ଓଡ଼ିଆ ଭାଷାର ସାଂସ୍କୃତିକ ବ୍ୟାକରଣ

ବହିଟିର ସମ୍ପୂର୍ଣ୍ଣ ନାମ ହେଲା, ‘ଓଡ଼ିଆ ଭାଷାର ସାଂସ୍କୃତିକ ବ୍ୟାକରଣ: ଦିଗ ଓ ବିଦିଗ’। ଆମ ଭାଷାର ବ୍ୟାକରଣ ପରିଚର୍ଚ୍ଚାରେ ଦିଗ ହିଁ ପ୍ରାଧାନ୍ୟ ପାଇଥାଏ, ବିଦିଗ ନୁହେଁ। ସେହି ଅନାଲୋଚିତ ବିଦିଗ, ଅର୍ଥାତ୍ ଆମ ବ୍ୟାକରଣର ସାଂସ୍କୃତିକ ଦିଗ ଉପରେ ଅନନ୍ୟ ବିଶ୍ଳେଷଣ ସ୍ଥାନ ପାଇଛି ଏହି ପୁସ୍ତକରେ। ଏଥିରେ ଆଲୋଚନା କରାଯାଇଥିବା ପ୍ରସଙ୍ଗଗୁଡ଼ିକ ବେଶ୍ ରୋଚକ, ଯେମିତି, ‘ଓଡ଼ିଆ ଭାଷାର ରୂପ-ଗୁଣ ଓ ଏଥିରେ ଦ୍ରାବିଡ଼ ତଥା ମୁଣ୍ଡା ଗୋଷ୍ଠୀର ଅବଦାନ’, ‘ଓଡ଼ିଆ ଭାଷାରେ ନିଆଁ ଲାଗିଲା କେମିତି’, ‘ପୁରୀର ନିତିଆନି’, ତଥା ‘ଓଡ଼ିଆ-ବଙ୍ଗଳାର ସାର୍ବନମିକ ବ୍ୟବସ୍ଥା ଓ ତା’ର ସାମାଜିକ-ସାଂସ୍କୃତିକ ପ୍ରେକ୍ଷାପଟ।’ ସର୍ବୋପରି ଏହି ପୁସ୍ତକଟିର ଆଭିମୁଖ୍ୟ ଆହୁରି ସ୍ପଷ୍ଟ ହୋଇଛି ଶେଷତମ ଅଧ୍ୟାୟରେ ଯେଉଁଠାରେ ଲେଖକ ଭାଷା ଓ ସଂସ୍କୃତିର ପାରସ୍ପରିକତା କଥା ଆଲୋଚନା କରିଛନ୍ତି, ଯାହା ଆମ ବ୍ୟାକରଣରେ ସାଂସ୍କୃତିକ ସ୍ରୋତର ମହତ୍ତ୍ୱ ପ୍ରତିପାଦିତ କରିଛି।
ପୁସ୍ତକଟିରେ ରୂପାୟିତ ହୋଇଥିବା ବିମର୍ଶର ଗୋଟିଏ ନମୁନା ଭାବରେ ଓଡ଼ିଆ ଭାଷାରେ ‘ନିଆଁ’ ଶବ୍ଦର ବ୍ୟୁତ୍ପତ୍ତି ଓ ପ୍ରଚଳନର ପ୍ରସଙ୍ଗକୁ ଦିଆଯାଇପାରେ, ଯେଉଁଥିପାଇଁ ଏହାର ଗୋଟିଏ ସମ୍ପୂର୍ଣ୍ଣ ଅଧ୍ୟାୟ ସମର୍ପିତ ହୋଇଛି। ଏହା ଏପରି ଏକ ଶବ୍ଦ ଯାହା ଭାରତୀୟ-ଆର୍ଯ୍ୟ ଭାଷା ପରିବାରର ପ୍ରମୁଖ ଭାଷାଗୁଡିକ ମଧ୍ୟରୁ କେବଳ ଓଡ଼ିଆରେ ବ୍ୟବହୃତ ହୁଏ। ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ସଂସ୍କୃତରେ ଥିବା ‘ଅଗ୍ନି’ ଶବ୍ଦ ସହିତ ‘ନିଆଁ’ର କୌଣସି ସମ୍ପର୍କ ନାହିଁ। ଏ ବିଷୟରେ ସବିଶେଷ ବ୍ୟାଖ୍ୟାକରିବା କ୍ରମରେ ଲେଖକ ସଂସ୍କୃତ ଶବ୍ଦସୂତ୍ରରୁ ନେଇ ସାରଳା ମହାଭାରତ ପର୍ଯ୍ୟନ୍ତ ବହୁ ସ୍ରୋତର ସମ୍ଭାବନା ନିଜର ଚର୍ଚ୍ଚା ଭିତରକୁ ଆଣିଛନ୍ତି। ଶେଷକୁ ସେ ଯେଉଁ ନିଷ୍କର୍ଷରେ ପହଞ୍ଚିଛନ୍ତି, ତାହାହେଲା,”ସାରଳା ମହାଭାରତଠାରୁ ଆରମ୍ଭ କରି ବିଭିନ୍ନ ସମୟର ସାହିତ୍ୟକୃତିଗୁଡ଼ିକ ଉପରେ ଆଖି ବୁଲେଇନେଲେ ବହୁ ଦ୍ରାବିଡ଼ ଶବ୍ଦ ଓ ପ୍ରତ୍ୟୟ ଓଡ଼ିଆରେ ପ୍ରବେଶ କରିଥିବାର ଆମେ ଦେଖିବା। ମନେହୁଏ ‘ନିଆଁ’ ମଧ୍ୟ ଏକ ଦ୍ରାବିଡ଼ ଶବ୍ଦ।”
ସେହିପରି ଅନ୍ୟ ଏକ ଅଧ୍ୟାୟରେ ଦୁଗ୍ଧ ଅର୍ଥରେ ପୁରୀରେ ବ୍ୟବହୃତ ହେଉଥିବା ‘ନିତିଆନି’ ଶବ୍ଦ ଉପରେ ଆଲୋକପାତ କରିଛନ୍ତି ଲେଖକ। ଅନ୍ୟତ୍ର ‘ମାମୁଁ’ ଶବ୍ଦର ପ୍ରାସଙ୍ଗିକ ପ୍ରୟୋଗ ବିଷୟ ମଧ୍ୟ ଚର୍ଚ୍ଚିତ ହୋଇଛି। ଅବଶ୍ୟ ‘ଲେଖନୀର ପାଠଶାଳା’ ନାମକ ପୁସ୍ତକରେ ସ୍ୱର୍ଗତ ରାମକୃଷ୍ଣ ନନ୍ଦ ଏହି ଶବ୍ଦଟିକୁ ‘ମାମୁଁ’ ପରିବର୍ତ୍ତେ ‘ମାମୁ’ ଭାବରେ ଲେଖିବା ପାଇଁ ଦେଇଥିବା ମତ ଏହି ଚର୍ଚ୍ଚା ଭିତରକୁ ଆସିନାହିଁ।
‘ପୁସ୍ତକର ଚଉକାଠ’ ଶୀର୍ଷକ ମୁଖବନ୍ଧଟିରୁ ଜଣାପଡ଼େ ଯେ ‘ସାଂସ୍କୃତିକ ବ୍ୟାକରଣର ଅବଧାରଣାଟି ଅର୍ବାଚୀନ ଓ ନୂଆ।’ ଲେଖକ କହିଛନ୍ତି ଯେ ଓଡ଼ିଆ ସଂସ୍କୃତିର ମୂଳଦୁଆ ମୌଖିକ ଏବଂ ଏହା ଆର୍ଯ୍ୟ, ଦ୍ରାବିଡ଼ ତଥା ମୁଣ୍ଡା – ଏହି ତିନୋଟି ସ୍ରୋତର ଏକ ‘ଅଭିହିତ ସଙ୍ଗମ’। ପୁସ୍ତକଟିରେ ସାକାର ହୋଇଥିବା ଅନୁଶୀଳନର ଧାରାକୁ ଲକ୍ଷ୍ୟ କଲେ ଏଥିରେ ଓଡ଼ିଆ ଭାଷା ଉପରେ ଦ୍ରାବିଡ଼ ଭାଷାର ପ୍ରଭାବ ପ୍ରତି କିଛି ପୂର୍ବାଗ୍ରହ ଦିଶିଯାଏ। ତେବେ ଏହି ପୁସ୍ତକ ଓଡ଼ିଆ ଭାଷାର ସାଂସ୍କୃତିକ ବ୍ୟାକରଣର ପ୍ରଣୟନ ପାଇଁ ଏକ ନୂଆ ଦିଗ ଉନ୍ମୋଚନ କରିଛି; ଏବଂ ଆଶା କରାଯାଏ ଯେ ଏହାର ପ୍ରତିକ୍ରିୟାରେ ଆମ ରାଜ୍ୟର ଅନ୍ୟ ବ୍ୟାକରଣବିତ୍‌ମାନେ ଏଥିରେ ଉପସ୍ଥାପିତ ବିଭିନ୍ନ ତଥ୍ୟ ଉପରେ ଏକ ଅର୍ଥପୂର୍ଣ୍ଣ ବିତର୍କ ପାଇଁ ଆଗେଇ ଆସିବେ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

7 thoughts on “ଓଡ଼ିଆ ଭାଷାର ସାଂସ୍କୃତିକ ବ୍ୟାକରଣ

  1. ବହୁତ ସୁନ୍ଦର ପ୍ରୟାସ ଓ ଆପଣଙ୍କର ସୂଚନା, ଭାଇ। ସଫଳତା କାମନା କରୁଛି।

  2. ଚମତ୍କାର ।
    ବହିର ଆଲୋଚନାକୁ କେଉଁ ଉଚ୍ଚତାକୁ ନେଇଯାଇ ପାରନ୍ତି,
    ଆପଣ ସତରେ !
    ବହିଟିର ବିଷୟବସ୍ତୁ ବି ତ ସେମିତି !

    ୨ ।
    ନିଆଁ ଶବ୍ଦ ସଂପର୍କରେ ପଦେ।

    ପ୍ରହରାଜ ଭାଷାକୋଷରେ କିନ୍ତୁ, ନିଆଁ ଶବ୍ଦଟିକୁ ଅଗ୍ନିର ଦେଶଜ ବ୍ଯାବହାରିକ ରୂପ ବୋଲି କୁହାଯାଇଛି ।

    ଅଗ୍ନି –>ଅଗ୍ନି ର ବିପର୍ଯ୍ୟସ୍ତ ରୂପ ହେଉଛି ଗ୍ନିଅ — > ନିଅଁ –> ନିଆଁ
    ( ଚତୁର୍ଥ ଭାଗ, ପୃଷ୍ଠା ୪୨୬୧)

    ତେବେ, ଆମର “କଥିତ ଭାଷା” ଉପରେ ଦକ୍ଷିଣ ଓ ମରହଟ୍ଟୀ ଭାଷାର କେତେକ ଶବ୍ଦର କିଛି କିଛି ପ୍ରଭାବ ରହିବା ସ୍ବାଭାବିକ।

    ୩ ।
    ଲେଖକଙ୍କୁ ଏବଂ ଆପଣଂକୁ କୋଟିଏ ନମସ୍କାର ।

    ଶ୍ଯାମା

  3. ଏତେ ସୁନ୍ଦର ଭାବରେ ଲିଖିତ ସମୀକ୍ଷା ଏକ ଭାବପୂର୍ଣ୍ଣ ପୁସ୍ତକରେ ବର୍ଣ୍ଣିତ ବା ଆଲୋଚିତ ଓଡ଼ିଆ ଭାଷାର ଉତ୍ପତ୍ତି ଓ ବିଭିନ୍ନ ସଂସ୍କୃତିର ଉତ୍ଥାପନ ଯେ ନିହାତି ତାତ୍ପର୍ଯ୍ୟ ପୁର୍ଣ୍ଣ ଏହା ନିର୍ବିବାଦରେ କୁହାଯାଇପାରେ।

  4. “ସାଂସ୍କୃତିକ ବ୍ୟାକରଣ” ଏକ ଗୁରୁତ୍ବପୂର୍ଣ୍ଣ ଅବଧାରଣା ।
    ଏହି ବିଷୟରେ ଖ୍ୟାତନାମା ଭାଷା ଗବେଷକ ଡ.ପଞ୍ଚାନନ ମହାନ୍ତିଙ୍କ ଶଂସିତ ପୁସ୍ତକର ସମୀକ୍ଷା କରି “ସାହିତ୍ୟ ଚର୍ଚ୍ଚା”ର ସମ୍ପାଦକ ମହାଶୟ ପ୍ରଶଂସାର ପାତ୍ର। ଏହି ପୁସ୍ତକଟି କିଣି ପଢ଼ିବାର ଆଗ୍ରହ ହେଉଛି। ଧନ୍ୟବାଦ ।

  5. ଗୁଣୀ ବନ୍ଧୁମାନଙ୍କୁ ମତାମତପାଇଁ ନମସ୍କାର l
    ଶ୍ୟାମାପ୍ରସାଦବାବୁ! ନମସ୍କାର !
    ‘ଭାଷାକୋଷ’ ନିଆଁ ପାଖରେ ଝୁଣ୍ଟି ପଡିଚି l ଆମ କଥିତ ଭାଷାଗୁଡିକରେ ଶବ୍ଦର ଆରମ୍ଭରେ ଯୁଗ୍ମ ବ୍ୟଞ୍ଜନ ଧ୍ୱନି ରହିବା ବିପକ୍ଷରେ ପ୍ରଚୁର ଉଦାହରଣ ମିଳେ l ଯେମିତି, ମୁର୍ଦଙ୍ଗ (ମୃଦଙ୍ଗ), ପର୍ସାଦ (ପ୍ରସାଦ), ଟେସନ (station), ଇତ୍ୟାଦି l ଏଇଥିପାଇଁ କୌଣସି ଭାଷାରେ ଅଗ୍ନିଭଳି ଶବ୍ଦ ‘ଗ୍ନିଅ’ ହବା ସମ୍ଭବ ନୁହେଁ l ତା’ପରେ ‘ଗ୍ନି’ରେ ‘ନ’ଟି
    ଦୁର୍ବଳ l ଫଳରେ ‘ଗ’ ଏହାକୁ ଆତ୍ମସାତ କରିଦେଇଚି l ତେଣୁ ଭାରତୀୟ ଭାଷାଗୁଡିକରେ ଅଗି, ଆଗୁନ, ଓ ଆଗ ଚଳୁଚି l ଆମ ସଂସ୍କୃତ-ଉନ୍ମୁଖତା ହିଁ ଏ ପ୍ରକାର ପ୍ରମାଦର ମୂଳ କାରଣ l ବେକ, ଛାତି, ପେଟ, ଗୋଡ଼, କୋଡ଼ିଏ, ପ୍ରଭୃତିର ମୂଳ ସଂସ୍କୃତରେ ନାହିଁ l ଏଠି ଉଲ୍ଲେଖନୀୟ ଯେ ଆମ ପ୍ରଦେଶର ତିନିଟିଯାକ ନାଁ(ଓଡ଼ିଶା, ଉତ୍କଳ, କଳିଙ୍ଗ)ର ଉତ୍ସ ସଂସ୍କୃତ ନୁହେଁ l ତେଣୁ ଭାଷା ଓ ସଂସ୍କୃତି ଚର୍ଚ୍ଚାରେ ଆମ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ନିହାତି ଆବଶ୍ୟକ l

  6. ମାମୁଁ ନା ମାମୁ?
    ‘ସାହିତ୍ୟ ଚର୍ଚ୍ଚା’ର ମାର୍ଚ୍ଚ ସଂଖ୍ୟାରେ ‘ଓଡ଼ିଆ ଭାଷାର ସାଂସ୍କୃତିକ ବ୍ୟାକରଣ’ ବହିଟିର ସମୀକ୍ଷାରେ ସମୀକ୍ଷକ ନିହାର ଶତପଥୀ ଲେଖିଚନ୍ତି, “…ସ୍ବର୍ଗତ ରାମକୃଷ୍ଣ ନନ୍ଦ ଏହି ଶବ୍ଦଟିକୁ ‘ମାମୁ’ ଭାବରେ ଲେଖିବାପାଇଁ ଦେଇଥିବା ମତ ଏହି ଆଲୋଚନା ଭିତରକୁ ଆସିନାହିଁ l” ତେଣୁ ଏ ସମ୍ପର୍କରେ ଏକ ସ୍ପଷ୍ଟୀକରଣର ଆବଶ୍ୟକତା ରହିଚି l
    ‘ଲେଖନୀର ପାଠଶାଳା'(2024:23)ରେ ରାମକୃଷ୍ଣ ନନ୍ଦଙ୍କ ମତ ହେଲା- “ମାମା, ମାମୀ ଯେପରି ଉଚ୍ଚାରଣ ହେଉଛି, ମାମୁ ସେହିପରି ହେବ l କୌଣସିଠାରେ ଚନ୍ଦ୍ରବିନ୍ଦୁ ଦେବାର ପ୍ରଶ୍ନ ଉଠୁନାହିଁ l ମୁଁ ଶବ୍ଦର ଅନୁକରଣରେ କେହି କେହି ମାମୁଁ ଲେଖନ୍ତି l ମାତ୍ର ତାହା ଅଶୁଦ୍ଧ l ଗ୍ରନ୍ଥମନ୍ଦିର ଦ୍ୱାରା ପ୍ରକାଶିତ ତରୁଣ ଶବ୍ଦକୋଷରେ ମାମୁଁ ଭୁଲ ବୋଲି ଦର୍ଶାଇଯାଇଛି l” ନନ୍ଦଙ୍କର ଏ ମତ ଅଯୌକ୍ତିକ ବୋଲି ଏଠି ବିନୟରସହ କହିବାକୁ ହବ l ତା’ପରେ ‘ତରୁଣ ଶବ୍ଦକୋଷ’ରେ ଯାହା ଅଛି, ସେସବୁ ନିର୍ଭୁଲ ନୁହେଁ; ଫଳରେ ପୁନର୍ବିଚାରଯୋଗ୍ୟ l
    ଆମେ ଜାଣେ ଯେ କଥିତ ଓ ଲିଖିତ ଉଭୟ ଭାଷା ନିୟମାନୁସାରୀ l ସେଇ ନିୟମଗୁଡିକର ଉଦ୍ଘାଟନ ବ୍ୟାକରଣକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ l ଓଡ଼ିଆ ଭାଷାର ବହୁ ନିୟମ ହିନ୍ଦୀ ଓ ବଙ୍ଗଳାଠାରୁ ଭିନ୍ନ ଓ ଏସବୁ ଏହାର ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ l ହିନ୍ଦୀ ଓ ବଙ୍ଗଳାରେ ନାସିକ୍ୟ ବ୍ୟଞ୍ଜନସହିତ ବ୍ୟବହୃତ ସ୍ୱର ଧ୍ବନିଟି ଅନୁନାସିକ ହେଇଥାଏ l ଦୃଷ୍ଟାନ୍ତସ୍ୱରୂପ,
    /ମାଁ/ l ଆଜିକାଲି କେତେକ ଓଡ଼ିଆ ବୋଧହୁଏ ହିନ୍ଦୀର ଅନୁକରଣରେ ଭୁଲବଶତଃ /ମାଁ/ ଲେଖୁଥିଲେ ହେଁ ଏପରି ଅନୁନାସିକତା ସମ୍ପୂର୍ଣ୍ଣଭାବେ ବର୍ଜନୀୟ l ଏହା ଓଡ଼ିଆ ଭାଷାର ଅନ୍ୟତମ ପ୍ରତିଭା ଓ ଆମ ଅସ୍ମିତାର ପ୍ରତୀକ l ଓଡ଼ିଆରେ ନିରନୁନାସିକ /ମା/ (ବା ‘ମାଆ’) କଥିତ ଭାଷାନୁସାରୀ ଓ ଏହାହିଁ ମାନକ ଉଚ୍ଚାରଣ l ଏଇ ଶବ୍ଦଟିର ମୂଳ ହେଲା ‘ମାତା’ l ଆଉ ଗୋଟିଏ ଉଦାହରଣ ନେଇ ବିଚାର କରିବା l ସଂସ୍କୃତ ଶବ୍ଦ ‘ନାମ’ରେ /ନା/ ପରେ ନାସିକ୍ୟ /ମ/ ଥିବାହେତୁ ଏଥିରୁ ନିଷ୍ପନ୍ନ
    /ନାଁ/ ଅନୁନାସିକ ହେଇଚି l ମାତ୍ର ଅନ୍ୟ ଏକ ସଂସ୍କୃତ ଶବ୍ଦ ‘ନାବ’ରେ /ନା/ପରେ ଅଣନାସିକ୍ୟ /ବ/ର ଉପସ୍ଥିତିଯୋଗୁଁ ନଉକା ଅର୍ଥବୋଧକ ‘ନା’ରେ (ବା ‘ନାଆ’ରେ) ଅନୁନାସିକାତାର ସୁଯୋଗ ନାଇଁ l ଠିକ ସେମିତି, ‘ବାତ’ରୁ ବାଆ, କିନ୍ତୁ ‘ବାମ’ରୁ ବାଁ/ବାଆଁ l
    ଏଠି ଉଲ୍ଲେଖନୀୟ ଯେ ‘ମାମୁଁ’ ଶବ୍ଦର ମୂଳ ସଂସ୍କୃତ ‘ମାତୁଲ’ (କିମ୍ଵା ମାତୁଳ) ନୁହେଁ l କାରଣ /ତୁଲ/ କସ୍ମିନ କାଳେ
    /ମୁଁ/ ବା /ମୁ/କୁ ପରିବର୍ତ୍ତିତ ହେଇପାରିବନାଇଁ l ‘ମାମୁଁ’ର ଉତ୍ସ ଭିନ୍ନ l ତେଣୁ ‘ମାମୁଁ’ ଲେଖିବାରେ କିଛି ଅସୁବିଧା ନାଇଁ l
    ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା l ‘ମାମୁଁ’ରେ ଚନ୍ଦ୍ରବିନ୍ଦୁ ଥିବାରୁ ଏହାର ସ୍ତ୍ରୀଲିଙ୍ଗ ହବ ‘ମାଈଁ’ l କିନ୍ତୁ ‘ମାମୁ’ରେ ଚନ୍ଦ୍ରବିନ୍ଦୁ ନଥିବାରୁ ଏହାର ସ୍ତ୍ରୀଲିଙ୍ଗ ‘ମାଈ’ ହବାକୁ ବାଧ୍ୟ l ଏଇ ଅଠାକାଠିରେ ପଡ଼ି ‘ତରୁଣ ଶବ୍ଦକୋଷ’କାର(1985) ଉତ୍ତରାର୍ଦ୍ଧର 180 ପୃଷ୍ଠାରେ ପ୍ରଥମେ ‘ମାଈ’ ଓ ‘ମାଈଁ’କୁ ଦୁଇଟି ସ୍ୱତନ୍ତ୍ର ଶବ୍ଦଭାବେ ଚର୍ଚ୍ଚା କରିଥିଲାବେଳେ 189 ପୃଷ୍ଠାରେ ଏଥିପାଇଁ ‘ମାଈ’ ଲେଖି ତା’ତଳେ ବନ୍ଧନୀରେ ‘ମାଈଁ’ ଲେଖିବାକୁ ବାଧ୍ୟ ହେଇଚନ୍ତି l କିନ୍ତୁ ‘ମାଈ’ର ଅର୍ଥ ଯେ ଅଲଗା ଓ ଏହା ଯେ ‘ମାମୁଁ’ର ସ୍ତ୍ରୀଲିଙ୍ଗବାଚକ ଶବ୍ଦରୂପେ ଅଗ୍ରହଣୀୟ,ଏଥିରେ ଦ୍ବିମତ ନାଇଁ l ‘ତରୁଣ ଶବ୍ଦକୋଷ’କାର ମଧ୍ୟ ଏହା କରିଚନ୍ତି l ଏଇସବୁକୁ ବିଚାର କରି ଦେଖିଲେ ଓଡ଼ିଆରେ ‘ମାମୁଁ’ ଲେଖିବା ଯୁକ୍ତିସଙ୍ଗତ ଓ ବାଞ୍ଛନୀୟ l

  7. ପଞ୍ଚାନନ ସାର୍ ଙ୍କ ମାମୁ/ମାମୁଁ ସଂପର୍କିତ ସ୍ପଷ୍ଟୀକରଣ ମୋତେ ବହୁତ ଭଲ ଲାଗିଲା ।
    ତେବେ, ଏମିତି କିଛି ଭାବିବାକୁ ଅଟକାଇ ପାରିଲି ନାହିଁ।

    ୧।
    ପ୍ରହରାଜ ଭାଷାକୋଷ ଅନୁସାରେ,
    ମାମୁ ଶବ୍ଦଟି ସଂସ୍କୃତ ଶବ୍ଦ “ମାମ”ରୁ ଆସିଛି। ‘ମାତୁଳ’କୁ ‘ମାମ’ର ପରିଭାଷା ଭାବରେ ବି ଦର୍ଶାଯାଇଛି। ଯଦିଓ ଅକ୍ଷର କ୍ରମରେ, ମାତୁଳ ଶବ୍ଦ ଭାଷାକୋଷର ପୃଷ୍ଠାରେ ଆଗେ ଆସିଛି । ମାତୁଳ ମଧ୍ୟ କଥିତ ଭାଷାରେ “ମଉଳା” ବୋଲି
    ହେଇଯାଇଛି।
    ମୋର ମନେହେଉଛି, ଚନ୍ଦ୍ରବିନ୍ଦୁକୁ କେବଳ ଗୋଟେ ବିନ୍ଦୁ ଭାବରେ ହିଁ କଳ୍ପନା କରାଯାଇଥିଲା, ଉଚ୍ଚାରଣର ସ୍ବଳ୍ପତା ଦୃଷ୍ଟିରୁ। ଅନୁସ୍ବାର ର ଛୋଟ ବୃତ୍ତାକାର ଚିହ୍ନ ଠାରୁ ବି ଛୋଟ।
    ତେବେ ଅକ୍ଷର ଉପରେ ରହି କାଳେ ନିଜର ଅସ୍ତିତ୍ବ ହରାଇବ, ଏ’ ଆଶଂକା ଥିବାରୁ ତା’ ତଳେ ଦ୍ବିତୀୟା ଜହ୍ନ ଆକାର ର ବଂକା ଗାର ଟିଏ ଟଣାଯାଇ ସ୍ପଷ୍ଟ ଭାବରେ ତାକୁ ଚିହ୍ନିତ କରାଯାଇଛି। ସଂଭବତଃ, ଲିପି ନିର୍ମାଣ ସମୟରେ।

    ୨ ।

    ଭାଷାକୋଷରେ ଏହା ବି ଦେଖେଇ ଦିଆଯାଇଛି ଯେ, ମାମୁ ଓ ମାମୁଁ ଉଭୟ ପ୍ରକାରେ ଲେଖି ହେବ।
    ବାଘମାମୁ ଲେଖାଯାଇପାରେ, କିନ୍ତୁ ଜହ୍ନମାମୁଁ ବୋଲି ଲେଖିବାର ପ୍ରଚଳନ ବେଶୀ।
    ପ୍ରହରାଜେ ବି ଉଭୟ ଶବ୍ଦକୁ ଗ୍ରହଣ କରିଛନ୍ତି । କେଉଁଠି ଚନ୍ଦ୍ରବିନ୍ଦୁ ସହ ତ, ଅନ୍ଯ କୋଉଠି ତା’ ଛଡ଼ା।
    ତେବେ, ଜ ଅକ୍ଷର ର ଜହ୍ନମାମୁ ଶବ୍ଦର ଅର୍ଥ କଲାବେଳେ, ସେଥିରେ, ଚନ୍ଦ୍ରବିନ୍ଦୁ ଦିଆଯାଇନାହିଁ।

    ୩ ।

    ପିଲାଦିନେ, ଆମର ବର୍ଣ୍ଣ ପରିଚୟ ବେଳେ, ମନେପଡୁଛି, ଶେଷ ଦୁଇ ଅକ୍ଷର ହ ଓ କ୍ଷ ପରେ ଅନୁସ୍ବାର, ବିସର୍ଗ ଓ ଚନ୍ଦ୍ରବିନ୍ଦୁ ଭାବରେ ତିନୋଟି ସ୍ବତନ୍ତ୍ର ଅକ୍ଷରକୁ ବି
    ଖଡ଼ି ମଡ଼ଉଥିଲୁ। ସେତେବେଳେ କୁହାଯାଇଥିଲା, କ ଠାରୁ କ୍ଷ ଯାଏଁ ସବୁ ଅକ୍ଷର ବ୍ଯଞ୍ଜନ ବର୍ଣ୍ଣ ।
    କିନ୍ତୁ, ପରେ , ବହୁ ପରେ ଜାଣିଲି, କ ଠାରୁ ହ ଯାଏଁ , ଏଇ ତେତିଶିଟି ଅକ୍ଷର ହିଁ ବ୍ଯଞ୍ଜନ ବର୍ଣ୍ଣ।
    ଜାଣିଲି ବି, କ୍ଷ ଗୋଟେ ଯୁକ୍ତାକ୍ଷର।
    ଭାଷାକୋଷରେ ଏବଂ ତରୁଣ ଶବ୍ଦକୋଷରେ, ଉଭୟରେ, କ୍ଷ ରହିଛି, କ -ଆରମ୍ଭର ଶବ୍ଦ ସବୁ ସରିବା ପରେ ଏବଂ ଖ ଆଗରୁ। କାରଣ, କ +ଷ = କ୍ଷ ।
    ଅନୁସ୍ବାର, ବିସର୍ଗ ଓ ଚନ୍ଦ୍ରବିନ୍ଦୁ :: ଏଇ ତିନୋଟିକୁ ଅଯୋଗବାହ ବର୍ଣ୍ଣ କହନ୍ତି। ଅନ୍ଯ କାହାର ସହଯୋଗ ବିନା, ଯାହା କୁ ବ୍ଯବହାର କରି ହେବନାହିଁ।
    ଏମାନେ ଅନ୍ଯ ବର୍ଣ୍ଣ ସହ ଯୋଡ଼ି ହେଇ, ଫଳା ବା ମାତ୍ରା ପରି ବ୍ଯବହୃତ ହେବା କଥା ଆମେ ଦେଖିଛେ ।
    କିନ୍ତୁ, ଙ ଓ ଜ୍ଞ କିପରି ଅବା କୌଣସି ଆଦ୍ଯ ଅକ୍ଷର ଶବ୍ଦ ବିନା, ନିଜମତେ ବର୍ଣ୍ଣ ଭାବରେ ଗଣା ହେଲେ? ଏବଂ କାହିଁକି?
    ଅନେକ ସମୟରେ ଭାବିଛି, ପ୍ରତ୍ଯେକ ବର୍ଗର ଅକ୍ଷର-ସଂପୃକ୍ତ ଯୁକ୍ତାକ୍ଷର ତିଆରି ରେ ବୋଧେ ଏମାନେ ସାହାଯ୍ଯ କରୁଥିବେ।
    ଯେମିତି, କ,ଖ,ଗ ଓ ଘ ପାଇଁ, ଙ ତିଆରିକରେ ଙ୍କ,ଙ୍ଖ,ଙ୍ଗ ଓ ଙ୍ଘ।
    ଅକ୍ଷର ଉପରେ ଅନୁସ୍ବାର ହେଇ ।
    ସେଇ ଯୁକ୍ତିରେ ଞ ଟି ଚ,ଛ,ଜ,ଝ କୁ ଉଚ୍ଚାରଣ ଉପଯୋଗୀ ଯୁକ୍ତାକ୍ଷର ଚାରିଟିକୁ ବଦଳେଇବା କଥା।
    କିନ୍ତୁ, ଘଞ୍ଚ, ବାଞ୍ଛା, ସଞ୍ଜ, ବାଞ୍ଝ ର ଯୁକ୍ତାକ୍ଷରରେ ଞ ର ସାହାଯ୍ୟକାରୀ ରୂପ ସବୁ ଅଦ୍ଭୁତ ଓ ଅଭାବିତ ।
    ପର ବର୍ଗ ରେ ଣ ଯେତେବେଳେ ପୂର୍ବ ଚାରୋଟି ଅକ୍ଷରକୁ ନେଇ ଯୁକ୍ତାକ୍ଷର କରୁଛି, କେମିତି ତିଆରି ହେଉଛି ଯଥାକ୍ରମେ :: ଣ୍ଟ , ଣ୍ଠ , ଣ୍ଡ ଏବଂ ଣ୍ଢ , ତା’ ସତରେ ଚମତ୍କାର ।
    ଅର୍ଥାତ୍ ଣ ନିଜେ ରହୁଛି ଯୁକ୍ତାକ୍ଷର ରେ। ଟ ଓ ଠ, ଣ ତଳେ ରହୁଛନ୍ତି ।
    କିନ୍ତୁ ଡ ଓ ଢ ବେଳକୁ, ଣ ତଳେ ୨ ଓ ୧ ହେଇ ଯୁକ୍ତାକ୍ଷର ତିଆରି କରୁଛି। ଅଦ୍ଭୁତ।
    ନ ସେମିତି ଯୁକ୍ତାକ୍ଷର ତିଆରି କରେ, ତା’ ପୂର୍ବ ଚାରି ଅକ୍ଷରକୁ ନେଇ ଏମିତି :: ନ୍ତ,ନ୍ଥ,ନ୍ଦ ଓ ନ୍ଧ । ଦୁଇଟାରେ ନ ପୂରା ଅଛି, ଅନ୍ଯ ଦୁଇଟାରେ ଅଧା ଅଧା ଅଛି।
    ମ ଅକ୍ଷର ତା’ର ପୂର୍ବ ଚାରି ଅକ୍ଷର -ସଂପୃକ୍ତ – ଯୁକ୍ତାକ୍ଷର କୁ ନିଜକୁ ରଖି ହିଁ କରିଛି । ଯଥା :: ମ୍ପ , ମ୍ଫ , ମ୍ବ ଓ ମ୍ଭ । ସବୁଥିରେ ମ ଅକ୍ଷରର ଚିତ୍ର ଅଛି ।
    ତେବେ, ଯୁକ୍ତାକ୍ଷର ଗଢ଼ିବାରେ କୌଣସି ନିର୍ଦ୍ଦିଷ୍ଟ ଯୁକ୍ତିରେ ସାହାଯ୍ଯ ନ-କରିବା ସାଂଗକୁ, ଣ ବର୍ଣକୁ ଶବ୍ଦ ମଝିରେ ଏବଂ ଶେଷରେ ଥିବା କଥା ଆମେ ବେଶ୍ ଦେଖିଛେ ।
    ମ ବର୍ଣ୍ଣ ତ ଆରମ୍ଭରେ ରହି ଶବ୍ଦ ବି ତିଆରିଛି ।
    ଏଯାଏଁ ଜାଣିବା ପାଇଁ ବାକି ଅଛି, କ ଠାରୁ ହ ପର୍ଯ୍ୟନ୍ତ ବର୍ଣ୍ଣରୁ ଙ,ଞ,ଣ, ଳ – – ଏଇ ଚାରୋଟି କୁ ବି ନଗଣି, ଅଣ-ତିରିଶିଟି ବ୍ଯଞ୍ଜନ ବର୍ଣ୍ଣ ଅଛି — ଯାହାକୁ ଆଦ୍ଯ-ଅକ୍ଷର ଭାବରେ ନେଇ ଶବ୍ଦ ତିଆରି କରିପାରୁଥିବା ବ୍ଯଞ୍ଜନ ବର୍ଣ୍ଣ — ବୋଲି କହିଥିଲେ କ’ଣ ଅବା ପାଠ ଅଶୁଦ୍ଧ ହେଇଥାନ୍ତା !
    ଏମିତି ବି, ଆହୁରି ଦୁଇଟା ବର୍ଣ୍ଣ ଅଛନ୍ତି :: ୟ ଏବଂ ଲ।
    ସେମିତି ସ୍ବରବର୍ଣ୍ଣ ରେ ଚଉଦ ଟି ଉଚାର୍ଯ୍ଯ ବର୍ଣ୍ଣ ଅଛି ବୋଲି ତରୁଣ ଶବ୍ଦକୋଷ ରେ ଲେଖାଥିବା ବେଳେ,ମାତ୍ର ଏଗାରଟି ବର୍ଣ୍ଣ କୁ ( ଆଦ୍ଯ-ଅକ୍ଷର ଭାବରେ ବ୍ଯବହାର କରାଯାଇଥିବା) ଶବ୍ଦସବୁର ତାଲିକା ସହ ଅର୍ଥ ଦିଆଯାଇଛି ।
    ପ୍ରହରାଜ ଙ୍କ ଗ୍ରନ୍ଥରେ ତ ୧୩ ଟି ସ୍ବରବର୍ଣ୍ଣ ଥିବା କଥା ଠାଏ କୁହାଯାଇଛି।
    ସ୍ବରବର୍ଣ୍ଣ ଭିତରେ, ଌ ଏବଂ ୡ ର ବା କାମ କ’ଣ , ସେ ଦୁଇଟିକୁ ପ୍ରଥମେ ରଖିବାର କାରଣ କ’ଣ ଥିଲା ?
    ସେ ସବୁର ବ୍ଯବହୃତ ଶବ୍ଦ ସବୁକୁ ହଟାଇବାର କାରଣ ପୁଣି କ’ଣ ଓ କେବେ ସୃଷ୍ଟି ହେଇଥିଲା ?
    କିଏ କେବେ କ’ଣ ସତରେ ଉଚ୍ଚାରଣ କରିଥିଲା, ଌ ଏବଂ ୡ କୁ ନେଇ!
    ମନେହେଉଛି, ଆମର କହିବାର ଏବଂ ଉଚ୍ଚାରଣ କରିବାର ବହୁ ପରବର୍ତ୍ତୀ କାମଟି ଯେହେତୁ ବର୍ଣ୍ଣ ତିଆରିବା ଏବଂ ତାକୁ ବ୍ଯବହାର କରିବା, ନାନା ପ୍ରକାରର ଆଂଚଳିକତା, ଅସ୍ବାଭାବିକତା, ଉପଯୋଗିତା ଏବଂ ଯୁକ୍ତି ବା ଯୁକ୍ତିହୀନତା, ଆମର ଲିପି ନିର୍ମାଣକୁ, ଲିପି ଅନୁମୋଦନକୁ, ଲିପି ଗ୍ରହଣକୁ ଓ ଲିପିପ୍ରବର୍ତ୍ତନକୁ ଏବଂ ସର୍ବୋପରି ଲିପି ପ୍ରଚଳନ ଭିତରକୁ ଆସିଥିବ।

    ୪ ।

    ଏତକ କହିବାର ତାତ୍ପର୍ଯ୍ୟ ହେଉଛି, ଏକଥା ଆମେ ବୁଝିଯିବା ଦରକାର ଯେ, କୌଣସି — ନିର୍ଦ୍ଦିଷ୍ଟ ଏବଂ ସବୁସ୍ଥାନରେ ଲାଗୁ ହେବା ଭଳି– ଯୁକ୍ତି ସାହାଯ୍ଯରେ ସବୁ ଶବ୍ଦକୁ ନା ତିଆରି କରାଯାଇଥିବ ନା କୁହାଯାଇଥିବ।
    କାଳକ୍ରମେ, ଅଲଗା ଅଲଗା ପ୍ରକାରେ କୁହାଯାଇଥିବ ଏବଂ ପ୍ରଚଳନ ରେ ଆସିଥିବ।
    ବ୍ୟାକରଣ ତ ଆସିଥିବ ତା’ପରେ।
    ଆମେ ପ୍ରାୟ ଖୁସି ହେଇଯାଉ, ଯଦି, ଓଡ଼ିଆ ଶବ୍ଦଟିଏ କୌଣସି ସଂସ୍କୃତ ଶବ୍ଦ ର ପାଖାପାଖି ଶୁଭୁଛି। ଏବଂ ତାକୁ ତା’ଠାରୁ ଇ ଆସିଛି କହି, ୟୁରେକା କହୁ। କିନ୍ତୁ ଏକଥା ନିଜକୁ ପଚାରିବା ପାଇଁ ଭୁଲିଯାଉ ଯେ, ସେଇ ସଂସ୍କୃତ ଶବ୍ଦଟି ଅବା ନିଜେ କେମିତି ତିଆରି ହେଇଥିଲା। କିଏ କରିଥିଲା? କାହିଁକି କରିଥିଲା?
    ଏବଂ ତା’ ପାଖରେ କ’ଣ ମୂଳରୁ ଇ ଥିଲା ଶୁଦ୍ଧ ବ୍ୟାକରଣ ? ନା, ଥିଲା କେବଳ କହିବାର ଯୁକ୍ତିହୀନ ଜିଦ୍ ?
    ଏକବାରେ ଆରମ୍ଭ ଆରମ୍ଭ ର ଶବ୍ଦୋଚ୍ଚାରଣ ପାଇଁ ଯୁକ୍ତି ଓ ବ୍ୟାକରଣ ପୁଣି ଆସିଥିବ ବା କୋଉଠୁ ଓ କେମିତି ??

    ୫ ।

    ଏଣୁ, ମାମୁ ହେଉ ଅବା ମାମୁଁ ହେଉ, ଉଭୟେ ମା ଅବା ମାଁ ର ଭାଇ ।
    ସଂସ୍କୃତରୁ ଆସିବା କଥା ଦେଖିଲେ ଆମର ଶବ୍ଦ ଟି ର ଉତ୍ପତ୍ତିସ୍ଥଳ ଟି ଠିକ୍ ମନେହେବା ଏବଂ ହିନ୍ଦୀ ବା ଅନ୍ଯ କୌଣସି ଭାଷାର ପ୍ରଭାବରୁ ପ୍ରଚଳିତ ଅଥବା ବହୁ ପ୍ରଚଳିତ ହେଇଥିଲେ ଏବଂ ଅନେକ ସମୟରେ ଦେଶଜ ହେଇଥିଲେ, ତାହା ଯେ ଅଶୁଦ୍ଧ ଏବଂ ବର୍ଜନୀୟ, ଏଭଳି ଯୁକ୍ତି ବି ମୋତେ ଅଦ୍ଭୁତ ଲାଗୁଛି ।

    ୬ ।

    ତେବେ, ସାର୍‌ଙ୍କ କଥାକୁ ମାନିନେଲେ, ଭଲ ବି ଲାଗୁଛି !

    🙏

    ଶ୍ଯାମା ପ୍ରସାଦ ଚୌଧୁରୀ

Leave a Reply

Your email address will not be published. Required fields are marked *