ବର୍ଷୀୟାନ୍ କଥାକାର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କ ସହ ସାରସ୍ୱତ ଆଳାପ

ମୁଁ ଆଜିକାଲି ସାହିତ୍ୟସଭାଗୁଡ଼ିକରୁ ଉଦ୍ଦେଶ୍ୟମୂଳକ ଭାବରେ ଦୂରେଇ ରହୁଛି।

ଓଡ଼ିଆ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ସମାଲୋଚନା ସାହିତ୍ୟକୁ ୭୭ ବର୍ଷ ବୟସ୍କା ସୁଲେଖିକା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ ବହୁକାଳ ଧରି ବିଭିନ୍ନ ସରକାରୀ କଲେଜରେ ପ୍ରାଧ୍ୟାପିକା ଭାବରେ କାର୍ଯ୍ୟ କରିବା ପରେ ପୁରୀସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଭାବରେ ରହି ୨୦୦୬ ମସିହାରେ ଅବସର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ପୁରୀଠାରେ ତା’ଙ୍କୁ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ ଆପଣ ମାତ୍ର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଆପଣଙ୍କର ପ୍ରକାଶିତ ହୋଇଥିବା ଗୋଟିଏ କବିତା ପଢ଼ି ଡ. ହରେକୃଷ୍ଣ ମହତାବ ଏତେ ମୁଗ୍‌ଧ ହୋଇଗଲେ ଯେ ସେ ଆପଣଙ୍କ ପାଖକୁ ଗୋଟିଏ ହାତଲେଖା ଚିଠି ପଠାଇଥିଲେ। କ’ଣ ଥିଲା ସେ କବିତାଟି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ‘ଟିକି ଚଢ଼େଇ’।
ସାହିତ୍ୟ ଚର୍ଚ୍ଚା: ଏହି ‘ଟିକି ଚଢ଼େଇ’ କବିତାଟିର ବିଶେଷତ୍ୱ କ’ଣ ଥିଲା? ଅର୍ଥାତ୍ ସେଥିରେ ଏମିତି କ’ଣ ଥିଲା ଯେ ତାହା ଡ. ମହତାବଙ୍କର ମନକୁ ଛୁଇଁଗଲା!
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: କଥା ହେଲା, ଥରେ ମୁଁ ଗୋଟିଏ କୋଣରେ ବସିଥିଲି। ଦେଖିଲି, ଛୋଟିଆ ଚଢ଼େଇଟିଏ। ସେ ବାରମ୍ବାର ଆସୁଥାଏ; ପାଣି ଟିକିଏ ପିଉଥାଏ; ତା’ର ପର ଝାଡ଼ିଦେଉଥାଏ। ଛୋଟ ଥଣ୍ଟରେ କାଠିକୁଟା ନେଇ ବସାଟିଏ ଗଢ଼ୁଥାଏ। ମୁଁ ମନେ ମନେ ଭାବିଲି ଯେ ଏତେ ଛୋଟ ଚଢ଼େଇଟିଏ ତା’ ନିଜର ଘର ତିଆରି କରୁଛି; ତା’ ନିଜ କାମରେ ସିଏ ଲାଗିଛି। ତାହା ଭାବାବେଗର ସହିତ ବର୍ଣ୍ଣନା କଲି କବିତାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ସେତେବେଳେ ତ ପଢ଼ୁଥିଲେ ପଞ୍ଚମ ଶ୍ରେଣୀରେ, ଅର୍ଥାତ୍ ଆପଣଙ୍କୁ ମାତ୍ର ଦଶ ବର୍ଷ ବୟସ ହୋଇଥିବ। ଏତେ କମ୍ ବୟସରେ ବି ତେବେ ଆପଣଙ୍କର ଏଭଳି କବିସୁଲଭ ଅନୁଧ୍ୟାନର ଶକ୍ତି ଥିଲା!
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଯେତେବେଳେ ଆମ ସ୍କୁଲ୍‌ର ମାଗାଜିନ୍ ପାଇଁ ଲେଖା ମଗାଗଲା, ସେମାନଙ୍କୁ ଏହି କବିତାଟି ଦେଲି। କିନ୍ତୁ ସ୍କୁଲ୍‌ର ସାର୍‌, ଯିଏ ସେହି ମାଗାଜିନ୍‌ର ଏଡ଼ିଟର୍ ଥିଲେ, ତାହାକୁ ଛାପିଲେ ନାହିଁ। ମୋ’ ମନରେ ବହୁତ ଦୁଃଖ ହେଲା; ଛୋଟ ପିଲା ଥିଲି, କାନ୍ଦିଲି। କିନ୍ତୁ ପରେ ସେଇଟିକୁ ପଠାଇଦେଲି ‘ପ୍ରଜାତନ୍ତ୍ର’କୁ। ତାହାର ‘ଶିଶୁରାଇଜ’ ପୃଷ୍ଠାରେ କବିତାଟି ବାହାରିଲା।
ସାହିତ୍ୟ ଚର୍ଚ୍ଚା: ତେବେ ଡ. ମହତାବ ବୋଧହୁଏ ‘ପ୍ରଜାତନ୍ତ୍ର’ର ପୃଷ୍ଠାରୁ ସେଇଟି ପଢ଼ିଥିଲେ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ହଁ, ସେଇଠାରୁ ପଢ଼ି ସେ ଚିଠି ଦେଲେ। ତା’ପରେ ପ୍ରତି ବର୍ଷ ବିଷୁବ ମିଳନକୁ ମଧ୍ୟ ଡାକନ୍ତି।
ସାହିତ୍ୟ ଚର୍ଚ୍ଚା: ସାରସ୍ୱତ ପ୍ରତିଭା ଖୁବ୍ କମ୍ ବୟସରେ ଆପଣଙ୍କୁ କବଳିତ କରିଥିଲା; କାରଣ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଆପଣ ନିଜର ପ୍ରଥମ ଉପନ୍ୟାସ, ‘ପ୍ରଥମ ରାଗିଣୀ ଶେଷ ଛନ୍ଦ’ ମଧ୍ୟ ଲେଖିପକାଇଥିଲେ। କ’ଣ ଥିଲା ଏହା ପଛର ପ୍ରେରଣା?

ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ସେଇ ବୟସରେ ଅନେକ ରୋମାଣ୍ଟିକ୍ ଚେତନା ମନରେ ଭର୍ତ୍ତି ହୁଏ। ଭାବିଲି, ଗଳ୍ପ ତ ଲେଖିଛି, ଏବେ ଉପନ୍ୟାସ ଲେଖାଯାଉ।
ସାହିତ୍ୟ ଚର୍ଚ୍ଚା: ଉପନ୍ୟାସଟିରେ କ’ଣ ଘଟିଛି ପ୍ରକୃତରେ?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ପିଲାଦିନେ ମୋତେ ସ୍କୁଲ୍‌କୁ ଯିବାପାଇଁ ବିରୂପା ନଈ ଅତିକ୍ରମ କରି ବହୁତ ବାଟ ପାଦରେ ଚାଲିକରି ଯିବାକୁ ପଡ଼େ। ମୁଁ ସ୍କୁଲ୍ ଯିବା ସମୟକୁ ବାଟରେ ଦେଖେ, ଧଳା ଶାଢ଼ିଟିଏ ପିନ୍ଧି ଅଳ୍ପ ବୟସର ବିଧବା ଝିଅଟିଏ ଏକୁଟିଆ ହୋଇ ଗୋଧୋଉଥାଏ। ଯେଉଁଠାରେ ଅନ୍ୟ ସ୍ତ୍ରୀଲୋକମାନେ ଗାଧୋଉଥିବେ ସେଠାରେ ବି ସେ ଗାଧାଏନି।
ସାହିତ୍ୟ ଚର୍ଚ୍ଚା: ତେବେ ସେଇ ଅଳ୍ପ ବୟସର ବିଧବା ଝିଅଟି ହିଁ କ’ଣ ହୋଇଗଲା ଆପଣଙ୍କ ଉପନ୍ୟାସର ମୁଖ୍ୟ ଚରିତ୍ର?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ହଁ, ସିଏ ହିଁ।
ସାହିତ୍ୟ ଚର୍ଚ୍ଚା: ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେହି ବିଧବା ଝିଅଟିର ବ୍ୟଥା ଆପଣଙ୍କ ମନକୁ ଛୁଇଁଛି, ଏବଂ ଆପଣ ତାହାକୁ ନେଇ ଗୋଟିଏ ଉପନ୍ୟାସ ଲେଖିବା ପାଇଁ ଯେ ସମର୍ଥ ହୋଇଛନ୍ତି, ଏହା ବଡ଼ କଥା। ଆମେ ଅନୁମାନ କରୁଛୁ ଯେ ସେ ବୟସରେ ଆପଣ ପ୍ରଚୁର ଗଳ୍ପ ଓ ଉପନ୍ୟାସ ମଧ୍ୟ ପଢ଼ୁଥିବେ। କାରଣ ବହୁତ ନ ପଢ଼ିଲେ ନିଜେ ଏମିତି ଲେଖିବା ପାଇଁ ଆତ୍ମବିଶ୍ୱାସ ଆସେନାହିଁ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ହଁ, ବହି ମୁଁ ପ୍ରଚୁର ପଢ଼ୁଥିଲି, କିନ୍ତୁ ଲୁଚେଇକରି।
ସାହିତ୍ୟ ଚର୍ଚ୍ଚା: ସାହିତ୍ୟ ଜଗତର ଗୋଟିଏ ଅଭିଯୋଗ ଅଛି ଆପଣଙ୍କ ପ୍ରତି। ଏହା ହେଲା ଯେ, ଆପଣ ସଦା ନିଜ ଭିତରେ ଆବଦ୍ଧହୋଇ ରହନ୍ତି ଏବଂ କୌଣସି ସାହିତ୍ୟସଭାକୁ ଯାଆନ୍ତି ନାହିଁ କି ସାହିତ୍ୟ-ସଂଗଠନରେ ଯୋଗ ଦିଅନ୍ତି ନାହିଁ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଆଗରୁ ଯାଉଥିଲି; ଯେତେବେଳେ ରାଜକିଶୋର ରାୟ ବଞ୍ଚିଥିଲେ। ‘ଶନିବାର ସାହିତ୍ୟ ସନ୍ଧ୍ୟା’କୁ ମଧ୍ୟ କେବେ କେମିତି ଯାଉଥିଲି।
ସାହିତ୍ୟ ଚର୍ଚ୍ଚା: ପୂର୍ବେ ପୁରୀରେ ଥିବାବେଳେ ଆମେ ମଧ୍ୟ ‘ଶନିବାର ସାହିତ୍ୟ ସନ୍ଧ୍ୟା’କୁ ବହୁଥର ଯାଇଛୁ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ସେତେବେଳେ ତ ପୁରୀରେ ଏହାକୁ ଛାଡ଼ି ଆଜି ଭଳି ଏତେଗୁଡ଼ିଏ ସାହିତ୍ୟ ଅନୁଷ୍ଠାନ ନ ଥିଲା! ତାହାପରେ ଅବଶ୍ୟ ସାହିତ୍ୟସଭା ଓ ସଂଗଠନର ମାତ୍ରା ବହୁତ ବଢ଼ିଗଲା।
ସାହିତ୍ୟ ଚର୍ଚ୍ଚା: ପରେ ଯାହା ବଢ଼ିଗଲା, ତାହାକୁ ‘ସାହିତ୍ୟ-ରାଜନୀତିଟା ବଢ଼ିଗଲା’ ବୋଲି କହିଲେ ବୋଧହୁଏ ଅଧିକ ଠିକ୍ ହେବ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ହଁ, ସାହିତ୍ୟ-ରାଜନୀତି।
ସାହିତ୍ୟ ଚର୍ଚ୍ଚା: ଆପଣ ଯେ ଏସବୁଠାରୁ ଦୂରେଇ ରହିଛନ୍ତି। ଏହା ଉଦ୍ଦେଶ୍ୟମୂଳକ, ନା ଏହା ଆପଣଙ୍କ ସ୍ୱଭାବଗତ?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ମୁଁ ଉଦ୍ଦେଶ୍ୟମୂଳକ ଭାବରେ ଦୂରେଇ ରହୁଛି। ମୋତେ ଥରେ ଜଣେ ଲେଖିକା କହିଲେ, ଆପଣ ନିଜର ସମୟ କେମିତି କାଟୁଛନ୍ତି? ମୁଁ କହିଲି ଯେ ସମୟ କାଟିବା ମୋ’ ପାଇଁ ଏକ ସମସ୍ୟା ନୁହେଁ। ମୁଁ ସମୟର ସଦୁପଯୋଗ କରେ; ମୋତେ ତ ସମୟ ଅଣ୍ଟେନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଏ ବୟସରେ ବି ରଚନାପ୍ରବଣ ଅଛନ୍ତି। ଯଦି ଆପଣଙ୍କ ଲେଖାରେ କେବେ ବିରାମ ରହିବ ନାହିଁ, ତେବେ ସମୟ ନ ଅଣ୍ଟିବା ସ୍ୱାଭାବିକ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ମୋତେ ସେହି ଲେଖିକା ମଧ୍ୟ କହିଲେ ଯେ, ଆପଣ ସଭାସମିତିକୁ ଆସିଲେ ସିନା ସମସ୍ତଙ୍କ ସହିତ ଚିହ୍ନା-ପରିଚୟ ହୁଅନ୍ତା! ମୁଁ ତା’ଙ୍କୁ ପଚାରିଲି, କ’ଣ ହେଉଛି ସେ ସାହିତ୍ୟସଭାରେ, କେବଳ ଆତ୍ମବିଜ୍ଞାପନ ଛଡ଼ା? ମୁଁ ତ ଭାବେ ଯେ ସେଠାକୁ ଯିବା ଅପେକ୍ଷା ବରଂ ଘରେ ବସି ସେହି ସମୟରେ କିଛି ନୂଆ ସାହିତ୍ୟ ସୃଷ୍ଟିକରିବା ଭଲ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରକାଶିତ ବହିଗୁଡ଼ିକର ତାଲିକା ଦେଖିଲେ ଜଣାଯାଏ ଯେ ସେଥିମଧ୍ୟରେ ଉପନ୍ୟାସର ସଂଖ୍ୟା ସର୍ବାଧିକ। ଅବଶ୍ୟ ଆପଣଙ୍କ ଗଳ୍ପ ସଂକଳନର ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ତେବେ ଆପଣ କ’ଣ ଭାବନ୍ତି ଯେ ଓଡ଼ିଆ ସାହିତ୍ୟରେ ଉପନ୍ୟାସର ଯୁଗ ବର୍ତ୍ତମାନ ଶେଷ ହୋଇଆସୁଛି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଉପନ୍ୟାସର ଯୁଗ ଶେଷ ହୋଇନାହିଁ; କିନ୍ତୁ ଲୋକେ ଉପନ୍ୟାସ ଲେଖୁନାହାନ୍ତି।
ସାହିତ୍ୟ ଚର୍ଚ୍ଚା: ପଢ଼ୁନାହାନ୍ତି ମଧ୍ୟ?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ପଢ଼ୁନାହାନ୍ତି ବୋଲି ଯେ ଲେଖୁନାହାନ୍ତି, ଏକଥା ବୋଧହୁଏ ଆପଣ କହିବାକୁ ଚାହାନ୍ତି। ତେବେ ମୋ’ ବହି ଲୋକେ ପଢ଼ୁଛନ୍ତି କେମିତି! ମୋ’ର ଯେ କେତେକ ଉପନ୍ୟାସର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ବାହାରିଛି, ତାହା ହେଉଛି କେମିତି!
ସାହିତ୍ୟ ଚର୍ଚ୍ଚା: ତା’ହେଲେ ଆପଣ ବୋଧହୁଏ ସ୍ୱୀକାର କରନ୍ତିନାହିଁ ଯେ ଉପନ୍ୟାସର ପାଠକୀୟତା ଧିମେଇଯାଉଛି!
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଯଦି ଜଣେ ବି ପାଠକ ଥାଏ, ତେବେ ବି ମୋ’ ସାହିତ୍ୟ ବଞ୍ଚିବ। ମୁଁ ଏଥିରେ ବିଶ୍ୱାସ କରେ।

ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଅଧିକାଂଶ ଉପନ୍ୟାସ ମିଥ୍ ଉପରେ ଆଧାରିତ। ଆପଣ ‘ଅମ୍ବା’ ନାମକ ଯେଉଁ ଉପନ୍ୟାସଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି, ସେଥିରେ ବ୍ୟାସକୃତ ମହାଭାରତରେ ଥିବା ଅମ୍ବା ଚରିତ୍ରଟିକୁ ସମକାଳୀନ ସ୍ଥିତିର ପରିପ୍ରେକ୍ଷୀରେ ଆଧୁନିକୀକରଣ କରିବା ପାଇଁ କିଛି ପ୍ରୟାସ ଅଛି କି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ସେକାଳର ମୂଳ ମାନବୀୟ ମୂଲ୍ୟବୋଧ ଓ ସମ୍ବେଦନା ଆଜି ତ ସେହିପରି ଅଛି; ନାରୀ ପାଇଁ କିଛି ବଦଳି ନାହିଁ। ସେ ଯେମିତି ନିର୍ଯାତିତା ହେଉଥିଲା, ଏବେ ସେମିତି ହେଉଛି। ଅବଶ୍ୟ ମୁଁ ମୋର ପୌରାଣିକ ଉପନ୍ୟାସଗୁଡ଼ିକୁ ସମସାମୟିକ ବସ୍ତୁସ୍ଥିତିର ଅନୁକୂଳ କରିଛି, ତଥାପି ମୂଳ ଅନ୍ତଃସ୍ୱରଟି ସେଇଆ ରହିଛି।
ସାହିତ୍ୟ ଚର୍ଚ୍ଚା: ପୌରାଣିକ ଉପନ୍ୟାସକୁ ଛାଡ଼ି, ଆପଣଙ୍କର ସାମାଜିକ ଉପନ୍ୟାସଗୁଡ଼ିକର ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ବିଶେଷତଃ ଏବେ କିଛି ବର୍ଷ ହେଲା ଆପଣ ଲେଖୁଥିବା ନୂଆ ଉପନ୍ୟାସଗୁଡ଼ିକ ଏକ ସାମାଜିକ ମୋଡ଼ ନେବାର ଦେଖାଯାଏ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ମୋର ‘ଜଳଭଉଁରୀ’ ଉପନ୍ୟାସ ସେହି ପର୍ଯ୍ୟାୟର। ଏବର ସମାଜରେ ଏତେ ଚରିତ୍ର, ଏତେ ବିଷୟବସ୍ତୁ ଘେରିକରି ରହିଛି ଯେ ମୁଁ ତାହାକୁ ବ୍ୟାଖ୍ୟା କରିବା ଏକ କର୍ତ୍ତବ୍ୟ ବୋଲି ଅନୁଭବ କରୁଛି।
ସାହିତ୍ୟ ଚର୍ଚ୍ଚା: ଏଥର ଆପଣଙ୍କର ଗଳ୍ପ-ସାହିତ୍ୟକୁ ଆସିବା। ଆପଣ ତ ମୁଖ୍ୟତଃ ଜଣେ ଔପନ୍ୟାସିକା; ତଥାପି ଆପଣଙ୍କ ଦ୍ୱାରା ରଚିତ ଗଳ୍ପର ସଂଖ୍ୟା ମଧ୍ୟ କିଛି କମ୍ ନୁହଁ। ନିଜର ଗଳ୍ପ ଆଉ ଉପନ୍ୟାସ, ଏ ଦୁଇଟି ଭିତରୁ କେଉଁଥିରେ ଆପଣ ଅଧିକ ଆତ୍ମସନ୍ତୁଷ୍ଟି ପାଇଛନ୍ତି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଏମିତି କହିବାକୁଗଲେ, ମୁଁ ଉପନ୍ୟାସରେ ଅଧିକ ସନ୍ତୁଷ୍ଟି ପାଇଛି। ତଥାପି ମୋ’ର ‘ଗଳ୍ପ ସମଗ୍ର’ରେ ଅଛି ୧୦୭ଟି ଗଳ୍ପ। ଏହାଛଡ଼ା ୧୨ଟି ଗଳ୍ପ ସଂକଳନ ବି ଅଛି। ଗଳ୍ପଟା କ’ଣ? ଗୋଟିଏ ମୁହୂର୍ତ୍ତର କଥା।
ସାହିତ୍ୟ ଚର୍ଚ୍ଚା: ଉପନ୍ୟାସ ତା’ହେଲେ ଗୋଟିଏ ପରିବ୍ୟାପ୍ତ ଜୀବନର କଥା!
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ହଁ, ଏକ ଜୀବନର କଥା, ଯାହା ପରିବ୍ୟାପ୍ତ ହୋଇଥାଏ।
ସାହିତ୍ୟ ଚର୍ଚ୍ଚା: ଆଜିକାଲି କାହିଁକି ପାଠକମାନଙ୍କର ଧୈର୍ଯ୍ୟ କମିଯାଉଛି, ସେଇ ବ୍ୟାପ୍ତିର କଥା ପଢ଼ିବାପାଇଁ?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଯାହା ଘଟିଥିଲା ଇଂରାଜୀ ସାହିତ୍ୟରେ। ଶିଳ୍ପ ବିପ୍ଳବ ବେଳେ ଉପନ୍ୟାସ ପାଇଁ ଆଗ୍ରହ କମିଗଲା। ଲୋକଙ୍କ ପାଖରେ ସମୟ କାହିଁ ପଢ଼ିବାକୁ?
ସାହିତ୍ୟ ଚର୍ଚ୍ଚା: ଆପଣ ବହୁବର୍ଷ ତଳେ ଥରେ ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ ଫକୀରମୋହନ ହେଉଛନ୍ତି ଆପଣଙ୍କ ଲେଖକୀୟ ଜୀବନର ପ୍ରେରଣା। ତେବେ ତାଙ୍କର ରଚନାଶୈଳୀର କେଉଁ ଦିଗଟି ଆପଣ ନିଜ ସୃଷ୍ଟିରେ ପ୍ରତିଫଳିତ କରିଛନ୍ତି ବୋଲି ନିଜେ ଭାବନ୍ତି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ତାଙ୍କର ସାମାଜିକ ବାସ୍ତବବାଦ।
ସାହିତ୍ୟ ଚର୍ଚ୍ଚା: ଏହି ଯେଉଁ ବାସ୍ତବବାଦୀ ଧାରାଟା ବୋଧହୁଏ ପୌରାଣିକ ଉପନ୍ୟାସ ଅପେକ୍ଷା ଆପଣଙ୍କ ସାମାଜିକ ଉପନ୍ୟାସରେ ଅଧିକ ମାତ୍ରାରେ ଆସିଛି।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ମୋ’ ପୌରାଣିକ ଉପନ୍ୟାସର ଅନ୍ତଃସ୍ୱର ଅଲଗା। ଶୈଳୀ ବି।
ସାହିତ୍ୟ ଚର୍ଚ୍ଚା: ପି.ଏଚ୍‌.ଡିରେ ତ ଆପଣ ଗବେଷଣାର ଏକ ବିଷୟ ଭାବରେ ଫକୀରମୋହନଙ୍କୁ ଅଧ୍ୟୟନ କରିଥିଲେ। ବିଷୟଟି ନିର୍ଦ୍ଦିଷ୍ଟ ଭାବରେ କ’ଣ ଥିଲା?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ଫକୀରମୋହନ ଓ ଶରତଚନ୍ଦ୍ରଙ୍କ ଉପନ୍ୟାସରେ ସାମାଜିକ ବାସ୍ତବବାଦ – ଏକ ତୁଳନା।
ସାହିତ୍ୟ ଚର୍ଚ୍ଚା: ବହୁ ବର୍ଷ ତଳେ ଥରେ ଆପଣ ଗୋଟିଏ ବିତର୍କିତ ପ୍ରଶ୍ନ ଉଠାଇଥିଲେ ଯେ କେତେକ ଲେଖକ ମୌଳିକତା ଉପରେ ଗୁରୁତ୍ୱ ନ ଦେଇ, ଇଂରାଜୀ ଓ ଆମର ପ୍ରତିବେଶୀ ସାହିତ୍ୟଗୁଡ଼ିକରୁ ନକଲ କରି ସାହିତ୍ୟ ରଚନା କରୁଛନ୍ତି। ସେହି ସମୟ, ଯେତେବେଳେ ଆପଣ ଏହା କହିଥିଲେ ତଥା ଆଜି, ଏହା ଭିତରେ ସେଇ ନକଲକରଣର ମାତ୍ରାଟି ବଢ଼ିଛି, ନା କମିଛି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ମୋର ପୌରାଣିକ ଉପନ୍ୟାସ ‘କୁନ୍ତୀପୁତ୍ର’କୁ ଗୋଟିଏ ସମ୍ଭ୍ରାନ୍ତ ସମ୍ବାଦପତ୍ରରେ ଜଣେ ଲେଖକ ନକଲ କରି ରୀତିମତ ଲେଖିଚାଲିଲେ।
ସାହିତ୍ୟ ଚର୍ଚ୍ଚା: ସେ ଆପଣଙ୍କ ଲେଖାରେ କିଛି ପରିବର୍ତ୍ତନ କରିଥିଲେ, ନା ସମ୍ପୂର୍ଣ୍ଣ ଭାବରେ ଉତାରିକରି ଛାପିଦେଇଥିଲେ?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ସମ୍ପୂର୍ଣ୍ଣ ଭାବେ ଉତାରି।
ସାହିତ୍ୟ ଚର୍ଚ୍ଚା: ତେବେ ତ ଆପଣ ନକଲକରଣ ବିରୋଧରେ ସ୍ୱର ଉତ୍ତୋଳନ କରିବାଟା ସ୍ୱାଭାବିକ। ଓଡ଼ିଆ ସାହିତ୍ୟର କ’ଣ ଏଥିରୁ ମୁକ୍ତି ନାହିଁ।
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: (ହସି) ଏହା ଏବେ ବି ଚାଲିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସ୍ୱାମୀ ଡ. କୃଷ୍ଣଚନ୍ଦ୍ର ମିଶ୍ର ଅର୍ଥନୀତିର ଜଣେ ପ୍ରାକ୍ତନ ଅଧ୍ୟାପକ ହେବା ସହିତ ଜଣେ ବିଶିଷ୍ଟ ଅଭିଧାନବିତ୍‌, ପୁରାତତ୍ତ୍ୱବିତ୍ ଓ କଳା-ସ୍ଥାପତ୍ୟର ସୁବିଦିତ ଗବେଷକ ମଧ୍ୟ। ଆପଣ ଦୁହିଁଙ୍କ କାର୍ଯ୍ୟକ୍ଷେତ୍ର ଅଲଗା, ତଥାପି ପରସ୍ପରକୁ ନିଜ ନିଜର ସର୍ଜନାତ୍ମକ ଦିଗରେ କେମିତି ସାହାଯ୍ୟ କରିଥାଆନ୍ତି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ସର୍ଜନାତ୍ମକ ଦିଗରେ ତ ସେ ମୋତେ ବହୁତ ପ୍ରେରଣା ଦିଅନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ ମଧ୍ୟ ତାଙ୍କୁ ପ୍ରେରଣା ଦିଅନ୍ତି କି ନାହିଁ?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: (ହସି) ତାଙ୍କୁ ପଚାରନ୍ତୁ, ସିଏ କହିବେ। ମୁଁ ମଧ୍ୟ ତାଙ୍କୁ ପ୍ରେରଣା ଦେଇଥାଏ। ଚାଳିଶ ବର୍ଷ ଧରି ସେ ସାଧନା କଲେ, ତାଙ୍କର ଗବେଷଣାତ୍ମକ ଗ୍ରନ୍ଥ ଲେଖିବାପାଇଁ। ସେହି ଚାଳିଶ ବର୍ଷ କାଳ ମୁଁ ତାଙ୍କୁ ଡିଷ୍ଟର୍ବ କରିନି।
ସାହିତ୍ୟ ଚର୍ଚ୍ଚା: ଏବେ ଆପଣ ନୂଆ କ’ଣ ଲେଖୁଛନ୍ତି?
ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ: ପ୍ରତିବର୍ଷ ମୋର ଗୋଟିଏ ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଉଛି। ଏବେ ‘ଜଉଘର’ ବୋଲି ଗୋଟିଏ ଉପନ୍ୟାସ ଲେଖା ଚାଲିଛି।
ସାହିତ୍ୟ ଚର୍ଚ୍ଚା: ଏହା ସୂଚାଇଦିଏ ଯେ ବୟସ ଆପଣଙ୍କର ସର୍ଜନାର ପ୍ରକ୍ରିୟାକୁ ଧିମେଇଦେଇନାହିଁ। ଏହା ଈଶ୍ୱରଙ୍କ ଆଶୀର୍ବାଦ ଓ ଓଡ଼ିଆ ସାହିତ୍ୟର ସୌଭାଗ୍ୟ। ଆଜିର ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

4 thoughts on “ବର୍ଷୀୟାନ୍ କଥାକାର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କ ସହ ସାରସ୍ୱତ ଆଳାପ

  1. ସୁନ୍ଦର କଥୋପକଥନ ମାଧ୍ୟମରେ ଅନେକ ଆକାଙ୍କ୍ଷିତ ପ୍ରଶ୍ନର ସୁନ୍ଦର ଉତ୍ତର।

  2. ଏହି ଆଳାପ ଆଲୋଚନା ମାଧ୍ୟମରେ ଲକ୍ଷ୍ମୀପ୍ରିୟା ମହାଶୟା ଆମ ଓଡ଼ିଆ ସାହିତ୍ୟରେ କେତେକ ଲୁକ୍କାୟିତ ଥିବା ବିଷୟରେ‌ ଇଙ୍ଗିତ କରିଛନ୍ତି ଓ ସରଳ ଭାବରେ ଏହାର ଉତ୍ତର ମଧ୍ୟ ଦେଇଛନ୍ତି ତାହା ବେଶ୍ ରୁଚିକର ହୋଇଛି।ଉଭୟ ନିହାର ବାବୁ ଓ ଲକ୍ଷ୍ମୀପ୍ରିୟା ମହାଶୟାଙ୍କୁ ବହୁତ ବହୁତ ଧନ୍ୟବାଦ

  3. ପୂରା ସାକ୍ଷାତକାରଟି ଅତ୍ୟନ୍ତ ଉପାଦେୟ।
    ଆଜିକାଲି ସତରେ ସାହିତ୍ଯ ସଭାରେ କ’ଣ ହେଉଛି କି ଆତ୍ମ ବିଜ୍ଞାପନ ଛଡା।
    ହଁ ,ସାହିତ୍ଯ ରାଜନୀତି ବଢ଼ିଛି ଖୁବ।

  4. ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ମୋଠାରୁ ବଡ ହୋଇଥିବେବୋଲି ଭାବିଥିଲି..ଆପଣଙ୍କ ପତ୍ରିକାରୁ ଜାଣିଲି ,ସେ ମୋଠାରୁ ୨ବର୍ଷ ସାନ..ତଥାପି ମୁଁ ତାଙ୍କର କେତୋଟି ଗଳ୍ପ “ଶୋଭନା”ରୁ ପଢିଥିଲି..ଭଲଲାଗିଥିଲା…ସାହିତ୍ୟ ଆସର ସଂପର୍କରେ ସେ ଯେଉଁ ମତାମତ ଦେଇଛନ୍ତି ତାହା ଯଥାର୍ଥ..ସାହିତ୍ୟସୃଷ୍ଟି ଏବେ ଆତ୍ମବିଜ୍ଞାପନରେ ସୀମିତ..ତେଣୁ ଏହାର ପରିବର୍ତ୍ତନ ଲୋଡା.

Leave a Reply

Your email address will not be published. Required fields are marked *