ସାହିତ୍ୟସଭାରେ ଟାଇମର୍

କେଉଁଠି ନା କେଉଁଠି ତ ଏ ‘ଟାଇମର୍’ ନାମକ ଅଙ୍କୁଶଟି ଲାଗିବାର ଥିଲା। ଆମ ରାଜ୍ୟରେ ସାହିତ୍ୟର ଦୁଇଟି ମୂଳ ଧର୍ମ, ଅର୍ଥାତ୍ ଲିଖନ ଓ ପଠନ, ଦିନକୁ ଦିନ ରସାତଳଗାମୀ ହେଉଥାଉ ପଛକେ, ସାହିତ୍ୟସଭାମାନେ କିନ୍ତୁ ଛତୁ ଫୁଟିବା ଭଳି ବ୍ୟାପିବାରେ ଲାଗିଛନ୍ତି ସର୍ବତ୍ର। ସେ ପୁସ୍ତକ ଉନ୍ମୋଚନ ହେଉ, ଲେଖକ ସମ୍ବର୍ଦ୍ଧନା, କବିତା ପାଠୋତ୍ସବ ଅବା ସାହିତ୍ୟ ଆଲୋଚନା, ଏଭଳି ଅବସରମାନଙ୍କୁ ଆଧାର କରି ଆୟୋଜିତ ହେଉଥିବା ସଭାମାନଙ୍କର ଅଭାବ ନାହିଁ। ସେ ମଞ୍ଚମାନ ପୁଣି ଏମନ୍ତ ଯେ ସେଠାରେ ହାତରେ ମାଇକ୍‌ଟିଏ ପଡ଼ିଗଲେ ବକ୍ତାମାନେ ତା’କୁ ସହଜରେ ଛାଡ଼ିବାପାଇଁ ନାରାଜ। ଫଳରେ ଏଭଳି ସଭାମାନଙ୍କରେ ସମୟର କିଛି ବାଡ଼ବତା ନଥାଏ; ଦୁଇ ଘଣ୍ଟାରେ ଶେଷ ହେବାକୁ ଥିବା ସଭା ଚାରି ଘଣ୍ଟାରେ ବି ସରିପାରେ ନାହିଁ। ମଞ୍ଚ ଉପରୁ ଭାସିଆସୁଥିବା ସାରହୀନ ଭାଷଣର ବର୍ଷଣ ମଞ୍ଚ ତଳର ଶ୍ରୋତାଙ୍କୁ ଏମିତି ଭାରାକ୍ରାନ୍ତ କରିଦିଏ ଯେ ସେମାନେ ସଭାଟିରେ ଅଣନିଃଶ୍ବାସୀ ହୋଇଯିବା ଭଳି ଅନୁଭବ କରନ୍ତି।
ଏ ହେଲା ଆଜିକାଲି ଆମର ଗାଁ’ରୁ ନେଇ ସହର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ସାହିତ୍ୟସଭାଗୁଡ଼ିକର ମୋଟାମୋଟି ଚିତ୍ର। ଅବଶ୍ୟ କିଛିଦିନ ତଳେ ଏହି ଧାରାକୁ ପ୍ରତିହତ କରିବାର ଗୋଟିଏ ଉଲ୍ଲେଖନୀୟ ପ୍ରଚେଷ୍ଟା ଆମେ ଦେଖିବାକୁ ପାଇଲୁ ‘ସମ୍ବାଦ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ପନ୍ଦର-ଦିନିଆ ସାହିତ୍ୟୋତ୍ସବରେ। ସେଥିରେ ପ୍ରତ୍ୟେକ ବକ୍ତାଙ୍କୁ ନିଜର ଅଭିଭାଷଣ ରଖିବାପାଇଁ କେଇ ମିନିଟ୍‌ର ସମୟ ଆବଣ୍ଟିତ କରାଯାଇ, ସେମାନଙ୍କ ସାମନାରେ ରଖିଦିଆଯାଇଥିଲା ଗୋଟିଏ ‘ଟାଇମର୍’, ଯାହାକୁ ଧ୍ୟାନରେ ରଖି ସେମାନଙ୍କୁ ସେହି ସମୟସୀମା ମଧ୍ୟରେ ହିଁ ନିଜର ଭାଷଣ ଶେଷ କରିବାକୁ ଅନୁରୋଧ କରାଯାଇଥିଲା। ତଥାପି ସଂକ୍ଷେପରେ ନିଜର ବକ୍ତବ୍ୟ ସାରି ମଞ୍ଚରୁ ଯଥାସମୟରେ ଓହ୍ଲାଇବାରେ ଅନଭ୍ୟସ୍ତ କେତେକ ବକ୍ତା ଏହି ନୂଆ ବ୍ୟବସ୍ଥାର ସାମନା କରିବା ପାଇଁ ଅପ୍ରସ୍ତୁତ ଥିବା ଅନୁଭବ କରିହେଉଥିଲା।
ଏହାର କିଛି ଦିନ ପୂର୍ବରୁ ରାଜଧାନୀର ଆଉ ଏକ ସଭାମଞ୍ଚରେ ଆୟୋଜିତ ଏକ ସାହିତ୍ୟସଭାରେ ଜଣେ ବକ୍ତାଙ୍କୁ ଆୟୋଜକମାନେ ଦଶ ମିନିଟ୍‌ର ସମୟସୀମା ମଧ୍ୟରେ ନିଜର ଭାଷଣ ଶେଷ କରିବାକୁ ଅନୁରୋଧ କରନ୍ତେ ସେ କ୍ଷୁବ୍ଧ ହୋଇ କହିବାର ଶୁଣାଗଲା, “ଆପଣମାନେ କ’ଣ ମନେକରନ୍ତି ଯେ ମୋ’ର କ’ଣ ଯଥେଷ୍ଟ ଜ୍ଞାନ ନାହିଁ; ସେଥିପାଇଁ ମୋତେ ଏତିକି ମାତ୍ର ସମୟ ଦେଇଛନ୍ତି?” ସେହି ମାନନୀୟ ବକ୍ତାଜଣକ ବୋଧହୁଏ ବୁଝିପାରି ନଥିଲେ ଯେ ଅଳ୍ପକଥନ ଭିତରେ ହିଁ ନିହିତ ଥାଏ ଜ୍ଞାନର ପ୍ରକୃତ ଗରିମା। ସେକ୍‌ସ୍‌ପିଅର୍ ନିଜର ‘ହାମଲେଟ୍’ ନାଟକର ଗୋଟିଏ ଚରିତ୍ର ମୁହଁରେ କୁହାଇଛନ୍ତି, “ବ୍ରେଭିଟି ଇଜ୍ ଦି ସୋଲ୍ ଅଫ୍ ଓ୍ବିଟ୍” (ସଂକ୍ଷିପ୍ତତା ହେଉଛି ମେଧାର ନିର୍ଯ୍ୟାସ)। କିନ୍ତୁ ପରିତାପର ବିଷୟ ଯେ ଆମ ମଞ୍ଚସଂସ୍କୃତିରେ ବକ୍ତାମାନେ ଏହାର ବିପରୀତବୋଧକ ତତ୍ତ୍ଵଟି ଉପରେ ଅଧିକ ବିଶ୍ବାସ ରଖନ୍ତି।
ତଥାପି ଆଜିକାଲି କେତେକ ନିର୍ଦ୍ଦିଷ୍ଟ ସାହିତ୍ୟ ସଭାରେ ଏହି ସମୟାନୁବର୍ତ୍ତିତା ସହିତ ବକ୍ତବ୍ୟର ସଂକ୍ଷିପ୍ତତାକୁ ଗୁରୁତ୍ବ ଦିଆଯାଉଯିବା ଏକ ଶୁଭ ସଙ୍କେତ। ରାଜଧାନୀର ଏକ ଜଣାଶୁଣା ସାହିତ୍ୟ ମଞ୍ଚ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ର ନିମନ୍ତ୍ରଣ ପତ୍ରରେ ସଭା ଆରମ୍ଭ ହେବାର ସମୟ ଅପରାହ୍ନ ୪ଟା ପରିବର୍ତ୍ତେ ଠିକ୍ ୩ଟା ବାଜି ୫୯ ମିନିଟ୍‌ରେ ବୋଲି ବୋଲି ଲେଖାଥାଏ; ଏବଂ ସଭାଟି ୧୨୦ ମିନିଟ୍ ଭିତରେ ସାରିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥାଏ।
ଆଜିର ବ୍ୟସ୍ତବହୁଳ ଓ ସମୟ-ନିଅଣ୍ଟ ଯୁଗରେ ଓଡ଼ିଶାର ସାହିତ୍ୟସଭାଗୁଡ଼ିକ ଏହି ନୀତି ଅନୁସରଣ କରିପାରିଲେ ସେଗୁଡ଼ିକର ଗରିମା ବୃଦ୍ଧିପାଆନ୍ତା।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ , ୨୦୨୫ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )

3 thoughts on “ସାହିତ୍ୟସଭାରେ ଟାଇମର୍

  1. ଠିକ୍ କହିଛନ୍ତ।ଅନେକ ସାହିତ୍ୟକ ମାନେ ଖାଇବା ପାଇଁ ଯୋଗ ଦିଅନ୍ତି । ଖାଇସାରିବା ପରେ ଛୁ। କବିତା ପାଠଉତ୍ସବ କଥା ନ କହିବା ଭଲ।
    ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ କୋଟି କୋଟି ଟଙ୍କା ଗଲା କୁଆଡେ?ଓଡ଼ିଆ ଭାଷାର ବିକାଶରେ କଣ ଅବଦାନ ଏମାନଙ୍କର ଅଛି?
    ସମସାମୟିକ ଅନ୍ୟ ଭାରତୀୟ ଭାଷା ରାଜ୍ୟ ମାନଙ୍କରେ ଏହି ପ୍ରକାର ହୀନମନ୍ୟତା ଦେଖାଯାଏ ନାହିଁ।
    ବିଚ୍ଛିନ୍ନାଞ୍ଚଳ ଅଧିବାସୀଙ୍କ ମଧ୍ୟରେ ଓଡ଼ିଆ ଭାଷାର ମୃତ୍ୟୁ ଆସନ୍ନ।

  2. ଗୋଟିଏ କଥା ସମସ୍ତେ ବୁଝିଛନ୍ତି ତଥାପି ଅବୁଝା…
    ସାହିତ୍ୟ ସଭାରେ କବିତା ପଠନ…
    ଯେଉଁ କବି, କବିତା ପଠନ କରିବାକୁ ଲାଳାୟିତ,ସେ ବନ୍ଧୁ ବୁଝିବା ଉଚିତ ଯେ…. ତା ସମ୍ମୁଖରେ ସମସ୍ତେ କବି … ଆଉ କବିତାର
    ଭାବାର୍ଥ କେବଳ କବିଙ୍କୁ ହିଁ ଜଣା…..
    ଧାର୍ଯ୍ୟ ରାଶି ଏକ ହଜାର ଟଙ୍କା ଯିଏ ଦେଇ ପାରିଲା,ସିଏ ସମ୍ବର୍ଦ୍ଧିତ…ଏଇ କଣ ବେପାର ????
    ପ୍ରକୃତ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଉ….
    ଅଯଥା କବିତା ପାଠ ରୁ କବି ମାନେ ନିବୃତ ରୁହନ୍ତୁ…
    ପ୍ରାୟ ଯେଉଁ ମାନେ ଲେଖା ଲେଖି କରିଛନ୍ତି,….ବା ସାହିତ୍ୟ ପ୍ରତି ପରମ ପ୍ରେମ ଅଛି,ସେମାନେ ଭଲ ଭାବେ ଜାଣିଛନ୍ତି ..ଆଜିକାଲି ସାହିତ୍ୟ ସଂସଦ ତରଫରୁ ବାର୍ଷିକ ଉତ୍ସଵ ନାମରେ ଶତାଧିକ କବି ,ଲେଖକଙ୍କୁ ମାତ୍ର ଏକ ହଜାର ଟଙ୍କା ବିନିମୟରେ ସମ୍ବର୍ଦ୍ଧିତ କରୁଛନ୍ତି …..
    ସାହିତ୍ୟକୁ ଭଲ ପାଉଥିବା ବ୍ୟକ୍ତି ଏପରି ଆଖି ବୁଜି ଏକ ହଜାର ଟଙ୍କା ବିନିମୟରେ ସ’ ଶ’ ଷ ଜାଣି ନ ଥିବା କବି ଲେଖକଙ୍କୁ ସମ୍ବର୍ଦ୍ଧନା କରନ୍ତୁ ନାହିଁ….ଏକ ବିନମ୍ର ନିବେଦନ

  3. ଅତି ନିଷ୍ଠୁର ସତକଥାଟି ବର୍ଣ୍ଣନା କରି ଆଜିକାଲି ସାହିତ୍ୟ ଉପାସନାର
    ଓ ସାହିତ୍ୟର ବିକଳ ଚିତ୍ରର ରୂପ ଦେଖାଇ ଦେଇଛନ୍ତି ଲେଖକ ମହାଶୟ।

Leave a Reply

Your email address will not be published. Required fields are marked *