ଗଣଔପନ୍ୟାସିକ ଭାଗୀରଥି ଦାସଙ୍କ ସହ ସାରସ୍ୱତ ବାର୍ତ୍ତାଳାପ

ମୁଁ ମାଆ ଶାରଳାଙ୍କର ଆଶୀର୍ବାଦ ପ୍ରାପ୍ତ। ତାଙ୍କରି ପ୍ରେରଣାରେ ମୁଁ ଲେଖୁଛି।

ଓଡ଼ିଶାର ଗଣଔପନ୍ୟାସିକ ଭାବରେ ପରିଚିତ ଭାଗୀରଥି ଦାସ ପାଞ୍ଚ ଶହରୁ ଅଧିକ ଉପନ୍ୟାସର ସ୍ରଷ୍ଟା। ଏହି ଉପନ୍ୟାସଗୁଡ଼ିକ ବ୍ୟତୀତ ସେ ପ୍ରାୟ ୨୫ ଖଣ୍ଡ ନାଟକ ଓ ୧୮ ଖଣ୍ଡ ଗଳ୍ପ ସଂକଳନ ମଧ୍ୟ ରଚନା କରିଛନ୍ତି। ସାମାଜିକ ସଂସ୍କାର ଓ ବ୍ୟକ୍ତିଜୀବନର ବାର୍ତ୍ତା ବହନ କରୁଥିବା ତାଙ୍କର ଉପନ୍ୟାସଗୁଡ଼ିକ ଗୋଟିଏ ସମୟରେ ଓଡ଼ିଶାର ଘରେ ଘରେ ଆଦୃତ ହୋଇଥିଲେ, ତଥା ଓଡ଼ିଆ ପାଠକଙ୍କ ମଧ୍ୟରେ ପୁସ୍ତକ ପଠନର ନିଶା ଜଗାଇବାର ଭୂମିକା ତୁଲାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୦ ମସିହାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୧୯୩୯ ମସିହାରେ ଜନ୍ମିତ ଏହି ବର୍ଷୀୟାନ୍ ଉପନ୍ୟାସକାରଙ୍କର ଜଗତସିଂହପୁର ଉପକଣ୍ଠ ପାଟେଣୀଗାଁରେ ଥିବା ବାସଭବନକୁ ଯାଇ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ଆତ୍ମଜୀବନୀରେ ଲେଖିଛନ୍ତି, ସେତେବେଳେ କିଭଳି କଟକର ପ୍ରକାଶକମାନେ ଆସି ଆପଣଙ୍କ ପାଖରେ ବସି ରହୁଥିଲେ ଏବଂ ରାତି ବିତାଉଥିଲେ ଆପଣଙ୍କ ଘରେ, ଯେମିତିକି ଆପଣ ଉପନ୍ୟାସଟିଏ ଲେଖିବା ସାରିଲେ, ସେମାନେ ପ୍ରଥମେ ହିଁ ପାଇବେ ସେଇଟି। ସେଦିନର ଓଡ଼ିଆ ବହିର ସେହି ଚାହିଦା ଓ ଆଜିର ବିପରୀତ ଚିତ୍ର, ଏ ପରିବର୍ତ୍ତନଟା କେମିତି ଆସିଲା?
ଭାଗୀରଥି ଦାସ: ସେ ସମୟରେ, ଓଡ଼ିଆ ସାହିତ୍ୟ ବଞ୍ଚିରହୁ, ଉନ୍ନତି କରୁ, ଆହୁରି ଆଗକୁ ଚାଲୁ, ଏହା ଗୋଟିଏ ପ୍ରସଙ୍ଗ ନଥିଲା। ସମୟ ବିତାଇବା ପାଇଁ କେବଳ ଗାଆଁର ଭାଗବତ ଟୁଙ୍ଗି, ଗ୍ରାମୋଫୋନ୍ ରେକର୍ଡର ଗୀତ, ଦାସକାଠିଆ ଓ ପାଲା ଆଦି ଯାହା ମନୋରଞ୍ଜନର ମାଧ୍ୟମ ଭାବରେ ରହିଥିଲା।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏ ସବୁ ପାଠକକୁ ସେଭଳି ଭାବରେ ଅକ୍ତିଆର କରିନଥିଲା, ଯାହା ଆଜିକାଲି କରିଛି ମୋବାଇଲ୍ ଆଉ ଟି.ଭି।
ଭାଗୀରଥି ଦାସ: ସେମିତି ଅବଶ୍ୟ ହୋଇନଥିଲା।
ସାହିତ୍ୟ ଚର୍ଚ୍ଚା: ତେବେ ଏ ଦୃଷ୍ଟିରୁ, ସେବର ମଣିଷ ପାଇଁ ଜ୍ଞାନ ଅର୍ଜନ ଓ ମନୋରଞ୍ଜନର କ’ଣ ଗୋଟିଏ ମୁଖ୍ୟ ମାଧ୍ୟମ ଥିଲା ବହି?
ଭାଗୀରଥି ଦାସ: ବହି ଆଜ୍ଞା ଥିଲା ମୁଖ୍ୟ; ଭାଗବତ ହେଉ, ରାମାୟଣ ହେଉ ବା ମହାଭାରତ ହେଉ, ତା’ଛଡ଼ା ଉପନ୍ୟାସ ମଧ୍ୟ, ଏସବୁ ପାଠକମାନଙ୍କର ଅତି ପ୍ରିୟ ଥିଲା। ଏମିତିକି ଧାର କରଜ କରି ଲୋକେ ବହି କିଣୁଥିଲେ।

ସାହିତ୍ୟ ଚର୍ଚ୍ଚା: ସେତେବେଳେ ତ ପ୍ରକାଶକମାନେ ଆସି ଏଠି ବସୁଥିଲେ ଏବଂ ଆପଣ ଶହ ଶହ ସଂଖ୍ୟାରେ ଉପନ୍ୟାସ ଲେଖି ସେମାନଙ୍କର ଚାହିଦା ପୂରଣ କରୁଥିଲେ। ତେବେ ଯାହା ଆପଣ ନିଜର ଆତ୍ମଜୀବନୀରେ ଲେଖିଛନ୍ତି, ଆପଣଙ୍କ ଜୀବନ ସଂଘର୍ଷମୟ ଥିଲା ଏବଂ ଆପଣଙ୍କୁ ଦାରିଦ୍ର୍ୟର କଷଣ ମଧ୍ୟ ସହିବାକୁ ପଡୁଥିଲା। ସେତେବେଳେ ଆପଣ ଚାଳଛପର ଘରେ ରହୁଥିଲେ। କିନ୍ତୁ ଆଜି ଏଠାରେ ଆମେ ଦେଖୁଛୁ ଯେ ତାହା ଏକ ସୁଦୃଶ୍ୟ କୋଠାରେ ପରିଣତ ହୋଇଯାଇଛି। ଚାଳଘରୁ କୋଠାଘର ପର୍ଯ୍ୟନ୍ତ ଏହି ଯାତ୍ରାରେ କ’ଣ ଓଡ଼ିଆ ଉପନ୍ୟାସର କିଛି ଅବଦାନ ଅଛି?
ଭାଗୀରଥି ଦାସ: ଉପନ୍ୟାସର ଅବଦାନ ନାହିଁ କାହିଁକି! ଅଛି। ଏ କ୍ଷେତ୍ରରୁ ମଧ୍ୟ ଦୁଇ ପଇସା ମିଳିଛି। କିନ୍ତୁ ମୁଁ ଅର୍ଥ ଉପାର୍ଜନ ପାଇଁ କେବେ ଲେଖିନାହିଁ। ନିଜର ଇଚ୍ଛାମତେ ପ୍ରକାଶକମାନେ ଯାହା ଦିଅନ୍ତି, ତାହା ସ୍ୱୀକାର କରିଛି। ଲେଖିବା ପଛରେ ମୋ’ର ମୂଳ ଉଦ୍ଦେଶ୍ୟ ଥିଲା, ସମାଜକୁ ସଦ୍‌ବାର୍ତ୍ତା ଦେବି; ଜୀବନରେ ସତ୍ୟ ଓ ନିଷ୍ଠା ବଳରେ ଲୋକଙ୍କୁ ଠିକ୍ ବାଟରେ ଯିବାର ରାହା ଦେଖାଇବି। ପରିବାରଟି ଭିତରେ ସ୍ନେହ ଓ ମମତାର ପରିବେଶ ପାଇଁ ଖୋରାକ ଯୋଗାଇବି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଉପନ୍ୟାସଗୁଡ଼ିକରେ ଥିବା ଏହି ସନ୍ଦେଶଗୁଡ଼ିକ ହିଁ ବେଶି ଗୁରୁତ୍ୱପୂର୍ଣ୍ଣ। କାରଣ ଆମେ ଜାଣୁ, ବ୍ୟାବସାୟିକ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଆପଣ ଉପନ୍ୟାସ ଲେଖନ୍ତି ନାହଁ।
ଭାଗୀରଥି ଦାସ: ସେଭଳି କେବେ କରିନାହିଁ। ସରକାରଙ୍କ ଜଣେ ଗ୍ରାମ୍ୟ କୃଷି କର୍ମଚାରୀ ଭାବରେ ଗ୍ରାମାଞ୍ଚଳରେ ବୁଲିବାର ସୁଯୋଗ ପାଇଛି। ସହର ସହିତ ମୋ’ର ସମ୍ପର୍କ କିଛି ନ ଥିଲା। ବିଭିନ୍ନ ଗ୍ରାମ ବୁଲି ମୁଁ ଅନୁଭବ କରିଛି ଯେ ଏଠି ପ୍ରତ୍ୟେକ ପରିବାର ହେଉଛି ଗୋଟିଏ ଗୋଟିଏ କାହାଣୀ। ପ୍ରତ୍ୟେକ ଚାଷୀର ଜୀବନରେ ଲେଖିବାଯୋଗ୍ୟ କିଛି ନା କିଛି ଘଟୁଥାଏ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ନିଜର ବହି ପାଇଁ କଥାବସ୍ତୁ ଅମଳ କରୁଥିଲେ ଗାଁ’ଗହଳର ସେହି ଚାଷ ଜମିରୁ! ଏଥିପାଇଁ ବୋଧହୁଏ ଆପଣଙ୍କ ଉପନ୍ୟାସ ଗାଆଁର ସାଧାରଣ ଲୋକଙ୍କୁ ଅଧିକ ସ୍ପର୍ଶ କରୁଥିଲା।
ଭାଗୀରଥି ଦାସ: ହଁ, ମୁଁ ଯେଉଁ ଲେଖାଟି ଲେଖେ, ତାହା ପଢ଼ି ପ୍ରତ୍ୟେକ ପାଠକ ଭାବେ ଯେ ଏଥିରେ ତାହାରି କଥା ହିଁ ଲେଖା ହୋଇଛି।
ସାହିତ୍ୟ ଚର୍ଚ୍ଚା: ଆମେ ଟିକିଏ ଆଗରୁ ଯାହା କହୁଥିଲୁ, ସାମାଜିକ ବା ବ୍ୟକ୍ତି ଜୀବନର ଉତ୍ଥାନ ପାଇଁ ଗୋଟିଏ ସନ୍ଦେଶ ଆପଣଙ୍କ ଉପନ୍ୟାସରେ ରହିଥାଏ। ଏହା କ’ଣ ଗୋଟିଏ କାରଣ, ଯେଉଁଥିପାଇଁ ସେକାଳରେ ଝିଅମାନେ ବାହା ହୋଇ ଶାଶୁଘରକୁ ଯିବାବେଳେ, ସେମାନଙ୍କ ପେଡ଼ିରେ ଆପଣଙ୍କର କେତୋଟି ଉପନ୍ୟାସ ରଖିଦିଆଯାଉଥିଲା?
ଭାଗୀରଥି ଦାସ: ହଁ ଏହା ହେଉଥିଲା। ଏ ଦୃଷ୍ଟିରୁ ଯେଉଁ ବହିଗୁଡ଼ିକ ବିଶେଷ ଭାବରେ ଆଦୃତ ହେଉଥିଲା, ସେଥି ଭିତରେ ଥିଲା, ‘ଝିଅଲୋ ମୋ’ର ବୋଲ କର’, ‘ପର ଝିଅ ଘର ଭାଙ୍ଗେନା’, ‘ଭାଇ ନୁହେଁ ଭଗବାନ’, ‘ଦୁହିତା ଦୁଇ କୁଳକୁ ହିତା’ ପ୍ରଭୃତି। ଏଥିରେ ପରିବାରଟିକୁ ଉଚିତ ମାର୍ଗରେ ଗଢ଼ିବା ବିଷୟରେ ଦିଗ୍‌ଦର୍ଶନ ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣ ପାଞ୍ଚ ଶହରୁ ଅଧିକ ଉପନ୍ୟାସ ଲେଖିଛନ୍ତି ଯାହା ଗାଁ’ଗହଳର ପାଠକମାନଙ୍କୁ ପ୍ରଭାବିତ କରିଛି। ଏ ଦୃଷ୍ଟିରୁ ଆପଣ ଜଣେ ଗଣଔପନ୍ୟାସିକ ବୋଲି କୁହାଯାଇପାରିବ କି?
ଭାଗୀରଥି ଦାସ: ମୁଁ ଗଣ ପାଇଁ ହିଁ ଲେଖେ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣ କାହିଁକି ଶ୍ରେଣୀ-ଔପନ୍ୟାସିକ ହୋଇପାରିଲେନି, ଅର୍ଥାତ୍ ସମ୍ଭ୍ରାନ୍ତ ଶ୍ରେଣୀର ଔପନ୍ୟାସିକ, ଯେଉଁମାନଙ୍କ ଭାଗରେ ପଡ଼ିଥାଏ ସାହିତ୍ୟ-ପୁରସ୍କାର ଓ ସ୍ୱୀକୃତି। ସେହି ଶ୍ରେଣୀରେ ପ୍ରବେଶ କରିବାପାଇଁ କ’ଣ ଆପଣ କେବେ ଆଶାୟୀ ହୋଇନାହାନ୍ତି?
ଭାଗୀରଥି ଦାସ: ମୁଁ ଆଜ୍ଞା, ମାଆ ଶାରଳାଙ୍କର ଆଶୀର୍ବାଦ ପ୍ରାପ୍ତ। ତାଙ୍କରି ପ୍ରେରଣାରେ ମୁଁ ଲେଖୁଛି। ତେଣୁ କେବେ ଆଶା କରିନାହିଁ ଯେ ମୋତେ ପୁରସ୍କାର ମିଳୁ। କିନ୍ତୁ ଏ କଥା ଜାଣିଛି, ଯେ ସମୟ ଆସିଲେ ପରିଶ୍ରମର ମୂଲ୍ୟ ଈଶ୍ୱର ନିଶ୍ଚିତ ଭାବରେ ଦେବେ। ଏବେ ସୁଦ୍ଧା ବହିଗୁଡ଼ିକର ଯାହାବି ପ୍ରଚାର, ପ୍ରସାର ହୋଇଛି, ସେସବୁ ଘଟିଛି ଆକସ୍ମିକ ଭାବରେ। ମୁଁ ନିଜେ ଚାହିକରି ଏସବୁ ହୋଇନାହିଁ।
ସାହିତ୍ୟ ଚର୍ଚ୍ଚା: ତଥାପି ଆପଣଙ୍କ ମନରେ କ’ଣ କେବେ ଟିକିଏ ଅବସୋସ ଆସିନି, ଯେ ଆପଣ ସାମଗ୍ରିକ ଭାବରେ ଏତେ ସଂଖ୍ୟକ ଉପନ୍ୟାସ ଲେଖିଥିବା ସତ୍ତ୍ୱେ ଓଡ଼ିଆ ସାହିତ୍ୟର ମୁଖ୍ୟ ଧାରାରେ ନିଜର ପରିଚୟ ସୃଷ୍ଟି କରିବାରୁ ବଞ୍ଚିତ ହେଲେ?
ଭାଗୀରଥି ଦାସ: ଦେଖନ୍ତୁ, ମୁଁ ଗୋପୀନାଥ ମହାନ୍ତିଙ୍କଠାରୁ ଆରମ୍ଭ କରି କାହ୍ନୁଚରଣ ମହାନ୍ତି, ମାୟାଧର ମାନସିଂହ, ଉଦୟନାଥ ଷଡ଼ଙ୍ଗୀ, ରବି ସିଂ – ଏସବୁ ବଡ଼ ବଡ଼ ଲେଖକଙ୍କ ଲେଖା ପ୍ରବଳ ଭାବରେ ପଢ଼ିଛି, ୫୭ – ୫୮ ମସିହାର କଥା କହୁଛି।
ସାହିତ୍ୟ ଚର୍ଚ୍ଚା: ଏହି ଯେଉଁମାନଙ୍କୁ ପଢ଼ିଛନ୍ତି, କେବେ ଇଚ୍ଛା ହୋଇନି, ଏମାନଙ୍କ ସମକକ୍ଷ ଟିକିଏ ସ୍ୱୀକୃତି ପାଇବା ପାଇଁ?
ଭାଗୀରଥି ଦାସ: ମୁଁ ସେତିକି ଯୋଗ୍ୟ ନୁହେଁ ଆଜ୍ଞା, ସେମାନଙ୍କ ପାଦ ଧୂଳି ପାଇଁ ମଧ୍ୟ। ଏମାନେ ସବୁ ଭଗବାନ ଥିଲେ। ତାଙ୍କର ସମକକ୍ଷ ହେବା ପାଇଁ ଭାବିବାଟା ମୋ’ ପାଇଁ ପାପ ହେବ।
ସାହିତ୍ୟ ଚର୍ଚ୍ଚା: ଆପଣ ଯେତେବେଳେ ନିଜ ଲେଖକୀୟ ଜୀବନର ଶୀର୍ଷରେ ଥିଲେ, ଆମେ ଶୁଣିଛୁ ଯେ ଥରେ କେଉଁଠି ଏକ ସଭାରେ ଦର୍ଶକ ମଣ୍ଡଳୀ ଭିତରେ ଆପଣ ବସିଥିଲେ; ସେତେବେଳେ ମଞ୍ଚ ଉପରେ କୁଆଡ଼େ ଜଣେ ବକ୍ତା କହିଲେ ଯେ ଭାଗୀରଥି ଦାସ ଆଉ ଜୀବିତ ନାହାନ୍ତି। ଏହା ସତ କି?
ଭାଗୀରଥି ଦାସ: ସେଇଟା ୨୦୦୯ ମସିହାର ଘଟଣା। କଥା ହେଲା, ମୋ’ର ପାଠକ ପାଠିକାମାନେ ତ ବୁଢ଼ାବୁଢ଼ୀ ହୋଇଗଲେଣି, ତେଣୁ ସେମାନେ ଭାବିବା ସ୍ୱାଭାବିକ ଯେ, ମୁଁ ହୁଏତ ମରିଗଲିଣି। ସେଦିନ ଟାଉନ୍ ହଲ୍‌ରେ ହେଉଥିବା ଏକ ସଭାରେ ଡକ୍ଟର ହୁସେନ୍ ରବି ଗାନ୍ଧୀ କହିଥିଲେ ଏକଥା। ସେ କହିଲେ, “ଜଗତସିଂହପୁରର ମାଟି ହେଉଛି ବଡ଼ ପବିତ୍ର ମାଟି, ଏହା ଶାରଳା ଠାକୁରାଣୀଙ୍କ ମାଟି। ଏଠାରେ ଗୋପାଳ ଛୋଟରାୟ, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ଭାଗୀରଥି ଦାସ – ଏମାନେ ସବୁ ଜନ୍ମ ହୋଇଛନ୍ତି। ଦୁଃଖର ବିଷୟ, ଭାଗୀରଥି ଦାସ ଆମ ଗହଣରେ ଆଉ ନାହାନ୍ତି।” ଏହା ଶୁଣି ମଞ୍ଚରେ ବସିଥିବା ସେତେବେଳର ବିଧାୟକ ବିଷ୍ଣୁ ଚରଣ ଦାସ କହିଲେ, “ଭାଗୀରଥି ବାବୁ ତ, ହେଇ ଆମ ଆଗରେ ବସିଛନ୍ତି।”
ସାହିତ୍ୟ ଚର୍ଚ୍ଚା: ଏ ସବୁ ଦେଖିଲେ, ଆପଣଙ୍କର ମନରେ କ’ଣ କ୍ଷୋଭ ଆସେନାହିଁ କି ଯେ, ‘ମୋର ସୁଦୀର୍ଘ ସାହିତ୍ୟ ଯାତ୍ରାରେ ମୁଁ ଅବହେଳିତ ହୋଇ ରହିଗଲି’?

ଭାଗୀରଥି ଦାସ: ଆଜ୍ଞା, ମୁଁ ମୋଟେ ଅବହେଳିତ ହୋଇନାହିଁ। ଯଦି ମୁଁ ଆଜି ବଞ୍ଚିଥାଏ, ମୋ’ର ପାଠକମାନଙ୍କର ଶ୍ରଦ୍ଧା ପାଇଁ ବଞ୍ଚିଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆଜିକାଲି ଯେଉଁମାନେ ପୁରସ୍କୃତ ହୁଅନ୍ତି, ପାଠକମାନଙ୍କ ଭିତରେ ସେମାନଙ୍କ ପରିଚୟ ନ ଥାଏ। ଆପଣ ତ ଠିକ୍ ଓଲଟା; ପାଠକମାନେ ଆପଣଙ୍କୁ କୋଳେଇ ନେଇଛନ୍ତି, କିନ୍ତୁ ଆପଣ ମଞ୍ଚର ମଣିଷ ହୋଇନାହାନ୍ତି।
ଭାଗୀରଥି ଦାସ: ସେଇଟା ମୋ’ର ଦୁର୍ଭାଗ୍ୟ କି ସୌଭାଗ୍ୟ, କହିପାରିବିନି। କିନ୍ତୁ ଗୋଟିଏ କଥା ଦେଖନ୍ତୁ, ଆପଣ ସୁଦୂର ଭୁବନେଶ୍ୱରରୁ ଏ ପ୍ରଚଣ୍ଡ ଖରାରେ ଆସି ମୋ’ ଦୁଆରେ ପହଞ୍ଚିଲେ; ଏଇଟା କ’ଣ ମୋ’ ପାଇଁ କମ୍ କଥା ବୋଲି ଆପଣ ଭାବୁଛନ୍ତି? ସେତିକି ଯଦି ଆପଣ ମୋତେ ଭଲ ପାଇନଥାଆନ୍ତେ, ତେବେ କେବେ ହେଲେ ଆସି ନ ଥାଆନ୍ତେ। ତେଣୁ ଅନ୍ୟମାନଙ୍କ ଆଖିରେ ମୁଁ ଯୋଗ୍ୟ ହୋଇସାରିଛି; ତଥାପି ନିଜକୁ ମୁଁ ଅଯୋଗ୍ୟ ମନେକରେ। ଓଡ଼ିଆ ସାହିତ୍ୟ ତ ଗୋଟିଏ ମହାସମୁଦ୍ର; ମୁଁ ତାହାର କୂଳରେ ଠିଆ ହୋଇଛି ମାତ୍ର।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଉପନ୍ୟାସ ସେଇ ସମୟରେ ଏତେ ଲୋକପ୍ରିୟ ଥିଲା ଯେ, ଶୁଣିଛୁ ଘରକୁ ଘର ଯେଉଁ ଯୋଗୀମାନେ ବୁଲୁଥିଲେ କେନ୍ଦରା ବଜାଇ, ସେମାନଙ୍କର ଝୁଲାମୁଣିରେ ଆପଣଙ୍କର ଉପନ୍ୟାସ ରହୁଥିଲା। ଗାଁ’ର ଝିଅବୋହୂମାନେ ଘରୁ ଚାଉଳ ଦେଇ ସେହି ବହିଗୁଡ଼ିକ କିଣୁଥିଲେ।
ଭାଗୀରଥି ଦାସ: ସେତେବେଳେ ବିଭିନ୍ନ ଗାଆଁରେ ଯେଉଁ ଯାନିଯାତ୍ରା ହୁଏ, ସେଥିରେ ପ୍ରବଳ ବିକ୍ରି ହୁଏ ବହିଗୁଡ଼ିକ। ଆମରି ଜଗତସିଂହପୁରର ଜଣେ ବ୍ୟକ୍ତି ଅଟୋରିକ୍ସାରେ ବହିଗୁଡ଼ିକ ନେଇ କୋରାପୁଟ, କଳାହାଣ୍ଡି, ସମ୍ବଲପୁର, ଆଠଗଡ଼ ଓ ଢ଼େଙ୍କାନାଳ ପ୍ରଭୃତି ଅଞ୍ଚଳରେ ତାହା ବୁଲିକରି ବିକୁଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣ କିଛି ମିନିଟ୍ ପାଇଁ ନିଜ ବହିର ଜଣେ ସମୀକ୍ଷକର ଭୂମିକାକୁ ଓହ୍ଲାଇ ଆସନ୍ତୁ; ଆଉ କୁହନ୍ତୁ ଭାଗୀରଥି ଦାସଙ୍କର ଏହି ଗଭୀର ପାଠକୀୟ ଆଦୃତିର ମୂଳ ହେତୁ କ’ଣ ଥିଲା?
ଭାଗୀରଥି ଦାସ: ସେତେବେଳେ ଗୋଟିଏ ଅନ୍ଧବିଶ୍ୱାସ ଥିଲା; ଗୁଣିଆ ଯଦି କାହାକୁ ଝାଡ଼ିବାକୁ ଯାଏ ତେବେ ପ୍ରଥମେ ତା ଦେହକୁ କିଳିଦିଏ, ଯେମିତିକି ଭୁତ ତା’ ଦେହ ଭିତରେ ପ୍ରବେଶ ନ କରନ୍ତି। ସେମିତି ପ୍ରତ୍ୟେକ ଲେଖକର ଲକ୍ଷ୍ୟ ହେଲା, ଯିଏ ମୋ’ର ବହିଟି ପଢ଼ିବ, ମୁଁ ସେହି ପାଠକକୁ ବାନ୍ଧିକରି ରଖିବି ବହିଟି ଶେଷ କରିବା ପର୍ଯ୍ୟନ୍ତ। ଜଣେ ଜଣେ ବହିଟି ଆରମ୍ଭ କରିବା ପରେ ତାହା ଶେଷ ହେବା ପରେ ହିଁ ଯାଇ ଖାଇବେ, ଯେତେ ଭୋକ ହେଉଥାଉ ପଛେ।
ସାହିତ୍ୟ ଚର୍ଚ୍ଚା: ତା’ ମାନେ ପ୍ରଥମ ଧାଡ଼ିଟି ପଢ଼ିବା ଆରମ୍ଭ କଲେ ଶେଷ ପର୍ଯ୍ୟନ୍ତ ନ ଯାଇ ପାଠକଟିଏ ରହିପାରେନି!
ଭାଗୀରଥି ଦାସ: ସେଇଟି ଗୋଟିଏ କୌଶଳ। ଆଉ ଗୋଟିଏ କଥା ଆଜ୍ଞା, କାହାଣୀ ମୁଁ ଚିନ୍ତା କରିକି କେବେ ଲେଖେନି। ଏହା ରୂପ ନେଇଥାଏ କେବଳ ମାଆ ଶାରଳାଙ୍କ ଆଶୀର୍ବାଦରୁ।
ସାହିତ୍ୟ ଚର୍ଚ୍ଚା: ଆପଣ ଗୋଟିଏ ସମୟରେ ଉପନ୍ୟାସ ପଢ଼ିବାର ନିଶାକୁ ଶୀର୍ଷସ୍ତରକୁ ନେଇପାରିଥିଲେ। କିନ୍ତୁ ଆଜିକାଲି ଉପନ୍ୟାସ ପଢ଼ିବାକୁ ଆଉ କିଏ ଚାହୁନାହାନ୍ତି। ଉପନ୍ୟାସ ପ୍ରତି ପାଠକୀୟ ଆଗ୍ରହ ଏବେ ତଳକୁ ଖସି ଆସିଥିବାର କାରଣ କ’ଣ ହୋଇପାରେ?
ଭାଗୀରଥି ଦାସ: କାରଣଟି ହେଲା, ଏବେ ସମାଜ ସମସ୍ୟାବହୁଳ ହୋଇଗଲାଣି; ସମସ୍ତଙ୍କର ସମସ୍ୟା କିଛି ନା କିଛି ବଢ଼ିଯାଇଛି। ଦ୍ୱିତୀୟ କଥା ହେଲା, ଏବେ ଘରେ ଘରେ ଟି.ଭି ଆଉ ମୋବାଇଲ୍‌।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ କ’ଣ କହିବାକୁ ଚାହାନ୍ତି ଯେ, ଏବର ମୋବାଇଲ୍ ଓ ଟି.ଭି ଯୁଗରେ ଉପନ୍ୟାସର ଦୀର୍ଘ କାହାଣୀ ପଢ଼ିବା ପାଇଁ ଲୋକଙ୍କ ପାଖରେ ସମୟର ଅଭାବ?
ଭାଗୀରଥି ଦାସ: ସମୟ ଅଛି ଯେ, ସେମାନେ ସେହି ସମୟକୁ ଟି.ଭି ଆଉ ମୋବାଇଲ୍‌କୁ ଦେଉଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣ କେବଳ ଜଣେ ଔପନ୍ୟାସିକ ହିଁ ନୁହନ୍ତି, ଜଣେ ଲୋକପ୍ରିୟ ନାଟ୍ୟକାର ମଧ୍ୟ। ଆଗକାଳରେ ନାଟକଗୁଡ଼ିକ ମଞ୍ଚରେ ଯେମିତି ଅଭିନୀତ ହେଉଥିଲା, ଆଜିକାଲି ସେମିତି ପ୍ରାୟ ହେଉନାହିଁ; କେବଳ ପୁସ୍ତକ ଆକାରରେ ପଠିତ ହେବା ପାଇଁ କ’ଣ ନାଟକ ଲେଖାଯାଉଛି?
ଭାଗୀରଥି ଦାସ: ନାଟକ ଏବେବି ମଞ୍ଚରେ ଅଭିନୀତ ହେଉଛି। ‘ମାଗୁଣିର ଶଗଡ଼’ ନାଟକ ଦେଖିବା ପାଇଁ ଦର୍ଶକଙ୍କୁ ସିଟ୍ ମିଳିଲା ନାହିଁ। ତେଣୁ ଦର୍ଶକ ଅଛନ୍ତି। କିନ୍ତୁ କଥା ହେଲା, ସେମାନେ ଦେଖିବା ଭଳି ନାଟକ ଲେଖା ହେଉନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ ଉପନ୍ୟାସ ‘ପର ଝିଅ ଘର ଭାଙ୍ଗେନା’ ଉପରେ ଏକ ସିନେମା ନିର୍ମିତ ହୋଇ ସୁପର ହିଟ୍ ହୋଇପାରିଛି। ଯେତେବେଳେ ଗୋଟିଏ ଉପନ୍ୟାସର ଆଧାରରେ ଚଳଚ୍ଚିତ୍ରଟିଏ ନିର୍ମିତ ହୁଏ, କୁହାଯାଏ ଯେ ସେହି ଉପନ୍ୟାସର ସରହଦ ବାହାରକୁ ଯିବାର ସ୍ୱାଧୀନତା ନିର୍ଦ୍ଦେଶକଙ୍କର ଥାଏ। ସେମିତି କିଛି ଏଥିରେ ଘଟିଥିଲା କି?
ଭାଗୀରଥି ଦାସ: ହଁ, ହେଇଥିଲା। କିଛି କମେଡି ଇତ୍ୟାଦି ସେଥିରେ ଯୋଡ଼ାଯାଇଛି। ଏମିତି ହେବାଟା ସ୍ୱାଭାବିକ। ଉପନ୍ୟାସର ମୂଳ ସନ୍ଦେଶଟି କିନ୍ତୁ କଥାଚିତ୍ରରେ ଅକ୍ଷୁଣ୍ଣ ରହିଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ଆଲୋଚନାଟି ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ଗଣଔପନ୍ୟାସିକ ଭାଗୀରଥି ଦାସଙ୍କ ସହ ସାରସ୍ୱତ ବାର୍ତ୍ତାଳାପ

Leave a Reply

Your email address will not be published. Required fields are marked *