ଏକ ଭିନ୍ନ ଦୃଷ୍ଟିରେ କଳାହାଣ୍ଡିର ଲୋକକଥା

କୌଣସି ଗୋଟିଏ ଲୋକକଥା ବା ଏହାର ସଂରଚନାତ୍ମକ ଉପାଦାନ ଏକ ସୀମିତ ଅଞ୍ଚଳରେ ଆବଦ୍ଧ ହୋଇ ରହେନାହିଁ।

ଡ. ଦୋଳଗୋବିନ୍ଦ ବିଶୀ

ଆଦିମ ମଣିଷ ଆପଣାର ସ୍ୱାଭାବିକ ଜିଜ୍ଞାସାବୋଧରୁ ବିଶ୍ୱରହସ୍ୟକୁ ବ୍ୟାଖ୍ୟା କରିବା ପାଇଁ ଯେଉଁ ଆଦିମ-ବୌଦ୍ଧିକ ପ୍ରଚେଷ୍ଟା ଚଳାଇଥିଲା, ତହିଁରୁ ସୃଷ୍ଟି ହୋଇଥିଲା ପୁରାକଥା ବା ‘ମିଥ୍‌’। ପ୍ରଥମ ପର୍ଯ୍ୟାୟରେ ମିଥ୍‌ଗୁଡ଼ିକର ପ୍ରତ୍ନରୂପ ସୃଷ୍ଟି ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ‘ବିକଶିତ ମିଥ୍‌’ ଗୁଡ଼ିକର ସୃଷ୍ଟି ହୋଇଥିଲା। ମିଥ୍ ହେଉଛି ଗଳ୍ପ ବିଷୟକ ସମସ୍ତ ପ୍ରକାର ଲୋକମୌଖିକ କଳାର ପ୍ରାଚୀନ ରୂପ। ଲୋକସାହିତ୍ୟର ଗବେଷକମାନେ ମିଥ୍‌ରୁ ଲୋକ କଥା ଓ ଲୋକକଥାରୁ କିଂବଦନ୍ତୀର ବିକାଶ ହୋଇଥିବାର ସ୍ୱୀକାର କରନ୍ତି। କେତେକ ଲୋକସଂସ୍କୃତିବିଦ୍ କେବଳ ଲୋକକାହାଣୀ ବା ‘କଥାନି’କୁ ହିଁ ଲୋକକଥା ବୋଲି ଗ୍ରହଣ କରନ୍ତି- ଏମାନଙ୍କ ମତରେ ମିଥ୍‌, ଲୋକକଥା ଓ କିଂବଦନ୍ତୀ ଆଦି ହେଉଛି ଲୋକ ସାହିତ୍ୟର ଭିନ୍ନ ଭିନ୍ନ ରୂପ। ୟା’ ଉପରେ ବିଶେଷଜ୍ଞମାନେ ବହୁ ପ୍ରକାର ଆଲୋଚନା କରିଥିଲେ ହେଁ ସାଧାରଣତଃ ସୃଷ୍ଟିକଥା, ଧର୍ମଗାଥା ଓ ସଂସ୍କୃତିତତ୍ତ୍ୱ କଥା ଆଦିକୁ ମିଥ୍‌, ଲୋକଶିକ୍ଷା ଧର୍ମୀ ବିନୋଦ ଗପ ବା କାହାଣୀକୁ ଲୋକ କଥା ଓ ଐତିହାସିକ ତଥ୍ୟ ଥିବା ବା ଇତିହାସ ପରି ଲାଗୁଥିବା ଶ୍ରୁତିକଥାକୁ କିଂବଦନ୍ତୀ ଭାବରେ ଗ୍ରହଣ କରିଛନ୍ତି। କିଂବଦନ୍ତୀକୁ କଥାରେ ନ କହି ଗୀତରେ ପରିବେଷଣ କଲେ ତାହା ଗାଥା ହୁଏ। ଏ ସକଳ ପ୍ରକାଶଶୈଳୀ ଦୃଷ୍ଟିରୁ ଭିନ୍ନବୋଧ ହେଉଥିଲେ ହେଁ ଆତ୍ମା ଦୃଷ୍ଟିରୁ ଗୋଟିଏ ଓ ସେହି ଆତ୍ମାଟି ହେଉଛି ‘କଥାଭାଗ’। ନିର୍ଦ୍ଦିଷ୍ଟ ‘କଥାଭାଗ’କୁ ଅବଲମ୍ବନ କରି ଏଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ଏହି ଦୃଷ୍ଟିରୁ ମିଥ୍ ଓ କିମ୍ବଦନ୍ତୀକୁ ଲୋକକଥା ଭାବରେ ଗ୍ରହଣ କରିବାରେ ଆପତ୍ତି ନ ରହିବା ଉଚିତ। ଏହି ଯଥାର୍ଥତାକୁ ସ୍ୱୀକାର କରି ଲୋକସାହିତ୍ୟ ବିଜ୍ଞାନର ପ୍ରସିଦ୍ଧ ବିଦ୍ୱାନ ଡକ୍ଟର ସତ୍ୟେନ୍ଦ୍ର କଥାତ୍ମକରୂପ କ୍ରମରେ ଧର୍ମଗାଥା, ପରୀକଥା, ଅବଦାନ, ଲୋକ କାହାଣୀ, ତନ୍ତ୍ରାଖ୍ୟାନ ଓ ଲୋକଗାଥାକୁ ଗ୍ରହଣ କରିଛନ୍ତି। ଲୋକସାହିତ୍ୟର ଗଦ୍ୟ, ପଦ୍ୟ ଓ ଗଦ୍ୟ-ପଦ୍ୟାତ୍ମକ ସମସ୍ତ ରୂପର ପ୍ରାୟ ଶତକଡ଼ା ନବେ ଭାଗ ଆତ୍ମା ହେଉଛି କଥା ବା କଥାନି ବା କାହାଣୀ। ଗଦ୍ୟରେ ହେଉ ବା ପଦ୍ୟରେ ହେଉ, କାହାଣୀ ଶୁଣାଇବା ଉଦ୍ଦେଶ୍ୟରେ ହିଁ ଅଧିକାଂଶ ଲୋକସାହିତ୍ୟର ସୃଷ୍ଟି।
‘କଥା’ର ପରିଭାଷା
ଲୋକମାନେ ଲୋକାୟତନ ମଧ୍ୟରେ ଲୋକଧାରା ବା ଲୋକବିଦ୍ୟାକୁ ଯେପରି ଭାବରେ ପ୍ରୟୋଗ କରନ୍ତି, ତାକୁ ହିଁ ଦୃଷ୍ଟିରେ ରଖି ଗଣଗ୍ରାହ୍ୟ ଭାବେ ତା’ର ନାମ ଦେଇଥାନ୍ତି। କଳାହାଣ୍ଡିର ଲୋକମୌଖିକ ପରମ୍ପରାରେ ପ୍ରଚଳିତ ମିଥ୍‌, କିଂବଦନ୍ତୀ, ଗାଥା, ଲୋକପୁରାଣ, ଜାତିପୁରାଣ, ସିଡ଼ି, ଗାଭା, ଲୋକକାବ୍ୟ, ଲଘୁକଥା ଆଦି ଲୋକସାହିତ୍ୟର ବହୁ ବିଭାବ ଲୋକ ସମାଜରେ ‘କଥା’ ଭାବରେ ହିଁ ଗୃହୀତ। କଳାହାଣ୍ଡିର ଲୋକାୟତନରେ ‘କଥା’ ଏକ ଜନ ସ୍ୱୀକୃତ ପରିଭାଷା। କଥା ପୁଣି କଥା, କଥାନି, କୁହୁନି ଓ କୋଏନି ନାମରେ ଉଚ୍ଚାରିତ ହୁଏ। ଶ୍ରୋତାମାନେ କଥକ ଓ ଗାୟକମାନଙ୍କଠାରୁ ଯାହା ବି ଶୁଣିବାକୁ ଇଚ୍ଛାକଲେ “ସେ ଅମ୍‌କା କଥା ଧର/ମୁନ୍ଦଲ୍ କର” ବୋଲି ଅନୁରୋଧ ଜଣାଇଥାନ୍ତି। ଏ’ତ ଗଳ୍ପ ବିଷୟକ ଲୋକସାହିତ୍ୟ ଓ ବର୍ଣ୍ଣନାତ୍ମକ ମୌଖିକକଳାର କଥା – ଯାହାକୁ ‘କଥା’ ନାମରେ ନାମିତ କରିବା ଅତି ସ୍ୱାଭାବିକ। ଅଧିକନ୍ତୁ କଳାହାଣ୍ଡିର ଲୋକସମାଜରେ ଆନୁଷ୍ଠାନିକ ବିଧିବିଧାନ ଆଦିର ବର୍ଣ୍ଣନା ବା ସୂଚନା, ଉପଚାର ବିଧି ଓ ଲୋକସମ୍ବାଦ ଆଦିକୁ ମଧ୍ୟ ‘କଥା’ ନାମରେ ପ୍ରକାଶ କରାଯାଇଥାଏ। ଏସବୁ ଦୃଷ୍ଟିରୁ କଳାହାଣ୍ଡିର ଲୋକକଥା ସମ୍ପର୍କରେ ଚର୍ଚ୍ଚା କଲାବେଳେ ପାଶ୍ଚାତ୍ୟ ମତକୁ ଅନୁସରଣ କରି କେବଳ ‘ଫୋକ୍‌ଟେଲ୍‌’ ମଧ୍ୟରେ ସୀମିତ ରହିବା ଉଚିତ୍ ହେବନାହିଁ। ଗଳ୍ପ ବିଷୟକ ଲୋକସାହିତ୍ୟର ସମସ୍ତ ବିଭାବ ବା କଥାତ୍ମକ ରୂପକୁ ଲୋକ କଥା ଭାବରେ ଗ୍ରହଣ କଲେ ତାହା ହିଁ ଯଥାର୍ଥ ହେବ, ଓଷାକଥା ବା ବ୍ରତ କଥା ନାମରେ ମିଳୁଥିବା ଗୀତଗୁଡ଼ିକ ମଧ୍ୟ ଲୋକକଥା ଶୃଙ୍ଖଳାର ଏକ ବିଶିଷ୍ଟ ଅଙ୍ଗ – ସେ ସବୁକୁ ଆମେ ବାଦ ଦେଇ ପାରିବା ନାହିଁ।

ବିଶ୍ୱର ଅନେକ ଦେଶରେ ଥିବା ବହୁ ମହାକାବ୍ୟ ଓ ପୁରାଣଗୁଡ଼ିକ ସେହି ସେହି ଦେଶର ଲୋକକଥା/ପୁରାକଥା ଦ୍ୱାରା ପ୍ରଭାବିତ। ବୈଦିକ-ସାହିତ୍ୟ ଓ ଉତ୍ତର-ବୈଦିକ ସାହିତ୍ୟରେ ଲୋକକଥାଧର୍ମୀ ବହୁ ଆଖ୍ୟାନ ରହିଛି। ପ୍ରାଚୀନ ଭାରତୀୟ କଥାସାହିତ୍ୟ ଅନ୍ତର୍ଗତ ପଞ୍ଚତନ୍ତ୍ର, ହିତୋପଦେଶ, କଥାସରିତ ସାଗର, ଶୁକସପ୍ତତି, ଦ୍ୱାତ୍ରିଂଶ ପୁତ୍ତଳିକା ଓ ବେତାଳ ପଞ୍ଚବିଂଶତି ଆଦିକୁ ଭାରତୀୟ ଲୋକକଥାର ଶୃଙ୍ଖଳିତ ଓ ସମ୍ପାଦିତ ରଚନା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପାଲି-ପ୍ରାକୃତ ଓ ଅପଭ୍ରଂଶ ଭାଷାର ବିଶାଳ ସାହିତ୍ୟ-ସାଗର ମଧ୍ୟରେ ଯେଉଁ କଥାସାହିତ୍ୟ, ଆଖ୍ୟାୟିକା-ସାହିତ୍ୟ, ଚରିତ-ସାହିତ୍ୟ ଓ ଅବଦାନ-ସାହିତ୍ୟ ଆଦି ଦେଖିବାକୁ ମିଳେ ସେ ସମସ୍ତ ଧର୍ମୋପଦେଶ ଓ ଲୋକଶିକ୍ଷା ମୂଳକ ଲୋକକଥାଗୁଡ଼ିକର ହିଁ ବିଦଗ୍ଧ ରୂପ। ଲୋକକଥାର ବୈଶିଷ୍ଟ୍ୟ ଏଗୁଡ଼ିକରେ ପ୍ରତିଫଳିତ। (ଦୃଷ୍ଟାନ୍ତ-ବଡ଼କଥା ବା ବୃହତ୍ କଥା) ଭାରତୀୟ ସାହିତ୍ୟ ସବୁ ଯୁଗରେ ହିଦଲୌକିକ ବିଷୟ ଉପରେ ଗୁରୁତ୍ୱ ଦେଇ ଆସିଥିବାରୁ ଏହା ଲୋକଧାରାରୁ ବିଚ୍ୟୁତ ହୋଇପାରିନାହିଁ। ବରଂ ଲୋକଧାରାକୁ ଆଶ୍ରୟ କରି ବିକଶିତ ହୋଇଛି। ଆମ ବିଦଗ୍ଧ-ଧାରା ଲୋକଧାରା ଦ୍ୱାରା ପୁଷ୍ଟ ଓ ପ୍ରଭାବିତ ହୋଇ କେତେକାଂଶରେ ପରବର୍ତ୍ତୀ ଲୋକଧାରାକୁ ମଧ୍ୟ ପ୍ରଭାବିତ କରିଛି। ଏହି ଦୃଷ୍ଟିରୁ ମୌଖିକ ପରମ୍ପରାର ଲୋକକଥା ଓ ଲିଖିତ କଥାସାହିତ୍ୟ ମଧ୍ୟରେ ଆମେ ବହୁ ସାମଞ୍ଜସ୍ୟ ଦେଖିବାକୁ ପାଉଁ। ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶ କଥା ସାହିତ୍ୟର ବହୁ ବିଷୟ/ଆଖ୍ୟାନ ସହିତ କଳାହାଣ୍ଡିର ଲୋକକଥାଗୁଡ଼ିକର ସାମ୍ୟତା ରହିଛି। ଇତିହାସର କେଉଁ କାଳରେ କିପରି ଭାବରେ କିଏ କାହାକୁ ପ୍ରଭାବିତ କରିପାରିଛନ୍ତି- ତାହା ଗଭୀର ଗବେଷଣାର ବିଷୟ। ଆଞ୍ଚଳିକ ପରମ୍ପରା ଓ ମହାନ ପରମ୍ପରାର ପୃଷ୍ଠଭୂମିରେ କଳାହାଣ୍ଡିର ସାମାଜିକ ଓ ଧର୍ମ ସାଂସ୍କୃତିକ ଇତିହାସ ସଙ୍ଗେ ଭାରତୀୟ ପ୍ରାଚୀନ ଇତିହାସକୁ ଅଧ୍ୟୟନ କରି ଦେଖିଲେ ଏଇ ଲୋକକଥାର ଘେନାଘେନି ଭାବ ସହଜରେ ଜଣାପଡ଼ିବ।
ବିଶ୍ୱଜନୀନତା
ଲୋକକଥାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି, ଏହାର ବିଶ୍ୱଜନୀନତା। କୌଣସି ଗୋଟିଏ ଲୋକକଥା ବା ଏହାର ସଂରଚନାତ୍ମକ ଉପାଦାନ ଏକ ସୀମିତ ଅଞ୍ଚଳରେ ଆବଦ୍ଧ ହୋଇ ରହେନାହିଁ। ପ୍ରଜାତି, ଭାଷା ଓ ଆଞ୍ଚଳିକତାର ବାଡ଼ ଡେଇଁ ଲୋକକଥା ବିଶ୍ୱ ପରିଭ୍ରମଣ ପାଇଁ ବାହାରିପଡ଼େ। ପୃଥିବୀର ସମସ୍ତ ଦେଶର ଲୋକ କାହାଣୀଗୁଡ଼ିକ ମଧ୍ୟରେ ଭାବଗତ ଓ ରୂପଗତ କ୍ଷେତ୍ରରେ ଅନ୍ତରଙ୍ଗ ସମଧର୍ମିତା ଲକ୍ଷ୍ୟ କରାଯାଇଥାଏ। ଏହି ସମଧର୍ମିତା ବା ସାଧାରଣ ଐକ୍ୟର ମୂଳଉତ୍ସ ନିରୂପଣ କରିବାକୁ ଯାଇ ଲୋକସଂସ୍କୃତିବିଦ୍‌ମାନେ ଦୁଇ ପ୍ରକାର ମତ ଦିଅନ୍ତି:-
ପ୍ରଥମ ମତଟି ବିସରଣବାଦୀ ସିଦ୍ଧାନ୍ତ ଉପରେ ଆଧାରିତ ହୋଇଥିବା ବେଳେ ଦ୍ୱିତୀୟ ମତଟି ମାନବ ବିଜ୍ଞାନୀ ସିଦ୍ଧାନ୍ତ ଉପରେ ଆଧାରିତ। ଲୋକ ସାହିତ୍ୟ ଅଧ୍ୟୟନ କ୍ଷେତ୍ରରେ ବିଶ୍ୱ-ପ୍ରତିଷ୍ଠା ଅର୍ଜନ କରିଥିବା ଧର୍ମଗାଥା ସମ୍ପ୍ରଦାୟ ବା ଭାରତୀୟ ସମ୍ପ୍ରଦାୟଙ୍କ ମତରେ ଲୋକକଥା ବା କାହାଣୀଗୁଡ଼ିକର ମୂଳ ସୃଷ୍ଟି ପ୍ରଥମେ ଭାରତରେ ହୋଇଥିଲା ଓ ପରବର୍ତ୍ତୀ ସମୟରେ ସେଗୁଡ଼ିକ ପାଶ୍ଚାତ୍ୟ ଗୋଲାର୍ଦ୍ଧକୁ ଯାଇଥିଲା। ଭାରତର ଯେଉଁ ଅଞ୍ଚଳମାନଙ୍କରେ ପ୍ରାଗୈତିହାସିକ ଜନବସତିମାନ ଗଢ଼ି ଉଠିଥିଲା। ସେହି ସ୍ଥାନମାନଙ୍କରେ ଲୋକକଥାଗୁଡ଼ିକର ମୂଳରୂପ ଉନ୍ମେଷ ହୋଇଥିବା ଅଧିକ ସମ୍ଭବ। କଳାହାଣ୍ଡିର ବହୁ ସ୍ଥାନରେ ପ୍ରାଗୈତିହାସିକ ଜନବସତି ଗଢ଼ି ଉଠିଥିବାର କଥା ଐତିହାସିକ ଓ ନୃତତ୍ତ୍ୱବିଦ୍‌ମାନେ ସ୍ୱୀକାର କରନ୍ତି। ବିଶ୍ୱ ରହସ୍ୟକୁ ବ୍ୟାଖ୍ୟା କରିବାର ମାନସିକତାକୁ ନେଇ କଳାହାଣ୍ଡିର ପ୍ରାଗୈତିହାସିକ ମାନବ ନିଶ୍ଚୟ ଅନେକ ଲୋକକଥାର ପ୍ରତ୍ନ-ରୂପକୁ ଜନ୍ମଦେଇଥିବ। ସାର୍ବଜନୀନ ସମରୂପତା ମଧ୍ୟରୁ କେଉଁ କେଉଁ ମିଥ୍ ବା କଥା କଳାହାଣ୍ଡିର ମୌଳିକ ସମ୍ପଦ ତାହା ବର୍ତ୍ତମାନ ନିର୍ଣ୍ଣୟ କରିବା କଷ୍ଟକର ହେଲେ ହେଁ, ଏହି ମୌଳିକତା ଯେ ଏହି ମାଟିର ଆଦିବାସୀ ସମାଜରେ ପ୍ରଚଳିତ ମିଥ୍ / କଥାଗୁଡ଼ିକରେ ରହିଛି,ଏଥିରେ ସନ୍ଦେହ ନାହିଁ।

ପ୍ରକାର ଭେଦ
ବିଷୟ, ବୈଶିଷ୍ଟ୍ୟ ଓ ଶୈଳୀ ଆଧାରରେ କଳାହାଣ୍ଡିର ଲୋକକଥାଗୁଡ଼ିକର ଏକ ନିଜସ୍ୱ ପ୍ରକାର ଭେଦ ରହିଛି। ଏ ଦିଗରେ ବିଭିନ୍ନ ପ୍ରକାର ନାମକରଣର ଯଥାର୍ଥତା ଲୋକଦୃଷ୍ଟି ଓ ଲୋକମାନସର ସଠିକତାକୁ ଯୁକ୍ତିଯୁକ୍ତ ବୋଲି ସମର୍ଥନ ଯୋଗାଇଥାଏ। ପ୍ରକାର ଭେଦ କ୍ରମରେ କଳାହାଣ୍ଡିର ଲୋକକଥାଗୁଡ଼ିକୁ ଦଶ ଭାଗରେ ବିଭକ୍ତ କରାଯାଇପାରିବ। ସେଗୁଡିକ ହେଉଛି-
୧) ମଥାନ୍‌କଥା– ସିଡ଼ି, ଶିରା, ଗାଭା ଆଦି ସୃଷ୍ଟିପୁରାଣ/ ଲୋକପୁରାଣ/ ଜାତିପୁରାଣ ଓ ଲୋକମହାକାବ୍ୟମାନ ମଥାନକଥାର ଅନ୍ତର୍ଗତ।
୨) ଉପସନ୍‌କଥା– ଜୀବ, ଉଦ୍ଭିଦ ଓ ପଦାର୍ଥ/ ବସ୍ତୁ ସକଳର ସୃଷ୍ଟି ପ୍ରସଙ୍ଗ ବିଶେଷତଃ ମିଥ୍ ସମୂହ ଏହାର ଅନ୍ତର୍ଗତ। ମଥାନକଥାରେ ମଧ୍ୟ ଏହା ଥାଏ।
୩) ଧାନ୍ନାକଥା– ଦେବଦେବୀଙ୍କ ଧରାବତରଣ ଓ ଲୋକଶିକ୍ଷା ତଥା ଧର୍ମସ୍ଥାପନ ଉଦ୍ଦେଶ୍ୟରେ ବିଭିନ୍ନ ମାନବୋଚିତ ଲୀଳା ପ୍ରସଙ୍ଗ ବର୍ଣ୍ଣିତ ହୋଇଥିବା ଗଳ୍ପ ବା ଗାଥା।
୪) ଖମନା– ଆରଣ୍ୟକ କାହାଣୀ ସମୂହ।
୫) ଯୁଗଲ-ପ୍ରଶ୍ନୋତ୍ତରୀ ବା ଓଗାଳ ଧର୍ମୀ (ବିଶେଷତଃ ଧନ୍ଦା ମୋଚନ ଧର୍ମୀ) ପଚରାଉଚରା କଥା। ଲଘୁକଥା ଶୈଳୀ ଓ ଦୀର୍ଘ କାହାଣୀ ଶୈଳୀ-ଏପରି ଉଭୟ ଶୈଳୀରେ ଏହା ପ୍ରଚଳିତ।
୬) ଲବଜ-ଲୋକଶିକ୍ଷା ମୂଳକ ସମୟୋପଯୋଗୀ ଲଘୁକଥା।
୭) ସାକି– ବଣ୍ଟାରା ଲୋକକଥା।
୮) କିଂବଦନ୍ତୀ ବା ଜନଶ୍ରୁତିର ସ୍ଥାନୀୟ ପରିଭାଷା ଠିକ୍ ଜଣାପଡ଼ୁନାହିଁ। ତଥାପି ‘କୁହୁନି’ ନାମରେ ମିଳୁଥିବା କେତୋଟି ଲୋକକଥାର ସ୍ୱରୂପ କିମ୍ବଦନ୍ତୀ ହିଁ ଅଟେ।
୯) ଟୋବୋରୋଚୋ:- ଲବଜ ଧର୍ମୀ କିନ୍ତୁ ଛଳ-ଚତୁର ଲଘୁକଥା।
୧୦) ଲମକ୍ – ଦୀର୍ଘ କାହାଣୀ ବା କଥାନି ‘ଲମକ୍‌’ ନାମରେ ପରିଚିତ। ଲମାକଥାନି (ଦୀର୍ଘ କାହାଣୀ) ଅର୍ଥରେ ଲମକ୍ ନାମଟି ଯଥାର୍ଥ ବୋଧହୁଏ। ଲମକ୍ ବିଭିନ୍ନ ଶୈଳୀରେ ଉପଲବ୍ଧ ହୋଇଥାଏ। ଯଥା:-
କ) ଡଣାପଟିଆ– ଡଣାପଟିଆ ଲମକ୍‌ରେ କାହାଣୀର ଗତି ସରଳ ରୈଖିକ ହୋଇଥାଏ। ଅନ୍ୟୂନ ଦୁଇଟି ସରଳ ରୈଖିକ କାହାଣୀ ଏକ ସାଧାରଣ ବିନ୍ଦୁରେ ମିଳିତ ହୋଇ ଉପସଂହାର ଆଣିଥାନ୍ତି-ଠିକ୍ ଦୁଇଟି ‘ଶଗଡ଼ଡ଼ଣା’ ପରି।
ଖ) ଡେଲାବାଟିଆ– ଡେଲାବାଟିଆ ‘ଲମକ୍‌’ରେ ଏକ ମୂଳ କାହାଣୀ ଆଗକୁ କିଛି ବାଟ ଗତିକରି ଯିବା ପରେ ପ୍ରସଙ୍ଗକୁ ଧରି ତହିଁରୁ ଦ୍ୱିତୀୟ କାହାଣୀଟିଏ ଆରମ୍ଭ ହୁଏ। ଦ୍ୱିତୀୟ କାହାଣୀକୁ ମୂଳ କରି ଗଳ୍ପ ଭାଗ ପୂର୍ବପରି କିଛିବାଟ ଗତିକରି ଯିବା ପରେ ସେଥିରୁ ତୃତୀୟ କାହାଣୀଟିଏ ଆରମ୍ଭ ହୁଏ। ଏପରି ମୂଳ କାହାଣୀର ସୂତ୍ରକୁ ଭିତ୍ତିକରି ଆଗକୁ ଆଗକୁ ଅନେକ ଶାଖା ପ୍ରଶାଖା କାହାଣୀମାନଙ୍କର ଆରମ୍ଭ ହୋଇ ଚାଲେ ଯେପରି ଗୋଟିଏ ମଣିଷଚଲା ପଥରୁ ଆଗକୁ ଅନେକ ବାଟ ବାହାରି ବିଭିନ୍ନ ଆଡ଼କୁ ଯାଇଥାଏ, ଠିକ୍ ସେପରି।
ଗ) ଗୁମାଗୁପିଆ-ପରିଚ୍ଛେଦ କ୍ରମରେ ନାତିଦୀର୍ଘ ଭିନ୍ନ ଭିନ୍ନ ‘ଲମକ୍‌’ କହି ସାରିବା ପରେ ଶେଷ ଲମକ୍‌ରେ କଥକ ସମସ୍ତ ‘ଲମକ୍‌’କୁ ସମ୍ବନ୍ଧିତ କରିଥାନ୍ତି। ଫଳରେ, ସାମଗ୍ରିକ ଭାବେ ଲମକ୍‌ଗୁଡ଼ିକ ମଧ୍ୟରେ ଥିବା ପୂର୍ବାପର ସମ୍ପର୍କ ସ୍ପଷ୍ଟ ହୋଇଥାଏ। ସମସ୍ତ ପରିଚ୍ଛେଦର ଆରମ୍ଭ ସହ ଉପସଂହାର ପର୍ଯ୍ୟାୟର ପୃଷ୍ଠଭୂମିକ ସମ୍ପର୍କ ରହିଥାଏ।
ଘ) ଛିଡ଼ାମୁନ୍ଦଲିଆ-ଏ ପ୍ରକାର ‘ଲମକ୍‌’ରେ ଭିନ୍ନ ଭିନ୍ନ ଚରିତ୍ର ‘କଥକ’ ରୂପରେ ଭିନ୍ନ ଭିନ୍ନ ଲମକ୍ କହିଥାନ୍ତି। ପ୍ରଥମ ଚରିତ୍ର ନିଜ କଥାନିକୁ ଯେଉଁଠି ଶେଷ କରେ, ସେଇଠି ନିଜ ମତ ପ୍ରକାଶ କରିବାକୁ ଯାଇ ଦ୍ୱିତୀୟ ଚରିତ୍ର ଅନ୍ୟ ଏକ କଥାନି ଆରମ୍ଭ କରେ- ଏହା ଅନୁଭୂତି ବର୍ଣ୍ଣନା ବା ଦୃଷ୍ଟାନ୍ତ ଆଖ୍ୟାନ ମୂଳକ ହୋଇଥାଏ। ଏପରି ସମସ୍ତଙ୍କ କଥା ଶେଷ ହେବା ପରେ ମୂଳ ସମସ୍ୟାର ସମାଧାନ ଉପରେ ବିଚାର କରାଯାଏ। ଜଣକର କଥାନି ଯେଉଁଠି ‘ଛିଡ଼େ’ ବା ଶେଷ ହୁଏ ଆର ଜଣକର କଥାନି ସେଇଠୁ ‘ମୁନ୍ଦଲ’ ବା ଆରମ୍ଭ ହେଉଥିବାରୁ ଏହାକୁ ଛିଡ଼ାମୁନ୍ଦଲିଆ ଲମକ୍ କୁହାଯିବା ଯଥାର୍ଥ।
ଙ) ଆରାତୁମିଆଁ– ଏ ପ୍ରକାର ‘ଲମକ୍‌’ରେ ବିଭିନ୍ନ ସୂତ୍ରରୁ ଏକାଧିକ କଥାନି ଆସି ଶେଷରେ ଗୋଟିଏ ବିନ୍ଦୁରେ ମିଳିତ ହୋଇଥାନ୍ତି ଠିକ୍ ଶଗଡ଼ ‘ଚକ’ର ତୁମିରେ ‘ଆରା’ ସବୁ ଆସି ମିଶିଥିବା ପରି।
ଚ) ଏକ୍‌ଧରସିଆ– ଏହା ଗୋଟିଏ ମାତ୍ର ସରଳ ରୈଖିକ କଥାନିକୁ ବୁଝାଏ।
କଳାହାଣ୍ଡିର ଲୋକକଥାରେ କଥକମାନେ ଗୀତ, ଆବୃତ୍ତିପଦ, ହନା, ଧନ୍ଦା ଓ ସୂକ୍ତି ବଚନ ଆଦି ସଂଯୋଗକରି ପରିବେଷଣ ଶୈଳୀକୁ ଅଧିକ ବିନୋଦ ଧର୍ମୀ କରିଥାନ୍ତି। ଲମକ୍‌ଗୁଡ଼ିକରେ ଏସବୁର ପ୍ରୟୋଗ ବେଶି ମାତ୍ରାରେ ଦେଖାଯାଏ। ଏପରିକି କେତେକ ‘ଲମକ୍‌’ କେବଳ ଗୀତଶୈଳୀରେ କୁହାଯାଇଥାଏ। କଥକୀୟ ଶୈଳୀ ଅନୁସାରେ ଗୋଟିଏ କଥାନି ମୁନ୍ଦଲ, ବହଲେନ୍‌, ଥାକେନ୍‌, ପଛଘିଚେନ୍‌, ପଚରେନ୍‌, ହିଟେନ୍‌, ଚଘେନ୍ ଓ ଛିଡ଼େନ୍ ଆଦି ବିଭିନ୍ନ ଭାଗ ବା ଅଂଶରେ ବିଭକ୍ତ ହୋଇଥାଏ।
କଥକ ଓ କଥାନି
କଳାହାଣ୍ଡିର ଗାଁ ପାଲିରେ ରହୁଥିବା ନବେ ଭାଗ ଲୋକେ ଊଣାଅଧିକେ କିଛି ନା କିଛି କଥାନି କହିପାରନ୍ତି। ତଥାପି ‘କଥକ’ମାନଙ୍କୁ ଛଅଟି ବର୍ଗରେ ବିଭକ୍ତ କରାଯାଇପାରିବ- (୧) ବାଇ/ ଆଜୀ / ନାନୀ, ଦାଦି / ଅଜା, ସାଙ୍ଗସରସା, ମା, ମଉଁସୀ (ମାଉସୀ), ବୁଆ, ବଡ଼ୁ, (୨) ଗାଁ କଥାତୁ, ଟହଲିଆ, ଚହକେନ୍‌, ସୁତ୍ରେନ୍‌, ମେଲାଭୁତିଆର, ଜଲଙ୍ଗିଆ, ସିହାନ୍‌, (୩) ବୁଲାଭୁର୍କୁଟିଆ, ବୁଲା ଭଗ୍‌ତିଆ, (୪) ଜାନି, ଝାଁଙ୍କର, ଦିଆରି, ଗୁନିଆଁ, ଦେହେଲିଆ (୫) ଭାଟ, ଘୋଗିଆ, ପରଘନିଆଁ, ବଗୁଆ, ମରାଲ, ବିତରିଆ, ଦେବଗୁନିଆଁ ଓ ଏମାନଙ୍କ ସ୍ତ୍ରୀ ଲୋକମାନେ ଓ (୬) ଗାଏନ୍‌, ଗୀତକୁଢ଼ିଆ / ଗୀତକୁଢ଼ିଏନ୍‌, ବାଁଶିଆ ଆଦି।
ମୋଟିଫ୍ ଓ ସଂରଚନାର ସାର୍ବଜନୀନତା ସତ୍ତ୍ୱେ କଳାହାଣ୍ଡିର ଲୋକକଥାରେ ଏ ମାଟିର ପରିବେଶ, ଐତିହ୍ୟ ଓ ସଂସ୍କୃତିର ମୌଳିକ ପରିଚୟ ମିଳିଥାଏ। ଅରଣ୍ୟ ପ୍ରକୃତି ଓ ଜନପଦ ସଂସ୍କୃତି ସହ କାହାଣୀଗୁଡ଼ିକର ନିବିଡ଼ ସମ୍ପର୍କ ଦେଖିବାକୁ ମିଳେ। କଳାହାଣ୍ଡିର ଲୋକକଥା ଈଶ୍ୱର ଓ ପ୍ରକୃତିର କୌଣସି ବିଭାବକୁ ଅବହେଳିତ କରି ଛାଡ଼ି ଦେଇନାହିଁ। ‘ମିଥ୍‌’ ଅନୁସାରେ କାଳୀବୀର-ମାଟି-କନ୍ଧାନ-କଳାହାଣ୍ଡିରେ ବାର ପ୍ରକାର ମାଟି ଅଛି। ଏ ମାଟିର ନିଜସ୍ୱ କାହାଣୀ ଅଛି। ମାଟି ଧରି ରଖିଥିବା ଗିରି-ପର୍ବତ ନଦୀ-ନାଳ, ଗଛ-ବୃକ୍ଷ, ପଶୁ-ପକ୍ଷୀ, ଜୀବ-ଜନ୍ତୁ, ସରୀସୃପ, ଭୂତ-ପ୍ରେତ, ଦେବ-ଦେବୀ ଓ ନର-ଅସୁର ତଥା ମାଟି ଉପରେ ଥିବା ବତାସ-ଆକାଶ ଏ ସମସ୍ତର ନିଜସ୍ୱ କାହାଣୀ ଅଛି। ସେହି ସବୁ କାହାଣୀ ହିଁ କଳାହାଣ୍ଡିର ଲୋକକଥା। ଲୋକକଥାରେ ଏ ସକଳ ବିଭାବ ‘ମାନବାୟନ’ ହୋଇଛନ୍ତି। ସେମାନେ ମଣିଷ ପରି କଥାବାର୍ତ୍ତା କରିଛନ୍ତି, ଜୀବନଯାପନ କରିଛନ୍ତି, ହସିଛନ୍ତି, କାନ୍ଦିଛନ୍ତି, ନାଚିଛନ୍ତି, ସମାଜ ଗଢ଼ିଛନ୍ତି, ଚିନ୍ତାବ୍ୟକ୍ତ କରିଛନ୍ତି, ପ୍ରତିକ୍ରିୟାଶୀଳ ହୋଇଛନ୍ତି, ମନ୍ଦକୁ ନିନ୍ଦା କରି ଭଲକୁ ସ୍ୱାଗତ କରିଛନ୍ତି। ଲୋକକଥାରେ ଏମାନଙ୍କ ସଂସାରର କଥା ହିଁ କୁହାଯାଇଛି।
କଳାହାଣ୍ଡିର ଲୋକକଥା ସଂଖ୍ୟାରେ ଏତେ ବେଶି ଯେ, ସେ ସକଳର ସଂଗ୍ରହ ଓ ସଂକଳନ ପାଇଁ ପ୍ରଚୁର ଅର୍ଥ, ସମୟ, ସାହସ ଓ ଧୈର୍ଯ୍ୟ ଆବଶ୍ୟକ। କଳାହାଣ୍ଡିର ଐତିହ୍ୟ ଓ ସଂସ୍କୃତି ଚର୍ଚ୍ଚାର ଉପୋଦ୍‌ଘାତରେ ଏ ମାଟିର ଅଜସ୍ର ଲୋକକଥାର ଭୂମିକାକୁ ଅସ୍ୱୀକାର କରାଯାଇ ନ ପାରେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ଏକ ଭିନ୍ନ ଦୃଷ୍ଟିରେ କଳାହାଣ୍ଡିର ଲୋକକଥା

  1. ରସଗୋଲା ବିଷୟରେ ଏତେ ରଚନା ଅପେକ୍ଷା ଗୋଟେ ରସଗୋଲା ଚଖେଇଥିଲେ ରସଗୋଲା ଟା କଣ ବେଶି ବୁଝି ହେି ଥାଆନ୍ତା। ଏସବୁ ପରୀକ୍ଷାରେ ଲେଖି ସାଟର୍ଟିଫିକେଟ ପାଇବାକୁ ଭଲ କିନ୍ତୁ, ରସଗ୍ରାହୀ ପାଠକ ପାଇଁ ନୁହେଁ, ତାପାଇଁ ଯଥେଷ୍ଟ ଉଦାହରଣ ଦେବାର ଆବଶ୍ୟକତା ଥିଲା ।

Leave a Reply

Your email address will not be published. Required fields are marked *