ଜଣେ କବିର ବ୍ୟକ୍ତିଗତ ଜୀବନ ଓ ତା’ର କାବ୍ୟ ଜୀବନ ଭିତରେ ଯଦି ସମ୍ପର୍କ ନ ରହିଲା, ତେବେ ତା’ର ସୃଷ୍ଟି ଭିତରେ କୃତ୍ରିମତା ପ୍ରବେଶ କରିପାରେ।
ମନୋରମା ବିଶ୍ୱାଳ ମହାପାତ୍ର (ଜନ୍ମ: ୧୯୪୮) ଉତ୍ତର-ଆଧୁନିକ ଓଡ଼ିଆ କବିତାର ଏକ ସୁପରିଚିତ ସ୍ୱର। ଜଣେ ପ୍ରବୀଣ କବୟିତ୍ରୀ ହେବା ସହିତ ସେ ମଧ୍ୟ ଜଣେ ବିଶିଷ୍ଟ ସମାଲୋଚିକା ଓ ଶିଶୁସାହିତ୍ୟିକା ଭାବରେ ପରିଚିତ। ନିଜର ଏକ କବିତା ସଂକଳନ ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଅନେକ ପୁସ୍ତକ ଲୋକାଦୃତ। ବହୁ ବର୍ଷ ଧରି ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଓଡ଼ିଆ ବିଭାଗରେ ଅଧ୍ୟାପନା କରିବା ପରେ ସେ ସେବାନିବୃତ୍ତ ହୋଇଛନ୍ତି। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଅଧିକାଂଶ କବିତା ଅତୀତାଶ୍ରୟୀ; ବିଶେଷତଃ ଆପଣ ପଛରେ ଛାଡ଼ି ଆସିଥିବା ଗାଆଁ ମାଟିକୁ ଝୁରି ହେଉଥାଆନ୍ତି। ଏମିତି କାହିଁକି?
ମନୋରମା ବିଶ୍ୱାଳ ମହାପାତ୍ର: ମୋ’ର ପିଲାଦିନ ତ ଗାଆଁରେ କଟିଛି। ଆମର ସମୁଦ୍ରକୂଳିଆ ଗାଁ, ନାଆଁଟି ତା’ର ଜଗାଇ। ସୁବର୍ଣ୍ଣରେଖା ନଦୀ ବି ପାଖାପାଖି। ଯେହେତୁ ମୁଁ ମୋ ଗାଆଁକୁ ଭାରି ଭଲପାଏ, ତେଣୁ ନିରବଧି ତାହାକୁ ଝୁରିହେଉଥାଏ।
ସାହିତ୍ୟ ଚର୍ଚ୍ଚା: ଏହି ଅତୀତ ପ୍ରବଣତାର ଛାପ ଆପଣଙ୍କ ସାହିତ୍ୟିକ ସର୍ଜନାରେ ମଧ୍ୟ ଦିଶିଯାଏ।
ମନୋରମା: ମୋର ଅନେକ କବିତାରେ ଥାଏ ଗାଆଁର କଥା, ସେଠିକାର ଲୋକଙ୍କର କଥା, ସେଠାର ଫୁଲ, ବଣ, ବିଲ – ଏଇସବୁ ବିଶେଷ ଭାବରେ ସ୍ଥାନିତ ହୋଇଛି ସେଥିରେ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ବହି ‘ସମଗ୍ର କବିତା’ର ମୁଖବନ୍ଧରେ କହିଛନ୍ତି, “ବାରମ୍ବାର ଇଚ୍ଛା ହୁଏ ଆଉଥରେ ଜନ୍ମ ନେବି କବି ହୋଇ ଆସନ୍ତା ଜନ୍ମରେ ଏଇ ଗାଁ’ରେ।” ଆପଣଙ୍କ ଦ୍ୱାରା କବିତାରେ ପଲ୍ଲୀ ମାଟିର ଚିତ୍ରଣ ଆହୁରି କିଛିଟା ଅଧୁରା ରହିଯାଇଛି କି, ଯାହାକୁ ଆପଣ ସାରିବାକୁ ଚାହାନ୍ତି ଆଗାମୀ ଜନ୍ମରେ?
ମନୋରମା: ବେଳେ ବେଳେ ମୁଁ ଭାବେ ଯେ, ଜନ୍ମ ହେବି କବି ହୋଇ ଆସନ୍ତା ଜନ୍ମରେ, ଆମରି ଗାଆଁରେ। ଏଇଟା ମୋ କବି ମନର ଗୋଟିଏ ଆକାଂକ୍ଷା, ଗୋଟିଏ ବାସନା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବିତାର ଆଉ ଗୋଟିଏ ଅନ୍ତଃସ୍ୱର ହେଲା ରୋମାନ୍ସ। ଏଥିରେ ଥିବା ‘ମୁଁ’ର ପର୍ସୋନା ବା କବିସତ୍ତାଟି ଆପଣଙ୍କ ବ୍ୟକ୍ତିଗତ ଜୀବନର କେତେ ନିକଟତର? ଅର୍ଥାତ୍ ଆପଣଙ୍କ କବିତାରେ ପ୍ରକାଶିତ ହୋଇଥିବା ରୋମାଣ୍ଟିକ୍ ଭାବ ଆପଣଙ୍କ ବାସ୍ତବ ଜୀବନର ରୋମାନ୍ସ ଦ୍ୱାରା ମଧ୍ୟ ପ୍ରଭାବିତ କି?
ମନୋରମା: ବ୍ୟକ୍ତିଗତ ଜୀବନର ପ୍ରତିଫଳନ କଥା ଯାହା କହିଲେ, ଜଣେ କବି ତ ମୂଳତଃ ନିଶ୍ଚିତ ଭାବରେ ରୋମାଣ୍ଟିକ୍ ହୋଇଥାଏ। ସେହି ରୋମାଣ୍ଟିସିଜମ୍ ନ ଥିଲେ ତା’ କବିତାରେ ସୌକୁମାର୍ଯ୍ୟ କେଉଁଠୁ ବା ଆସିବ? ତେବେ, କେବଳ ପ୍ରେମକୁ ନେଇ ଯେ ରୋମାଣ୍ଟିକ ଭାବନା ଆସେ ତାହା ନୁହେଁ, ଦେଶପ୍ରେମକୁ ନେଇ ମଧ୍ୟ ରୋମାଣ୍ଟିକ ଭାବନାର ଉଦ୍ରେକ ହୋଇପାରେ; ପ୍ରକୃତିକୁ ନେଇ ମଧ୍ୟ ହୋଇପାରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କବିତାରେ ଗୋଟିଏ ଆତ୍ମକଥାମୂଳକ ତତ୍ତ୍ୱ, ବା ଅଟୋବାଇଓଗ୍ରାଫିକାଲ୍ ଏଲିମେଣ୍ଟ ଲକ୍ଷ୍ୟ କରିହୁଏ। ଏହା ଆପଣ ନିଜେ ମଧ୍ୟ ଅନୁଭବ କରନ୍ତି କି?
ମନୋରମା: ଏଇଟା ବହୁ ଭାବରେ ଘଟିଥାଏ। ଜଣେ କବିର ବ୍ୟକ୍ତିଗତ ଜୀବନ ଓ ତା’ର କାବ୍ୟ ଜୀବନ ଭିତରେ ଯଦି ସମ୍ପର୍କ ନ ରହିଲା, ତେବେ ତା’ର ସୃଷ୍ଟି ଭିତରେ କୃତ୍ରିମତା ପ୍ରବେଶ କରିପାରେ। ମୁଁ କିନ୍ତୁ ସେହି କୃତ୍ରିମତା ଭିତରେ ନ ଥାଏ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ‘ଫାଲ୍ଗୁନି ତିଥିର ଝିଅ’ କବିତାରେ ଅଛି: “ସେଦିନର ସେହି ଝିଅଟି/ ଅରଣ୍ୟର ଗଛ ପରି/ ହଠାତ୍ ବଡ଼ ହୋଇଗଲା ଦିନେ।’ ସେଇ ଫାଲ୍ଗୁନି ତିଥିର ଝିଅଟି କ’ଣ ଆପଣ ନିଜେ?
ମନୋରମା: ନା, ମୋ’ର ଝିଅ ସମ୍ପର୍କରେ ମୁଁ ଲେଖିଛି ଏଇଟା। ଏଇ ସଂକଳନରେ ସବୁ ଲେଖା ପ୍ରାୟ ତାଆରି ସମ୍ପର୍କରେ। ଆପଣ ଯେ ବ୍ୟକ୍ତିଗତ ଜୀବନର କଥା କହୁଥିଲେ ଟିକିଏ ପୂର୍ବରୁ, ଏଇଟା ୯୯ ଭାଗ ସତ ମୋ କ୍ଷେତ୍ରରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଠାଏଁ କହିଛନ୍ତି ଯେ ମାୟାଧର ମାନସିଂହ ଆପଣଙ୍କର ପ୍ରିୟ କବି। ଏହାର କାରଣ କ’ଣ ଏହା ବି ହୋଇପାରେ ଯେ ଆପଣଙ୍କ କେତେକ କବିତାର ଥିମ୍ ତାଙ୍କର ରୋମାଣ୍ଟିକ କାବ୍ୟଭାବନାର ନିକଟତର?
ମନୋରମା: ହଁ, ଏହା ସେହି କାବ୍ୟଭାବନାର ନିକଟତର, ନିଶ୍ଚିତ ଭାବରେ। ତାଙ୍କର ଅନେକ କବିତାରେ ପ୍ରକୃତିକୁ ସେ ଯେମିତି ଭଲ ପାଇଛନ୍ତି, ଜୀବନକୁ ଯେମିତି ଜିଇଛନ୍ତି ଓ ପ୍ରେମକୁ ମଧ୍ୟ ଯେମିତି ଅନୁଭବ କରିଛନ୍ତି, ସେ ଦୃଷ୍ଟିରୁ ସେ ହେଉଛନ୍ତି ମୋ’ର ପ୍ରିୟ କବି।
ସାହିତ୍ୟ ଚର୍ଚ୍ଚା: ଆପଣ ଏମିତି ଗୋଟିଏ ସମୟରେ ଓଡ଼ିଆ କବିତାର ଶିଖରକୁ ଯାଇଥିଲେ, ଯେତେବେଳେ ଆମ କବିତାରେ ଆଧୁନିକୋତ୍ତର ଯୁଗ ମୁଣ୍ଡ ଟେକିଥିଲା। ତେବେ ସେ ସମୟର ଉଦ୍ଭଟ ହେଉ ବା ଦୁର୍ବୋଧ୍ୟ ବା ଅବୋଧ୍ୟ କବିତାକୁ ଆପଣ କିଛି ବଳ ଯୋଗାଇଥିଲେ ବୋଲି ନିଜେ ସ୍ୱୀକାର କରନ୍ତି କି?
ମନୋରମା: ମୁଁ ସେକଥା କେବେ ଅନୁଭବ କରିନାହିଁ।
ସାହିତ୍ୟ ଚର୍ଚ୍ଚା: ସମାଲୋଚକମାନେ କେବେ ଆପଣଙ୍କୁ କହିନାହାନ୍ତି ଏ କଥା?
ମନୋରମା: ଅନ୍ୟ ପକ୍ଷରେ ସମାଲୋଚକମାନେ କହିଛନ୍ତି ଭିନ୍ନ କଥା। ମୋ କବିତା ବିଷୟରେ ଟିପ୍ପଣୀ ଦେବାକୁ ଯାଇ ମହାପାତ୍ର ନୀଳମଣି ସାହୁ ଥରେ କହିଥିଲେ, “ତୁମ କବିତାରେ ଏକ ଶକ୍ତିଶାଳୀ ଲିରିସିଜମ୍ ଏତେ ଲୁକ୍କାୟିତ ଭାବରେ ଥାଏ ଯେ ସେଇଟା ତୁମର ଗଦ୍ୟ କବିତାକୁ ଭିନ୍ନ ଏକ ସ୍ତରକୁ ଉତ୍ତୀର୍ଣ୍ଣ କରିଦେଇଥାଏ।”
ସାହିତ୍ୟ ଚର୍ଚ୍ଚା: ଲିରିସିଜମ୍ର ବିପରୀତ, ଆମେ ଉଦ୍ଭଟ କବିତାର କଥା କହୁଛୁ।
ମନୋରମା: ମୋ କବିତାରେ ଉଦ୍ଭଟତା ସେତେ ମାତ୍ରାରେ ନ ଥାଏ। ସରଳ ଓ ସାବଲୀଳ ଭାବରେ ପ୍ରକାଶିତ ହେବା ପାଇଁ ମୁଁ ବେଶି ପ୍ରୟାସ କରିଥାଏ।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ମନେ କରନ୍ତି ଯେ ଆଧୁନିକ ଯୁଗର ଉନ୍ମେଷ କାଳରେ ଓଡ଼ିଆ କବିତା ଯେଉଁ ଛନ୍ଦ ହରାଇ ଦେଇଥିଲା, ତାହା ପୁଣି ଧୀରେ ଧୀରେ ଫେରିଆସୁଛି?
ମନୋରମା: ମୁଁ ସେଇଟା ଅନୁଭବ କରେ। ମୁଁ ଲକ୍ଷ୍ୟ କରୁଛି ଯେ ସେଇ ଛନ୍ଦଟା ପ୍ରକୃତରେ ଧୀରେ ଧୀରେ ଫେରିଆସୁଛି। କବି ନିଜକୁ ଗଦ୍ୟ ଭିତରେ ସମ୍ପୂର୍ଣ୍ଣ ହଜାଇ ଦେବାର ସେଇ ପ୍ରବଣତା କମିଆସିଲାଣି।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ନୂଆ ପିଢ଼ିର କବିମାନଙ୍କର ଲେଖା ପଢ଼ୁଛନ୍ତି? ସେମାନଙ୍କ ମଧ୍ୟରେ କିଛି ପ୍ରତିଶ୍ରୁତିସମ୍ପନ୍ନ ନବୀନ କବିଙ୍କୁ ପାଇଛନ୍ତି କି?
ମନୋରମା: ଏବେ ଅନେକ ପ୍ରତିଶ୍ରୁତିସମ୍ପନ୍ନ କବି କବିତା ଲେଖୁଛନ୍ତି। ସେମାନଙ୍କ ଭିତରେ ଅଜସ୍ର ସମ୍ଭାବନା ବି ରହିଥିବା ମୁଁ ଅନୁଭବ କରୁଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ ଭଲ ଲାଗିଥିବା ଏମିତି କୌଣସି ନୂଆ କବିଙ୍କର ନାମ ଉଲ୍ଲେଖ କରିବାକୁ ଚାହିବେ?
ମନୋରମା: ଜଣଙ୍କର କଥା କହିବି। ସାବିତ୍ରୀ କବି ବୋଲି ଝିଅଟିଏ: ଭଦ୍ରକ ପାଖରେ ଛୋଟ ଗୋଟିଏ ଗାଁ’ରେ ସିଏ ଥାଏ। ମୁଁ ତା’ଙ୍କୁ ଦେଖିନାହିଁ, କିନ୍ତୁ ତାଙ୍କର କବିତା ପଢ଼଼ିଛି। ମନକୁ ଛୁଇଁଯାଏ ତାଙ୍କର ରଚନା।
ସାହିତ୍ୟ ଚର୍ଚ୍ଚା: ଏମିତି ଅନେକ ବଣମଲ୍ଲୀ ଲୋକଲୋଚନକୁ ଆସି ନ ପାରି ଅନ୍ଧାରରେ ମଉଳିଯାଆନ୍ତି ବୋଲି ଆପଣ ମନେକରନ୍ତି କି?
ମନୋରମା: ହଁ, ମଉଳିଯାଆନ୍ତି ଏଇଥିପାଇଁ ଯେ ତାଙ୍କୁ ଉତ୍ସାହିତ କରିବା ପାଇଁ ଆମ ବ୍ୟବସ୍ଥାରେ କୌଣସି ଅବକାଶ ନାହିଁ। ସେମାନଙ୍କୁ ସୁପରିଚିତ କରାଇବାରେ ପ୍ରକାଶକ ଓ ସମ୍ପାଦକମାନଙ୍କର ଏକ ଗୁରୁଦାୟିତ୍ୱ ଅଛି। ଆମ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ଗୋଟିଏ ଭଲ କବିତାକୁ ପ୍ରଶଂସା କରିବାର ପ୍ରବୃତ୍ତି ପ୍ରାୟ ନ ଥାଏ। ଏହା ମଧ୍ୟ ଗୋଟିଏ ସମସ୍ୟା।
ସାହିତ୍ୟ ଚର୍ଚ୍ଚା: ଆମ ସାହିତ୍ୟରେ ଓ ଆମ ପ୍ରତିବେଶୀ ସାହିତ୍ୟରେ, ଏପରିକି ଭାରତୀୟ ସାହିତ୍ୟରେ ମଧ୍ୟ ଏବେ ବାମାବାଦୀ ଚିନ୍ତନ ବ୍ୟାପିବାରେ ଲାଗିଛି। ଏହାକୁ ଆପଣ କେତେ ଦୂର ଗ୍ରହଣ କରନ୍ତି?
ମନୋରମା: ମୁଁ ଏହି ବାମାବାଦୀ ଚିନ୍ତନ ସହିତ ବେଶି ଭାଗରେ ସହମତ ନୁହେଁ। ଏଥିପାଇଁ ଯେ, ଏହି ବିଚାରଧାରାର ସ୍ରଷ୍ଟାମାନେ ଜଣେ ପୁରୁଷ ଓ ଜଣେ ନାରୀ ମଧ୍ୟରେ ଅଯଥା ତାରତମ୍ୟ ବା ଦୂରତ୍ୱ ଦେଖନ୍ତି। କିନ୍ତୁ ଯାହା ଭିତରେ କବିତ୍ୱ ଭାବ ଥିବ ସେ ଏହି ବିଭେଦର କଥା ଭାବିବ ନାହିଁ। ଅନେକ ପ୍ରତିବେଶୀ ସାହିତ୍ୟରେ ମଧ୍ୟ ଏହି ବାମାବାଦୀ ଚିନ୍ତନ ପ୍ରବେଶ କରିଛି।
ସାହିତ୍ୟ ଚର୍ଚ୍ଚା: ଯେମିତି କି ତସଲିମା ନସରିନ୍ଙ୍କ ରଚନା!
ମନୋରମା: ତସଲିମା ନସରିନ୍ଙ୍କ ଜୀବନଟା ତ ଅଲଗା ପ୍ରକାରର। ସେଭଳି ଜୀବନ ଆମ ଓଡ଼ିଶାରେ ବା ଆମ ପାରିପାର୍ଶ୍ୱିକ ଓ ପାରିବାରିକ ଜୀବନରେ ନାହିଁ, ଯେଉଁଟା କି ତସଲିମାଙ୍କ ଅଛି।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଗୀତି କବିତାକୁ ମଧ୍ୟ ଆପଣ ନିଜ ରଚନା ଦ୍ୱାରା ସମୃଦ୍ଧ କରିଛନ୍ତି। ତେବେ ଟିକିଏ କହିବେ ବି କେଉଁଟି ଲେଖିବା ଅଧିକ ଆୟାସସାଧ୍ୟ, ମୁକ୍ତଛନ୍ଦର କବିତା, ନା ଗୀତି କବିତା?
ମନୋରମା: ଗୀତି କବିତା ଅନ୍ୟ ଏକ ଦୁନିଆର କଥା। ଆମର ଗୀତିକବିତା ପୂର୍ବରୁ ମାନ୍ୟତା ପାଇ ନ ଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀରେ ଗୀତିକବିତା ପାଇଁ ପୁରସ୍କାରର ବ୍ୟବସ୍ଥା ନ ଥିଲା। ମହାପାତ୍ର ନୀଳମଣି ସାହୁଙ୍କ ଉଦ୍ୟମକ୍ରମେ ଏହା ସମ୍ଭବ ହେଲା। ଅଥଚ ଆମର ସମୃଦ୍ଧ କାବ୍ୟ ପରମ୍ପରାରେ ଏହି ଗୀତି କବିତା ବହୁ ପୂର୍ବରୁ ରହିଆସିଛି।
ସାହିତ୍ୟ ଚର୍ଚ୍ଚା: ତେବେ ଆମେ ଜାଣିବାକୁ ଚାହୁଁଥିଲୁ ଯେ କେଉଁଟି ଲେଖିବା ଅଧିକ ଆୟାସସାଧ୍ୟ, ଗୀତିକବିତା ନା ଗଦ୍ୟକବିତା?
ମନୋରମା: ମୋତେ ତ ଗୀତି କବିତା ଲେଖିବାଟା ବିଶେଷ କଷ୍ଟସାଧ୍ୟ ବୋଲି ମନେ ହୁଏନାହିଁ।
ସାହିତ୍ୟ ଚର୍ଚ୍ଚା: ସେଥିରେ ଯତିପାତ ବା ରାଇମିଂ ପାଇଁ ଶବ୍ଦ ଖୋଜିବା କ୍ରମରେ ବେଳେ ବେଳେ କବିତାର ଭାବ ସହିତ ସାଲିସ୍ କରିବାକୁ ପଡ଼େ କି?
ମନୋରମା: ନା ମୁଁ ଶବ୍ଦ ଖୋଜେନି; ମନେହୁଏ, ଶବ୍ଦ ଆପେ ଆପେ ଆସିଯାଏ। ଗୀତିକବିତା ବହୁ ଭାବରେ ସ୍ୱଚ୍ଛନ୍ଦ, ବହୁ ଭାବରେ ସାବଲୀଳ। ଏହାର ଶବ୍ଦଗୁଡ଼ିକ ମଧ୍ୟରେ କୋମଳତା ସ୍ୱତଃ ଆସେ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର କବିତା ସଂକଳନ ‘ଫାଲ୍ଗୁନି ତିଥିର ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହା ପରେ ଦୀର୍ଘ ୨୪ ବର୍ଷ କାଳ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରର ସୁଦୃଷ୍ଟି ଆପଣଙ୍କ ଉପରେ ପଡ଼ି ନ ଥିବା ନେଇ ଆପଣଙ୍କର ମନରେ କିଛି ଅବସୋସ ଅଛି କି?
ମନୋରମା: ନା, କେନ୍ଦ୍ର ସାହିତ୍ୟ ଏକାଡେମୀ ଯଦିଓ ମୋତେ ପୁରସ୍କୃତ କରିନାହାନ୍ତି, ମୋ’ର କିଛି ଅବସୋସ ନାହିଁ। ପ୍ରତିଥର ମୋ ବହି ଫାଇନାଲ୍କୁ ଆସେ ବୋଲି ମୁଁ ଶୁଣେ। ମୁଁ କେବେ ବି ପୁରସ୍କାର ମନସ୍କ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଶିଶୁ ସାହିତ୍ୟକୁ ଆପଣଙ୍କ ଅବଦାନ ବିଷୟ ବିଚାରକୁ ନ ନେଲେ ଆପଣଙ୍କ ସାହିତ୍ୟିକ ଜୀବନର ଯଥାର୍ଥ ମୂଲ୍ୟାୟନ କରିହେବ ନାହିଁ। ଆପଣ ପିଲାମାନଙ୍କ ପାଇଁ ୨୦ଟିରୁ ଅଧିକ ବହି ଲେଖିଛନ୍ତି। ସେଥିମଧ୍ୟରୁ କେଉଁଟି ଆପଣଙ୍କର ସବୁଠାରୁ ଅଧିକ ପ୍ରିୟ?
ମନୋରମା: ଶିଶୁମାନଙ୍କ ପାଇଁ କବିତା ତ ମୁଁ ଲେଖିଛି। କିନ୍ତୁ ତାହା ଛଡ଼ା, ଦେଶ ଓ ବିଦେଶର ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରି ମୁଁ ଅର୍ଜନ କରିଥିବା ଅନୁଭୂତିକୁ ପିଲାମାନଙ୍କ ଆଗରେ ପରିବେଷଣ କରିବାକୁ ମୁଁ ଆନନ୍ଦ ପାଏ।
ସାହିତ୍ୟ ଚର୍ଚ୍ଚା: ସେଥି ମଧ୍ୟରୁ କେଉଁ ବହିଟି ଆପଣଙ୍କୁ ଅଧିକ ମାତ୍ରାରେ ଆଚ୍ଛନ୍ନ କରି ରଖିଛି?
ମନୋରମା: ସେଇଟା ହେଲା ମୁଁ ମୋ ନାତୁଣୀ ଉଦ୍ଦେଶ୍ୟରେ ଲେଖିଛି ‘ଦୀକ୍ଷାର ଉଡ଼ାଜାହାଜ ଯାତ୍ରା’।
ସାହିତ୍ୟ ଚର୍ଚ୍ଚା: ଦୀକ୍ଷା ଆପଣଙ୍କ ନାତୁଣୀର ନାମ?
ମନୋରମା: ହଁ, ସେ ମୋ ନାତୁଣୀ। ସେମିତି ଆଉ ଗୋଟିଏ ବହି ହେଲା, ‘ମରିସସ୍ରେ ଦୀକ୍ଷାର ଜେଜେମା’। ଏଥିରେ ଭ୍ରମଣକୁ ଆଧାର କରି ଶିଶୁ ମନଲାଖି କଥାସବୁ ଲେଖିବାକୁ ଚେଷ୍ଟା କରିଛି। ଏହି କ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନର କଥା ମଧ୍ୟ ଲେଖିଛି, ଯେମିତି କି ‘ଚାନ୍ଦିପୁରରେ ଦୀକ୍ଷା’। କିଛି ନାନାବାୟା ଗୀତ ମଧ୍ୟ ଲେଖାଯାଇଛି।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଓଡ଼ିଆ ବିଭାଗର ଜଣେ ଅନୁଭବୀ ଅଧ୍ୟାପିକା। ଆପଣଙ୍କର କ’ଣ ମନେ ହୁଏନାହିଁ ଯେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଓଡ଼ିଆ ବିଭାଗରେ ଆମେ ସାହିତ୍ୟ ନାମରେ କେବଳ ସାହିତ୍ୟର ଇତିହାସ ହିଁ ପଢ଼ୁଛୁ? ଅର୍ଥାତ୍ ଓଡ଼ିଆ ବିଭାଗର ପାଠ୍ୟକ୍ରମରେ ଆମ ସାହିତ୍ୟର ସଦ୍ୟତମ ସୃଷ୍ଟିଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇନାହିଁ?
ମନୋରମା: ଆମର ପାଠ୍ୟକ୍ରମଗୁଡ଼ିକ ଯେତେବେଳେ ପ୍ରସ୍ତୁତ କରାଯାଏ, ସେହି କମିଟିରେ ବିଜ୍ଞ ବ୍ୟକ୍ତିମାନଙ୍କୁ ରଖାଯିବା ଦରକାର। ଅନେକ ସମୟରେ ଏହା ଠିକ୍ ଭାବରେ ହେଉନାହିଁ। ସେମାନେ ଯାହା ଇଚ୍ଛା ହେଲା ସିଲାବସ୍ରେ ତାହା ରଖିଦେଉଛନ୍ତି। ସେମାନେ ଚାହିଁଲେ ଆଧୁନିକତମ ସାହିତ୍ୟକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରନ୍ତା।
ସାହିତ୍ୟ ଚର୍ଚ୍ଚା: ଶେଷରେ ଆମେ ଜାଣିବାକୁ ଚାହିବୁ, ଗଳ୍ପ ଓ ଉପନ୍ୟାସ ସାହିତ୍ୟ ରଚନା ପ୍ରତି ଆପଣ କାହିଁକି କେବେ ମନ ବଳାଇ ନାହାନ୍ତି।
ମନୋରମା: ଗଳ୍ପ ଓ ଉପନ୍ୟାସ ଆମ ଓଡ଼ିଆ ସାହିତ୍ୟର ମହାସମୁଦ୍ର। ତାହା ଲେଖିବା ନିମନ୍ତେ ମୁଁ କେବେ ସାହସ କରିପାରିନାହିଁ। କିନ୍ତୁ ଗଦ୍ୟରେ ଅନେକ ସମାଲୋଚନା ପୁସ୍ତକ ଓ ଭ୍ରମଣ କାହାଣୀ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାରସ୍ୱତ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅକ୍ଟୋବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
ଏହି ବାର୍ତ୍ତାଳାପଟି ବହୁତ ସୁନ୍ଦର ହୋଇଛି ।