ବୁଢ଼ା ହୋଇ ବଞ୍ଚିବାକୁ ହେଲେ

ସେ ବୁଢ଼ା ହେବା ଭାଗ୍ୟ କେତେଜଣଙ୍କୁ ମିଳେ? କେତେ ଅଦିନରେ ଝଡ଼ିପଡନ୍ତି।

ଡା. ଅଭୟ ଦାଶ

ପିଲାଟି ଦିନୁଁ ଦେଖିଆସିଛୁ ଘରକୁ କେହି ଅଜା, ଜେଜେ, ପିଉସା, ମଉସା, କକେଇ, ଖୁଡ଼ି, ଆଈ, ମାଇଁ କି ମାଉସୀ ଆସିଲେ ନନା ବୋଉ ଆମକୁ ଡାକି, ଏପରିକି ପାଠପଢ଼ାରୁ ଉଠାଇ,ଏପରିକି ନିଦରୁ ଉଠାଇ କହନ୍ତି, ମୁଣ୍ଡିଆ ମାର, ପାଦଧୂଳି ନେଇ ମୁଣ୍ଡରେ ମାର। ପାଦରେ ଧୂଳି ଥାଉ କି ନ ଥାଉ ବୋଉ ତାଙ୍କ ପାଦ ଛୁଇଁବା ପରେ ସେଇ ଧୂଳି ଆଣି ଆମ ମୁଣ୍ଡରେ ବୋଳିଦିଏ। ତାଙ୍କ ପାଟିରୁ ବାହାରେ, ବୁଢ଼ାଟିଏ ହୋଇ ଥା। ଆମ ସ୍ଥାନରେ ଆମ ଭଉଣୀ ଠିଆ ହୋଇ ସେହି ଭୂମିକାରେ ଅଭିନୟ କରୁଥିଲେ ଶୁଣିବାକୁ ହୁଏ, ବୁଢୀଟିଏ ହୋଇଥା। ଆମର ପତ୍ନୀ କି ଭାଉଜ, ଭାଇବୋହୁ ହୋଇଥିବା ସେହି ଚରିତ୍ରଙ୍କୁ ଶୁଣିବାକୁ ହୁଏ, ବୁଢ଼ୀ ହୋଇ ଥା। ଚୁଡ଼ି /ଅବ୍ଲିକ୍/ କାଚ ବଜର ହେଉ, ପାଚିଲା ବାଳରେ ସିନ୍ଦୂର ଲାଗିଥାଉ ବା କାଚ ମାଛରେ ଦିନ ଯାଉ।
ଏ ଆଶୀର୍ବାଦ ସୁଚକ ବାକ୍ୟଗୁଡ଼ିକ ସାମାଜିକ ଜାତିବିଭାଗ ଉପରେ ଆଧାରିତ ବିଭାଜନକୁ ନେଇ ପରିବର୍ତ୍ତିତ ସଂସ୍କରଣ ରୂପେ ଉଭା ହୁଏ। ଯଥା, ଆଶୀର୍ବାଦ ଡିଲର ଯଦି ପଣ୍ଡିତ ବ୍ରାହ୍ମଣ ହୋଇଥାଆନ୍ତି ଶୁଣିବାକୁ ମିଳେ, ଅଷ୍ଟୋତ୍ତରଶତ ସମ୍ବତ୍ସର ପରମାୟୁରସ୍ତୁ ଦୀର୍ଘାୟୁ ଭବ। ମହିଳାଙ୍କ ସ୍ଥଳେ, ସାଧ୍ବୀ ସୌଭାଗ୍ୟବତୀ ଭବ। ଛୋଟ ପିଲାଙ୍କ ପାଇଁ ଶିଶୁ ଅନୁପାନ, ବା ପେଡ଼ିଆଟ୍ରିକ୍ ଡ଼ୋଜ୍, ଦୀର୍ଘଜୀବି ହୁଅ; ଭଲ ପାଠ ପଢ଼ି ଭଲ ମଣିଷ ହୁଅ ଇତ୍ୟାଦି। ଆଶୀର୍ବାଦ ବିତରକ ଯଦି ବ୍ରାହ୍ମଣୋତ୍ତର ଜାତିର ହୋଇଥିବେ ସେଥିରେ ସଂସ୍କୃତ ଭାଗଟା କମ୍ ଥିବ। ଅଠର କ୍ୟାରେଟ୍ ଓଡିଆ। ବୁଢ଼ାଟିଏ କି ବୁଢୀଟିଏରେ ଅଳ୍ପକେ ଛିଣ୍ଡିଯିବା କଥା।

ସେ ଆଶୀର୍ବାଦ ବଜାର ଆଜିକାଲି ମାନ୍ଦା ଚାଲିଛି। ପାଦସ୍ପର୍ଶ ବା ‘ପାଏଲାଗୁ’ ଆଣ୍ଠୁ ପାଖରେ ଅଟକିଯାଇ ରାଜନୀତି ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦେଖିବାକୁ ମିଳେ। ସେ ବଜାରରେ ଆଶୀର୍ବାଦ ଖାଲି ତୁଣ୍ଡ ଭାଗବତ ନୁହେଁ। ସଂପୂର୍ଣ୍ଣ ରାଜନୈତିକ ଫାଇଦା, ଯଥା ପାର୍ଟି ପଦାଧିକାର, ପାର୍ଟି ଟିକେଟ୍ ଖଣ୍ଡେ, କିଛି ଗୋଟାଏ ଲାଇସେନ୍ସ୍, ପଟ୍ଟା, ମାନେ ଯେଉଁଠି ଦୁଇ ପଇସା ଲାଭ ମିଳିବ। ତା’ଠାରୁ ବଳି ଆଶୀର୍ବାଦ ଆଉ କଣ ହୋଇପାରେ? ନହେଲେ କି କହିଥାଆନ୍ତେ , ”ଭୁଖେ ଭଜନ ନା ହୋଏ ଗୋପାଲା!“
ସେଇ ନିମ୍ନ ମଧ୍ୟବିତ୍ତ ଆଶୀର୍ବାଦ, ବୁଢ଼ାଟିଏ ହୋଇ ଥା’, ଓ ତାଆରି ସମାନ ଉଭୟ ଲିଙ୍ଗ ପାଇଁ ପ୍ରଯୁଜ୍ୟ ଆଶୀର୍ବାଦକୁ ବିଚାରକୁ ନିଆଯାଉ। ସ୍ବାମୀ ଅଭୟାନନ୍ଦର କହିବା କଥା, ସେ ବୁଢ଼ା ହେବା ଭାଗ୍ୟ କେତେଜଣଙ୍କୁ ମିଳେ? କେତେ ଅଦିନରେ ଝଡ଼ିପଡନ୍ତି। ସେଥିପାଇଁ ତ ଶୁଣିବାକୁ ମିଳେ, “ବାଛି ନେବ କଞ୍ଚା, ରଖିବ ପାଚିଲା, ଦେବ କି ଦାରୁଣ ଦୁଃଖ।“ ନହେଲେ ସମସ୍ତେ ତ ବୁଢ଼ା ହୋଇଯାଆନ୍ତେ ! କର୍ମ ଫଳ ! ୟାକୁ ଯେ କହନ୍ତି କର୍ମ ଫଳ ! ମନେକରନ୍ତୁ ଆପଣ ବୁଢ଼ା ବା ବୁଢୀ ହୋଇଗଲେ। ସେ ଯେଉଁ ଆଶୀର୍ବାଦ ଫଳରେ ହେଉ କି ଚ୍ୟବନପ୍ରାସ ଖାଇ ହେଉ; ଭୋଗିବେ ତ ଆପଣ ନା !
ଏମିତି କେତେ ଆସି କେତେ ଗଲେଣି। ଏ କିଛି ନୂଆ କଥା ନୁହେଁ। “ଯୁଗ କୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ “! ସମସ୍ତଙ୍କୁ ଏଇ ବାଟ ହୋଇ ଯିବାକୁ ହୁଏ। ବୁଢ଼ାକୁ ବୁଢ଼ା କହିଦେଇ ବାବୁ ମା’ମାନେ ନିଜକୁ ଗୌରବାନ୍ବିତ ମନେ କରିବା ଦେଖାଯାଏ। ଏ ଅଭୟ ଦାଶର ବି ସେଇ ଅବସ୍ଥା। କାଲି ଅନ୍ୟ ବୟସ୍କମାନଙ୍କୁ ବୁଢ଼ା କହୁଥିବା ଅଭୟ ଦାଶକୁ ସେଇ ଡ଼ାକ ଶୁଣିବାକୁ ହେଉଛି ଘରେ ଓ ବାହାରେ। ଭାବିବାର କିଛି ନାହିଁ। ଜୀବନର ଅଂଶବିଶେଷ ବା ‘ପାର୍ଟ୍ ଅଫ୍ ଲାଇଫ୍’ କହି ହସି ଉଡାଇଦେବା ବ୍ୟତୀତ ଅନ୍ୟ ବାଟ କାହିଁ? “ଦିଲ୍ କୋ ସମଝନେକେ ଲିୟେ ଗାଲିବ୍, ଏ ଖୟାଲ୍ ଅଛା ହୈ।” ବୁଢ଼ା ହୋଇ ବଞ୍ଚିବାକୁ କଲିଜା ଦରକାର, “କଲେଜା ଚାହିୟେ “! ସେଇ କଲିଜା ବା ହୃଦୟ ଅନୁସାରେ ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ବୁଢ଼ାମାନଙ୍କ ମନସ୍ତାତ୍ତ୍ବିକ ସର୍ବେକ୍ଷଣ କରି ତା’କୁ ନିମ୍ନ କେତେ ଗୋଟି ପ୍ରକାରରେ ବିଭାଜିତ କରିଛି।
ଗୋଟିଏ ପ୍ରକାର ଅଛନ୍ତି ସେମାନେ ମୁଣ୍ଡବାଳକୁ ରଙ୍ଗାଇ କୃତ୍ରିମ ଦାନ୍ତ ପଂକ୍ତିର ସାହାଯ୍ୟ ନେଇ ସୁନ୍ଦର ଚଷମା, ଛିଟ ସାର୍ଟ୍ ପିନ୍ଧି ସାଧାରଣ ସଭା ଆଦିରେ ଯୋଗଦେଇ ନିଜର ସାମର୍ଥ୍ୟ ଦେଖାଇବାକୁ ଚେଷ୍ଟା କରନ୍ତି। ଦେବ ଆନନ୍ଦ, ଦିଲିପ କୁମାର ମଡ଼େଲ୍। ଆଣ୍ଠୁ ଯେତେବେଳେ ଜବାବ ଦିଏ ଆଉ ଓଜନ ନେଇପାରିବ ନାହିଁ, ଦରକାର ପଡ଼େ ଅସ୍ଥି ଶଲ୍ୟ ଚିକିତ୍ସା – ଗଣ୍ଠି ପ୍ରତ୍ୟାରୋପଣ। ଟେନିସ୍ ଖେଳିବା, ଗଲ୍ଫ୍ କୋର୍ସ୍ ମେମ୍ବର ହେବା, ବିଲିୟାର୍ଡ୍ ଖେଳିବାରେ ମନୋନିବେଶ କରନ୍ତି। ସେମାନେ ପ୍ରାୟ ସମ୍ପନ୍ନ ଶ୍ରେଣୀଭୁକ୍ତ, ଉଚ୍ଚ ପଦରୁ ସେବାନିବୃତ ବ୍ୟକ୍ତିତ୍ୱ। ଦ୍ବିତୀୟ ପ୍ରକାର ଅଛନ୍ତି ସେମାନେ ମଧ୍ୟମ ଶ୍ରେଣୀ କର୍ମଚାରୀ ବା ଅଧିକାରୀ ପଦରୁ ସେବାନିବୃତ ଗୋଷ୍ଠୀ। ଗୋଟାଏ ମିଳାମିଶା ପ୍ରକାର। ‘ଘାସକୁ ଲମ୍ବ ପାଳକୁ ଛୋଟ’ ପ୍ରକାର। ଟିକିଏ ଆଧୁନିକ, ଟିକିଏ ଧାର୍ମିକ। କଥା କଥାରେ ଆମେରିକାର ପାଣିପାଗ ଖବର ୟାଙ୍କ ମୁଖସ୍ଥ। ସେମାନେ ଖାଲି ଆଗତୁରା ପ୍ରଶ୍ନ ଆଡ଼କୁ ଟାଣୁଥିବେ, ଆପଣ କେମିତି ପଚାରି ବୁଝିବେ ତାଙ୍କ ପୁଅ ଆମେରିକାରେ ଅଛି, ବା ଜଣେ ଏନ୍ ଆର୍ ଆଇ। ତୃତୀୟ ପ୍ରକାର ହେଲେ ଭଜନ କୀର୍ତ୍ତନ ଗୋଷ୍ଠୀ। ସବୁ କଥାରେ ହରେକୃଷ୍ଣ। ଚତୁର୍ଥ ପ୍ରକାର ଅଛନ୍ତି ଗୋଟିଏ ଗୋଟିଏ ଅତୃପ୍ତ ଆତ୍ମା। ଏ ଯୁଗ ଖରାପ, ଏ ସରକାର ଖରାପ, ଏ ପିଲାମାନେ ଖରାପ, ଏ ସମୟ ଖରାପ; ମାନେ ଏଗୁଡ଼ା ଟିଙ୍ଗା ବୁଢ଼ା ପ୍ରକାର। ଆଉ ଗୋଟାଏ ପଞ୍ଚମ ଗୋଷ୍ଠୀ ଅଛନ୍ତି ସେମାନେ ସବୁଥିରେ ଚୁପ୍। ଖବରକାଗଜ, ବହି, ସିଗାରେଟ୍, ଚାହା, ଆଉ ଆଜିକାଲି ଟିଭି ତାଙ୍କର ସାଥୀ। ସେମାନେ ନିଜକୁ ବୁଦ୍ଧିଜୀବି ବା ଇଣ୍ଟେଲେକ୍ଚୁଆଲ୍ ଦେଖାଇ ହେବାକୁ ଯାଇ ଭୂଲିଯାଆନ୍ତି ଯେ ତାଙ୍କୁ କେହି ପଚାରିବାକୁ କାହା ପାଖରେ ସମୟ ନାହିଁ ।
ସେଥିପାଇଁ ଅଭୟ ଦାଶ, ଓରଫ, ସ୍ବାମୀ ଅଭୟାନନ୍ଦ କହେ ଯେ ଆବଶ୍ୟକତା ଅନୁଯାୟୀ ନିଜର ଜୀବନଶୈଳୀକୁ ବଦଳାଇ ନେବା ଉଚିତ ହୋଇପାରେ। ସମସ୍ତେ ବୁଢ଼ା ହେବେ, ସିନିୟର ସିଟିଜିନ୍ ହେବେ, ତେଣୁ ନିଜ ବାଟ ଉଣ୍ଡି ନିଜ ରାସ୍ତାରେ ଚାଲିପାରିଲେ ବାକି ଦିନ କେତୋଟି ଭଲରେ କଟିଯାଇପାରେ। ଭଲରେ କଟିଯିବ, ସେମିତି କିଛି ଗ୍ୟାରେଣ୍ଟି ନାହିଁ।

3 thoughts on “ବୁଢ଼ା ହୋଇ ବଞ୍ଚିବାକୁ ହେଲେ

  1. ପ୍ରକୃତରେ ଜଣେ ବୁଢା ହେଲେ ହିଁ ଏପରି ସୁନ୍ଦରିଆ ଲେଖା ଲେଖି ପାରିବେ। ଲେଖକଙ୍କ ମତାନୁସାରେ ଆମ୍ଭେ ହେଲୁ ନମ୍ବର ଓ୍ଵାନ ପ୍ରକାର ବୁଢା। ଲେଖକଙ୍କ ବ୍ୟଙ୍ଗ ରଚନା ସବୁ ବହୁତ ବଢିଆ।

  2. ଜୀବନର ଚଲାପଥରେ ନିଛକ ଚିତ୍ର ଓ ଚରିତ୍ର ଚିତ୍ରଣ ଅତି ସରଳ
    ଓ ବୁଝିହେଲା ପରି କଥାକୁହା ଲେଖା ପ୍ରତି ଆନ୍ତରିକତା ପୂର୍ଣ୍ଣ
    ଧନ୍ୟବାଦ ହୃଦୟ ରୁ…

  3. ଲେଖାଟିର ବ୍ୟଙ୍ଗାତ୍ମକ ପରିଭାଷା ସ୍ପଷ୍ଟ ଥାଇ ଜୀବନର ଶେଷ ଅଙ୍କର ବର୍ଣ୍ଣନା ଖୁବ ଚିତ୍ତାକର୍ଷକ; ଓ ଏ ଅବସ୍ଥାର ଜୀବନଶୈଳୀର ଚିତ୍ର ଖୁବ୍ ସୁନ୍ଦର ହୋଇଛି। ଲେଖକଙ୍କୁ ଅଶେଷ ଧନ୍ୟବାଦ।

Leave a Reply

Your email address will not be published. Required fields are marked *