କାହାକୁ ଦେବି ଭୋଟ

ରାତିରେ ଅଜା ଓ ଆଈ ଏକାଠି ହେଲା ପରେ ଅଜାଙ୍କ ପ୍ରଶ୍ନରେ ଆଈ ଉତ୍ତର ଦେଲା, ତମେ ମୋତେ ଦିଅ ଭୋଟ, ମୁଁ ତୁମକୁ ଦେବି ଭୋଟ।

ଡ. ପୀତବାସ ରାଉତରାୟ

ଭାରତ ବର୍ଷରେ ନିିର୍ବାଚନ କେବଳ ଗୋଟିଏ ଶବ୍ଦରେ ସୀମିତ ହୋଇ ରହିନାହିଁ; ତାହା ନିର୍ବାଚନ ଋତୁ, ନିର୍ବାଚନ ଜ୍ୱର, ନିର୍ବାଚନ ମହାସମର, ନିର୍ବାଚନ ଅଲିମ୍ପିକ, ଏପରିକି ନିର୍ବାଚନ ମହାକୁମ୍ଭ ନାମରେ ଖ୍ୟାତି ଲାଭ କରିଚାଲିଛି। ଖବରକାଗଜମାନେ ଏହାକୁ ଗଣତନ୍ତ୍ରର ନୃତ୍ୟ ନାମରେ ଶୀର୍ଷକ ଦେଇ ରୋଚକ ସମ୍ବାଦ ଛାପିବାରେ ଲାଗିଛନ୍ତି।
ସ୍ୱଭାବ କବି ଗଙ୍ଗାଧର ମେହେର ଯାହାଙ୍କର ଆମେ ମୃତ୍ୟୁ ଶତବାର୍ଷିକୀ ପାଳନ କରୁଛେ ତାଙ୍କର କୀଚକ-ବଧ କାବ୍ୟରେ ବସନ୍ତ ଋତୁର ଏଭଳି ବର୍ଣ୍ଣନା କରିିଛନ୍ତି।
ବସନ୍ତ-ବିଜୟ-ବାରତା ପ୍ରଚରିିଲା ଭୁବନେ,
ପାଦପ-ଆନୀତ ପତର ପରଭୃତ ପଠନେ।

କବିଙ୍କ ଭାଷାରେ ବସନ୍ତ ଋତୁର ଆଗମନକୁ ଆମ୍ବ ଗଛର ନବପଲ୍ଲବିତ ପତ୍ରରେ ଥିବା ବାର୍ତ୍ତାକୁ କୋଇଲି ଯେମିତି ମଧୁର କଣ୍ଠରେ ପଠନ କରୁଛି। ମାତ୍ର ଏବେ ନିର୍ବାଚନର ଆଗମନର ଘୋଷଣା ଆଉ କୋଇଲିର ମଧୁର ସ୍ୱର ନୁହେଁ, ବରଂ କାନଫଟା ମାଇକ୍ ଶବ୍ଦରେ ଜନଗଣ ଅତିଷ୍ଠ ହୋଇ ଯାଉଛନ୍ତି।
ଦଳମାନଙ୍କର ସଜବାଜ
ନିର୍ବାଚନ ଆସିବାର ବହୁପୂର୍ବରୁ ଆରମ୍ଭ ହୋଇଯାଏ ଦଳମାନଙ୍କର ସଜବାଜ। କ୍ଷମତାରେ ଥିବା ଦଳ ପାଞ୍ଚବର୍ଷ ଭିିତରେ ଯାହା କରି ନ ଥିବେ, ସେମାନେ ଶେଷ ବର୍ଷରେ ଅଜାଡ଼ି ଦେଇଯିବେ ନୂଆ ନୂଆ ଯୋଜନାର ବିଜ୍ଞାପନ। ଖବରକାଗଜରେ ସେ ସବୁର ଘୋଷଣା ପୃଷ୍ଠାକୁ ମୋଟା କରି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା ଆରମ୍ଭ ହୋଇଯାଏ। ମୂଳ ଲକ୍ଷ୍ୟ ଥାଏ ଗରିବଙ୍କ ସେବା, କୃଷକର ଉନ୍ନତି, ନାରୀଶକ୍ତିର ଉତ୍‌ଥାନ, ମଧ୍ୟବିତ୍ତଙ୍କ ପ୍ରତି ଧ୍ୟାନ, ଶ୍ରମିକଙ୍କ ରୋଜଗାର ମାଧ୍ୟମ, ଯୁବଶକ୍ତିଙ୍କୁ ଶକ୍ତିଶାଳୀ କରିବାର ଉଦ୍ୟମ, ବରିଷ୍ଠ ନାଗରିକଙ୍କ ଯତ୍ନ, ଭିତ୍ତିଭୂମି ସୁଦୃଢ଼,଼ ଐତିହ୍ୟର ବିକାଶ, ସୁଶାସନ ଦ୍ୱାରା ଦେଶରେ ଆଇନ ଶୃଙ୍ଖଳାର ପ୍ରଚଳନ ସମ୍ପର୍କରେ ବିିଜ୍ଞାପନ। ଏଥିରେ ସନ୍ତୁଷ୍ଟ ନ ହୋଇ ଆଉ କେତେ ପାଦ ଆଗେଇଯାଇ ଚାଷୀଙ୍କ ପାଇଁ ଋଣଛାଡ଼, ମାଗଣା ସ୍ୱାସ୍ଥ୍ୟସେବା, ବୟସ୍କଙ୍କୁ ପେନ୍‌ସନ୍‌, ଗର୍ଭବତୀ ମହିଳାଙ୍କ ପାଇଁ ମାଗଣା ପ୍ରସବ ଯୋଜନା, ଶିଶୁ ଜନ୍ମ ନେବା ପରେ ଶିଶୁ ସୁରକ୍ଷା ଯୋଜନା, ମାଗଣା ଶିକ୍ଷା ଯୋଜନା, ଶିକ୍ଷା ସମୟରେ ମାଗଣା ମଧ୍ୟାହ୍ନଭୋଜନ ଯୋଜନା ପ୍ରଚଳନ କରିଥିବା ବିଜ୍ଞାପନ ଦେଇ ସେସବୁକୁ କାଏମ୍ ରଖି ଆଉ ନୂଆ ନୂଆ ଯୋଜନାର ବିଜ୍ଞାପନରେ ପୃଷ୍ଠା ଭରିଚାଲନ୍ତି। ଶାରୀରିକ ରୂପେ ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଅସମର୍ଥ ହେଲେ ଶୀତତାପ ନିୟନ୍ତ୍ରିତ କୋଠରିରେ ବଟନ୍ ଚିପି ଉଦ୍‌ଘାଟନ କରିପକାନ୍ତି। ସାରା ଦେଶରେ ସବୁ କିସମର ଲୋକଙ୍କ ପାଇଁ କିଛି ନା କିଛି ସୁବିଧା ଦେବା ପାଇଁ ପ୍ରତିଶ୍ରୁତିରେ ପୋତି ପକାନ୍ତି। ଏହି ସୁଯୋଗରେ ବହୁ ଦିନରୁ ଅସମାଧିତ କାର୍ଯ୍ୟ ଯେମିତି ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ଦରମା ବଢ଼ାଇବା, ଶ୍ରେଣୀଭୁକ୍ତ ହୋଇ ନ ଥିôବା ବିଭିନ୍ନ କାରିଗର ଓ ସଂସ୍ଥାକୁ ମାନ୍ୟତା ଦେବା ପାଇଁ ଆନ୍ଦୋଳନକାରୀଙ୍କ ଦାବିକୁୁ ପୂରଣ କରିଦିଆଯାଏ।
ଶାସକ ଦଳଙ୍କ ଏଭଳି କାର୍ଯ୍ୟ ଦେଖି ଅନ୍ୟ ଦଳ ମଧ୍ୟ ନିର୍ବାଚନ ଇସ୍ତାହାରରେ ଦେଶକୁ ଘିଅ ମହୁରେ ଭସାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଚାଲନ୍ତି। ନେତାମାନେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କସରତ୍ କରି ଗୋଟିଏ ସୁନ୍ଦର ରାଜ୍ୟର ସ୍ୱପ୍ନ ଦେଖାଇ ଚାଲନ୍ତି।
ଏମିତି ଚାହୁଁ ଚାହୁଁ ଘୋଷଣା ହୋଇଯାଏ ନିର୍ବାଚନ ତାରିଖ ଓ ଲାଗୁ ହୋଇଯାଏ ଆଚରଣ ବିଧି। ଆଉ ନୂଆ ନୂଆ ପ୍ରକଳ୍ପ ଉଦ୍‌ଘାଟନ କରିବା ଉପରେ ଆସେ ପ୍ରତିବନ୍ଧକ। ଆରମ୍ଭ ହୋଇଯାଏ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ ଘୋଷଣା। ଅସଲ ନିର୍ବାଚନ ହେବା ଆଗରୁ ଏହା ହୋଇଯାଏ ଗୋଟିଏ ଦେଖିଲା ଭଳି ନାଟକ।


ସ୍ୱାର୍ଥର ନଗ୍ନ ପ୍ରଦର୍ଶନ
ଦିନ ଥିଲା ପ୍ରାର୍ଥୀଙ୍କର ଗୋଟିଏ ନୈତିକ ମୂଲ୍ୟବୋଧ ଥିଲା ମାତ୍ର ଆଜି କାଲି ଖୋଲାଖୋଲି ଭାବେ ନିଜ ସ୍ୱାର୍ଥର ନଗ୍ନ ପ୍ରଦର୍ଶନ ରୂପ ନେଲାଣି। ଆଗକାଳେ ପତି ପତ୍ନୀଙ୍କର ଯେଉଁ ସାତ ଜନ୍ମର ବନ୍ଧନ ପାଇଁ ପ୍ରତିଜ୍ଞା ବିବାହ ବେଦୀରେ କରାଯାଉଥିଲା ଯାହା ଧୀରେ ଧୀରେ କୋର୍ଟ ବିବାହରେ ପରିଣତ ହେବାରେ ଲାଗିଲା ଓ ବିବାହ ବେଦୀର ବନ୍ଧନ ହୁଗୁଳା ହୋଇ ଛାଡ଼ପତ୍ର ଆଡ଼କୁ ଗତି କଲା। ସେମିତି ବର୍ତ୍ତମାନର ଦଳ ଓ ଦଳର ସଭ୍ୟମାନଙ୍କର ଗତି ଓ ନିୟତି। ଯେଉଁ ଦଳର ଆଭିମୁଖ୍ୟ ପ୍ରତି ଆକର୍ଷିତ ହୋଇ ଜଣେ ଦଳୀୟ କର୍ମୀ କାର୍ଯ୍ୟ କରିଚାଲେ ନିର୍ବାଚନ ଆସିଲେ ତାକୁ ଯଦି ଟିକେଟ ଦେବାରୁ ବଞ୍ଚିତ କରାଯାଏ ସେ କୌଣସି ବାଛବିଚାର ନ କରି ଅନ୍ୟ ଦଳକୁ ଡିଆଁ ମାରିଯାଏ। ବର୍ଷ ବର୍ଷ ଧରି ଯେଉଁ ବିପକ୍ଷ ଦଳ ଓ ନେତାକୁ କଟୁ ସମାଲୋଚନା କରି ଚାଲିଥାଏ, ରାତାରାତି ସେ ଦଳର ଆଭିମୁଖ୍ୟ ତାକୁ ଖୁବ୍ ଭଲ ଲାଗେ ଓ ନେତା ତା’ର ଆଦର୍ଶ ହୋଇଯାଆନ୍ତି। ଯେଉଁ ଦଳ ଏଭଳି ଅନ୍ୟଦଳର କର୍ମୀ ଓ ନେତାଙ୍କୁ ସ୍ୱାଗତ କରି ନିଅନ୍ତି ସେମାନଙ୍କୁ ମଧ୍ୟ ଲଜ୍ଜା ଲାଗେ ନାହିଁ। ସେମାନେ ଅଙ୍ଗବସ୍ତ୍ର ଓ ଫୁଲତୋଡ଼ା ଦେଇ ସ୍ୱାଗତ କରନ୍ତି। କେବଳ ସେତିକି ନୁହେଁ, ତୁରନ୍ତ ତାଙ୍କୁ ମଧ୍ୟ ଟିକେଟ ଦେଇ ଦିଅନ୍ତି ନିର୍ବାଚନ ଲଢ଼ିବା ପାଇଁ। ସେଥିରେ ଦଳବଦଳ ପ୍ରାର୍ଥୀର ଲଜ୍ଜା ସଂକୋଚ ନ ଥାଏ କିମ୍ବା ତାଙ୍କୁ ସ୍ୱାଗତ କରିବା ଦଳର ସୁପ୍ରିମୋଙ୍କର ମଧ୍ୟ ଲୋକଲଜ୍ଜା ନ ଥାଏ। ଏ ହେଉଛି ବର୍ତ୍ତମାନର ଦଳ ଡିଆଁର ନଗ୍ନ ଚିତ୍ର।
ଏ ଦଳଡିଆଁ ଆଜିକାଲି ନୁହେଁ ବହୁ ପୂର୍ବରୁ ଚାଲିଆସିଛି। ବହୁ ବର୍ଷ ପୂର୍ବେ ଜଣେ ବିିଶିଷ୍ଟ ନେତା ଦଳ ବଦଳ କରି ଯେତେବେଳେ ଜନତାଙ୍କ ପାଖରେ ଭୋଟ ପାଇଁ ପହଞ୍ଚିଲେ ସେତେବେଳେ ଜନତା ତାଙ୍କୁ ପ୍ରଶ୍ନ କଲେ ଆପଣ ତ ‘କ’ ଦଳରେ ଥିଲେ ତା’ ପରେ ‘ଖ’ ଦଳକୁ ଗଲେ ଏବେ ‘ଗ’ ଦଳରେ ଆସି ନିିର୍ବାଚନ ପ୍ରଚାରକୁ ଆସିଛନ୍ତି ଆମେ ଆପଣଙ୍କୁ କେମିତି ବିଶ୍ୱାସ କରିବୁ?ନେତା ଜଣଙ୍କ ଉତ୍ତର ଦେଲେ, ଯଦି ମୁଁ ଗୋଟିଏ ଗାଡ଼ିରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିବି ଓ ବାଟରେ ଗାଡ଼ି ଖରାପ ହୋଇଯିବ ତା’ ହେଲେ ମୁଁ ସେଇଠି ପଡ଼ି ରହିବି ନା ଗନ୍ତବ୍ୟ ସ୍ଥଳକୁ ଯିବି? ଜନତା ଉତ୍ତର ଦେଲେ, ଆପଣ ଯିବା ଆବଶ୍ୟକ ନିଜ ଲକ୍ଷ୍ୟସ୍ଥଳକୁ। ନେତା ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ଠିକ୍ ସେମିତି ଆପଣମାନଙ୍କ ସେବା ପାଇଁ ମୁଁ ଗୋଟିଏ ଦଳରେ କାର୍ଯ୍ୟ କରୁଥିଲି ମାତ୍ର ଦେଖିଲି ଯେ ସେ ଦଳ ଦ୍ୱାରା ମୋର ଓ ଆପଣମାନଙ୍କ ସେବା କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେଉଛି ତେଣୁ ମୁଁ ଆଉ ଗୋଟିଏ ଦଳ ମାଧ୍ୟମରେ ଆଗେଇ ଆସିଛି। ମୋର ତ ଲକ୍ଷ୍ୟ ଆପଣଙ୍କ ସେବା।
ଭୋଟରଙ୍କୁ ଭୁଆଁ
ଏ ହେଉଛି ଆମର ତଥାକଥିତ ନେତାଙ୍କ ଚିନ୍ତାଧାରା। ଏମିତି କଥା କହି ଭୋଟରଙ୍କୁ ଭୁଆଁ ବୁଲାଇବା କଥା ଏବେ ଦେହସୁହା ହୋଇଗଲାଣି।
ଏହି ଦଳ ଡିଆଁ ଏଭଳି ଭାବେ ପ୍ରତ୍ୟେକ ଦିନ ଘଟିଚାଲିଛି ଯେ ଜାଣିବା କଷ୍ଟକର ହୋଇପଡ଼ୁଛି କେଉଁ ନେତା କେଉଁ ଦଳର?
ଗୋଟିଏ ବ୍ୟଙ୍ଗ ଚିତ୍ରରେ ବାହାରିଥିଲା ଏଣ୍ଡୁଅ ଓ ମାଙ୍କଡ଼ ଯାଇ ବ୍ରହ୍ମାଙ୍କ ପାଖେ ଶରଣ ପଶି କହିଲେ ଆମେ ଆଉ ଆମ କାର୍ଯ୍ୟରେ ସଫଳ ହୋଇପାରୁୁନାହୁଁ। ଆମକୁ ଆଉ କିଛି କାମ ଦିଆଯାଉ। ବ୍ରହ୍ମା ତାଙ୍କୁ ପ୍ରଶ୍ନ କରନ୍ତେ- ଏଣ୍ଡୁଅ କହିଲା ମୋର ବହୁରୂପୀ ରଙ୍ଗ ବଦଳାଇବା କାର୍ଯ୍ୟ ଭାରତ ବର୍ଷର ନେତାମାନେ ଏଭଳି ଢଙ୍ଗରେ କରୁଛନ୍ତି ଯେ ମୋତେ ତାକୁ ଦେଖି ଲାଜ ଲାଗୁଛି। ସେଇଭଳି ମାଙ୍କଡ଼ କହିଲା ମୋର ଡେଇଁବା କାର୍ଯ୍ୟ ଗଛକୁ ଗଛ ଡାଳକୁୁ ଡାଳ ହୋଇଥାଏ। ମାତ୍ର ଏ ଯୁଗର ନେତାମାନେ ଏଭଳି ଭାବେ ଏ ଦଳରୁ ସେ ଦଳକୁୁ ଡେଉଁଛନ୍ତି ଯେ ମୁଁ ନିଜକୁ ଅପାରଗ ବୋଲି ଭାବୁଛି। ଏ ହେଲା ନେତାମାନଙ୍କୁ ଅନ୍ୟ ଜୀବମାନଙ୍କ ଆକ୍ଷେପ!
ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲେ ବର୍ତ୍ତମାନ ଭୋଟରମାନେ ମଧ୍ୟ ସଚେତନ ହୋଇଗଲେଣି। ତେଣେ ନେତାମାନେ ମଧ୍ୟ ସନ୍ଦିହାନ ହୋଇଗଲେଣି। ଚିନ୍ତାଗ୍ରସ୍ତ ନେତାଙ୍କ ପାଇଁ ନିର୍ବାଚନ ବୈତରଣୀ ହେଲେ ଆଶାୟୀ ଭୋଟରଙ୍କ ପାଇଁ ନିର୍ବାଚନ ମନ୍ଦାକିନୀ! ଭୋଟରଟିଏ ଭାବୁଛି, ପାଞ୍ଚ ବର୍ଷ ଧରି ମୋତେ ଠକିବା ପାଇଁ ମୋଠାରୁ ଭୋଟଟିଏ ନେବା ପାଇଁ ଆସୁଥିବା ନେତାଟି କେତୋଟି ମୁହୂର୍ତ୍ତ ପାଇଁ ଭିକାରି ପାଲଟି ଯାଉଛି ତା’ପରେ ଭୋଟ ପାଇଲା ପରେ ଆଉ ଦେଖା ମିଳିବାର ସମ୍ଭାବନା ନାହିଁ। ତେଣୁ ଏହି ହେଉଛି ଅସଲ ସମୟ, ଯାହା କିଛି ହସ୍ତଗତ କରିନେବି। ତେଣେ ନେତା ଭାବନ୍ତି ଯାହା ହେଉ କଳେବଳେ କଉଶଳେ ଭୋଟଟି ହାତେଇ ନେବା ଦରକାର। ସେଥିପାଇଁ ଆରମ୍ଭ ହୋଇଯାଏ ଟଙ୍କା ପଇସା ମଦ ମାଂସର ଖେଳ। ପ୍ରତି ଗାଁ ଗଣ୍ଡାରେ ଭୋଟରମାନେ ଅପେକ୍ଷା କରି ରହିଥିବେ ମୂଲଚାଲ ହେବ। ଗଣତନ୍ତ୍ରର ଏହି ନଗ୍ନ ରୂପ ପ୍ରତି ନିର୍ବାଚନ ସମୟରେ ଗାଁ ଗାଁରେ ଦେଖିବାକୁ ମିଳେ। କିଛି ନେତା ମଧ୍ୟ ଲୋକଦେଖାଣିଆ ଭାବେ ଗରିବମାନଙ୍କ ଘରେ ଖାଇବାର ଅଭିନୟ କରିଥାଆନ୍ତି। ଏସବୁ ହେଉଛି ନିର୍ବାଚନ ପ୍ରହସନର ନମୁନା।

ପର୍ଯ୍ୟଟନର ମାନ୍ୟତା
ନିର୍ବାଚନକୁୁ ଏକ ପର୍ଯ୍ୟଟନ ମାନ୍ୟତା ଦେଇପାରିଲେ କୁମ୍ଭମେଳା ଦର୍ଶନ କରିବା ଭଳି ବିଦେଶୀ ଯାତ୍ରୀମାନେ ମଧ୍ୟ ନିର୍ବାଚନରୁ ବହୁ କିଛି ଜାଣିବାକୁ ପାଇପାରନ୍ତେ। ଆମ ଦେଶରେ ନିର୍ବାଚନ ଗୋଟିଏ ଗଣପର୍ବ ଭାବେ ପାଳିତ ହେବା ଆରମ୍ଭ ହେଲାଣି। ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସହ ଦଳମାନଙ୍କର ହଜାର ହଜାର କୋଟି ଦୃଶ୍ୟ ଓ ଅଦୃଶ୍ୟ ଖର୍ଚ୍ଚ ଜଣେ ନିର୍ବାଚନ ପର୍ଯ୍ୟଟକ ପାଇଁ ଅତି ଆକର୍ଷଣୀୟ ବିଷୟବସ୍ତୁ। ପ୍ରାର୍ଥୀପତ୍ର ଦାଖଲ ପାଇଁ ହେଉଥିବା ବିଶାଳ ରାଲି, ନେତାମାନଙ୍କର ତୋଫାନୀ ନିର୍ବାଚନ ପ୍ରଚାର, ରୋଡ ଶୋ, ରାସ୍ତାପାଖରେ ପୋଷ୍ଟର, ବିଭିନ୍ନ ଧରଣର ବିଜ୍ଞାପନ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତେ। ନେତାମାନଙ୍କର ଗାଁ ଗାଁ ବୁଲି ଅନ୍ଧାରୀବିଜେରେ ଟଙ୍କା, ମଦ ଓ ମାଂସର ଖେଳକୁ ମଧ୍ୟ ଦେଖି ଦେଖି ବେଶ ମଜା ନେଇ ପାରନ୍ତେ। ସେମାନେ ମଧ୍ୟ ଏଭଳି ପରିବାର ଦେଖନ୍ତେ ସେଇଁଠି ପରିବାରର ବାପା ଗୋଟିଏ ଦଳର ତ ମା’ ଆଉ ଗୋଟିଏ ଦଳର ଆଉ ସନ୍ତାନମାନେ ଅନ୍ୟ ଦଳର। ଘର ଭିତରେ ସେମାନେ ଏକାଠି ରହୁଛନ୍ତି ମାତ୍ର ବାରଣ୍ଡା ଡେଇଁଗଲେ ଅଲଗା ଅଲଗା ଦଳର ପ୍ରଚାର କରୁୁଛନ୍ତି। ସେମାନେ ମଧ୍ୟ ଦେଖନ୍ତେ ନେତାମାନଙ୍କର ପରସ୍ପର ପ୍ରତି କଟୁ ଆରୋପ ଓ ଆଜିକାଲିର ବୈଷୟିକ ଜ୍ଞାନର ସାହାଯ୍ୟ ନେଇ ନିଜ ଦଳର ନିର୍ବାଚନ ପ୍ରଚାର ତଥା ବିପକ୍ଷ ନେତାଙ୍କ ଚରିତ୍ର ସଂହାର। ଭୋଟ ଦିନ କିଭଳି ଭୋଟର ଭାଇଭଉଣୀଙ୍କୁ ପ୍ରଭାବିତ କରିବା ପାଇଁ ଗାଡ଼ି ପଠାଇ ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ଆଣିବାର ପ୍ରୟାସ ମଧ୍ୟ ଦେଖିପାରନ୍ତେ। ପର୍ଯ୍ୟଟକମାନେ ମଧ୍ୟ ନିର୍ବାଚନ ଅଲମ୍ପିକର କିଛି ନମୁନା ଦେଖିପାରିବେ। ପ୍ରାର୍ଥୀଙ୍କର ନିର୍ବାଚନ ଡିଆଁ ତ ଅଲିମ୍ପିକ ଡିଆଁଠାରୁ ଆହୁରି ପ୍ରଭାବଶାଳୀ, ଅଲିମ୍ପିକର ବର୍ଚ୍ଛା ଫିଙ୍ଗିବା ଭଳି ବିପକ୍ଷ ଦଳକୁ ସମାଲୋଚନାର ବର୍ଚ୍ଛା ଫିଙ୍ଗିବା ନିର୍ବାଚନ ସମୟରେ ପର୍ଯ୍ୟଟକ ଦେଖିପାରିବେ।
ନିର୍ବାଚନ ସମୟରେ ନୂଆ ନୂଆ ପଦ୍ଧତିରେ ଭୋଟରମାନଙ୍କୁ ପ୍ରଭାବିିତ କରିବା ପାଇଁ ଦଳମାନଙ୍କର ପ୍ରଚେଷ୍ଟା ବହୁୁ ବର୍ଷ ଆଗରୁ ଚାଲି ଆସିଛି। ଭାରତ ବର୍ଷର ବିଶିଷ୍ଟ ବ୍ୟଙ୍ଗଲେଖକ ଶ୍ରୀ ହରିଶଙ୍କର ପରସାଇ ଯାହାଙ୍କର ଜନ୍ମ ଶତବାର୍ଷିକୀ ପାଳନ ହେଉଅଛି ତାଙ୍କର ଅଙ୍ଗେଲିଭା ଲେଖା। ୧୯୭୭ ମସିହା ନିର୍ବାଚନ ସମୟରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଗଲା ଓ ସେଥିରେ ପ୍ଲାଷ୍ଟର ଲଗାହେଲା। ଜରୁରୀକାଳୀନ ପରିସ୍ଥିତି ପରେ ସେତେବେଳେ ଥିଲା କଂଗ୍ରେସ ଓ ଜନତାଦଳ ମଧ୍ୟରେ ଲଢ଼େଇ। ପରସାଇଙ୍କର ଭଙ୍ଗାଗୋଡ଼ ଓ ପ୍ଲାଷ୍ଟର ଦେଖି ପ୍ରଥମେ ଜନତା ଦଳର କିଛି କର୍ମୀ ଆସି ତାଙ୍କୁ ଦେଖା କଲେ ଓ ଭଙ୍ଗାଗୋଡ଼ ବିିଷୟରେ ପଚରାଉଚରା କଲେ। ତା’ପରେ ସେମାନେ ତାଙ୍କୁ ଟିକିିଏ ଚାଲିବାକୁ କହିଲେ। ସେ ଛୋଟେଇ ଛୋଟେଇ ଚାଲିବା ପରେ ପରସ୍ପର ଭିତରେ ଆଲୋଚନା କରି ତାଙ୍କୁ ଅନୁରୋଧ କରି କହିଲେ ଆପଣଙ୍କର ଭଙ୍ଗାଗୋଡ଼ ନେଇ ଆମେ ସହଯୋଗ ଚାହୁଁଛୁ। ପରସାଇ ପୁଣି ପ୍ରଶ୍ନ କରିବାରୁ କହିଲେ ଆପଣ ତ ଜାଣିଛନ୍ତି ଏହି ନିର୍ବାଚନ ଐତିହାସିକ ନିର୍ବାଚନ। ଏକଚ୍ଛତ୍ରବାଦ ଓ ଲୋକ ସରକାର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା। କଂଗ୍ରେସ ସରକାର ନାଗରିକ ଅଧିକାର ଛଡ଼ାଇ ନେଇଛି। ହଜାର ହଜାର ଲୋକଙ୍କୁ ବିନା ଦୋଷରେ ଜେଲ୍‌ରେ ରଖିଛି। ଜନତା ପାର୍ଟି ଏହି ଏକଚ୍ଛତ୍ରବାଦୀଙ୍କୁ ଲୋପ କରି ଲୋକ ସରକାରର ପୁନଃ ସ୍ଥାପନ କରିବା ପାଇଁ ନିର୍ବାଚନ ଲଢ଼ୁଛି। ସେଥିପାଇଁ ଆପଣଙ୍କ ଭଙ୍ଗାଗୋଡ଼ର ସାହାଯ୍ୟ ଦରକାର।
ଅସଲ ଉଦ୍ଦେଶ୍ୟ
ପରସାଇ ମହାଶୟ ଅସଲ ଉଦ୍ଦେଶ୍ୟ କ’ଣ ବୋଲି ପଚାରିବାରେ ସେମାନେ କହିଲେ ଯେ ଆପଣ ଅନୁମତି ଦିଅନ୍ତୁ ଯେ ଆମେ ପ୍ରଚାର କରିବୁ ଯେ କଂଗ୍ରେସିଆମାନେ ଆପଣଙ୍କର ଗୋଡ଼ ଭାଙ୍ଗି ଦେଇଛନ୍ତି। ଏହା ଦ୍ୱାରା ସାରା ଦେଶରେ କଂଗ୍ରେସ ବିରୁଦ୍ଧ ବାତାବରଣ ଖେଳିଯିବ।
ପରସାଇ ଏଭଳି ପ୍ରସ୍ତାବରେ ରାଜି ହେଲେ ନାହିଁ। ସେଦିନ ସନ୍ଧ୍ୟାରେ କଂଗ୍ରେସ କର୍ମୀମାନେ ଆସି ପରସାଇଙ୍କ ଗୋଡ଼ ଦେଖିଲେ ଓ ସେହିଭଳି ଅନୁରୋଧ କରି କହିଲେ ଆଜ୍ଞା ଜନତା ଦଳ ଯଦି ଜିତିଯାଏ ଦେଶ ଖଣ୍ଡ ଖଣ୍ଡ ହୋଇଯିବ, ବିକାଶ କାମ ଅଟକିଯିବ। ଦେଶର ଭବିଷ୍ୟତ ଏବେ ଆପଣଙ୍କ ହାତରେ। ଆପଣ ଖାଲି ଅନୁମତି ଦିଅନ୍ତୁ ଯେ ଆମେ ପ୍ରଚାର କରିବୁ ଆପଣଙ୍କ ଗୋଡ଼ ଜନତା ପାର୍ଟି ଲୋକ ଭାଙ୍ଗି ଦେଇଛନ୍ତି।
ପରସାଇ ସେମାନଙ୍କୁ ମଧ୍ୟ ନିଜ ଗୋଡ଼ ସମ୍ପର୍କରେ ମିଛ ପ୍ରଚାର ପାଇଁ ମନା କରିଦେଲେ।
ତା’ପର ଦିନ ପୁଣି ଦୁଇ ଦଳର କର୍ମୀମାନେ ପରସାଇଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା ଆରମ୍ଭ କଲେ ଓ ସେମାନଙ୍କ ମଧ୍ୟରେ ପରସାଇଙ୍କ ଭଙ୍ଗା ଗୋଡ଼କୁ ନେଇ ଯୁକ୍ତିତର୍କ ହୋଇ କଥା କଟାକଟି ହୋଇ ଶେଷରେ ହାତାହାତି ହୋଇ ମାଡ଼ ମରାମରି ହେଲେ। ପରସାଇ ଦୁଇ ଦଳର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଆପଣମାନଙ୍କୁ ମୋ ଭଙ୍ଗାଗୋଡ଼ର ଆବଶ୍ୟକତା ନାହିଁ। ଆପଣ ଦୁଇ ଦଳର ଲୋକଙ୍କର ମୁଣ୍ଡ ଫାଟିଛି ଓ ନାକରୁ ରକ୍ତ ବାହାରିଛି। ତା’ର ଫଟୋ ଉଠାନ୍ତୁ ଜନତନ୍ତ୍ର ପାଇଁ ପ୍ରଚାର କରନ୍ତୁ। ସେଥିପାଇଁ ମୁଁ ସାକ୍ଷୀ ହେବା ପାଇଁ ପ୍ରସ୍ତୁତ।
ଏସବୁ କଥା ତର୍ଜମା କଲାବେଳେ ମନେ ପଡ଼େ ଚିରସବୁଜ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କର ଗୀତଟିଏ। ନିର୍ବାଚନ ସମୟରେ ପିଲାମାନେ ସକାଳେ ଆସି କବାଟ୍ ଖଟ୍ ଖଟ୍ କରି ଅଜାଙ୍କୁ ପଚାରିଲେ, ତମେ କାହାକୁ ଦେବ ଭୋଟ? ଅଜା ପିଲାଙ୍କୁ ଭଗାଇ ଦେଇ କହିଲେ, ଆରେ ହଟ୍, ଆରେ ହଟ୍। ସେମିତି ପିଲାମାନେ ଆଈ ଗୋବର ଘଷି ପାରିବା ଜାଗାରେ ପଚାରିଲେ, ଆଈ ତମେ କାହାକୁୁ ଦେବ ଭୋଟ- ଆଈ ମଧ୍ୟ ପିଲାଙ୍କୁ ଗାଳି ଦେଇ କହିଲା, ଆରେ ହଟ୍ ଆରେ ହଟ୍। ରାତିରେ ଅଜା ଓ ଆଈ ଏକାଠି ହେଲା ପରେ ଅଜାଙ୍କ ପ୍ରଶ୍ନରେ ଆଈ ଉତ୍ତର ଦେଲା, ତମେ ମୋତେ ଦିଅ ଭୋଟ, ମୁଁ ତୁମକୁ ଦେବି ଭୋଟ।
ଅକ୍ଷୟ ମହାନ୍ତିଙ୍କ କବିତା ଶୁଣିଲା ପରେ ମନରେ ଆସୁଛି, କିଏ ଅଛି ଯୋଗ୍ୟ ବ୍ୟକ୍ତି, କାହାକୁ ଦେବି ଭୋଟ?

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “କାହାକୁ ଦେବି ଭୋଟ

  1. ନିର୍ବାଚନ ଆସିଲେ ନେତାଏ ଟୁରିଷ୍ଟ ପରି ବୁଲିବାକୁ ଆସନ୍ତି, କେତେ କଣ ଫୁସୁଲେଇ ଭୋଟ ନେଇଯିବା ପରେ ଅନ୍ତର୍ଦ୍ଧାନ ହୋଇଯାଆନ୍ତି। ପୁଣି ଏବେ ତ ପରିବାର ପରିବାର ଭିତରେ କଡା ଟକ୍କର ଦେଖିବାକୁ ମିଳୁଛି। ଭୋଟର ଘୋର ସନ୍ଦେହରେ। କାହାକୁ ଦେବେ ଭୋଟ…।

Leave a Reply

Your email address will not be published. Required fields are marked *