ବିଭିନ୍ନ ମତ ରଖୁଥିବା ବୁଦ୍ଧିଜୀବୀମାନଙ୍କୁ ଏକାଠି ବସେଇ ଏକ ବର୍ଣ୍ଣବୋଧ ପ୍ରସ୍ତୁତ କରି ପିଲାଙ୍କ ପାଖରେ ପହଞ୍ଚେଇବା ସବୁଠାରୁ ବଡ ଆହ୍ବାନ।

ଓଡିଆ ଧ୍ୱନି, ବର୍ଣ୍ଣ, ଅକ୍ଷର ସଂଖ୍ୟା ବିଷୟରେ ବିବାଦ ଏବେ ମଧ୍ୟ ବଢ଼ି ବଢ଼ି ଚାଲିଛି। ପଶୁପକ୍ଷୀ ନାନା ଭାବରେ ଧ୍ୱନି ସୃଷ୍ଟି କରି ଭାବ ବିନିମୟ କରିଥାନ୍ତି। ବାଘ ସିଂହଙ୍କର ହୁଙ୍କାର, ହାତୀଙ୍କର ପିଙ୍କାର, ମାଙ୍କଡ଼ମାନଙ୍କର ଖିଙ୍କାର ଛଡ଼ା, କାଉର କା, କୋଇଲିର କୁହୁ ଆଦି ବିଭିନ୍ନ ଧ୍ୱନି ସୃଷ୍ଟି କରି ସେମାନେ ଆପଣା ଆପଣା ସଞ୍ଚାର ବ୍ୟବସ୍ଥା ପରିଚାଳିତ କରିଥାନ୍ତି। କିନ୍ତୁ ମଣିଷ ଆପଣା ଫୁସ୍ଫୁସ୍ରୁ ନିର୍ଗତ ବାୟୁ ପ୍ରବାହକୁ ନିୟନ୍ତ୍ରିତ କରି ପାଟି, ନାକ କିମ୍ବା ଉଭୟ ପଟେ ନିଷ୍କ୍ରମଣ କରି ଯେଉଁ ଧ୍ୱନି ସୃଷ୍ଟି କରେ ତାହା ପଶୁପକ୍ଷୀଙ୍କ ଠାରୁ ଭିନ୍ନ, ମଣିଷ ଭାଷାର ଧ୍ୱନି। ଗୋଟିଏ କଥାରେ କହିଲେ, ଉଚ୍ଚାରଣକ୍ଷମ ଭାଷଣ ଅବୟବ ନିଃସୃତ ସାର୍ଥକ ଧ୍ୱନି ସମଷ୍ଟି ହିଁ ଭାଷା, ଯାହାଦ୍ୱାରା ମଣିଷ ଆପଣା ଚିନ୍ତାଧାରା ଓ ଅନୁଭବ ପ୍ରକାଶ କରିଥାଏ।
କହିବା ପାଇଁ, ଭାବ ବିନିମୟ ପାଇଁ କଥିତ ଭାଷାର ସୃଷ୍ଟି। ଅତୀତର ସ୍ମୃତିକୁ ସାଇତି ରଖିବା ପାଇଁ ଏବଂ ସ୍ଥାନ କାଳ ଭେଦ କରି କୌଣସି ଘଟଣାର ପ୍ରସାର ପାଇଁ ଲେଖନର ଆବଶ୍ୟକତା ଏବଂ ଲିପିର ସୃଷ୍ଟି। କହିବା ଅନାବଶ୍ୟକ ଯେ କଥିତ ଭାଷାର ବୟସ ଲକ୍ଷେ ବର୍ଷ ହେଲେ ଲିଖିତ ଭାଷାର ବୟସ ଦଶହଜାର ବର୍ଷ। ଭାଷା ବିଚାରରେ ଉଚ୍ଚାରଣର ପ୍ରାଥମିକତା ବିଷୟରେ କହିବା ମଧ୍ୟ ଅନାବଶ୍ୟକ।
ବର୍ଣ୍ଣାଶୁଦ୍ଧି
ପରିବର୍ତ୍ତନ ସୃଷ୍ଟିର ନିୟମ। ଭାଷା ତାହାର ବ୍ୟତିକ୍ରମ ନୁହେଁ। ଭାଷା ସୃଷ୍ଟିରେ ଯେତେ ଧ୍ୱନି ଥିଲା ଆଜି ସେଥିରେ ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବୈଦିକ କାଳରେ ହ୍ରସ୍ଵ, ଦୀର୍ଘ, ପ୍ଳୁତ ସ୍ୱର ଧ୍ୱନି ଥିଲା। ପାଣିନିଙ୍କ ବେଳକୁ ପ୍ଳୁତ ସମ୍ପୂର୍ଣ୍ଣ ଲୋପ ପାଇଗଲାଣି। ଆଧୁନିକ ଭାରତୀୟ ଭାଷାମାନଙ୍କରେ ହ୍ରସ୍ଵ ଦୀର୍ଘ ଭେଦ ପ୍ରାୟ ଲୋପ ପାଇଗଲାଣି। ଓଡ଼ିଆରେ ଯାହା ଦୀର୍ଘ ବୋଲି କୁହାଯାଉଛି, ଅ ଅ, ଆ ଆ, ଇ ଇ, ଉ ଉ, ଏ ଏ, ଓ ଓ ପ୍ରକୃତରେ ଦୀର୍ଘ ନୁହେଁ, ଦୁଇଟି ଅକ୍ଷର। (ଶ୍ରୀକାନ୍ତ ପଣ୍ଡାଙ୍କର ପିଏଚଡି ଥିସିସ୍ ଦ୍ରଷ୍ଟବ୍ୟ।) ସେହିପରି ସମୟକ୍ରମେ ପ୍ରାଚୀନ-ଭାରତୀୟ ଆର୍ଯ୍ୟଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟଭାଷା ଓ ଆଧୁନିକ-ଭାରତୀୟ ଆର୍ଯ୍ୟ ଭାଷାରେ ଚକ୍ର, ଚକ୍କ, ଚକ କିମ୍ବା ଘୃତ, ଘିଦ, ଘିଅ ପରି ଶବ୍ଦମାନଙ୍କୁ ଦେଖିଲେ ପରିବର୍ତ୍ତନର ସ୍ୱର ବାରି ହେବ। ପୁଣି ପ୍ରା.ଭା.ଆ, ଭାଷାରେ ‘ଶ’, ‘ଷ’, ‘ସ’, ଥିଲାବେଳେ ପାଲିରେ କେବଳ ‘ସ’ (ଦନ୍ତେ-ସ) ଓ ମାଗଧିରେ କେବଳ ‘ଶ’ (ତାଲବ୍ୟ-ଶ) ଅଛି। ଓଡ଼ିଆଭାଷାର ଉଚ୍ଚାରଣରେ କେବଳ ‘ସ’ (ଦନ୍ତେ-ସ) ଥିଲେ ମଧ୍ୟ ବନାନରେ ‘ଶ’, ‘ଷ’, ‘ସ’, ଥିବାରୁ ବର୍ଣ୍ଣାଶୁଦ୍ଧି ଏକ ସମସ୍ୟା ରୂପେ ଉଭା ହୋଇଛି।

ବର୍ତ୍ତମାନ ଧ୍ୱନି ପରିବର୍ତ୍ତନ ବିଷୟରେ ଆଉ କେତୋଟି କଥା ଜାଣିବା ଦରକାର। ବର୍ଗର ପାଞ୍ଚଟି ଶେଷ ବ୍ୟଞ୍ଜନ ହେଉଛି ନାସିକ୍ୟ- ଙ, ଞ, ଣ, ନ, ମ। ବର୍ତ୍ତମାନ ‘ଙ’, ‘ଞ’ ବ୍ୟବହାରରୁ ଲୋପ ପାଇଗଲାଣି। ‘ଣ’ ଶବ୍ଦର ଆରମ୍ଭରେ ନାହିଁ। କିନ୍ତୁ ବର୍ଗର ଅନ୍ୟ ବ୍ୟଞ୍ଜନ ସହିତ ମିଶି ଯେଉଁ ଯୁକ୍ତ ନାସିକ୍ୟ ବ୍ୟଞ୍ଜନ ଅକ୍ଷର ତିଆରି ହେଉଥିଲା, ସେଗୁଡିକ ହେଉଛି ଙ୍କ, ଙ୍ଖ, ଙ୍ଗ, ଙ୍ଘ, ଞ୍ଚ, ଞ୍ଛ, ଞ୍ଜ, ଞ୍ଝ, ଣ୍ଟ, ଣ୍ଠ, ଣ୍ଡ, ଣ୍ଢ, ନ୍ତ, ନ୍ଥ, ନ୍ଦ, ନ୍ଧ, ମ୍ପ, ମ୍ଫ, ମ୍ବ, ମ୍ଭ | ଏସବୁକୁ ଦୃଷ୍ଟିରେ ରଖି ପଣ୍ଡିତ ନୀଳକଣ୍ଠ ଦାସ ଲିପି ସୁଧାର ପାଇଁ ଯୁକ୍ତ ନାସିକ୍ୟ ଅକ୍ଷର ବଦଳରେ ଂ (ଅନୁସ୍ୱାର) + ବ୍ୟଞ୍ଜନ ଲେଖିବାକୁ ନିର୍ଦ୍ଦେଶ ଦେଲେ। ଟଙ୍କା ବଦଳରେ ଟଂକା, ପାଞ୍ଚ ବଦଳରେ ପାଂଚ, ବାଣ୍ଟ ବଦଳରେ ବାଂଟ, ଦାନ୍ତ ବଦଳରେ ଦାଂତ, ବାମ୍ଫ ବଦଳରେ ବାଂଫ ଲେଖିଲେ ନାସିକ୍ୟ ଯୁକ୍ତାକ୍ଷରର ଆବଶ୍ୟକତା ରହିବ ନାହିଁ। କିଛି ଲୋକ ପଂଡିତ କୁ ଫଡିତ କହି ଥଟ୍ଟା କରିଥିଲେ ସୁଦ୍ଧା ଏହା ବର୍ତ୍ତମାନ ମଧ୍ୟ ଏକ ଜୀବନ୍ତ ପ୍ରଶ୍ନ ହୋଇ ରହିଛି। ସେହିପରି ଦୁଇଟି ‘ବ’ ବଦଳି ‘ବ’ ଓ ‘ୱ’ ହୋଇଥିଲେ ସୁଦ୍ଧା ‘ବ’ ଲେଖିବା ବିବଦମାନ ହୋଇ ରହିଛି। ‘ଜ’, ‘ଯ’ ବଦଳି ‘ଜ’, ‘ୟ’ ହୋଇଥିଲେ ସୁଦ୍ଧା ‘ଜ’, ‘ଯ’ ବିବାଦ ଏବେ ସୁଦ୍ଧା ଜୀବନ୍ତ। ଉଚ୍ଚାରଣ ଓ ବନାନ ମଧ୍ୟରେ ପ୍ରଭେଦର ସ୍ପଷ୍ଟୀକରଣର ଅଭାବ ମୁଖ୍ୟତଃ ଏଥିପାଇଁ ଦାୟୀ, ଏ କଥା ମନେ ରଖିଲେ ଏ ବିବାଦର ସମାଧାନ ସମ୍ଭବ।
ଓଡ଼ିଆରେ ଗୋଟିଏ ସମୟରେ ୧୬ଟି ସ୍ୱରବର୍ଣ୍ଣ ଓ ୩୪ଟି ବ୍ୟଞ୍ଜନବର୍ଣ୍ଣ ମିଶି ୫୦ଟି ବର୍ଣ୍ଣ ଥିଲା। ସ୍ଵରକୁ ଆଦ୍ୟରେ ରଖି ‘ଷୋଡଶା’ ଓ ବ୍ୟଞ୍ଜନକୁ ଆଦ୍ୟରେ ରଖି ‘ଚଉତିଶା’ ରଚନା କରାଯାଉଥିଲା। ୫୦ଟି ବର୍ଣ୍ଣକୁ ଆଦ୍ୟରେ ରଖି ‘ପଞ୍ଚାଶ ବର୍ଣ୍ଣାକ୍ଷର ନିୟମ’ରେ ଗୀତ ରଚନା କରାଯାଉଥିଲା। ଭଞ୍ଜ ଯୁଗରେ ଏପରି ରଚନା ଦେଖିବାକୁ ମିଳେ।
ସ୍ବର ଓ ବ୍ୟଞ୍ଜନ
ଧ୍ଵନିକୁ ଉଚ୍ଚାରଣ ଦୃଷ୍ଟିରୁ ବର୍ଗରେ ଭାଗ କରାଯାଉଥିଲା। ଯେଉଁ ଧ୍ୱନି ବିନା ସାହାଯ୍ୟରେ ଆପଣା ଛାଏଁ ଉଚ୍ଚାରିତ ହୁଏ ତାହା ‘ସ୍ୱର’ ଏବଂ ଯାହା ସ୍ୱର ବିନା ଉଚ୍ଚାରଣ ହୋଇପାରେ ନାହିଁ (ସ୍ୱର ସାହାଯ୍ୟରେ ଉଚ୍ଚାରିତ ହୁଏ) ତାହା ‘ବ୍ୟଞ୍ଜନ’। ଧ୍ଵନିର ଲିଖିତ ରୂପ ‘ଲିପି’। ଲିପିର ସର୍ବନିମ୍ନ ଏକକ ‘ଅକ୍ଷର’। ତେଣୁ ଭାଷା ବିଚାରରେ ଧ୍ୱନି-ବର୍ଣ୍ଣ-ଅକ୍ଷର-ଶବ୍ଦ-ଅର୍ଥ-ବାକ୍ୟକୁ ଧରି ବ୍ୟାକରଣ ରଚନା କରାଯାଇଥାଏ।
ଆଜିକାଲି ‘ବର୍ଣ୍ଣବୋଧ ବହି’ର ପ୍ରାଚୁର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଗୋଟିଏ ସମୟରେ ମାନକ ଥିଲା। ମଧୁବାବୁ ନିଜେ ଧ୍ୱନି ପରିବର୍ତ୍ତନ ବିଷୟରେ ସଚେତ ଥିଲେ। ସେ ବର୍ଣ୍ଣବୋଧକୁ ବଦଳେଇ ବର୍ଣବୋଧ ବ୍ୟବହାର କରିଥିଲେ। ସରକାର ମଧୁସୂଦନ ରାଓଙ୍କ ସଂଶୋଧନ ପାଇଁ କାମ ଆରମ୍ଭ କରିଥିଲେ। ବିଭିନ୍ନ ସ୍ୱାର୍ଥାନ୍ୱେଷୀମାନଙ୍କ ମଧ୍ୟରେ ବିଭେଦ ହେତୁ ଏହା କଚେରିକୁ ଗଲା। ଶେଷକୁ ଯେଉଁ ବହି ଛପା ହେଲା ତାହା ଗୋଦାମରେ ଖତ ହେଲା। ବର୍ତ୍ତମାନ ଏ ବିଷୟରେ ଭାଷାବିଜ୍ଞାନୀ ପ୍ରାଥମିକ ସ୍କୁଲ ଶିକ୍ଷକ, ବିଭିନ୍ନ ମତ ରଖୁଥିବା ବୁଦ୍ଧିଜୀବୀମାନଙ୍କୁ ଏକାଠି ବସେଇ ଏକ ବର୍ଣ୍ଣବୋଧ ପ୍ରସ୍ତୁତ କରି ପିଲାଙ୍କ ପାଖରେ ପହଞ୍ଚେଇବା ସବୁଠାରୁ ବଡ ଆହ୍ୱାନ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ଶିକ୍ଷକ ପ୍ରସ୍ତୁତି। ଶିକ୍ଷକ ଯଦି ସମସ୍ୟା ଓ ସମାଧାନ ଦିଗରେ ଅବହିତ ନୁହନ୍ତି ତେବେ ପିଲାଏ ଅଜ୍ଞାନ ଅନ୍ଧାରରୁ ବାହାରିବେ କିପରି?
ସେ ବର୍ଣ୍ଣବୋଧକୁ ବଦଳେଇ ବର୍ଣ୍ଣବୋଧ ବ୍ୟବହାର କରିଥିଲେ।
ଏ ବାକ୍ୟ ବୁଝି ହେଲାନି । ପ୍ରଭେଦ କଣ ?
ଏଥିରେ ଗୋଟିଏ ଟାଇପିଙ୍ଗ୍ ତ୍ରୁଟି ଥିଲା। ଏହାକୁ ଏବେ ସଂଶୋଧନ କରିଦେଇଛୁ।
“ସେ ବର୍ଣ୍ଣବୋଧକୁ ବଦଳେଇ ବର୍ଣବୋଧ ବ୍ୟବହାର କରିଥିଲେ।” ବୋଲି ପଢ଼ିବାକୁ ଅନୁରୋଧ ।
୧ ।
ଦେବୀ ପ୍ରସନ୍ନ ସାର୍ ଙ୍କୁ କୋଟି କୋଟି ପ୍ରଣାମ ।
୨ ।
ମଧୁ ରାଓ ଜନ୍ମହେଇଥିଲେ ୧୮୫୩ ରେ ଏବଂ ତାଙ୍କ ପ୍ରଣୀତ ବର୍ଣ୍ଣବୋଧ ପ୍ରକାଶିତ ହେଇଥିଲା ସଂଭବତଃ,
୧୮୯୫-୯୬ ରେ ।
ସେ ନିଜେ ସେଇ ବହି ପ୍ରକାଶ ର ଅନେକ ବର୍ଷ ପୂର୍ବରୁ ନିଶ୍ଚିତ ଭାବରେ କୋଣସି ବହି ପଢ଼ି ଓଡ଼ିଆ ବର୍ଣ୍ଣମାଳା ସହ ପରିଚିତ ହେଇଥିବେ । ଠିକ୍ ସେମିତି, ତାଙ୍କ ପୂର୍ବରୁ ଜନ୍ମ ହେଇଥିବା ରାଧାନାଥ ଓ ଫକୀରମୋହନ ଆଦି ମହାରଥୀ ମାନେ ଓଡ଼ିଆ ଲିପି ସହ ମଧ୍ଯ ନିଜମତେ, ପରିଚିତ ହେଇଥିଲେ ।
ଏଣୁ, ଏକଥା ମନକୁ ଆସେ, ସେମାନେ ଯେପରି ଓ ଯେଉଁ ବହି ସବୁ ଜରିଆରେ ଓଡ଼ିଆ ବର୍ଣ୍ଣ ସବୁକୁ ଶିଖିଥିଲେ, ଏବେକାର ପିଢ଼ି ର ପିଲାମାନେ ସେଥିରୁ ଓ ସେପରି କାହିଁକି ଅବା ଓଡ଼ିଆ ଲିପି କୁ ଶିଖିପାରିବେ ନାହିଁ !
ଦେବୀ ପ୍ରସନ୍ନ ସାର୍ ନିଶ୍ଚିତ ଭାବରେ ସେଇ ବହି ଅଥବା ବର୍ଣ୍ଣବୋଧ-ପୂର୍ବ ର ଉତ୍ସ ସଂପର୍କ ରେ ଜାଣିଥିବେ ।
ତେଣୁ, ବର୍ଣ୍ଣବୋଧ କୁ ଓଡ଼ିଆ ପ୍ରାଇମର୍ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନଥିବା ଓଡ଼ିଆ ଭାଷାପ୍ରେମୀ ମାନଂକୁ ସେ ସବୁର ସମ୍ଯକ ସୂଚନା ଦେବାକୁ ଅନୁରୋଧ କରୁଛି ।
୩ ।
ଥରେ ଥରେ ତ ମୁଁ ଆଶ୍ଚର୍ଯ୍ୟ ହୁଏ, ସାର୍ , ଫକୀରମୋହନ ଙ୍କ କେତେ ଶହ ବର୍ଷ ଆଗରୁ ଜନ୍ମ ହେଇଥିବା ଜଗନ୍ନାଥ ଦାସ ଅବା ଓଡ଼ିଆ ବର୍ଣ୍ଣ ସହ କେମିତି ପରିଚିତ ହେଇଥିଲେ !
କୋଉ ବହିରୁ, କେଉଁ ଉପାୟ ରେ ସେ ଓଡ଼ିଆ ଲିପି ଶିଖି ସେଥିରେ ‘ଭାଗବତ’ ଭଳି ବିରାଟ ଗ୍ରନ୍ଥ ରଚନା କରିଛନ୍ତି !!
୪ ।
ନୀହାର ବାବୁଙ୍କର ଚମତ୍କାର ଏଇ ” ସାହିତ୍ୟ ଚର୍ଚ୍ଚା ” ପତ୍ରିକାରେ ଏଇ
” ଆଦିମ” ବର୍ଣ୍ଣବୋଧ –ଯଦି ସେଭଳି କିଛି ଥିଲା– ସଂପର୍କ ରେ, ସାର୍ ଯଦି କିଛି ଲେଖିବେ, ଆମେ ଉପକୃତ ହେବୁ ।
ନୂଆ ପ୍ରକାରେ ବର୍ଣ୍ଣବୋଧ ଲେଖିବାକୁ ଇଛାକରି ଏବଂ ଚେଷ୍ଟା ଚଳେଇଥିବା ବହୁ ଭାଷା ପ୍ରେମୀ ତ ଆହୁରି ଅନୁପ୍ରେରିତ ହେବେ ।
୫ ।
ସାର୍ ଙ୍କୁ ଆଉଥରେ ପ୍ରଣାମ ।