ଦଲାଲ

ଆଜିକାଲି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହାର ପ୍ରବେଶ ଦେଖାଯାଏ।

ଡା. ଅଭୟ ଦାଶ

ଦଲାଲ ! ଦଲାଲ ଶବ୍ଦର ଅର୍ଥ କଣ? ମନେ ମନେ ଭାବୁଥାଏ ଅଭୟ ଦାଶ, ଓରଫ ସ୍ବାମୀ ଅଭୟାନନ୍ଦ। ଏଇଟା କଣ ଓଡ଼ିଆ ନା, ଯେମିତି ତଦ୍ଭବ, ତତ୍ସମ, ଦେଶଜ, କି ବୈଦେଶିକ? ସେଇ ଭିତରୁ କେଉଁ ପ୍ରକାର ହୋଇପାରେ। ଅଭୟ ଦାଶ ତ ସାହିତ୍ୟିକ ନୁହେଁ କି ଓଡ଼ିଆ ସାହିତ୍ୟରେ ସ୍ନାତକ, କି ତା ଉପର ପାଠ ପଢ଼ିନାହିଁ। ନା କେଉଁ ଭାଷା ବିଶାରଦ ! ଖାଲି ଯାହା ଓଡ଼ିଆ ଘରେ, ଓଡିଆ ଗାଁ’ରେ ଜନ୍ମ। ଓଡିଆ ପଢା, ଲେଖା କରିପାରେ। ଏ ଦଲାଲ ଶବ୍ଦର ପ୍ରୟୋଗ ସୁଦୂରପ୍ରସାରୀ। ଇ଼ଂରେଜିରେ ମିଡିଲ୍‌ ମ୍ୟାନ୍, ଅବ୍ଲିକ୍ ଆଜିକାଲି ଯୁଗକୁ ଚାହିଁ, ମିଡିଲ୍ ଓମ୍ୟାନ୍ ହୋଇପାରେ। ହିନ୍ଦୀ ରେ ‘ବିଚୋଲିଆ’। ଓଡିଆରେ ଆଉ ଗୋଟାଏ ବହୁପ୍ରଚଳିତ ଶବ୍ଦ, ମଧ୍ୟସ୍ଥ ବା ମଧ୍ୟସ୍ଥି ହୋଇପାରେ; ଯେଉଁଟା ଦଲାଲ ରୂପେ ଆବିର୍ଭୁତ ହୋଇଛି।
‘ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌’ର ଗବେଷଣା କହେ ଯେ ମଧ୍ୟସ୍ଥ କାମଟା ସ୍ୱୟଂସେବୀର କାର୍ଯ୍ୟ ହୋଇପାରେ। ଯଥା ଗାଁ’ରେ ଦୁଇ ଭାଇ ମଧ୍ୟରେ କଳି ଝଗଡ଼ା ହୋଇଛି; ଗାଁ’ର ମୁଖିଆ ମାମଲତକାର, ବା ଭଦ୍ରଲୋକ କେତେଜଣ ମିଶି କଥାଟା ସେଇ ଗାଁ ଭିତରେ ସମାଧାନ କରିଦିଅନ୍ତି। ଯେପରି ଦୁହେଁ କୋର୍ଟ କଚେରୀ ନ ଯାଇ ସ୍ଥିତାବସ୍ଥା କୁ ଫେରିଆସନ୍ତି। ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼େନାହିଁ। ବାବୁ ଭାଇମାନେ ଆସିଛନ୍ତି ଯେତେବେଳେ, ଚାହା କପେ କି ପାନ ଖଣ୍ଡେ ଦେବା ବିଧି, ବା ଭଦ୍ରତା ରୂପେ ଚାଲିଆସିଛି। ମାମଲାର ସମାଧାନ ହୋଇଯାଏ; ସମସ୍ତେ ଖୁସିରେ ଯେ ଯାହା ଘରେ ରହନ୍ତି। ଯେତେ ଛୋଟ ଛୋଟ ନ୍ୟାୟ ନିଶାପ ଏହି ମଧ୍ୟସ୍ଥମାନଙ୍କ ଦ୍ବାରା ସମାଧାନ ହୋଇଯାଏ। ମାଡ଼ ଫଉଦାରୀ, ମାନେ ଅଳପ ଠେଲାପେଲା, ସାମାନ୍ୟ ଖଣ୍ଡିଆ ଖାବରା, ମାଇନର ଇଂଜୁରୀ ଏହି ଭଦ୍ରଲୋକ ବା ମାମଲତକାରମାନଙ୍କ ପଞ୍ଚାୟତରେ ରଫା ହୋଇପାର।

ତା ଉପରକୁ ଗଲେ ସେଇଠି ଯୋଗଦାନ କରିବାକୁ ଆସନ୍ତି ସ୍ୱତଃପ୍ରବୃତ୍ତ ପ୍ରଫେସନାଲ୍ ବୈଷୟିକ ବ୍ୟକ୍ତିବିଶେଷ, ଯେଉଁମାନେ ଦଲାଲ ପଦବାଚ୍ୟ ହୋଇଥାଆନ୍ତି। ଚାଲୁନୁ, ମୋର ସେ ଅମୁକ ଓକିଲ ଚିହ୍ନା। ଗୋଟାଏ ସାତଶ ଦୁଇ କରିଦେବା, ତା ଅକଲ ଗୁଡ଼ୁମ୍ ହୋଇଯିବ ! ଏମାନେ ପ୍ରଫେସନାଲ୍ ଦଲାଲ। ଏମାନଙ୍କଠାରୁ ଭଲ ଆଶା ରଖିବା ବୃଥା।
ଆଉ ଗୋଟାଏ କ୍ଷେତ୍ରରେ ଏମାନଙ୍କର ଆବଶ୍ୟକତା ଅନୁଭୁତ ହୁଏ, ସେଇଟା ହେଲା ବାହାଘର ପ୍ରସ୍ତାବ। ରଜା ମହାରାଜାଙ୍କ ଅମଳରୁ ଚାଲିଆସି, ଆଜି ବ୍ୟବସାୟ ରୂପ ନେଇଛି ମ୍ୟାରେଜ୍ ବ଼୍ୟୁରୋ ରୂପରେ। ମୋଟା ଅଙ୍କ ଖର୍ଚ୍ଚ କରିବାକୁ ହୁଏ।
ଘର କିଣାବିକା, ଘର ଭଡ଼ା ଦେବା, ଭଡ଼ାଟିଆକୁ ବାହାର କରିବା ସବୁ ଦାୟିତ୍ୱ ଏମାନେ ନେଇପାରନ୍ତି। ସେମାନେ ବ୍ରୋକର, ପ୍ରପର୍ଟି ଡ଼ିଲର, ପ୍ରପର୍ଟି କନ୍ସଲ୍ଟାଣ୍ଟ୍ ନାମରେ ଖ୍ୟାତ। ସେଇ ଦଲାଲର ଗୋଟାଏ ଇଂରେଜି ସଂସ୍କରଣ। ସେଠି ତୋର ଅଧେ ମୋର ଅଧେ ଫର୍ମୁଲା। ନହେଲେ କିଛି ବିକ୍ରି ଖରିଦ ହୋଇ ପାରିବ ନାହିଁ । ରେଜିଷ୍ଟ୍ରି ଅଫିସ, ଆଫିଡେଫିଟ୍, ନୋଟାରୀ ସବୁ ଦାୟିତ୍ୱ ଏମାନେ ନେଇ ଥାଆନ୍ତି। ଭାରି ପାୱାର୍‌ଫୁଲ୍ ଏମାନେ। ସେଠି ଅଳ୍ପରେ ଖସିବା ସହଜ ନୁହେଁ। ଏମାନେ ହେଲେ କୋର୍ଟର ବଡ଼ପଣ୍ଡା। ଯେମିତି ବଡ଼ ଦେଉଳରେ ବଡପଣ୍ଡାମାନଙ୍କ ଗୁମାସ୍ତା ଧୁଳିଆ ଗୁମାସ୍ତା। ଦରକାର ପଡ଼ିଲେ ମାଡ଼ ଫଉଦାରୀ ୟାଙ୍କର ଦୁଇମିନିଟର କାମ। ଏମାନେ ଚାହିଁଲେ କେତେ କଣ କରିଦେବାର ଆଶା ଦେଖାଇ କେଉଁଠାରେ ନେଇ ଠିଆ କରାଇ ଦେବେ, କହିବା କଠିନ। ଭୋଟରେ ଟିକଟ ଦରକାର? ଟେଣ୍ଡର କରେଇଦେବା, ଠିକାଦାରୀ ଦରକାର? ଚାକିରି, ପ୍ରମୋସନ ପଦୋନ୍ନତି, ସିନେମା ଟିକେଟ୍, କ୍ରିକେଟ ମ୍ୟାଚ୍ କଣ ଦରକାର? ସବୁ ସମସ୍ୟାର ସମାଧାନ ସୁଲଭ ମୂଲ୍ୟରେ ଉପଲବ୍ଧ। ଡ୍ରାଇଭିଂ ଲାଇସେନ୍ସ୍ ସମ୍ବନ୍ଧୀୟ ସମସ୍ତ କାଗଜ, ଜମି ବାଡ଼ି ପଟ୍ଟା ପାଉତି ସବୁ କାମ ପାଇଁ ଦେଖା କରନ୍ତୁ। କାମ ହେଉ କି ନାହିଁ ଏମାନଙ୍କ ଆତ୍ମ ବିଶ୍ବାସ କନ୍‌ଫିଡେନ୍‌ସ୍ ଦେଖିବା କଥା। ଏମାନଙ୍କର ଗୋଟାଏ ସମାନ୍ତରାଳ ସରକାର, ବା ପାରାଲାଲ୍ ଗଭର୍ଣମେଣ୍ଟ୍ ଦେଖିବା କଥା।
ଆଜିକାଲି ସାହିତ୍ୟ କ୍ଷେତ୍ରରେ ଏହାର ପ୍ରବେଶ ଦେଖାଯାଏ। ଏକାଡେମୀ ପୁରସ୍କାର, ଏଇଟା ନହେଲେ ଆରଟା ଆଉ ଗୋଟାଏ, ସେଇଟା ଚଳିବ? ସବୁଠେଇଁ ଦଲାଲ ବା ମିଡିଲ୍‌ମ୍ୟାନ୍ ଦରକାର ଥିଲେ, ଏଠି କାହିଁକି ନୁହେଁ? କହନ୍ତି, ଆଜିର ବୁଦ୍ଧିଜୀବିମାନେ। ଲୋକଙ୍କ ରୋଜଗାର ବଢ଼ିବ, ବେକାରୀ ଦୂରେଇଯିବ, ଦେଶ ଆଗକୁ ଧାଇଁବ। ଭଲ କଥା। ବୁଦ୍ଧିଜୀବି କଣ ଭୁଲ୍ କହିବେ ? ଆମେ ବୁଝିଗଲୁ।
ଅଭୟ ଦାଶ ଏବେ ଦିନେ ସୋସିଆଲ ମେଡିଆ ନିମନ୍ତ୍ରଣ କ୍ରମେ ଜଣେ ଖ୍ୟାତନାମା କବିଙ୍କ ତିରୋଧାନ ପରବର୍ତ୍ତୀ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଯାଇଥିଲା ଗୋଟିଏ ବିଖ୍ୟାତ ସଭାଗାରକୁ। ସେହି ସଭାରେ ଅନେକ ଜଣାଶୁଣା ଅତିଥି ବକ୍ତା ଆସି ଥାଆନ୍ତି। ସେମାନେ ଜଣେ ଜଣେ ଭଲ ଲେଖକ ଓ ବକ୍ତା ଥିଲେ। ସଭା କାର୍ଯ୍ୟ ଏକ ଘଣ୍ଟା ନହେଲେ ବି ପଞ୍ଚାବନ ମିନିଟ ବିଳମ୍ବରେ ଆରମ୍ଭ ହେବାରୁ ଆଗକୁ ଯେତେଦୂର ଯିବା କଥା ଚାଲିଲା। ପିଇବା ପାଣି ଟୋପାଏ ଦେବା କଣ ପରମ୍ପରା ବିରୋଧୀ? ସନ୍ଦେହ ହେଲା। କାରଣ ମଞ୍ଚ ଉପରେ ଜଣେ ବୟୋଜ୍ୟେଷ୍ଠ ବକ୍ତା ତୃଷାର୍ତ୍ତ ହୋଇ ପାଣି ଟିକିଏ ମାଗିବାରୁ ଏହା ତାଙ୍କ ପାଖରେ ତୁରନ୍ତ ପହଞ୍ଚିପାରିଲା ନାହିଁ। ଇଏ ସେହି ସାହିତ୍ୟ ଦଲାଲମାନଙ୍କ ବ୍ୟବସାୟୀ ଚିନ୍ତାଧାରା ନୁହେଁ ତ? ପ୍ରବେଶପଥରେ ଟେବୁଲ ଲାଗି ଜଣାଶୁଣା ଲେଖକଙ୍କ ବହି ସବୁ ମୁଦା ପଲିଥିନ୍ ଖୋଳ ମଧ୍ୟରେ ଚକ ଚକ ଦିଶୁଥାଆନ୍ତି। ଛୁଇଁବା ମନା। ମୁହଁଦେଖା ଦେଇ ଛୁଇଁପାରିବ। ସୁଦୃଶ୍ୟ ଶ୍ରଦ୍ଧାଞ୍ଜଳି ବହିଟି ଯେପରି ଛାତି ଉପରକୁ ଡେଇଁ ପଡିବାକୁ ଉଦ୍ୟତ ହେଉଥାଏ। ସେ ଦିବଂଗତ କବି, ଯାହାଙ୍କ ସ୍ମୃତିସଭା ହେଉଥାଏ, ମୋର ସମ୍ପର୍କୀୟ। ସେ ବକ୍ତାମାନେ ମୋର ପରିଚିତ, ସେଥିପାଇଁ ବହି ଖଣ୍ଡେ ଧରି ଓଲଟାଇ ଟଙ୍କା ପାଞ୍ଚ ଶହ ଦେଇ ଫେରି ଆସି ଘରେ ରାତି ଏଗାରଟାରେ ପହଞ୍ଚି ପାଉଁରୁଟି ଦି ଖଣ୍ଡ ଉଦରସ୍ଥ କରି ବହିର ପୃଷ୍ଠା ଓଲଟାଇ ମୁଣ୍ଡ ପିଟୁଥାଏ। ପରଲୋକଗତ କବିଙ୍କ ସ୍ମୃତିତର୍ପଣ ଯେଉଁ ବହିରେ କରାଯାଇଛି, ତାହାକୁ କୁହାଯାଇଛି କଫିଟେବୁଲ୍ ବୁକ୍; କଫି ଟୋପେ ଟୋପେ ପିଉଥାଆନ୍ତୁ, ଆଉ ପରଲୋକଗତ କବିଙ୍କର ସ୍ମୃତିରେ ଲୁହ ଗଡ଼ାଇବାର ମଜା ନେଉଥାଆନ୍ତୁ!
ମାନେ, ସାହିତ୍ୟ ଏବେ ଦଲାଲମାନଙ୍କ ହାତରେ, ଏଥିରେ କିଛି ସନ୍ଦେହ ଅଛି କି? ଭାବୁଥାଏ ସ୍ବାମୀ ଅଭୟାନନ୍ଦ।

3 thoughts on “ଦଲାଲ

  1. ସାହିତ୍ୟରେ ଏବେ ଦଲାଲି କରି ଚଳୁଥିବା ମହାମାନ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଗଲାଣି। ଏହାର ମୂଳୋତ୍ପାଟନ ଆବଶ୍ୟକ ଅଛି। ନହେଲେ ସାହିତ୍ୟ ଯେ ଦିନେ ଦିଗହରା ହୋଇଯିବ, ଏଥିରେ ସନ୍ଦେହ ନାହିଁ।

  2. ସଂପୂର୍ଣ୍ଣ ଅଙ୍ଗେ ନିଭାଇଛନ୍ତି ବୋଲି ଏତେ ସୁନ୍ଦର ଭାବରେ ଲେଖିଛନ୍ତି ବାବୁ ଅଭୟାନନ୍ଦ। ଆମେ ସମସ୍ତେ କିଛି ନା କିଛି ର ଭୁକ୍ତଭୋଗୀ। ବ୍ୟବସ୍ଥା ର ଅବ୍ୟବସ୍ଥା ପାଇଁ କ୍ଷୋଭ ହେବା ସ୍ଵାଭାବିକ। ଏ ଯୁଗ ଯାହା କାହାକୁ କିଛି କହି ହେବନି କି ସହି ହେବନି। ଧନ୍ୟବାଦ ଅଭୟାନନ୍ଦ ଏପରି ଏକ ଅନାଲୋଚିତ ଦଲାଲ ବିଷୟରେ ଆଲୋଚନା କରିଥିବାରୁ।

  3. ଆଜିକାଲି ସବୁ କ୍ଷେତ୍ରରେ ଦଲାଲି ଓ ଦଲାଲମାନକଙ୍କର ଆବିର୍ଭାବ ଓ ପ୍ରାଦୁର୍ଭାବ କହିଲେ ନ ସରେ। ସେଥିରୁ ସାହିତ୍ୟ ବା ବଞ୍ଚିତ ହେବ କିପରି ଭାବନ୍ତୁ। ସାହିତ୍ୟରେ ଦଳାଲିର ଜନ୍ମ ବହୁଦିନରୁ ହୋଇ ଏବେ ଶାଖା ପ୍ରଶାଖା ବିସ୍ତାରି ମହାଦ୍ରୁମ ହେବାକୁ ବସିଲାଣି। ତେଣୁ ଏହାର ମୁଳୋତ୍ପାଟନ ନିହାତି ଦରକାର। ନଚେତ୍ ସାହିତ୍ୟ ଦିନେ ଦିଗହରା ହେବାରେ କିଛି ସନ୍ଦେହ ହିଁ ନାହିଁ।

Leave a Reply

Your email address will not be published. Required fields are marked *