ଅଜଣା ଡାକ୍ତରର ଆତ୍ମକଥା

କି ଡାକ୍ତରୀ କରିବ ଏଭଳି ପେସେଣ୍ଟଙ୍କୁ ନେଇ?

ଡାକ୍ତର ଅଭୟ ଦାଶ

ଅଭୟ ଦାଶ ସ୍କୁଲରେ ପଢ଼ିଲା ସମୟରୁ ଭାବିନେଲା ଡ଼ାକ୍ତରୀ ପଢ଼ିବି। କାହିଁକି? ସେବା କରିବ। ଗାଁ’ରେ ବଢ଼ିଛି, ଜେଜେ ବାପା ଧୂଳ କବିରାଜଙ୍କୁ ଖଲ ଖଲପୁଆରେ ଓଷଦ ଘୋଟିବା, ମୋଦକ ରାନ୍ଧିବା, ବଟିକା ବଳିବା,ପାଚନ ପ୍ରସ୍ତୁତ କରିବା ଦେଖିଛି। ଜେଜେ ବାପା ରୋଗୀଟିର ନାଡ଼ି ଦେଖି ଓଷଦ ଦିଅନ୍ତି। ଯିଏ ଯାହା ଦେଲା ପଇସା ଅଧଲାଏ, କିଏ ପାଣିକଖାରୁଟିଏ , କିଏ ବାଇଗଣ ବିଶାଏ, ଚୁନା ମାଛ ଦିଇଟା, ସଜନାଛୁଇଁ ଦି’ଗଣ୍ଡା ଦେଇଯାଆନ୍ତି; ସେଇଥିରେ ଘର ଚଳେ। ଅଭୟ ଦାଶ ପିଲାଙ୍କ ସାଙ୍ଗେ ଡାକ୍ତର ଖେଳ ଖେଳି ଚାଲିଥାଏ। ଅଧିକ ଆତ୍ମବିଶ୍ବାସ ଆସିଯିବାରୁ ଦୁଃସାହସ ମଧ୍ୟ ବଢ଼ିଲା। ଆଗ ଜେଜେଙ୍କ ମହାମୃତ୍ୟୁଞ୍ଜୟ ବଟିକା ତିଆରି କରିବାକୁ ଯାଇ ଇଟାଘୋରି ସେଥିରେ ସ୍ୱମୁତ୍ର ମିଶାଇ ସୃଷ୍ଟିହେଲା ମୃତ୍ୟୁଞ୍ଜୟ! ଅବଶ୍ୟ ତାହା ବଜାରକୁ ଯାଇ ନାହିଁ! ତା ପରେ ସର୍ଜରୀ ଆଡ଼କୁ ମନ ଗଲା। ଇଞ୍ଜେକ୍ସନ ଦେବାକୁ ଯାଇ ଗୋଟିଏ ହେଲେ ଖଡ଼ିକାମୁଠା ବଞ୍ଚିଲେନାହିଁ। ତା’ପରେ ହାତ ଖୋଲିଯିବାରୁ ନିଜ ପିଉସୀଝିଅ ଭଉଣୀ ହେଲା ତାର ପ୍ରଥମ ପେସେଣ୍ଟ୍। ତା ନାକଟା ପ୍ଲାଷ୍ଟିକ ସର୍ଜରୀ କରିବା ଅବସରରେ ବୋଉ ହାତରୁ ପିଠିରେ ଯାହା ପଡ଼ିଛି ଆଜି ବି ମନେ ପକାଇ ସିଏ ଓ ଭଉଣୀ କମଳା ଖୁବ୍ ହସନ୍ତି।
ଯେଉଁଦିନ ମେଡିକାଲ କଲେଜରେ ସିଟ୍ ମିଳିଗଲା ବହୁତ ଖୁସି ହେଉଥିଲା ଅଭୟ ଦାଶ। କଲେଜରେ ଯାହା ହୁଏ, ଚାଲିଥାଏ। ସରିଗଲା ସବୁ ପରୀକ୍ଷା, ହାଉସ୍ ସର୍ଜନ ଟ୍ରେନିଂ। ଡ଼ାକ୍ତର ହୋଇଛି, ସରକାରୀ ଚାକିରି ଜୀବନର ଅଭିଜ୍ଞତା ଅନେକ। ନିଜ ସାଙ୍ଗମାନେ କିଏ କୁଆଡେ ଗଲେଣି। ନିଜ ପିଲାମାନେ ଚାଲିଗଲେଣି ଦୂରକୁ। ସ୍ବାମୀ ସ୍ତ୍ରୀ ଦୁଇଜଣ, ଘରେ ବିରାଡ଼ି ଛୁଆଟିଏ ବି ନାହିଁ। ଆଜିକାଲି ସାଥିରେ ଅଛି ମୋବାଇଲ ଫୋନ୍। ଦୁନିଆ ଯାକର ଖବର ଆଣି ଗଦେଇ ଦେଉଛି। କିଛି ସତ, କିଛି ଠକେଇ ବୁଝିବା କଷ୍ଟ। ଦିହ ମୁଣ୍ଡ ହେଲେ କୁଆଡେ ଯିବେ? କାଲି ଯେ ଜୁନିୟର ଥିଲେ, ସେମାନେ ଚିହ୍ନୁନାହାନ୍ତି । ଡାକ୍ତରଖାନା ଲାଇନକୁ ଡର ଲାଗୁଛି। ନିଜ ଡ଼ାକ୍ତରୀ ନିଜ ଘରକୁ କାଟୁ କରୁନାହିଁ।

ବନ୍ଧୁ ଘରକୁ ଗଲେ କେତେ ପ୍ରଶ୍ନର ସାମନା କରିବାକୁ ହୁଏ। କାହାର ଗ୍ୟାସ୍ ପ୍ରୋବ୍ଲେମ, କାହାର ଆଣ୍ଠୁ ଦରଜ, କାହାର ମୁଣ୍ଡ ବୁଲେଇ ହେଉଛି, କାହାକୁ ନିଦ ନାହିଁ, କାହାର କେଉଁଠି କୁଣ୍ଡେଇ ହେଉଛି କହି ଲୁଗାଟା ପୁରା ଟେକିଦେଇ ସାରିଲାଣି, ତ ଆଉ କିଏ କାନପାଖକୁ ଲାଗିଆସି ଫୁସ୍ ଫୁସ୍ କରି କହୁଥିବ ଅଥାନରେ ଘାଆ ହୋଇଥିବା କଥା। ତା’ର କଡ଼ାଗୁଣ୍ଡିଖିଆ ତୁଣ୍ଡର ବାସ୍ନାରେ ମୁଣ୍ଡ ବୁଲେଇ ଦେବ। ସବୁ ସମ୍ଭାଳିବା ଏଡ଼େ ସହଜ କଥା ନୁହେଁ। ସବୁ ସମସ୍ୟାର ସମାଧାନ ତୁମ ପାଖରେ ଥିବା ଦରକାର। ନ ହେଲେ ତୁମେ କି ଡ଼ାକ୍ତର?
ନିଜର ଛାତ୍ରଜୀବନରେ ଅଧ୍ୟାପକମାନଙ୍କ ସହ ଆଲୋଚନା ମନେ ପଡ଼େ। ପ୍ରଶ୍ନର ଉତ୍ତର ମିଳେ ବିନା ଯୁକ୍ତିରେ, ବହି ଖୋଜି ଉତ୍ତର ମିଳିଯାଏ। ମନେପଡନ୍ତି ସେ କାଳର ଶିକ୍ଷକମାନେ। ସେ କାଳରେ ପଢି଼ଥିବା ବହି ଓ ଲେଖକ ସବୁ। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ ଗୁଗୁଲ୍ ସହ ସମ୍ପର୍କ, ସୋସିଆଲ ମେଡିଆରେ ଗୁଜବ ଓ ବାବା ମାନଙ୍କ ପ୍ରାଦୁର୍ଭାବ, ମେଡ଼ିକାଲ ବଜାରରେ ସ୍ବଚ୍ଛ ବିଚରଣ, ବାର ଦୋକାନ ବୁଲି ମୁଲଚାଲ ଉଇଣ୍ଡୋ ସପିଂ, ସେକେଣ୍ଡ ଓପିନିୟନ, ଥାର୍ଡ ଓପିନିୟନ ପରେ ବୁଲି ବୁଲି ତୁମରି ପାଖକୁ ଫେରିଆସି ପ୍ରଶ୍ନ ବାଣରେ ପୋତିପକାଇବେ। ଯାହାକୁ ବର୍ତ୍ତମାନର ଭାଷାରେ ଇଡିଅଟ୍ ସିଣ୍ଡ୍ରୋମ୍, ମାନେ ଇଣ୍ଟରନେଟ୍ ଡ଼ିରାଇଭ୍ଡ୍ ଇନ୍ଫର୍ମେସନ୍ ଅବଷ୍ଟ୍ରକ୍ଟିଂ ଥେରାପି କୁହାଯାଉଛି । କି ଡାକ୍ତରୀ କରିବ,ଏଭଳି ପେସେଣ୍ଟଙ୍କୁ ନେଇ? ସେଦିନ ବିତିଗଲା ପରେ ସତରେ କଣ ଭଲ ଦିନ ଆସିବ? ଅଭୟ ଦାଶର ଦୋକାନ ବନ୍ଦ। କାହାକୁ ଯଦି ଭୁଲ୍‌ରେ ଫୋନ୍ ନମ୍ବର ଦେଇଦେଲା, ରକ୍ଷା ନାହିଁ। ଦିନ ନାହିଁ ରାତି ନାହିଁ ସେଇ ଗ୍ୟାସ୍, ଅଣ୍ଟାଦରଜ, ଗାଷ୍ଟିକ୍, ସର୍ଭାଇକାଲ, ସାୟାଟେକା ବେମାରି ଗପ ଯେ ମୁଣ୍ଡ ଖାଇବେ। ଅଜଣା ଲୋକଙ୍କ ମଝିରେ ବସିଛନ୍ତି ତ ଶୁଣିବାକୁ ମିଳେ, ଡ଼ାକ୍ତରଗୁଡ଼ା ଲୁଟି ନେଉଛନ୍ତି ! ଓକିଲ ପଚାଶ ହଜାର ନେଲେ ଦୁଖ ନାହିଁ ।
ଆଉ କେଉଁଠି କେହି ଅଜଣା ଲୋକ ଦେଖା ହେଲେ ତା ଆଗରେ ନିଜର ପୁରା ବାଇଓଡ଼ାଟା ସହ ଶିକ୍ଷାଗତ ଯୋଗ୍ୟତା ବି ଦେବାକୁ ହୁଏ। ଆପଣ କଣ ସିମ୍ପଲ୍ ଡ଼ାକ୍ତର? ଭାବୁଥିଲା ଅଭୟ ଦାଶ ସେ ଦିନେ ହେଲେ କାହାକୁ ଆପଣ କଣ ସିମ୍ପଲ୍ ଇଞ୍ଜିନିୟର, କି ସିମ୍ପଲ୍ କ୍ଲର୍କ, କି ସିମ୍ପଲ୍ ବଡ଼ବାବୁ ପଚାରିଛି କି? ଏ ସବୁ ସାମାଜିକ ଅତ୍ୟାଚାର ସହି ସାରି ସେବାଭାବ ପୁରା ଓହ୍ଲାଇ ଗଲାଣି ମୁଣ୍ଡ ଭିତରୁ। ଆଗକୁ କଣ ଅଛି କିଏ ଜାଣେ? ଇଏତ ଆତ୍ମକଥାରୁ ପୃଷ୍ଠାଏ ମାତ୍ର !

2 thoughts on “ଅଜଣା ଡାକ୍ତରର ଆତ୍ମକଥା

Leave a Reply

Your email address will not be published. Required fields are marked *