ଅସ୍ମିତା ଯେବେ ଝୁଣ୍ଟିପଡ଼େ

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ।

ଅଭୟ ଦାଶ

( ସମାଜସେବୀ ସ୍ବାମୀ ଅଭୟାନନ୍ଦଙ୍କ ଅଫିସ୍। ସ୍ବାମୀଜୀ ଓଡ଼ିଆ ଖବରକାଗଜ ପଢ଼ୁଥାଆନ୍ତି। ପାଖ ଟେବୁଲ ଉପରେ ରେଡିଓରୁ ଆଞ୍ଚଳିକ ସଂବାଦ ଶୁଭୁଥାଏ: “ଓଡ଼ିଆ ଅସ୍ମିତା ଭବନ ଉଦ୍ଘାଟନ କରି ଓଡିଶାର ଅସ୍ମିତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।” ମନଦେଇ ଶୁଣୁଥାଆନ୍ତି, କାହାର ପାଦ ଶବ୍ଦରେ ଖବରକାଗଜରୁ ଦୃଷ୍ଟି ହଟାଇ … )
ଅଭୟାନନ୍ଦ – କିଏ?
ଅସ୍ମିତା – ନମସ୍କାର। ଆମି ଓସ୍ମିତା।
ଅଭୟାନନ୍ଦ – କଣ କହିଲେ?
ଅସ୍ମିତା – ଆମି ଉଡ଼ିଆ ଓସ୍ମିତା।
ଅଭୟାନନ୍ଦ – ଏଠି କାହିଁକି?
ଅସ୍ମିତା – ଶୁଣିଛି ଆପନ ଉଡିଆଙ୍କ ପାଇଁ ବହୁତ କାର୍ୟ କରିଛନ୍ତି। ଦେଖା କରବାରଜନ୍ନେ ଆସିଛି।
ଅଭୟାନନ୍ଦ – ମୁଁ ସେମିତି କିଛି କାର୍ୟ-ଫାର୍ୟ କରେନି। ସୋସିଆଲ୍ ସର୍ଭିସ୍ କରୁଛି ଓଡ଼ିଆ ସ୍ବାଭିମାନକୁ ବଞ୍ଚାଇ ରଖିବାକୁ। ଓଡ଼ିଆ ଭାଷାର ଉନ୍ନତି ପାଇଁ ଓଡ଼ିଆ ସ୍କୁଲ, ଓଡ଼ିଆ କଥାବାର୍ତ୍ତା, ଓଡ଼ିଆ ପାଲା, ଦାସକାଠିଆ, ପର୍ବ ପର୍ବାଣୀ, ଖାଦ୍ୟ ପୋଷାକ ଆଦିର ପ୍ରଚାର କରିବାରେ ସାହାଯ୍ୟ କରୁଛି।
ଅସ୍ମିତା – ଆମିଓ ସେଇ କାର୍ୟ କରୁଛି। ଆମି ଆଙ୍କରି଼ଂ କରୁଛି ଉଡ଼ିଆତେ।


ଅଭୟାନନ୍ଦ ତମେ ଏମିତି ଭଙ୍ଗା ଓଡ଼ିଆରେ ଆଙ୍କରିଂ କର?
ଅସ୍ମିତା – ଆମାକେ ଦେଖିନଥିଲ କି? ସେପ୍ଟେମ୍ବର ୭ ତାରିଖ୍‌ତେ ମେ ଫେୟାର୍ ହୋଟେଲ୍‌‌ରେ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍‌ରେ ଆଙ୍କରିଂ କରୁଥିଲି।
ଅଭୟାନନ୍ଦ – ଓ ତମେ ସେଇ, ଯିଏ ସେଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କାର୍ଯ୍ୟକ୍ରମର ଶେଷରେ ବଙ୍ଗଳାରେ ‘ଧୋନ୍ନୋବାଦ୍’ ଦେଲ !
ଅସ୍ମିତା – ହଁ, ଆମି ସେଇ।
ଅଭୟାନନ୍ଦ – କଣ ଗୁଡ଼ାଏ କହୁଛ ? କି ଓଡ଼ିଆ ଇଏ?
ଅସ୍ମିତା – ଆମାର ଉଡିଆ ଟା ତେମନ୍। ଗତ ସରକାର ଆମାକେ ମୁଖପାତ୍ର ରାଖିଛିଲେ। ନତୁନ ସରକାର ସ୍ବାଭିମାନ ହଟାଇ ଓସ୍ମିତା କରିଦେଲେ। ଆମି ତଖନ୍ ଛିଲ। ଏଖନ୍ ଆଛି । ଆମି ଆପନାର୍ ଓସ୍ମିତା।
( ପତ୍ରକାରଙ୍କ ପ୍ରବେଶ।)
ପତ୍ରକାର – ସ୍ବାମୀଜୀ ନମସ୍କାର।
ଅଭୟାନନ୍ଦ – ନମସ୍କାର ଆଜ୍ଞା। ବହୁ ଦିନ ପରେ?
( ଅସ୍ମିତାଙ୍କୁ ଦେଖାଇ ) ଇଏ ମିସ୍ ଅସ୍ମିତା। (ଅସ୍ମିତାଙ୍କୁ ଚାହିଁ) ପତ୍ରକାର ପ୍ରଧାନ ବାବୁ ।
ପତ୍ରକାର – ( ଦୋଦୋଚିହ୍ନା ହୋଇ ) ସ୍ବାଭିମାନ? ଅସ୍ମିତା?( ଧୀର ସ୍ବରରେ।)
ଅଭୟାନନ୍ଦ – ହଁ ଠିକ୍ କହିଲେ ।
ଅସ୍ମିତା – ୟେସ୍ ପ୍ରଧାନ ବାବୁ। ଆମି ଓସ୍ମିତା। ସ୍ବାଭିମାନ ଆମାର୍ ପୂର୍ବତନ ନାମ୍। ସରକାର ବଦଳିବାରୁ ଆମି ହୈଲ ଓସ୍ମିତା। ଓଡ଼ିଆ ଅସ୍ମିତା ର ନତୁନ୍ ଭର୍ସନ୍।
ପତ୍ରକାର – ଦେଖାହୋଇ ଖୁସି ହେଲି। ଆମେ ପତ୍ରକାର, ଆପଣ ଆଙ୍କର୍। ଓଡ଼ିଆ ଭାଷାର ଉନ୍ନତି ଆମ ହାତରେ ଲେଖା ହେବ।
ଅଭୟାନନ୍ଦ – ନିଶ୍ଚୟ ଆଜ୍ଞା। ଆପଣମାନଙ୍କ ଯୁଗଳବନ୍ଦିରେ ଏ ଓଡିଶା ମାଟିରେ ଅଧିକ ଅମଳକ୍ଷମ ସଙ୍କର ଜାତୀୟ ଫସଲ ହେବ ଏଥିରେ ସନ୍ଦେହ ନାହିଁ। ସେଇ ଦିନ ଦେଖିବେ ଏ ଓଡ଼ିଶା ମାଟି କେମିତି ହସିବ?
( ମ୍ୟୁଜିକ୍ ଶୁଭୁଥାଏ:
ଜଗତେ କେବଳ
ଜନେ ହସିବେ ଏହି ତହୁଁ ଫଳ !
ଅଳକତ ଦ୍ରବ ନୟନେ ବୋଳି
ରସାଳ ଗହଳ ଶାଖାରେ ବୁଲି
କବଳ କରୁ ତା କଳିକଳାପ
କାକ କି କରିବ ପଞ୍ଚମାଳାପ।
)
ଧନ୍ୟବାଦ ଆପଣମାନଙ୍କୁ ।
ପତ୍ରକାର – ନମସ୍କାର ଧନ୍ୟବାଦ
ଅସ୍ମିତା – ଧୋନ୍ନୋବାଦ୍, ନମୋସ୍କାର୍।
( ମଞ୍ଚ ଅନ୍ଧାର)

8 thoughts on “ଅସ୍ମିତା ଯେବେ ଝୁଣ୍ଟିପଡ଼େ

  1. ଖୁବ ସୁନ୍ଦର ହୋଇଛି ଅଭୟ ବାବୁଙ୍କର ଅଣୁନାଟକଟି ଓଡ଼ିଆ ଅସ୍ମିତାକୁ ଆଧାର କରି। ଚମତ୍କାର ବ୍ୟଙ୍ଗ। ଧନ୍ୟବାଦ ଅଭୟ ବାବୁଙ୍କୁ।

    1. ଧନ୍ୟବାଦ ଅଭୟ କୁମାର ଓରଫ ଅଭୟାନନ୍ଦ। ବ୍ୟଙ୍ଗ ଲେଖା ର ବାଦଶାହ। ସବୁ ପ୍ରକାର ଲେଖା ରେ ଓସ୍ତାଦ୍। ସ୍ଵାଭିମାନ ଓ ଅସ୍ମିତା ଆଜି ବାଟବଣା ହୋଇଯାଇଛି ଇଂଲିଶ ମେଡିୟମ ସ୍କୁଲ ରେ। ଭାଇ ଲେଖି ଚାଲନ୍ତୁ। ନେତା ଜନତାଙ୍କ ମନୋରଞ୍ଜନ ପାଇଁ।

  2. ଓସ୍ମିତା ମ୍ୟାଡାମ୍ ଦୀର୍ଘଜୀବୀ ହେବା ଥୟ

  3. ପଟ୍ଟନାୟକ patnaik, pattnayak, patnayak, ଶବ୍ଦଟିକୁ ଆମେ ଯଦି ଏପର୍ଯ୍ୟନ୍ତ ଠିକ ଭାବରେ ଲେଖି ପାରିଲେ ନାହିଁ ତେବେ ଏହି ଅସ୍ମିତା ମାଡାମଙ୍କର ଭାଷା ଅଶୁଦ୍ଧ ଲାଗିବ କାହିଁକି ?

  4. 1. Very well written humour by Abhay sir. Thoroughly enjoyable reading.
    2. Remarks by Ms Mamata :Ma’am, Patnaik Pattanayak etc may look similar to you; but they are not. Nowadays the delineation has faded, but earlier days, when weddings were within communities and a Guru used to be there at Puri for each community. For example I am originally Pattanayak ,Pattanayaks were from Gadjaats having most of their rituals similar to and Brahmins. They were original record keepers and teachers of the Royal family. Their villages were known and confined to 20 odd villages in different districts. Weddings used to take place in these communities only. Then some Patnayak/Pattnaiks were called Cuttacki Karan. Later on some Naik/Nayaks too got converted by Karan’s . Other Karan’s include Mohanty and some Das too. But Karan’s are major contributors towards development of Odisha.

  5. ସାମ୍ପ୍ରତିକ ପ୍ରସଙ୍ଗକୁ ନେଇ ଲେଖକଙ୍କ ଲେଖାଟି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି୤ ସବୁଠାରୁ ବଡ଼କଥା ହେଉଛି ୨୪ ବର୍ଷର ଶାସନ କୁ ପରିବର୍ତ୍ତନ କରି ଅସ୍ମିତା ନାମକୁ ନେଇ ଓ ପ୍ରଚାର କରି ଗତ ପ୍ରାୟ ୧୬ ମାସ ଧରି ଚାଲିଥିବା ରାଜ୍ୟ ସରକାରଙ୍କର ମୁଖିଆଙ୍କ ସମେତ ଅନ୍ୟ ଉପ ମୁଖିଆ ଏବଂ ଅନ୍ୟ ସହକାରୀ ମୁଖିଆ ସମେତ ଆଖପାଖ ମୁଖିଆ ଓ ସହଯୋଗକାରୀ ମୁଖିଆମାନେ କେବଳ କଥାବାର୍ତ୍ତା ଓ ଭାଷଣରେ ଅସ୍ମିତା ଅଛି ବୋଲି ଢୋଲ ପିଟୁଛନ୍ତି୤ ସେମାନେ ମଧ୍ୟ ଭଲଭାବେ ଜାଣନ୍ତି ଯେ ଅସ୍ମିତା କ’ଣ ଓ ଏହାର ସ୍ଥିତି କିପରି ଅଛି୤ ମୋର ନିଜର ଅଭିଜ୍ଞତା ମୁତାବକ ଏହି ଲେଖାର ଲେଖକ ଏବଂ ଅନ୍ୟ କେହି ଏହି ଲେଖାର ପାଠକ ଥରୁଟିଏ ଯାଇ ଓଡ଼ିଆ ଭାଷା ପ୍ରତିଷ୍ଠାନ କାର୍ଯ୍ୟାଳୟ( ଭୁବନେଶ୍ବରରେ ଥିବା) ବୁଲି ଦେଖିଆସନ୍ତୁ, ସେଠାରେ ଆପଣଙ୍କୁ ଅସଲ ଓଡ଼ିଆ ଅସ୍ମିତାର ଉଦାହରଣ ମିଳିଯିବ୤

  6. ଅସ୍ମିତା ଯେ ଏକ ଓଡ଼ିଆ ଶବ୍ଦ, ତାହା ପରିଣତ ବୟସରେ ଶୁଣିବାକୁ ମିଳୁଛି…. ଅ ଆ ଶିଖେଇ ଥିବା ପ୍ରାଥମିକ ଶିକ୍ଷକଙ୍କଠାରୁ
    ଆରମ୍ଭ କରି ବିଶ୍ଵବିଦ୍ୟାଳୟ ପରିସର ଭିତରେ ଅସ୍ମିତାର ପଦଧ୍ୱନି ପ୍ରାୟତଃ ଶୁଣିବାର ସୁଯୋଗ କଥା ଅଲଗା, ପାଠ୍ୟପୁସ୍ତକ ବା କାବ୍ୟ କବିତାରେ ଦୃଶ୍ୟମାନ ହେଉ ନ ଥିଲା,….
    ଆବିର୍ଭାବ ହେଲା କିପରି!???
    ସ୍ଵାଭିମାନ ଆଜିକାଲି ଅସ୍ମିତା
    ଦ୍ବିଅର୍ଥବୋଧକ ଯାତ୍ରା ସଂଳାପ
    ଓଡ଼ିଆ ପାନ ଚୋବାଇ କଥା କହିବା ଯାହା, ଆଜିର ସାହିତ୍ୟ ଭିତ୍ତିକ ଶବ୍ଦ ଅସ୍ମିତା ବି ସେଇୟା…..
    ଜ୍ୱଳନ୍ତ ଉଦାହରଣ…..”ମା କେ ନାମ ପେଡ୍”
    ଓଡ଼ିଆ ଅସ୍ମିତା କହି ନିଜକୁ ଗର୍ବ ଅନୁଭବ କରୁଥିବା ବୁଦ୍ଧିଜୀବୀ
    ବିଚାର କରନ୍ତୁ…

Leave a Reply

Your email address will not be published. Required fields are marked *