ସହରର ନିଶ ଛଡ଼ା, ଦାଢ଼ି ବଢ଼ା ବଡ଼ବଡ଼ିଆମାନେ ଡାକ୍ତରଖାନା ଧାଡ଼ି ମାରିଲେ। ସବୁ ତାହୁଁବଡ଼ା, ତାହୁଁବଡ଼ା ଚେଷ୍ଟା ସତ୍ତ୍ୱେ ସାମନ୍ତରାୟ ବର୍ତ୍ତିଲେ ନାହିଁ।

ଗୋଟିଏ ପ୍ରମୁଖ ସହରରେ ଗୋଟିଏ ଦିନରେ ଗୋଟିଏ ବକତରେ ଦୁଇଜଣଙ୍କର ମୃତ୍ୟୁ ହେଲା। ଜଣେ ଥିଲେ, ସମୁନ୍ନତ ସାମନ୍ତରାୟ, ଆଉଜଣେ ଥିଲା ସଇତା ସେଠି।
ସାମନ୍ତରାୟ ସହରର ଏକ ବିଶିଷ୍ଟ ଅଞ୍ଚଳରେ ରାଜପ୍ରାସାଦସମ ଭବ୍ୟ ଭବନରେ ଅବସ୍ଥାନ କରୁଥିଲେ।
ସଇତା ସହରର ନର୍ଦ୍ଦମା ନଈ ହିଡ଼ରେ ଚିଡ଼ାମିଡ଼ା ପଲିଥିନ୍ ବେଢ଼ାଇ କୁଡ଼ିଆ ଗଢ଼ି, ମୁଣ୍ଡ ଗେଞ୍ଜୁଥିଲା। ବେଳେ ବେଳେ ପାଣି ପବନର ବହପ ବଢ଼ିଗଲେ ପଲିଥିନଗୁଡ଼ାକ ଉଡ଼ି କୁଆଡ଼େ ବୋଲି କୁଆଡ଼େ ପଡ଼ୁଥିଲା। ପାଗର ଟିକିଏ ସୁଧାର ଆସିଲେ ଆଙ୍ଗୁଳେ ବହଳ ଚିକିଟାରେ ଲଟପଟ ଗାମୁଛା ଖଣ୍ଡକ ଅଣ୍ଟାରେ ଆଣ୍ଟି ସଇତା କଙ୍କାଳ ସଳଖି ହାତକୁ ଟିକିଏ ଛାଟି, ଛିଡ଼ାହୁଏ। ତା’ପରେ ପଲା ଉଠାଇବାର ଚେଷ୍ଟା। ଆପଣା ତାକତକୁ ଖଟାଇ, ଏଣେ ତେଣେ ପଡ଼ିଥିବା ସରଞ୍ଜାମକୁ ଗୋଟାଇ ଏକାଠି କରେ। ନର୍ଦ୍ଦମା ପାଣିକୁ ସଢ଼େଇରେ ଫୋପାଡ଼ି, କୁଦଟାରେ କୁଦି କୁଦି, ଜାଗାଟାକୁ ସାବାଡ଼ କରେ। ତା’ପରେ କୁଡ଼ିଆ ସଜାଡ଼ି, ତା’ ଭିତରକୁ ଗଳିକି ଯିବାର ବାଟଟା ରଖେ।
ଏଣେ ସାମନ୍ତରାୟ ସାହେବଙ୍କ ଥାଟବାଟ ଥିବା ରୋଷଶାଳରେ ତାଙ୍କ ଫର୍ମାସି ଅନୁସାରେ ପ୍ରସ୍ତୁତ ହେଇଥିବା ମାଂସ ପଲାଉ ସାଙ୍ଗକୁ ଆଉ ଇମିତି ଇମିତି କେତେ ରକମ ଖିଆଖିଇ, ବୁହାବୋହି ପରେ ବି ବଳିପଡ଼ୁଥିବାଗୁଡ଼ାକୁ ଫୋପଡ଼ା ହେଉଥିଲା। ଧନୀ, ମାନୀ, ବୋଲାଉଥିବା ସାମନ୍ତରାୟ ସାହେବଙ୍କ ଅଭାବବୋଧର ଧାରଣା ହେବ କୁଆଡ଼ୁ?

ସଇତାକୁ ଯେଉଁ ପଖାଳଗଣ୍ଡାକ ମିଳୁଥିଲା, ତାହା ତା’ ପେଟକୁ ନଅଣ୍ଟ ହେଉଥିଲା। ତୋରାଣି ପେଟେ ପିଇ ପେଟପୂରାଇ ପେଟରେ ଥାପଡ଼ ମାରୁଥିଲା।
ସାମନ୍ତରାୟ ସାଆନ୍ତେ ଆଣ୍ଠିଏ ଗଦିରେ ଦେହ ଲଦି, ନିଜ ପାଇଁ ହାଇଁପାଇଁ ହେଉଥିଲେ। ବିଛଣା ଧଇଲେ ବାରଚିନ୍ତାର ସନ୍ତାପରେ ସନ୍ତୁଳି ହେଉଥିଲେ। ସବୁ ରାତିରେ ନିଦ ତାଙ୍କର ‘ନା’। ସଇତା ଦଦରା ଖଜୁରିପଟି ଖଣ୍ଡକ ପାରି ପଡ଼ିଗଲେ ‘ନିଦମାଉସୀ’ ତାକୁ ଆଉଁସି ଆଉଁସି ଶୋଇ ପକାଉଥିଲା। କେହି ଭଣିତାକାର ସାଆନ୍ତଙ୍କ ଗୁଣପଣର ହେଣତେଣକୁ ଫେଣି ଫେଣି, ଦମଦାରକରି ଗୀତ ଦି’ପଦ ଗାରେଇ ଦେଲେ ସା’ନ୍ତରାୟ ମନକୁ ମୋହିନେଲେ, ମନମାନା ଦାମ ଦଖଲକୁ ଆସିଯାଉଥିଲା। ଯେଉଁ ଗୀତ ବଛାଯାଇ ସାଆନ୍ତଙ୍କ ଇଚ୍ଛାକୁ ଆସୁଥିଲା, ତାକୁ ଇମିତି ଭଙ୍ଗୀରେ ଥୁଆଯିବ ଯେ, ଲୋକେ ଯେମତି ଉଠିବାକୁ ନାଆଁ ଧରିବେନି, ନାପିଟିକି ପଡ଼ିରହିବେ। ଦେହ ଦେଖିଲେ ଆଖି ଅଟକି ଯାଉଥିବ। ଗୀତ କାନକୁ ସାଉଁଳାଉଥିବ, ଯେମିତି ଯେତେ ପଇସା ପଡ଼ୁପଛକେ।
ତଲାସି ତଲାସି ସେମିତି ଗାୟିକା ଅଣାଗଲା। ଗଳାର କୌଶଳରେ, ପଇସାପ୍ରାପ୍ତ ଖୁସାମତିଆ ସଭାସ୍ଥ ସମସ୍ତଙ୍କ ଗମାତିଆ ତାଳିପିଟାର ନିନାଦରେ ସାମନ୍ତରାୟଙ୍କ ଦରବାର ଦୁଲୁକୁଥିଲା, ଆଉ ସାମନ୍ତେ ଚଲାଚୌକିରେ ହଲି ହଲି, ଲାଳୁଆ ଓଠର ସଟକା ଟାଣି ମୁଚୁମୁଚୁ ହସ ବୁଣି ଚାଲୁଥିଲେ। ସଇତା ଜଣେ ପାଠୁଆଙ୍କ ଗୋଡ଼ହାତ ଧରି ତା’ ମନର କଥା ତା’ ଭାଷାରେ ଭଣି, ଗୀତଟା ଆଣିଥିଲା। ସେ ଗୀତକୁ ଶୁଣି ଶୁଣି, ମନରେ ଦୋହରାଇ ଦୋହରାଇ ସେ ଗୀତକୁ ଆପଣାଇ ନେଇଥିଲା। ପ୍ରାୟ ସବୁବେଳେ ଜଂଘରେ ହାତ ପିଟି ପିଟି, ତାଳରେ ହେଉ କି ନ ହେଉ, ସେ ଗୀତଟା ଗାଉଥିଲା। ଗୀତଟା ହେଉଛି –
ଶୁଣ ଶୁଣରେ ଭାଇ
ଅଜଣା, ଅଦେଖା ହେଇ ଜିଇଁଯିବି ମୁହିଁ
ମରିଗଲେ କାନ୍ଦିବେନି କେହିହେଲେ କଇଁ କଇଁ
ଖଣ୍ଡିଏ ପଥର ବି କହିବନି ଅଛି ମୁହିଁ କାହିଁ।
ହଠାତ୍ ସାମନ୍ତରାୟ ଅସୁସ୍ଥ ହୋଇପଡ଼ିଲେ। ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସରେ ବୁହାହୋଇ ଗୋଟାଏ ବଡ଼ ଡାକ୍ତରଖାନାରେ ଭର୍ତ୍ତିହେଲେ। ଗୋଟାଏ ଡାକ୍ତରୀ ଦଳ ଚିକିତ୍ସା ପାଇଁ ଭିଡ଼ିଗଲେ। ମୁଖ୍ୟମନ୍ତ୍ରୀ ଖୋଦ୍ ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଅନୁରୋଧ କରିବା ହେଲେ ଯେ, ସାମନ୍ତରାୟ ବାବୁଙ୍କୁ ଯେମିତି ହେଉ ସୁସ୍ଥ ହେବାର ବ୍ୟବସ୍ଥା କରନ୍ତୁ। ପଇସାପତ୍ରର ପରବାୟ ରଖିବନି। ସହରର ନିଶ ଛଡ଼ା, ଦାଢ଼ି ବଢ଼ା ବଡ଼ବଡ଼ିଆମାନେ ଡାକ୍ତରଖାନା ଧାଡ଼ି ମାରିଲେ। ସବୁ ତାହୁଁବଡ଼ା, ତାହୁଁବଡ଼ା ଚେଷ୍ଟା ସତ୍ତ୍ୱେ ସାମନ୍ତରାୟ ବର୍ତ୍ତିଲେ ନାହିଁ। ଖବରକାଗଜମାନେ ‘ସାମନ୍ତରାୟ ଆଉ ନାହାନ୍ତି’, ‘ସାମନ୍ତରାୟ ଚାଲିଗଲେ’ ଇମିତି ଇମିତି ଶିରୋନାମା ଦେଇ ତାଙ୍କର ପହିଲି ପୂରା ପୃଷ୍ଠାରେ ସାମନ୍ତରାୟଙ୍କ ଭଳି ଭଳି ଠାଣିରେ ଫଟ ଛାପି ଖବରକୁ ଉଠେଇଲେ, ପକାଇଲେ। ତା’ପରେ ଶୋକବାର୍ତ୍ତାର ଗତାନୁଗତିକତା ଚାଲିଲା। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତି ଇମିତି ଇମିତିରେ ସମ୍ମାନାସ୍ପଦମାନେ, ଉପରପାହିଆ ବ୍ୟକ୍ତିବିଶେଷମାନେ ଶୋକବାର୍ତ୍ତା କୁଢ଼ାଇଲେ।
ସାମନ୍ତରାୟଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ଏତେ ଘଣ୍ଟା ପାଇଁ ରଖାଗଲା। ସମସ୍ତେ ଆସି ତାଙ୍କ ମଲା ଶରୀରକୁ ଫୁଲମାଳରେ ପୋତି ପକାଇଲେ। ସ୍ୱର୍ଗଦ୍ୱାରରେ ରୋଶଣିକରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶବ ସଂସ୍କାର କରାଗଲା। ତା’ପରେ ଶୋକସଭା ଆଉ ଭାଷଣର ପର୍ବ। ସେମାନେ କଲେ, ଆମେ କାହିଁକି ନ କରିବୁ? ଏହି ନ୍ୟାୟରେ ଶୋକସଭା ଚାଲିଲା ଚାଲିଲା। ଦେଖନ୍ତୁ, ଜଣେ ଜଣାଶୁଣା ଚାଲିଗଲେ କ’ଣ କ’ଣ ଜାକଜମକରେ ହୁଏ, ଆପଣମାନଙ୍କୁ ଜଣା। ମୋର ଅତି ପରିଣତ ବୟସରେ, ହାତରେ ପୀଡ଼ା ଥିବା ହେତୁ ଲେଖିବାରେ ଅସୁବିଧା ବଢ଼ି ବଢ଼ି ଚାଲିଛି। ଯଦି ଗପଟି ପଢ଼ିବେ ମନରୁ ଯୋଡ଼ିଯାଡ଼ି ମୋ’ ଗପକୁ ବଢ଼ାଇ ପଢ଼ିବେ।
ଆଉ ସଇତା? ସେ ବାଧିକି ପଡ଼ି, ଗୁହମୁତ ହୋଇ ମଲା। ଆଖପାଖରେ ରହୁଥିବା ଭିକମଗାମାନେ ମୃତ ସଇତାକୁ ନେଇ ପୋତି ପକାଇଲେ। ହଁ, ଆଉଗୋଟେ କଥା, ସଇତାକୁ ସିନା ‘ମଲା’ ବୋଲି କୁହାଗଲା; କିନ୍ତୁ ‘ସାମନ୍ତରାୟ ମଲା’ ବୋଲି ତାଙ୍କ ସଭାର ଭାଷଣରେ କେହି କହିନଥିଲେ। ‘ସେ ଦେହତ୍ୟାଗ କଲେ’, ‘ତାଙ୍କର ବିୟୋଗ ହେଲା’, ‘ତାଙ୍କର ଦେହାନ୍ତ ହେଲା’, ଏଇମିତି କହିଥିଲେ। ସାଆନ୍ତରା ‘ମଲା’ ବୋଲି କହିଦେଲେ ସାମନ୍ତରାୟଙ୍କ ମୃତଦେହର ଅସମ୍ମାନ ହେବନି କି?
ଜଣେ ଜଣାଶୁଣା କାନତରାଟି (କଣ୍ଟ୍ରାକ୍ଟର) ସାମନ୍ତରାୟଙ୍କ ପିଛାଧରି, ତାଙ୍କ ଇଚ୍ଛା ମୁତାବକ କାମ କରୁଥିଲେ। କୋଠାବାଡ଼ି ଉଠାଇବା, ରାସ୍ତାଘାଟ ତିଆରି କରିବା, ପୋଖରୀ ଖୋଳା, କେନାଲ ଉଦ୍ଧାର କରିବା, କିଛି କାଗଜରେ, ଆଉ କିଛି ସତରେ କରି, କରାଇବାର ଭୂମିକା ନେଇ କୋଟିପତି ହେଇଥିଲେ। ଅଧିକନ୍ତୁ, ସାମନ୍ତରାୟଙ୍କ ପ୍ରାସାଦକୁ ବିନା ପଇସାରେ ସମାପନ କରି ତାକୁ ଶୋଭାବନ୍ତ କରିବାକୁ ଦାମୀ ଦାମୀ ସାମଗ୍ରୀମାନ ଯୋଗାଇଥିଲେ। ସାମନ୍ତରାୟଙ୍କ ମୃତ୍ୟୁ ପରେ ସେ ତାଙ୍କର ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ତାଙ୍କ ପ୍ରାସାଦ ଆଗରେ ସ୍ଥାପିତ କରିଥିଲେ।
ବର୍ଷେ ଖଣ୍ଡେ ପରେ ସଇତା ପୋତା ହୋଇଥିବା ଜାଗାରେ ଦୁବଘାସ କଅଁଳି ସେଠି ମାଡ଼ି ଯାଇଥିଲା। ଗୋଟେ ଧଳା ବାଛୁରୀ ସେଠିକା ଘାସକୁ ପେଟପୂରା ଚରି ସେଠି ଶୋଇ ଶୋଇ ପାକୁଳି କରୁଥିଲା। ଠିକ୍ ସେତିକିବେଳେ ସାମନ୍ତରାୟଙ୍କ ପ୍ରାସାଦ ଆଗରେ ସ୍ଥାପିତ ପ୍ରତିମୂର୍ତ୍ତି ଷେଣ୍ଢ ଲଢ଼େଇର ମାଡ଼ଖାଇ ଦି’ଗଡ଼ ହେଇ ଧୂଳିରେ ଗଡ଼ୁଥିଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ପ୍ରଣାମ, କଥାକାର !