ବିଚାରକଙ୍କ କ୍ଷୋଭ

ବିଭିନ୍ନ ସାହିତ୍ୟ-ପୁରସ୍କାରର ବିଚାରକମାନେ ତ ସ୍ୱୟଂ ପ୍ରଥମେ ଜଣେ ଲେଖକ; ତେଣୁ ସେମାନେ ମଧ୍ୟ ଯେ ସାହିତ୍ୟସୁଲଭ ବିବେକ ଓ ସମ୍ବେଦନାର ଅଧିକାରୀ, ଏଥିରେ ସନ୍ଦେହ ନାହିଁ।
ତେଣୁ ସେମାନଙ୍କ ମନରେ ବେଳେ ବେଳେ କ୍ଷୋଭ ଆସିବା ସ୍ୱାଭାବିକ ଯେ କେନ୍ଦ୍ର ସାହିତ୍ୟ ଏକାଡେମୀ ବା ରାଜ୍ୟ ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷ ସେମାନଙ୍କୁ ଯୋଗାଇଦେଉଥିବା ‘ସର୍ଟଲିଷ୍ଟେଡ୍‌’ ବହିମାନଙ୍କର ତାଲିକା ଭିତରୁ ପୁରସ୍କାରଯୋଗ୍ୟ ବହିଟିଏ ବାଛିବା ବେଳେ ସେମାନେ ଲେଖକମାନଙ୍କ ପ୍ରତି ଉପଯୁକ୍ତ ନ୍ୟାୟ କରିପାରୁନାହାନ୍ତି। ସେମିତି ସମାନ ଭାବରେ ମଧ୍ୟ କ୍ଷୋଭଗ୍ରସ୍ତ ହୋଇଥାଆନ୍ତି ସେମାନଙ୍କ ଏହି ଅବିଚାରର ଶିକାର ହୋଇ ପୁରସ୍କାରରୁ ବଞ୍ଚିତ ହୋଇଥିବା ଲେଖକମାନେ।
ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ସାହିତ୍ୟ-ପୁରସ୍କାରର ଚୟନ ପାଇଁ ଅନୁସୃତ ହେଉଥିବା ପ୍ରକ୍ରିୟାକୁ ନେଇ ବେଳେ ବେଳେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ପ୍ରସଙ୍ଗରେ ଆମର କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀଗୁଡ଼ିକର କାର୍ଯ୍ୟଧାରା ପ୍ରତି ନଜର ପକାଇଲେ ଆମେ ଜାଣିପାରିବା ଯେ ପୁରସ୍କାର ମନୋନୟନର ଚୂଡ଼ାନ୍ତ ପର୍ଯ୍ୟାୟରେ ସେମାନଙ୍କ ଦ୍ୱାରା ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ‘ସର୍ଟଲିଷ୍ଟ’ ହୋଇଥିବା ଦଶ ବା ପନ୍ଦରଗୋଟି ବହିର ଗୋଟିଏ ତାଲିକା ଧରାଇଦେଇ ଅନୁରୋଧ କରାଯାଇଥାଏ ଯେ ସେମାନେ ମାତ୍ର ସପ୍ତାହେ ବା ଦୁଇ ସପ୍ତାହ ମଧ୍ୟରେ ବହିଗୁଡ଼ିକର ବିବେଚନା କରିଦିଅନ୍ତୁ। ଏକାଡେମୀମାନଙ୍କର ଏଭଳି କାର୍ଯ୍ୟପନ୍ଥାକୁ ଲକ୍ଷ୍ୟ କଲେ ମନେହେବ ଯେ, କେହି ବି ବିଚାରକ ଏତେ କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ବହିକୁ ତନ୍ନ ତନ୍ନ କରି ପଢ଼ି, ତାହା ସମ୍ପର୍କରେ ଏକ ସିଦ୍ଧାନ୍ତରେ ପହଞ୍ଚିବା ସମ୍ଭବ ନୁହେଁ।
ଆମେ ଏ କଥା ଥରେ ପଚାରିଥିଲୁ ରାଜ୍ୟର ଜଣେ ବୟୋଜ୍ୟେଷ୍ଠ ଲେଖିକାଙ୍କୁ, ଯିଏ କିଛି ବର୍ଷ ଧରି କେନ୍ଦ୍ର ସାହିତ୍ୟ ଏକାଡେମୀର ବିଚାରକ ମଣ୍ଡଳୀରେ ଥାଇ ଦାୟିତ୍ୱ ନିର୍ବାହ କରିଥିଲେ। “ଆପଣଙ୍କୁ ଏକାଡେମୀଠାରୁ ମିଳିଥିବା ଦଶ ବା ପନ୍ଦରଟି ବହି ବିଷୟରେ କୌଣସି ରାୟ ଦେବା ପୂର୍ବରୁ ଆପଣ ସେଗୁଡ଼ିକୁ ଆମୂଳଚୂଳ ପଢ଼ିଥାଆନ୍ତି କି? ଆଉ ମଧ୍ୟ, ଆପଣ ସେଗୁଡ଼ିକୁ ପଢ଼ିବା ପାଇଁ ଆବଶ୍ୟକ ସମୟ ପାଇଥାଆନ୍ତି କି?” ଆମେ ପଚାରିଥିବା ଏହି ପ୍ରଶ୍ନର ନାସ୍ତିସୂଚକ ଉତ୍ତର ଦେଇ ସେ କହିଥିଲେ, “ସବୁତକ ବହି ପଢ଼ିବା ପାଇଁ ଆମ ପାଖରେ ସମୟ କେଉଁଠି ଥାଏ? ପୂର୍ବରୁ ସେହି ଲେଖକଙ୍କ ବ୍ୟକ୍ତିତ୍ୱ ଓ ତାଙ୍କର ବିଭିନ୍ନ କୃତି ବିଷୟରେ ଆମର କିଛି କିଛି ଧାରଣା ଥାଏ। ତାହାରି ଆଧାରରେ ସେମାନଙ୍କୁ ନମ୍ବର ଦେଇଦେଉ।” ସେ କ୍ଷୋଭ ପ୍ରକାଶ କଲେ ଯେ ବହିଗୁଡ଼ିକୁ ଭଲଭାବରେ ପଢ଼ି ସେଗୁଡ଼ିକୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଏକାଡେମୀଗୁଡ଼ିକ ବିଚାରକମାନଙ୍କୁ ଯଥେଷ୍ଟ ସମୟ ଦିଅନ୍ତି ନାହିଁ।
ଏହା ଶୁଣି ଆମର ମନେହେଲା ଯେ ପ୍ରତିବର୍ଷ ଏକାଡେମୀର ବିବୃତିରେ ଅମୁକ ବହି ବା ସମୁକ ବହି ପୁରସ୍କୃତ ହେଲା ବୋଲି ଯାହା ଘୋଷଣା କରାଯାଇଥାଏ, ତାହା କ’ଣ ଏକ ଛଳନା ମାତ୍ର? ପ୍ରକୃତରେ କୌଣସି ବହି ନୁହେଁ, ବରଂ ଜଣେ ବ୍ୟକ୍ତି ହିଁ ହୋଇଥାଆନ୍ତି କି ଏଭଳି ପୁରସ୍କାରର ପ୍ରାପକ? ଆଉ ପାଦେ ଆଗକୁ ଯାଇ, ବିଶିଷ୍ଟ ଆଲଜେରୀୟ ଲେଖକ ମୁଲାଉଡ୍ ବେଞ୍ଜାଡ୍ ଏ ବିଷୟରେ ଠାଏଁ ଲେଖିଛନ୍ତି ଯେ ବର୍ଷସାରା ପ୍ରକାଶିତ ସବୁତକ ବହି ନ ପଢ଼ି କିଭଳି ଜଣେ ବିଚାରକ କହିଦେଇପାରିବ ଯେ କୌଣସି ନିର୍ଦ୍ଦିଷ୍ଟ ବହି ହିଁ ହେଉଛି ସେହି ବର୍ଷର ସର୍ବଶ୍ରେଷ୍ଠ କୃତି?
ଏହି ବିଡ଼ମ୍ବନାର ପ୍ରେକ୍ଷାପଟରେ ଆମେ ସଂପୃକ୍ତ ବିଚାରକମାନଙ୍କୁ ମଧ୍ୟ ଦୋଷମୁକ୍ତ ବୋଲି କହିପାରିବା କି? ଯଦି ବହିଗୁଡ଼ିକୁ ପଢ଼ିବା ପାଇଁ ଏକାଡେମୀ ପକ୍ଷରୁ ଆବଶ୍ୟକ ମୁତାବକ ସମୟ ଦିଆଯାଉନାହିଁ, ତେବେ ସେମାନେ ସେହି ଦାୟିତ୍ୱରୁ ଓହରି ଯିବା ଉଚିତ ନୁହେଁ କି?

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *