
କୃତି ବିଭିନ୍ନ ରକମର ହୋଇପାରେ; ଯଥା ସାହିତ୍ୟକୃତି, କଳାକୃତି, ସଂଗୀତକୃତି, ସ୍ଥାପତ୍ୟକୃତି ଓ ଏମିତି ଆହୁରି କେତେ କଣ। ପ୍ରତ୍ୟେକଟି କୃତି ପଛରେ ବ୍ୟକ୍ତିଟିଏ ତ ନିଶ୍ଚୟ ଥାଏ, ଯାହାର ନିପୁଣ ହାତର ସ୍ପର୍ଶ ବା କଳାକୌଶଳ ବଳରେ ସେହି କୃତିଟି ଗଢ଼ା ହୋଇଥାଏ। କିନ୍ତୁ ପ୍ରଶ୍ନ ଉଠେ, ଗୋଟିଏ କୃତିର ମାନ ସହିତ ସେହି ନିପୁଣ ହାତର ଅଧିକାରୀ ହୋଇଥିବା ବ୍ୟକ୍ତି ଜଣକର ସମ୍ପର୍କ କି ଧରଣର ହୋଇଥାଏ?
ଆମ ପତ୍ରିକାର ଗତ ସଂଖ୍ୟାରେ, ଲେଖକମାନଙ୍କ ରଚନାର ଗୁଣାତ୍ମକ ମାନ ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନର ନୀତି-ନୈତିକତାକୁ ଯୋଡ଼ିବା ଉଚିତ କି ନୁହେଁ, ସେ ବିଷୟରେ ଆଲୋଚନା କରିଛନ୍ତି ପ୍ରବୀଣ ପ୍ରାବନ୍ଧିକ ଛାୟାକାନ୍ତ ଷଡ଼ଙ୍ଗୀ। ଏଇଟି ପଢ଼ିବା ପରେ ଆମ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ କୌଣସି ସାହିତ୍ୟକୃତିର ସ୍ତର ନିର୍ଦ୍ଧାରଣ କରିବା ବେଳେ ଆମେ ଅଚେତନ ଭାବରେ ସେହି ଲେଖକଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ ନିଜର ବିବେଚନାର ପରିସର ଭିତରକୁ ନେଇଆସୁ କି? ଏହା ଯଦି ହେଉଥାଏ, ତେବେ ତାହା କେତେ ମାତ୍ରାରେ ସଙ୍ଗତ? ଏହି ପ୍ରସଙ୍ଗରେ ଜେମ୍ସ୍ ଜୟେସ୍, ଲିଓ ଟଲଷ୍ଟୟ ଓ ଫକୀରମୋହନଙ୍କ ଜୀବନର କେତେକ ନୈତିକ ସ୍ଖଳନ ବିଷୟରେ ଚର୍ଚ୍ଚା କରି ପ୍ରାବନ୍ଧିକ ମହୋଦୟ ଦର୍ଶାଇଛନ୍ତି ଯେ ନିଜ ଜୀବନର ଏସବୁ ନକାରାତ୍ମକତା ସତ୍ତ୍ୱେ ସେମାନଙ୍କର ରଚନାରେ ଉଚ୍ଚକୋଟିର ଗୁଣାତ୍ମକତା ବଜାୟ ରହିଛି।
ଏହି ପ୍ରସଙ୍ଗରେ ମନେପଡ଼େ, ଇଂରାଜୀ କବିତାରେ ଆଧୁନିକତାର ଅନ୍ୟତମ ପ୍ରବର୍ତ୍ତକ ଟି.ଏସ୍. ଇଲିୟଟ୍ଙ୍କର ଏକ ଚର୍ଚ୍ଚିତ ଉକ୍ତି, ଯେଉଁଥିରେ କୁହାଯାଇଛି ଯେ ଗୋଟିଏ କବିତାରେ ସମ୍ପୃକ୍ତ କବିଙ୍କର ବ୍ୟକ୍ତିତ୍ୱର ପ୍ରତିଫଳନ ହେବା ଜରୁରୀ ନୁହେଁ; ବରଂ କବିଜଣକ ନିଜ ବ୍ୟକ୍ତିତ୍ୱର ସରହଦରୁ ଉଚିତ ଦୂରତା ରକ୍ଷା କରି, ଅର୍ଥାତ୍ କେବଳ ଏକ ‘କାଟାଲିଷ୍ଟ୍’ର ଭୂମିକା ନେଇ, ନୈର୍ବ୍ୟକ୍ତିକ ଭାବରେ ନିଜ ରଚନାର ସର୍ଜନା କରିବା ଉଚିତ। ଗତ ଶତାବ୍ଦୀର ମଧ୍ୟଭାଗରେ ଇଂରାଜୀ ସାହିତ୍ୟରେ ମୁଣ୍ଡ ଟେକିଥିବା ‘ନିଉ କ୍ରିଟିସିଜମ୍’ ନାମକ ଏକ ଚିନ୍ତାଧାରାର ମୂଳ ନୀତି ଏହା ହିଁ ଥିଲା। ତାହା ଅନୁସାରେ, ଗୋଟିଏ ରଚନାର ଗୁଣମାନ ନିର୍ଣ୍ଣୟ କରିବାପାଇଁ ତାହାର କବି ବା ଲେଖକଙ୍କ ଜୀବନୀଗତ ଦିଗକୁ ବିଚାରକୁ ନିଆଯିବାର କୌଣସି ଆବଶ୍ୟକତା ନାହିଁ। ବରଂ ସେହି ରଚନାରେ ଅନ୍ତର୍ନିହିତ ଭାଷା, ଭାବ ଓ ଶୈଳୀ ଆଦିର ସ୍ତରକୁ ଆଧାର କରି ହିଁ ଏହି ନିର୍ଣ୍ଣୟ ନିଆଯିବା ଉଚିତ।
ପାଠକେ ଲକ୍ଷ୍ୟ କରିଥିବେ ଯେ ଆମ ପତ୍ରିକାରେ ପ୍ରକାଶିତ ଲେଖାଗୁଡ଼ିକ ସହିତ ସଂପୃକ୍ତ ଲେଖକଙ୍କର ବ୍ୟକ୍ତିଗତ ପରିଚୟ ବା ଠିକଣା ଦିଆଯାଏ ନାହିଁ। ଏହା ପରୋକ୍ଷରେ ‘ନିଉ କ୍ରିଟିସିଜମ୍’ର ନୀତି ଉପରେ ପର୍ଯ୍ୟବସିତ। ଆମେ ବିଶ୍ୱାସ କରୁ ଯେ ଲେଖକଙ୍କ ଲେଖା ହିଁ ତାଙ୍କର ଏକମାତ୍ର ପରିଚୟ ହେବା ଉଚିତ। ରଚନାଟିଏ ପଢ଼ିଲେ ତାହା ଭିତରୁ ଲେଖକର ଗୋଟିଏ ନିଆରା ବ୍ୟକ୍ତିତ୍ୱ ଉକୁଟୁଥାଏ। ଜଣେ ପ୍ରକୃତ ପାଠକ ସେହି ପରିଚୟକୁ ହିଁ ସ୍ୱୀକୃତି ଓ ସମ୍ମାନ ଦିଏ। ଲେଖାଟିଏ ପଢ଼ିବା ବେଳେ କୌଣସି ପାଠକ ପାଇଁ ଏହା ଜାଣିବା ଅନାବଶ୍ୟକ ଯେ ସେଇଟିର ଲେଖକ ଜଣେ ଉଚ୍ଚ ପଦାଧିକାରୀ, ବଡ଼ ଉଦ୍ୟୋଗପତି, ନା ଗାଆଁର ଜଣେ ସାଧାରଣ କୃଷକ, କି ଛାତ୍ରଟିଏ। ଲେଖକ ଜଣଙ୍କୁ ପାଠକ ପାଖରେ ଚିହ୍ନାଇଦେବା ପାଇଁ କେବଳ ତାଙ୍କର ଲେଖାଟି ହିଁ ଯଥେଷ୍ଟ; ତାଙ୍କର ଅନ୍ୟ କୌଣସି ପୃଷ୍ଠଭୂମି ଏହି ପ୍ରସଙ୍ଗରେ କିଛି ମାନେ ରଖେନାହିଁ।
ଅବଶ୍ୟ ଜଣେ ଲେଖକଙ୍କ ବାସ୍ତବ ବ୍ୟକ୍ତିତ୍ୱର କିଛି ନା କିଛି ପ୍ରଭାବ ଯେ ତାଙ୍କର ଲେଖା ଉପରେ ପଡ଼ିଥାଏ, ସେକଥା ଆମେ ସ୍ୱୀକାର କରୁ। କିନ୍ତୁ ସେହି ବ୍ୟକ୍ତିତ୍ୱଟିକୁ ଆମେ ଲେଖାର ସର୍ବସ୍ୱ ବୋଲି ମଣିବା ଉଚିତ ନୁହେଁ, କି ତାହାକୁ ମାତ୍ରାଧିକ ଗୁରୁତ୍ୱ ଦେବା ମଧ୍ୟ ଉଚିତ ନୁହେଁ।
ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )