ମୋ’ର କାମ ଆଉ କ’ଣ? ମୁଁ ଜାଣିଛି ଯେ ମୁଁ ଦିନେ ଚାଲିଯିବି। ଯାହା କରୁଛି, ମୋ ଜାତି ପାଇଁ।

ଲବ୍ଧପ୍ରତିଷ୍ଠ ଶିଶୁସାହିତ୍ୟିକ ତଥା ଜୀବନୀକାର ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବୟସ ବର୍ତ୍ତମାନ ୮୪ ବର୍ଷ। ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ରାଜ୍ୟ ସାହିତ୍ୟ ଏକାଡେମୀ ଦ୍ୱାରା ନିଜ ଉଚ୍ଚକୋଟୀର ଶିଶୁସାହିତ୍ୟ ପାଇଁ ପୁରସ୍କୃତ ହୋଇଥିବା ଏହି ବର୍ଷୀୟାନ ପ୍ରତିଭାଧର ଜଣେ ବିଶିଷ୍ଟ ଜୀବନୀକାର ମଧ୍ୟ। ୨୭ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ସେ ଓଡ଼ିଶାର ପ୍ରାୟ ୨୨ହଜାର ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସଂକ୍ଷିପ୍ତ ଜୀବନୀ ସମ୍ବଳିତ ଆଠ ହଜାର ପୃଷ୍ଠାର ଗ୍ରନ୍ଥ ପ୍ରଣୟନ କରିଛନ୍ତି। ‘ଟୁଉକୁମୂଷି’ ନାମକ ଜନପ୍ରିୟ ଶିଶୁ ପତ୍ରିକାର ମଧ୍ୟ ସେ ବହୁ ବର୍ଷ ଧରି ସମ୍ପାଦନା କରିଛନ୍ତି। ଏହି ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ତାଙ୍କର ନିଜ ଗ୍ରାମ, ଖୋର୍ଦ୍ଧା ଜିଲ୍ଲାର ପାଳସାହିଠାରେ ଭେଟିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣ ଶିଶୁସାହିତ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀର ପୁରସ୍କାରରେ ସମ୍ମାନିତ ହେବାପରେ ଆପଣଙ୍କ ପ୍ରଥମ ପରିଚୟ ଜଣେ ବିଶିଷ୍ଟ ଶିଶୁସାହିତ୍ୟିକ ଭାବରେ; କିନ୍ତୁ ଆପଣଙ୍କ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପରିଚୟ ହେଲା ଯେ ଆପଣ ଜଣେ ଅଗ୍ରଣୀ ଜୀବନୀକାର। ନିଜ ଦୀର୍ଘ ବର୍ଷର ସାଧନା ବଳରେ ଆପଣ ଲେଖିପାରିଛନ୍ତି ବାଇଶି ହଜାର ବ୍ୟକ୍ତିଙ୍କର ଜୀବନୀକୁ ଆଧାର କରି ଆଠ ହଜାର ପୃଷ୍ଠାର ବିରାଟ ଗ୍ରନ୍ଥ, ‘ଉତ୍କଳ ପ୍ରଦୀପ’। ଏଥିପ୍ରତି ଆପଣ ଢଳିଲେ କେମିତି?
ବୀରେନ୍ଦ୍ର ସାମନ୍ତରାୟ: ମୂଳତଃ ମୁଁ ପିଲାଙ୍କ ପାଇଁ ଲେଖୁଥିଲି। ସେହି ବର୍ଷଟି ଠିକ୍ ମନେ ପଡ଼ୁନାହିଁ, ବୋଧହୁଏ ୧୯୯୭ ମସିହାର କଥା। କଟକର ଶ୍ରୀରାମଚନ୍ଦ୍ର ଭବନରେ ରଜ ଉପଲକ୍ଷେ ଗୋଟିଏ ସାରସ୍ୱତ ମିଳନ ହେଉଥାଏ। ସେହି ସଭାଗାରର ଫଟୋ ଗ୍ୟାଲେରୀରେ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କର ତୈଳଚିତ୍ର ଲାଗିଥିବାର ଦେଖିଲି। ମୁଁ ଭାବିଲି, ଆଚ୍ଛା! ଏମାନଙ୍କୁ ନେଇକରି ତ ଲେଖିଲେ ହୁଅନ୍ତା! ଏହି ବିଚାର ମୋର ମନକୁ ଆସିଲା। ସେଇଠାରେ ହିଁ ସେହି ମହାପୁରୁଷମାନଙ୍କର ଗୋଟିଏ ନାମ ତାଲିକା କରି ଘରକୁ ନେଇଆସିଲି। ସେ ସମସ୍ତଙ୍କ ବିଷୟରେ ସୂଚନା କେଉଁଠୁ ପାଇବି? ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଖୋଜାଖୋଜି କଲି। ‘ପ୍ରସାରଣର ଇତିହାସ’ ନାମକ ବହିଟି ଏଥିରେ ମୋର ବିଶେଷ ସହାୟତା କଲା।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ଯଦି ଶ୍ରୀରାମଚନ୍ଦ୍ର ଭବନରେ ଯେଉଁ ବିଶିଷ୍ଟ ଲେଖକମାନଙ୍କର ଚିତ୍ର ଲାଗିଥିଲା, କେବଳ ସେହିମାନଙ୍କ ବିଷୟରେ ଲେଖିଥାଆନ୍ତେ, ତେବେ ତ ବାଇଶି ହଜାର ବ୍ୟକ୍ତିଙ୍କର ଏହି ବିରାଟ ଜୀବନୀ ଗ୍ରନ୍ଥ ଲେଖିପାରି ନ ଥାଆନ୍ତେ।
ବୀରେନ୍ଦ୍ର ସାମନ୍ତରାୟ: ନିଶ୍ଚିତ ଭାବରେ। ମୁଁ ଭାବିଲି ଯେ ମୋ ବହିରେ ଯଦି କେବଳ ପ୍ରତିଷ୍ଠିତମାନେ ରହିବେ, ତେବେ ଅନ୍ୟ ଯେଉଁମାନେ ହଜିଗଲେଣି, ତା’ଙ୍କୁ ତ ଏ ଜାତି ଭୁଲିଯିବ! ଏଣୁ ଅଧିକାଧିକ ସଂଖ୍ୟକ ବ୍ୟକ୍ତିଙ୍କର ଜୀବନୀକୁ ଏଥିରେ ସାମିଲ୍ କରିବାକୁ ଚେଷ୍ଟା କଲି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ ତ ଇଣ୍ଟରନେଟ୍ ଓ ଗୁଗୁଲ୍ ସର୍ଚଇଂଜିନ୍ ସହିତ ଏତେ ପରିଚିତ ବା ଅଭ୍ୟସ୍ତ ନ ଥିବେ। ଏଣୁ ଏତେ ସଂଖ୍ୟକ ବ୍ୟକ୍ତିଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଆପଣଙ୍କୁ ବହୁତ କଷ୍ଟ ହୋଇଥିବ।
ବୀରେନ୍ଦ୍ର ସାମନ୍ତରାୟ: ଇଣ୍ଟରନେଟ୍ ଉପରେ ନିର୍ଭର କରିନାହିଁ। ବିଭିନ୍ନ ପତ୍ରପତ୍ରିକା ଓ ଲେଖକମାନଙ୍କ ବହିରେ ପ୍ରକାଶିତ ଲେଖକଙ୍କ ପରିଚୟକୁ ଆଧାର କଲି। ସଂପୃକ୍ତ ବ୍ୟକ୍ତିମାନଙ୍କର ବନ୍ଧୁ ଓ ପରିଜନଙ୍କୁ ଫୋନ୍କରି ସୂଚନା ସଂଗ୍ରହ କଲି।

ସାହିତ୍ୟ ଚର୍ଚ୍ଚା: ଏହା ଜଣେ ମନୁଷ୍ୟ ପକ୍ଷରେ ଏକ ଅସମ୍ଭବ କାର୍ଯ୍ୟ। ଏଥିପାଇଁ ସାହସ କେଉଁଠୁ ଜୁଟାଇଲେ?
ବୀରେନ୍ଦ୍ର ସାମନ୍ତରାୟ: ମୁଁ ୨୫ ବର୍ଷ କାଳ ‘ଟୁଉକୁମୂଷି’ ପତ୍ରିକାର ସମ୍ପାଦନା କରୁଥିଲି,ଏଇ ଗାଆଁରୁ, ଯେତେବେଳେ ଏହି ବର୍ଗର ଓଡ଼ିଶାରେ ଆଉ ମାତ୍ର ଯୋଡ଼ିଏ ପତ୍ରିକା ଥିଲା, ‘ମନପବନ’ ଓ ‘ମୀନାବଜାର’। ଏହି କାର୍ଯ୍ୟର ଚାପ ସହିତ ବହୁ ବର୍ଷ ଧରି ଅଭ୍ୟସ୍ତ ଥିବାରୁ ‘ଉତ୍କଳ ପ୍ରଦୀପ’ର ସଙ୍କଳନ କରିବା ମୋ ପାଇଁ କଷ୍ଟଦାୟକ ହେଲାନାହିଁ।
ସାହିତ୍ୟ ଚର୍ଚ୍ଚା: ପ୍ରଥମେ ୨୨ ହଜାର ବ୍ୟକ୍ତିଙ୍କର ନାମ ଚୂଡ଼ାନ୍ତ କରି ସେମାନଙ୍କୁ ସୂଚୀବଦ୍ଧ କରିବା ହିଁ ତ ଗୋଟିଏ ବଡ଼ କାର୍ଯ୍ୟ। ଆପଣ ପୁଣି ସେମାନଙ୍କ ଭିତରୁ ପ୍ରତ୍ୟେକଙ୍କ ବିଷୟରେ ପୃଷ୍ଠାଏ କି ଦେଢ଼ ପୃଷ୍ଠା କରି ଲେଖିଛନ୍ତି। ଏଥିପାଇଁ ଆପଣଙ୍କୁ କେତେ ବର୍ଷ ଲାଗିଗଲା?
ବୀରେନ୍ଦ୍ର ସାମନ୍ତରାୟ: ୧୯୯୭ରୁ ୨୦୨୪, ଏମିତି ପ୍ରାୟ ୨୭ ବର୍ଷ ଲାଗିଗଲା।
ସାହିତ୍ୟ ଚର୍ଚ୍ଚା: ଏହାରି ଭିତରେ କ’ଣ ସମାନ୍ତରାଳ ଭାବରେ ଆପଣଙ୍କର ଶିଶୁସାହିତ୍ୟ ଲେଖିବା ମଧ୍ୟ ଚାଲିଥିଲା?
ବୀରେନ୍ଦ୍ର ସାମନ୍ତରାୟ: ହଁ, ଲେଖୁଥିଲି। ବିଶେଷତଃ ‘ପୌରୁଷ’ ପତ୍ରିକାରେ ପିଲାଙ୍କ ପାଇଁ ଲେଖୁଥିଲି ‘ଜୀବନ ଫୁଲର ମହକ’ ଶିରୋନାମାରେ। ଏହା ଏବେ ମଧ୍ୟ ଚାଲିଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଏହି ବିରାଟ ଜୀବନୀଗ୍ରନ୍ଥ, ‘ଉତ୍କଳ ପ୍ରଦୀପ’ର ରଚନା ତ ସରିଗଲା, ଏବଂ ଏହାର ସାତଟିଯାକ ଭାଗ ପ୍ରକାଶିତ ମଧ୍ୟ ହୋଇସାରିଲାଣି। ଏବେ ଆଗକୁ କ’ଣ କରିବେ?
ବୀରେନ୍ଦ୍ର ସାମନ୍ତରାୟ: ଏହାର ଦ୍ୱିତୀୟ ସଂସ୍କରଣ ପାଇଁ ଏବେ ପ୍ରସ୍ତୁତି ଚାଲିଛି। ଏଥିରେ ଆହୁରି ନୂଆ ବ୍ୟକ୍ତିତ୍ୱଙ୍କୁ ଯୋଡ଼ିବାର ଅଛି।
ସାହିତ୍ୟ ଚର୍ଚ୍ଚା: ସାତଟି ଭାଗରେ ପ୍ରକାଶିତ ଏହି ବିରାଟ ଗ୍ରନ୍ଥ କ’ଣ ବଜାରରେ ସହଜରେ ବିକ୍ରୀ ହୋଇଯାଉଛି?
ବୀରେନ୍ଦ୍ର ସାମନ୍ତରାୟ: ଅବଶ୍ୟ ଏହାର ଆଶାନୁରୂପ ପ୍ରସାରଣ ନାହିଁ। ଏଥିପାଇଁ ଛଅ ଲକ୍ଷ ଟଙ୍କାର କ୍ଷତି ସହିଲିଣି। କିନ୍ତୁ ଏଥିପାଇଁ ମୁଁ ବିବ୍ରତ ନୁହେଁ; କାରଣ ଆମର ଜାତି ପାଇଁ ଏହି କାର୍ଯ୍ୟଟି କରିଛି।
ସାହିତ୍ୟ ଚର୍ଚ୍ଚା: କେବଳ ଏହି ଗୋଟିକ ବିରାଟକାୟ ଗ୍ରନ୍ଥ ହିଁ ନୁହେଁ, ଏହା ବ୍ୟତୀତ ଜୀବନୀ ସାହିତ୍ୟ ପ୍ରତି ଆପଣଙ୍କର ଆହୁରି ମଧ୍ୟ ଅବଦାନ ଅଛି। ଆପଣ ପିଲାଙ୍କ ପାଇଁ ଏଗାରଟି ଜୀବନୀମୂଳକ ବହି ଲେଖିଛନ୍ତି, ଯେଉଁଥିରେ ଉପେନ୍ଦ୍ର ଭଞ୍ଜଙ୍କଠାରୁ ନେଇ ଉତ୍କଳମଣି ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ଅଛି।
ବୀରେନ୍ଦ୍ର ସାମନ୍ତରାୟ: ହଁ, ସେସବୁ ଲେଖିଛି ପିଲାଙ୍କ ପାଇଁ। ପିଲାଙ୍କ ପାଇଁ ସବୁ ମିଶାଇ ମୁଁ ୫୧ ଖଣ୍ଡ ବହି ଲେଖିଛି, ଏଥି ଭିତରେ ଶିଶୁ ଉପନ୍ୟାସ, ବିଜ୍ଞାନ କାହାଣୀ, ନାଟକ, ଭ୍ରମଣ କାହାଣୀ ଆଦି ମଧ୍ୟ ଅନ୍ତର୍ଭୁକ୍ତ।
ସାହିତ୍ୟ ଚର୍ଚ୍ଚା: ଆପଣ ପିଲାଙ୍କ ପାଇଁ ଆଉ ଗୋଟିଏ ଏନସାଇକ୍ଲୋପିଡିଆ ଲେଖିଥିବାର ମଧ୍ୟ ଆମେ ଜାଣିବାକୁ ପାଇଲୁ। ଲାଗୁଛି, ଆପଣଙ୍କର ସାରା ଜୀବନ ଏହି ଗବେଷଣା ଓ ଲେଖିବାକୁ ନେଇ ବିତିଗଲା। ଆପଣ ଯେତିକି ଲେଖିଛନ୍ତି, ତା’ପାଇଁ ତ ଗୋଟିଏ ଜୀବନକାଳ ନିଅଣ୍ଟ।
ବୀରେନ୍ଦ୍ର ସାମନ୍ତରାୟ: ମୋ’ର କାମ ଆଉ କ’ଣ? ମୁଁ ଜାଣିଛି ଯେ ମୁଁ ଦିନେ ଚାଲିଯିବି। ଯାହା କରୁଛି, ମୋ ଜାତି ପାଇଁ। ଶିକ୍ଷକତା ବୃତ୍ତିରେ ଥିଲି। ସେଥିପାଇଁ ଗଣ୍ଡାଏ ପେନସନ ପାଉଛି। ତାହାକୁ ବିନିଯୋଗ କରି ଏହି କାର୍ଯ୍ୟ ସବୁ ଚଳାଇଛି।
ସାହିତ୍ୟ ଚର୍ଚ୍ଚା: ଏ ବୟସରେ ମଧ୍ୟ ଆପଣ ପୂର୍ବ ଭଳି ରଚନାପ୍ରବଣ ଅଛନ୍ତି। ବୟସ କ’ଣ ଏ କ୍ଷେତ୍ରରେ ଆପଣଙ୍କର ଅନ୍ତରାୟ ହୋଇନାହିଁ ?
ବୀରେନ୍ଦ୍ର ସାମନ୍ତରାୟ: ହୋଇଛି, ତେବେ ୮୪ ବର୍ଷ ବୟସରେ ବି ମୁଁ କେବେ ଡାକ୍ତରଖାନା ଯାଇନାହିଁ। ଔଷଧ ଖାଇନାହିଁ। ଅବଶ୍ୟ କେବଳ ଥରୁଟିଏ ମୁଁ ଦୀର୍ଘ ସମୟ ଧରି ବସି ଲେଖିବାରୁ ଅଣ୍ଟାରେ ଯନ୍ତ୍ରଣା ହୋଇଥିଲା। ପ୍ରତିଦିନ ଭୋର ସାଢ଼େ ଚାରିଟାରୁ ସକାଳ ସାଢ଼େ ସାତଟା ପର୍ଯ୍ୟନ୍ତ ଲେଖେ। କିନ୍ତୁ ସେଦିନ ଟିକିଏ ଅଧିକ ବସିଗଲି। ଅଣ୍ଟାଟା ଧରିଦେଲା। ସେଇ ଗୋଟିକ ଥର ଯାହା ଚିକିତ୍ସା କରିବାକୁ ପଡ଼ିଥିଲା।
ସାହିତ୍ୟ ଚର୍ଚ୍ଚା: ବୋଧହୁଏ ଆପଣ ଏଠି ପ୍ରକୃତି ଓ ବୃକ୍ଷଲତା ଘେରା ଯେଉଁ ଗ୍ରାମ୍ୟ ପରିବେଶରେ ଅଛନ୍ତି, ତାହା ସ୍ୱାସ୍ଥ୍ୟରକ୍ଷାରେ ଆପଣଙ୍କୁ ସହାୟତା କରୁଛି।
ବୀରେନ୍ଦ୍ର ସାମନ୍ତରାୟ: ମୁଁ କୌଣସି ଔଷଧ ଖାଏ ନାହିଁ। ଗଛଲତା ଉପରେ ମୋର ବିଶ୍ୱାସ। ଆଉ, ବାଡ଼ିର ଖାଦ୍ୟ। ମୋ’ ବାଡ଼ିରେ ସବୁ ଅଛି; ଘରର ଖାଦ୍ୟ ମୁଁ ଖାଉଛି। ନିଜର ଜମିରେ ଧାନ ହେଉଛି, ସବୁ ପ୍ରକାର ପନିପରିବା ହେଉଛି, ଏପରିକି ଦଶରୁ ବାର ପ୍ରକାରର ଶାଗ ମଧ୍ୟ ହେଉଛି।
ସାହିତ୍ୟ ଚର୍ଚ୍ଚା: ଆମେ ମଧ୍ୟ ଦେଖିଲୁ ଯେ ଆପଣଙ୍କ ବାଡ଼ିରେ ବହୁତ ପ୍ରକାରର ଔଷଧୀୟ ବୃକ୍ଷ ଅଛି। ଏହିଭଳି ଧରଣର ଏକ ଜୀବନଚର୍ଯ୍ୟା ପାଇଁ ଆଜିର ୮୪ ବର୍ଷ ବୟସରେ ମଧ୍ୟ ଆପଣ ସୁସ୍ଥ ସବଳ ଅଛନ୍ତି। ଆପଣଙ୍କ ସାରସ୍ୱତ ସାଧନା ଆଗକୁ ଆହୁରି ଅନେକ ବର୍ଷ ଧରି ଜାରିରହିବ ବୋଲି ଆମର ଧାରଣା ହେଉଛି।
ବୀରେନ୍ଦ୍ର ସାମନ୍ତରାୟ: ସେଇଟା ପ୍ରଭୁଙ୍କ ଉପରେ। ମୁଁ ଅବଶ୍ୟ କୌଣସି ଧର୍ମକୁ ବିଶ୍ୱାସ କରେନାହିଁ। ମୋ’ପାଇଁ ଏକମାତ୍ର ଧର୍ମ ହେଲା, କର୍ମ। ମୁଁ ମୋର କର୍ମକୁ ହିଁ ଧର୍ମ ରୂପେ ବାଛିନେଇଛି। ମୁଁ ମନ୍ଦିର କେବେ ଯାଇନାହିଁ, ପୂଜା କେବେ କରେନାହିଁ। କିନ୍ତୁ ଠାକୁରଙ୍କୁ ଅବମାନନା ମଧ୍ୟ କେବେ କରେନାହିଁ। ଅନ୍ୟର ଧର୍ମବିଶ୍ୱାସରେ ଆଘାତ ଦିଏନାହିଁ। ମୋ ବୋହୂ ଠାକୁର ପୂଜାପୂଜି କରେ; ପିଲାମାନେ ବି କରନ୍ତି। ସେଥିରେ ମୁଁ ବ୍ୟାଘାତ ସୃଷ୍ଟି କରେନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ଶିଶୁ ଓ କିଶୋର, ଉଭୟ ବର୍ଗର ପିଲାଙ୍କ ପାଇଁ ସାହିତ୍ୟ ସୃଷ୍ଟି କରିଛନ୍ତି। ନିଜ ବୟସର ତାରତମ୍ୟ ଅନୁସାରେ ପିଲାଟିର ଗୋଟିଏ ଲେଖାକୁ ଗ୍ରହଣ କରିବାର ସାମର୍ଥ୍ୟ ଥାଏ। ଆପଣଙ୍କର କ’ଣ ମନେହୁଏ ନାହିଁ ଯେ, ସାଧାରଣତଃ ଆମ ଶିଶୁସାହିତ୍ୟରେ ଲେଖାଟିଏ ଲେଖିବା ବେଳେ ପିଲାଙ୍କର ବୟସର ସ୍ତର ପ୍ରତି ଦୃଷ୍ଟି ଦିଆଯାଏନାହିଁ?
ବୀରେନ୍ଦ୍ର ସାମନ୍ତରାୟ: ଏହାର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି। କେଉଁ ବର୍ଗର ପିଲାଙ୍କ ପାଇଁ ଆମେ ଲେଖୁଛୁ, ସେଥିପ୍ରତି ଲେଖକମାନେ ସଚେତନ ହେବାକୁ ପଡ଼ିବ। ଏପରିକି ଶିଶୁ ଓ କିଶୋର ସାହିତ୍ୟ ମଧ୍ୟରେ ଥିବା ଫରକକୁ ମଧ୍ୟ ଅନେକେ ଗୁରୁତ୍ୱ ଦେଉନାହାନ୍ତି। ଉଭୟ ବର୍ଗର ପାଇଁ ଭାଷା ଓ ବିଷୟବସ୍ତୁ ଭିନ୍ନ ଭିନ୍ନ ପ୍ରକାରର ହେବା ଉଚିତ।
ସାହିତ୍ୟ ଚର୍ଚ୍ଚା: ଆପଣ ଯେତେବେଳେ ‘ଟୁଉକୁମୂଷି’ ପତ୍ରିକାର ସମ୍ପାଦନା କରୁଥିଲେ, ଶୁଣିଛୁ ଯେ ସେତେବେଳେ ତାହାର ଛଅ ହଜାର କପି ଛପା ହେଉଥିଲା। ଏ କଥା ଭାବିଲେ ଲାଗେ ଯେ ତାହା ଓଡ଼ିଆ ପତ୍ରପତ୍ରିକାମାନଙ୍କ ପାଇଁ ସ୍ୱର୍ଣ୍ଣିମ ଯୁଗ ଥିଲା। ଏବେ ତ ସେଥିରେ ଅବନତି ଘଟିଛି। ପଢ଼ିବାର ପ୍ରବୃତ୍ତି କମି ଆସିଲାଣି। ଏହାର କାରଣ କ’ଣ ହୋଇପାରେ?
ବୀରେନ୍ଦ୍ର ସାମନ୍ତରାୟ: ଆଜିର ମୋବାଇଲ୍ ସଂସ୍କୃତି ତାହାର ଗୋଟିଏ କାରଣ। ତା’ଛଡ଼ା ଇଂରାଜୀ ମାଧ୍ୟମ ଶିକ୍ଷାର ପ୍ରସାର ମଧ୍ୟ ଓଡ଼ିଆ ବହି ଓ ପତ୍ରପତ୍ରିକାର ଆଦୃତିରେ ଆଞ୍ଚ ଆଣିଛି।
ସାହିତ୍ୟ ଚର୍ଚ୍ଚା: ତା’ହେଲେ ଆମେ କ’ଣ ଆଶା ହରାଇଦେବା?
ବୀରେନ୍ଦ୍ର ସାମନ୍ତରାୟ: ସମୟକୁ ବୋଧହୁଏ ଆମେ ଆଉ ବଦଳାଇ ପାରିବୁନି। ସେତେବେଳର ଧାରା ଅଲଗା ଥିଲା, ବର୍ତ୍ତମାନ ଆଉ କିଛି ଚାଲିଛି।

ସାହିତ୍ୟ ଚର୍ଚ୍ଚା: ପିଲାମାନଙ୍କ ପାଇଁ ଲିଖିତ ଆପଣଙ୍କର ବହୁଚର୍ଚ୍ଚିତ ବହିଗୁଡ଼ିକ ମଧ୍ୟରେ ଗୋଟିଏ ହେଲା, ‘ରାଜାର ସ୍ୱପ୍ନ’, ଯେଉଁଟି ପାଇଁ ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏଥିରେ ଶିଶୁ ଉପଯୋଗୀ ଆଖ୍ୟାୟିକା ସହିତ ଆପଣ ବିଜ୍ଞାନକୁ ଯୋଡ଼ିଛନ୍ତି। ଆପଣ ମଣିଷର ଚନ୍ଦ୍ରଯାତ୍ରାର କଥା କହିଛନ୍ତି। ଏ ବହି ଲେଖିବା ପଛରେ ଆପଣଙ୍କର ମୁଖ୍ୟ ଆଭିମୁଖ୍ୟ କ’ଣ ଥିଲା?
ବୀରେନ୍ଦ୍ର ସାମନ୍ତରାୟ: ମୁଁ ଚାହେ ଯେ କେବଳ ଗଳ୍ପ ଓ କବିତାକୁ ନେଇ ଶିଶୁସାହିତ୍ୟ ସୃଷ୍ଟି ନ ହେଉ; ଏଥିରେ ବିଜ୍ଞାନର କଥା ମଧ୍ୟ ରହୁ। ଅବଶ୍ୟ ମୁଁ କଳାର ଛାତ୍ର, ବିଜ୍ଞାନର ନୁହେଁ। ତଥାପି ବିଜ୍ଞାନ ସହିତ ଛାତ୍ରଙ୍କୁ ଅଭ୍ୟସ୍ତ କରିବାକୁ ଚେଷ୍ଟା କରିଥାଏ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ବୃତ୍ତିଗତ ଜୀବନରେ ଜଣେ ଶିକ୍ଷକ ଥିଲେ। ଏହି ବୃତ୍ତି ଶିଶୁମାନଙ୍କର ପାଠକୀୟ ମାନସିକତାକୁ ବୁଝିବା ପାଇଁ ଆପଣଙ୍କୁ କିପରି ସାହାଯ୍ୟ କରିଛି?
ବୀରେନ୍ଦ୍ର ସାମନ୍ତରାୟ: ସମସ୍ତ ଲେଖା ମୁଁ ନିଜ ହାତରେ ଲେଖେ; ଲେଖିସାରିବା ପରେ ମୋ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କୁ ପଢ଼ିକରି ଶୁଣାଏ, ସେମାନଙ୍କୁ ପଢ଼ାଏ ମଧ୍ୟ। ଏହା ସେମାନଙ୍କର ମନକୁ ପାଇଲା କି ନାହିଁ ତାହା ବୁଝି ଲେଖାରେ କିଛି ପରିବର୍ତ୍ତନ ଆବଶ୍ୟକ ଥିଲେ ତାହା କରେ।
ସାହିତ୍ୟ ଚର୍ଚ୍ଚା: ଏହି ପାଳସାହି ଗାଆଁରେ ଥିବା ଆପଣଙ୍କର ବାସଭବନରେ ଆପଣ ବଡ଼ ଶିଶୁସାହିତ୍ୟ ସଂଗ୍ରହାଳୟଟିଏ ଗଢ଼ିଛନ୍ତି। ଏଠାରେ ପୁରାତନଠାରୁ ନେଇ ନୂତନ ପର୍ଯ୍ୟନ୍ତ, ବିଭିନ୍ନ ପ୍ରକାର ବହି ଓ ପତ୍ରପତ୍ରିକା ସଂରକ୍ଷିତ ହୋଇ ରହିଛି। ଏହାର ଅନୁଭବ କହିବେ କି?
ବୀରେନ୍ଦ୍ର ସାମନ୍ତରାୟ: ଏଠାକୁ ବିଭିନ୍ନ ଆଡ଼ୁ ଗବେଷକମାନେ ଆସୁଛନ୍ତି ଶିଶୁସାହିତ୍ୟ ବିଷୟରେ ଗବେଷଣା ପାଇଁ। ମୁଁ ଖୁସି ଯେ ଏହା ସମାଜର କାର୍ଯ୍ୟରେ ଲାଗୁଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଦୀର୍ଘ ୬୫ ବର୍ଷର ସାରସ୍ୱତ ସାଧନା ପ୍ରତି ନିଜକୁ ସମର୍ପିତ କରିବାପରେ ଜୀବନଯାତ୍ରାର ଏହି କ୍ଷଣରେ ଛିଡ଼ାହୋଇ ଯେତେବେଳେ ପଛକୁ ଚାହାଁନ୍ତି, ମନ ଭିତରେ କେବେ ଅବସୋସ ଆସେ କି, ଯେ ଆଉ କିଛି ମଧ୍ୟ କରିପାରିଥାନ୍ତି, କିନ୍ତୁ ପାରିଲିନି?
ବୀରେନ୍ଦ୍ର ସାମନ୍ତରାୟ: ଏ ବିଷୟରେ ମୁଁ ‘ଉତ୍କଳ ପ୍ରଦୀପ’ର ଶେଷ ଖଣ୍ଡରେ ଲେଖିଛି। ସେମିତି କିଛି ଅବସୋସ ନାହିଁ। ସାଧାରଣ ଭାବରେ ଜୀଉଁଛି, ଗଣ୍ଡେ ଖାଉଛି, ଧୋତି, ଚଦର ଓ ଗାମୁଛାରେ ମୋର ଚଳିଯାଉଛି। ବାହାରକୁ ଗଲେ ଓତାଟିଏ ଦେହରେ ପକାଉଛି; ମୁଁ କେବେ ସାର୍ଟ ପିନ୍ଧିନାହିଁ। ଖାଇବା ମଧ୍ୟ ସାଧାରଣ। ସକାଳେ ଟିକିଏ ମାଣ୍ଡିଆ ଜାଉ, ସନ୍ତୁଳା ଟିକିଏ, ଶାଗ ଟିକିଏ। ଏମିତି ଚାଲିଛି ଜୀବନ।
ସାହିତ୍ୟ ଚର୍ଚ୍ଚା: ଆମ ଏବର ଉଦୀୟମାନ ଶିଶୁସାହିତ୍ୟିକମାନଙ୍କ ପାଇଁ ଆପଣ କିଛି ପରାମର୍ଶ ଦେବାକୁ ଚାହିବେ କି?
ବୀରେନ୍ଦ୍ର ସାମନ୍ତରାୟ: କେହି ଗ୍ରହଣ କରିବେ ନାହିଁ। ନୂଆ ପିଢ଼ିର ଶିଶୁସାହିତ୍ୟିକମାନେ ନିଜର ଦୃଷ୍ଟିଭଙ୍ଗୀ ନେଇ ଲେଖୁଛନ୍ତି; ସେମାନେ ଆମ କଥା କାହିଁକି ଗ୍ରହଣ କରିବେ? କେବଳ ଏତିକି କହିବି ଯେ ପିଲାମାନଙ୍କର ମନକୁ ବୁଝି, ଲେଖନ୍ତୁ। କେବଳ ନିଜର ପ୍ରତିଷ୍ଠା ପାଇଁ ଲେଖନ୍ତୁ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଶିଶୁ ମନସ୍ତତ୍ତ୍ୱକୁ ଅତ୍ୟନ୍ତ ଭଲଭାବରେ ବୁଝି ସାହିତ୍ୟର ରୂପ ଦେଇ ଅନେକ ଖ୍ୟାତି ଅର୍ଜନ କରିଥିବା ବୀରେନ୍ଦ୍ର ସାରଙ୍କ ସହ ସାକ୍ଷାତକର ପଢ଼ି ତାଙ୍କର ଜୀବନରେ ଘଟି ଯାଇଥିବା ଅନେକ ଘଟଣାବଳୀକୁ ଜାଣିବାକୁ ପାଇଲି। ଭଲ ଲାଗିଲା।