ହସ ଦିବସ

କଥାରେ ଅଛି ବୋକା ତିନିଥର ହସେ।

ଡା. ଅଭୟ ଦାଶ

ଶ୍ରମିକ ଦିବସ ଯାଇଛି କି ନାହିଁ, ଝାଳ ଶୁଖିନି କହୁଛନ୍ତି ହସିବାକୁ ହେବ। ହସ କୁଆଡ଼େ ସକଳ ରୋଗର ଓଷଦ! ପଖାଳ ଦିବସ ଗଲା ଯେ ଓଡ଼ିଆଏ ଖାଲି ଡେଇଁଲେ! ପଖାଳ ସାଙ୍ଗକୁ ବଡ଼ିଚୂରା, ଆଳୁଚକଟା, ବାଇଗଣ ପୋଡା, ସଜନାଛୁଇଁ ପଣସମଞ୍ଜି ଭଜା, ଚୁନାମାଛ ଭଜା, ଲେଉଟିଆ ଖଡାଶାଗ ଖରଡ଼ା, ବିଲାତିବାଇଗଣ ପୋଡ଼ା, ପିଆଜ ତିନ୍ତୁଳି, ବସାଦହି, ଲେମ୍ବୁ କଞ୍ଚାଲଙ୍କା ସବୁ ସଜାଡ଼ି ଫଟୋ ଉଠେଇ ଏମିତି ଭାଇରାଲ କଲେ ଯେ, ମୁଖ୍ୟମନ୍ତ୍ରୀ ବି ଫଟୋ ପଠାଇଲେ, ମୁଁ ବି ପଖାଳ ଖାଏ। ରସଗୋଲା ଦିବସ ଗଲା; ସେଥିରେ ଜି.ଆଇ ଟ୍ୟାଗ୍ ନେଇ ଦୁଇଭାଗ। ସବୁଥିରେ ଓଡ଼ିଆଏ ଭିଡ଼ି ଓଟାରି ଜଗନ୍ନାଥଙ୍କୁ ଠିଆକରେଇଲେ, ପଖାଳ ତୋରାଣିରୁ ରସଗୋଲା ଯାଏଁ ସବୁଥିରେ ଜଗନ୍ନାଥ ମହାପ୍ରଭୁଙ୍କର ଇନ୍‌ଭଲ୍‌ଭମେଣ୍ଟ୍ ବା ଯୋଗଦାନ। ତାଙ୍କ ପଖାଳର ଡିଜାଇନ୍ ଅଲଗା। ଏ ସବୁ ଦିବସରେ ଜିନିଷପତ୍ର କିଣାବିକା କରି ଯୋଗାଡ଼ କରାଯାଏ। ଫଟୋ ଭାଇରାଲ ହୁଏ, ଖବର ପ୍ରକାଶ ପାଏ, ଜାତୀୟତାର ଗୁଣଗାନ ହୁଏ। ଆମେ ଓଡ଼ିଆ ସର୍ବକ୍ଷମ ବୋଲି ଗର୍ବ କରୁ।

ଏବେ ଯେଉଁ ବିଶ୍ୱ ହସ ଦିବସ ପାଳିବା ସେଇଟା ଟିକିଏ ଅଲଗା! ସ୍ବାମୀ ଅଭୟାନନ୍ଦ ଫାଉଣ୍ଡେସନ ଏ ଦାୟିତ୍ୱ ନିର୍ବାହ କରିବାକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ମୌଳିକ ବିଷୟକୁ ଯୋଡ଼ିବାକୁ ହେବ, ହସ। “ଉତ୍କଳର ନେତା ନିଜେ ନାରାୟଣ”! ସେଇଠୁ ଆରମ୍ଭ ହେଉ। ଆମ ମହାପ୍ରଭୁଙ୍କ ହସରେ ଧୋଇ, ମରୁଡ଼ି ନାହିଁ। ଦୁନିଆ ଭାସିଯାଉ ପଛେ, ଫଣି, ହୁଡହୁଡ୍ ମାଡ଼ିଆସୁ ନା କାହିଁକି, ହସୁଥିବେ। ତାଙ୍କ ହସରେ ମଳିଧୂଳି ନାହିଁ। ସେଥିପାଇଁ ଆମେ ଓଡ଼ିଆ ହସର ଜି.ଆଇ ଟ୍ୟାଗ୍ ପାଇଁ ଦାବି କରିବା କଥା, କହନ୍ତି ସ୍ବାମୀ ଅଭୟାନନ୍ଦ। କରିବା ଯେ, ମହାପ୍ରଭୁ ହେଲେ ଆମର ଷ୍ଟାର୍ ପ୍ରଚାରକ! ହେଲେ ସର୍ବାଧିକ ଥର ଆମ ଚିଫ୍ ମିନିଷ୍ଟରଙ୍କୁ କେବେ ହସିବା ଦେଖିଛନ୍ତି? ହଁ ଗୋଟାଏ ପଜିଟିଭ୍ ପଏଣ୍ଟ୍ ସକାରାତ୍ମକ ଭାବନାର ଝଲକ ମିଳିଗଲା। ସିଏ ଯେତେବେଳେ ପଚାରନ୍ତି, “ଆପଣ ମାନେ ଖୁସି ତ? ମୁଁ ଖୁସି।” ମାନେ, ଭିତରେ ହସୁଛନ୍ତି। ଆମ ଓଡ଼ିଆଙ୍କୁ ପଚାରି ଦେଖିଲେ, ଆଜ୍ଞା କେମିତି ଅଛନ୍ତି? କୁନ୍ଥେଇ କରି ଉତ୍ତର ମିଳିବ, “ଚା ଲି ଚି!” ହସ? ଓଡ଼ିଆଙ୍କ ପାଇଁ, ହସିବା କଣ ଏଡ଼େ ସହଜ?
ହସକୁ ଲୋକଲୋଚନକୁ ଆଣି ଠିଆ କରିବାକୁ ହେବ। ନହେଲେ ଏତେବଡ଼ ବିଶ୍ୱସ୍ତରୀୟ କାର୍ଯ୍ୟକଳାପରୁ ନାଁ କଟିଯିବ ନା? କିଛି ଗୋଟାଏ ଯୋଜନା କରିବାକୁ ହେବ! ଜନଚେତନା ଜନଜାଗରଣ,ଓ ଜନ ଭାଗିଦାରୀର ଆବଶ୍ୟକତାକୁ ଉଜାଗର କରିବାକୁ ହେବ। ହାସ୍ୟ ଯୋଗ ବା ‘ଲାଫ୍ଟର ଥେରାପି ଦଳ’ମାନଙ୍କୁ ଅନୁଧ୍ୟାନ କରି ଆମ ରିସର୍ଚ୍ଚ ଟିମ୍, ଏ ଜବରଦସ୍ତିଆ ହସ ବିଷୟରେ ଗଭୀର ଅନ୍ବେଷଣ କରିବା ଦାୟିତ୍ୱକୁ ସ୍ବେଚ୍ଛାକୃତ ଭାବରେ ଗ୍ରହଣ କରିନେଇଛି।
ଆମେ ଯେତିକି ଜାଣିଚୁ ହସ କାନ୍ଦ ସୁଖ ଦୁଃଖ ଅଶ୍ରୁ ଆନନ୍ଦ ଏସବୁ ମଣିଷ ଜୀବନସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଣିଷ ଛୁଆଟିଏ ନିଜର ସୁଖ ଦୁଃଖକୁ ହସ ଓ କାନ୍ଦ ଦ୍ବାରା ପ୍ରତିଫଳିତ କରିଥାଏ। ବୟସ ବଢ଼ିଚାଲେ, ସମସ୍ୟା ବହୁଳ ଜୀବନରେ ଘାଣ୍ଟିହୋଇ ହସକୁ ଭୁଲିଯାଏ ମଣିଷ। ଅତି ଛୋଟ ଛୁଆଟିଏ ଶୋଇ ରହି ହସିଥାଏ ତ କହନ୍ତି ସଠି ହସଉଛି! ମଣିଷ ନିଜ ଉପରେ ବି ହସେ।

କଥାରେ ଅଛି ବୋକା ତିନିଥର ହସେ। ସେଥିପାଇଁ ବୋଧେ ‘ଫୁଲ୍‌ସ୍ ଡ଼େ’ର ସୃଷ୍ଟି? ହସ ଏକ କ୍ଷଣିକ ପରି ପ୍ରକାଶ ବା ରିଆକ୍ସନ୍ ଯାହା ସ୍ବତଃପ୍ରବୃତ୍ତ ବା ସ୍ପଣ୍ଟାନିୟସ୍। ଆମ ରିସର୍ଚ୍ଚ ମାଧ୍ୟମରେ ଆମେ ଯେତେ ସ୍ବେଚ୍ଛାସେବୀ ବା ଭଲେଣ୍ଟିୟରଙ୍କୁ ହସିବାକୁ କହିଛୁ, ଶୁଣିବାକୁ ପାଇଛୁ କଣ? ସମ୍ପୂର୍ଣ କୃତ୍ରିମ ହା ହା, ହେ ହେ, ହି ହି ଇତ୍ୟାଦି! ହସ ହୃଦୟ ଭିତରୁ ଜନ୍ମ ନିଏ ଯାହା ଆମର ବିଶ୍ବାସ!
ଛିଙ୍କ ଯେପରି ପାରିପାର୍ଶ୍ବିକ ବାୟୁମଣ୍ଡଳ ପ୍ରତି ଏକ ରିଆକ୍ସନ୍ ବା ପ୍ରତିବେଦନ, ହସ ମଧ୍ୟ ଅଳ୍ପବହୁତେ ସେହିପରି। ମାତ୍ର ହସ ସୃଷ୍ଟି ହୁଏ ମସ୍ତିଷ୍କର ଉଚ୍ଚ ସ୍ତରରେ। କାଖ ଜଙ୍ଘ, ଅଣ୍ଟା ଆଦି ସମ୍ବେଦନଶୀଳ ଅଞ୍ଚଳରେ କୁତୁ କୁତୁ କରି ଯେଉଁ ହସର ଉତ୍ପତ୍ତିହୁଏ, ତାହା କଣ ମନଖୋଲା ହସ ସାଙ୍ଗେ ସମାନ? ଛିଙ୍କିବାକୁ ନାସ ଟିକିଏ ଶୁଙ୍ଘିବା ଯେମିତି ବାହ୍ୟଶକ୍ତି ବା ଷ୍ଟିମ୍ୟୁଲସ୍ ରୁପେ କାର୍ଯ୍ୟ କରେ, ହସିବାକୁ ଭଲ କଥା ପଦେ, ମଜାଳିଆ ଥଟାଳିଆ ଜୋକ୍, ହାସ୍ୟ ଗଳ୍ପ କବିତା, ବ୍ୟଙ୍ଗ ସାହିତ୍ୟ, ବ୍ୟଙ୍ଗ ଚିତ୍ର, ଚରିତ୍ର ଆଦି ସେହିପରି ସାହାଯ୍ୟ କରିଥାଆନ୍ତି।
ଜୀବନରେ ଷଡ଼ରସର ପରିକଳ୍ପନା ମଧ୍ୟରେ ହାସ୍ୟରସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ଥିବାରୁ, ରଜା ମହାରାଜା ମାନଙ୍କ ଦରବାରରେ ବିଦୁଷକ ବା କୋର୍ଟଜେଷ୍ଟର ମାନଙ୍କୁ ମୁତୟନ କରାଯାଉଥିଲା। ସେମାନଙ୍କ ମଧ୍ୟରେ ବୀରବଲ୍, ଗୋପାଳ ଭାଣ୍ଡ, ଯଦୁମଣି ଆଦି ନାମ ଉଲ୍ଲେଖଯୋଗ୍ୟ। ବ୍ୟଙ୍ଗ ଚିତ୍ରଶିଳ୍ପୀ ଲକ୍ଷ୍ମଣ, ସୁଧୀର ଦର୍, ସୁଧିର ତୈଲାଙ୍ଗ ଓ ଓଡ଼ିଶାର କମଳାକାନ୍ତ ରଥ ଅନ୍ୟତମ। ବ୍ୟଙ୍ଗ ସାହିତ୍ୟିକଙ୍କ ମଧ୍ୟରେ ଖୁସୱନ୍ତ ସିଂ, ଓଡ଼ିଶାର ଯଦୁମଣି ଫକିରମୋହନ, ଫତୁରାନ୍ଦ ଆଦିଙ୍କର ଦାନ ଅତୁଳନୀୟ। କେମିଷ୍ଟ୍ରି ଲାବୋରେଟାରି ରସାୟନ ଶାସ୍ତ୍ର ପରୀକ୍ଷାଗାରରେ ଅକସ୍ମାତ ଜନ୍ମ ନେଇଥିବା ନାଇଟ୍ରସ୍ ଅକ୍ସାଇଡ୍ ନାଁ ହୋଇଯାଏ ‘ଲାଫିଙ୍ଗ୍ ଗ୍ୟାସ୍’ ଯାହା ସଂସ୍ପର୍ଶରେ ଆସିଲେ ଅଣନିଶ୍ବାସ ହେବ ସିନା, ହସ କାହିଁ?
ଏତେ ସବୁ ରିସର୍ଚ୍ଚ ପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ, ହସିବ ତ ଅଳ୍ପ ଦି ଚାରିଜଣ ବସି ହସିବ। ଯାହାକୁ କହନ୍ତି ମେହଫିଲ୍, ଆମ ଓଡ଼ିଆ ରେ କହି ପାରନ୍ତି ଖଟି। ବେଶି ଗୁଡାଏ ଗହଳି କଲେ ହେରଖାମି ହେବ ସିନା, ସେ ହସର ସ୍ୱତଃପ୍ରବୃତ୍ତି ବା ସ୍ପଣ୍ଟାନିଟି କାହିଁ? ଯଦିଓ ବିଶ୍ୱ ହସ ଦିବସ ଆମ ମୁମ୍ବାଇ ସହରରୁ ଆରମ୍ଭ ହୋଇଛି, ସବୁ ଆଡକୁ ଦୃଷ୍ଟିଦେଇ ଆମେ ଏତିକି କହିପାରୁ ଆମ ଓଡ଼ିଶାରେ ହସ ବଜାର ଟିକିଏ ମାନ୍ଦା! କେବେ ତେଜିବ ସେକଥା ସମୟ କହିବ!

One thought on “ହସ ଦିବସ

  1. ହସ ଦିବସ ରମ୍ୟ ରଚନାଟି ଅତ୍ୟନ୍ତ ମନଛୁଆଁ ହୋଇଛି। ସମାଜର ବିଭିନ୍ନ ବିଷୟ ଏଠାରେ ରମ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *