ନମଇଁ ନକଲି ଚରଣ

ନକଲି ପ୍ରେମରେ ଯେଉଁ ମଜାଥାଏ ତାହା କଣ ଅସଲିରେ ଥାଏ !

ଡ. କୁଳାଙ୍ଗାର

ଅସଲି ମଣିଷ ତୁଳନାରେ ଏବେ ଯେମିତି ନକଲିମାନଙ୍କର ସଂଖ୍ୟା ବଢି ଚାଲିଛି, ସମତୁଲ ଭାବରେ ଅସଲି ତୁଳନାରେ ନକଲି ସାମଗ୍ରୀଗୁଡ଼ିକର ପ୍ରସ୍ତୁତି ଓ ବିତରଣ ମଧ୍ୟ ବଢ଼ିଚାଲିଛି! ଉଭୟଙ୍କର ସମଗୁଣ ଦୃଷ୍ଟିରୁ ଉତ୍ତମ ସମ୍ପର୍କ ସୃଷ୍ଟିହୋଇ ଚାଲିଛି, ଅତଏବ ଏଇ ଅସଲି ଲେଖକ ଆଜି ଆପଣଙ୍କ ପାଖରେ ଆଜି ଏହି ନକଲି ରଚନା ଲେଖି ପରଷିବାକୁ ବାଧ୍ୟ ହେଉଛି!
ଦରବୃଦ୍ଧିର ଚାପ ଆମକୁ ଯେମିତି ଚାପିଦେଇଛି, ଅସଲି ଦ୍ରବ୍ୟର ଦର ଦେବାକୁ ଆମେ କୁଂଥୁ କୁଂଥୁ ହେଉଛେ! ଶସ୍ତାରେ ଅସଲି ଦ୍ରବ୍ୟଟିଏ ପାଇବାକୁ ଆମେ ଚାଁହୁଛେ! ହେଲେ ତାହା କି ସମ୍ଭବ? ଅତଏବ ଆମର ଲୋଭ ଆଉ ତାଙ୍କର ଲାଭ, ଏଇ ନ୍ୟାୟରେ ଅସଲି ଜାଗାରେ ନକଲି ତାହାର କାୟା ବିସ୍ତାର କରି ଚାଲିଛି! ଆମେ ସକାଳୁ ସନ୍ଧ୍ୟାଯାଏଁ ନକଲି ଖାଉଛେ, ନକଲି ପିଉଛେ, ନକଲି ପିନ୍ଧୁଛେ, ନକଲି ଧାରଣ କରୁଛେ, ନକଲି ହସ ହସୁଛେ, ନକଲି ସମ୍ପର୍କ ଗଢ଼ୁଛେ, ନକଲି ରୂପ ପ୍ରଦର୍ଶନ କରୁଛେ, ନକଲି ଦାନ ଓ ଭକ୍ତି କରୁଛେ! ମୋଟାମୋଟି ଆମେ ନକଲିର ନିଶାସକ୍ତ ହୋଇ ସାରିଛେ!

ନକଲି ପ୍ରେମ
ଅତଏବ ଆମ ସମସ୍ତଙ୍କ ହୃଦୟରେ ଅସଲି ବଦଳରେ ନକଲି ପ୍ରତି ଅଧିକ ପ୍ରେମ ବଢ଼ି ଚାଲିଛି! ହେବନି ବା କେମିତି, ନକଲି ପ୍ରେମରେ ଯେଉଁ ମଜାଥାଏ ତାହା କଣ ଅସଲିରେ ଥାଏ ! ନକଲି ପ୍ରେମିକ ବା ପ୍ରେମିକା କିଛିଦିନ ରହିଲେ, କିଛି ଖର୍ଚ୍ଚବାର୍ଚ୍ଚ ହେଲା, ମଜା ଖୁସିକଲେ, ବାସ… ତା’ ପରେ ସିଏ ତା’ ବାଟରେ, ତମେ ତମ ବାଟରେ! ଆଉ ଯଦି ସିଏ ଅସଲି ପଡ଼ିଲା… କଥା ସରିଲା କି ନାଇଁ? ଜୀବନସାରା ବେକରେ ପଘାହୋଇ ପଡ଼ିଥିବ! ଆଉ କେବେ ଯଦି କିଛି ନକଲି ବ୍ୟବହାର ପ୍ରଦର୍ଶନ କଲ, ତେବେ ତାହାର ଅସଲ ସ୍ୱରୂପ ପ୍ରଦର୍ଶନ କରାଉଥିବ!
କାରଣ ନକଲି ଅସଲିଠାରୁ ଅଧିକ ରଙ୍ଗିନ୍‌, ଚକାଚକ୍ ଓ ଚଟପଟା! ନକଲି ଶସ୍ତା, ଅସଲି ଦାମୀ। ସ୍ୱଳ୍ପ ଖର୍ଚ୍ଚ ଓ ଅଧିକ ସଞ୍ଚୟ ପାଇଁ ମଧ୍ୟ ବିଜ୍ଞଜନେ ଉପଦେଶ ଦେଇଥାଆନ୍ତି। ନକଲି ତେଲ, ଘିଅ, ସସ୍‌, ପନୀର, ମସଲା, ହଳଦି, ଲଙ୍କାଗୁଣ୍ଡ, ଔଷଧ ଏପରିକି ନକଲି ସିମେଣ୍ଟର ସାର୍ବଜନୀନ ପ୍ରସାରଣ ନକଲିର ପ୍ରାବଲ୍ୟକୁ ବର୍ଣ୍ଣନା କରୁଅଛି। ଆମ ଚାରିପାଖରେ ଅବିଶ୍ୱାସର ଏପରି ଏକ ସୁନ୍ଦର ବାତାବରଣ ସୃଷ୍ଟି ହୋଇସାରିଛି ଯେ, ଏଠି ଅଧିକ ଅସଲି ନା ଅଧିକ ଦ୍ରବ୍ୟ ନକଲି ତାହା ଏକ କୋଟିଏ ଟଙ୍କାର ପ୍ରଶ୍ନ। ଆଗରୁ ଏହାକୁ ଲକ୍ଷେ ଟଙ୍କାର ପ୍ରଶ୍ନ ବୋଲି କୁହାଯାଉଥିଲା। କିନ୍ତୁ ନକଲି ଟଙ୍କା ମଧ୍ୟ ବହୁ ସ୍ଥାନରେ ଜବତ ହେଉଛି ଏବଂ ନକଲି କାରବାରରେ ବହୁତ ଭଲ ଆୟ ହେଉଛି। ତେଣୁ ଲକ୍ଷେକୁ କୋଟିଏ କରିବା ପାଇଁ ଶୋଚନା ନାହିଁ।
ପାଇବାର ଲୋଭ
ନକଲି ହେଉ କି ଅସଲି, ସହଜରେ, ଶସ୍ତାରେ, ଶୀଘ୍ର ଯଥେଷ୍ଟ ପାଇବାର ଲୋଭ ଆମକୁ ନକଲିକୁ ନିଜର କରିବାରେ ସହାୟକ ହେଉଛି। ଏହାର ଏକ ବଢ଼ିଆ ଉଦାହରଣ ଦେଉଛି:
ମୋର ଗୋଟେ ମଦୁଆ ସାଙ୍ଗ ଗାଆଁରେ ରହେ, ଗାଆଁର ପାନ ଦୋକାନରେ ମିଳୁଥିବା ଶସ୍ତାମଦ ପିଏ।
ମୁଁ ତାକୁ ବୁଝେଇଲି- ଦେଖ୍‌, ନକଲି ମଦଗୁଡ଼ା ପିଇନା। ଏ ସବୁ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ!
ସିଏ ପଚାରିଲା- ତା’ ହେଲେ ତୁ ଯେଉଁ ଦାମୀ ଅସଲି ମଦଗୁଡ଼ା ପିଉଛୁ, ସେଗୁଡ଼ା କ’ଣ ସ୍ୱାସ୍ଥ୍ୟପକ୍ଷେ ହିତକାରକ?
ନକଲି ବାବାଜୀ ଓ ନକଲି ପୂଜକମାନଙ୍କ କଥା ତ ଆମେ ବହୁବାର ଶୁଣିଆସିଛେ। ଏବେ ଭଗବାନଙ୍କର ଅସଲିୟତକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କାରଣ ନକଲି ଘିଅରେ ଦୀପଦାନ, ହୋମଯଜ୍ଞାଦି ହେବା ସହିତ ନକଲି ଭୋଗ ଲାଗି ହୋଇ ବିକ୍ରୀ ହେଉଛି। ଅସଲି ଈଶ୍ୱର ଏ ନକଲକାରୀମାନଙ୍କୁ ରୋକୁ ନାହାନ୍ତି କାହିଁକି?
ଭକ୍ତଜନେ କହିପାରନ୍ତି କି ଠାକୁରଙ୍କୁ ସେ ନକଲକାରୀଗଣ ମଧ୍ୟ ଡାକନ୍ତି। ତେଣୁ ସିଏ ସେମାନଙ୍କର କଥା ମଧ୍ୟ ଶୁଣୁଥିବେ। ଯଦି ଶୁଣୁଥିବେ ତେବେ ଏୟା ବୁଝିବାକୁ ହେବ କି ଏହି ନକଲିରେ ସ୍ୱୟଂ ଭଗବାନଙ୍କର ମଧ୍ୟ ହାତ ଅଛି।
ନକଲି ଦ୍ରବ୍ୟ ନିର୍ମାଣ ଓ ଜବତ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସବୁଠାରୁ ବେଶି ଚର୍ଚ୍ଚା ଓ ଆଲୋଚନା ହୁଏ। ପ୍ରକୃତରେ ସେଇଠାରେ ହିଁ ଅଧିକ ନକଲି ଆକାଉଂଟ୍ ଓ ନକଲି ଡିପି ବା ପ୍ରଦର୍ଶିତ ଫଟୋଚିତ୍ର ରହିଛି।
ବହୁତ ଖାଦ୍ୟ ଜିନିଷରେ ଅଖାଦ୍ୟ ମିଳାମିଶାର ଖବର ମଝିରେ ମଝିରେ ଶୁଣିବାକୁ ମିଳିଥାଏ। ଏହାକୁ ନିରେଖି ଦେଖିଲେ ଲାଗେ ଏପରି କରୁଥିବା ମହାମାନବମାନେ ମଣିଷ ଜୀବନକୁ ଅଧିକ ଭଲରେ ପଢ଼ିପାରିଛନ୍ତି ନିଶ୍ଚୟ। ମଣିଷ ଏକ ମିଳାମିଶା ପ୍ରିୟ ଜୀବ ହୋଇଥିବାରୁ ମିଳାମିଶା ଜିନିଷ ତାହାର ପସନ୍ଦ ହୋଇଥିବ ଭାବି ସେମାନେ ଏପରି କରୁଥାଇପାରନ୍ତି!
ପାଣିରେ କ୍ଷୀର
କ୍ଷୀରବାଲା କ୍ଷୀରରେ ପାଣି ମିଶେଇ ଦେଇଥିବ କି ବୋଲି ଅଧିକାଂଶ ସନ୍ଦେହ କରନ୍ତି। ମୋର ଗୋଟେ ସାଙ୍ଗ ଅଛି! ଗୋପାଳନ କରି କ୍ଷୀର ବିକ୍ରି କରିବା ତାଙ୍କର କୌଳିକ ବୃତ୍ତି ଓ ମୁଁ ତାକୁ ଦିନେ ପଚାରିଲି – ସତ କହିବୁ ସାଙ୍ଗ, ତମର ଖିରରେ ପାଣି ମିଶାଅ କି ନାଇଁ?
ସିଏ କହିଲା – ନା ନା ଜମା ନୁହେଁ, ତତେ ଏ ବାଜେ କଥା କିଏ କହିଲା?
ମୁଁ କହିଲି – କିରେ ଜଗତ କହୁଛି, ତମେମାନେ କ୍ଷୀରରେ ପାଣି ମିଶାଅ! କେବେ ହେଁ ଅସଲି କ୍ଷୀର ଦିଅନା!
ସିଏ କହିଲା – ଏ ଜଗତ ତ ନକଲିରେ ଭାଇ! ଅସଲ କଥା ହେଲା ଆମେ କ୍ଷୀରରେ ପାଣି ନୁହଁ ବରଂ ପାଣିରେ କ୍ଷୀର ମିଶେଇ ବିକ୍ରି କରୁ! ଆଉ ଜଗତ ଯାକର ଗ୍ରାହକମାନେ କ୍ଷୀରମିଶା ପାଣି, ମାନେ ନକଲି କ୍ଷୀର ପିଇ ପିଇ ଏତେ ଅଭ୍ୟସ୍ତ ଯେ ଅସଲି କ୍ଷୀର ପିଇଲେ ତାଙ୍କ ଦେହ ବିଗିଡ଼ିଯିବ!
ସାଙ୍ଗ ପୁଣି ମୋତେ ବୁଝେଇଲା – ଭାଇ, ଖାଲି କ’ଣ ଆମେ କ୍ଷୀରରେ ପାଣି ମିଶାଉଛୁ, ଏଠି ନେତାଏ ତ ଆରାମରେ ଭାଷଣରେ ପାଣି ମିଶାନ୍ତି, ଜନତା ତାକୁ ଖୁସିରେ ପିଇ ଗଦଗଦ ହୋଇ ତାଳିମାଡ଼ କରନ୍ତି। ମାଷ୍ଟ୍ରେ ପାଠରେ ପାଣି ମିଶାନ୍ତି, ଅଭିଭାବକେ ପୂରା ପଇସା ଦେଇ ତାହାକୁ କିଣନ୍ତି।
ସମସ୍ତ ଦ୍ରବ୍ୟର ବିଜ୍ଞାପନରେ ପ୍ରଥମ ଶବ୍ଦ ଅସଲି ଥାଏ। ଅସଲି ଅମୁକ ଦ୍ରବ୍ୟ କିଣନ୍ତୁ, ସମୁକ ଦ୍ରବ୍ୟ ବ୍ୟବହାର କରନ୍ତୁ ବୋଲି ମୋଟା ଅଙ୍କରେ ଖର୍ଚ୍ଚକରି ବିଜ୍ଞାପନ ଜରିଆରେ ଗ୍ରାହକଙ୍କୁ ଜଣାନ୍ତି। ପ୍ରସିଦ୍ଧ କଳାକାର ଅବା ଖେଳାଳିମାନଙ୍କୁ ଟଙ୍କା ଦେଇ ମିଛ କହିବାକୁ ଛିଡ଼ା କରିଦିଅନ୍ତି। କିଏ କହେ, ଏଇ ତୈଳ ବ୍ୟବହାର କରି ମୋ’ ଚନ୍ଦା ମୁଣ୍ଡରେ ଚୁଟି ଉଠିଗଲା, ନିଅନ୍ତୁ ଆପଣ କିଣିକରି ମାରନ୍ତୁ ଓ କେଶଲାଭ କରନ୍ତୁ!
ସେସବୁର ପ୍ରଭାବ କେତେ ସଭିଏଁ ଜାଣନ୍ତି; ତେବେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିବାକୁ ଏତେ ଅର୍ଥ କମ୍ପାନୀମାନେ ପାଆନ୍ତି କେଉଁଠାରୁ? ଅସଲି ଜିନିଷର କଞ୍ଚାମାଲ୍‌, ଉତ୍ପାଦନ ଖର୍ଚ୍ଚ, ମଜୁରି, ବିଜୁଳି ବିଲ୍‌, ଟିକସ, ପରିବହନ ଦେୟ ଆଦି ଦେଲାପରେ ପୁଣି କେତେବେଳେ ଯେ ସେମାନେ ଏଥିରେ ଖର୍ଚ୍ଚ କରନ୍ତି? ତା’ ଛଡ଼ା ଯାହା ସତରେ ଅସଲି ତାହାର ଏତେ ପ୍ରଚାର କଣ ଦରକାର??
ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଲା, ସୁନା ଗହଣା ଦୋକାନ। ଅଧିକାଂଶ ଟିଭି ଚ୍ୟାନେଲରେ ପ୍ରତିଦିନ ଗହଣା ଦୋକାନର ବିଜ୍ଞାପନ ବାରମ୍ବାର ବାଜୁଥାଏ, ଖବରକାଗଜଗୁଡ଼ିକରେ ଛପୁଥାଏ। ଯଦି ଅସଲି ସୁନା ସମାନ ଦରରେ ସେମାନେ ବିକ୍ରୀ କରନ୍ତି, ତେବେ ଏମିତି କେତେ ଲାଭ ମିଳେ ଯେ ବିଜ୍ଞାପନରେ ଏତେ ଟଙ୍କା ଉଡ଼ାଉଛନ୍ତି।
ପୁରୁଣାରୁ ନୂଆ
ଅନେକଗୁଡ଼ିଏ ସମ୍ପୂର୍ଣ୍ଣ ନକଲି ବିଜ୍ଞାପନ ମଧ୍ୟ ଖବରକାଗଜ ଓ ସାମାଜିକ ଗଣମଧ୍ୟମରେ ଦେଖିବାକୁ ମିଳିଥାଏ। ଏଇ ଯେମିତି ଗୋଟେ ବିଜ୍ଞାପନ ଥିଲା: ‘ପୁରୁଣା ମୋବାଇଲ୍ ଦେଇ ନୂଆ ନିଅନ୍ତୁ!’ ତା’ ତଳକୁ ଉଲ୍ଲେଖ ଥିବା ଦୋକାନ ଠିକଣାରେ ମୁଁ ଚଟାପଟ୍ ପହଞ୍ôଚଗଲି। ହେଲେ ସେଠି ଦୋକାନ ଫୋକାନ କିଛି ନଥିଲା। ଅନ୍ଧାରିଆ ଜାଗାଟାରେ ଚାରିଜଣ ଯୁବକ ଛିଡ଼ାହୋଇ ଗପୁଥିଲେ।
ମୁଁ ପଚାରିଲି- ଭାଇ, ଏଠି ପୁରୁଣା ମୋବାଇଲ୍ ଦେଲେ କେଉଁଠି ନୂଆ ମୋବାଇଲ୍ ମିଳୁଛି?


ମୋ’ କଥା ଶୁଣି ଜଣେ ଯୁବକ ତା’ ପକେଟରୁ ବନ୍ଧୁକ ବାହାର କରି ମୋ’ କାନମୁଣ୍ଡାରେ ଲଗେଇ କହିଲା- ଚୁପ୍ ଚାପ ମୋବାଇଲ୍ ଦେଇଦେ!
ମୁଁ ଭୟାତୁର ହୋଇ ମୋବାଇଲ୍‌ଟାକୁ ବଢ଼େଇ ଦେଲାପରେ କହିଲା- ଯାଃ… ବଜାରରୁ ଗୋଟେ ନୂଆ ମୋବାଇଲି କିଣି ଘରକୁ ନେଇଯିବୁ!
ମୁଁ କାନମୁଣ୍ଡ ଆଉଁସି ଘରକୁ ଫେରୁଫେରୁ ଭାବିଲି- ଯାହା ହେଉ, ‘ମୋବାଇଲ’ ଜାଗାରେ ‘ଘରଣୀ’ର ବିଜ୍ଞାପନ ଦେଇନାହାନ୍ତି।
ଘରଣୀଙ୍କ କଥା ପଡ଼ିଲା ତ କହୁଛି। ସିଏ ସର୍ବଦା ଅନ୍‌ଲାଇନ୍ କିଣାକିଣି କରିବା ପାଇଁ ମୋବାଇଲକୁ ଘାଣ୍ଟୁଥାଆନ୍ତି। ଥରେ ଗୋଟେ ଦାମୀ ମୋବାଇଲକୁ ଅତି ଶସ୍ତାରେ ପାଇବାର ଲୋଭରେ ଆଗୁଆ ଟଙ୍କା ଦେଇ ଅନ୍‌ଲାଇନରେ ବରାଦ କଲେ। ଖୁବ୍‌ଶୀଘ୍ର ତାଙ୍କ ପାଖରେ ଏକ ବଢ଼ିଆ ପ୍ୟାକେଟ୍ ପହଞ୍ôଚଲା। ଘରଣୀ ଆନନ୍ଦ ମନରେ ପ୍ୟାକେଟ ଖୋଲି ଦେଖିଲେ- ସେଥିରେ କରତଗୁଣ୍ଡ ଭିତରେ ଗୋଟେ ଚପଲ ପ୍ୟାକ୍ ହୋଇଛି।
ଘରଣୀ କାନ୍ଦୁଣୁମାନ୍ଦୁଣୁ ହୋଇ ପଚାରିଲେ- ମୁଁ ତ ମୋବାଇଲ୍ ମଗାଇଥିଲି, ଏଇଟା କାହିଁକି ପଠେଇଛି।
ମୁଁ କହିଲି- ଏଇଟାକୁ ଗାଲରେ ମାରି ନିଜକୁ କହିବାକୁ; ଆଉ ଜମା ଶସ୍ତାରେ ବସ୍ତାଏ ପାଇବାର ଲୋଭରେ ପଡ଼ିବି ନାହିଁ!
ଅସଲି ଠାକୁରଙ୍କୁ ପାଇବାକୁ ହେଲେ ବହୁ ଅସଲି ଭକ୍ତି, ନିଷ୍ଠା ଓ ସାଧନା କରିବାକୁ ହୋଇଥାଏ! ହେଲେ ସେସବୁ ପାଇଁ ଆମ ପାଖରେ ବେଳ ଓ ଧୈର୍ଯ୍ୟ କାଇଁ? ଅତଏବ ଆମେ ନକଲି ଠାକୁରଙ୍କ ପଛରେ ପଡ଼ି ଅମୁକ ଦୀକ୍ଷା ଧାରଣକରି ସମୁକ ମାର୍ଗରେ ଧାବମାନ ହୋଇ ଶେଷରେ ହତାଶ ହେଉଛେ!
ଔଷଧ ଖାଇଲା ବେଳେ ତାହା ନକଲି କି ଅସଲି ତାହା ଜାଣିବା ସାଧାରଣ ଜନତାର ଶକ୍ତି ବାହାରେ। ସେଥିପାଇଁ ଡାକ୍ତରଙ୍କର ସହାୟତା ନେବାକୁ ହୋଇଥାଏ। କିନ୍ତୁ କେତେ ଜାଗାରେ ନକଲି ଡାକ୍ତର ମଧ୍ୟ ଦେଖିବାକୁ ମିଳୁଅଛି। ସେ କ୍ଷେତ୍ରରେ ଅସଲି ରୋଗର କରାୟତ୍ତ ହୋଇ ପ୍ରାଣତ୍ୟାଗ କରିବା ସାର ହେବ।
ନୂଆନୂଆ ରୋଗବାଗ ପାଇଁ ବିଜ୍ଞଜନେ ନକଲିର ବ୍ୟବହାରକୁ ଦାୟୀ କରନ୍ତି। ଅସଲରେ କିନ୍ତୁ ଆମର ଜୀବନଶୈଳୀରେ ନକଲିର ବ୍ୟବହାର ଏତେ ପରିମାଣ ସ୍ଥାନ ବିସ୍ତାର କରିସାରିଛି ଯେ, ଆମେ ଆଜି ଯଦି ସବୁକିଛି ଅସଲି ବ୍ୟବହାର କରିବାର ସୁଯୋଗ ପାଇବା ତେବେ ହୁଏ ତ ସ୍ୱାସ୍ଥ୍ୟ ଭଲ ରହିପାରେ କିନ୍ତୁ ମନ ଅବଶ୍ୟ ଖରାପ ହୋଇଯିବ।
ତେବେ ନକଲି ଯେ ସବୁବେଳେ ଆପଣଙ୍କ ପାଇଁ କ୍ଷତିକାରକ ତାହା ଭାବିବା ମଧ୍ୟ ଠିକ ନୁହେଁ ଓ ଧରାଯାଉ ଆପଣ କାମସାରି ଘରକୁ ଫେରିବାରେ ଡେରି ରାତି ହେଲା, ଆପଣ ବାଟରେ ଭୂତ ଦେଖିଲେ! ଭାବିଲେ ଦେଖି ଆପଣଙ୍କର କି ଅବସ୍ଥା ହେବ? କିନ୍ତୁ ସଂଜ୍ଞା ପାଇଁ ଆପଣ ଯେବେ ଜାଣିଲେ କି ଭୂତଟି ଅସଲି ନୁହେଁ ନକଲି, ତେବେ ତାହା ହିତକାରୀ ହେବ କି ନାଇଁ?
ସେମିତି ଆପଣ ଯଦି ଡକାୟତ ହାବୁଡ଼ରେ ପଡ଼ି ଯୁକ୍ତିତର୍କ କଲେ ଆଉ ଆପଣଙ୍କ ଉପରେ ଖପ୍ପା ହୋଇ ଡକାୟତ ମହୋଦୟ ଆପଣଙ୍କ କାନମୁଣ୍ଡାରେ ବନ୍ଧୁକ ଲଗାଇ ଫୁଟେଇ ଦେଲା ବେଳକୁ ତାହା ଢ଼ୀସୁମ ନ କରି ନକଲି ଥିବାରୁ ଫୁସ କରିଗଲା ତାହା ଲାଭଦାୟକ ହେବ କି ନାଇଁ?
ନକଲି ବିଷ
ଧରାଯାଉ, ଆପଣ ଘରେ ଉତ୍ପାତ କରୁଥିବା ମୁଷାଙ୍କୁ ନିପାତ କରିବାକୁ ଘରକୁ ମୂଷା ବିଷ କିଣି ଆଣିଛନ୍ତି! ଆଉ ସେଇ ସନ୍ଧ୍ୟାରେ ଆପଣଙ୍କର ପତ୍ନୀଙ୍କ ସହିତ ଭଲ ପ୍ରତିଦ୍ୱନ୍ଦିତାମୂଳକ ଅସଲି ଶବ୍ଦ ଲଢ଼େଇଟିଏ ହେଲା ଓ ଶେଷରେ ପତ୍ନୀ ଦେବୀ ତାଙ୍କର ଅସଲ ରୂପ ଧାରଣକରି ଆପଣଙ୍କର ଆଉ ଆପଣଙ୍କର ଚଉଦ ପୁରୁଷଙ୍କର ଅସଲ ପରିଚୟ ଏମିତି ପ୍ରଦାନ କଲେ ଯେ, ଆପଣଙ୍କୁ ଆପଣଙ୍କ ଦାମ୍ପତ୍ୟ ଜୀବନଟି ନକଲି ଲାଗିଲା ଓ ଆଉ ଆପଣ ଏହି ଗ୍ଳାନିରେ ଜର୍ଜରିତହୋଇ ଅସଲି ଜୀବନଟିକୁ ଖତମ କରିଦେବା ପାଇଁ ମୂଷା ପାଇଁ ଆଣିଥିବା ବିଷଟିକୁ ନିଜେ ଖାଇଦେଇ ଚୁପଚାପ୍ ଶୋଇପଡ଼ିଲେ, ଆଉ ସେ ବିଷଟି ନକଲି ଥିବାରୁ ଆପଣ ସକାଳୁ ପତ୍ନୀଙ୍କର ଅସଲି କଣ୍ଠସ୍ୱର ଶୁଣି ନିଦରୁ ଉଠିଲେ! ତାହାଲେ ଆପଣ କ’ଣ କହିବେ?
ନକଲି ଜିନିଷଟେ ଥିଲେ, ହଜିଗଲେ କି ଭାଙ୍ଗିଗଲେ ପାଇବେ ନାଇଁ! ନକଲି ଗହଣାଟିଏ ପିନ୍ଧି ଯାଉଥିଲା ବେଳେ ଚୋର ଯଦି ତାହାକୁ ଝାମ୍ପିନେଲା, ତା’ହେଲେ ଆପେ ଆପେ ପାଟିରୁ ବାହାରି ପଡ଼ିବ ଓହୋ ମଣିଷ ବଂଚିଗଲା, ଯାହା ହେଉ ଅଳଙ୍କାରଟା ଅସଲି ନଥିଲା!
ଦେଖନ୍ତୁ ସାରା ବିଶ୍ୱରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ଚୀନ ଦେଶ ଭଲ ନାଆଁ କମାଇଛି ଓ ନକଲି ହେଉପଛେ, ଅଳ୍ପ ଦିନ ଯାଉ ପଛେ, ଚାଇନା ଜିନିଷ ଶସ୍ତାରେ ମିଳୁଛି ବୋଲି ସମସ୍ତେ କିଣୁଛନ୍ତି, ଫଳରେ ଚୀନର ଘରେ ଘରେ କୁଟୀର ଶିଳ୍ପ! ଆଉ ସାରା ବିଶ୍ୱରେ ଚୀନ ତାର ସାମଗ୍ରୀକୁ ବିକ୍ରିକରି ଧନୀ ହୋଇଛି!
ଚାଇନା ଝିଅ
ଏଥିରେ ଉତ୍ସାହିତ ହୋଇ ମୋର ଗୋଟେ ସାଙ୍ଗ ଗୋଟେ ଚାଇନା ଝିଅକୁ ବାହା ହେଇପଡ଼ିଲା ଓ ଆମେମାନେ ଚକିତହୋଇ ତା’ର ଚତୁର୍ଥୀ ଭୋଜିରେ ପଚାରିଲୁ – କିରେ ତୋତେ କ’ଣ ଭାରତରେ ଝିଅ ମିଳିଲେନି ଯେ ତୁ ଖୋଜି ଖୋଜି ଶେଷରେ ଏଇ ଚେପୀନାକିଟିକୁ ଭାଉଜ କଲୁ?
ସାଙ୍ଗ କହିଲା – ଭାଇ, ବହୁ ଭାବିଚିନ୍ତି ମୁଁ ଏହି ନିଷ୍ପତ୍ତିଟି ନେଇଛି! କଥା କ’ଣ କି, ମୁଁ ବାହାହେବି କି ନାଇଁ ବୋଲି ଦ୍ୱନ୍ଦ୍ୱରେ ଥିଲି!
ଏହା ଶୁଣି ଆମେ ପଚାରିଲୁ – ତା’ ହେଲେ ତୁ ବାହାହେଲୁ କାହିଁକି?
ସାଙ୍ଗ କହିଲା – ମୁଁ ପୁଣି ସାରା ଜୀବନ ଅବିବାହିତ ରହିଥିବା ଲୋକଙ୍କର ମତାମତ ନେଲି! ସେମାନେ କହିଲେ, ଅବିବାହିତ ଜୀବନ ଜିଇଁବା ପ୍ରଥମେ କିଛି ବର୍ଷ କଷ୍ଟକର ଓ ତା’ ପରେ ବୃଦ୍ଧକାଳକୁ ଦେହସୁହା! ଅତଏବ ମୁଁ ନିଷ୍ପତ୍ତି ନେଲି କି ବାହାହେବି, କିନ୍ତୁ ଚାଇନା ଝିଅକୁ!
ଏବେ ଆମେମାନେ କହିଲୁ – କ’ଣ ଏତେ ଚୋପା ଛଡ଼ାଉଛୁ ମ…! କାହିଁକି ନିଷ୍ପତ୍ତି ନେଲୁ କହୁନୁ?
ସାଙ୍ଗ କହିଲା – ସେୟା କହୁଛି ପରା! ଚାଇନା ଜିନିଷ ପରି ଏ ଚାଇନା ଭାଉଜ ବା କେତେଦିନ ତିଷ୍ଠିବ? ତା’ ପରେ ମୋର ଆଉ ଦାମ୍ପତ୍ୟ କଷ୍ଟର କଣ୍ଟା ନଥିବ!
ସୁଧୀ ପାଠକେ ଇଏ ଥିଲା ନକଲି ଶରୀରର କଥା ଓ ନକଲି ପରିବେଶ, ନକଲି ଦ୍ରବ୍ୟର ବ୍ୟବହାରରେ ଆମେ ତ ଗୋଟାପଣେ ନକଲି ପାଲଟି ସାରିଛେ! ବର୍ତ୍ତମାନର ପ୍ରମୁଖ ଆବଶ୍ୟକତା ହେଉଛି, ନକଲି ଆତ୍ମା ନିର୍ମାଣର! ଆମେ ଏଥି ସମ୍ବନ୍ଧୀୟ ଗବେଷଣାକୁ ସହଯୋଗ କରିବା ଉଚିତ, ଯାହାଫଳରେ ଆମମାନଙ୍କୁ ଗୋଟେ ଗୋଟେ ନକଲି ଆତ୍ମା ମିଳିଗଲେ, ମରଣ କାଳରେ ଯେବେ ଆମ ସାମ୍ନାରେ ଯମଦୂତମାନେ ଦଣ୍ଡାୟମାନ ହେବେ, ଆମେ ତାଙ୍କୁ ନକଲି ଆତ୍ମାଟିକୁ ଧରେଇ ଦେଇ ଆହୁରି ଅସଲି ଜୀବନ ଜିଇଁବା ପାଇଁ ‘ନମଇଁ ନକଲି ଚରଣ’ ମନ୍ତ୍ରକୁ ଘୋଷି ଚାଲିବା!!

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ନମଇଁ ନକଲି ଚରଣ

  1. ଅତି ସୁନ୍ଦର ଉତ୍ତମ ଲେଖାଟିଏ ନକଲି ଅସଲି କଥାର।କିନ୍ତୁ ଆଜ୍ଞା ମୋର ବିଶେଷ ଅନୁରୋଧ କେହି ଯେପରି ନ ଭାବନ୍ତି ଯେ ଲେଖକ ମହାଶୟଙ୍କ ଲେଖା ଆଉ ମୋର ପ୍ରଶଂସା ସେଇ ନକଲି ବୋଲି, କାହିଁକି ନା ଲେଖକ ମହାଶୟ ନକଲି ବିଷୟରେ ଖୁବ୍ ଲେଖିଛନ୍ତି। ଲେଖାଟି ପଢ଼ିଲେ ଆଜ୍ଞା ମୁଁ ସତ କହୁଛି କେହି ଆଉ ସନ୍ଦେହରେ ନ ରହନ୍ତୁ ନକଲି କିଏ,କ’ଣ, କାହିଁକି ଓ କିପରି ହେଉଛି। ଆଉ ଗୋଟେ କଥା ଆଜ୍ଞା ଲେଖକ ମହାଶୟ ମଧ୍ୟ ନିଜ ନାଆଁ କୋଉଥିରେ ଯିବ ନିର୍ଣ୍ଣୟ କରିବେ। ବେଶୀ କିଛି କହିଥିଲେ କ୍ଷମା କରିବେ।

Leave a Reply

Your email address will not be published. Required fields are marked *