ଭାଷାର ପାଳକ ଆଜି ସ୍ୱୟଂ ଭକ୍ଷକ।

ଉତ୍କଳଗାଥାରେ ମଧୁସୂଦନ ପଦିଏ ଲେଖିଥିଲେ;
“ସକଳ ଲାଞ୍ଚନା ଲାଜ; ଅନୃତ ଅହନ୍ତା ବ୍ୟାଜ।”
ସାହିତ୍ୟର ମୂଳାଧାର ହେଉଛି; ସତ୍ୟ, ସୌନ୍ଦର୍ଯ୍ୟ ଓ ମାନବତାର ପୂଜା। ହେଲେ ଆଜି ଓଡ଼ିଆ ସାହିତ୍ୟ ଏହି ଅବବୋଧରୁ ବିଚ୍ୟୁତ। ପ୍ରାୟାଧିକ ସାହିତ୍ୟିକ ଓ ସାହିତ୍ୟର ପୃଷ୍ଠପୋଷକଙ୍କ ମନୋଭାବରେ ଈର୍ଷା, ଦ୍ୱେଷ, ଅହଂବୋଧ ଓ ପ୍ରତିଷ୍ଠା ପିପାସା ହେଉଛି ପ୍ରମୁଖ ଆଧାର।
ଆଜିର ଅଧିକାଂଶ ସାହିତ୍ୟିକଙ୍କ ପାଇଁ ସାହିତ୍ୟ ଏକ ସୃଷ୍ଟିସ୍ୱରର ମାଧ୍ୟମ ନୁହଁ, ବରଂଚ ସମ୍ମାନ ଓ ପଦକ ପାଇବାର ଏକ ସିଢ଼ି। ଏଣୁ ଅନ୍ୟ ରଚୟିତାଙ୍କ କେବଳ ଚିନ୍ତାଧାରା ନୁହେଁ ବରଂଚ ସିଧା ଲେଖାକୁ ସ୍ୱନାମରେ ପ୍ରଚାର କରିବା ଏକ ସର୍ଜନାର ଆଧାରଶିଳା ହେଉଛି। ସାହିତ୍ୟରେ ଶବ୍ଦଚୌର୍ଯ୍ୟ ଏବେ ଏକ ଦକ୍ଷ କଳା। ପ୍ରାୟ ସମସ୍ତ ସାହିତ୍ୟ ସଙ୍ଗଠନ ରାଜନୈତିକ ଦଳର କାର୍ଯ୍ୟାଳୟ ପ୍ରାୟେକ; ପଦ, ପ୍ରଭାବ, ପକ୍ଷ ଓ ବିପକ୍ଷର ଏକ କର୍ମଭୂମି ପାଲଟି ଯାଇଛି। ଆଜିକାଲି ସାହିତ୍ୟମଞ୍ଚରେ ଅନେକ ସମ୍ମାନିତ ସାହିତ୍ୟିକ ସାହିତ୍ୟର ଭବିଷ୍ୟତ ପାଇଁ ଚିନ୍ତା ବ୍ୟକ୍ତ କରି ଆସୁଥିଲେ ହେଁ ପରୋକ୍ଷରେ ଯୋଗ୍ୟ ସାହିତ୍ୟିକଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଦେବା ବଦଳରେ ଆପଣା ପୁରସ୍କାର ନିମନ୍ତେ ରାଜ୍ୟ ଓ ଦେଶର ରାଜଧାନୀରେ ପ୍ରଭାବଶାଳୀ ଗୋଷ୍ଠୀଙ୍କର ପଦଲେହନରେ ବ୍ୟସ୍ତ ରହୁଛନ୍ତି।
ସମ୍ମାନ ଓ ପୁରସ୍କାରର ପଶାପାଲିରେ ଆଜି ସତ୍ୟର ପାଣ୍ଡବ ଆଉ ଅନୃତ କୌରବଙ୍କ ମେଳରେ ସାହିତ୍ୟ କୃଷ୍ଣାଙ୍କର ହିଁ ମର୍ଯ୍ୟାଦାହାନି ହେଉଛି ସାହିତ୍ୟ ମଞ୍ଚରେ। ସାହିତ୍ୟିକଙ୍କ ନାଟକୀୟତା, ସାହିତ୍ୟରେ ସତ୍ୟହାନି, ପାଠକଙ୍କ ଆସ୍ଥାହାନି, ସୃଜନଶୀଳତାର ଅଭାବରେ ଆଜି ସାହିତ୍ୟ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏବେକାର ଭାଷାର ପାଳକ ଆଜି ସ୍ୱୟଂ ଭକ୍ଷକ, ନୂଆପିଢ଼ିର କବିଙ୍କ ରଚନାରେ ପୂର୍ବଲିଖିତ ରଚନାର ଛାୟା, ଆଦର୍ଶ ସାହିତ୍ୟିକ ଭାବେ ସମ୍ମାନିତ ପ୍ରତିନିଧି ଏବେ ମଞ୍ଚ ପଛର ଖଳନାୟକ। କହିବା କାହାକୁ!
ଆଜିର ଏଇ ଅନ୍ଧତାମିସ୍ର ଆଡ଼କୁ ଯାଉଥିବା ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ପାଇଁ ଆବଶ୍ୟକ ରହିଛି ଋଷିଆର ଆଲେକ୍ଜାଣ୍ଡାର ସୋଲ୍ଜେନିତ୍ସିନ୍ଙ୍କ ଭଳି ନିର୍ଭୀକ ରଚୟିତା, ଜର୍ଜ୍ ଓରୱେଲ୍ଙ୍କ “ଆନିମାଲ୍ ଫାର୍ମ୍” ପ୍ରାୟେକ ସମାଜରେ ଏକ ନବଜାଗରଣ ସୃଷ୍ଟି କରିପାରୁଥିବା ପୁସ୍ତକ, ଫ୍ରାନ୍ସର ଆଉଲିପୋ ଭଳି ଏକ ସୃଜନଶୀଳ ଗୋଷ୍ଠୀ, ସାହିତ୍ୟ ସର୍ଜନାରେ ନୂତନତା ଓ ସାମୁଦାୟିକତା ଆଣି ପାରୁଥିବା, ଲାଟିନ୍ ଆମେରିକା ବୁମ୍।
ସାହିତ୍ୟସାଧକଗଣ ଯେତେବେଳେ ସତ୍ୟ, ସୃଜନଶୀଳତା ଓ ମାନବତା ଭୁଲିଯା’ନ୍ତି ସେତେବେଳେ ସାହିତ୍ୟର ଅବସ୍ଥା ସଙ୍କଟାପନ୍ନ ହୁଏ। ଏଣୁ ବୁଝାଇ କହିବି ସମସ୍ତ ସାହିତ୍ୟପ୍ରେମୀଙ୍କୁ; ଆଜି ଆବଶ୍ୟକ ରହିଛି –
ଶବ୍ଦଚୌର୍ଯ୍ୟ ବିରୋଧୀ କଠୋର ନୀତି, ନିର୍ଭୀକ ସମୀକ୍ଷା, ନୂତନ ସାହିତ୍ୟିକଙ୍କ ପାଇଁ ସୃଜନଶୀଳ ପରିବେଶ, ବିଶ୍ୱ ସାହିତ୍ୟ ଆଡ଼କୁ ମୁହାଁଇବା ଆଗରୁ ଆପଣା ସାହିତ୍ୟରୁ ଶିକ୍ଷା ଏବଂ ସର୍ବୋପରି ସତ୍ୟ, ସୃଜନଶୀଳତା ଓ ମାନବତାର ପୁନରୁତ୍ଥାନ।
ସମସ୍ତ ସାହିତ୍ୟିକଙ୍କୁ ମନେ ରଖିବାକୁ ହେବ ଯେ,
“କଲମ ହେଉଛି ସମାଜ ଓ ମାନବତାର ଦର୍ପଣ; ରାଜନୀତିର କୃପାଣ ନୁହେଁ ।”
ସାହିତ୍ୟକୁ ସାମ୍ପ୍ରତିକ ସମାଜର ପ୍ରତିଫଳନ ତଥା ଭବିଷ୍ୟଗାମୀ ଯୁଗ ସହ ତାଳଦେଇ ଚାଲୁଥିବା ଚେତନାର ରଥଟିଏ କରିବାକୁ ହେବ। ଏଣୁ, ଆମର ସାହିତ୍ୟିକଗଣ ଯଦି ଏବେଠୁଁ ନ ଚେତିବେ ତେବେ ଆଗାମୀ ପିଢ଼ିଙ୍କ ପାଇଁ ସେମାନେ କି ସାହିତ୍ୟ ଲେଖି ରଖିବେ!
*ସତ୍ୟାନୃତ – ସତ୍ୟ ଓ ମିଥ୍ୟା ମିଶ୍ରିତ ।
– ପ୍ରଭୂ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ପ୍ରଶାନ୍ତ ଭୂୟାଁ। ମହାଶୟ ଯାହା ଲେଖିଛନ୍ତି ଠିକ୍ ଲେଖିଛନ୍ତି ଏଥିରେ ଦ୍ୟୁରୁକ୍ତି ନାହିଁ।ଆଜିକାଲି ସତ କହିଲେ କେତେକ ସାହିତ୍ୟିକଙ୍କ ମନରେ ଯେଉଁ ଭୂତ ପଶିଛି ତାହା ସମସ୍ତେ ଜାଣି ମଧ୍ୟ ଅଜଣା ଯାହାକି ଲେଖକ ପ୍ରଶାନ୍ତ ବାବୁ ନିର୍ଭୀକ ଭାବରେ ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଶାନ୍ତ ବାବୁଙ୍କୁ ଅନେକ ଅନେକ ଧନ୍ୟବାଦ।