ନାମବାଚକ ବିଶେଷ୍ୟ

ନାମବାଚକ ବିଶେଷ୍ୟ ଅନେକ ସମୟରେ କେବଳ ଯେ ଭାଷାବିତ୍‌ମାନଙ୍କୁ ହରଡ଼ଘଣାରେ ପକାଏ ତା’ ନୁହେଁ, ଲେଖକ, ସମ୍ପାଦକ ଓ ପ୍ରୁଫ୍‌ରିଡରମାନେ ମଧ୍ୟ ଏହା ଦ୍ବାରା ଭ୍ରମିତ ହୁଅନ୍ତି। ବିଶେଷ୍ୟ ପଦର ଅନେକ ରୂପ ମଧ୍ୟରୁ ନାମବାଚକ ବିଶେଷ୍ୟ କହିଲେ ଆମେ ସେହି ଶବ୍ଦଗୁଡ଼ିକୁ ବୁଝୁ, ଯାହା ବ୍ୟକ୍ତିବିଶେଷଙ୍କର ନାମକୁ ସୂଚାଉଥାଏ, ଉଦାହରଣ: ଅଭିରାମ, ଗୌତମ, ଉଇଲିଆମ୍ ଓ ଅବଦୁଲ୍ ଆଦି। ଏସବୁ ଯେତେବେଳେ ଅଭିଧାନରେ ସ୍ଥାନ ପାଇ କୌଣସି ଅର୍ଥକୁ ବୁଝାଉଥାଆନ୍ତି ତେବେ ତ ଭିନ୍ନ କଥା; କିନ୍ତୁ ଏଗୁଡ଼ିକ ଯେତେବେଳେ କେବଳ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ନାମକୁ ସୂଚାଇବା ପାଇଁ ହିଁ ବ୍ୟବହୃତ ହୋଇଥାଆନ୍ତି ସେତେବେଳେ ଆମେ ତାହାକୁ ନିରୁତା ‘ନାମବାଚକ’ ବିଶେଷ୍ୟ ବୋଲି କହୁ।
ତେବେ ଏଠାରେ ଆମର ଆଲୋଚନାର ବିଷୟ ହେଲା, ଏହି ନାମବାଚକ ବିଶେଷ୍ୟଗୁଡ଼ିକ ବ୍ୟାକରଣ ବା ବନାନ ଦୃଷ୍ଟିରୁ ଶୁଦ୍ଧ ହେବାପାଇଁ କେତେଦୂର ବାଧ୍ୟ? ଉଦାହରଣ ସ୍ବରୂପ, ଆମେ କିଛି ଦିନ ତଳେ ଜଣେ ପାଠକଙ୍କଠାରୁ ଏକ ଫୋନ୍ ପାଇଲୁ ଯେ, ‘ଆପଣ ଅମୁକ ଲେଖକଙ୍କ ନାମରେ ଥିବା ବନାନଗତ ତ୍ରୁଟିକୁ ସଂଶୋଧନ କରିନାହାନ୍ତି କାହିଁକି?’ ତେବେ କଥା ହେଲା, କୌଣସି ବ୍ୟକ୍ତିବିଶେଷଙ୍କ ନାମ ବା ନାମବାଚକ ବିଶେଷ୍ୟରେ ଥିବା ଏଭଳି କୌଣସି ତ୍ରୁଟିକୁ ସଂଶୋଧନ କରିବାର ଅଧିକାର ଆମର ଅଛି କି? ଉଦାହରଣ ସ୍ବରୂପ, ଆମେ ଯାହାଙ୍କୁ ଅଭିରାମ ବାବୁ ବୋଲି ଧରିନେଇଥିଲୁ, ସେ ଯଦି ନିଜର ନାମଟିକୁ ‘ଅଭୀରାମ’ ବୋଲି ଲେଖୁଥାଆନ୍ତି, କାରଣ ପିଲାଦିନରୁ ନେଇ ଆଜି ପର୍ଯ୍ୟନ୍ତ, ବିଦ୍ୟାଳୟରୁ ନେଇ ଚାକିରିକାଳ ପର୍ଯ୍ୟନ୍ତ, ସମସ୍ତ ରେକର୍ଡପତ୍ରରେ ଏହା ଏପରି ଭାବରେ ହିଁ ଦର୍ଜ ଅଛି, ତେବେ ତାହାକୁ ଗ୍ରହଣ ନ କରିବାକୁ ଆମେ ବା କିଏ? ଅବଶ୍ୟ ଏହି ତ୍ରୁଟିପୂର୍ଣ୍ଣ ‘ଅଭୀରାମ’ ଶବ୍ଦଟି ଯଦି ‘ଆହ୍ଲାଦପ୍ରଦ’ ଅର୍ଥରେ କୌଣସି ଗଳ୍ପ କିମ୍ବା କବିତାରେ ପ୍ରୟୋଗ ହୋଇଥାଏ ତେବେ ଆମର ପ୍ରୁଫ୍‌ ସଂଶୋଧକ ମହାଶୟ ବୋଧହୁଏ ସେଥିରେ ଗୋଟିଏ ନାଲି ଗାର ବସାଇଥାଆନ୍ତେ। ଆଜିକାଲି ତ କେତେକ ଇଂରାଜୀ ଅଭିଧାନରେ ‘ଲିଷ୍ଟ ଅଫ୍ କମନ୍ ନେମ୍‌ସ୍’ ଶୀର୍ଷକରେ ଏଭଳି ନାମସୂଚକ ଶବ୍ଦମାନଙ୍କର ଏକ ତାଲିକା ମଧ୍ୟ ଅନ୍ତର୍ଭୁକ୍ତ ହେଲାଣି, ଅର୍ଥାତ୍ ଏଭଳି ଶବ୍ବମାନଙ୍କର ଏକ ମାନକ ବନାନ ମଧ୍ୟ ଅଭିଧାନର ସ୍ବୀକୃତି ମଧ୍ୟ ପାଇସାରିଲାଣି। ତଥାପି, ‘ଉଇଲିଆମ୍’ ନାମକ ବ୍ୟକ୍ତି ଜଣକ ଯଦି ନିଜର ନାମର ବନାନରେ ଦୁଇଟି ‘ଏଲ୍’ ପରିବର୍ତ୍ତେ ଗୋଟିଏ ‘ଏଲ୍’ ହିଁ ଲେଖୁଥାଆନ୍ତି, ତେବେ ସେଥିରେ କ’ଣ ଅବା ପ୍ରତିବନ୍ଧକ ଅଛି। ଆମେ ତ ପୁଣି ‘କ୍ବାଲିଟି’ ନାମକ ଆଇସ୍‌କ୍ରିମ ଖାଉଛେ, ଏବଂ ‘ଓ୍ବେଲକମ୍’ ହୋଟେଲ୍‌ରେ ମଧ୍ୟ ରହୁଛେ, ସେମାନଙ୍କ ନାମରେ ବନାନଗତ ତ୍ରୁଟି ଥିବା ସତ୍ତ୍ବେ !
ଡର୍ବାନ୍-ଓ୍ବେଷ୍ଟଭିଲେ ବିଶ୍ବବିଦ୍ୟାଳୟର ଏ.କେ ଅଜିଜ୍ ନାମକ ଜଣେ ଗବେଷକ ଗୋଟିଏ ସନ୍ଦର୍ଭରେ କହିଛନ୍ତି ଯେ, ‘ନାମବାଚକ ଶବ୍ଦଗୁଡ଼ିକ ଅଣ-ଅର୍ଥପୂର୍ଣ୍ଣ (ନନ୍-କନୋଟେଟିଭ୍) ହୋଇଥାଆନ୍ତି।’ ଏହା ଯଦି ଗ୍ରହଣୀୟ ହୁଏ, ତେବେ ନାମବାଚକ ବିଶେଷ୍ୟର ବନାନଗତ ବିସଙ୍ଗତିକୁ ଆମେ ଗୁରୁତ୍ବ ବା ଦେବା କାହିଁକି?
ଆଜିକାଲି ଆମ ଓଡ଼ିଆ ଘରମାନଙ୍କରେ ପିଲାଙ୍କର ନାମକରଣ ବେଳେ ଅର୍ଥହୀନ ଶବ୍ଦଗୁଡ଼ିକ ବ୍ୟବହୃତ ହେବାର ଏକ ଧାରା ଜୋର୍ ଧରିଛି; ଯେମିତିକି ପିଣ୍ଟୁ, ରୀନା ଓ ଜିନୁ ଇତ୍ୟାଦି। ଏଭଳି ଅର୍ଥହୀନ ନାମଗୁଡ଼ିକର ବହୁଳ ବ୍ୟବହାର ଆଉ ଏକ ସମସ୍ୟା ମଧ୍ୟ ସୃଷ୍ଟି କରିଛି, ଯାହା ଉପରେ ମତ ଦେଇ ‘ନିଉରୋ-ସାଇନ୍‌ସ୍ ଏଣ୍ଡ ବିହେଭିଅରାଲ୍ ରିଭ୍ୟୁ’ ନାମକ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ କୁହାଯାଇଛି ଯେ ଆଜିକାଲି ଜାତିବାଚକ ବିଶେଷ୍ୟ ଅପେକ୍ଷା ନାମବାଚକ ବିଶେଷ୍ୟଗୁଡ଼ିକୁ ମନେରଖିବା ଅଧିକ କଷ୍ଟକର ହୋଇପଡ଼ିଲାଣି। ଏ ଦୃଷ୍ଟିରୁ ଅଭିଭାବକମାନେ ନିଜର ସନ୍ତାନ ସନ୍ତତିଙ୍କ ନାମକରଣ ବେଳେ ଅର୍ଥପୂର୍ଣ୍ଣ ଓ ଭାବବ୍ୟଞ୍ଜକ ଶବ୍ଦମାନ ବାଛିଲେ, ସମସ୍ୟାଟିର ଅଚିରେ ଏହାର ସମାଧାନ ହୋଇପାରନ୍ତା।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ୍, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *