ଇଏ କଣ ସିଏ?

ସେ ସଭା ମଞ୍ଚରୁ ଓହ୍ଲାଇ ଆସନ୍ତେ, ପଞ୍ଝାଏ ମାଇପେ ଘେରିଯାଇ ମୋବାଇଲରେ ଫଟୋ ନେବାକୁ ବାଡ଼ିଆ ବାଡ଼ି।

ଅଭୟ ଦାଶ

ଆପଣ ପଚାରିବେ ‘ଆଇ଼ଁଷିଆ କବି’ ପୁଣି କଣ? ଏହା ତ କାଇଁ କେଉଁଠି ଫିଟ୍ ହେଉନାହିଁ? ଏଇଟା ସ୍ବାମୀ ଅଭୟାନନ୍ଦର ନୂଆ ଉଦ୍ଭାବନ ବୋଲି ଅନେକ କହନ୍ତି। ଅବଶ୍ୟ କେତେ ଦୂର ଠିକ୍, ଆମେ କହିପାରିବୁ ନାହିଁ। କାରଣ ଆମ ଓଡ଼ିଶାରେ ଗୋଟାଏ ଦ୍ରବ୍ୟ ବଜାରକୁ ଆସିଲେ, ଅନେକ ମାଲିକ ପ୍ରକଟ ହୋଇଯାଆନ୍ତି। କିଏ ଏହାର ଖାଣ୍ଟି ଓରିଜିନାଲ ଜନ୍ମଦାତା? ନାଁ ନେବାକୁ ଥିଲେ ଠେଲା ପେଲା, ମାଡ଼, ଫୌଜଦାରୀ, ଓକିଲ କୋର୍ଟ, କଚେରୀ ପର୍ଯ୍ୟନ୍ତ ଚଢିଯିବେ। ଧରାପଡ଼ି ମାଡ଼ ଖାଇବାର ଥିଲେ ସେଇଠି ଠିଆହୋଇ, ଇଏ ତା ମୁହଁକୁ, ସିଏ ୟା ମୁହଁ କୁ ଚାହିଁ ଆଖି ମିଟିମିଟି କରୁଥିବେ। କେଡ଼େ ବଡ଼ ପୁଲିସ ହେଲେ ବି ତାର ବୁଦ୍ଧି ଗୁଡୁମ୍ ହୋଇଯିବ। ଏମିତି ଏକ ସମ୍ବେଦନଶୀଳ ସମସ୍ୟା ଭିତରକୁ ଡ଼େଇଁପଡ଼ିଛି ଅଭୟ ଦାଶର ମାଲିକାନାରେ ଚାଲିଥିବା ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ।
ଥରେ ଗୋଟାଏ ବହୁଚର୍ଚ୍ଚିତ ସାହିତ୍ୟ ସଭାରେ ଯୋଗଦେବାକୁ ସେ ଯାଇଥାଏ ଗୋଟାଏ ବହୁ ପରିଚିତ ସଭାଗାରକୁ। ସେଠି ଦେଖିଲା କି ବଡ଼ ବଡ଼ ସାହିତ୍ୟିକମାନଙ୍କ ନାମ ଓ ଫଟୋସବୁ ଉପରେ ଲାଇଟ୍ ପଡ଼ି ଚକଚକ କରୁଥାଏ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିଲା ଏ ସଭାଗାର। ସଂସ୍କୃତି ମନ୍ତ୍ରୀଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। “ଅଳ୍ପ ସମୟ ମଧ୍ୟରେ ମନ୍ତ୍ରୀ ମହୋଦୟ ଆସିଯିବେ; ଧୈର୍ଯ୍ୟ ରଖନ୍ତୁ”, କହୁଥାଆନ୍ତି ଘୋଷକ। ଆସିଛୁ ତ, ଧୈର୍ଯ୍ୟ ନ ରଖି କଣ କରିବୁ? ଆଉ ଆମ ପାଖରେ କଣ ଅଛି ଧୈର୍ଯ୍ୟ ବ୍ୟତୀତ ! ମନ୍ତ୍ରୀ ଆସିଲେ, ଗଲେ, ତାଙ୍କ ପଛେ ଉଦ୍ୟୋକ୍ତା ଗୋଡ଼େଇଗଲେ। ଛାଡ଼ିଦେଇ ଆସିଲେ। ଘୋଷକ ଘୋଷିଲେ, “ମନ୍ତ୍ରୀଙ୍କ ପାଖରେ ବହୁତ କାମ ଥିବାସତ୍ବେ ସିଏ ଆସି ଆମର ସଭାମଣ୍ଡନ କରିଥିବା ଆମପାଇଁ ଗର୍ବ ଓ ଗୌରବର ବିଷୟ।”
ଅଭୟ ଦାଶ ବୁଝି ପାରୁନଥାଏ, ଏ ଗର୍ବ ଆଉ ଗୌରବ ଦୁହେଁ କାଇଁ କେଉଁଠି ଦିଶୁନାହାନ୍ତି ତ? ସତରେ କହୁଛନ୍ତି ନା ସେମିତି କହିବାକୁ ହୁଏ? ଯେମିତି, “ଆପଣମାନଙ୍କ ବହୁ ମୂଲ୍ୟ ସମୟ ଦେଇଥିବାରୁ ଆମେ କୃତଜ୍ଞ, ବହୁ କାର୍ଯ୍ୟ ବ୍ୟସ୍ତତା ଭିତରେ ଆସିଥିବାରୁ ଆମେ ନିଜକୁ ଧନ୍ୟ ମନେକରୁଛୁ।” କଣ ସତ କହୁଛନ୍ତି? ନା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଗରେ, “ଯାହା କହିବି ସତକହିବି ,ସତ ବିନା କିଛି କହିବିନାହିଁ,” ଶପଥ ପାଠ ପରେ, ସବୁ ଯେ ସତ କହନ୍ତି ସେମିତି କିଛି ମାନେ ନାହିଁ। ତା’ମାନେ ଆପଣ କଣ କହୁଛନ୍ତି? ଭାବୁଥାଏ ଅଭୟ ଦାଶ।
କିଛି ନାହିଁ ଏଗୁଡା ପାଣିର ଗାର। ଏମିତି କେତେ ଯୁଗ ଗଲାଣି, ନା ଆଜି ନୂଆ? ‘ଅଶ୍ଵତ୍ଥାମା ହତଃ ଇତି, ନରୋବା କୁଞ୍ଜରୋବା।’ କଣ ଟା ସତ? ଆମ ପାଖରେ, କି ମନ୍ତ୍ରୀଙ୍କ ପାଖରେ ବହୁତ କାମ ଥିବା ଆପଣ କେମିତି ଜାଣିଲେ? ଆପଣ ଡାକିଲେ, ଆମେ ଆସିଲୁ। ସାହିତ୍ୟରେ ଆମର ରୁଚି ଅଛି କି ନାହିଁ ସେକଥା ଆମେ ଜାଣୁ। ଥରେ ମନ୍ତ୍ରୀଙ୍କୁ ନ ଡ଼ାକି ସହରର ସେହି ନାମୀ ଭବନରେ ସଭା କରି ଦେଖିଲେ ! ମଞ୍ଚରେ ଆଲୁଅ ଜଳିବ ଟି? ଅଭୟ ଦାଶ ଭାବୁଥାଏ, ଗୋଟାଏ ମନ୍ତ୍ରୀ ପଦ ମିଳିଯାଆନ୍ତାନି? ହେଃ ,କାଇଁ ସେ ବୃଥା ଚିନ୍ତା କରୁଛୁ? ମନକୁ ବୁଝାଏ, ଏଇ ଭଲ। କବିତାଟାଏ, କି ଗପଟାଏ ପଢ଼ିଦେଲ, ସେଇ ଯଥେଷ୍ଟ। ଏମିତି କେତେଦିନ କଟି ଗଲାଣି ନା; ଆଉ କେତେଦିନ କି?

ସଭା କେତେବେଳେ ସରିଲା, ଜଣା ପଡ଼ିଲା ନାହିଁ। ମନ୍ତ୍ରୀ ଗଲେ, ତାଙ୍କ ପଛେ ପଛେ ଆଉ ପଞ୍ଝାଏ, ସେ ଫଟୋବାଲା, ପତ୍ରକାର ସବୁ ଚାଲିଲେ। ଅଭୟ ଦାଶ କେତେବେଳେ କଣ ଶୁଣି, କାହିଁକି ତାଳି ମାରିଛି ତାକୁ ଜଣା ନାହିଁ। ସେ ଜଗନ୍ନାଥ ମୂର୍ତ୍ତି ପାଖରେ ଜଳୁଥିବା ଦୀପ ଲିଭି ଲିଭି ଆସିଲାଣି। ସାଙ୍ଗେ ସାଙ୍ଗେ ଧନ୍ୟବାଦ ଅର୍ପଣ। ଆମେ କୁଆଡେ ବହୁମୂଲ୍ୟ ସମୟ ଦେଇ ଆସିଛୁ? ଅଭୟ ଦାଶ ଜାଣିଛି ତା ସମୟ କେତେ ମୂଲ୍ୟବାନ୍? ଯାହା ହେଉ, କିଏ ତ ଚିହ୍ନିଲା ! ଆଉ କଣ, ଚାହା ଜଳଖିଆ ନାଁ ଆଉ କଣ ଅଛି?
ଦେଖିଲା ବେଳକୁ ଜଣେ ସାବେନା ହୋଇ କବି, ବାଳ ରଙ୍ଗେଇଛନ୍ତି, ଆଉ ଯାହାଙ୍କ ପାନ ଖାଇ ଦାନ୍ତ ପାଚିଲା ଦିଶୁଥାଏ, ଠାଏଁ ଠିଆ ହୋଇଛନ୍ତି। ଚିହ୍ନା ଚିହ୍ନା ଲାଗୁଥାଆନ୍ତି; ସେଇ ପୈଞ୍ଚାଳିଶ ଛୟାଳିଶ ମଡ଼େଲ ହେବେ ପରା ! ସେ ସଭା ମଞ୍ଚରୁ ଓହ୍ଲାଇ ଆସନ୍ତେ, ପଞ୍ଝାଏ ମାଇପେ ଘେରିଯାଇ ମୋବାଇଲରେ ଫଟୋ ନେବାକୁ ବାଡ଼ିଆ ବାଡ଼ି। ମା ଡ଼ାକି ଆଣୁଛି ଝିଅକୁ, “ଆ, ସାରଙ୍କ ସାଙ୍ଗରେ ଗୋଟାଏ ସେଲ୍‌ଫି ନେ।” ଅଭୟ ଦାଶ ଦେଖି ତାଟେଙ୍ଗା! ୟା ଠେଇଁ ଏମିତି କଣ ମହୁ ଅଛି କିରେ? ଏତେ ମାଇପେ? କିନ୍ତୁ ଶ୍ୟଃ, ଅଭୟ ଦାଶକୁ ପଇସାଟାରେ କେହି ପଚାରୁନାହାନ୍ତି? ଭାଗ୍ୟ କମେଇଛନ୍ତି ସେଇ କବିବର! ହଁ ହେ ! ଆମର କଣ ଅଛି? ଗଲା, ଘରକୁ ଯାଇ ଖାଇପିଇ ଶୋଇଲା। ଆଜିକାଲି ସକାଳୁ ହ୍ବାଟସ୍‌ଆପ୍ ଦରାଣ୍ଡିବା ଅଭ୍ୟାସ ପଡ଼ିଗଲାଣି ତ! ଚାହା ଆଉ ଖବରକାଗଜକୁ ଠେଲି, ପଶିଯାଇଛି ମୋବାଇଲର ହ୍ବାଟସ୍‌ଆପ୍ ଆଉ ଫେସବୁକ୍। ଆରେ, ଇଏ କଣ? ସେ ମାଇକିନା କି ଝିଅର ଭାଇ କଣ ଧମକେଇଛି? “ରହ ଶଳା ! ମୁଁ ଆସୁଛି ! ତୋତେ ଘରୁ ଘୋଷାଡ଼ି ଆଣି ରାସ୍ତାରେ ଛେଚିବି।” ସମ୍ବାଦଟା ଭାଇରାଲ୍ ହୋଇଛି। ଅଭୟ ଦାଶ ଭାବୁଥାଏ ଯେ ଭଲ ହୋଇଛି, କେହି ତା’ ସାଙ୍ଗେ ଫଟୋ ଉଠାଇନାହାନ୍ତି।
କେତେ ଲୋକ ଫୁସଫାସ୍ ହେଉଥାଆନ୍ତି। ସେଇଠୁ “ଆଇଁଷିଆ କବି“ ଶବ୍ଦର ଶୁଭାରମ୍ଭ ହେଲା ସ୍ବାମୀ ଅଭୟାନନ୍ଦର ସ୍ୱତୁଣ୍ଡରୁ; ଯେପରି ଦିନେ ଆସିଥିଲା, ”ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ବତୀ ସମାଃ।“ ବାରମ୍ବାର ପ୍ରଶ୍ନ ଆସୁଥାଏ, ଇଏ କଣ ସିଏ?

2 thoughts on “ଇଏ କଣ ସିଏ?

  1. ଓଡ଼ିଶାର ଜଣେ ବୟୋଜ୍ୟେଷ୍ଠ କବି ମଧ୍ୟରାତ୍ରିରେ ଜଣେ ମହିଳାଙ୍କ ପାଖକୁ ମୋବାଇଲ୍‌ରେ ଅଶାଳୀନ ସନ୍ଦେଶ ପଠାଇଥିବା କଥା ଏବେ ଚାରିଆଡ଼େ ବହୁତ ଚର୍ଚ୍ଚିତ ହେଉଛି। ଏହି ରମ୍ୟରଚନା ସେହି ଘଟଣା ଉପରେ ଆଧାରିତ ବୋଧହୁଏ।

  2. ନିଦା କଟାକ୍ଷ। ବେଶି ଭଲ ଲାଗିଲା କଥିତ ଶବ୍ଦର ବ୍ୟବହାର।

Leave a Reply

Your email address will not be published. Required fields are marked *