ମହାନ୍ତିଙ୍କ ଫଟୋଉଠା

“କହିଲୁ କହିଲୁ, ଏ ଫଟ କେମିତି ଉଠେ ବା? ଆଇନା ଦେଖିଲାମିତି ନାଗିବ? ଏଇ କମରା ଟା କଣ କିଲୋ?”

ଆରତୀ ସାହୁ

ରଜାଘରକୁ କ୍ୟାମେରା ଆସିଛି। ରଜା ରାଣୀ ଫଟୋ ଉଠାଉଛନ୍ତି। ଖଜଣାରେ ଯେତେକ ସୁନା ରୂପା, ହୀରା, ନୀଳା, ଗହଣା ଥିଲା ସବୁତକ ରାଣୀ ନାଇ ପକେଇଛନ୍ତି। ବଳା ପାହୁଢ଼, କାପ, ଆର୍ମଲେଟ୍, ଅଣ୍ଟାବିଛା। ତାପରେ କ୍ଵିଣ୍ଟାଲ ଓଜନର କୁମ୍ଭକିନାରୀ ପାଟ ଲୁଗା। ରାଜା ତାଙ୍କର ତାମ ଝାମ ସହିତ ବାରହାତିଆ ଖଣ୍ଡା ଅଣ୍ଟାରେ ଖୋସି ତିଆର, ଫଟୋ ଉଠେଇବା ପାଇଁ। ରାଜସୀ ଠାଣିରେ ଗୋଟିଏ ଗୋଡ଼ ପାଇଦାନ୍ ଉପରେ ରଖି ଗୋଟିଏ ଫଟୋ ଉଠାଇଲେ। ଆଉ ଗୋଟିଏ ଦଶ ଆଙ୍ଗୁଳି ପ୍ରଦର୍ଶନ ପୂର୍ବକ ସିଂହାସନରେ ଆରୁଢ଼ ହୋଇ ଜକଜକ ଚମକୁଥିବା ପାଟରାଣୀଙ୍କ ସହିତ।
ସୁବଳ ମହାନ୍ତି, ରଜାଙ୍କର ବୋଲକରା ପାଖନୋକ। ସବୁ ବୁଦ୍ଧି ଦୁର୍ବୁଦ୍ଧି, ଭଲ ମନ୍ଦ କଥା କାନରେ କାନରେ କହିବା ଲୋକ। ଭୋଳା ଶଙ୍କରଙ୍କ ନନ୍ଦୀ, ଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ, ଗଣେଶଙ୍କ ମୂଷା, ଆଉ ଆଜିକାର ସମୟରେ ମୋଦିଙ୍କ ଅମିତ ଶାହା, କେଜ୍ରିଓ୍ଵାଲଙ୍କ ଶିସୋଦିଆ ପରିକା ଥିଲେ ସେହି ମହାନ୍ତି।
ବଡ଼ ନୁକଙ୍କୁ ଖୁସି କରେଇବା ପାଇଁ ବାହନମାନଙ୍କର ଚାପଲୁସି କରିବା ଉଚିତ। ମହାନ୍ତିଏ ରଜାଙ୍କର ବାହନ ଜାଣ।
ରାଣୀଙ୍କର ମୁଣ୍ଡ କୁଣ୍ଡାଳି ବିୟୁଟିସିଆନ ଛଇଳା ବୁଢ଼ୀ ଆସି ମହାନ୍ତିଆଣୀଙ୍କ ଅଗଣାରେ ଗୋଡ଼ ଲମ୍ବେଇ ବସି ପାନପିକ ଥୁ ଥୁ କରି କଥା କହୁଥାଏ, ଏଣେ ନୁଗା କାନିରେ ଓଠକୋଣରୁ ସିରକି ଯାଉଥିବା ନାଲିଆ ନାଳକୁ ପୋଛି ପକାଉଥାଏ। ସିଏ ସେ ଯୁଗର ଜାଣି ହ୍ଵାଟ୍ସଆପ, ଫେସବୁକ, ଯାହା କହିହେବ।

-“ହଇଲୋ  ସୁବଳବୋହୁ, ଜାଇଁଲୁଣି ଟି? ରଜାରାଣୀ ଫଟୋ ଉଠଉଛନ୍ତି। ଗୁରା ସାହେବମାନେ କମରା ନେଇ ଆଇଛନ୍ତି। ରଙ୍ଗ ତୁଳୀ କିଛିନାହିଁ, ତୋ ଭଳିଆ ଗୋଟେ ଫଟ କାଗଜରେ ହେଇଯିବଟି ଦଣ୍ଡକରେ। ଏଇ ଆରିସିରେ ଯେମିତି ଦେଖୁଛୁ, ଅବିକଳ ସେହି ଭଳିଆ ତ। ଏଇ ପା, ଏଇନା ଆସୁଛି ରାଣୀଙ୍କୁ ସଜ କରିକି। ଖଜୁରୀ ବେଣୀ ପାରି ବରଅଠା ନଗେଇ ପାତି କରି ମୁଣ୍ଡରେ ଖୋସା ବନେଇ, ତାଙ୍କ ଗୁରା ଦେହଟାକୁ ହଳଦୀ ମାଲପା ନଗେଇ ସଜ କରି ଆଇଲି। ଫଟୋ ଉଠେଇଲା ବେଳେ ମୁଁ ଟିକେ ଦେଖିବି କହିଲି ଯେ ସେ ସିପେଇ ରଇଜଳା ଖେଦଡ଼େଇ ଦେଲା ପା।”
ମହାନ୍ତିଆଣୀ ତ ଫୁଲେଇ ରାଣୀ ସଜଫୁଲ। ଚମ୍ପାଗୋରୀ , ନାଗୁଣୀ ପରି ଚୁଟି। ତାଙ୍କର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଗୋଟିଏ ଗୋଟିଏ ଫଳ ଫୁଲର ଉପମା ଦେବା କମ୍ ପଡ଼ିବ କି କଣ। ବିମ୍ବାଧରୀ, ଦାଳିମ୍ବଦାନ୍ତି, ଚମ୍ପକ କଢି଼ଆ ଆଙ୍ଗୁଳି, ପଦ୍ମଲୋଚନୀ।
-“ଇଲୋ, ସତେ ନା କଣ? କହିଲୁ କହିଲୁ, ଏ ଫଟ କେମିତି ଉଠେ ବା? ଆଇନା ଦେଖିଲାମିତି ନାଗିବ? ଏଇ କମରା ଟା କଣ କିଲୋ?”
-“ଆଲୋ, ସେଇଟା ଗୋଟେ ଯନ୍ତର। ସୁବଳାକୁ କୁହନ୍ତୁନି ନା , ତୋର ଯେଉଁ ରୂପ ନା। ଫଟ ଗୁଟେ ଉଠାନ୍ତା ରଜାକୁ କହି। ବୁଢ଼ୀ ହେବୁବେଳେ ଦେଖୁଥିବୁ। ରୂପ ସିନା ମଉଳିବ। ଫଟ ତ ସଜ ସବୁବେଳେ।”
-“ଆଚ୍ଛା ? ମୁଁ ବୁଢ଼ୀ ହେଲେ ବି ସେଇଟା ଜୁଆଣ ଥିବ ନା କଣ? ହେସ୍ ଭଣ୍ଡୁଛୁ ମୋତେ। ମୋ ବୋଉ ତ ଅଇନାରେ ବି ଧୋକଡି଼ ଦିଶୁଛି।”
-“ଆଲୋ , ଫଟ କଣ ଅଇନା? ମୁଁ ରାଣୀ ପରି ମୁଣ୍ଡ ବାନ୍ଧିଦେବି। ସେଇ ଯେଉଁ ନାଲିଆ ବରଫୁଲିଆ ନୁଗାଟା ପେଟରାରେ ସାଇତିଛୁ , ପିନ୍ଧି ପକେଇବୁ। କହ କହ ସୁବଳାକୁ ବେଳ ଦେଖି।”
ମନକୁ ପାଇଲା କଥାଟା। ହେଲେ ମିଣିପି ମଣିଷକୁ ମନେଇବା କି ସହଜ କଥା? କୋପ ଭବନ ଦରକାର, କୈକେୟୀ ହବା ଦରକାର।
ଢେଙ୍କିଶାଳଟା ଠିଇକି କୋପ ଭବନ। ମହାନ୍ତିଆଣୀ ପେଟେଇ ଶୋଇଲେ ଢିଙ୍କିକୁ କୁଣ୍ଢେଇ। ଭାଲୁକୁଣିଆ ଚୁଟିକୁ ଢିଙ୍କି ଗାତରେ ପୁରେଇ ।
ମହାନ୍ତିଏ ଆସି ଚାରିଆଡ଼େ ଖେଦିଗଲେ, ରୋଷେଇଘର, ଭଣ୍ଡାର ଘର, ଗୁହାଳ ଘର, କୂଅ ଶାଳ।
-“ଏଟା ଗଲା କୁଆଡ଼େ, ଆଲୋ ଏଇଠି ପଡି଼ଛୁ ନା? ଦେ ଦେ ପଖାଳ ମୁଠେ ଚାଣ୍ଡେ ବାଢ଼ି ଦେ। “
-“ଉହୁଁ ,
ମହାନ୍ତିଆଣୀ ମୁହଁ ବୁଲେଇଦେଲେ।
-“ଆଲୋ ହେଇଛି କଣ?”
ଲୁହ ଦେଖିଲେ ତ ପୁରୁଷଙ୍କର କଲିଜା ପାଣି।
-“ଫଁଟଁ ଉଁଠିଁମିଁ।”
-“କଣ?”
-“ଫଁଟଁ, ଫଁଟଁ।”
-“ଓହୋଃ, ଫଟୋ। ଇଲୋ ତୁ କେମିତି ଜାଇଁଲୁ?”
-“ଯେମିତି ଜାଇଁଲି।”
-“ହଁ ସେହି ନଗା ନୁତୁରୀ , ପାନିଆଁ ପତରି ଛଇଳା ବୁଢ଼ୀ କହିଥିବ। ଫଟୋଉଠା କଣ ସହଜ କଥା କିଲୋ। ହେଉ, ଦେଖେ। ମୋର ବି ଭାରି ମନ ଖଣ୍ଡେ ଫଟୋ ଉଠେଇବାକୁ ତୋ ସାଙ୍ଗେରେ।”
ମହାନ୍ତିଙ୍କୁ ଅଭିଲା କଣ ? ପାରିବାର ଲୋକ ସିଏ।
ଫଟୋ ଉଠା ଡେଟ୍ ଫିକ୍ସି ହେଇଗଲା। ଛଇଳା ବୁଢ଼ୀ ସଜ କରିଦେଲା ମହାନ୍ତିଆଣୀଙ୍କୁ। ଖୋସାରେ ମଲ୍ଲିମାଳ ଖଞ୍ଜିଦେଲା। ମଥାରେ ଝଲଝଲିଆ ଟିକିଲି (ରାଣୀ ମହଲରୁ ହାତପଇଠ) ପଣସ ଅଠା ଦେଇ ନଗେଇଦେଲା। ମୁଣ୍ଡରେ ରୂପା ଫୁଲ , ରୂପା ପାନିଆ। ପାଦରେ ଯୋଡ଼ାମଲ, ଅଳତା। ବଟଫଳ, ଝୁମୁକା , ସବୁ ନଗେଇ ମହାନ୍ତିଆଣୀ ଝଲଝଲିଆ ଦିଶିଲେ। ମହାନ୍ତି ସରୁ ଧୋତି ଚଦର , ଧୋତି କାନିଟିଏ ଡାହାଣ ହାତରେ , ଚଦର ଗୁଡି଼ଆ ହେଇଛି ବାମ ହାତରେ, ପାମ୍ପ ଜୋତା।
ଗୁହାଳ ଦୁଆରେ କଲିକତି ଚଦର ଟଣାହେଲା। ଦୁଇଟି ମାନ୍ଧାତା ଅମଳର କାଠ ଚଉକିରେ ଧଳା କପଡ଼ା ପଡ଼ିଲା ।
ଗୁରା ସାହେବ କେମେରା ସଜିଲ କଲେ। ମହାନ୍ତିଏ ବସିଲେ ରାଜସୀ ଠାଟରେ ଦଶ ଆଙ୍ଗୁଳି ଦୁଇ ଆଣ୍ଠୁ ଉପରେ ଥୋଇ। ମହାନ୍ତିଆଣୀ ବି ବସିଲେ। ଗଳି ଦୁଆରେ ଗାଁ ଲୋକ ଆଉ ଛୁଆଙ୍କ ଭିଡ଼ାଭିଡ଼ି। ମହାନ୍ତି ହୁରୁଡେଇଲେ ବି ପୁଣି ପଳେଇ ଆସୁଥାନ୍ତି ଫଟୋଉଠା ଦେଖିବା ପାଇଁ।
ଗୁରା ସାହେବ କହିଲା,
-“ଓ୍ରେଡି , ଓ୍ଵନ୍ , ଚ୍ୟୁ , ଛ୍ରି।”
କେମେରା ବୋବେଇଲା, କଡ଼ାକ୍।
ଫଟୋ ଉଠିଗଲା । ଗଡ଼ ଜିଣିଲା ପରି ଉଠିଲେ ମହାନ୍ତିଏ । ଲାଜକୁଳୀ ଲତାପରି ନଇଁପଡ଼ି ଧାଇଁ ପଳେଇଲେ ଘରୁକୁ ମହାନ୍ତିଆଣୀ। ଛୁଆମାନେ ପେଲାପେଲି ହେଇ ପଳେଇଲେ ଦାଣ୍ଡକୁ।
ସାତଦିନ ପରେ ଫଟୋ ଡେଭଲପ ହେଇ ଆସିଲା। ମହାନ୍ତି ଖୁସିରେ ବିଭୋର। ଜମିଦାର ଭଳିଆ ଫଟୋ ଉଠିଛି ତାଙ୍କର। ମହାନ୍ତିଆଣୀ ଧାଇଁ ଆସିଲେ ଫଟୋ ଦେଖିବା ପାଇଁ।
ଫକ୍ କିନା ଉତୁରିଗଲା ମୁହଁଟା।
 -“ଇଲୋ ଇଏ କଣ? ମୋ ସୁନ୍ଦୁରିଆମୁହଁଟା ତ କାଇଁ ଦୁଶୁନାହିଁ। ଇଏ କି ଫଟ ବା?”
କଥା କଣ କି, ଲାଜକୁଳୀ ଲତା ମହାନ୍ତିଆଣୀ ନାଜରେ ହାତେ ଓଢ଼ଣା ଦେଇ ଫଟୋ ଉଠିବାକୁ ବଇଥିଲେ।
ଆଉ? ଦାଣ୍ଡନୁକ , ବିଦେଶୀ ବିଲେଇମୁହାଁ ଗୁରା ନୁକଙ୍କୁ ନାଜ କରି ନଥାନ୍ତେ ନା?

6 thoughts on “ମହାନ୍ତିଙ୍କ ଫଟୋଉଠା

  1. ଖୁବ ସୁନ୍ଦର ବ୍ୟଙ୍ଗ ରମ୍ୟ ରଚନା ମନଛୁଆଁ। ସୁନ୍ଦର ପରିକଳ୍ପନା ଅତୀତ ଆଚାର ବ୍ୟବହାରକୁ ବ୍ୟବହାର କରି।

  2. ଲେଖାଟି ଅତି ସୁନ୍ଦର ହୋଇଛି

  3. ସୁନ୍ଦର ଗପ। ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠା ରହିଲା। କାହାଣୀ ସହିତ ଖାପ ଖାଇବା ଭଳି ଶବ୍ଦ ବିନ୍ୟାସ।

Leave a Reply

Your email address will not be published. Required fields are marked *