ଲାସ୍

ଖୋଦ ସାମ୍ବାଦିକତା ହିଁ ମୃତ୍ୟୁ ଶଯ୍ୟାରେ ଶୋଇଛି।

ରୋହିତ କୁମାର ଦାଶ

ସକାଳୁ ଉଠି ଦେଖିଲା ବେଳକୁ ରାସ୍ତାରେ ବହୁତ ଭିଡ଼। ଭିଡ଼ ଠେଲି ନରେନ୍ଦ୍ର ବାବୁ ଆଗକୁ ଗଲେ। ଯାହା ଦେଖିଲେ ଆଖିକୁ ବିଶ୍ୱାସ କରି ପାରିଲେନି। ରାସ୍ତା ମଝିରେ ଗୋଟେ ଲାସ୍ ପଡିଛି। ତା’ଉପରେ ଫର ଫର ସଫା ଧଳା କନା ଘୋଡା ହେଇଛି। କିନ୍ତୁ କନା ଘୋଡା ହେଇଥିବାରୁ ଜାଣି ହେଉନି ଠିକ କାହାର ମୃତ୍ୟୁ ହେଇଛି।
ସେ ଜଣେ ଦି’ଜଣଙ୍କୁ ପଚାରି ବୁଝିବାର ଚେଷ୍ଟା କଲେ। କିନ୍ତୁ ନା କେହି ବି ଠିକ୍‌ରେ କହି ପାରୁନାହାନ୍ତି। ସମସ୍ତେ କିନ୍ତୁ ଉତ୍ସୁକ ହେଇ ଅନେଇ ରହିଛନ୍ତି ଦୃଶ୍ୟଟି ଆଡେ।


ବୋଧେ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ। ଏମିତି ତ ଆଜିକାଲି ଏ ରାସ୍ତାରେ ପ୍ରତ୍ୟହ କିଛି ନା କିଛି ଦୁର୍ଘଟଣା ଘଟୁଛି। ରାସ୍ତାର ଅବସ୍ଥା ଯାହା, ଖୁବ ଦୟନୀୟ। ଯୋଉଠି ଦେଖିଲେ ବଡ଼ ବଡ଼ ଖାଲ। ଯଦିଓ ଏହା ସହରର ମୁଖ୍ୟ ରାସ୍ତା। କିନ୍ତୁ ବେପାରୀମାନଙ୍କ ଜବରଦଖଲ ପାଇଁ ରାସ୍ତା ଅତି ସଂକୀର୍ଣ୍ଣ ହେଇଯାଇଛି।ଗୋଟେ ବଡ଼ ଗାଡ଼ି ଆସିଗଲେ ରାସ୍ତା ଘଣ୍ଟା ଘଣ୍ଟା ଧରି ଜାମ। କୌଣସି ଟ୍ରାଫିକ ବ୍ୟବସ୍ଥା ମଧ୍ୟ ନାହିଁ। ଏହା ପୁଣି ସହରର ପ୍ରମୁଖ ବ୍ୟବସାୟ ସ୍ଥଳ। ଯେତେସବୁ ବଡ଼ ବଡ଼ ବେପାରୀଙ୍କ ଦୋକାନ ଏଇଠି। ଜିଲ୍ଲା ତଥା ପଡୋଶୀ ରାଜ୍ୟ ଓ ଜିଲ୍ଲାର ଲୋକମାନେ ଏ ବଜାର ଉପରେ ନିର୍ଭରଶୀଳ। ବର୍ଷ ବର୍ଷ ଧରି ଏଇଠି ପିଚୁ ଟିକେ ମଧ୍ୟ ଢଳା ହୁଏନି। ବ୍ୟବସାୟ ସକାଶେ ସବୁବେଳେ ବଡ଼ ଗାଡି ସବୁ ମାଲ ଓଲ୍ହେଇବା ପାଇଁ ଅଟକୁଥିବା ହେତୁ ରାସ୍ତା ଜାମ ହେବା ସ୍ୱାଭାବିକ‌ ତା ଛଡ଼ା ବର୍ଜ୍ୟବସ୍ତୁକୁ ଖାଇବା ପାଇଁ ଗାଈ ଗୋରୁ ଷଣ୍ଢ ଓ ବୁଲା କୁକୁରଙ୍କ ଗହଳି ଏଠି ବେଶି। ଟିକେ ଅସତର୍କ ହେଲେ ଦୁର୍ଘଟଣା ଘଟିବା ସ୍ୱାଭାବିକ।
ଏମିତି ନୁହେଁ ଯେ ସହରବାସୀ ୟାକୁ ଚୁପଚାପ ସହିଯାନ୍ତି। ୟା ପାଇଁ ସବୁବେଳେ ରାସ୍ତାରୋକୋ ଧର୍ମଘଟ ଆଦି ଚାଲିଥାଏ। ହେଲେ ଏ ମୁଷ୍ଟିମେୟ ଅଥଚ ଧନୀ ବଣିକମାନେ ପଇସା ଖର୍ଚ୍ଚ କରି ଉପରକୁ ହାତ କରି ସେ ସବୁ ସ୍ଥିତିକୁ ଏମିତି ନିୟନ୍ତ୍ରଣ କରି ଦିଅନ୍ତି ଯେ ସବୁ ବିଦ୍ରୋହ ଫସର ଫାଟିଯାଏ। ଏମିତି କି ତଦ୍‌ଜନିତ କେସ ମାମଲା ସବୁର ତାରିଖ ବି ଅନିର୍ଦିଷ୍ଟ କାଳଯାଏ ଘୁଂଚି ଯାଉଥାଏ। ଲୋକେ ଅଣନିଃଶ୍ୱାସୀ; ଅନୁଭବ କଲେ ବି ବଣିକମାନଙ୍କ ଦୌରାତ୍ମ୍ୟ ସହିବାକୁ ବାଧ୍ୟ ହୁଅନ୍ତି।
ନରେନ୍ଦ୍ର ବାବୁ ତାଙ୍କ ଭାବନା ରାଜ୍ୟରୁ ଫେରି ଆସି ଟିକେ ପ୍ରକୃତିସ୍ଥ ହେଲେ। ଏବେ ଆଉ ଟିକେ ସାମ୍ନାକୁ ଗଲେ। ଜଣେ ଚିହ୍ନା ସାମ୍ବାଦିକ ଭାଇଙ୍କୁ ଭେଟିଲେ ଓ ଭିଡ଼ର କାରଣ ଜିଜ୍ଞାସା କଲେ। ସାମ୍ବାଦିକ ବନ୍ଧୁ ତାଙ୍କ କ୍ୟାମେରା ବ୍ୟାଗକୁ କାନ୍ଧରେ ସଳଖେଇ ବିରକ୍ତି ମିଶା ସ୍ୱରରେ କହିଲେ, “ଛାଡ଼ ହୋ ଭାଇ ଏଠି କିଛି ହେବନି। ଆମେ ସାମ୍ବାଦିକ ଭାଇମାନେ ଯେତେ ପାଟିତୁଣ୍ଡ ହୋ ହାଲ୍ଲା କଲେ କଣ ହେବ? ହାଇକୋର୍ଟର ଅଙ୍କୁଶ ନ ହଟିବା ଯାଏ ସ୍ଥିତି ବଦଳିବ ନାଇଁ। ଏ ରାସ୍ତା ଆଉ କେବେ ବି ଚଉଡା ହେବନି। ରାସ୍ତାରେ ଏମିତି ଲୋକ ମରି ଶୋଉଥିବେ।”
ନରେନ୍ଦ୍ର ବାବୁ ପଚାରିଲେ, “ଏ ଲାସ୍ କାହାର?” ବନ୍ଧୁ କହିଲେ, “ମୁଁ ବି ଦେଖିନି। ପୋଲିସ କାହାକୁ ପାଖ ମାଡିବାକୁ ଦେଉନି। ତଥାପି ଯାହା ଶୁଣାଯାଉଛି, ଲାସ୍‌ଟି ଆମ ଭଳି ଜଣେ ସାମ୍ବାଦିକର।”
ନରେନ୍ଦ୍ର ବାବୁ ଟିକେ ଅନ୍ୟମନସ୍କ ହେଇ ଚିନ୍ତା କରିବାକୁ ଲାଗିଲେ। ଏ ଲାସ୍ କାହାର ହେଇଥାଇପାରେ? ଏତେ ଭୋରରୁ କୋଉ ସାମ୍ବାଦିକର ଏ ପଟେ କାମ ପଡ଼ିବ? ଏଇଟା କାହାର ଲାସ ହେଇଥିବ? ନିଶ୍ଚୟ ଏଇଟା ସତ୍ୟନିଷ୍ଠ ସମ୍ବାଦପତ୍ରର ସାମ୍ବାଦିକ ସଞ୍ଜୟର ଲାସ ହେଇଥିବ‌ ତା’ଘର ଏପଟେ। ତେଣୁ ସକାଳୁ ବୋଧେ ସେ ଖବର ସଂଗ୍ରହ ପାଇଁ ହାତରେ ବୁମ ଓ କାନ୍ଧରେ କେମେରା ବ୍ୟାଗ ଧରି ବାହାରି ଥିବ। ରାସ୍ତା ଜାମ୍ ଥିବ। ତେଣୁ ସେ ତରବରରେ ଟ୍ରକର ଆର ପାଖଳୁ ଗଳିଯିବାକୁ ଚେଷ୍ଟା କରିଥିବ। ଆରପଟୁ ଦ୍ରୁତ ଗତିରେ ଆସୁଥିବା ବାଇକ୍‌ରେ ପିଟି ହୋଇଥିବ ଓ ମୁଣ୍ଡ ଫାଟି ମରି ପଡ଼ିଥିବ।
ନରେନ୍ଦ୍ର ବାବୁ ସେ ପଟେ ରହୁଥିବା ଜଣ ଜଣ କରି ସବୁ ସାମ୍ବାଦିକ ମାନଙ୍କ ନାଁ ମନେ ପକେଇଲେ, ଓ ଭିଡ଼ ଠେଲି ଧୀରେ ଧୀରେ ଆଗକୁ ଚାଲିଲେ। ଉତ୍କଣ୍ଠା ବଢ଼ି ଚାଲୁଥାଏ। ଏବେ ସେ ଶବର ଠିକ ସାମ୍ନାରେ। ଲାସ ପଡିଛି। ମୁଣ୍ଡରୁ ଗୋଡ଼ଯାଏ ଗୋଟେ ଧଳା କନା ଘୋଡା ହେଇଛି। ମୁଣ୍ଡ ପାଖରେ କିଛି ତାଜା ରକ୍ତ ଓହଳି ଆସିଛି ଧାର ହେଇ। ତା’ ଉପରେ କିଛି ମାଛି ବୁଲୁଛନ୍ତି‌ କିଛି ମାଟିଆ ପୋଷାକଧାରୀ ପୋଲିସ ହାତରେ ବାଡ଼ି ଧରି ଶବକୁ ଘେରି ଛିଡା ହେଇଛନ୍ତି। କାହାକୁ ପାଖ ମାଡ଼ି ଦେଉନାହାନ୍ତି‌। ଶବର ଠିକ ଆର ପଟେ ବଣିକମାନେ ଏକତ୍ରିତ ହେଇ ଖୁସି ଗପରେ ମାତିଛନ୍ତି। ଚା ଖାଉଛନ୍ତି ଓ ଏମିତି ହସ ହସି ତାଳି ମାରୁଛନ୍ତି ଯେମିତି କିଛି ହେଇନି ଓ ଏ ମୃତ୍ୟୁରେ ସେମାନେ ବେଶି ଲାଭବାନ ଓ ଖୁସି। ନରେନ୍ଦ୍ର ବାବୁ ଆଉ ନିଜକୁ ସମ୍ଭାଳି ପାରିଲେନି. ସେ ପୋଲିସଙ୍କ କଟକଣା ସତ୍ୱେ ଦୌଡ଼ି ଯାଇ ଲାସର ଦେହରୁ ଧଳା ପରଦା କାଢି ଦେଉଛନ୍ତି। ଏ କଣ, କେହି ସାମ୍ବାଦିକ ନୁହନ୍ତି ଖୋଦ ସାମ୍ବାଦିକତା ହିଁ ମୃତ୍ୟୁ ଶଯ୍ୟାରେ ଶୋଇଛି। ବଣିକମାନଙ୍କ ତାଚ୍ଛଲ୍ୟ ଭରା ହସ ଆହୁରି ସ୍ପଷ୍ଟ ହେଇ ଶୁଭୁଛି। ନରେନ୍ଦ୍ର ବାବୁ ସହି ପାରୁନାହାନ୍ତି‌। ସେ ପୋଲିସ ହାତରୁ ଗୋଟେ ପାଞ୍ଚଣ ଠେଙ୍ଗା ଉଠେଇ ସେମାନଂକୁ ଦୌଡେଇବା ବେଳେ ଡ୍ରଇଂ ରୁମ କାନ୍ଥରେ ତାଙ୍କ ମୁଣ୍ଡ ବାଜି ପଡିଯାଉଛନ୍ତି। ଶ୍ରୀମତୀ ବ୍ୟସ୍ତ ହେଇ ଦୌଡ଼ି ଆସି ତାଙ୍କୁ ଉଠେଇ ପଚାରୁଛନ୍ତି, “ଏତେ ସକାଳୁ ଏତେ ତରବରରେ କୁଆଡେ ବାହାରିଛ?”
ନରେନ୍ଦ୍ର ବାବୁ ବଡ଼ ଦୟନୀୟ ସ୍ୱରରେ କହୁଛନ୍ତି, “ସତ୍ୟନିଷ୍ଠ ସାମ୍ବାଦିକତାର ମୃତ୍ୟୁ ଘଟିଛି। ମୁଁ ତା ଲାସ୍‌ରେ କିଛି ଫୁଲତୋଡ଼ା ଦେବାକୁ ବାହାରିଛି।”

3 thoughts on “ଲାସ୍

  1. ଏହି ଗଳ୍ପରେ, ମନୋରାଜ୍ୟରେ ଅଂକିତ ଏକ ବାସ୍ତବବାଦୀ ସ୍ବପ୍ନଚିତ୍ର ଆଖି ଆଗରେ ଚଳଂତା ରୂପେ ମନକୁ ଆଂଦୋଳିତ କରୁଛି।

    1. ଧନ୍ୟବାଦ ସାର. ଆପଣଙ୍କ ପ୍ରେରଣାପ୍ରଦ ମତ ପାଇଁ. ନମସ୍କାର

  2. Aaji ra samaya ku chitrita o pratiphalita karuthiba Galpa ra Galpika nku abhinandan.
    Zakir Khan

Leave a Reply

Your email address will not be published. Required fields are marked *