ବେଦୀକୁ ଯିବୁ ଡ଼େଇଁ ଡ଼େଇଁକା

ସରିଯାଏ ଯେବେ ବାହାଘର, ବିଦେଶ ଯିବାକୁ ତରବର! ପାସପୋର୍ଟ ଭିସା ସଜ କରିଥା।

ଅଭୟ ଦାଶ

ଡିଜେ ବାଜୁଥିବ ଝାଇଁ ଝାଇଁକା !
ଆସିବ ବର ଲୋ !
ହେବ ବାହାଘର !
ବେଦୀକୁ ଯିବୁ ଡ଼େଇଁ ଡ଼େଇଁକା ।

ଆଜିର ହଳଦି !
କାଲିକି ମେହେନ୍ଦି !
ନାଚିବା ପାଇଁ ସଜ ହୋଇଥା।

ତୋ ବାପକୁ କହିବୁ !
ନାଚିବ ସାଙ୍ଗରେ !
ନହେଲେ ,
ରୁଷିଯିବ ଆମ ଜୋଇଁ ପିଲାଟା ।

ବାଜୁଥିବ ବାଜା !
ମଞ୍ଚ ଥିବ ସଜା !
ମଦ ମାଂସ ଖାଇ
ମାତାଲ ସାଜିବେ
ଡେଇଁବେ ସରବେ ରହି ରହିକା ।

ବସି ପାରିବନି !
ବେଦୀରେ ବର ଲୋ !
ଘଣ୍ଟାଏ ଭିତରେ
ସରିବ ଯେମିତି
ସେମିତି ପଣ୍ଡିତ ଖୋଜି ରଖିଥା ।

ବାହାଘର ଦିନ ,
ଲୁଣ ଚୋରୀ ଭୁଲି
ଜୋତା ଚୋରୀ ଖେଳ
ଖେଳିବୁଟି ନିଶ୍ଚେ ମନେରଖିଥା ।

ଗାଁ ଠାକୁରାଣୀ !
ବୁଢୀ ଜାଗୁଳେଇ
ବସିଥିବେ ଚାହିଁ
ଦିଅଁ ମଙ୍ଗୁଳାକୁ ଭୁଲି ଯାଇଥା ।

ବାହାଘର ଘଡି
ଯାଉ ପଛେ ଗଡ଼ି,
କୁସଂସ୍କାର କହି !
ବିଉଟି ପାର୍ଲରେ ବସି ରହିଥା ।

ବାଜୁଥିବ ଡ଼ିଜେ ,
କାନଫଟା ସ୍ୱରେ !
ନାଚ ଗୀତ ଚାଲି ଥିବ !
ଡିଆଁ କୁଦା ପାଇଁ ଅଣ୍ଟା ଭିଡ଼ିଥା।

ଲଫାପା ଧରାଇ
ଭୋଜନ ସରିଲେ
ବାହାଘର ନସରୁଣୁ
ସେଠାରୁ ଚମ୍ପଟ ମାରିଦେଇଥା।

ପ୍ରି ଓଏଡିଙ୍ଗ୍
ପୋଷ୍ଟ ଓଏଡିଙ୍ଗ୍
ଫଟୋ ଉଠି ଗଲେ
ଡେଷ୍ଟିନେସନରେ
ଓଏଡିଙ୍ଗ୍ ଯିବ ସରି,
ଆମେରିକା ଯିବାକୁ ଟିକଟ କାଟିଥା ।

ସରିଯାଏ ଯେବେ ବାହାଘର !
ବିଦେଶ ଯିବାକୁ
ତରଵର !
ପାସପୋର୍ଟ ଭିସା ସଜ କରିଥା ।

କେତେ ଦିନ ଅବା ,
ଲାଷ୍ଟିଂ କରିବ ଏଇ ହାତଗଣ୍ଠି?
କୋର୍ଟରେ ଚାଲିବ
ମିଛ ମକଦ୍ଦମା !
ଛାଡ଼ପତ୍ର ପାଇଁ ରେଡ଼ି ହୋଇଥା।

ସ୍ବାମୀ ଅଭୟାନନ୍ଦର କଥନ,
ଏ ମରହଟିଆଙ୍କୁ
ବୁଝାଇବ କିଏ ?
ଏଇତ ଚାଲିଛି ଆମ କାଳରେ
ନୂଆ କଲଚର ପାଲେ
ହଜିବାକୁ ନିଜେ ସଜ ହୋଇଥା।

Leave a Reply

Your email address will not be published. Required fields are marked *