ଛତା

ମୋତେ ଲାଗିଲା ବାପା ମୋ ମୁଣ୍ଡ ଉପରେ ହାତ ରଖିଛନ୍ତି।

ସ୍ନିଗ୍ଧା ସାହୁ

-“ଛତାକୁ ଗନ୍ଧକର୍ପୂର ଦେଇ ବାକ୍ସରେ କିଏ ସାଇତି ରଖେ? କେତେଥର କହିଲିଣି ମୋତେ ସେ ପୁରୁଣାକାଳିଆ ଜିନିଷ ଦବୁନି। ସାଙ୍ଗମାନେ ହସୁୁଛନ୍ତି, ସମସ୍ତଙ୍କର ବୋତାମ ଟିପା ଛତା ଆଉ ମୋର ବଙ୍କୁଲି ବାଡି ଛତା। ମୁଁ ଓଦା ହେଇକି ଯିବି ପଛେ ସେ କାଠବେଣ୍ଟ ଛତା ସ୍କୁଲ୍ ନେଇକି ଯିବିନି।”
ମୋ ସ୍ୱରର ଦୃଢ଼ୋକ୍ତି ଦେଖି ବୋଉ ଲୁହେଇଯାଏ। ପ୍ରତିଥର ବର୍ଷାଦିନ ଆସିଲେ ବୋଉ କେତେ ଯତ୍ନରେ ବାକ୍ସରୁ ବାପାଙ୍କର ସେଇ ବଡ଼ ଛତାଟା ବାହାରକରେ। ପୋଛିପାଛି ଦେଇ କାନ୍ଥରେ ଟଙ୍ଗେଇଦିଏ। ବେଣ୍ଟ ପାଖରୁ ଟିକେ ରଙ୍ଗ ଛାଡି ଆସିଲାଣି। କପଡ଼ା କେତେ ଜାଗାରୁ ଫୁଟି କଣା ହେଇଗଲାଣି। ତଥାପି ବୋଉ କାହିଁକି ତାକୁ ରଖିଛି ଭାବି ମୁଁ ଆଶ୍ଚର୍ଯ୍ୟ ହୁଏ। ବଜାରରେ କେତେ ରଙ୍ଗ ବେରଙ୍ଗର ଛତା ମିଳୁଛି। ଆଜିକାଲି କାଠବେଣ୍ଟ କିଏ ବ୍ୟବହାର କରୁଛି। କିନ୍ତୁ ବୋଉକୁ କିଏ ବୁଝେଇବ !
ସେଦିନ ମୁଁ ଓଦା ହେଇ ସ୍କୁଲରୁ ଫେରିଲି। ଚାରିଦିନ ଜରରେ ପଡ଼ି କଷ୍ଟ ପାଇଲି। ବୋଉ କେମିତି ଏକଥା ସହନ୍ତା ଭଲା। ବୋତାମ ଟିପା ନୂଆ ରଙ୍ଗୀନ୍ ଛତାଟିଏ ମୋ ପାଇଁ କିଣିଆଣିଲା। ମୁଁ ଏବେ ସାଙ୍ଗମାନଙ୍କ ସହିତ ସମାନସ୍କନ୍ଧ। ସବୁଦିନ ଆକାଶକୁ ଚାହିଁ ଭାବୁଛି ମେଘ ଉଠେଇଛି କି ! ପ୍ରଥମ ଥର ପାଇଁ ମୁଁ ଇଚ୍ଛୁଥିଲି ଘନଘୋର ବର୍ଷା।
ବୋଉ କାମରୁ ଫେରିଲା। ଓଦା ଜୁଡ଼ୁବୁଡ଼ୁ। କାଖରେ ଜାକିଛି ସେ ପୁରୁଣା ଦଦରା ଛତାଟା। ପଚାରିଲି, “ଏତେ ମେଘ ଘଡଘଡିରେ କେମିତି ଆସିଲୁ?”
ଉତ୍ତର ଦେଲା, “ତୋ ବାପା ସାଙ୍ଗରେ ଥିଲେ।”

ରାତିରେ ଶୋଇଲାବେଳେ ବୋଉ ଗପ କହେ। ତା ଗପର ଚରିତ୍ର ଭିତରେ ମୋତେ ବାପା ଦିଶନ୍ତି। ମୁଁ ଛୋଟ ଥିଲି ବାପା ଆର ପାରିକୁ ଚାଲିଗଲେ। ସେଇଦିନଠୁ ବୋଉ ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ ହେଇଛି।
ଦିନେ ସ୍କୁଲରେ ମୋ ରଙ୍ଗୀନ୍ ଛତାଟା କୋଉଠି ହଜିଗଲା। ସବୁଆଡେ ବହୁତ୍ ଖୋଜିଲି। ପାଇଲିନି। ସେଦିନ ଯୋଗକୁ ପ୍ରବଳ ବର୍ଷା। ମୋର ଡ଼େରି ହେବା ଦେଖି ବୋଉ ଖୋଜିଖୋଜି ସ୍କୁଲରେ ପହଞ୍ଚିଲା। ହାତରେ ତା’ର ପ୍ରିୟ କାଠବେଣ୍ଟ ଛତା। ନିଜେ ଓଦା ହେଇ ମୋତେ ଛତା ତଳେ ଆଣିଲା। ସେଥିରୁ ଗନ୍ଧ କର୍ପୂର ବାସ୍ନା ଆସୁଥିଲା। ଠିକ୍ ବାପାଙ୍କ ଫଟୋରେ ଦିଆଯାଇଥିବା ମାଳ ପରି। ମୋତେ ଲାଗିଲା ବାପା ମୋ ମୁଣ୍ଡ ଉପରେ ହାତ ରଖିଛନ୍ତି। ସୁରକ୍ଷିତ ମନେକଲି। ସତରେ ଯାହାର ବାପା ଅଛନ୍ତି ସେ ପୃଥିବୀର ସବୁଠୁ ବଡ଼ ଧନୀ ନିଶ୍ଚୟ।
ୟା’ ଭିତରେ ଅନେକ ବର୍ଷାଋତୁ ଆସିଛି ଆଉ ଯାଇଛି । ଅନେକ ଥର କାଠବେଣ୍ଟ ଛତା ମରାମତି ଲୋଡ଼ିଛି। କିନ୍ତୁ ସାଇତିବାକୁ ବୋଉ ଆଉ ମୋ’ ପାଖରେ ନାହିଁ।
ବୋଉ ଚାଲିଯିବା ଦିନ ସାଇପଡିଶା କହିଲେ, “ସେ ପୁରୁଣାକାଳିଆ ଛତାଟା କୋକେଇରେ ଦେଇଦିଅ। ପ୍ରିୟ ବସ୍ତୁ ହିସାବରେ ସେଇଟା ଯାଉ।”
ମୁଁ କିନ୍ତୁ ଅଡ଼ି ବସିଲି। ବୋଉ ପାଇଁ ସେ ଛତା ବାପାଙ୍କ ଉପସ୍ଥିତି ଆଣି ଦେଉଥିଲା; ଆଉ ଏବେ ମୋତେ ଉଭୟଙ୍କ ଆଶ୍ରା ଲୋଡ଼ା।
ଛତାଟି ନେଇ ବୈଠକ ଘର ଆଲମାରୀରେ ରଖିଲା ବେଳେ ମୋ ସ୍ତ୍ରୀ ଆଶ୍ଚର୍ଯ୍ୟ ହେଇ ମୋତେ ଦେଖୁଥିଲେ।
ଛୋଟବେଳେ ବୋଉର ଅସହାୟତା ମୁଁ ପଢ଼ିପାରୁନଥିଲି। ଏବେ ମୋ ପୁଅ ମୋତେ ବୁଝିପାରୁନି।
ବାକ୍ସରେ କାଠବେଣ୍ଟ ଛତାକୁ ପୋଛିପାଛି ଗନ୍ଧକର୍ପୂର ଦେଇ ମୁଁ ଏବେ ସାଇତି ରଖୁଛି। ଠିକ୍ ବୋଉ ପରି।

14 thoughts on “ଛତା

  1. ଗଳ୍ପଟି ଅତି ଆପଣାର ଆପଣାର ଲାଗିଲା। ଅନେକ ସ୍ମୃତି ମନେପଡିଗଲା।

  2. ଛତା ହୃଦୟରେ ରେଖାପାତ କଲା। ସତରେ ଏ ଭାବ ଆଜିକାଲି ଭାରି ଅଭାବ।

  3. ବାପା, ମାଆ ଙ୍କର ଏଇ ଆପଣାପଣ ଯେତେବେଳେ ଲୋଡ଼ା
    ସେତେବେଳେ କାହିଁକି ଏ ମନରେ ଆସେନି ?????
    ହଜିଗଲା ପରେ ସେଇ ଆପଣା ପଣ କୁ ଖୋଜେ କିନ୍ତୁ କୋଉଠୁ ତାହା ପାଏ ନାହିଁ ଏ ମଣିଷ ।
    ବିଚିତ୍ର ଏ ଦୁନିଆ 🙏🏻🙏🏻
    ବହୁତ୍ ବଢିଆ ଲାଗିଲା 👌🏻👌🏻♥️♥️

  4. ସରଳ ଏବଂ ହୃଦୟସ୍ପର୍ଶୀ ଗପ ଟିକେ, ଏକାଧିକ ବାର ପଠନ ଯୋଗ୍ୟ

Leave a Reply

Your email address will not be published. Required fields are marked *