନସଚେତନତା ଏବଂ କୃତ୍ରିମ ବୁଦ୍ଧିମତ୍ତା ଉପକରଣଗୁଡ଼ିକର ଗ୍ରହଣୀୟତା ଅଟେ। ଏ ସମସ୍ତ ସତ୍ତ୍ୱେ ବିଶ୍ୱବିଦ୍ୟାଳୟ, ବିଭିନ୍ନ ବୈଷୟିକ କମ୍ପାନୀ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସହଯୋଗ ରହିଲେ ଆମେ ଏ ଦିଗରେ ଯଥେଷ୍ଟ ଆଗକୁ ଅଗ୍ରସର ହୋଇପାରିବା। ଜାତୀୟ ଭାଷା ଅନୁବାଦ ମିଶନ (ଏନଏଲ୍ଟିଏମ୍) ପରି ଅନୁଷ୍ଠାନର ସରକାରୀ ସମର୍ଥନ ଜରୁରି। ବିଭିନ୍ନ ଶିକ୍ଷଣ ଆପ୍ସରେ ଓଡ଼ିଆକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହିତ ସହଯୋଗ ଏକାନ୍ତ ଆବଶ୍ୟକ। ଉପଯୁକ୍ତ ସମର୍ଥନ ଏବଂ ସକାରାତ୍ମକ ଦୃଷ୍ଟିକୋଣ ସହିତ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଓଡ଼ିଆ ଭାଷା ସାହିତ୍ୟକୁ ପ୍ରକୃତରେ ଯୋଗ୍ୟ ବିଶ୍ୱସ୍ତରୀୟ ସ୍ୱୀକୃତି ଦେବାରେ ଏକ ଶକ୍ତିଶାଳୀ ସହଯୋଗୀ ହୋଇପାରିବ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ।)